Unknown

 

 

 

 

 

 

 

 

 

 

 

 

ସକାଳ କୁହୁଡ଼ି

ରାଜକିଶୋର ପଟ୍ଟନାୟକ

 

 

* ସିନ୍ଦୂର ଗାର * କଜଳ ଗାର * ଭସାମେଘ * ଚଲାବାଟ * କଳାପରଦା * ପ୍ରେମିକର ଡାଏରୀ * ସଞ୍ଜବତୀ * ପଥର ଢିମା * ପଥୁକି * ଭଡ଼ାଘର * ଶାଳଗ୍ରାମ * ସ୍ମୃତିର ମଶାଣି * ତୁଠ ପଥର * ନିଶାଣ–ଖୁଣ୍ଟ * ସପନ କୁହୁଡ଼ି * ଅଷ୍ଟମୀ ଚାନ୍ଦ * ପଞ୍ଜୁରୀ ପକ୍ଷୀ * କଳ୍ପନାର ଫୁଲ * ବିରହିଣୀ *

ଅସରନ୍ତି * ପ୍ରେମର ନିୟତି *

 

ପ୍ରଭୃତିର ଲେଖକ

ରାଜକିଶୋର ପଟ୍ଟନାୟକ

 

ଓଡ଼ିଆ ପାଠକ ପାଠିକାଙ୍କର କରକମଳରେ....

 

ଯିଏ ଜୀବନର ଅଧା ତିନିପା ବିତାଇ ଦେଲାବେଳେ କଣ୍ଟା ଅରମା ପାଣିକାଦୁଅକୁ ବାରି ନାହାନ୍ତି, ତାଙ୍କରି ପାଇଁ ଜଣେ ସେହିପରି ଲୋକ ଏହି ଜୀବନର ମଦିରା ବହି ଖଣ୍ଡିକ ଲେଖିଛି–କେବଳ ସେହିମାନଙ୍କ ପାଇଁ ।

 

ହୁଏତ ସେମାନେ ଏଥିରେ ପାଇବେ ନିଜର ମନର ଛବି ।

 

ଅନ୍ୟମାନେ ହେଲେ ଆପଣାମନକୁ ଭଦ୍ରଲୋକ । ନିଜକୁ ବି କହନ୍ତି ଭଲ ଲୋକ । ସେମାନେ ଏହି ବହିକୁ ପଢ଼ି ରସଭଙ୍ଗ କରିବା ଦରକାର ନାହିଁ । ସେମାନେ ନ ପଢ଼ିଲେ ଭଲ ।

 

ଏହାର ପରବର୍ତ୍ତୀ ଅଂଶ ଶୀଘ୍ର ବାହାରିବ । ଲେଖା ଚାଲିବାର ପ୍ରସ୍ତାବରେ ରହିଛି । ଈଶ୍ଵରଙ୍କର ଇଚ୍ଛା ।

 

ଓକିଲ ବାପୁଡ଼ା ଲେଖକ ସାଜିଲା

ବରଗଛ ମୂଳେ ଧୂଳି (?)

କେଡ଼େ କଥାଟାଏ ? ସେ ବି ହକାରିଲା

ପାଠକଙ୍କ କରତାଳି ?

 

ଶାନ୍ତିନିବାସ

ରାଜକିଶୋର ପଟନାୟକ

ପୁରୀଘାଟ, କଟକ–୯୧ । ୧୦ । ୭୦

 

 

ଏହି ବହିଟି ଲେଖିଲାବେଳେ ଆଂଶିକ ପଢ଼ି ଯେଉଁମାନେ ମତାମତ ଦେଇ ଉତ୍ସାହିତ କରିଛନ୍ତି ସେମାନେ କଟକର ପାଞ୍ଚଜଣ ବିଶିଷ୍ଟ ଆଡଭୋକେଟ୍ ଓ ସୁସାହିତ୍ୟିକ–ସର୍ବଶ୍ରୀ ଜଗନ୍ନାଥ ଦାସ, ଧୃବଚରଣ ସାହୁ, ସୁନୀଲକୁମାର ଘୋଷ, ଶୈଲେନ ଭଟ୍ଟାଚାର୍ଯ୍ୟ ଓ ବିଶ୍ଵନାଥ ନନ୍ଦ-

 

ଏମାନଙ୍କ ସାହାଯ୍ୟ ପାଇଁ କୃତଜ୍ଞତା ଜଣାଉଛି ।

 

–ଲେଖକ

 

ପଢ଼ିବା ଲୋକର ମତାମତ

✽✽✽

 

ବଛରାଇ ଗାଁର ଗୋହିରି ମୁଣ୍ଡରୁ ସେଦିନ ବି ବାଳୁତ ସୂର୍ଯ୍ୟ ନାଲିଆ ମୁହଁ ଦେଖାଇ ପହଁରି ଆସିଥିଲେ । ଗଲା ଦିନଗୁଡ଼ିକ ପରି ସିଏବି ଗୋଟିଏ ଦିନ । ଗାଁର ଗାଉଁଲି ଚଢ଼େଇଗୁଡ଼ିକ ଦୁଆର ଅଗଣାରେ ଏପାଖ ସେପାଖ ହୋଇଥିଲେ । ବାପା ଭାଇ, ବୋଉ ଖୁଡ଼ିଙ୍କର ମେଳରେ ଗେହ୍ଲା ଝିଅ କନକର ଦିନଟିଏ ଆରମ୍ଭ ହୋଇଥିଲା ।

 

ଯେଉଁମାନଙ୍କର ଆଶ୍ରୟ ଓ ଆଶ୍ଵାସନାରେ ଜୀବନଟା ଗଢ଼ି ହେବ, ସେହିମାନେ ସମସ୍ତେ ଥିଲେ । ଭଲମନ୍ଦ ଓ ବିପଦ ଆପଦରେ ସବୁଦିନେ ଠିଆ ହୋଇଛନ୍ତି ଆଉ ଠିଆ ହେବେ । ହେଲା ଏବେ ଝିଅର ପରଘରୀ ଜୀବନ । କିନ୍ତୁ ପରଘର ହେଲେବି ତ ଗୋଟାଏ ଘର ।

 

କିନ୍ତୁ ସେ ଦିନ କ’ଣ ଝିଅଟି କେବେ ହେଲେ ଭାବି ପାରିଥିଲା କି ତାହାର ଜୀବନରେ ଝଡ଼ ବୋହିବ । ଆଉ ସେହି ଝଡ଼ କେଜାଣି କେତେଦୂରକୁ ଠେଲି ନେଇଯିବ ।

 

ଝଡ଼ର ସୂଚନା ବଛରାଇ ଗାଁରେ ସେଦିନ କେହି ପାଇ ନ ଥିଲେ । କନକ ଅବା କାହିଁକି ପାଇବ ? ସେଦିନ ତାହାର ବଛାବଛି ପରୀକ୍ଷା–ବଛାବଛି ଖାଲି ନାଁକୁ ସିନା, କନକର ଖୁଣ ନାହିଁ-। ରୂପ ଯେମିତି ଆଉ ଗୁଣ ବି ସେମିତି । ସମସ୍ତଙ୍କର ଆଦର ଓ ଅଲିଅଳର ପ୍ରତିମା-। ସେହି କନକର ବିଭାଘର ସେଦିନ ପକ୍‌କା ହେଇଯିବ ।

 

ହେଉ ହେଉ ହେଇ ପାରିଲା ନାହିଁ । ଝିଅର ଓଜନ ହେଲା ତାହାର ବାପମାଙ୍କର ଧନ ଦଉଲତରେ । ଝିଅକୁ ଦେଖିବା ଓ ପରଖିବାରେ କାମ ନାହିଁ । ଝିଅ ଭଲ ହୋଇ ନ ଥିଲେ ସେମାନେ ଅବା ପିଣ୍ଡାରେ ବସନ୍ତେ କାହିଁକି ? କିନ୍ତୁ ଘରର ଓଜନ ସେଥିରେ ବଡ଼ ବିଷୟ ହେଲା ।

 

କଥା ହେଉ ହେଉ କଥା ଭାଙ୍ଗିଗଲା । କିନ୍ତୁ କନକ ଜୀବନରୁ ଗୋଟାଏ ପୃଷ୍ଠା ସେହିଦିନ ଲେଉଟିଗଲା । ତାହାର ରୂପଗୁଣକୁ ସେଦିନ ତାହାର ଜଣାଶୁଣା ସମାଜ ବଡ଼ ସ୍ଥାନ ଦେଇ ପାରିଲା ନାହିଁ ।

 

ଦରକାର ନାହିଁ–କହିଦେଇ କନକର ବରଘରର ଲୋକ ଫେରିଗଲେ । କନକ ପଡ଼ି ରହିଲା ବଛରାଇ ଗାଁରେ । ସେ ସେଇଠି ତା’ର କପାଳ ଭୁଞ୍ଜି ରହିଥାଉ । ଯେଉଁଠି ତାହାର ମାଣିକ ରହିଥିବ ସେଠିକି ସେ ଯିବ ।

 

ହେଲା ନାହିଁ । ଜୀବନର ସାର୍ଥକତା ମପା ହେଇଗଲା ଟଙ୍କା ସୁନାର ନିକିତିରେ । ଧର୍ମକର୍ମର ନୀତିବଚନ କାମ ଦେଲା ନାହିଁ । ଭଲ ଜିନିଷର ପଛଆଡ଼େ ନିଜ ଲୋକଙ୍କର ଧନବଳ ଯୋଡ଼ି ନ ହେଲେ ସେହି ଭଲ ଜିନିଷର କ’ଣ ଅବା ମୂଲ୍ୟ ? କନକ ହେଲେ କେତେ ? ଆଉ ବା ଯିଏ ହେଲେ କେତେ ?

 

ପରାଜୟର ଗ୍ଳାନିରେ ସେଦିନ ସେହି ଛୋଟିଆ ଘରଟିରେ ଦୁଃଖର ଛାଇ ବୁଲି ଯାଇଥିଲା । ଡଉଲଡ଼ାଉଲ ଝିଅ–ଦୋଷ ନାହିଁ ଓ ଅବଗୁଣ ନାହିଁ । ପାଞ୍ଚ ପଚିଶ ଝିଅଙ୍କ ମେଳରେ ବାରି ହୋଇ ପଡ଼ିବ । ତେବେ ହେଲା କି ? କାମକୁ ପାଇଲା କି ?

 

କ’ଣ ଅବା କାମ ? ସାଧାରଣ ଘରର ଗୋଟିଏ ସାଧାରଣ ପୁଅ । ସଂସାରର ଜଣେ ଅତି ସାଧାରଣ ମଣିଷ ନିଜର ପିଲାକୁଟୁମ୍ବଙ୍କୁ ଦି’ମୁଠା ଖାଇବାକୁ ଦେଇ ପାରିବ କି ନାହିଁ–ସିଏ ଅନାଗତ ଭବିଷ୍ୟତର ଗୋଟିଏ ସ୍ପଷ୍ଟ ପ୍ରଶ୍ନ । କିନ୍ତୁ ସେଦିନ ସେହି ପଦବୀ ପାଇଁ ବଛରାଇ ଗାଁର ଝିଅ କନକ ଅଯୋଗ୍ୟ ହେଇଗଲା ।

 

କନକ ବୁଝିଲା । ଏଇଟା ନୂଆ କଥା ତାହାର ଜୀବନରେ । ସେ କେବେ ଆଘାତ ପାଇ ନ ଥିଲା । ଯାହା ସେ ନ ପାଇବା କଥା ସେପରି ପଦାର୍ଥକୁ କେବେ ସେ ଆଶା କରି ନାହିଁ । ନିଜର ମହତ୍‌କୁ ଜଗି ସେ ତାହାର ଛୋଟିଆ ଜୀବନକୁ ଠେଲିଥିଲା । ତା’କୁ ସେଦିନ ମହତ ହରାଇବାକୁ ହେଲା ।

 

ଜାଣିବା ଲୋକେ ଠାକୁରଙ୍କୁ ନିନ୍ଦିଲେ । ଧର୍ମ ଲୋପ ପାଇଗଲାଣି ବୋଲି କହିଲେ । ଖରାପର ମାତ୍ରା ବଢ଼ିଯାଉଛି ବୋଲି ପ୍ରକାଶ କଲେ । କିନ୍ତୁ ଘରର କାମ, ଠାକୁରଙ୍କର ସେବା ବନ୍ଦ ହେଲା ନାହିଁ ।

 

ସେଦିନ ବି ବଛରାଇ ଗାଁର ଆକାଶ ଉପରେ ସୂର୍ଯ୍ୟ ବୁଡ଼ି ଯାଇଥିଲେ । ସଞ୍ଜୁଆ ପବନ ସେମିତି ବୋହିଥିଲା । ସନ୍ଧ୍ୟା ଆଳତି ହୋଇଥିଲା । ଯିଏ ଯାହାର କର୍ତ୍ତବ୍ୟ ଓ କାମ କରିଥିଲେ । କନକ ମନରେ ଆଘାତ ଲାଗିଛି କି ନାହିଁ–ସେ କଥା କେହି ମନ ଦେଇ ବୁଝି ନ ଥିଲେ ।

 

ବୁଝିଲେ ଅବା କ’ଣ କରି ପାରିଥାନ୍ତେ ? ଏହି ସବୁ ହେଉଛି ବିଧିର ବିଧାନ ଆଉ ତାହାର ବିଡ଼ମ୍ବନା । ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି–ସେହି ନିୟମରେ ସବୁ ଚାଲିଯିବ । ସବୁ କଥା ସ୍ଥିର ହୋଇଯିବ ।

 

ଏହି ନିୟମକୁ ପାଳି ଲୋକେ ବାଉଁଶ ଖାଇ ବଞ୍ଚିଛନ୍ତି । କୋଡ଼ ପିଲା ଚାଲି ଯାଇଛି । ପୋଷିଲା ପୁଅ ଟ୍ରକ୍ ଚକ ତଳେ ଯମପୁର ଦେଖିଛି । ନଈର ଭଉଁରୀ ଗାଁର ଚକଡ଼ାରୁ ଫାଳେ ଖାଇ ଯାଇଛି । ପ୍ରବଳର ଅତ୍ୟାଚାର ଓ ପ୍ରକୃତିର ଝଡ଼ ବାରମ୍ବାର ବୋହିଯାଇଛି । ମଣିଷ ବଞ୍ଚି ରହିଛି । ତାହାହେଲେ କନକ କାହିଁକି ନୂଆ କଥାଟାଏ ବୋଲି ତା’କୁ ଭାବିବ ?

 

ଦିନେ ଓଳିକରେ ସେ ବି ସମ୍ଭାଳି ହୋଇଯିବ । କିଏ ଆସିଥିଲା ସେ କଥା ପାଶୋରିଯିବ ସବୁ ଦିନ ପାଇଁ । ପୁଣି ଦିନେ ସେ ମୁକୁଟ ପିନ୍ଧି ସେଇ ଗାଁରୁ କନ୍ୟାବେଶ ବଦଳାଇ ବୋହୂବେଶରେ ଅନ୍ୟ ଗାଁକୁ ଚାଲିଯିବ ।

 

ଯିଏ ଆଦର କରି ପାଖକୁ ନିଏ–ତାକୁ ଘେନି ସଂସାର । ଯିଏ ହତାଦର କରି ଆଡ଼େଇ ଦିଏ ସେ ସଂସାରର ବାହାର । ଏହି ନିୟମ ପାଳି ଅସୁମାର ଝିଅ ପୁଅ ତାଙ୍କର ସଂସାର ଗଢ଼ିଛନ୍ତି । ଗାଁ ଗହୀରରେ ଫସଲ ଫଳାଇଛନ୍ତି । ଆମ୍ବ ନଡ଼ିଆ ଲଗାଇଛନ୍ତି । ବାପା ହେଇଛନ୍ତି–ଅଜା ହେଇଛନ୍ତି । ପୁଣି ଦିନେ ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି ।

 

କେହି କ’ଣ ମନେ ରଖିଛି ଅତୀତର ଉପେକ୍ଷା–ଅତୀତର ପରାଜୟର ଗ୍ଳାନି ? ଘୃଣା, ବିଦ୍ଵେଷ ଦେଖାଇ କିଏ କ’ଣ ଏହି ସବୁକୁ ଗଣ୍ଠିଧନ କରି ଅଦଉତିର ମହାଭାରତ ଖୋଲିଛି ? କେହି କରି ନାହିଁ ।

 

ସଂସାରଟା ଏଡ଼େ ନିର୍ମମ ଯେ ପୁରୁଣା ଦୁଃଖକୁ ଆଉଁସିବାକୁ କେହି ବେଳ ପାଆନ୍ତି ନାହିଁ-। ପୁରୁଣା କଥାକୁ ମନେ ରଖିବାର ସୌଭାଗ୍ୟ ଖୁବ୍ ଅଳ୍ପ ଲୋକଙ୍କର ଥାଏ । କର୍ତ୍ତବ୍ୟର ଚାପାରେ ପଡ଼ି ଭୁଲିଯିବାକୁ ଓ କ୍ଷମା ଦେବାକୁ ବାଧ୍ୟ ହୋଇଥାନ୍ତି । ଆପଣା ଲୋକଙ୍କୁ ଅଧିକ ଆପଣାର କରିବା ହେଉଛି ସଂସାରର ଧର୍ମ–

 

ଆଉ ଯିଏ ଆମର ମୂଲ୍ୟ ଚିହ୍ନିଲା ନାହିଁ ସିଏ ଯିଏ ହେଉନା କାହିଁକି ଆମର ଆପଣାର ନୁହେଁ । ତାହା କଥା ଭାବିବ କାହିଁକି ? ସେ ତ ପର । ସେ ଦୁସ୍‌ମନ । ଦୁସ୍‌ମନ କଥା ଭାବି ନିଜର ଦେହକୁ କାହିଁକି କ୍ଷୀଣ କରିବ ? ସମସ୍ତେ ତାଙ୍କର ନ୍ୟାୟ ଓ ଅନ୍ୟାୟର ବୋଝ ନେଇ ତାଙ୍କର ଜୀବନକୁ ପାରଉତ୍ତାର କରି ଦିଅନ୍ତୁ ।

 

ପାଣି ପବନ ଓ ମାଟି ଯେମିତି ସମସ୍ତଙ୍କର । ନିୟମ, ଠାକୁର, ନୀତି ଆଦି ସେମିତି ସମସ୍ତଙ୍କର । ଏହି ସଂସାରରେ ଆଘାତ ପାଇବା ଚିରନ୍ତନ ସତ । ଆଉ ସେହି ଆଘାତକୁ କଅଁଳ ହୃଦୟର ନିଭୃତ କୋଣରେ ସାଇତି ରଖିବା ହେଉଛି ସବୁ ସମାଜର ଖୁଣ–ତା’କୁ କୁହାଯାଏ ପାଗଳ-

 

ତେଣୁ ଭଲ ମଣିଷ ଓ ପାଗଳର ଫରକ ଜଣାଯାଏ ଗୋଟିଏ କଥାରୁ । ଭଲ ମଣିଷ ଦୋଷକୁ କ୍ଷମା ଦିଏ । ପାଗଳ ଦୋଷକୁ ମନେ ରଖେ । ପ୍ରତିହିଂସାକୁ ଗଣ୍ଠିଧନ କରି ବାଟ ଚାଲେ । ଏମାନଙ୍କୁ ସଂସାର ପସନ୍ଦ କରେ ନାହିଁ ।

 

ସେହି ଗୋଟିଏ ସକାଳ ପହରରେ ବଛରାଇ ଗାଁର ଝିଅ କନକ ମଣିଷ ହୋଇ ଯାଇଥିଲା । ଆଜି ଯେଉଁ ସ୍ଵନାମଧନ୍ୟା ଡାକ୍ତରାଣୀ ଶ୍ରୀମତୀ କାନୁନ ଦେବୀଙ୍କୁ ଲୋକେ ଦେଖୁଛନ୍ତି ସେହି ସେଦିନ ଜୀବନର ମୂଳଦୁଆ ନିଜ ହାତରେ ପକାଇଥିଲେ ।

 

ଏଇଟା ହେଲା ଲେଡି ଡାକ୍ତରଙ୍କର ଇତିହାସ ।

 

ବଛରାଇ ଗାଁର ସେଇ ସୁକୁମାରୀ ଲାଜକୁଳୀ ଝିଅ କନକ କେମିତି ଅଲାଜୁକୀ ଓ ଅଣ୍ଡିରିଚଣ୍ଡି ହେଲା ସେତକ ଆଖପାଖର ଅନେକ ଲୋକଙ୍କୁ ଅଥୟ କରିଛି । ସେମାନେ ଧାପେ ଧାପେ କରି କିଛି ନ ଛାଡ଼ି କନକର ଇତିହାସକୁ ଲେଖିବାକୁ ଚେଷ୍ଟା କରିଛନ୍ତି । କାଳ କେମିତି ଓଲଟିଗଲା–ନ ହେବା କଥା କେମିତି ହେଇପାରିଲା ? ସମସ୍ତେ ତାହାର ଗବେଷଣା କରିଛନ୍ତି । କିଛି ବାଟ ନ ପାଇ ଅଳ୍ପ କଥାରେ ଶେଷ କରିଛନ୍ତି–ଲାଜ ଛାଡ଼ିଲେ, ବାଟ ହୁଡ଼ିଲେ, ନିଜର ଆଚାର ବ୍ୟବହାରରେ ଅଇଁଠା ପକାଇଦେଲେ ସଂସାରରେ ସାତଖୁଣି ମାଫ୍ ।

 

–ଦେଖୁନ, ଏହି ମଉନମୁହୀଁ କନିକୁ । ଦି’ ପାହାର ପକେଇଲେ ଯାହାର ପାଟିରୁ ପଦେ କଥା ବାହାରିବା ସପନ ଥିଲା ସେହି ପୁଣି କେମିତି ଆଚରଣ ଦେଖାଉଛି । ସବୁ ହେଉଛି କୁଳଭ୍ରଷ୍ଟାର ମହିମା ।

 

ଏହି ସବୁ ଆଲୋଚନା ପଛର କଥା । କିନ୍ତୁ ଯେଉଁଦିନ ସାଧାରଣ ଗୋଟିଏ ଘରକୁ ବୋହୂ ହେଇଯିବାର ନିଶୁଣି ମିଛ ହୋଇଗଲା ସେଦିନ କନକର ସବୁ ଥିଲା ।

 

ରାତି ଅନ୍ଧାରର କୋଳରେ ବଛରାଇ ଗାଁ ଶୋଇ ଯାଇଥିଲା । କନକ ଆଖିକୁ ନିଦ ଆସିଲା ନାହିଁ । ଚରିତ୍ରକୁ ସଜାଡ଼ି ରଖିଥିଲା ବାପ ଅଜାଙ୍କର ଚାଲିଚଳନର ବାଟରେ । ସେତକ ନେଇ ଆଉ ଜଣକ ଘରେ ସମର୍ପିଥାନ୍ତା । ହେଲା ନାହିଁ ।

 

ପ୍ରତିଦିନ ହଳଦି କଜଳ ଲଗାଇ ନିଜେ ଗାଉଁଲି ହେବାକୁ ଚମ୍ପାଫୁଲିଆ ରଙ୍ଗରେ ରଙ୍ଗେଇଥିଲା । ହେଲା ନାହିଁ । ବିନା ଦୋଷରେ ସେ ଦୋଷୀ ହେଲା । ଦୋଷ ଭିତରେ ବାହାରିଲା ଯେ ବାପାର ଦରକାର ଅନୁସାରେ ଟଙ୍କା ନାହିଁ ।

 

ଗରିବପଣିଆର ଅସହ୍ୟ ଘିମିରିକୁ ସେହି ରାତିରେ କନକ ବହୁତ କୁଣ୍ଡାଇଲା । ନିଜକୁ, ଠାକୁରଙ୍କୁ ଓ ସମସ୍ତଙ୍କ ଆପଣା ମନଇଚ୍ଛା ଗାଳି ଦେଲା । ବାରମ୍ବାର ଓଠକାମୁଡ଼ି କହିଦେଲା–ଗରିବପଣିଆ କ’ଣ ମୋର ଦୋଷ ? ମୋର ବୟସ ପନ୍ଦର ପୂରି ଷୋଳ ହେଲା । ମୁଁ ଅବା ଘରର ଗରିବପଣିଆକୁ ତଡ଼ି ଦେଇପାରେ କେତେକେ ? ବାପା, ଦାଦି ଓ ଭାଇ ଏତେ ଲାଗିପାଗି ଯେଉଁ ଗରିବପଣିଆକୁ ହଟେଇ ପାରିଲେ ନାହିଁ ସେହି ଶତ୍ରୁକୁ ନିକାଲି ଦେବାକୁ କନକ କ’ଣ ସମର୍ଥ ?

 

ଦୁଇଧାର ଲୁଣିଆ ଲୁହ ସେହି ଅନ୍ଧାରରେ ଗଡ଼ି ଯାଉଥିଲା । ମଣିଷ ଅସାଧ୍ୟ ସାଧନ କରେ । ସେଇପରି ମଣିଷଟିଏ ଏବେ ବସି କାନ୍ଦୁଛି ।

 

ଲୁହ ଧାରର ମିନତି ସୃଷ୍ଟିରେ ବ୍ୟର୍ଥ । ଲୁହକୁ ଈଶ୍ଵର ଖଞ୍ଜି ଦେଇଛନ୍ତି ଲୋକର ମନକୁ ସାନ୍ତ୍ଵନା ଦେବା ପାଇଁ । ଯେତେବେଳେ ସବୁଠାରୁ ହଟି ଆସିବୁ ସେତିକିବେଳେ ବସି ଆଖିରୁ ଲୁହ ଝରାଇବୁ ।

 

ବିଧବା କାନ୍ଦେ । ଗରିବ କାନ୍ଦେ । ଅସମର୍ଥ କାନ୍ଦେ । ହାରିଯିବା ଲୋକ କାନ୍ଦେ । ସମସ୍ତେ କାନ୍ଦନ୍ତି । ଆଖିର ପୋଖରୀ ଶୁଖେ ନାହିଁ । ଆଉ ସେହି ଲୁହର ଝରଣାରେ ପୃଥିବୀର ମାଟି ଫସଲ ଫଳାଏ ନାହିଁ ।

 

କନକ ସେଦିନ ପାଗଳ । ସେ ନିଜକୁ ବାରମ୍ବାର ଧିକ୍‌କାର ଦେଇଥିଲା । ବଞ୍ଚି ରହି ସେ ମରିଗଲା ପରି ଅପମାନ ପାଇଛି । ଆଉ ଅପମାନକୁ ଧୋଉଛି ଆଖିର ପାଣିରେ । ସେଥିରେ କ’ଣ ଅପମାନ ଧୋଇ ହେବ ?

 

ସାଧାରଣ ଲୋକ ତା’କୁ ରଦ୍ଦି ବୋଲି କହି ଚାଲି ଯାଇଥିଲେ । ଏଇ ଅଦରକାରୀ ଜୀବନକୁ ସେ ପୁଣି ଥରେ ଗଢ଼ିବ । ସେ ପ୍ରମାଣ କରିବାକୁ ଚେଷ୍ଟା କରିବ ଯେ ମଣିଷ ଯେତେବେଳଯାଏ ସଂସାରର କାନୁନ, ଲୋକସମାଜର ଆଇନକୁ ଧାର୍ଯ୍ୟ ବୋଲି ଗ୍ରହଣ କରେ ସେତେବେଳଯାଏ ସେ ଦୁର୍ବଳ ।

 

ଦୁର୍ବଳତାର ଅତ୍ୟାଚାରରେ ମରିବା ଓ ସିଏ ପୁଣି ହଠାତ୍‌ ନୁହେଁ ଖୁମ୍ପାଏ, ଖୁମ୍ପାଏ କରି ହଣାଖାଇ ମରିବା କେବେହେଲେ ବୁଦ୍ଧିର କାମ ନୁହେଁ ।

 

କନକ ତାହାହେଲେ ତାହାର କ୍ଷୁଦ୍ର ଜୀବନର ଓ ନାରୀ ଜୀବନର ଏଇ ଅପମାନକୁ କାହିଁକି ମୁଣ୍ଡପାତି ସହିନବ ?

 

ଅନାମିକା ବଛରାଇ ଗାଁର ଗୋଟିଏ ସାଧାରଣ ଝିଅର ତତଲା ଲୁହ ଓ ମନ–ଚହଲା କୋହ ସେଦିନ ଅନ୍ଧାରରେ ମିଶିଗଲା । ପହରିକିଆ ବିଲୁଆ ସେମିତି ଡାକିଗଲେ । ବାରିଆଡ଼ ଗଛରେ ପେଚା କୁନ୍ଥାଇ କୁନ୍ଥାଇ ଗଲା । ଘରର ମଥାନ ପାଖରେ ଜୁଳୁଜୁଳିଆ ପୋକ ତାଙ୍କର ଆଲୁଅ ଦେଖାଇ ସତେ ଯେପରି ଥଟ୍ଟା କରୁଥିଲେ–ଗରିବର ଅଭିଶାପ, ଗରିବର ଶପଥ ଓ ଦୁର୍ବଳର ପ୍ରତିଜ୍ଞାକୁ ଦେଖି ।

 

ଘର ଭିତରକୁ କେତେବେଳେ କେମିତି ପବନ ଟିକିଏ ବୋହି ଆସୁଥିଲା । ସେହି ପବନ କ’ଣ ଝଡ଼ର ପରାକ୍ରମ ଦେଖାଇ ପାରିବ ?

 

ନିଜର ଶେଜ ଉପରେ ଛଟପଟ ହେଉଥିଲାବେଳେ କନକ ହିସାବ କରୁଥିଲା–ତାହାର ସମ୍ପଦ ଓ ପାଣ୍ଠି । ସଂସାରର କୁଟିଳ ଯୁଦ୍ଧକୁ ସେ ଯିବ । ତାହାର କ’ଣ ଅଛି ବଳ ?

 

ଅଛି ଷୋଳ ବର୍ଷର ଚଞ୍ଚଳ ଦେହ ଓ କଳ୍ପନାର ବୁଢ଼ିଆଣି ଜାଲରେ ଘେରା ମନ । ବାପ ଭାଇଙ୍କୁ ଗାଁର ଦିକୋଶରେ ବି ବେଶି କେହି ଚିହ୍ନନ୍ତି ନାହିଁ । ତା’କୁ ଚିହ୍ନନ୍ତି ବା କିଏ ?

 

ଘରେ ସେମିତି ବା କ’ଣ ଅଛି ? ସଂସାରର କୁବେରପୁରୀର ଦୂର ଫାଟକ ପାଖରେ ବି ଠିଆ ହେବାକୁ କ’ଣ ମନରେ ବଳ ଅଛି ?

 

ହାତ ମୁଠା କରି ସେ ଉପରକୁ ଚାହିଁଲା । ସେ ଚାହାଣୀ ନିରର୍ଥକ । ସେ ଖାଲି ହାତ ନିଷ୍ଫଳ । ଖାଲି ଗୋଟାଏ ଖିଆଲକୁ ସେ ସିନା ଜପାମାଳୀ କରିଥିଲା; କିନ୍ତୁ ଖିଆଲ କ’ଣ ତା’କୁ ବାଟ କଢ଼ାଇ ନେଇଯିବ ?

 

ଦୂରରେ ରେଲ ଯାଉଥିଲା । ସେ ଶବ୍ଦ ରାତି ଅନ୍ଧାରରେ ମାଟି ଦୁଲୁକାଇ ବଛରାଇ ଗାଁରେ ଆଘାତ ଦେଉଥିଲା । କନକ ଭାବିଲା ରେଳ କଥା–ଏଡ଼େ ବଡ଼, ଏତେ ବେଗ ଆଉ ଏତେ ଓଜନ । ସେ ହେଲେ ଆସି ପେଶି ଦେଇଯାନ୍ତା । ଏମିତି ଶୋଇଥିଲାବେଳେ ହେଲେ ଜନ୍ତୁଜୁନ୍ତା ବାହାରି ଜୀବନଦୀପ ଲିଭାଇ ଦିଅନ୍ତେ । ସଂସାରର ଏହି ହଟଚମଟ ଦେଖିବାକୁ ଆଉ କ’ଣ ଦରକାର ହୁଅନ୍ତା ?

 

ଗାଁର ଜଣାଶୁଣା ଭୂତ ପ୍ରେତ ବି ପାରି କରି ଦେବାକୁ ଆସିଲେ ନାହିଁ । ଘରର ଅତି ଚିହ୍ନା ଠାକୁର ଠାକୁରାଣୀ ବି ଆସି ତାହାର ଲାଜ ଦୂର କରିବାକୁ ଆଢ଼ୁଆଳ ହେଲେ ନାହିଁ । ମରଣ ବି ସେମିତି ଖୋଲାଖୋଲି ଡାକିଲା ନାହିଁ । ବାପା ବୋଉ ନିଜର ଜୀବନକୁ ପାଣି ଛଡ଼ାଇ ଅସମ୍ଭବକୁ ସମ୍ଭବ କଲେ ନାହିଁ ।

 

କିଏ କାହିଁକି କ’ଣ କରିବ ? ନିଜର ଲୋକ ହେଲେ ବି ସତେ କ’ଣ ସେମାନେ ନିଜକୁ ବିକିଭାଙ୍ଗି ଶେଷ କରି ଦେଇ ଆଉ ଜଣକୁ ରକ୍ଷା କରିବାକୁ ଆସିବେ ? ଆସିବେ ବୋଲି ସଂସାରରେ ଡାକହାକ । କିନ୍ତୁ ଆସନ୍ତି ଅବା କେଇଜଣ ?

 

ଆସି ପାରନ୍ତି ନାହିଁ ବୋଲି କହିଛନ୍ତି, ଆଉ ସବୁବେଳେ ମନେରଖି ଘୋଷିଛନ୍ତି–ଆରେ ବାବୁ ! ତୋର କପାଳ ତୋର ସିନା । ଆମେ କ’ଣ ସେଇ କପାଳର ଗାର ଲିଭାଇ ପାରିବୁ-?

 

ଆଖି ଶୁଖିଗଲାଣି । ସେ ବି ଜାଣିଲାଣି ଯେ କାନ୍ଦଣା ନିରର୍ଥକ । ଅତିଗୁଡ଼ାଏ ସକସକ ହେଲେ ଲାଭ କ’ଣ ? ଟିକିଏ କଲ, ଟିକିଏ କାନ୍ଦିଲ, ହେଇଗଲା । ଆଉ ବସି ସେଇଠି ମହାସାଗର ଖୋଜିଲେ କେଉଁଠି ଚିଲିକାକୁ ଯିବ ନା ନିଜ ଆଖିକୁ ସେଇ କାମରେ ଲଗାଇବ ?

 

ଅନ୍ଧାରର ତରଙ୍ଗ ସେମିତି ସେଦିନ ନାଚିନାଚି ଚାଲି ଯାଇଥିଲା । କନକର ଭିତରେ ଓ ବାହାରେ ଅନ୍ଧାର । ଭିତରର ଅନ୍ଧାରରେ ଥିଲା ବ୍ୟର୍ଥତା ଓ ଅପମାନ । ବାହାରର ଅନ୍ଧାରରେ ଥିଲା ଦାରିଦ୍ର୍ୟ ଓ ଅସାମର୍ଥ୍ୟ ।

 

ସେହି ଅନ୍ଧାରର ଅସ୍ପଷ୍ଟତା ଭିତରେ ଗୋଟିଏ ତରୁଣୀ ଜୀବନରେ ସେଦିନ ନୂଆ ଜୀବନ ସେମିତି ଅନୁଭୂତିର ଅଭାବ ପାଇଁ ଅସ୍ପଷ୍ଟ ହୋଇ ରେଖା ଆଙ୍କୁଥିଲା । ଆଉ ସେଥିରେ ଲେଖା ହୋଇଥିଲା ଅନେକ କଥା–

 

କନକ ଗାଁକୁ ଛାଡ଼ିବ । ଗାଁର ଓ ପରିବାରର ବାଧା ବଂଧନକୁ ଭୁଲିବ । ନୀତିନିୟମକୁ ପାଶୋରି ଯିବ । ଲୋକେ ତା’କୁ କହିବେ ବାରନାରୀ–ଭ୍ରଷ୍ଟା, ନଷ୍ଟା ଓ ଚରିତ୍ରହୀନା । ସେହି ପୁଣି ଶେଷରେ ହେବ ଜଣେ ନୂଆ ମଣିଷ–ଯାହାକୁ ଦେଖିଲେ ମନରେ ବିଜୁଳି ଚମକିବ ।

 

ଭବିଷ୍ୟତର ପତର ତଳେ କ’ଣ ଥିଲା ସେଦିନ ସେ ଜାଣନ୍ତା କେମିତି ? ସେଇଠୁ ସେ ମନର ତୀବ୍ରତାରେ ଯେଉଁ ଚିତ୍ର ଆଙ୍କିଥିଲା ସେହି ଶେଷରେ ଆସି ମେଡିକାଲ କଲେଜର ବଡ଼ କୋଠା ପାଖରେ ଲେଡି ଡାକ୍ତର ଶ୍ରୀମତୀ କାନନ ଦେବୀ ହୋଇ ଠିଆ ହୋଇଛି । ସେଠି ଗାଁର ନାଁ ଗନ୍ଧ ନାହିଁ । ସେ ହେଇଯାଇଛି ଦେଶର ଜଣେ ବଡ଼ ମଣିଷ ।

 

ଦିନେ ସେ ମାନ ଦେଇ ଅପମାନ ପାଇଥିଲା । ଏବେ ସେ ଅପମାନର ଭାର ଥୋଇ ଦେଇ ମାନ ନେଇ ପାରୁଛି । ବଛରାଇ ଗାଁର ଲୋକ ଦୂରରୁ ଚାଲିଯାନ୍ତି–ଦେଖମ ସଂସାର । ଦେଖ ସେହି ଟୋକି ବକଟେ । ଏଠି ସେ ଆସି ହେଲାଣି କ’ଣ ? ତେବେ ଆଗସାମନାକୁ ଆସି ସେ କଥା କହିବାର ସୁବିଧା ପାଇପାରନ୍ତି ନାହିଁ । ତାଙ୍କର ସେହି ଯୋଗ୍ୟତା କାହିଁ ?

 

ସେହି ଲୁହଝରା ଦିନଟି ଯେ କନକ ଜୀବନରେ ନୂଆ ଜୀବନର ମୂଳଦୁଆ ପକାଇଥିଲା–ସେ କଥା ଅନ୍ୟକୁ କେମିତି ସ୍ପଷ୍ଟ ହେବ, କନକ ନିଜେ ବି ବୁଝିପାରି ନ ଥିଲା । ଏତିକି ସେ ବୁଝିଲା ଯେ ପୁରୁଣା ଦିନର ପୁରୁଣା କଥାକୁ ପାଶୋରି ଯିବ । ଦରିଦ୍ର ହୀନିମାନିଆ ଜୀବନର ଅଭିଯୋଗକୁ ମୁଠାଇ ଧରି ଈଶ୍ଵରଙ୍କୁ ଅଭିଶାପ ଦେଇ ଦେଇ ଜୀବନ କଟାଇବ ନାହିଁ ।

 

କାନ୍ଥରେ ରଖା ହୋଇଥିବା ଓ ଠଣାରେ ଥୁଆ ହୋଇଥିବା ଠାକୁର ଓ ଠାକୁରାଣୀଙ୍କୁ ଚାହିଁଲା–ହେ ଦେବତା ! ପୂଜା କରିଥିଲି । ଫଳ ହେଲା ଅପମାନ । ତମର ପୂଜାକୁ ନୂଆ ବାଟରେ ନେବି । ସମସ୍ତେ ମାଗିଲେ ଫଳ ପାଆନ୍ତି ବୋଲି ତମର ଏତେ ଆଦର । ମୁଁ ମାଗି ନଥିଲି କାରଣ କ’ଣ ମାଗିବାକୁ ହୁଏ ଓ କେମିତି ମାଗନ୍ତି ମୁଁ ଜାଣେ ନାହିଁ ।

 

ଆଜି ଏହି ଲୁହର ମୁକୁତାହାର ତମର ପାଦ ତଳେ ଥୋଇ ଦେଇ କାତର ମନରେ ମାଗୁଛି–ସହିବାର ଶକ୍ତି ଦିଅ । ଦେହରେ ବଳ ଦିଅ । ହୃଦୟରେ ଉତ୍ସାହ ଦିଅ । ଆଉ ବାଟ କଢ଼େଇ ନିଅ ଏହି ବୃଥା ଅପମାନରୁ । ମୁଁ ଆଜି କେହି ନୁହେଁ–ମତେ ଜଣେ ମଣିଷ କରିଦିଅ ।

 

ଠାକୁରଙ୍କର ପୂଜା ପାଇଁ ଶିକ୍ଷାଦୀକ୍ଷା ଦରକାର । କିନ୍ତୁ ଠାକୁରଙ୍କ ପାଖରେ ମାନସିକ କରିବା ପାଇଁ ଦରକାର ହୃଦୟର ଆବେଗ ଓ କାତରତାର ପ୍ରଖରତା ।

 

ବସି ବସି ଠାକୁରଙ୍କୁ ଡାକିଛି–ବାଟ ଦେଖାଇବା ପାଇଁ । କ’ଣ କଲେ କନକ ନିଜର ଅପମାନକୁ ଭୁଲିବ ।

 

ଭିତରୁ କିଏ ଯେମିତି ବାରମ୍ବାର କହିଥିଲା–କନକ ! କାମରେ ଲାଗି ଯା । ପଢ଼ୁଥିଲୁ ପଢ଼ା ଛାଡ଼ିଲୁ । ପାଠ ପଢ଼ାରେ ଲାଗି ଯା । ଏହି ସଂସାରରେ କାମର ମୂଲ୍ୟ ଅଛି–ମେହେନତିର ମଜୁରୀ ଥୁଆ ହୋଇଥାଏ । ବସି ଖାଲି କାନ୍ଦୁଥିଲେ ଆଖି ଫୁଲିବ । କାନ୍ଦିବା ପାଇଁ କାହାକୁ ମଜୁରୀ ମିଳେ ନାହିଁ ।

 

ଭିତରର ଏହି ପ୍ରଶ୍ନ ଆଉ ତାହାର ଏକକ ଉତ୍ତର ସେମିତି ବାରମ୍ବାର ଉଦୟ ଓ ଅସ୍ତ ପାଉଥିଲା । ଯେମିତି ହେଲେ ପୁଣି ପାଦେ ପାଦେ କରି ଗୋଡ଼ ବଢ଼ାଇବାକୁ ହେବ ଆଉ ସେଇଟା ସ୍କୁଲ କଲେଜର ସେହି ଘସରା ରାସ୍ତାରେ ।

 

ଏଠି ସୁବିଧା ହେଲା ଯେ ଜ୍ଞାନ ଓ ବୁଦ୍ଧି ନ ବଢ଼ିଲେ ବି ପାଠ ପଢ଼ାକୁ ଏବେ ବୁଦ୍ଧିଆ ପଣ୍ଡିତଙ୍କର ରାସ୍ତା ବୋଲି ଲୋକେ ମାନିନଉଛନ୍ତି । ଗଛ ମୂଳେ ବସି ପଢ଼ିବା ସମ୍ଭବ । ସେଥିରେ ବଛରାଇ ଗାଁର ସ୍କୁଲ ଖରାପ କାହିଁକି ହେବ ? ହତଭାଗ୍ୟକୁ ବଡ଼ ସୁବିଧା କିଏ ଦବ ? କାହିଁକି ଦବ-?

 

ସ୍କୁଲ ଛାଡ଼ିଥିଲା । ଝିଅର ଏତେ ପାଠ କ’ଣ ହେବ ? ତାହାର ଦେହ ମୁଣ୍ଡରେ କ’ଣ ସ୍କୁଲ କଲେଜ ପାଠର ନାମାବଳୀ କିଏ କାଟିବ କି ? ରହୁ ସେ ଘରେ–ଚରିତ୍ର ଭଲ ରହିବ । ଜୀବନ ଧନ୍ୟ ହେବ ।

 

ଚରିତ୍ରକୁ ରଖିବାକୁ ଆଉ ତାହାର ହେପାଜତ୍‌ କରିବାକୁ କନକ ସ୍କୁଲ ଛାଡ଼ିଥିଲା । ଘରର ଅନ୍ଧାରିଆ କାନ୍ଥ ଭିତରେ ନିଜର ଲୋକଙ୍କର ଆଖିଆଗରେ ସେହି ଚରିତ୍ର ଦିନକୁ ଦିନ ଫୁଲର ମହକରେ ଚହଟିଥିଲା । ବାହାର ଲୋକ ବୁଝିଲେ କି ନାହିଁ । ଘର ଲୋକ ତାରିଫ୍ କରିଥିଲେ ।

 

ଘରକୁ ଚାହିଁ କନକ ହସି ଆପଣା ମନକୁ କହିଥିଲା–ଭାରି ଭଲ ଏଇ ସଂସାର । ଏଠି ଘରେ ଘରେ ମଠ ମନ୍ଦିର । ଚରିତ୍ର ବିଚରା ହଜି ପାରିବ ନାହିଁ ।

 

ନିଜର ଚରିତ୍ର କଥା ଭାବିଥିଲା–ହଁ ଠିକ୍‌ ଅଛି ତ । ଯେତେ ଲୋକ ଡାହାଣିଆ ଚାହାଣୀ ପକାଇଥିଲେ କେହି ଅଇଁଠା କରି ପାରି ନାହାନ୍ତି । ନିଜର ଚେଷ୍ଟା ଆଉ ନିଜର ଲୋକଙ୍କର ଯତ୍ନରେ ପୂଜା ନୈବେଦ୍ୟ ପରି ସେହି ଚରିତ୍ରକୁ ସେ ରଖିପାରିଥିଲା ।

 

ଖାଲି ମଣିଷର ଚରିତ୍ର କ’ଣ, ଏପରିକି ନାନା ଶୁଚି ଓ ଆଚାର ଭିତରେ କାଞ୍ଜିପାଣି ଆଚାର ହାଣ୍ଡି ଆଉ ବିଲାତି ଆଳୁ ଟୋକେଇ ରଖା ହେଇଥିଲେ ସେହି ଘର ଭିତରେ । ସେମିତି ସେଠି କନକ ତାହାର ଚରିତ୍ରକୁ ରଖିଥିଲା–ଜୀବନର ଶ୍ରେଷ୍ଠ ସଂପଦ ପରି । ସେହି ଗୌରବରେ ସେ ନିଜକୁ ବାରମ୍ବାର ପ୍ରଶଂସା କରିଥିଲା ।

 

ଏଇ କନକ ସେମାନଙ୍କ ପରି ନୁହେଁ । କନକ ତାହାର ଚରିତ୍ରକୁ ମୁଦା ଫରୁଆରେ ସାତତାଳ ପାଣି ଆଉ ସାତ ତାଳ ପଙ୍କର ପୋଖରୀ ଭିତରେ ଯତ୍ନରେ ରଖିଛି । ଏତେ ଅଭ୍ୟାସ ହୋଇ ଯାଇଛି ଯେ ବୋଉ ତା’ର ପଣତରେ ଚାବି ନଥିଲେ ସାଙ୍ଗେ ସାଙ୍ଗେ ବେଙ୍ଗଳା ବୁଲିଲା ପରି ଚରିତ୍ର ଉପରେ ଆଖିର ଚାହାଣୀ ଆଘାତ ଅବା ଲୋକଙ୍କର କଥାର ଆଘାତ ବାଜିଲେ କନକ ଚମକି ପଡ଼ୁଥିଲା । ଚରିତ୍ର ନଷ୍ଟ ହେଲା କି ?

 

ଏତେ ଛନକା କନକ ନିଜର ପ୍ରାଣର ମଦିରା ଦେଇ ପୋଷି ପାଳି ଦେଖିଲା ଯେ ସେହି ଚରିତ୍ରକୁ ନେଇ ସଂପାଦିବାକୁ ସେହି ବରଘର ଆଗ୍ରହ ଦେଖାଇଲେ ନାହିଁ । ଓଲଟି କହିଲା ପରି ଉଲାଖ ଦେଇଗଲେ–କାନିରେ ଝିଅ ଟଙ୍କା ବାନ୍ଧି ପାରିଲୁ ନାହିଁ । ଚରିତ୍ରକୁ ଖୋସଣୀରେ ମାରିଛୁ । ମାରିଥା–ମଲାବେଳକୁ ନ ହେଲେ ପାକେଇ ହେଲାବେଳକୁ ନିଫଡ଼ା ହସ ଦେଖାଇ କହିଯିବୁ–ରଖିଥିଲି ଗୋଟିଏ ଦରବ । ନାଁ ତାହାର ଚରିତ୍ର । ଠାକୁରଙ୍କୁ ଡାକି ଡାକି ତା’କୁ ନିର୍ମାଲ୍ୟ ପରି ସାଇତିଛି ।

 

ସେତେବେଳେ ତମରି ଲୋକେ ଆନନ୍ଦରେ କହିବେ–ଆହା, ବୁଢ଼ୀ ଥିଲା ଯେ । ଖାସା ବୁଢ଼ୀଟିଏ । ରଖିଥିଲା ଚରିତ୍ର–ପଚାଶ ବର୍ଷର କାଞ୍ଜିପାଣି, ଷାଠିଏ ବର୍ଷର ଘିଅର ଦୁର୍ମୂଲ୍ୟ ମୂଲ୍ୟ ଦେଇ । ଆଉ କିଏ ରଖିବ ?

 

ଅତି ମୂଲ୍ୟବାନ ଜିନିଷକୁ କେହି ଖୋଜେ ନାହିଁ । ସେମିତି ଅତି ମୂଲ୍ୟବାନ୍ ଚରିତ୍ର ସଂସାରରେ କେହି ଖୋଜିଲୋଡ଼ି ନିଅନ୍ତି ନାହିଁ । ଘରେ ଭୁଲ୍‌ କହିଥିଲେ ।

 

କେଜାଣି କେବେ ପାଞ୍ଚ ସାତବର୍ଷର ବରକନିଆଁ ଏକାଠି ହେଇ ଜୀବନର ସୁରଭିରେ ସେହି ଚରିତ୍ରର ପୂଜା କରୁଥିଲେ । ସେହି ବୟସ ଏବେ ପାଞ୍ଚସାତରୁ ଉଠି ପନ୍ଦର ସତର ହେଇ ଠାଏ ଅଧେକରେ ପଚିଶି ସତେଇଶିକୁ ଧକ୍‌କା ଦେଲାଣି । ହୁଏତ ଆଉରି ଉଠିବ–ପଇଁତିରିଶି ସଇଁତିରିଶ ବା ପଇଁଚାଳିଶ୍ ଶତଚାଳିଶକୁ । ସେତେବେଳେ ଚରିତ୍ର କାହାର କେଉଁ ଅବସ୍ଥାରେ ରହିଥିବ ସେହି ଆସାମୀମାନେ କହିବେ ।

 

ନାକର ରନ୍ଧ୍ରରେ ଯାଆସ କରୁଥିବା ପ୍ରାଣବାୟୁ ପରି ଦେହର ଅବୟବରେ ଥାଏ ଚରିତ୍ରର ବିଦ୍ୟୁତ ସ୍ରୋତ । ସେଥିପାଇଁ ଜୀବନ ପରି ଚରିତ୍ର ମଧ୍ୟ ମୂଲ୍ୟବାନ୍ । କିଏ ଚରିତ୍ରକୁ ରକ୍ଷା କରିବାକୁ ଜୀବନ ବଳି ଦିଏ । ଆଉ ପୁଣି କେତେକେ ଜୀବନକୁ ରକ୍ଷା କରିବାକୁ ଚରିତ୍ରକୁ ବାଣ୍ଟି ଦିଅନ୍ତି ।

 

ତେବେ କନକର ଯୋଡ଼ିଏ କଥା ରହିଲା ତାହାର ନିଜର–ଏକାନ୍ତ ଆପଣାର । ଗୋଟିଏ ତାହାର ଅଲୋଡ଼ା ଜୀବନ ଆଉ ଗୋଟିଏ ତାହାର ନିରିମଳ ଚରିତ୍ର ।

 

ଆତ୍ମହତ୍ୟାର ଖିଆଲ ସେ ପସନ୍ଦ କରି ନ ଥିଲା । ତେବେ ସେ କାହିଁକି ଚରିତ୍ରକୁ ହତ୍ୟା କରିବ ? ଏତେ କଷ୍ଟରେ ସେ ତା’କୁ ବଳୁଆ କରିଛି । ସେଇ ଚରିତ୍ର ହେଉଛି କନକର ପରିଚୟପତ୍ର-। ସେହି ଚରିତ୍ରକୁ ସେ କାହିଁକି ନଷ୍ଟଭ୍ରଷ୍ଟ କରିବ ?

 

ଜୀବନରେ ଯେତେବେଳେ ଆଘାତ ଲାଗେ ସେତେବେଳେ ପ୍ରଥମେ ଏହି ଚରିତ୍ର ତାହାର ବାଇଶିପଳିଆ ପାହାର ହଜମ କରେ । ସେହି ଚରିତ୍ରକୁ ଫୋପାଡ଼ି ଦେବାକୁ ସମସ୍ତେ ଅଣନିଶ୍ଵାସୀ ହେଇ ଦଉଡ଼ନ୍ତି । ଆଗେ ଜୀବନ ରହୁ–ପରେ ଚରିତ୍ର ଗଢ଼ିହବ ।

 

ସେହି ସମୟର ସେହି କାତର ଆତୁରତା ଭିତରେ କନକ ତାହାର ଚରିତ୍ର କଥା ମନେ ପକାଇଥିଲା । ସେ ଯଦି ଭ୍ରଷ୍ଟା ହୋଇଥାନ୍ତା ତାହାହେଲେ ସେଇ ବରଘର ଆଉ ପିଣ୍ଡାରେ ବସିଥାନ୍ତା କାହିଁକି ? ଅଳପ କଥାରେ କନକ କହି ଦେଇଥାନ୍ତା–ବୋଉ ମନେ ରଖିଥା । ମୁଁ ବେଦିକୁ ଯିବି ନାହିଁ । ଜୋର ଜବରଦସ୍ତି କଲେ ମୁଁ କୂଅ ଭିତରକୁ ପଥର ବାନ୍ଧି ଡେଇଁ ପଡ଼ିବି । ତେବେ ହେଇଥାନ୍ତା ସହଜ ମୀମାଂସା ।

 

ସେ କଥା ହେଲା ନାହିଁ ଚରିତ୍ରର ଦାଉରେ । ଆହାରେ ଚରିତ୍ର ! –ପୋଷିଥିଲି, ପାଳିଥିଲି । ତୋର ଇଜ୍ଜତ୍ ରଖିଥିଲି । ତତେ ବଗପକ୍ଷୀର ଧଳାରଙ୍ଗରେ ରଖିଲି । ତୁ ଆଜି କୃତଘ୍ନର ଧକ୍‌କା ନ ଦେଲେ ଆଉ ବା ଦିଅନ୍ତା କିଏ ?

 

ଗାଁର ସାହୀଭାଇଙ୍କ ମେଳରେ ଏହି କନକର ଡଉଲ ଦେହ ଆଉ ତାହାର ବ୍ୟବହାର ପାଇଁ କ’ଣ ଭକ୍ତର ଅଭାବ ଥିଲେ ? କିଏ କେମିତି କେଉଁ ଉପାୟରେ ମନ ଭିତରେ ପଶି ଦେହକୁ ଲୁଟି ନେବେ ବୋଲି କୁପାଞ୍ଚ କରିଥିଲେ ସେ କଥା ଗାଁର ପୁଲିସ ଫାଣ୍ଡିରେ ଇତାଲା ହେଇ ନାହିଁ । କୁଟୁମ୍ବ ପରିଜନଙ୍କର ନ୍ୟାୟ ଅଦାଲତରେ ତାହାର ଦାବା ପଡ଼ି ନାହିଁ । କିନ୍ତୁ ସେମାନେ ଜାଣନ୍ତି ଆଉ କନକ ଜାଣେ କିଏ ଆଉ କ’ଣ ?

 

ପୋଖରୀ ତୁଠରେ ଖରାଦିନିଆ ସଞ୍ଜ ପବନରେ ଚିତ୍‌ମାରି ପହୁଁରୁଥିବା ମାଛକୁ ଦେଖି ଯେଉଁ ଭାବନା ମାଛ–ରଙ୍କୁଣାର ମନରେ ଭେଦିଯାଏ ସେଇ ଭାବନା ଆଉ ସେହି ଜାଲିଆର ଜାଲ କନକ ଦେଖିଛି ।

 

ଆହା ଲୋ କନକ–ଏଡ଼େ ସୁନ୍ଦର ରୂପ କ’ଣ ଏମିତି ଲୁଚେଇ ଛପେଇ ସଢ଼େଇ ଦବୁ-? ତୁ ତ ଆମ ଗାଁର ଝିଅ–ଆମେ ଏଇ ଗାଁର ପୁଅ । କନକ ପାଇଁ ଆମେ ଆଉ ଆମ ପାଇଁ କନକ । ସେ ଏମିତି ତାହାର ମନକୁ କ୍ଷୀର–ଚୋରଣୀ ଗାଈ ପରି ଲୁଚାଇ ଦେଉଛି ।

 

...ଆହା, ଥରେ ହେଲେ ଏକୁଟିଆରେ ଭେଟ ହୁଅନ୍ତା–ଥାଆନ୍ତା ସେହି ଆମ୍ବତୋଟାର ସଞ୍ଜୁଆ ଅନ୍ଧାର । ଥରେ ଜୀବନରେ ଥରେ ଖାଲି । ଜାଣି ହେଲା ନାହିଁ । କନକ ନିଜକୁ ଦୂରେଇ ନେଇଥିଲା ।

 

ଯେତେବେଳେ ଦେଖ ସେ ଜଗୁଆଳୀ ବସେଇଛି । ଦୁଆରେ ଶିଙ୍କୁଳି ଲଗାଇ ତାଲା ଦେଇଛି । ଲୋଭର ଭୋକ ଏଣେ ମନକୁ ମନ୍ଥୁଛି । କନକ ଗୋଟାଏ ପଥର ।

 

ଜୀବନଯାତ୍ରାର ବିଫଳତା କାହିଁକି କେଜାଣି ସମସ୍ତଙ୍କୁ ଏହି କାମ–ବହୁଳ, କାମ–ରଞ୍ଜିତ ଚରିତ୍ରହୀନତାର ଦିଗଟି ଦେଖାଇ ଦିଏ । କର୍ମବହୁଳ ଜୀବନର ସାର୍ଥକତା କ୍ଵଚିତ ଲୋକଙ୍କୁ ପଥଭ୍ରଷ୍ଟ କରିଥାଏ । ସେହି କଥା ଘଟେ ବିଫଳତାର ଦୁଃଖ ଓ ଅଭିମାନ ଭିତରେ ।

ବାହାଘର ପ୍ରସ୍ତାବରେ ଗୋଟାଏ ମାଗଣା ସାଠିଫିକେଟ୍ ପାଇ କନକ ତାହାର ଚରିତ୍ରର ନାନାପ୍ରକାର ଦିଗର କନ୍ଦିବିକନ୍ଦି ଦେଖିଥିଲା । ସେ ନିଜକୁ ସଂଯତ କରିଛି । ମାନସମ୍ଭ୍ରମର ଘୋଡ଼ଣୀ ତଳେ ସେ ନିଜର ମନକୁ ଶାସନ କରିଛି । ଗାଁର ସାଥି ଝିଅଙ୍କ ମେଳରେ ସେ ଶୁଣିଛି ଯେ ଗାଁର ଯେତେ ଅଣ୍ଡିରି ପୁଅ ସ୍କୁଲରେ ଡିଗବାଜି ମାରି ନାଁ ହଳକୁ ଅବା ଲେଖନକୁ ଯୋଗ୍ୟ ହୋଇଛନ୍ତି ଅବା ଯାହାକୁ ବନ୍ଦୋବସ୍ତ ଚେନମାନ୍ ବା ଅଫିସ ଦପ୍ତରର ଅର୍ଦ୍ଦଳି କାମ ମିଳି ପାରି ନାହିଁ ସେମାନଙ୍କର କାମ ତିନୋଟି–ସକାଳ ପହରରେ ୟା ତା’ର ପୋଖରୀ ଗଡ଼ିଆ ମାଛ, ଖରାବେଳେ ତୋଟାର ଫଳଫୁଲରି ଆଉ ସଞ୍ଜବେଳକୁ ଗାଁର ଯୁବତୀ ଝିଅ ବୋହୂଙ୍କ ସାଙ୍ଗରେ ଥଟ୍ଟାଟାପରା ।

ସେହିମାନେ ଗାଁ ପୋଖରୀର ବୋରଝାଞ୍ଜି ଦଳ, କିଆ ଗୋହିରିର ବିଲୁଆ ଆଉ ବିଲର ପୋକ ଜୋକ ପରି ଗାଁଟିକୁ ଘେରି ରହିଥାନ୍ତି । ସକାଳ ସଞ୍ଜ ତିନି ବକତ ପେଜପାଣି ପକାଇ ଚାରିଆଡ଼େ ହନୁମାଙ୍କଡ଼ ପରି ପରିକ୍ରମା କରି ଯାବତ ବୋଧ କଥା ମନରେ ଆଉଟି ସେମାନେ ସୂର୍ଯ୍ୟ ବୁଡ଼ିଲା ବେଳକୁ ଅସୀମ ପରାକ୍ରମରେ ଗରିଲା ବେଶରେ ଦେଖା ଦିଅନ୍ତି ।

ଗାଁର ଦରପାଠୋଇ ଝିଅ ବୋହୂଙ୍କ ମେଳରେ ସେମାନଙ୍କର ନାଁ ହୁଏ ଗରିଲା । ଏହି ଗରିଲା ସୈନ୍ୟମାନେ ଝିଅବୋହୂଙ୍କୁ ଅଣହୁସିଆର ଦେଖିଲେ ପ୍ରେମ ନିବେଦନ କରି ପକାନ୍ତି । ଗାଁ ଦାଣ୍ଡକୁ ଗାଁଉଲି କୁକୁର ଜଗି ହାକିମ ହୁକୁମାଙ୍କୁ ବାଟ ନ ଛାଡ଼ିଲା ପରି ତାଙ୍କର ସେହି ଧନୁ ଆକାରର ନଳି ଗୋଡ଼, ପିଳେହୀ ପେଟ ଆଉ ଗଧା ମୁଣ୍ଡରେ ସେମାନେ ଠିକ୍‌ କରିଥାନ୍ତି ଯେ ଗାଁର ସମସ୍ତେ ତାଙ୍କର ଅଧୀନ । ସେମାନେ ଗାଁ ଝିଅଙ୍କର ବେସରକାରୀ ନାଲିପଗଡ଼ିଆ ପୁଲିସ ଆଉ ଗୋଇନ୍ଦା ।

–ସାବଧାନ୍ ଭାଇ, ସାବଧାନ । ଏଠୁ ଗୋଟାଏ ଟୋକି ଯେମିତି ଏପାଖ ସେପାଖ ନ ହୁଏ । ତାଙ୍କର ଭଲମନ୍ଦ, ଗତଗାତ ଭଲ କରି ଦେଖୁଥା । ଡାକରେ କାଳେ ଚିଠି ଚିଟାଉ ଦିଆ ନିଆ ହେଇଯିବ ସେଥିକି ନିଘା ରଖିଥା । ସମସ୍ତେ ଯେମିତି ଠିକ୍‌ ଠିକ୍‌ ରହିବେ ।

ଯେବେ କେହି ଛିଣ୍ଡାଳି ବେଧେଇ ହବାକୁ ଚାହିଁବ ସେ ହେଉ ଏହି ଗାଉଁଲୀ ପୁଲିସଙ୍କ ପାଖରେ । ଏମାନେ ବହୁତ ଗୁଡ଼ାଏ ପାଠ ନ ପଢ଼ିଲେ ଅବା ଟଙ୍କା ନ କମେଇଲେ କ’ଣ ହେଲା ଏମାନେ ତ ଯୁଆନ ଭେଣ୍ଡା । ଦେହରେ ଯେମିତି ବଳ ମୁଣ୍ଡରେ ସେମିତି ବୁଦ୍ଧି ଆଉ ଏଣେ ଅଛି ଦଳର ସଙ୍ଗଠନ ।

ଏହି ମାନଙ୍କର ଆକ୍ରମଣ ଓ ଆତ୍ମରକ୍ଷା ଭିତରେ ଦଳ ବାନ୍ଧି ଯାଆସ କରୁକରୁ ସିନା ଝିଅଙ୍କ ଭିତରୁ କାହାର କିଛି କ୍ଷତି ହୁଏ ନାହିଁ । ବମବଜି ବାଣ ଯେତେ ବାରୁଦ ନେଇ ଫୁଟିଲେ ବି ଯେମିତି ଦୂରରେ ରହିଗଲେ କ୍ଷତି କରିପାରେ ନାହିଁ, ଝିଅମାନେ ସେମିତି ଦଳବାନ୍ଧି ରହିଥିବାରୁ ଗାଧୁଆ ତୁଠରୁ ଯା ଆସ କରିବା ନିରାପଦ ରହେ । ଗରିଲାବାହିନୀ ସେମିତି ସୁଯୋଗ ଉଣ୍ଡୁଥାନ୍ତି । ପାଆନ୍ତି ନାହିଁ ।

ଗରିଲା ବାହିନୀର ସଭ୍ୟମାନେ ପୁଣି ସହଜ ସରଳ ଗାଁର ପୁଅ ନାତି ହିସାବରେ ଦି’ମାଣ ବିଲ ହାତପଇଠ କରିବାକୁ କେବେ କେମିତି ଜୋଇଁ ହୋଇଯାନ୍ତି । ଗୋଟିଏ ଝିଅ ବୋହୂ ହୋଇଯାଏ । ଗାଁର ସଂହତି କେବେହେଲେ ବାଧା ପାଏ ନାହିଁ ।

 

କୁଆଡ଼େ ଗଲେ ବଛରାଇ ଗାଁର ସେହି ଯୁଆନ୍ ଗରିଲା ବାହିନୀ ? ଅପର ଗାଁରୁ ଗୋଟିଏ ଲୋକ କନ୍ୟା ଖୋଜି ଆସି ବଛରାଇ ଗାଁର ଝିଅ କନକକୁ ଖାରଜ କରିଦେଇ ଚାଲିଗଲା-। ଏମାନେ କ’ଣ ତାହାର କିଛି ଗୋଟାଏ କରିପାରିଲେ ? ସବୁ ବଳ ବହପ ଦେଖେଇ ହେବେ ଗାଁ ମାଇପଙ୍କ ଉପରେ ।

 

ପ୍ରତିଶୋଧର ଯେତେ ତରଙ୍ଗ ମନରେ ଉଠେ ସେଥିରୁ ସାର୍ଥକ ଓ ସଫଳ ହୁଏ କେତେ କମ୍ । ଜଣକର ଅପମାନକୁ ସମସ୍ତଙ୍କର ଅପମାନ ବୋଲି ଠିଆ କରାଇବା ସବୁବେଳେ ସହଜ କାମ ନୁହେଁ । ସେଥିପାଇଁ ଅପମାନର କଷାଘାତ ସହିବାର ଦାୟିତ୍ଵ ରହେ ସେହି ଲୋକ ଉପରେ–ଯେ ଅପମାନକୁ ଅର୍ଜିଲା ।

 

କନକ ସେତକ ଅର୍ଜିଛି–ଜନ୍ମ ହୋଇଥିଲା ବୋଲି । ଆଉ ତାହାର କିଛି ଦୋଷ ନାହିଁ ।

 

ଏବେ ସମସ୍ତେ ମନେରଖିବେ ସେହି କଥାଟିକୁ । ଅମୁକ ଗାଁର ବରଘର ଲୋକ ଆସିଥିଲେ ଯେ ଛି କରିଦେଇ ଚାଲିଗଲେ । କନକ ପରି ଅଣ୍ଡିରିକୁ କିଏ ନବ ତାହାର ଇଶାନଶାଳକୁ ? ଏମିତି ଘୋଡୀ ପଡ଼ିଥାଉ ଏଇ ଗାଁରେ–ଭଲ ବୁଦ୍ଧି ନ ଆସିଲାଯାକେ ।

 

ଧୀରେ ଧୀରେ ଗାଁ ଯାକ ପ୍ରଚାର ହୋଇଯାଇଛି ସେହି ଖବର । କଥାଟା ଜଣାପଡ଼ିଲା ଚଞ୍ଚଳ । ତେବେ ସମସ୍ତେ ଆସି ଅସଲ କଥା ସଂଗ୍ରହ କରିପାରିଲେ ନାହିଁ । ଏଇ ଗାଁର କଥାକୁ ଏବେ ଆମେ ଭଲକରି ନବୁଝି ଆଲୋଚନା କରିବା କାହିଁକି ?

 

ରେଡିଓ ଖବରକାଗଜ ତଳକୁ ଗାଁର ତଟକା ଖବର ବେଶି ରୁଚେ । ଖବର ମାନେ ହେଲା ରେଲ ଦୁର୍ଘଟଣା । ରେଲ ଠିକ୍‌ ଠିକ୍‌ ପହଞ୍ଚିଲା କ’ଣ ଖବର ହେଇପାରିବ ? ହଇରାଣ ହେବା ହେଉଛି ମଣିଷର ଖବର । ଭଲରେ ରହିବାଟା କ’ଣ ଖବର ?

 

କନକ କେମିତି ଲାଜ ପାଇଲା । ଟଙ୍କା ଦେଇ ପାରିଲା ନାହିଁ ବୋଲି ତାହାର ମୁରବିଙ୍କୁ କେମିତି ବରଘରବାଲା ରୋକଠୋକ୍ କହିଦେଲେ–ସବୁ ଝିଅ କନିଆଁ ହେବାକୁ ରାଜି । ତେବେ ମଣିଷ ବାଛିବ ତ । ବାଛିବ ତାହାର ଧନକୁ ଦେଖି...

 

ହେଁ, ହେଁ, ଧନ ନଥାଇ ଏଇ ଯେଉଁ ମୂଷାମାଟି ଗାଳିଲା ପରି ଅଘୋରଦୁଆରୀ ପିଲା ଗାଳି ପକାଉଛନ୍ତି ପାଆନ୍ତୁ କେଞ୍ଚେ । କଥା କଥାକେ ଟାପରା–ମୋର ପାଞ୍ଚଟି, ମୋର ସାତଟି...ପ୍ରତିଯୋଗିତା କରୁଥିଲେ ପୋଖତୀ ହେବା ପାଇଁ । ଏବେ ବୁଝନ୍ତୁ ସେହି ପୋଖତୀ ମଉଜର ପରାଭବ ।

 

ପୂରା ଅଧା ଶୁଣିଲେ କନକର କାନମୁଣ୍ଡା ନାଲି ପଡ଼ିଯାଏ । ସେଇଠୁ ଗରମ ଉଠେ । ମଣିଷର ମାପକାଠି ହେଉଛି ତାହାର ଟଙ୍କା ସୁନା ଜମିଜମା । ଏଇଟା ଠିକ୍‌ ନୁହେଁ ତ ।

 

ଏହି ତତ୍ତ୍ଵ ସବୁ ଗରିବ ସବୁବେଳେ କହିଛନ୍ତି । ତେବେ କ’ଣ ଚାନ୍ଦି ଗରମ ଏହି ତତ୍ତ୍ଵକୁ ଡୁବାଇ ପାରିଲା ? ରୂପ ଥିବ ଆଉ ସାଇଜ୍ ନଥିବ ସେ ଯେମିତି ରୂପ ନୁହେଁ ସେମିତି ସବୁ ଥାଇ ଟଙ୍କା ନଥିଲେ ସିଏ ତ କିଛି ନୁହେଁ–କୋଉ କାମକୁ ପାଏ ନାହିଁ ।

 

ନିଜର ସୁବିଧା ପାଇଁ ଗରିବ ଗରିବପଣିଆର ମହତ୍ତ୍ଵ ବଖାଣେ । ସେ ବି କହିଲାବେଳେ ଜାଣିଥାଏ ଗରିବପଣିଆର ମାହାତ୍ମ୍ୟ ଖୁବ୍ ନସକା । ଗରିବଙ୍କର ଏଇ ସଂସାର ଆଉ ସଂସାରଟା ଗରିବଙ୍କ ପାଇଁ–ଏତକ ହେଲା ଲୋକଙ୍କର ବୋଲି । କିନ୍ତୁ ସଂସାର ରହିଛି ଧନୀଙ୍କ ପାଇଁ–ଯିଏ କଥା କଥାକେ ମୁହଁ ବନ୍ଦ କରିଦେବେ ଟଙ୍କା ଦେଇ ।

 

ଏହିସବୁ ଚିନ୍ତା ଝଡ଼ର ଗତିରେ କନକର ମନରେ ବୋହି ଯାଉଥିଲା । ସେଇ ଦିନ ଦି’ଟାରେ ସେ ବଢ଼ିଯାଇଥିଲା ପାଞ୍ଚବର୍ଷ । ନିଜର ପ୍ରକୃତ ମୂଲ୍ୟ ଜଣାପଡ଼ିବା ହେଉଛି ମଣିଷର ପ୍ରକୃତ ଜ୍ଞାନ । କିଏ ସେହି ମୂଲ୍ୟ କଥା ଜାଣେ ଷୋଳ ବର୍ଷରେ । ଆଉ କିଏ ଏହାର ଖବର ପାଏ ଷାଠିଏ ବର୍ଷରେ । ଜ୍ଞାନ ପାଇବା ପର୍ଯ୍ୟନ୍ତ ସେ ପାଟି ଚାକୁଳାଇ ଚାକୁଳାଇ କଥା କହୁଥାଏ–ମତେ ଚିହ୍ନି ନାହଁ । ମୋର ଦାମ୍ ପରା ଲକ୍ଷେ ଟଙ୍କା ।

 

ପିଲା ବସି ସେହି କଥା କହେ ତାହାର ବାପମାଙ୍କର କୋଡ଼ରେ । ପିଲା ବଡ଼ ହେଲେ ବି ସେହି କଥା କହେ ତାର ବାପାମାଙ୍କ ପାଖରେ । ବାପା ଶୁଣ–ବୋଉଲୋ ବୁଝିଥା । ମୋର କେତେକଥା ହେବ । ଏତେ ବୁଦ୍ଧି, ବଳ ଆଉ ବୟସ ବୃଥା ହେଇଯିବ ନାହିଁ । ମୁଁ ଲାଗିଛି କାମରେ–ମତେ ସବୁ ମିଳିବ ଯେ । ମୋର ଦାମ୍ ସେହି ଲକ୍ଷେ ଟଙ୍କା ।

 

ସେମିତି ଯାହାକୁ ମୁରବି, ମୁନିବ କି ଖାଉନ୍ଦ ମିଳିଯାଏ ସେ ତାହାର ଛାଇରେ ବସି ସେହି ଏକା ସପନ ଦେଖୁଥାଏ–ମୋର ଦାମ୍ ଲକ୍ଷେ ଟଙ୍କା । ମୁଁ ନଥିଲେ ଦୁନିଆ ଅଚଳ ହେଇଯିବ-। ସୂର୍ଯ୍ୟ ଚନ୍ଦ୍ର ଆକାଶରେ ଦେଖାଦେବେ ନାହିଁ ।

 

କିନ୍ତୁ ମଣିଷ ଏକୁଟିଆ ହୋଇଗଲେ ନିଜର ମୂଲ୍ୟ ସିଧାସଳଖ ପରଖିଯାଏ । ଏହି ଦୁନିଆରେ ମାୟାବୀ ପଣିଆରେ ଆଉ ଯାହା ଦୋଷ ଥାଉ ପଛକେ ସେ କାହାରି ଭୁଲ୍‌କୁ ପ୍ରଶ୍ରୟ ଦିଏ ନାହିଁ । ଭୁଲ୍‌ ଭାଙ୍ଗିବା ପାଇଁ ଏହି ସଂସାର ।

 

ଦେଖ ପାହାଡ଼କୁ–ସେ କେମିତି ଘୋରି ହେଇ ଛିଣ୍ଡିଛିଣ୍ଡି, ଭାଙ୍ଗିପଡ଼ି ପାକୁଆ ହୋଇ ଯାଉଛି । ତାହାର ଗଛଲଟା କେମିତି ସରି ଯାଉଛନ୍ତି । ଦିନେ ଛାତି ଫୁଲେଇ ଠିଆ ହୋଇଥିଲା । ସମସ୍ତଙ୍କୁ ଡରାଉଥିଲା–ଆସନା । ଏଠି ବଣ ଜଙ୍ଗଲ, ବାଘ ସାପ ଓ ଅରମା ବଣ । ପୁଣି ଦିନେ ସେ ଦାନ୍ତ ନିକୁଟି ରାସ୍ତା ପାଖରେ ଠିଆ ହୋଇଛି–ଦେଖରେ ଭାଇ, ମୋର ସବୁ ଥିଲା । ଆଜି କିଛି ନାହିଁ-

 

ସେମିତି ମଣିଷ ତିଆରି ଏଡ଼େ ଏଡ଼େ ଦେଉଳ କେମିତି ବାଦୁଡ଼ି ମଇଳା, ବରଓସ୍ତ ଗଛର ଦାଉରେ ଭାଙ୍ଗି ପଡ଼ୁଛି । ଠାକୁର କ’ଣ ରକ୍ଷା କରି ପାରୁଛନ୍ତି ? ଯିଏ ଯେତେ ବଡ଼ ହେଉ, ହବ ଆଉ ଯିବ । ଏଇଟା ସୃଷ୍ଟିର ନିୟମ ।

 

ନିଜର ଚୁନସିମେଣ୍ଟ ଦିଆ ପଥର କୋଠା ସେମିତି ରହିଥାଏ କେଇଦିନ ନିଜର ବଡ଼େଇ ଦେଖାଇ । ପୁଣି ସେ ବସିଯାଏ । ଲୋକେ ଦେଖିଲେ କହନ୍ତି–ଏଇ କୋଠାରେ ଭୂତ ଅଛି । ରାତିରେ ପାଇଲେ ଶେଷ କରିଦବ ।

 

କନକ ଛୋଟ ଝିଅଟିଏ ହେଲେବି ମନେ ମନେ ସ୍ଵରଗକୁ ନିଶୁଣି ପକାଇଥିଲା । ଯିଏ ଆସିବ ସେ ତା’କୁ ଘେନିଯିବ କାଖରେ କାନ୍ଧରେ କରି । ନ ନେଇ ଯିବ କୁଆଡ଼େ ?

 

ଏହି କୁମାରୀ ଜୀବନର ଅହଙ୍କାର ମାଡ଼ ଖାଇଥିଲା । ସେହି କଥା ସାଙ୍ଗସାଥି, ସାହୀଭାଇ ଉଲାଖ ନ ଦେଲେ ପୁଣି ସେହି ଅହଙ୍କାର ମୁଣ୍ଡ ଟେକିବ । ସେଥିପାଇଁ ସଂସାର ଭିତରେ ସମସ୍ତଙ୍କର ଗୁମାନ, ଅଭିମାନ, ଅହଙ୍କାର ଓ ଗର୍ବକୁ ଭାଙ୍ଗି ସମାନ କରିଦେବା ପାଇଁ ବିଧାତାଙ୍କର କଳି ଚାଲିଛି ।

 

କନକକୁ ବାହାରକୁ ଯିବା ପାଇଁ ଭଲ ଲାଗୁ ନ ଥିଲା । ସେ ଘର ଭିତରେ ବସିଥାଏ । ବେଳେ ବେଳେ ବୋଉ କହେ–ଯାଉନୁ ଝିଅ ବାହାରେ ଦଣ୍ଡେପହରେ ସାଇ ବୁଲି ଆସିବୁ । ଏମିତି ଘରେ ବସି ରହିଲେ ଗୋଡ଼ହାତ ଲାଗିଯିବ ଆଉ ମନ ମରିଯିବ ।

 

ଶୁଣିଲେ ବିରକ୍ତ ଲାଗେ । ଏମିତି କଳାବୋଳା ମୁହଁକୁ ନେଇ ଦାଣ୍ଡରେ ଦେଖାଇ ହେଲେ କ’ଣ ମନ କଅଁଳିବ ?

 

କନକର ଅଳ୍ପ ଅନୁଭବ ବୋଲି ସେ ଜାଣି ନ ଥିଲା ଯେ ମନକୁ ପୁଣି ତଟକା କରିବା ପାଇଁ ଏହି ଗୋଟିକ ବାଟ । ନିଜର କଳାବୋଳା ମୁହଁକୁ ପଦାରେ ଦେଖାଇ ହେଁ ହେଁ ହେଇଗଲେ ସେହି କଳାଦାଗ ଲିଭିଯାଏ । ଆଉ କଳାଦାଗ ନାହିଁ କାହାର ? କଳାଦାଗ ନ ଥିଲେ ସଂସାର ଚାଲନ୍ତା ନାହିଁ ।

 

ମଣିଷର ଅପମାନ, କ୍ଷତି, ବେମହତ ଓ ବେଇଜ୍ଜତ ହେବା ହେଉଛି ସମାଜର ସ୍ଥିତିର ଚୁନ ସିମେଟ୍ । କିଏ ଚାହେଁ ତମର ହସ ? ଦେଖିଲେ କହିବେ ନାନା କଥା । କିନ୍ତୁ ତାଙ୍କୁ ତମର ଶୁଖିଲା ମୁହଁରେ ଦି’ଧାର ଲୁହ ଦେଖାଇ ଦେଲେ ସମସ୍ତଙ୍କର ନିଜର ହୋଇଯିବ–ଆହା ବିଚାରୀ କ’ଣ ନ ଭୋଗିଲା ?

 

ଡାକି ଆଦର କରି କହିବେ–ଆ, ଲୋ, ଝିଅ । ଏହି ଦୁଃଖକୁ ଏତେ ମନମରା ? ବଡ଼ ହେଲେ ଦେଖିବୁ କ’ଣ ନ ମିଳୁଛି ଜୀବନକୁ ? ଝଡ଼, ବଢ଼ି, ମରୁଡ଼ି–ସବୁ ପାଇବୁ । କରିଥିବୁ–ଆଉ ତୋର କାମ ଧୋଇ ହୋଇ ଯାଉଥିବ । ଫଳ ତୋଳିବାକୁ ପାଞ୍ଚିଥିବୁ । ଏଣେ ଗଛ ଭାଙ୍ଗି ପଡ଼ିଥିବ । ଆଉ ସେମିତି ଆଶା କରି ନ ଥିବୁ କି ସପନରେ ପାଞ୍ଚି ନ ଥିବୁ । ଏଣେ ସବୁ ଆସି ତୋରି ପାଖରେ ଠୁଳ ହେଇଯିବ । ବ୍ୟସ୍ତ ହେଇ ତୁ ଏଣେ ଛାଟିପିଟି ହେଉଥିବୁ–ଏତେଗୁଡ଼ାଏ ଆସିଲା ଯେ । କରିବୁ କ’ଣ ?

 

ଏଇ କଥା କହିବାକୁ ଦେଢ଼ ବରଷର ଅଲିଅଳ ବୋହୂ ସୁତପା ଆସିଥିଲା । ଆଇଲୁ କନି–ତୋ’ ସାଙ୍ଗରେ ମୋର କଥା ଅଛି ।

 

ଘରଭିତରୁ କନକ କହିଲା–କ’ଣ ?

 

–ଆଲୋ ଆ । ପଦା ଆଲୁଅକୁ ଆଇଲୁ ତତେ ମୁଁ ଦେଖେଁ । ଦିଦିନ ହେଲାଣି ମନେ ମନେ ଖୋଜୁଛି । କହିଲି–ଆଜି ଯାଏଁ କନିକୁ ଡାକି ଆଣିବି । ହେ ମାଉସୀ, କନି ମୋ’ ସାଙ୍ଗରେ ଯିବ ।

 

–ନେଇ ଯା ଲୋ ସୁତପା । କନି କେମିତି ଅଲଗା ପ୍ରକାରର ହେଇଯାଉଛି । କଉ କଥାକୁ ସେ କେତେ ଛଳ କରୁଛି ।

 

–ଆ, କନି ଆ । ଆମ ଘରକୁ ଆସିଲୁ । ଏଡ଼େ ସୁନ୍ଦର ମୁହଁ ଝାଉଁଳି ଯାଇଛି ।

 

କନକର ଆଖି ଛଳ ଛଳ ହେଇ ଆସିଲା । ଏହି ସାନ୍ତ୍ଵନା ତା’ର ଦୁଃଖର ଘା’କୁ ମେଲା କରିଦେଲା । କନକ ଲୁଚିଗଲା ଘର ଭିତରେ ।

 

–କ’ଣ କରୁଛୁ ବା ଘର କ’ଣରେ ? ଜୀବନ ଗୋଟାକ ଆଗରେ ଶୋଇଛି ଘର କ’ଣରେ ପଶି ରହିବାକୁ । ଆଜହୁଁ କାହିଁକି ଘରକଣର ଅନ୍ଧାରକୁ ଦେଖୁଛୁ ? –କହି ସୁତପା ହସିଲା-

 

ଭାରି ହେରସୀ । ବୟସ ବେଶି ନୁହେଁ । ବୋହୂପଣିଆ ଦେଢ଼ବରଷ । ବାପ ଦେଇଥିଲା ଥୋଡ଼ାଏ । ଆଉ ଯାହା ଘରକୁ ସେ ଆସିଛି ସେଠି ସେ ଏକା ଏକା ମାମଲତକାର । ବର ଘରେ ଭଲ ଚଳନ୍ତି । ବର ବି ଚାକିରି କରେ । ଏହି ସବୁକୁ ମିଶି ବଡ଼ କଥା ହେଲା ଯେ ସୁତପା ପାଠୋଇ ବୋହୂ ।

 

ପାଠୋଇର ତୁଣ୍ଡରେ ଲାଜ ନ ଥାଏ । କଥାଗୁଡ଼ାକ ରୋକଠୋକ୍ । କେହି ସେ କଥା ପସନ୍ଦ କରନ୍ତି ନାହିଁ; ହେଲେ ସୁତପାକୁ ସାମନାରେ ସାହାସ କରି ବେଶି କଥା କହିପାରନ୍ତି ନାହିଁ । ପଛରେ ତା’କୁ ଯା ଇଛା ତାହା କହୁଥାନ୍ତି ।

 

ନୂଆ ନୂଆ ବୋହୂ ହେଇ ଆସିଲାବେଳେ ଗାଁର ମୁରବି ସ୍ତ୍ରୀ ଲୋକମାନେ ତା’କୁ ଉପଦେଶ ଦେଇଥିଲେ ଅନେକ ପ୍ରକାରର–ବୋହୂ ପଣିଆକୁ ଲାଜ କେମିତି ସୁନ୍ଦର ।

 

ଠୋ’ କରି ସୁତପା କହିଥିଲା–କହିଲ କଥାଟାଏ ମାଉସୀ । ଲାଜ ଛାଡ଼ିଲି ବୋଲି ବୋହୂ ହେଲି । ସିଏ ପୁଣି ତମରି ଗାଁରେ । ଏବେ ଲାଜକୁ ପେଡ଼ିରେ ସାଇତି କ’ଣ କରିବି ?

 

କହିବା ଲୋକର ମୁହଁ ରଙ୍ଗା ପଡ଼ି ଯାଇଥିଲା–ବେମହତ ଘରର ଝିଅ । ମୁହଁ ଉପରେ କି କଥା ନ କହିଲା ? କହିବ ନାହିଁ କାହିଁକି ? ଟଙ୍କା ଅଛି ବୋଲି ସେ କହୁଛି ଦେଖେଇ ଶିଖେଇ ଯେ ସେ ଖାନିକି ହେବ ।

 

କଥା ଶେଷ ହୋଇଥିଲା । ଉପଦେଶ ଦେବା ବି ଶେଷ ହୋଇଥିଲା । କିନ୍ତୁ ସୁତପା ତାହାର ମନକୁ ରୁଚିଲା ପରି ଚଳିବାରେ ଲାଗିଲା ।

 

ବଡ଼ମାନେ ଯେତିକି ତା’ଠାରୁ ଆଡ଼େଇ ଗଲେ ଝିଅମାନେ ସେତିକ ପାଖକୁ ଲାଗି ଆସିଲେ । ଗାଁ ଚଳଣିର ପରାଧୀନତାରେ ସୁତପା ଗୋଟିଏ ସାହା । ମନ ଖୋଲି ପଦେ କଥା କହିବାକୁ ହେଲେ ସୁତପା ନ ହେଲେ ନ ଚଳେ ।

 

ଚଳିବାର ସ୍ଵାଧୀନତା ସାଙ୍ଗକୁ ରୋକଠୋକ୍ କଥା କହିବା ଓ ଯାହା ମନକୁ ଆସିଲା ତା’କୁ ବସି ଆଲୋଚନା କରିବା ହେଲା ସମାଜର ମୂଳଦୁଆ । ଆପଣା ଛାଏଁ ଯୁବକ ଯୁବତୀ ଆସିବେ ପରିଚୟ କରିବା ପାଇଁ ।

 

କାରଣ ମଣିଷ ଅବସ୍ଥାଚକ୍ରରେ ପଡ଼ି ସବୁବେଳେ ଆପଣା ମନକୁ ରୁଚିଲା ପରି କଥା କହିପାରେ ନାହିଁ । ଏତିକିର ସୁବିଧା ଯିଏ ଦେଲା ସେହି ହେଲା ଆଦରର ମଣିଷ ।

 

ସୁତପାର ଯେତେ ଯାହା ଦୋଷ ଥାଉ ପଛକେ ସେହିଦିନ କନକ ବୋଉ ମନେ ମନେ ଖୁସି ହେଇଥିଲେ ସୁତପାକୁ ଦେଖି । ଭଲ ହେଲା । ସୁତପା ସାଙ୍ଗରେ ଦିନେ ଓଳିଏ କଥା ହେଲେ ଝିଅର ଶୁଖିଲା ମୁହଁରେ ହସ ପୁଣି ଫେରି ଆସିବ ।

 

ଜୋର ଜବରଦସ୍ତି କରି ନେଲା ପରି କନକର ହାତକୁ ହାତରେ ଧରି ଗାଁଦାଣ୍ଡରେ ସୁତପା ଚାଲିଗଲା ।

 

ଗଲାବେଳେ ଠାଏ ଅଧେ ଲୋକେ ଚାହିଁଥିଲେ ଆଉ ପୁଣି କେଉଁଠି ମୁହଁ ବୁଲାଇ ନେଇଥିଲେ । କେହି ଦେଖିବାକୁ ଚାହିଁଥିଲେ ଭଲ କରି ଯୁବତୀର ସ୍ଵାଧୀନତାର ଦୃଶ୍ୟକୁ । ଆଉ ପୁଣି କେହି ମୁହଁ ବୁଲାଇ ନେଇଥିଲେ ଯେ ଏହି ଅସୁନ୍ଦର କଥା ଦେଖିବେ ନାହିଁ ।

 

ସେମାନେ ଚାଲିଗଲା ପରେ ସେମାନେ କହିଥିଲେ–ଆଉ ଏହି ଗାଁ ରହିବ ନାହିଁ । ଏଇ ଗାଁରେ ଲୋକେ ଭୁଆସୁଣୀଙ୍କର ଗୋଡ଼ ନଖ ଦେଖି ପାରୁ ନ ଥିଲେ । ଏବ କାଳକୁ ଭୁଆସୁଣୀଙ୍କର ଚନ୍ଦ୍ରବଦନ ଦେଖୁଥା–ଯାହାର ଯେତେ ଇଚ୍ଛା ।

 

ଏଇ କାଳକୁ ଆଉରି ବିଗାଡ଼ିବ ଏଇ ଛଟକି ବୋହୂ ଖଣ୍ଡକ । ତା’ର ବାପ ଘରର ଆଉ ଶାଶୁଘରର ଥିଲା ପଣକୁ ୟା’ରି ଗର୍ବ । ଆଉ ସେହି ଗର୍ବକୁ ଲଙ୍ଗଳ ଦଉଡ଼ି ପାଉ ନାହିଁ ।

 

...କାହିଁକି ଭଲା ଏଇ ନିଆଁ ଲାଗି ରହିଛି ବଛରାଇ ଗାଁରେ । ତା’ର ସିନା ଧନ ଅଛି ଯେ ସେ ସମ୍ଭଳା ପଡ଼ିବ । ଆଉ ପାଞ୍ଚଟାକୁ କାନିରେ ବାନ୍ଧି ଶେଷକୁ ସେ ତା’ଙ୍କୁ ଦାଣ୍ଡରେ ବସାଇବ । ....ଅଭିନ୍ନ ତା’କୁ ନେଇ ଯାଉନାହିଁ କାହିଁକି ? ଗାଁରେ ଅବା କ’ଣ କାମ ?

 

ଏହି ନିନ୍ଦା ହେଉଥିଲା ପଛରେ । ସାମନାରେ ହୋଇଥିଲେ ସୁତପା ଜବାବ ଦେଇଥାନ୍ତା-। ସେଇ ସୁବିଧା ଅବା ମିଳୁଛି କେତେବେଳେ ? ସୁତପା ଠିକ୍‌ କରିଥାଏ ଯେ ସଜ ପଡ଼ିଲେ ଏଇ ଗାଁ ଅଜା ମଉସାଙ୍କୁ ପଦେ ଶୁଣାଇ ଦେବ । କିନ୍ତୁ ତିରିଲା ମୁହଁରୁ ଅପମାନ ପାଇବା ପୁରୁଣା କାଳିଆଙ୍କର ବଡ଼ ଡର । ତେଣୁ ସେହି ଘଟଣା ଘଟି ପାରିନାହିଁ ।

 

କନକକୁ ଏକାବେଳେକେ ଘରଭିତରକୁ ନେଇ ଆସି ପଲଙ୍କ ଉପରେ ବସାଇ ଦେଇ ସୁତପା ଟିକିଏ ଥକ୍‌କା ମାରିଲା । କନକ ଚାହିଁଥାଏ ସୁତପାକୁ–

 

–ଓଃ, କେତେ ଅଡ଼ୁଆ ନ କଲୁ କନକ । ତୁଚ୍ଛାଟାରେ ଦିନର ଆଲୁଅରେ ସମସ୍ତଙ୍କର ଛଞ୍ଚାଣ ଆଖି ଆଗରେ ମତେ ଗାଁ ଦାଣ୍ଡରେ ଦି’ଥର ଚଲାଇଲୁ ।

 

ଦୋଷ କଲାପରି କନକ ଚାହିଁରହିଲା ।

 

ହସି ସୁତପା କହିଲା–ତତେ ଡାକି ଆଣିଲି ତୋରି କଥା ଶୁଣି । ତୋର ବରଘର ବାହୁଡ଼ିଲେ ବୋଲି ତୁ ମନମାରି ଲୁଚିଛୁ ଆଉ କୁଆଡ଼େ ଜୀବନ ହାରିଦବୁ ? ଭାବିଲି ମୁଁ ଯାଏ ।

 

କନକକୁ ଚୁପ୍ ରହିବା ଦେଖି ସୁତପା ହସି କହିଲା–ମୋରି କଥା ମନେ ରଖିଥିବୁ । ଜୀବନକୁ କେବେ ଶେଷ କରିବୁ ନାହିଁ । ଏଇ ଜୀବନରେ ସବୁ ପାଇବୁ । ଯାହା ଆଜି ତତେ ମିଳିଲା ନାହିଁ କାଲି ତାହାର ଦଶଗୁଣ ପାଇବୁ । ଡରିଯାଉଛୁ କାହିଁକି ? କହନି କ’ଣ ହେଲା ?

 

କନକର ଆଖିରୁ ଲୁହ ଗଡ଼ି ଆସିଲା । ସେଇ ଲୁହକୁ କାନିରେ ପୋଛିଦେଇ ସୁତପା କହିଲା–କେଉଁଠି ବସିଛୁ ଜାଣୁ ? ...ଏଇଟା ଆମର ଯୌତୁକ ପଲଙ୍କ । ଆଉ ଜାଣିଛୁ ନା, ମୁଁ ଏଇ ପଲଙ୍କକୁ ଘୃଣା କରେ ।

 

କନକ ହସି ଚାହିଁଲା । ତାହାର ଆଖିରୁ ଲୁହ ଶୁଖିଗଲା । ସେ ବସିଛି ସୁତପାର ପଲଙ୍କରେ । ଆଉ ସେହି ପଲଙ୍କ ମିଳିଲା ନାହିଁ ବୋଲି କନକର ମନ ମରିଯାଇଛି ।

 

ଦୁଃଖମିଶା ସ୍ଵରରେ କହିଲା–ବୁଝିଲୁ କନକ । ଜୀବନର ସୁଆଦ ଏହି ବାହାଘର ପଲଙ୍କରେ ନ ଥାଏ । ଏଇ କାଠ କ’ଣ ସୁଖ ଆଣିବ ? ଏଇଟା ଗୋଟାଏ ନିଶାଣ–କାହାର ସୁଖର ଆଉ କାହାର ସେଇଟା ହେଲା ଦୁଃଖର । ମୋ’କଥା ଜାଣି ନାହୁଁ ।

 

କନକର ନରମ ମୁହଁକୁ ଆଉଁସି ଦେଇ ସୁତପା କହିଲା–ଯଦି ମୁଁ ବାହା ହେଇ ନ ଥାନ୍ତି ତେବେ ବଡ଼ ଭଲରେ ଥାନ୍ତି । କାହିଁକି ଏଇ ଅର୍ଗଳି ଭିତରେ ପଶି ତମର ବଛରାଇ ଗାଁକୁ ମୋହିଁଲି ଈଶ୍ଵର ଜାଣନ୍ତି । ଏବେ ଏଇ ଗାଁରୁ କ’ଣ ପଳାଇବାକୁ ତମେମାନେ ସୁବିଧା କରିଦବ ?

 

–ଯିବ କାହିଁକି ? ତମର କ’ଣ ନାହିଁ ଯେ ?

 

–ଆଲୋ ଝିଅ । ଥିଲା ନ ଥିଲା କଥା ମଣିଷର ମନ ଶୁଣେ ନାହିଁ । ମନ କ’ଣ ଖୋଜେ ସେ କଥା ସେଇ ମନ ଜାଣେ । କାହିଁକି କେତେବେଳେ କେଉଁ ଜିନିଷକୁ ଖୋଜେ ସେ କଥା ସେଇ ମନ କହିବ । ମୁଁ କହିବି କେମିତି ?

 

–ସତେ ଅପା, ମନଟା ବେଳେବେଳେ ଖରାପ ହୋଇଯାଏ ଏମିତି ଯେ କିଛି ରୁଚେ ନାହିଁ ।

 

–ସେତିକିବେଳେ ସମସ୍ତେ ଦାଉ ସାଧନ୍ତି । ଦୁନିଆର ଯେତକ ଅକଥା ସେତିକିବେଳେ ଆସି ଦୁଆରେ ଠିଆ ହୁଏ । ଦେଖୁନୁ, ନିଜ କଥାରୁ...କ’ଣ ବା ତୋର ଦୋଷ ? ତୋର ଘର ଲୋକଙ୍କର କ’ଣ ଦୋଷ ?...କାହାର ବେଶି ଅଛି । କାହାର ଊଣା ଅଛି । ତତେ ଏଇ ଦଣ୍ଡ ମିଳିଲା କାହିଁକି ?

 

–ଠାକୁରଙ୍କର ବରାଦ ।

 

–ମଲା ଯା । ଠାକୁର କ’ଣ କରିବେ ? ସେ ଆସି ଦୁଆରେ ହଳେ ପାଞ୍ଚହଳ ବର ବାନ୍ଧି ଦେଇଯିବେ । ତୁ ସେଥିରୁ ବାଛିବୁଛି ଗୋଟାଏ ନେବୁ । ଓଲଟା ହେଇଛି ଯେ ସେମାନେ ଆସି ବାଛୁଛନ୍ତି । ସେତେବେଳେ ଇନ୍ଦ୍ରଚନ୍ଦ୍ର ତାଙ୍କୁ ଦିଶୁ ନାହାନ୍ତି ।

 

–କ’ଣ କରିବି ଅପା ?

 

–କରିବୁ ସବୁ । ଏଇ ଯାହା ପାଇଲୁ ତା’କୁ କାନିରେ ଗଣ୍ଠି ପକେଇ ରଖିଲାପରି ମନରେ ରଖିଥା । ତାହାରି କୁହୁଳା ନିଆଁରେ ସନ୍ତୁଳି ହେଉଥା । ଶୁଝେଇ ଦେଇ ମରିବୁ । ଯାହା ପାଉଛୁ ସେତକ ଫେରେଇ ଦବୁ । ମୁଁ ଏଠିକି ତମ ଗାଁକୁ ଆସିଲାବେଳେ ସେମିତି ଫେରାଇ ଦେଇ ଆସିଛି ।

 

କନକ ଚାହିଁ ରହିଲା ସୁତପାର ମୁହଁକୁ । ଏହି ଲୋକର ମନ ଭିତରେ ଏତେ ଆଘାତ–ଏତେ କାନ୍ଦଣା ?

 

ସୁତପା କହିଲା–ଝିଅ, ତୁ କ’ଣ ଅବା ବୁଝିବୁ ? ତୁ ଚଳିଛୁ ତମର ଏଠିକା ପ୍ରକାରରେ-। କାହାରି ସାଙ୍ଗରେ ମିଶି ନାହୁଁ । ମିଶିଲେ ଜାଣନ୍ତୁ ମଣିଷ କେମିତି ? ଆଉ ଏଇ ପୁରୁଷ ଲୋକେ କ’ଣ ? ଘର ଭିତରେ ରହିଥିଲେ ଜାଣିବୁ ଓଲଟା କଥା ।

 

–ଆମେ ତ ନିରିମାଖି । ପେଜପଖାଳ ଖାଇବାକୁ ହାଣ୍ଡି ଧୋଇବା ମୋର ଭାଗ୍ୟ । ଆମର ଗରିବ ଘରେ ଯିଏ ଯାହା ବରାଦ ଦେଲା ସେତକ ମାନି ଚଳିବା ହେଲା ଘରର ଆଇନ୍ ।

 

–ହଁ ଲୋ କନକ ସେଇଆ । ଲୋକଙ୍କ କଥା ମାନି ତାଙ୍କରି ବରାଦରେ ଚଳିଲେ କ’ଣ ଅବା ଜାଣିବ କି ବୁଝିବ ? ଖାଉନ୍ଦ କଥା ଚାକର ମୂଲିଆ ବୁଝନ୍ତି କେତେକେ ?

 

–ତମେ କ’ଣ ସେମିତି ଚଳି ନାହଁ ? ତମର ମୁରବିଙ୍କ କଥାକୁ ମାନି ନାହଁ ?

 

–ମାନିବାକୁ ସମସ୍ତଙ୍କର ବରାଦ ଆଉ ହୁକୁମ ଥିଲା ବହୁତ । ମତେ କେବେହେଲେ ପର କଥାରେ ଚଳିବାକୁ ଭଲ ଲାଗେ ନାହିଁ । ମୁଁ ମୋର ମନଇଛା ଚଳିବାକୁ ଭଲ ପାଏ । ସମସ୍ତେ କହିଥିଲେ ପୁରୁଷପିଲା ଖରାପ–ମୁଁ ଯାଇଛି ଦେଖିବାକୁ ସେମାନେ କେଡ଼େ ଖରାପ ।

 

–ଭାରି ଖରାପ ସେମାନେ । ବାଟରୁ ଅବାଟକୁ ନେଇଯିବେ ।

 

ସୁତପା ଚାହିଁ ରହିଁଲା କନକକୁ । କଥା କହୁଛି ସଂସାରର ଶେଷ କଥା ଭଳି । ମୁରବିମାନେ ଭଲ ବାଟରେ ଝିଅକୁ ରଖିଛନ୍ତି । ସମସ୍ତଙ୍କୁ ଡରେଇ ଦେଇ ସଂସାର ଗଢ଼ିଛନ୍ତି ।

 

ହସି ପଚାରିଲା–କହିଲୁ କନକ । ଆଜି ବଢ଼ି ହେବ । ସମସ୍ତେ ଭାସିଯିବା । ବାପ ମା ନିଜ ଲୋକ କିଏ କୁଆଡ଼େ ଚାଲିଯିବେ ଜାଣିବୁ ନାହିଁ । ମରଣ ହେଲା ନାହିଁ । କୁମ୍ଭୀର ଶାଙ୍କୁଚ ଖାଇଲେ ନାହିଁ । ତୁ ଯାଇ ଭାସି ଭାସି ଲାଗିଲୁ ଅନ୍ୟଠାରେ–କରିବୁ କ’ଣ ?

 

କନକ ଚୁପ୍ ରହିଲା । ଏଡ଼େ ବିପଦରେ ସେ ଅବା କରିବ କ’ଣ ?

 

–କ’ଣ କରିବୁ କହ ? ଖାଲି ବୋଧହୁଏ କାନ୍ଦିବୁ ? କାନ୍ଦିଲେ ଲୁହ ପୋଛି ଦେବାକୁ କିଏ ଆସିବ ଜାଣିଛୁ ? ଆସିବେ ପୁରୁଷ ଲୋକ । ସେ ପୁଣି କିଏ ଜାଣୁ ? ତୋରି ବୟସର ଡରୁଆ ପୁଅ ଆସିବେ ନାହିଁ । ଆସିବେ ତାଙ୍କର ମୁରବି–ଯେଉଁମାନଙ୍କର ଆଖି ଅଛି ଆଉ ଭିତରର ଜ୍ଞାନ ମରିଯାଇଛି । ସେହିମାନେ ତତେ ନେଇ କରିବେ କ’ଣ ?–ଜାଣୁ ?

 

–ନା ।

 

–ନେବେ ନାହିଁ ତାଙ୍କର ଝିଅ ଝିଆଣି ସାଙ୍ଗରେ ରଖି ତୋର ଦାୟିତ୍ଵ ନେବାକୁ । ତତେ ନେଇ କରିବେ ତାଙ୍କର ପୋଇଲି । ବିପଦ ଆପଦ ହେଲେ ସେଥିପାଇଁ ଜଣକର ପୁଷମାସ ଆଉ ଜଣକର ସର୍ବନାଶ । କହିଲୁ କନକ–ସେମାନେ ଭଲ ନା ଏଇ ଯେଉଁ ଗାଁର ଚିହ୍ନା ପିଲାଏ ଭଲ ?

 

ସୁତପା ସେମିତି କହିଲା ଅପଣା ଛାଏଁ–ଏମିତି ଗୁଡ଼ାଏ ଭାବେ ବୋଲି ବଡ଼ ଦହଗଞ୍ଜ ହୁଏ । ତତେ ଦେଖି କ’ଣ କହିବାକୁ ଡାକି ଆଣି କ’ଣ ଗୁଡ଼ାଏ କହିଲିଣି । ଅବିଗୁଣ ପାଇବୁ ନାହିଁ । ତମରି ଗାଁର ଗୋଟିଏ ବୋହୂକଥା କେବେ ମନେ ପଡ଼ିଲେ ଏଇ କଥାକୁ ହେଜିବୁ...

 

...କେହି ସଂସାରରେ ଭଲ ନୁହନ୍ତି । କେହି ଖରାପ ନୁହନ୍ତି । ବାପଭାଇଙ୍କ କଥାରେ ସ୍ନେହ ଥାଇପାରେ କିନ୍ତୁ ସେ ଗୁଡ଼ିକ ଧୃବ ସତ୍ୟ ନୁହେଁ । ତାଙ୍କରି କଥାରମାଳାକୁ ଶୁଣିବୁ ଆଉ ପରଖିବୁ । ଠାକୁର ଧଣ୍ଡା ବୋଲି ସାଙ୍ଗେ ସାଙ୍ଗେ ବେକରେ ଝୁଲାଇ ଲୋକହସା ହବୁ ନାହିଁ । ତୋର ବୋଉ ବାପା କ’ଣ କହିଲେ ?

 

–ମନ ମାରିଦେଇ ବସିଲେ । କହିଲେ–ଝିଅ ଭୁଲି ଯା । ଆପଣା ଭିତରେ କୁହାକୁହି ହେଲେ ଝିଅ ଭୁଲିଯିବ ଯେ । ତେବେ ମତେ ଭାରି ବାଧିଛି ?

 

–ବାଧିଥିଲେ ଭଲ । ମୁଁ ତତେ କହୁଛି ଯେ ଯଦି ପ୍ରକୃତରେ ତୋର ମନରେ ସେମିତି ଆଘାତ ଲାଗିଥାଏ ତେବେ ତୁ ଏଇ ବଛରାଇ ଗାଁରୁ ଯାଇ ବମ୍ବେଇରେ ନାଁ କରିବୁ । ଆଉ ଯଦି ତତେ ବାଧି ନ ଥାଏ ତେବେ ଆଇନ୍ଦାକୁ ଏଠି ପାଞ୍ଚ ପଚିଶ କୋଶରେ କାହାରି ଘରେ ବସି ପିଲାକୁ କାଖେଇବୁ ଆଉ ଘର ଦୁଆର ଲିପିବୁ ।

 

କନକର ମନେ ପଡ଼ିଲା ଭୂଗୋଳର ପଢ଼ା ପାଠ–ଭାରତର ଫାଟକ ବମ୍ବାଇ ସହର । ସେ ଦେଖିଛି ବହିରେ ଗୋଟାଏ ଛବି–ବହୁତ କୋଠା ଅଛି । ଜାହାଜ ଲାଗିଛି । ସେ ହସିଲା ।

 

–ହସିଲୁ କାହିଁକି କନକ ? ମନକୁ ପାଇଲା ନାହିଁ ପରା ତୁ କିଏ ଆଉ ବମ୍ବେଇ କଉଠି-? ...ଏଇଟା ହେଲା ତୋର ମନର ବାଧା । ଆଉ ସେହି ମନର ବାଧାଠାରୁ ବଡ଼ ଶତ୍ରୁ କେହି ନାହିଁ । ସେଇ ଆମକୁ ଛୋଟରୁ ଛୋଟ କରି ଫୋପାଡ଼ି ଦିଏ । ଆମେ ନିଜ ଇଚ୍ଛାରେ ସେଇ ଛୋଟିଆ ହେଇ ରହି ଅହରହ ସମସ୍ତଙ୍କୁ ଗାଳି ଦେଉଥାଉ ।

 

–ତମେ କାହିଁକି ବମ୍ବେଇ ଗଲ ନାହିଁ ?

 

ସୁତପା ମୁହଁରେ ଅସୀମ ଦୁଃଖର ରେଖା ଆଙ୍କି ହୋଇଗଲା । ତାହାର ସପନ ଭାଙ୍ଗି ଯାଇଛି ।

 

କନକ ବ୍ୟସ୍ତ ହୋଇ ପଡ଼ିଲା । ତାହାରି କଥା ପଦକରେ ସୁତପା ଅପାର ମୁହଁ ଝାଉଁଳି ଗଲା–

 

ଟିକକ ପରେ ସୁତପା କହିଲା–ହଁ, ମୁଁ ବମ୍ବେଇ ଯିବି ବୋଲି ଗୋଡ଼ କାଢ଼ି ଟକଟକ ହେଉଥିଲି ଯେ ମତେ ତମରି ବଛରାଇ ଗାଁ ଧରି ଆଣିଛି । ...ଯିଏ ମତେ ନବ ବୋଲି କହିଥିଲା ସେହି ମୋର ମନକୁ ଲୁଟି ନେଇ ମତେ ଫୋପାଡ଼ି ଦେଇଛି ଅଳିଆ ଗଦାକୁ । ବହୁତ କାନ୍ଦିଲି । ଲୁହର ନଈ କ’ଣ ତାକୁ ବମ୍ବେଇରୁ ଫେରାଇ ଆଣି ପାରିଲା କି ? ପାରିଲା ନାହିଁ । ସେଇଦିନୁ କାନ୍ଦେ ନାହିଁ ? କାନ୍ଦଣାର କିଛି ମୂଲ୍ୟ ନାହିଁ ।

 

–କ’ଣ ହେଲା ଅପା ?

 

–କ’ଣ ଆଉ ହବ ? ନିଜେ ନିଜର ମୂଲ୍ୟ ଠିକ୍‌ କରିପାରି ନଥିଲି । ସେଥିପାଇଁ ପଡ଼ିଗଲି-। ମୁଁ ଯଦି ତାଙ୍କ ପରି ହୋଇଥାନ୍ତି ସେମିତି ସବୁ ଗୁଣ ଓ ବିଦ୍ୟାରେ, ତେବେ ସେ ଆସି ହୁଏତ ଏଇଠି ମୁଣ୍ଡିଆ ମାରୁଥାନ୍ତେ ଆଉ ଶକଶକ ହୋଇ ସମସ୍ତଙ୍କୁ କହିଥାନ୍ତେ–ଦେଖ ସୁତପାକୁ-। ମତେ କେମିତି ଛାଡ଼ିଦେଲା ? ...ଛାଡ଼ ସେ କଥା । ଭାବିଲେ ଆଜି ବି ଆଉ ଭାତ ରୁଚିବ ନାହିଁ-। ମନଟା ପୁଣି ପିଡ଼ା ହୋଇଯିବ ।

 

–ତମେ ତାଙ୍କୁ ଖୁବ୍ ଭଲ ପାଉଥିଲ, ନା ?

 

–ହଁ, ଭଲ ପାଇଥିଲି । ଦେବତା ପରି ପୂଜା କରିଥିଲି । ସବୁ ଲାଜ ସରମ ଭୁଲି ତାଙ୍କରି ମିଠା କଥାରେ ଭୁଲି ଯାଇଥିଲି । ଚରିତ୍ର ଗଲା । ଇଜ୍ଜତ ଗଲା । ଶେଷକୁ ସେ ବି ଚାଲିଗଲେ । ଆଉ କେଇ ଦିନରେ ସେ ପୁଣି ଆଉ ଜଣକୁ ନେଇ ତାଙ୍କର ସଂସାର ଗଢ଼ିବେ...କି ଗଢ଼ିଲେଣି କିଏ କହିବ ?

 

–ଆଉ କ’ଣ ଦେଖା ହବ ନାହିଁ ?

 

–ହେଇପାରେ । ଏଇ ପୃଥିବୀରେ କାହାରି କାହାରି ସାଙ୍ଗରେ ଦେଖା ହେବ ନାହିଁ ବୋଲି କିଏ କହିବ ? ତେବେ ଆଉ ଦେଖା ହେଲେ କି ଲାଭ ? ଯାହା ଚାଲିଗଲା ସେ ଆଉ କ’ଣ ଫେରିବ ? ଫେରିଲେ ବି କି ଲାଭ ?

 

–ସେ ଯଦି ଅନୁତାପ କରୁଥାନ୍ତି ।

 

ଶୁଖିଲା ହସ ଓଠ ଉପରକୁ ଟାଣି ସୁତପା କହିଲା ଏତେ ଚଞ୍ଚଳ ଅନୁତାପ କରିବେ ନାହିଁ-। ଏବେ ତାଙ୍କୁ ଲାଗୁଛି ଯେ ସେ ବଡ଼ । ବଡ଼ ହେଉଥିବା ଯାଏ ମଣିଷର ଅନୁତାପ ନଥାଏ । ଛୋଟ ହେଲେ ଅନୁତାପ ଆସେ । ମୁଁ ସିନା ଛୋଟ ହେଇଗଲି ବୋଲି ଆଜି ଦୁଃଖ କରୁଛି...ଛାଡ଼, କନକ, ସେ କଥା । ବମ୍ବେଇ ସହରରୁ ବଛରାଇ ଗାଁକୁ ଆସିଲେଣି ।

–ଦେଖା ହେଲେ ପ୍ରତିଶୋଧ ନେବା କଥା । ଏଡ଼େ କଦର୍ଯ୍ୟ ମଣିଷ ।

–ନାହିଁଲୋ କନକ ଗାଳିଦେଇ ଲାଭ ନାହିଁ । କଦର୍ଯ୍ୟ ମଣିଷ ସବୁବେଳେ ସ୍ତ୍ରୀ ଲୋକଙ୍କୁ ଟାଣି ନିଏ ତାହାର ଆକର୍ଷଣର ତୋଡ଼ରେ । ଭଲ ଲୋକକୁ କ’ଣ କେବେ କେହି ମନଦେଇ ଖୋଜିବ ?

–କ’ଣ କହୁଛ ମ ଅପା ।

–କହିବି ଆଉ କ’ଣ ? ଯିଏ ଧରୁ ଧରୁ ଖସିଯାଏ ତାହାରି ପାଇଁ ସିନା ହୃଦୟ କାନ୍ଦେ-। ଆଉ ଯେ ଧରା ପଡ଼ି ରହିଯାଏ ବନ୍ଦୀପରି ତା’ପାଇଁ ମନ କାନ୍ଦିଲେ ତ । ଏଇଠି ଶୁଣୁ ନଥିବୁ ତୋର ସୁତପା କଥା–ଯାବତ କଥା କହି ହେବ ।

–ଆହା ।

ସୁତପା ଚାହିଁଲା କନକ ମୁହଁକୁ । କ’ଣ ପାଇଁ ସେ ଆହା କଲା–ତାହାର ବମ୍ବେଇର ଉଡ଼ା ଚଢ଼େଇ ପାଇଁ ନା ବଛରାଇ ଗାଁର ପିଞ୍ଜରା ମଇନା ପାଇଁ ।...ବୁଝି ନପାରି ପଚାରିଲା କ’ଣ କହୁଥିଲୁ କନକ ?

 

–ନାହିଁ ଏତେ ଦୁଃଖ ତମର । ଅଭିନ୍ନ ଭାଇ କଣ ଜାଣନ୍ତି ?

 

–ଓ, ତୋର ଅଭିନ୍ନ ଭାଇ । ସେ ଜାଣିବେ କାହିଁକି ? ଜାଣିଲେ ବି କ’ଣ ପ୍ରତିକାର କରିପାରିବେ ? ବାପା କହିଛନ୍ତି ଦଶମାଣ ନାଳକୁଳିଆ ତିନିଫସଲି ଜମି ଲେଖିଦେବେ । ଆଉ ମତେ କ’ଣ ଦୁଆରୁ ଠେଲିଦେଇ ସେତକ ସେ ହରାଇବେ ? ...କେଭେ ନୁହେଁ । ଯାହା ମିଳିଲା ସେତିକିରେ ସନ୍ତୁଷ୍ଟ ରହିବେ ।

 

–ଚଳୁଛ କେମିତି ଅପା ? ଭାରି କଜିଆ ହେଉଥିବ ।

 

–ତୁ ନିଜେ ଜାଣିଯିବୁ ଯେ । ଧର୍ମ୍ମଶାଳାରେ ଯେ ଯାହାର କୋଠରୀରେ ରହନ୍ତି । ରେଳ ମଟରରେ ଯେ ଯାହାର ଜାଗାରେ ବସନ୍ତି । ସେମିତି ଚାଲେ ସଂସାର । ସମସ୍ତେ ଜାଣନ୍ତି ମନ ଆଉ ହୃଦୟ ଥରେ କାହିଁକି, ପାଞ୍ଚ ତିନିଥର ବନ୍ଧା ବିକା ହୋଇଥାଏ । ତେବେ ବି ତ ଚାଲେ ସେହି ହୃଦୟର ଖେଳ–ସବୁ ଖତ ମାଟିତଳେ ଲୁଚିଗଲା ପରି ଏଇ ଛାତିର ଚମତଳେ ସବୁ ରହିଯାଏ ।

 

–କଳି କଜିଆ ହୁଏ ?

 

–ମୋଟେ ନାହିଁ । ସେ କଣ ମଣିଷ ଯେ କଳି କରିବେ ? ସମାନ ହେଲେ ସିନା କଳିକନ୍ଦଳ...ହେଲେ ବି ତାଙ୍କୁ ମୁଁ ଆଦର କରେ । ବିଚାରି ନିର୍ଦୋଷକୁ ମୁଁ କାହିଁକି ମୋର ଅଡ଼ୁଆରେ ଆଣି ବାନ୍ଧିବି ? ସେଥିପାଇଁ ମୁଁ ହୁଏ ମୌନାବତୀ । କଳି ଲାଗେ ନାହିଁ ।

 

ସେ କ’ଣ ଜାଣିଛନ୍ତି ?

 

–ଜାଣିବେ କ’ଣ ? କେହି କ’ଣ ବର ହେଲା ପରେ ତାହାରି କନିଆର ଗତ ଜୀବନକୁ ଖୋଳତାଡ଼ କରେ ? କେହି ନୁହେଁ । ସେଥିରେ ଆଉ କ’ଣ ଲାଭ ? ଯାହାର ଯାହା ଅଛି ସେ ତା’କୁ ତାହାର ମନର ଗଣ୍ଠିଲିରେ ବାନ୍ଧି ଥୋଇ ଦେଇଥାଉ । ସେ ବି ଏଣୁ ତେଣୁ କିଛି ବାନ୍ଧି ନଥିବେ ବୋଲି କିଏ କହିବ ? ତମରି ଗାଁର ପୁଅ–ତମେ ଜାଣିଥିବ ।

 

–ଅଭିନ୍ନ ଭାଇ ଭାରି ଭଲ । ତାଙ୍କ ନାଁରେ କିଛି ଶୁଣା ହେଇ ନାହିଁ ।

 

–ହେଇଥିବ କନକ । ତାଙ୍କରି କାମ ଓ କଥାରୁ ମୁଁ ସେଇଆ ବାରିଛି । ସେଥିପାଇଁ ମୁଁ କହେ ସେ ଜଣେ ପଶୁ–ମଣିଷ ନୁହନ୍ତି । ହସି ସୁତପା କହିଲା ।

 

–ସେ ଭାରି ଭଲ ମଣିଷ ।

 

–କହିଲି ପରା ସେ ଚରିତ୍ରବାନ୍ ଲୋକ । ତାଙ୍କରି ନାଁରେ କିଛି ଶୁଣା ହେଇନାହିଁ । ସେ ମଣିଷ ହେବେ କେମିତି । ପଶୁ ହେଇ ନ ଥିଲେ ମଣିଷର ମଣିଷପଣିଆ ବୁଝିବ କେମିତି ?

 

କନକ ଚାହିଁ ରହିଲା ।

 

–ବୁଝିପାରିବୁ ନାହିଁ କନକ । ଘର କଲେ ଜାଣିବୁ ଯେ ଯେଉଁମାନେ ଭଲମଣିଷ ସେମାନେ ବରପଣକୁ ଅଯୋଗ୍ୟ । ଛାଡ଼ ସେ କଥା...ମନେ ରଖିଥିବୁ ତୋର ସୁତପା ଅପା ଯେମିତି ଗୋଇଠା ମାଡ଼ ଖାଇଛି ତୁ ବି ସେମିତି ଟିକିଏ ପାଇଛୁ । ତୋର ମନ ଊଣା ହେଇଗଲେ ମୋରି କଥା ଭାବିବୁ ।

 

ସୁତପାର ଆଖିରୁ ତା’ର ଅଜାଣତରେ ଦି’ଟୋପା ଲୁହ ଖସି ପଡ଼ିଲା । କନକର ଆଖି ସେଥିରେ ସହାନୁଭୂତି ଦେଖାଇଥିଲା ।

 

ଆହତ ଅଭିମାନର ନିଷ୍ଫଳ ବ୍ୟର୍ଥତାରେ ଦୁଇଟି ତରୁଣୀ ଏକାଠି ହୋଇଥିଲେ–ସୁତପା ବିଭା ହୋଇଛି ଆଉ କନକ ବିଭା ହେଇ ନାହିଁ । ଜଣେ ଜାଣିଛି ସ୍ଵାମୀ ଓ ପ୍ରେମିକର ପ୍ରଭେଦ । ଆଉ ଜଣେ ସେ ଦୁଇ ପ୍ରକାରର ପୁରୁଷରୁ କାହାରିକୁ ଜାଣେ ନାହିଁ ।

 

କିଛି ସମୟ ନୀରବ ରହିଲା ପରେ ସୁତପା ବାହାରେ ଯାଇ ମୁହଁ ଧୋଇ ଆସିଲା । ସେହି ଓଦା ପଣତରେ କନକର ଆଖିକୁ ପୋଛି ଦେଇ କହିଲା–ମୁଁ ଚଣ୍ଡାଳୁଣୀ, ତତେ ଡାକି ଆଣିଥିଲି ଟିକିଏ ହସେଇ ମଜେଇ ଛାଡ଼ିଦେଇ ଆସିବି । କ’ଣ ଓଲଟି ତୋରି ଆଖିରୁ ଲୁହ କାଢ଼ିଲି-

 

–ନାଇଁ ଅପା, ତମର ଏତେ ଦୁଃଖ ବୋଲି ଆମେ କେବେ ସପନରେ ଭାବି ନ ଥିଲୁ । ଭାବିଥିଲୁ ତମେ ବଡ଼ ଘରର ଝିଅ ଆଉ ବଡ଼ ଘରର ବୋହୂ ।

 

–ହଁ ଲୋ କନକ । ସମସ୍ତେ କହନ୍ତି ସେଇକଥା । ବଡ଼ ଘରେ ବଡ଼ ଦୁଃଖ ଥାଏ । ଛୋଟ ଘରେ ଛୋଟିଆ ଦୁଃଖ ଥାଏ । ଛୋଟରୁ ବଡ଼ ହେଲେ ଏଇଟା ଯେତେ ବୁଝିହୁଏ ବଡ଼ରୁ ଛୋଟ ହେଲେ ସେତେ ଭଲକରି ବୁଝିହୁଏ ନାହିଁ...କନକ, ତୁ ପାଠପଢ଼ା ଛାଡ଼ିଲୁ କାହିଁକି ?

 

–ଘରେ ମନାକଲେ । କହିଲେ ଝିଅ ତ ହାଣ୍ଡିଶାଳ ପାଇଁ ପାଠ କ’ଣ କାମ କରିବ ?

 

–ଭଲ କଥା କହିଲେ । ଏଣେ ମନର ଦୁଆର ରୁନ୍ଧିଦେବେ ଆଉ ତେଣେ କହିବେ ତୁ ସଂସାରରେ ଜଣେ ହୋଇଯା ।

 

–ମୁଁ ପୁଣି ପଢ଼ିବି ବୋଲି ଭାବୁଛି ।

 

–ହଁ ପଢ଼ । ଏଠି ସୁବିଧା ଯାହା ହେଉଛି ପଢ଼ୁଥା । ମୁଁ ଭାବୁଛି ଚାଲିଯିବି ତମର ଅଭିନ୍ନବାବୁଙ୍କ ପାଖକୁ । ଏଠି ରହିରହି ଚିଡ଼ି ମାଡ଼ିଲାଣି । ଆଉ କେଉଁଠି ସଜ ହେଲେ ମୋ’ ପାଖରେ ରହି ପଢ଼ିବୁ ।

 

–ମୋର ବଡ଼ ଭାଗ୍ୟ, ଅପା । ଏତେ ନିର୍ଭର କଥା ପଦେ କେହି କହୁ ନଥିଲା । ମୁଁ ଆପଣା ଛାଏଁ ଘରେ ଡରି ମରୁଥିଲି ସେଇକଥା ଉଠାଇବାକୁ ।

 

–ମୁଁ ନିଜେ ଭାବିଥିଲି ପାଠଶାଠରେ କିଛି ନାହିଁ । ମାଇପଙ୍କର ଶୋଭା ସୌନ୍ଦର୍ଯ୍ୟ ରହିଲେ ଚଳିବ । ସେଇଟା ଠିକ୍‌ ନୁହେଁ । ଆମର ସୁନ୍ଦରପଣକୁ ଦେଖାଇବାକୁ ପାଠଟା ହେଲା ବାହାନ । ନହେଲେ ସେମିତି ମୂର୍ଖଙ୍କ ମେଳରେ ରହିଯିବାକୁ ପଡ଼ିବ ମରଣଯାଏ । ...ଆ ସାଙ୍ଗ ହେଇ ପଢ଼ିବା ।

 

–ତମେ କ’ଣ ପଢ଼ିବ ? ଭାଇ କ’ଣ ରାଜି ହେବେ ?

 

–ଆଉ କ’ଣ କହିବେ–ନା । ସୁତପା, ବସିଥା ମୋର ଗୋଡ଼ ଘସିବୁ; ମୁଣ୍ଡ ଚିପିବୁ...ନାହିଁ ଲୋ କନକ ? ସେମିତି ଦାସୀପଣିଆ ମତେ ପୋଷେଇବ ନାହିଁ । ସେ ବାହା ହେଇଛନ୍ତି । ସେ ମୋର ସମସରି ହେବେ–ମୋର ଯୋଗ୍ୟ ହେବେ । ବାହାନକୁ ନେଇ ଠାକୁର ଆଉ ଠାକୁରଙ୍କୁ ନେଇ ବାହାନ ।

 

–ହେଲେ ଏଇ ଗାଁରେ ବୋଧେ ହସିବେ ।

 

–ମୁଁ କ’ଣ ଜାଣେ ନାହିଁ । ହସିବେ ସେମାନେ । କହିବେ ସୁତପା ଆସି ଗାଁ ଝିଅଙ୍କୁ ଖରାପ କଲା । ତାଙ୍କର ମୁଣ୍ଡକୁ ଖାଇଲା । ତୋରି ଘରେ କ’ଣ କହିବେ ନାହିଁ କି ? ...କହିବେ । ହେଲେ ସେଇ ବଛରାଇ ଗାଁର ଗାଉଁଲି ହସ ସେଇ କିଆଗୋହିରି ପାଖରେ ଶେଷ ହୋଇଯିବ ।

 

–କହିବେ କାଳ ଓଲଟି ଗଲା । କହୁଥିଲେ ସୃଷ୍ଟି ଭାଙ୍ଗି ପଡ଼ିଲା ।

 

–ହଁ, ନ କହିବେ କାହିଁକି ? କାଳକୁ ଚଳାଇବା ଦାୟିତ୍ଵ ରହିଛି ଏହି ଗାଁଗୁଡ଼ିକର କଥା ଉପରେ । ଆଉ ସୃଷ୍ଟିକୁ ଧରି ରଖିବା ଭାର ଆମ ମାଇପି ପାଞ୍ଚପଚିଶଙ୍କ ଉପରେ । ଆଚ୍ଛା ଆମକୁ–ହେଇ ତତେ ଆଉ ମତେ–ବିଧାତା କ’ଣ ଏମିତି ଅଜାଡ଼ି ପକାଇଛି ଯେ ସୃଷ୍ଟିକୁ ଧରିବାନ୍ଧି ସେହି ପୁରୁଣା ଚାଳ ଓରାରେ ବାନ୍ଧିବା ଭାର ଆମ ଉପରେ ରହିଗଲା ? ଆମେ ଯଦି ନ ନେଉ ସେଇ ଦାୟିତ୍ଵ...

 

–ହଁ, ମ, ଅପା । ଆମେ କାହିଁକି ଏତେ କଥାକୁ ବିଚାରିବା ?

 

–ଠିକ୍‌ କହିଛୁ । ନିଜ କଥା ଦେଖିବା । ନିଜର ଗୁଣକୁ ବଢ଼ାଇବା । ନିଜେ ଉପରକୁ ଉଠିବା । ଯିଏ ଆସିବେ ସିଏ ଭଲ । ଯିଏ ନ ଆସିବେ ସେ ରହନ୍ତୁ ତାଙ୍କର ବାରିଆଡ଼ ପାଳଗଦା ପାଖରେ । ...ମୋର ଅନେକ ଦୁର୍ଦ୍ଦଶା ହେଲା । ମନ ହଉଛି କହିବାକୁ ଏଇ ବଛରାଇ ଗାଁର ଝିଅ ହେଲେ ନା କରନ୍ତା । ବଡ଼ ହୁଅନ୍ତା । ନା ଡାକ ପାଆନ୍ତା...ଏତେ ବଡ଼ ହୁଅନ୍ତା ଯେ ସେ ବମ୍ବେଇ ପରି ସହରରେ ଲକ୍ଷେ ଲୋକରେ ଜଣେ ହେଇ ବଛରାଇ ଗାଁର ଝିଅ ବୋଲି କହିବାକୁ ବେଳ ନ ପାଆନ୍ତା...

 

–ଭାରି ଡର ମାଡ଼ୁଛି ଭାବିଲେ ।

 

–ଆଲୋ ଡର ହେଉଛି ଆମର ଚରିତ୍ରର ଡର । ଆମର ଚରିତ୍ର ନଷ୍ଟ ହୋଇଯିବ । ପରପୁରୁଷ ଆମକୁ ଦେଖିବେ ଆଉ ଆମ ସାଙ୍ଗରେ ମିଶିବାକୁ ଖୋଜିବେ । ଆମକୁ ଚୋରି କରି ନେଇଯିବେ । ନାରୀ କରି ଫୋପାଡ଼ି ଦେବେ । ଏଇ ଗାଁର ଗାଉଁଲୀ ଡୋରି ଛାଡ଼ିଯିବ, ଆଉ କେଉଁଠି ବି ତା’ର ଶିକୁଳି ଲାଗିବ ନାହିଁ ।

 

–ହଁ ତ ।

 

–ଆଉ ତେବେ ଆମର ଦେହର, ମନର, ଆଉ ଚରିତ୍ରର ଏଇ ସେବତୀଫୁଲିଆ ବାସକୁ ଧରି ରହିଥିବା ? ଚରିତ୍ରର ଗୌରବରେ କ’ଣ ସେମିତି ଆମରି ନାଁ ଯୋଡ଼ା ହେଇ ରହିଥିବ-? ଚରିତ୍ର ସତେ କ’ଣ ଏକାବେଳେକେ ନଷ୍ଟ ହୋଇଯିବ ? ଆମେ କ’ଣ ମଣିଷ ନୋହୁଁ-? ମଣିଷର ଚରିତ୍ରକୁ ସେ ନିଜେ ଗଢ଼େ ? ନା ଅନ୍ୟମାନେ ପରାମର୍ଶ ଦେଇ ଗଢ଼ିବେ ?

 

–ଏଇ ଗାଁ ଲୋକଙ୍କ କଥା...

 

–ଗାଁ କାହିଁକି ଦେଶର ଲୋକଙ୍କ କଥା କହ । ସେମାନେ କହିବେ ଯେ ଆମେ ଉଠିଲୁ ଚରିତ୍ରର ବେପାର କରି । ଆମକୁ ପ୍ରଥମେ କହିବେ ଚରିତ୍ରହୀନା–ତା’ପରେ କହିବେ ବେଶ୍ୟା–ସେଇଠୁ ବୋଧ ହୁଏ ଆସିବେ ପାଦଧୂଳି ନେବା ପାଇଁ ।

 

କନକ ହସିଲା–ଜୀବନର ରଙ୍ଗ ଇନ୍ଦ୍ରଧନୁର ବିଭବରେ ଝଲସି ଉଠୁଛି । ତାହାରି ବରଘରର ଅଣଲେଉଟା ପାଦ ଛୋଟିଆ ହେଇ ଗଲାଣି ମନଭିତରେ । ଚରିତ୍ରର ସ୍ୱରୂପ ଦେଖି କନକ ସ୍ପଷ୍ଟ ଭାବିପାରୁଥିଲା ସତେ ଯେପରି ଏହି ସତ୍‌ଚରିତ୍ରର ଶିକୁଳି ଛିଣ୍ଡେଇ ଦେଇ ପାରିଲେ ସେ ଆକାଶଚାରୀ ବିହଙ୍ଗ ହୋଇଯିବ ।

 

ସୁତପା ସେମିତି ବସି ଭାବୁଥାଏ । କନକ ମଧ୍ୟ ତାହାର ନିଜ କଥାକୁ କୁଆଁରୀ କଳ୍ପନାର ବିଜୁଳିରେ ଦେଖୁଥାଏ । ତାହାର ସେହି ଆଖିଝଲସା ରୂପ । ସେ ବହୁତ ପାଠ ପଢ଼ିଛି । ବହୁତ ବଡ଼ ହୋଇଛି । ବହୁତ ବଡ଼ ଜାଗାକୁ ଯାଇଛି । ବଛରାଇ ଗାଁର ଡେଙ୍ଗା ତାଳଗଛ ତାହାର ପାଦର ବହୁତ ତଳେ ।

 

ଦୁଇଟି ନାରୀ ହୃଦୟର କଅଁଳ ମନ ଓ କଅଁଳ ଦେହ ଭିତରେ ପ୍ରତିଶୃତିର ବଜ୍ରକଠୋର ପ୍ରସ୍ତାବ ସମର୍ଥନ ପାଇଥିଲା–ଦିହେଁ ଏକାପରି ଭାବିଥିଲେ ଯେ ଜୀବନର ଯାତ୍ରା ପଥରେ ଗୋଟିଏ ଅନ୍ତରାୟ । ସିଏ ହେଉଛି ଚରିତ୍ରର ବନ୍ଧନ ।

 

ଦିହେଁ ପୁଣି ଥରେ ସେହି ସକାଳ ପହରରେ ସୁତପାର ବାହାଘର ଯୌତୁକ ସାଗୁଆନ କାଠ ପଲଙ୍କର ନରମ ବିଛଣା ଉପରେ ପ୍ରତିଜ୍ଞା କରିଥିଲେ–ଏହି ମନଗଢ଼ା ଚରିତ୍ରର ଛାଞ୍ଚକୁ ଫୋପାଡ଼ି ଦବାପାଇଁ ।

 

ତାଙ୍କର ମନରେ ମଣିଷର ସ୍ଵାଭାବିକ ଆକାଶଚୁମ୍ବୀ କଳ୍ପନା ଦେଖା ଦେଇଥିଲା–ଜଣକ ପାଇଁ ନିଜକୁ ଗଢ଼ିଲେ ଯୋଗ ହେଉଛି ଦାସୀଯୋଗ । ଆଉ ସମସ୍ତଙ୍କ ପାଇଁ ଗଢ଼ିହେଲେ ଆସିବ–ନାରୀଯୋଗ । ଦାସୀପଣ ପାଇଁ ଝୁରିହେବାକୁ ମନ ଉତଲା ହେଲେ ଚରିତ୍ରର ଖିଜମଦ ଦରକାର । ନାରୀପଣ ପାଇଁ ନିଜକୁ ଗଢ଼ିବାକୁ ହେଲେ ସେହି ଅର୍ଗଳିରୁ ବାହାରିଯିବା ଚଞ୍ଚଳ ଦରକାର ।

 

କନକ ସେଦିନ ଷୋଳ ବର୍ଷରେ ତାହାର ଗାଉଁଲୀ ସଂସ୍କାରରୁ ମୁକ୍ତି ପାଇଗଲା । ସେ ବାଟ ଦେଖି ପାରିଲା–

 

ଏହି ବାଟରେ ଚାଲିବାକୁ ସେହି ବଛରାଇ ଗାଁର ଗୋଟାଏ ବଦନାମି ବୋହୂ ସୁତପା ସେହିଦିନ ତାକୁ କହିଥିଲା । ସେଥିରେ ଚାଲି ଚାଲି କନକ ଏବେ ଡାକ୍ତର ଶ୍ରୀମତୀ କାନନ ଦେବୀ ହୋଇ ଠିଆ ହୋଇଛି ।

 

ମନର ସାହସ ହେଉଛି ମଣିଷର କଳ୍ପନା କରିବାର ଶକ୍ତି । ଥରେ ସାହସ ଆସିଗଲେ ଅବା ଖସିଗଲେ ସେଇ ମଣିଷ ଦୁଇ ପ୍ରକାରର ହୋଇଯାଏ–ସାହସୀ ଓ ଭୀରୁ ।

 

ବରଘର ଭାଙ୍ଗିଗଲା ପରେ ଯେଉଁ କନକ ଆଗରେ ସେଇ ଘଟଣାଟି ଆକାଶଛୁଆଁ ପାହାଡ଼ ପରି ଦିଶୁଥିଲା ସେଇ ଦିଶିଲା ଏବେ ଛୋଟ–ରାସ୍ତାର ଡିଆଁ ବାଟ ପରି ।

 

ସେ ମନକୁ ମନ ଭାବିଗଲା–ଏଇ ହେଲେ ଲୋକ । ୟାଙ୍କରି ତଳକୁ ରହିଲେ ସେ ଗୋଇଠା ମାରିବେ । ୟାଙ୍କର ଉପରକୁ ରହିଲେ ଆସି ପାଦସେବା କରିବେ । ତେଣୁ ଯେ କୌଣସି ଉପାୟରେ ହେଉ ଏଇ ଖାଲରୁ ଉଠିବାକୁ ହେବ ।

 

ଘଷି ଆଉଁସି ନୁହେଁ ଅବା ଆଖିରେ ଆଖି ମିଳାଇ କାନ୍ଦିକାଟି ନୁହେଁ; ଦୁକ୍‌ଦୁକ୍ ମନରେ ସାହାସ ଯୋଗାଇ ସୁତପା ସେଦିନ କନକର ଗୁରୁ ହେଇଥିଲା । ପ୍ରଶଂସାଉଛୁଳା ଆଖିରେ ସୁତପାକୁ ଚାହିଁ କନକ ପଚାରିଥିଲା–ସତେ ଅପା ସଂସାରର ବାଟ ଏଡ଼େ ସହଜ ? ତେବେ ଗୁଡ଼ାଏ ଲୋକ ସବୁବେଳେ ଲୁହଲହୁ ହେଇ ଅଥୟ ହେଉଛନ୍ତି କାହିଁକି ?

 

–ସେମିତି ହବାର କଥା । ମଣିଷ ଅନେକ ପ୍ରକାରର । କିଏ ଶିକାର କରି ଖାଏ ଆଉ କିଏ ଶିକାରୀଠାରୁ କିଣିଆଣି ମାଂସ ଖାଏ । ମୂଲ ନ ଦେଇ ମଣିଷ ସଂସାରର ସବୁ ଭଲ ଜିନିଷ ଖୋଜେ । ମୂଲ ମାଗିଲେ ତାହାର ଫକାସି ଉଡ଼ିଯାଏ–ହାତର ଧନତକ ଗଲା ।

 

କନକ ହସିଲା ।

 

ହସରେ ହସ ମିଶାଇ ସୁତପା କହିଲା–ଚରିତ୍ର ଏମିତି ଗୋଟାଏ ବଞ୍ଚିବାର ଅଭ୍ୟାସ । ଅଭ୍ୟାସ ଏପରି ଯେ ଚରିତ୍ରର ସେହି ଦଉଡ଼ିକୁ ଟିକିଏ ହୁଗୁଳା କରିଦେଲେ ମଣିଷ ପରା ଅଣନିଶ୍ଵାସୀ ହେଇପଡ଼େ । ମୁଁ ଆଜି ଯେବେ ତତେ କହିବି ଯେ ମୋର ଏହି ଘର ଶତ୍ରୁପୁରୀ–ସାଙ୍ଗେ ସାଙ୍ଗେ ଦମକଳକୁ ଲୋକେ ଡାକି ପଠାଇବେ...ଦମକଳ, ଆସ ଆସ । ଏଇ ବଛରାଇ ଗାଁର ଅଭିନ୍ନ ବାବୁଙ୍କର ବୋହୂ ଦେହରେ ନିଆଁ ଲାଗିଛି । ଡେରି ହେଲେ ଗାଁର ସମସ୍ତେ ପୋଡ଼ିଯିବେ ।

 

–କ’ଣ ପାଇଁ ତମର ଦୁଃଖ ଅପା ?

 

–କ’ଣ କହିବି କନକ । ତୁ ଶୁଣିବୁ ସିନା ବୁଝିପାରିବୁ ନାହିଁ । ମନର ମଣିଷ ଖୋଜିବାକୁ ଯାଇ ଫେରିଲାବେଳେ ଯେଉଁ ମଣିଷ ମିଳିଲା ତା’କୁ ଯେତେ ମନର ମଣିଷ ବୋଲି ଡାକିଲେ ବି ସେ କ’ଣ ଜବାବ ଦେଇ ପାରିବ ? ମନର ମଣିଷର ଚିତ୍ର ମଣିଷର ମନରେ ଥାଏ । ସେହି ଚିତ୍ରପରି ସମସ୍ତେ କେମିତି ହେବେ ନା ହେଇ ପାରିବେ ?

 

–ତେବେ କ’ଣ ଛାଡ଼ିଦବ ଆମ ଅଭିନ୍ନ ଭାଇଙ୍କୁ ? ସେ ବଡ଼ ନିର୍ମାୟା ମଣିଷ ।

 

–ଛାଡ଼ିବ କିଏ କାହାକୁ ? ବାହାଘର ପରା ଦେହର ଚିତାକୁଟା ଦାଗ । ଏଇ ନିଖିଳ ବିଶ୍ଵରେ ଯେଉଁଠି ଠିଆ ହେଲେ ବି ଜଣେ ଚିହ୍ନା ଲୋକ ମତେ ଦେଖିଲେ ପରା ଆଗ କହିବ ମୁଁ ହେଉଛି ତମର ବଛରାଇ ଗାଁ ଅଭିନ୍ନ ବାବୁଙ୍କର ବୋହୂ । ଆଉ ଛଡ଼ାଛଡ଼ି କାହିଁ ? ତେବେ ଏମିତି ଛନ୍ଦାଛନ୍ଦି ଭିତରେ ତାଙ୍କୁ କ’ଣ ମୁଁ ମୋର ମନର ମଣିଷ, ମୋର ମନର ଖାଉନ୍ଦ କରିପାରିବି ? ପାରୁ ନାହିଁ ତ ?

 

–କାହାକୁ ଭଲ ପାଇଥିଲ ଅପା ? ସେ ତମକୁ ଛାଡ଼ିଲେ କାହିଁକି ?

 

–ସିଏ ଭଉଣୀ ଗୋଟିଏ ଇତିହାସ । ମୁଁ ତା’ଙ୍କୁ ଭୁଲିଯିବାକୁ ଚାହେଁ । ତାଙ୍କର ବୋଧହୁଏ ମନ ହେଲା ଭାବିବାକୁ ଯେ ସୁତପା ଅତି ଛୋଟ ମଣିଷ । ତାଙ୍କର ପାଦଶବ୍ଦ ବାରିବାରି ଆସିଥିଲା । ସେଥିପାଇଁ ତାଙ୍କର ମନଭିତରେ ଗାରପଡ଼ିଲା ନାହିଁ । ତାଙ୍କର ମନ ତାଙ୍କୁ କହିଲା–ସବୁ ସ୍ତ୍ରୀଲୋକ ସମାନ । ସୁତପା ଯେମିତି ଅନ୍ୟମାନେ ବି ସେମିତି । ଗୋଟିଏ ସୁତପା ଗଲେ ପଚିଶ ପଚାଶ ସୁତପା ଆସିବେ । ...ସୁତପାର ଆଖି ଛଳ ଛଳ ହୋଇଗଲା ।

 

–ଏବେ ଆଉ ତାଙ୍କୁ କାହିଁକି ଭଲପାଉଛ ?

 

–କେମିତି କହିବି ସେ କଥା ? ମନର ଦରଦ ଏମିତିକା ଜିନିଷ, ଯାହାଠାରେ ଥରେ ଲାଗିଯାଏ ସେଠି ସେ ଲାଗି ରହିଥାଏ ବହୁତ ଦିନକୁ । ତେବେ ଆଜି ମୋର ଦୁଃଖ ଯେ ଗଲାକଥାକୁ ମୁଁ ଆଉ ହେଜୁଛି କାହିଁକି ? ତା’କୁ ଝୁରି ହେଉଛି କାହିଁକି ?

 

–ମନଟା ସେମିତି ନୁହେଁ କି, ଅପା ?

 

–ହେଲେ ବି ସେଇ ମନ ଆମର ଶତ୍ରୁ । ସେହି ପରରଙ୍କୁଣା ମନ ଆମକୁ ଦଗାଦିଏ । ଗଲା ଜିନିଷ ପାଇଁ ଆଖିରୁ ଲୁହ କାଢ଼େ । ଅଣଲେଉଟା ଦରବ ପାଇଁ ମନକୁ ସନ୍ତୁଳେ । ସେଥିପାଇଁ ଲୋକେ ନିଶାପାଣି କରନ୍ତି ଭୁଲିଯିବା ପାଇଁ । ଅଭୁଲା ମନ ଉପରେ ଭୁଲା ତରଙ୍ଗ ବୋଳି ଦବାପାଇଁ । ...ଆମେ ନିଶା ପାଇବୁ କେଉଁଠୁଁ ? ଆମ ପାଇଁ ମନା ।

 

–ଝିଅ ଜନ୍ମକୁ ସବୁ ବାରଣ–

 

–ସେଥିପାଇଁ ଆମକୁ ଏବେ ଏହି ବାରଣ ପାଚେରିକୁ ଡେଇଁ ଚାଲିଯିବାକୁ ହେବ । ଲୋକେ ଯାହା ମନକୁ ଆସିବ କହନ୍ତୁ । ତାଙ୍କର କହିବା କଥାର ପୁଟୁଳା ତାଙ୍କର ତୁଣ୍ଡ ପାଖରେ ବନ୍ଧା ହେଇଥାଉ । ସେଇ ପୁଟୁଳାକୁ ଡରି ମରୁଛନ୍ତି ସମସ୍ତେ । ମୁଁ ଅବା ବଞ୍ଚିଲି କେତେବେଳେ ?

 

–ଅଭିନ୍ନ ଭାଇ ଏସବୁ କ’ଣ ଜାଣନ୍ତି, ଅପା ?

 

–କେଜାଣି ? ସେ କଥା ବୁଝିବାକୁ ମୋର ବେଳ କାହିଁ ? କେତେ ଲୋକ ଆମର କାରବାରରୁ ଠଉରାନ୍ତି । ଆଉ କିଏ ତୁଣ୍ଡରୁ ଶୁଣି ଜାଣେ । ଆଉ କିଏ ଅନୁମାନ କରିନିଏ । ଯେ ଯେତିକର ଲୋକ ତାହାର ସେତିକି ଜାଣିବା ଦରକାର । ବିଚରା ସେ ଖୁସିରେ ହାକୁଟି ମାରିପାରିବ-

 

କନକ ଦୀର୍ଘନିଶ୍ଵାସ ପକାଇଲା । ସୁତପାର ମିଠା କଥା, ଆଉ ମଧୁର ହସ ତଳେ ଏତେ ଦୁଃଖ ।

 

–ନାହିଁ ଲୋ କନକ । ତୋର ସୁତପା ପଳାଇବ ନାହିଁ । ମରିଯିବ ନାହିଁ । ଅଭିନ୍ନ ଭାଇଙ୍କର ପାଉଣା ଫାଙ୍କିଦବ ନାହିଁ । ସେମିତି ଛନ୍ଦାଛନ୍ଦି ହୋଇ ରହିଥିବ । ତାଙ୍କର ଦେହଦୁଃଖ କି ମନଦୁଃଖ ହେଲେ ତାଙ୍କରି ପାଖରେ ଠିଆ ହେବ । ଦୁନିଆର ହାଟବଜାରରେ ଅଭିନ୍ନ ବାବୁଙ୍କର ସ୍ତ୍ରୀ ସୁତପା ବୋଲି ପ୍ରଚାର କରିବ । ସେଥିଭିତରେ ସୁତପା ରହି ରହି ଗୁମୁରୁଥିବ–ଜୀବନର ସୁବାସ ଲୁଟି ନେଇ ଜଣେ ଚାଲିଗଲା ଆଉ ଗଲାବେଳେ କହିଗଲା ଯେ ତାହା ପାଇଁ ସୁତପା ମୂଲ୍ୟହୀନ ।

 

–କେଡ଼େ ଖରାପ ଲୋକ । ସେ ବଞ୍ଚିଲା କେମିତି ? –ବଞ୍ଚିଲା କାହିଁକି ?

 

–ସେ କଥା କହିବୁ ନାହିଁ କନକ । ସେ ବଞ୍ଚିଥାନ୍ତୁ । ଆଘାତ ଦେଇଥିବା ଲୋକ ଚିରାୟୁ ହେବା ଦରକାର । ତାହାହେଲେ ସେ ଦେଖୁଥିବ ଯେ ଯେଉଁମାନଙ୍କୁ ଆଘାତ ଦେଇଥିଲା ସେହି ଲୋକଗୁଡ଼ିକ କେମିତି ଆଘାତର ଚିହ୍ନକୁ ଧରି ସଂସାରରେ ରହୁଛନ୍ତି । ଖୁସି ହେବା ପାଇଁ କରିଥିଲେ-। ଏବେ ଦେଖି, ଶୁଣି ଆଉ ଜାଣି ଖୁସି ହେଉଥାନ୍ତୁ ।

 

–ଆଉ ଥରେ ଯଦି ତାଙ୍କୁ ଦେଖ, କ’ଣ କହିବ ?

 

–କିଛି ନାହିଁ । ଦେଖି ନ ଦେଖିଲା ପରି ଚାଲିଯିବ । ଆକାଶର ପକ୍ଷୀ, ପାଣି ଭିତରର ମାଛ କଇଁଛ, ଆଉ ମାଟି ଉପରର ପ୍ରାଣୀମାନେ ଯେମିତି ବାଟକାଟି ଚାଲିଯାନ୍ତି ସେମିତି ଆଡ଼େଇ ହେଇ ଚାଲିଯିବାକୁ ହେବ । ଦିନକର ମନର ପ୍ରତିମାକୁ ଦିନ ଦିନକର, ବର୍ଷ ବର୍ଷକର ସ୍ମୃତିର ରଙ୍ଗରେ ଦେଖିବାକୁ ହେବ ।

 

–ମନ ତମର ମରିଯାଇଛି ଅପା ।

 

–ମନ ମରି ନାହିଁ । ଝାଉଁଳି ଯାଇଛି । ପିତା ହୋଇ ଯାଇଛି । ମନର ଆଦରକୁ, ଗେହ୍ଲାପଣିଆକୁ କଦର ମିଳିଲା ନାହିଁ । ଏଇଟା ତ ସବୁଦିନର ଦୁଃଖ ।

 

–କ’ଣ କଲେ ଅପା, ଏଇ ଦୁଃଖ ପାଶୋରି ହବ ?

 

–ଜାଣେ ନାହିଁ କନକ । ତେବେ ବେଳେବେଳେ ଭାବେ ଯେ ଦୁଃଖକୁ ଧୋଇ ପୋଛି ଦେବା ପାଇଁ ଦରକାର ସୁଖର ଜୁଆର । ଭଲ ପାଇବାର ବ୍ୟର୍ଥତାକୁ ଲିଭାଇବା ପାଇଁ ଦରକାର ବହୁତ ଲୋକଙ୍କର ଭଲ ପାଇବା । ଆଜି ଯଦି ବହୁତ ଲୋକ ଆସି ଏହି ଜଣକର ହେୟ, ନଗଣ୍ୟ ସୁତପାର କଥା ପଦେ, ହସ ଟିକିଏ ଦେଖିବାକୁ ହାତ ଯୋଡ଼ି ଆଖି ପିଞ୍ଚ ନ ପକାଇ ଠିଆ ହୋଇ ରହିବେ ତେବେ ଜାଣିବି ଯେ ଭଲ ପାଇବାର ମୂଲ ମୁଁ ଫେରି ପାଇଲି ।

 

କିଏ ତମକୁ ଏଇ ଭାଷା ଦେଲା, ଅପା ?

 

–ମୋର ନିଜର ଦୁଃଖ ଆଉ ସେହି ଦୁଃଖସୁଖର ପୁରାଣ–ସେଇ ଗଳ୍ପ ଉପନ୍ୟାସ ଆଉ ନାଟକ । ସବୁବେଳେ ସବୁ କଥା କହି ମନକୁ ନିଜର କରି ବାଟ ଦେଖାଇ ଯାଇଛନ୍ତି । ଆଉ ସେଥିଭିତରେ ମୁଁ ମନକୁ ବାରମ୍ବାର ଧୋଇଛି ସତ । କିନ୍ତୁ ଦୁଃଖର ସମୁଦ୍ର ସବୁବେଳେ ଏମିତି ଲୁଣିଆ ।

 

କନକ ବୋଉ ଡାକି ଡାକି ଦୁଆର ଭିତରକୁ ଆସିଲେ–ବସିଗଲୁ କି କନକ ।

 

ନିଦ ଭାଙ୍ଗିଗଲା । ସପନ ଭାଙ୍ଗିଗଲା । କଥାର ଖିଅ ଛିଡ଼ିଗଲା । ବଛରାଇ ଗାଁରେ କହିବାକୁ ଲୋକ ପାଇନାହିଁ ବୋଲି ସୁତପାର ମନଭିତରେ ଅଟକି ରହିଥିବା କଥାଗୁଡ଼ିକ ପାତ୍ର ଅପାତ୍ର ନ ଭାବି ବାହାରିଗଲେ । କିନ୍ତୁ ସେହିଦିନ କନକ ଭଲ କରି ବୁଝିଗଲା ତାହାର ଜୀବନର ଆଦର୍ଶ ।

 

ସେଇ ଆଦର୍ଶ ହେଉଛି ନିରିମାଖି ଜୀବନକୁ ସଂପୂର୍ଣ୍ଣ ଜୀବନ କରିବାର ଖିଆଲ । ଲୋକସାନକୁ ଭୁଲିଯାଇ ଲାଭର ଆଶାରେ ଜୀବନକୁ ଗଢ଼ି ତୋଳିବା ବହୁଗୁଣରେ ଭଲ । ଛୋଟ ଜିନିଷକୁ ଅତି ଛୋଟ ବୋଲି କହି ପାନପିଙ୍କ ପକାଇଲା ପରି ଫୋପାଡ଼ି ଦେଲେ ସେ ଚାଲିଯିବ ଖତଗଦାକୁ–

 

–ଯାଉ, ପୋଡ଼ିଯାଉ ଏହି ଅତୀତ ଆଉ ତାହାର ଧରାବନ୍ଧା ଭାବନା । ଭବିଷ୍ୟତକୁ ମଣିଷ ରହିବ । କାଲିର ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ ଦେଖିବ । କାଲି ସେ ପୁଣି ପୁଣି ଓଠରେ ଓ ଆଖିରେ ହସ ଖେଳାଇବ । ସେଥିରେ ଗଲା ଦିନରେ ଦୁଃଖ କେଉଁ ଭାଗକୁ ପାଇବ ?

 

ବୋଉ ସେଦିନ ସକାଳେ କନକକୁ ଅଡ଼ୁଆ ଲାଗିଥିଲା–ଆହା, ବିଚାରି । ଛୋଟିଆ ମନର ଛୋଟିଆ ପଣତରେ ଲୁଚାଇ ରଖିବାକୁ ଚାହୁଁଛି କନକକୁ । ତାହାର ମଇଳା ପଣତର କାନିରେ ଧୋଇ ପୋଛି ସଫା କରିବାକୁ ଚାହୁଁଛି ତାହାର କୋଳର ପିଲା କନକର ଭାଗ୍ୟକୁ–

 

ଆହା,ବୋଉ ସିନା ଜନ୍ମ କଲା । ସେ ଆଉ ଭାଗ୍ୟ ଆଣିବ କେଉଁଠୁ ? ଝିଅ କନକର କପାଳର ଦୋଷକୁ ଦୂର କରିବ କେମିତି ? .....ଆସିଲା ଗୋଟାଏ ମିଠା ସପନକୁ ଭାଙ୍ଗି ଦବା ପାଇଁ । କଥା କ’ଣ ନା–ଡେରି ହେଇ ଗଲାଣି ।

 

ନିଜ କଥାରେ ମସଗୁଲ ଥିଲାପରି ବୋଉ କହିଲା–ଭାରି ମନ ଲାଖି ଯାଇଛି କନକର ସୁତପା ପାଖରେ । ତୋର ଭଲ ହେଉ ଲୋ ଝିଅ । ମୁଁ ବଡ଼ ହାଇପି ସାଇପି ହେଉଥିଲି । ବେଳ କେତେ ହେଲାଣି । ମନେ କଲି କନି କ’ଣ କରୁଛି ଦେଖି ଆସେ ।

 

–ଆମେ ପାଞ୍ଚୁଥିଲୁ କନକ ପାଠ ପଢ଼ିବ । ତାହାର ପଢ଼ା କାହିଁକି ବନ୍ଦ କରିଦେଲ ମାଉସୀ ?

–କ’ଣ ଆଉ କରିଥାନ୍ତୁ ? ଆମ ଘରେ ପାଠ ନାହିଁ । ଝିଅଙ୍କର ପାଠ କୁଳକୁ ସହିବ ନାହିଁ । ପୁରୁବାପୁରୁବୀରେ ଝିଏ ପାଠ ପଢ଼ୁ ନଥିଲେ । ଏବେ ପାଠ ଯେମିତି ବଢ଼ିଲା, ଝିଅର ଜାନିଯୌତୁକ ସେମିତି ବଢ଼ୁଛି । ଗରିବଙ୍କୁ ପାଠ ସହୁ ନାହିଁ ।

–ମୁଁ ପଢ଼ିବି, ବୋଉ । ମତେ ଆଉ ବସି ରହିବାକୁ ସୁଖ ଲାଗୁନାହିଁ ।

–ହଉ, ପରେ ବୁଝିବା । ଦାଣ୍ଡମୁଣ୍ଡର ମୁରବି ସେକଥା ବୁଝିବେ ନା ଆମେ ମା ଝୁଅ କଥା ପକ୍‌କା କରିବା ?

–ଯିଏ ଯାହା କହନ୍ତୁ ମୁଁ ସ୍କୁଲକୁ ଯିବି ଏଥର । ମତେ ତମେମାନେ ବାରିଲେ ଆଉ ବାରଣ କଲେ ଭଲ ହେବ ନାହିଁ ଜାଣିଥା । ....କହୁ କହୁ କନକ କାନ୍ଦି ପକାଇଲା ।

–ଇଏ କି କଥା ଲୋ କନି । ପଢ଼ିବା ପାଇଁ କାନ୍ଦଣା କ’ଣ ? ଘରେ ବସି ବସି ପଢ଼ୁ ନାହୁଁ-। ଇସ୍‌କୁଲରେ ଏଇ ଟୋକାଟାକରାଙ୍କ ମେଳରେ କି ପାଠ ହବ ? ଆଉ ସେଇ ପାଠରେ କ’ଣ ଘରଛିଆଣି ହେବ କି ? ତୋର ସୁତପା ଅପାକୁ ପଚାରୁନୁ ।

ସୁତପା ହସି କହିଲା–ମାଉସୀ । ମୋର କଥା ତମରି ଗାଁରେ କ’ଣ କାଟୁ କରିବ ? ମୁଁ ନିଜେ ଭାବୁଛି ଟିକିଏ ପାଠ ପଢ଼ିବି । ଅଧାରୁ ଛାଡ଼ିଛି । ତା’କୁ ଭେରାମୁଣ୍ଡରେ ପହୁଞ୍ଚାଇ ମୂର୍ଖଦୋଷ ଛଡ଼ାଇବି ।

 

–ହେଲା ହେଲା । ତମେ ଦିହେଁ କେଜାଣି କ’ଣ ଭାବି ପାଠ ପଢ଼ିବା ପାଞ୍ଚ କଲଣି, ନା-? ...ଚାଲ୍ କନକ ଘରକୁ ଯିବା । ବଡ଼ ଲୋକଙ୍କର ପାଳିଆ ହୋଇ ଆମେ ଗରିବମାନେ ଚାଲିଲେ ଶେଷରେ ପାହାରତକ ଆମ ପାଇଁ ଆମେ ମୁଲେଇ ରଖିବା ।

ସୁତପା ଆଉ କନକ ଦିହେଁ ଦିହିଙ୍କୁ ଆଖି କଣରେ ଚାହିଁ ହସିଥିଲେ । ନୂଆ ଜୀବନର ସୁଆଦ ଏଇ ବଛରାଇ ଗାଁ ଯେମିତି ଦେବ ବୋଲି ଭାବୁଛି ସେଥିରେ ଏଇ ଗାଁ ନ ଛାଡ଼ିଲେ ମୁକ୍ତି କାହିଁ ? ଜୁଳୁଜୁଳିଆ ପୋକର ଆଲୁଅକୁ ଆକାଶର ତାରା ବୋଲି ଭାବିବା ଯେତେ ଦିନଯାଏ ସମ୍ଭବ ସେତେଦିନ ସପନ ଦେଖିବାର ମାନେ ନାହିଁ । ଆଉ ସପନ ଦେଖି ନ ପାରିଲେ, ବସି ବସି ଆକାଶକୁ ବାନ୍ଧି ନ ପାରିଲେ ମଣିଷ ଜୀବନକୁ ଧିକ ।

ବୋଉ ସାଙ୍ଗରେ ଫେରିଲାବେଳେ ବଛରାଇ ଗାଁର ଦାଣ୍ଡଧୂଳି ସେଇ ଗାଁର ଅଲିଅଳ ଝିଅ କନକର ଗୋଡ଼କୁ ମଇଳାପରି ଲାଗୁଥିଲା । ପାଖ ପଡ଼ୋଶୀଙ୍କର ମାଟି ପିଣ୍ଡା ଆଉ ନଡ଼ାଛପର କନକକୁ ତାହାର ପରିବେଶ ବିଷୟରେ ଖୋଲାଖୋଲି କହି ଦେଉଥିଲା–ଏଇ ଗାଁର କଥାମାନି ଚଳିଲେ ଏତିକି ତୋର କପାଳର ସୀମାରେଖା, ଆଉ ତୋର ସୁଖ ଦୁଃଖର ଚକ୍ରି । ଯେବେ ନିଜର ଗାଁ, ନିଜର ଲୋକ ଓ ଜଣାଶୁଣା କଥାକୁ ଭୁଲି ଡେଇଁ ପଡ଼ିବୁ ଆଗକୁ ତେବେ ବଞ୍ଚିଯାଇପାରୁ । ମରିଗଲେ ଛୁଟି; କିନ୍ତୁ ନ ମରି ଯଦି କୂଳରେ ଲାଗୁ ଆଉ ସେଇଠି ଗୋଡ଼ ଲାଗେ ଓ ଗୋଡ଼ ରହେ ତେବେ ସେଇଟା ହବ ନୂଆ ଜୀବନ ।

….ଏମିତି କ’ଣ ସବୁ ଭାବି ସେଇ ଗାଁର ମୁଲିଆ ପିଲା ଯାଇଛି କଲିକତା, ଟାଟା ଓ ରାଉରକେଲା । ମୁଲ ଲାଗିବ ବୋଲି ଯାଉଛି ଦୂରକୁ । ସେ କ’ଣ ବଛରାଇ ଗାଁର ଚଉହଦିରେ ନିଜକୁ ଓ ନିଜର ମୁଲିଆ ମନକୁ ରଖିପାରିଲା ନାହିଁ ?

 

–ମୁଣ୍ଡରେ ଟିକିଏ ଲୁଗା ଭଲ କରି ଦେ, ଝିଅ । ଆଗରେ ମଉସା କ’ଣ ଭାବିବେ କେଜାଣି ?

 

–ମୁଁ ମୋର ଯିବି, ବୋଉ । ମୋ ସାଙ୍ଗରେ ଏମିତି ଲାଗିଲେ ଲୁଗା ଫୋପାଡ଼ି ଦେବି, ମନେ ରଖିଥା ।

 

ଗାଁ ଦାଣ୍ଡ ମଝିରେ କନକ ବୋଉ ଚମକି ପଡ଼ିଲେ–କି କଥା ଏଇ କନି କହୁଛି ? କିଏ ତା’କୁ କୁହାଉଛି ? କ’ଣ ଚଣ୍ଡିଚାମୁଣ୍ଡା ଗିରାସି ଗଲେ କି ? ଚୁପ୍ ରହିବା ଛଡ଼ା ବାଟ କ’ଣ ?

 

ଗୋରା ମୁହଁର କଜ୍ଜଳକଳା ବାଳ ଉପରେ ସେହି ଦରମଇଳା ପଣତର ଓଢ଼ଣି କନକ ଖସାଇ ଦେଲା । ପୁରା କରି ପାରିଲା ନାହିଁ । କପାଳ ଉପରକୁ ଦେଉଥିଲା । ବେକମୁଣ୍ଡା ତଳକୁ ଖସାଇ ପାରିଲା ନାହିଁ । ମୁଣ୍ଡର ଓ ଜୁଡ଼ାର ମଝିଆମଝି ରହିଗଲା ।

 

ଅଭ୍ୟାସର ଚରିତ୍ର ଆଉ ଚରିତ୍ରର ଅଭ୍ୟାସ ଠିକ୍‌ ଏମିତି । ହଠାତ୍‌ ଧରି ହୁଏ ନାହିଁ । ହଠାତ୍‌ ଛାଡ଼ି ହୁଏ ନାହିଁ । ବଛରାଇ ଗାଁର ମମତା ଏତେ ପୁଟକା ନୁହେଁ ଯେ ଜନକ ଘଡ଼ିଏ ପହରେ କଥା ହୋଇ ଏକାବେଳେକେ ସ୍ଵାଧୀନ ହୋଇଯିବ । ସ୍ଵାଧୀନତା ମଧ୍ୟ ଗୋଟାଏ ଶିକ୍ଷା ।

 

ନିଜ ଘରର କାନ୍ଥ ଭିତରେ ପହୁଞ୍ଚିଗଲା ପରେ କନି ବୋଉ ପଚାରିଲେ–ଆଜି କ’ଣ ଏମିତି ବେହେଡ଼ା ହେଲୁଣି କନି ?

 

କନକ ଚାହିଁଲା ତାର ମା’ର ମୁହଁକୁ । ଆଖିରେ ତାର ରାଗ କ୍ରୋଧ ଓ ଅଭିମାନର ରେଖା ।

 

–କ’ଣ ହେଲି ବୋଉ ? କି ବେହେଡ଼ା ହେଲି ?

 

କନକ ବୋଉ ଚମକି ପଡ଼ିଲେ । ଝିଅର ମନ ମରିଯାଇଛି ସେହି ଅଲକ୍ଷଣା ବରବାପାଙ୍କର କାରବାରରେ । ଭଲ କରି କଥା କହୁ ନଥିଲା । ଏବେ ଏତେବେଳଯାଏ ଖାଇ ନାହିଁ-। ଗାଳିମନ୍ଦ କଲେ କାନ୍ଦିବ, ଋଷିବ କି ଉପାସ ରହିବ । ପରେ ଦେଖିବା...

 

କନିବୋଉ ଚୁପ୍ ରହିଲେ । ଖାଲି ଝିଅକୁ କଟମଟ କରି ଚାହିଁଥିଲେ–ଯେମିତି ପୁରୁଣା କଥା ପୁରୁଣା ଲୋକ ନୂଆ କଥାକୁ ଆଉ ପିଲାଙ୍କୁ ଚାହାନ୍ତି ।

 

କନକ ଆଉ କିଛି କହିଲା ନାହିଁ । ପଦେ ପଦେ କଥାରେ ମଣିଷ ନିଜ କଥା କହିଦିଏ । ଗୋଟାଏ ଶବ୍ଦ, ହୁଙ୍କାର ଓ ଗର୍ଜନରେ ପଶୁପକ୍ଷୀ ତାଙ୍କର ପୂର୍ବପୁରୁଷଠାରୁ ଆରମ୍ଭ କରି ସେହିଯାଏ ସମସ୍ତ କଥା କହି ଦିଅନ୍ତି । କନକର ମନ ଭିତରେ ହତାଶା ବାଟୁଳି ବାନ୍ଧିଛି–ଯେ ବଛରାଇ ଗାଁର ସମସ୍ତ ମଣିଷ ଆଉ ସମସ୍ତ କଥା ଆଉ ସବୁ ଭଲମନ୍ଦ ବିଚାରର ଉପରେ ।

 

ନିଜ ଘରେ ସେଦିନ ସକାଳେ ସେ କୁଣିଆଁ । ଏଇ ଘରଟା ତା’ର ଅଢ଼େଇଦିନିଆ ଧର୍ମଶାଳା । ଏଇ ଗାଁ ତାହାର ଆଉ ଅଳ୍ପ ଦିନର ସାଙ୍ଗ । କନକ ନୂଆ ଜୀବନର ଇସାରା ପାଇଛି । ମନେ ମନେ ସୁତପାକୁ ସ୍ମରଣ କରିଥିଲା ।

 

କାନ୍ଥ ଠାକୁରଙ୍କୁ ଚାହିଁ କହିଥିଲା–ଆଜି ଠାକୁରେ ! ବାଟ ଦେଖାଇଲ । ବହୁତ ଦୂରରୁ ଆଣିଥିଲ ଏଇ ସୁତପା ଅପାକୁ । ବୋଧହୁଏ ଏଇ କନକକୁ ଥରେ ଏମିତି ଦୁଃଖ ସାଗରରେ କୂଳଲଗା କରିଦେବା ପାଇଁ ।

 

ଗୋଡ଼ ଧୋଇ କନକବୋଉ ପଚାରିଲେ–କ’ଣ ସବୁ କହୁଥିଲା ସୁତପା ?

 

–ଏଁ, ତୁ ସେଥିରୁ କ’ଣ ବୁଝିବୁ ? ସେ ବଡ଼ ଘରର ଝିଅ ଆଉ ବୋହୂ । ବହୁତ ଜାଣେ ଆଉ ବୁଝେ ।

 

–ହେଲେ ବଡ଼ ବେମହତୀ ଝିଅ । ଖାଲି ତାହାର ଧନର ଡରରେ ସିନା ଗାଁବାଲା ପାଟି ବୁଜିଛନ୍ତି । ଦିନେ ଅକସ ନେବେ ଯେ ।

 

–ଯା, ମ । ତମର ଗାଁ ବାଲାଙ୍କ କଥା ତାଙ୍କୁ କହିବୁ ସେ ଶୁଣିବେ । ମତେ ସେଗୁଡ଼ାକ ଶୁଣା ନାହିଁ । ....ମଉସା ଦେଖିବେ ଓଢ଼ଣା ପକା .... ମାଉସୀ ଦେଖିବେ ତଳକୁ ଚାହଁ । ....ତୋର ତୁ ମନେ ମନେ ପିଠା ଖାଉଥା । ମୁଁ ଏଣିକି ସ୍କୁଲକୁ ଯିବି ।

 

–ଏ ଗୁଡ଼ାକ ମୋ ଦେହରେ ଯାଏ ନାହିଁ । ସେମିତି ହେଲେ ଦଉଡ଼ି ଦେବି ।

 

–ସ୍କୁଲକୁ ନ ଛାଡ଼ିଲେ ମୁଁ ଦଉଡ଼ି ଦେବି ।

 

ମା ଓ ଝିଅ ଦିହେଁ ଦୁହିଁଙ୍କୁ ଥରେ ଉଣ୍ଡି ନେଇଥିଲେ । ଆତ୍ମହତ୍ୟାର ଧମକ ଦିହେଁ ଦୁହିଁଙ୍କୁ ଦେଇଛନ୍ତି । ଯାହାର ଏହି ସଂସାର ପାଇଁ ଯେତେ ମାୟା ସେ ସେତେ ଡେରିରେ ଆତ୍ମହତ୍ୟା କରିବ-

 

ବୋଉର ରାଗ ତମତମ ମୁହଁକୁ ଚାହିଁ ଥଟ୍ଟା କଲାପରି କନକ କହିଲା–ଏଇ ବଛରାଇ ଗାଁରୁ ଦୁଇଟି ଲୋକ ତରିଯିବେ । ତୁ ଆଉ ମୁଁ ... ଚାଲ୍ ଯିବା ଚଞ୍ଚଳ ।

 

ନିଜର ଇଚ୍ଛାକୁ ଅନୁସରଣ କରି ଦୁଃଖ ଆଘାତ ଓ ଅପମାନରେ ମଣିଷ ଯେଉଁ କଥାଗୁଡ଼ିକ ଠକ୍‌ଠକ୍‌ କହିଦିଏ ସିଏ ହେଉଛି ମଣିଷର ମନର କଥା । ସେଥିପାଇଁ ଲୋକେ କହନ୍ତି–ଯେଉଁ କାମଟି ମଣିଷ କରିବାକୁ ଥାଏ ତାକୁ କରେ ପିଲାବେଳେ । ଦି’ ପତ୍ରରୁ ଗଛର ଗୁଣ ପ୍ରକାଶ ପାଏ ।

 

ବାପ ଭାଇଙ୍କର ସାହାଯ୍ୟ ଉପରେ ଷୋଳଅଣା ଭରସା ନରଖି ନିଜର ଚେଷ୍ଟା ବଳରେ ମଣିଷ ହେବାର କାମ କନକର ଥିଲା । ନଇଲେ କିବା କଥା ? ଏମିତି ସବୁଆଡ଼େ ଶହ ହଜାର ଲକ୍ଷ ସଂଖ୍ୟାର ବାହାଘର ଜୁଟୁଛି ଆଉ ଭାଙ୍ଗୁଛି । ସେହି ଛୋଟ କଥାକୁ ଗୋଟିଏ ବଡ଼ କଥା ମନେ କରିବା ହେଉଛି ସଂସାରର ଯୋଗ ।

 

ସେଥିରେ ପୁଣି କଥାଛଳରେ ହେଉ ବା ବାହାଦୁରୀ ଦେଖାଇବାକୁ ହେଉ ସୁତପା ସେହି ଘଡ଼ିଏ ପହରେ ଯେଉଁ କଥାଗୁଡ଼ିକ କହିଗଲା ସେତକ ପୁଣି ହେଲା ଆଉ ଜଣକର ବହୁତ ବାଟ ଚାଲିବାର ସର୍ବମୋଟ ପାଣ୍ଠି । ପଦେ କଥାରେ ରୁଷି ମାନ କରି ଜଣେ ଜଣେ ଯେମିତି ସବୁଦିନ ପାଇଁ ଘର ଛାଡ଼ି ଦେଶାନ୍ତର ହୋଇଛନ୍ତି ।

 

ବଡ଼ ଓ ସାନ ମଣିଷ ଭିତରେ ଏହି ଗୋଟିକ ଗୁଣ ହେଲା ଫରକ୍‌ । କିଏ ବଡ଼ କଥାକୁ ଛୋଟ ବୋଲି ଉଡ଼ାଇ ଦିଏ ସେ ସଂସାରର ମୁଲିଆ । ଆଉ ପୁଣି କିଏ ଛୋଟ କଥାକୁ ଅତି ମାରାତ୍ମକ କଥା ବୋଲି ଧରି ବସେ–ସେ ହେଉଛି ସଂସାରର ମାଲିକ ।

 

କଥା ଉଠିଲା ନଈର ଭଉଁରୀ ପରି । ଝଡ଼ର ଭଉଁରୀ ପରି । ଧୂଆଁର କୁଣ୍ଡଳୀ ପରି–ସୁତପା କ’ଣ ଆଜି ମନ୍ତ୍ର ଫୁଙ୍କି ଦେଇଛି ଯେ କନି ଉଚ୍ଚାଟ ହେଉଛି । ଗୋଟିଏ ରାହା ଧରୁଛି–ମୁଁ ପାଠ ପଢ଼ିବି ।

 

–ପାଠ ପଢ଼ିବା ନା ଦାଣ୍ଡେଇ ହେବି ?

 

–କେଜାଣି ଲୋ ମା । ପାଠୋଇ ହେବି କି ବାରବୁଲି ହେବି ?

 

–ହୋଇଥିବ । ମନ ଭିତରେ ପାଞ୍ଚିଥିଲା । ପାଠ ହେଲା ବାହାର ଦେଖା ପତିଆରା । ଅସଲ ହେଲା ପାଞ୍ଚ ପଚିଶଙ୍କ ଆଗକୁ ଯିବ ।

 

–ହ, ଏମିତି ଯାଇ ଗୁଞ୍ଜି ହେଇ ପଶିଲେ ଆସି ତୋଳି ନେଇଯିବେ ଘରକୁ । ଲକ୍ଷ୍ମୀଦେବୀ, ଠାକୁରାଣୀ ମା ଆସ–ଆସ ।

 

–କେତେ ଏମିତି ପେଲିପଶି ସାଆନ୍ତାଣୀ ହେଲେଣି । ହେଲେ ଅଣ୍ଟାଗୁଞ୍ଜା ଦେଲେ ଅବା କିଏ କରିପାରେ ? ଏଇଟା ତ ହେଲା ଅଣ୍ଟାଗୁଞ୍ଜାର କାଳ ।

 

–ନାଇଁଲୋ ଝିଅ । ଏହି ଘୋଡ଼ାଚଢ଼ୀ ବୋହୂର କାମ । ତା’ର କାମ ଆମ ଗାଁବାଲାଙ୍କ ମନକୁ ନ ପାଇଲାରୁ ସେ ପରା କାନିରେ ଗଣ୍ଠି ପକେଇ କହିଥିଲା ଥରେ–ଏଇ ବଛରାଇ ଗାଁରୁ ଯଦି ଦି ଚାରି ପୁଞ୍ଜା ବଢ଼ିଆଳ ଝିଅଙ୍କୁ ଦାଣ୍ଡରେ ନ ବସାଇଛି ତେବେ ମୁଁ କି ବୋହୂ ହେଲି ତମ ଗାଁରେ ।

 

–କାହିଁକି ଲୋ, ଏଇ ଡାହାଣୀ ସାଙ୍ଗରେ କନିବୋଉ ତାହାରି ଝିଅକୁ ନେଇ ମିତଣୀ କରୁଥିଲା । ସେ ତ ତାକୁ ଏଣିକି କାନେ କାନେ ଶିଖାଇବା–ଚାଲ୍ ଯିବା ରାତି ଅଧ ହେଲାଣି । ଗାଁରେ ବୁଲିବା ଏଥର ।

 

–ହଁ ମ । ଅଭିନ୍ନଟା ହେଲା ମାଇଚିଆ–ନାମରଦା । ତା’ର କନିଆ ଆଉ କ’ଣ ବା ହୁଅନ୍ତା ? ରାତି ଦି’ ପହର ହେଲାବେଳକୁ ଆମକୁ ଧରେ ନିଆଁ ଲଗା କାଳନିଦ । ସେତେବେଳେ ସେ ଯୁଆନ ଭେଡ଼ୀ କ’ଣ କରୁଛି କିଏ ବା ଖବର ରଖେ ?

 

ସୁତପା ପାରୁପର୍ଯ୍ୟନ୍ତ ଗାଳି ଖାଇଲା । କନକକୁ ଶିଖାଇଥିବାରୁ ସେ ହେଲା ଗାଁରେ ଦୋଷୀ ।

 

ଗାଁ ମୁରବୀର କାମ ହେଲା ଗାଁକୁ ଠିକ୍‌ ରଖିବା । ଏଠି ଯେତେ ଦୁଧ ଗାଲ ଭାଙ୍ଗି ନଥିବା ଟୋକିଏ ଯାଇ ଆପଣା ମନକୁ ମାମଲର କରିବେ ବୋଲି ଫୁକାରିବେ ତେବେ ଜଳିଯାଉ ସେଇ ଗାଁ–

 

କନକ ଗାଳି ଖାଇଲା–ଓଲିଟାଇ ବୋଲି । ସୁତପା ତା’କୁ ନେଇ କେତେବେଳେ ନିଶୁଆ ଟ୍ରକ ଡ୍ରାଇଭର ପାଖରେ ଥୋଇ ଦବ–ସେ ଖବର କନି କି ତା’ର ସେହି ଓଲମି ବୋଉ କେତେବେଳେ ପାଇବ ଜାଣ ? .....କନକ ଯାଇ କେଜାଣି କୋଉଠି ଜଙ୍ଗଲ ଭିତରେ ଯେତେବେଳେ ହାତ ଗୋଡ଼ ବଂଧା ହୋଇ ପଡ଼ିଥିବ ।

 

ଚାରିଆଡ଼େ କୁହାଟ ଶୁଭିଲା । ଘୋର ବିପଦ ମାଡ଼ି ଆସୁଛି ଗରିବର ଝିଅ କନକ ନୂଆ କଥା କରିବାକୁ ଅଝଟ ହେଉଛି । ଆଉ ତାହାର ଗୁରୁମା ହେଉଛି ଆଉ ଗୋଟିଏ କୁଳବୁଡ଼େଇ–ନିଜେ କାହିଁକି ଚୂନକାଳି ଘେନିବ ? ଘେନନ୍ତୁ ସମସ୍ତେ ।

 

ଆହା–ହା । ପିଲାଟା ଭାରି ଭଲ । କିଛି ଠଉରାଇ ପାରେନାହିଁ । ସେ କୁଆଡ଼ୁ ଏହି ଦୋଚାରୂଣୀ ମନ୍ତ୍ରର ଓଲଟା ଯନ୍ତ୍ର ଯାଣିବ ? ଖରାପ ଜିନିଷ ସମସ୍ତଙ୍କୁ ଆଣି ଖରାପ କରିଦିଏ । ଭଲ କିଏ ଥିବ ନା ଖରାପକୁ ଖୁଣିବ ?

 

ସମସ୍ତେ ସାବଧାନ । ସୁତପା ହେଉଛି ଗାଁର ଗଳଗ୍ରହ । ସେ ମାରାତ୍ମକ ବିଷ । ତାହା ପାଖକୁ କେହି ଯାଅ ନାହିଁ । କେହି କଥା କର ନାହିଁ । ସେ ଏକୁଟିଆ ହୋଇ ପଡ଼ିଥାଉ । ଯଦି ଶିକାର ଧରିଛି କନକକୁ–ତେବେ ସେ ଖାଉ ତା’କୁ । କପାଳ ଖରାପ ବୋଲି ସିନା ଏତେ ସୁନ୍ଦର ବରଘର ଭାଙ୍ଗିଗଲା । ସେମାନେ ରାଜି ହୋଇଥିଲେ ଦି ମାସକରେ ସେ ଯାଇ ଆଉ କେଉଁଠି ହାଣ୍ଡି ଧୋଇଥାନ୍ତା । ଏଠି ଫାଟ ହୁଅନ୍ତା କାହିଁକି ?

 

ଯେ ଯାହା ନକରିବା କଥା ସେ ସେଇଆ କରି ବସିଲେ ଖାଲି ଗାଁ କାହିଁକି ବଡ଼ ବଡ଼ ଜାଗାରେ ବି ମାଟି ଦୁଲୁକେ । ମଣିଷ ସବୁବେଳେ ଜାଣିଥିବା କଥାକୁ ମନେ ରଖିବାରେ ଅଭ୍ୟସ୍ତ । ସେହି ରାସ୍ତାରୁ କେହି ବାହାରି ଯିବାକୁ ସଜହେଲେ ବୋହିଯାଏ ଆଲୋଚନା ଓ ସମାଲୋଚନାର ଝଡ଼ । ଏଇଟା ପୃଥିବୀର ସତକଥା–ଖାଲି ବଛରାଇ ଗାଁରେ କନକ ପାଇଁ ନୁହେଁ ।

 

ଏହି ଥଟ୍ଟା ପହଳିରେ ଆକ୍ରମଣ ପ୍ରଥମେ ବାଟ ଭାଙ୍ଗି ନୂଆ ବାଟ ଖୋଲୁଥିବା ଲୋକର ଦମ୍ଭକୁ ପରୀକ୍ଷା କରେ । ଯିଏ ଏହି ସମାଲୋଚନାର ସହାନୁଭୂତିରେ ଡରି ନଗଲା ସେ ଆଗେଇଲା ପାହାଚେ ।

 

ସୁତପା ଖବର ପାଇଲା ଶାଶୁଙ୍କଠାରୁ । ସେ ମୁହଁ ଓହଳେଇ–ନୁହେଁ ଡର ନୁହେଁ ସାହସ–ଏହିପରି ଭଙ୍ଗୀରେ ପଚାରିଲେ–କଥାଟିଏ ପଚାରିବାକୁ ଭାବୁଛି ବୋହୂ । ଏଇ ... ଗାଁରେ ଡିବିଡ଼ିବି ବାଜୁଛି ଯେ ତମେ କନିକୁ ପାଠ ପଢ଼ାଉଛ । ସେଠି ହାଲୁହାଲୁ ହେଉଛନ୍ତି ।

 

–ତମର ଏହି ଗାଁକୁ ବୋଉ ଶତକୋଟି ଜୁହାର । ଏଠି ରହିଲେ ରହିବେ ଏଇ ଗାଁର ପିଲାପିଚିକା । ନହେଲେ କ’ଣ ଆଜିଯାଏ ଦି ଟୋକେଇ ନାଲି ଗୋଡ଼ି ଏହି ରାସ୍ତାକୁ ଆସି ପାରନ୍ତା ନାହିଁ ।

 

–ନାହିଁ ଗୋ ବୋହୂ । ସେ କଥା ନୁହେଁ ଯେ !

 

–ମୁଁ ଜାଣେ । କନକ କହୁଥିଲା ପଢ଼ିବ ବୋଲି । ମୁଁ କହିଲି–ହଁ ପଢ଼ । ତମେ ଦେଖି ନାହଁ ତା’କୁ ? ପଅରଦିନ ସକାଳେ ଆସିଥିଲା ମୋ ସାଙ୍ଗରେ । ଆଉ ଏଠି ଠାକୁର ଘର କ’ଣ ମାରା ହେଇଗଲାଣି ।

 

–ହଁ, ଏଇ ଗାଁଟା ସେମିତି ବଡ଼ପାଟିଆ । ସେଇ କଥାକୁ ଏବେ ତିଳରୁ ତାଳ ହୋଇ ଗାଁ ଦାଣ୍ଡରେ ନନ୍ଦିଘୋଷ ଚାଲିଲାଣି ।

 

ବିରକ୍ତ ହୋଇ ସୁତପା ଚାଲିଗଲା–ଶାଶୁଙ୍କୁ ଶୁଣାଇଲା ପରି କହିଲା–ଯିବେ ଯେ ଗାଁର ବଡ଼ ସାନ ସମସ୍ତେ । ରଥ ଦଉଡ଼ି ଟାଣିବାକୁ ।

 

ସୁତପା ମନକୁ ମନ କହୁଥିଲା–କେବେହେଲେ ବାଲିଗରଡ଼ାକୁ ଶାଳଗ୍ରାମ ପୂଜା ଦବ ନାହିଁ । ଦେଲେ ବାଲିଗରଡ଼ା ଫୁଲି ଉଠି ଶେଷରେ ସପନ ଦେଖେଇବ–ଭୋଗ, ପୂଜା ସବୁ ମାଗିବ-। ବଛରାଇ ଗାଁରେ ନନ୍ଦିଘୋଷ ଚାଲିଲାଣି–କଥା କ’ଣ ନା, ଗାଁ ଝିଅଟିଏ ପାଠ ଛାଡ଼ିଥିଲା ପୁଣି ପାଠ ପଢ଼ିବ । ଏଇଆ ହେଲା ଜୀବନ ମରଣର କଥା–

 

ବଛରାଇ ଗାଁର ଧୁଳିକଣାକୁ ଧନ୍ୟ ଧନ୍ୟ କରି ସୁତପା ଚାହିଁଥିଲା ଝରକାବାଟେ ବିଲ ଭିତରକୁ । ସେଠି ମୁଣ୍ଡରେ ଗାମୁଛା ପାଗ ବାନ୍ଧି ଟୋକେଇ ଧରି ଖତ ଲଗାଉଥିଲେ । ଆଉ ଖଣ୍ଡେ ଦୂରରେ ଓଦରରେ ଖତ ନେଇ ଶଗଡ଼ିଆ ଦି’ଜଣ ଯାଉଥିଲେ । ସୁତପା ଦେଖିଥିଲା ସେହି ଛୋଟିଆ ବଳଦମାନଙ୍କୁ ଆଉ ତାଙ୍କ ସାଥିରେ ଛନ୍ଦ ପକାଇ କାମ କରୁଥିବା ଶଗଡ଼ିଆ ଭାଇ । ତାହାର ମଇଳା ଗାମୁଛା, ଛିଣ୍ଡା ଟୋକେଇ ଆଉ ସେହି ଅପୂର୍ବ ଖତକୁ ।

 

ଏହି ଖତମାଟିର ସମାନ ମଣିଷ ବଛରାଇ ଗାଁ ଦାଣ୍ଡର ଦୋଳ ମଣ୍ଡପ ପାଖରେ ପୃଥିବୀର ସମସ୍ତ କଥା ଉପରେ କଥା କହନ୍ତି । ପାଖରେ ତାଙ୍କର ନାଲିଆ କାଳିଆ ଗାଁ କୁକୁର ପୁଞ୍ଜାଏ ବି ପ୍ରତାପ ଦେଖାଉଥାନ୍ତି । ସେଠି ଥାନ୍ତି ସବୁପ୍ରକାର ଲୋକ–ଧର୍ମ ଯୁଧିଷ୍ଠିର, ଶକୁନି ମନ୍ତ୍ରୀ ଆଉ ରାଜା ଦୁର୍ଯ୍ୟୋଧନ–ସମସ୍ତେ ।

 

ସେହି ସଭାରେ ନିଶ୍ଚୟ ବସ୍ତ୍ରହରଣ ହେବ । ଦ୍ରୌପଦୀ ମହାରାଣୀ ମିଳିବେ କୁଆଡ଼େ ? କାମ ଚଳିଯିବ ସୁତପା ଆଉ କନକକୁ ନେଇ । ସମସ୍ତେ ମିଶି ମିଶି ମୁହଁରେ ନୀତି ନିୟମ ବୋଲି ସୁତପା ଓ କନକକୁ ଲଙ୍ଗଳା କରି ଆନନ୍ଦ ପାଇବେ ।

 

…ହଉ ସେ କଥା । ଯେତେ ଶୀଘ୍ର ହୁଏ ଭଲ । ମଣିଷର ବଡ଼ ଶତ୍ରୁ ତାହାର ପିନ୍ଧା ଲୁଗା-। ଲୁଗା ଯଦି କେହି ନେଇଯାନ୍ତା ଆଉ ସେମିତି ଲଙ୍ଗଳା କରି ରାସ୍ତାରେ କୋଶେ ବୁଲେଇ ଆଣନ୍ତା ତେବେ ଅନେକ ସ୍ତ୍ରୀ ଲୋକ ଚିରଦିନ ପାଇଁ ସଂସାରର ଏହି ଜଞ୍ଜାଳରୁ ମୁକ୍ତି ପାଇଯାନ୍ତେ ।

 

Unknown

ନାରୀର ବଡ଼ ଶତ୍ରୁ ହେଉଛି ତାହାର ଢାଙ୍କୁଣୀ ପିନ୍ଧା ଲୁଗା । ଯେଉଁ ବସ୍ତ୍ରରେ ସେ ନିଜକୁ ଲୁଚାଇ ଲାଜ ସଂକୋଚ ସମ୍ଭ୍ରମର ଓଢ଼ଣୀ ପକାଇଥାଏ ସେହି ତାହାର କାଳ–ସେହି ତା’କୁ କରି ଦେଇଛି ନିଃସ୍ଵ, ନିସହାୟ ଓ ନିସମ୍ବଳ ।

 

ଏଇ ଲାଜକୁ ହରିନେବେ ବୋଲି ଏତେ ଲୋକ ଭୟ ଦେଖାଇଛନ୍ତି ଯେ ନାରୀ ତିନି ଚାରୋଟି କରି ଶିଙ୍କୁଳି କୋଲପ ଦେଇ ନିଜକୁ ଲୁଚାଇ ରଖିଛି–ନାନା ପ୍ରକାରର କୌଶଳ ଭିତରେ-। ନିଜେ ନିଜର ଆଦର୍ଶରେ ବାନ୍ଧି ହୋଇ ରହିଛି, ସେଥିପାଇଁ ତାହାର ଉପରେ ଚର୍ଚ୍ଚା–ପରଚର୍ଚ୍ଚାର ନିର୍ଯ୍ୟାତନା ।

 

କଥା ମାଡ଼ରେ ମଣିଷ ମରେ ନାହିଁ । ତାହାର ଆଦର୍ଶ ବାଧାପାଏ ନାହିଁ । ତାହାର ମନର ବଳ ପରଖି ହୁଏ । ବଛରାଇ ଗାଁର ପିଲାବୁଢ଼ା ସମସ୍ତେ ଏକାଠି ଏହି ସମସ୍ୟାରୁ ଆଲୋଚନା ଆରମ୍ଭ କରିଦେଲେ ।

 

–ଭୁଲ୍‌ ନା ଠିକ୍‌ ? ...କେତେ ଦୂର ଭୁଲ୍‌ ଆଉ କେତେଦୂର ଠିକ୍‌ ?

 

ଯାହାର ଯାହା ଉପରେ ଅନ୍ୟ କାରଣରୁ ଅକସ ଅଛି ସେ କେମିତି ସହମତ ହେବ ? ଏଠୁସେଠୁ ଦଳେ ବାହାରିଲେ–ମାଇପେ ଦି’ ଜଣ ଭଲ ପାନେ ଦେଇଛନ୍ତି ଏଇ ଗାଁର ବୁଢ଼ା ହାଡ଼ଙ୍କୁ-। ବିଲ ମୁଣ୍ଡରେ ବାସ–ଏଣେ କଥା ଚାଲୁଛି ଯେ ବାହାଘର ରୋଷଣୀର ହାବେଳୀ ବାଣ-

 

ଯିଏ ଭଲ କରି ଦେଖି ନ ଥିଲେ ଲୁଚିଛପି ଦେଖିବା ପାଇଁ ସୁତପାର ଓର ଉଣ୍ଡିଲେ । ବୋହୁ କ’ଣ ମ ? ବାରୁଦ ଖଣି । ସେ ଡରିବାବାଲୀ ନୁହେଁ–କହିଛି ପାଠ ପଢ଼ିବି । ପାଠ ପଢ଼େଇବି-। ଅଲବତ୍‌ କରିବି ।

 

ସୁତପା ଗାଁରେ ଗୋଟାଏ ଅଦୃଶ୍ୟ ଶକ୍ତି ହୋଇଗଲା । ତା’କୁ ନେଇ କେତେ ଲୋକ କଳ୍ପନାର ଜାଲ ବୁଣିଲେ । ବଡ଼ ସୁନ୍ଦର, ବଡ଼ ଗୁଣର, ବଡ଼ ସାହସୀ, ବଡ଼ ଭଲ–ବୋହୁ ହବ ଜେ ଏମିତିକା । ଦରକାର ପଡ଼ିଲେ ଦବ ଗୋଟାଏ ଥାପଡ଼ । ଆଉ ମାଡ଼ୋଇ ହୋଇ କୁଟୁଣା ଖାଇ ଜୀବନଟା ବିତେଇବ କାହିଁକି ?

 

ଢିଙ୍କି ଲାଞ୍ଜ ଉପରେ, ଛତୁ ଫୁଟା ଗୁହାଳ କରରେ ବି ଆଲୋଚନା ହେଲା–ଅଭିନ୍ନ ଭୁଆସୁଣୀର ସାହସ ବିଷୟରେ । ସେ କୁଆଡ଼େ ମୁହେଁ ମୁହେଁ କହିଦେଲା– ସବୁ ଗହଣାଗାଣ୍ଠି ବିକି ଦେଇ ଏଠି ମାଇପଙ୍କ ସ୍କୁଲ ବସାଇ ଦେବି । ସମସ୍ତେ ପାଠ ପଢ଼ିବେ ।

 

ଅନେକଙ୍କର ଅଧାଡ଼ୁଆ ଜୀବନରେ ପୁଣି କଳ୍ପନାର କଜଳ ଲାଗିଗଲା–ଆମେ ଦି’ଅକ୍ଷର ଏହି ସୁବିଧାରେ ପଢ଼ିନେଲେ ଭଲ ହୁଅନ୍ତା । ଏଇ ମୂର୍ଖ ଜୀବନକୁ ଧିକ୍‌–କେତେ ଏବେ ମଣିଷ ଗୁହାଳ ପୋଛିବ; ଧାନ ଉଷେଁଇବ ଆଉ ଦୁଆର ଲିପିବ ? ଏଇଆ କ’ଣ ଜୀବନ ?

 

ଯେତେଲୋକ ଜୀବନକୁ ଧିକ୍‌କାର ଦେଲେ ସେହି ସମସ୍ତେ ମନେ ମନେ ତାରିଫ୍‌ କଲେ ସୁତପାକୁ–ଅଳ୍ପ ଦିନର ଭୁଆସୁଣୀ ହେଲେ କ’ଣ ହେଲା ? ସମସ୍ତଙ୍କୁ ବେଖାତିର କରି ପଦେ କଥା କହି ହଲେଇ ଦେଇଛି ମଞ୍ଜ ।

 

ଲୁଚିଛପି ଯାଇ ନିଜର ବୁଦ୍ଧି ଓ ସାହାସ ଅନୁସାରେ ସୁତପାକୁ ସାବାସ ଦେଇ ଆସନ୍ତି । ଫେରିଲା ପରେ ତାଙ୍କର କିନ୍ତୁ ଗୋଟିଏ ଅଭିଯୋଗ ହୁଏ–ଅଭିନ୍ନର କନିଆ ଟିକିଏ ଉପରମୁହୀଁ । ମାନଥାନ ଊଣା ।

 

ସମସ୍ତଙ୍କର ଆକଟକୁ ନିଜର ଅଝଟର ରାହାରେ ହଟେଇ ଦେଇ କନକ ଫେରି ଆସିଲା ସୁତପା ପାଖକୁ–ଅପା, ଗାଁ ଲୋକଙ୍କର କଥାର ବାଡ଼କୁ ଡେଇଁ ଚାଲି ଆସିଛି । ମତେ ତଡ଼ି ଦବ ନାହିଁ ?

 

ଆଉଁସି ଦେଇ ସୁତପା କହିଥିଲା–ଭଲ କଲୁ । ପାଞ୍ଚ ତିନିଟା ବର୍ଷରେ ନିଜେ ନିଜପରି ହେଇଯିବ । କିଏ ମନେ ରଖୁଛୁ ଗାଁର ସାହୀ ଭାଇଙ୍କର କଥା–ଟିକିଏ ହସି, ମିଠା ବ୍ୟବହାର ଦେଖେଇଲେ ତମେ ଗୋଟିପଣି ତାଙ୍କର । କ’ଣ ବା ଦରକାର ସେମାନଙ୍କର ? ଟିକିଏ ଲାଜ, ଟିକିଏ ଡର, ଆଉ ଗୋଟିଏ ମୁଣ୍ଡିଆ । ...କହି ହସିଲା ।

 

–ହସିଲ କାହିଁକି ଅପା–

 

–ହଁ, ହସିଲି ଯେ, ମୁଣ୍ଡିଆ ମାରିଲେ ଟିକିଏ ଆଉଁସି ଦେବେ । ହାତକୁ ନରମ ଲାଗିବ-। ମୁରବୀର ପାଉଣା ମିଳିଗଲା–ଜାଣିଛି ପରା ଗାଁରେ ଏହି ଯେଉଁ ବୋହୁଯାକ ବୁଲି ବୁଲି ମରଦ ମୁରବିଙ୍କର ଗୋଡ଼ ଘଷନ୍ତି–ଆଉ ପୁଣି ସେତକ ଦିନର ଆଲୁଅରେ ନୁହେଁ । ରାତିର ଅନ୍ଧାରରେ–ସେଇ କଥା ଭାବି ହସିଲି ।

 

କନକ ଚାହିଁ ରହିଲା ।

 

ତାହାର ଓଠକୁ ଟିକିଏ ଚିପି ଦେଇ ସୁତପା କହିଲା–ଖବର ନିଅନି । ଜାଣିବ ଯେ ଭୁଆସୁଣୀର ଘସାଆଉଁସା ପଛରେ ରହିଛି କେତେ ପ୍ରକାରର ପାପ ଅନୀତିର ପୁରାଣ । ପାଠର ମାତ୍ରା ବଢ଼ିଲେ ଏହି କାମର ଆକାର କମିବ । ଚରିତ୍ର ଅନ୍ୟ ପ୍ରକାରର ହୋଇଯିବ ।

 

–ସେମାନେ ଯେଉଁ ଚରିତ୍ରର ମହିମା ଗାଉଛନ୍ତି, ସେ ଚରିତ୍ର ଏକାବେଳେକେ ଲୁଚିଯିବ-

 

କନକର ଆଖିରେ ସୁତପା ପାଇଁ ପ୍ରଶଂସା । କେତେ ସାହସ ଦେଇ କନିକୁ ସେ ଠିଆ କରି ଦେଇଛି ।

 

କନକର ସେହି ଆଖି ଦୁଇଟିକୁ ଚାହଁ ସୁତପା ପଚାରିଲା–ଗୋଟାଏ କଥା ପଚାରିବି । ଲୁଚେଇବ ନାହିଁ ।

 

–ନା–କନକର ଛାତି ଭିତର ଥରି ଉଠିଲା ନିଜର ଅଜାଣତରେ ।

 

ହସି ସୁତପା କହିଲା–କହିଲୁ କନକ । ତୁ ଏଇ ଗାଁରେ କାହାକୁ ଭଲ ଆଉ କାହାକୁ ଖରାପ କହୁ । .....କେହି କ’ଣ ତୋତେ ଲୋଭେଇ ନାହିଁ ।

 

କନକର ଛାତି ଚଞ୍ଚଳ ହୋଇଗଲା । ଏଇ ଅଭିନ୍ନ ଭାଇ ତା’କୁ ଅନେକ ଚାଟୁକଥା କହିଥିଲେ । ସୁତପା ଅପାକୁ ସେ କେମିତି କ’ଣ କହିବ ?

 

–ନାହିଁ, ମ ଅପା । ମତେ ଆଖି ପକାଇବ କିଏ ? କିନ୍ତୁ ମୁହଁ ରଙ୍ଗା ପଡ଼ିଗଲା ।

 

–ହଉଲୋ କନକ । ଲୁଚାଇବାକୁ ଚାହୁଁଛୁ । ଏଣେ ତୋର ମୁହଁରେ କିଏ ଅଭିର ଛାଟି ଦେଇ ଗଲାଣି ।

 

ମୁହଁରେ ସତକୁ ସତ ଅଭିର ଲାଗିଛି ବୋଲି ଭାବି କନକ ମୁହଁରେ ହାତ ବୁଲେଇ ଆଣିଲା । ସୁତପା ହସିଲା–

 

ହସି କହିଲା–ସେମିତି ନୁହେଁ । ମିଛ କହିବୁ ତ ମନେ ରଖିଥିବୁ ଡାହାମିଛ ଚଳେ ନାହିଁ-। ମିଛରେ ସତ କଥାର ରଙ୍ଗ ବୋଳି କହିଲେ ମିଛ ପାର ପାଇଯିବ । ଏକାବେଳେକେ ଭୁରୁଡ଼ ମାରିଲେ କେହି ସତ ମଣିବେ ନାହିଁ । କହିବା ଦରକାର ନାହିଁ । ମୁଁ ଜାଣିଲି ଯେ ତୁ ଏକାବେଳକେ ପିଲା ନୋହୁଁ । ଜାଣିଛୁ କିନ୍ତୁ ଭଲ କରି ବୁଝିନାହୁଁ ।

 

କନକର ମୁହଁ ବନ୍ଦ ହୋଇଗଲା । ଅତୀତର ଇତିହାସ ସବୁବେଳେ ଯନ୍ତ୍ରଣାଦାୟକ । ଅତୀତର ଅର୍ଥ ହେଲା ନ ହେବା କଥାର ଭୁଲଭଟକାର ମାଳା । ଗାଁର ଅନାଚାରୀଙ୍କର ହାତ ନ ବାଜି କେହି କ’ଣ ଜୀବନର ଷୋଳଟି ପୃଷ୍ଟା ଓଲଟାଇ ପାରିବ ?

 

ଦୋଷୀର ଅସହାୟତାକୁ ବଳ ଦେବାକୁ ସୁତପା କହିଲା–ଭୁଲକୁ ଭୁଲ ବୋଲି ଭାବିଲେ ଦୁଃଖ ଲାଗିବ । ଭୁଲକୁ ଠିକ୍‌ ବୋଲି ଭାବି ସାବାସ ଦେଇ ପାରିଲେ ସେହି ହବ ତୋର ଫୁଲହାର । ଭୁଲ୍‌ଠିକ୍‌ ଏଇ ସଂସାରର ମଣିଷ ମନର ତିଆରି କଥା–

 

–ଯାହା ତୋ’ପାଇଁ ଠିକ୍‌, ମୋ’ ପାଇଁ ଭୁଲ୍‌ । ଆଉ ଯାହା ମୋ’ ପାଇଁ ଠିକ୍‌, ସେଇ ତୋରିପାଇଁ ଭୁଲ୍‌ । ଯାହା ଅନ୍ୟମାନଙ୍କର ଦୋଷ, ସେ ତୋର ଦୋଷ ନୁହେଁ । ବଳାତ୍କାର, ଭଣ୍ଡାମି କେବେହେଲେ ତୋର ମୂର୍ଖତା ନୁହେଁ । ଏତିକି ମନେରଖିବୁ କେବେହେଲେ କୌଣସି ସ୍ତ୍ରୀକୁ ଖରାପ ବୋଲି କହିବୁ ନାହିଁ–କେମିତି ତୁ ଜାଣିବୁ କ’ଣ ପାଇଁ କିଏ କ’ଣ କରିପକାଇଛି ? ତାହାହେଲେ ତୁ ବଡ଼ ହୋଇପାରିବୁ ।

 

ଛଳ ଛଳ ଆଖିରେ କନକ ପଚାରିଲା–ମୁଁ ତ ପାପୀ । ମୁଁ ବଡ଼ ହେବି କେମିତି ?

 

–ଆଲୋ ସଂସାରରେ ବୋଧେ ଷୋଳଅଣା ଲୋକ ପାପୀ । କିଏ ଚିରଦିନ ପାପୀ ଆଉ କିଏ ଦିଦିନ ତିନିଦିନିଆ ପାପୀ । ଠାକୁର ସମସ୍ତଙ୍କର–ପାପ ନ ଥିବାର ଗର୍ବ ସେ କାହାରି ସହନ୍ତି ନାହିଁ ।

 

–କେଜାଣି ।

 

–ପାପ ହେଲା ସଂସାରର ଖତ । ପାପ ନ ଥିଲେ ସୃଷ୍ଟି ନ ଥାନ୍ତା । ଅନୀତି ନ ଥିଲେ ମଣିଷ ଆଉ କରନ୍ତା କ’ଣ ? ମୁଁ ଭଲ କରି ଜାଣେ ସଂସାରର ମାୟା ଏଇ ଅନୀତି, ଅନାଚାରର ଆଉ ଗୋଟିଏ ନାଁ । ଯିଏ ପାପ କରି ନାହିଁ ସେ ସଂସାରପଣିଆକୁ ଅଯୋଗ୍ୟ ।

 

ଦକ୍ଷିଣା ପବନ ବଛରାଇ ଗାଁ ଭିତରକୁ ଉଡ଼ାଇ ଆଣୁଥିଲା ରାତିର ଅନ୍ଧାର । ସୂର୍ଯ୍ୟ ବୁଡ଼ିଗଲା ବେଳେ ତାଙ୍କର ନାଲି ମୁହଁ ଦେଖାଇ କହୁଥିଲେ–ଏମିତି ମଣିଷ ପାପ କରି ପୁଣ୍ୟ ଶିଖେ-। ଅନ୍ୟାୟ କରି ନ୍ୟାୟ ଶିଖେ । ପଶୁରୁ ମଣିଷ ହୁଏ ।

 

ତାହାର ଜୀବନ ଭୁଲ୍‌ର ମାଳା । ସେହି ମାଳାକୁ ଯେ ଲୁଚାଇ ଛପାଇ ବସିଯାଏ ସେହି ଦୁଃଖ ଦୁର୍ଦ୍ଦଶାରେ ହନ୍ତସନ୍ତ ହୁଏ । ଆଉ ସେହି ଭୁଲକୁ ଯେ ନିଜର ଭୁଲ୍‌ ମନରେ ସାଇତି ତାହାର ରୂପଗୁଣ ଅବିଗୁଣ ପରଖେ–ସେହି ପାଏ ନିର୍ଭୁଲର ବାଟ ।

 

ଭୁଲ ଅଛି କି ନାହିଁ–ଆଉ ଥିଲା ଯେବେ କେତୋଟି ଥିଲା–ସେତକ କାମ ସଂସାରର ପରନିନ୍ଦକଙ୍କର । କହି କୁହାଇ ଶୁଣି ଶୁଣାଇ ତାଙ୍କର ଜୀବନ ଦୀପ ଜଳି ଜଳି ଲିଭିଯାଏ । ଏଣେ ସଂସାରରୁ ଭୁଲ୍‌ର ଗାର ଲିଭେ ନାହିଁ ।

 

ଏହି ହିଂସ୍ର ପରର ମାନ ଅପହରଣକାରୀ ସମସ୍ତଙ୍କ ନାଁରେ ଅପବାଦ ଆଣନ୍ତି–କେତୋଟି ସତ ଆଉ କେତୋଟି ମିଛ କହି ।

 

–ପୁରାଣର ସତୀମାନଙ୍କର ସମାଜରେ ପୁରୁଷର ଲୋଭମିଶା ଆଖି ସେମାନଙ୍କ ଉପରେ ପଡ଼ୁଥିଲା କି ନାହିଁ–ସେକଥାର ବର୍ଣ୍ଣନା ନାହିଁ । ସେମାନେ କହିଯାଇଛନ୍ତି ଭୁଆସୁଣୀର ସତୀତ୍ଵ କଥା । ଅଭିଆଡ଼ିର ସତୀ ବା ଅସତୀ ହେବା ବିଚାରର ବାହାରେ ।

 

ସତୀତ୍ଵ ହେଉଛି ନାରୀର ଗୋଟାଏ ଭୂଷଣ । କିଏ ତା’କୁ ବେଶ୍ ଜାକଜମକରେ ପିନ୍ଧେ-। ଆଉ କିଏ ତା’କୁ ପିନ୍ଧିଲେ ମଧ୍ୟ ଡାକହାକ କରେ ନାହିଁ । ଯେତେ ଲୋକଙ୍କ ଘରେ ଘରଣୀ ଅଛନ୍ତି–ସେହି ଘରଣୀଙ୍କ ଭିତରେ ଅସତୀ ଅତି ନଗଣ୍ୟ । ତେବେ ବି କେହି ସାରାଜୀବନ ଅସତୀ ରହେ ନାହିଁ ।

 

ସତୀ ଅସତୀ ଖୋଜିବାକୁ କେହି ଘରର ଘରଣୀ ଆଡ଼େ ଆଖି ପକାନ୍ତି ନାହିଁ । ସମସ୍ତଙ୍କର ଆଖିର ବିଜୁଳି ମୋହିଁଥାଏ ତାହାର କୁଆଁରୀ ଜୀବନର କେଇଟି ବର୍ଷ ଆଡ଼କୁ । ଯେତେବେଳେ ସେ ଜାଣି ନ ଥାଏ ଓ ବୁଝି ନ ଥାଏ । ଆଉ ଆଖିରେ ତା’ର କଳ୍ପନାର ରଙ୍ଗୀନ ସପନ ଆଉ ହୃଦୟରେ ଥାଏ ସୀମାହୀନ ପ୍ରୀତି, ସମବେଦନା ଆଉ ବନ୍ଧୁଭାବେ ସେତିକିବେଳେ ନିଆଁ ପାଖକୁ କୀଟପତଙ୍ଗ ଧାଇଁଲା ପରି ନାନାପ୍ରକାରରେ ଛଇଳ ବେଶରେ ମଣ୍ଡିହୋଇ ଆସନ୍ତି ଅନେକ ।

 

ସେହି ସମୟର କାହାଣୀ ହେଉଛି ସଂସାରର ତରଳ ତରୁଣ ସମାଜର ସମ୍ବାଦର କେନ୍ଦ୍ର ବିନ୍ଦୁ । ଏମିତି କେନ୍ଦ୍ର ବିନ୍ଦୁରେ ଧରା ହୋଇଥିଲେ କନକ ଆଉ ସୁତପା ।

 

ସୁତପାର ଏହି କୁଆଁରୀ ଜୀବନର ଇତିହାସ କଟିଥିଲା କଲିକତା ସହରରେ । ସେଠି ଚରିତ୍ରର ବର୍ଣ୍ଣନା ଅଲଗା । ଅନ୍ତତ ଗାଉଁଲି ବର୍ଣ୍ଣନାଠାରୁ ଢେର ଅଲଗା ।

 

ଗାଁରେ ଚରିତ୍ର ଥାଏ ମୁହଁର ଶୋଭାରେ–ସେଇ ଶୋଭା ଦିଶିଗଲେ ଚରିତ୍ରରେ କଳଙ୍କ ଲାଗେ । ସହରରେ ଚରିତ୍ର ଥାଏ କଳଙ୍କର କ୍ଷତରେ–ଯିଏ ଡାକିହାକି ଚରିତ୍ରକୁ ନଷ୍ଟ କରିବାକୁ ଯାଇ ଏଣେତେଣେ ନିଜକୁ ସଜାଇଛି ଅନ୍ୟର ଦେହ ପାଖରେ । ତଥାପି ଯେତେବେଳେ କୁମାରୀ ଏହାକୁ ନିନ୍ଦା କରି, ଅପସନ୍ଦ କରି ଓ ଅନୁତାପ କରି ପୁଣି ଫେରି ଆସିଛି ସଂସାରର ସିଧାସଳଖ ବାଟକୁ ସେତେବେଳେ କେହି ତାହାର ଚରିତ୍ର ବିଷୟରେ ଅନ୍ତତ ତାହାର ଚରିତ୍ରର ଇତିହାସ ଉପରେ ଆଉ ମନ ବଳାଇ ନାହିଁ ।

 

ସ୍ତ୍ରୀ ପୁରୁଷର ଏକାଠି ଚଳପ୍ରଚଳ ହେବା ଯେଉଁ ସମାଜରେ ଚରିତ୍ରହୀନତା ନୁହେଁ ସେହି ସମାଜର ଅନୁଭବ ନେଇ ସୁତପା ଆସିଥିଲା । କନକ ପାଇଁ ସେହି ଅନୁଭବର ଭେଟ କେଜାଣି କେତେ ଦୂର ।

 

ତଥାପି ଦୁଇଟି ନାରୀ ସେଦିନ ଆଉରି ନିକଟକୁ ପରସ୍ପର ଯାଇଥିଲେ । ପୁରୁଷର ଡାକ ଦୁହିଁଙ୍କର ମନରେ ଅଲଗା ଅଲଗା ଅବସ୍ଥାରେ ଶୁଣାଯାଇଛି । ସୁତପା ହୋଇଯାଇଛି ନିର୍ଭୀକ ଆଉ କନକ ହୋଇ ଯାଇଛି ଭୀରୁ ।

 

ଶ୍ଵେତମର୍ମର ନାରୀରୂପ ଯେମିତି ବହୁତ ଜାଗାରେ ଦେଖିବାକୁ ମିଳେ ସେମିତି ଧଳା ମାର୍ବଲ ପରି ଚରିତ୍ର ନାରୀଠାରେ କ୍ଵଚିତ୍‌ ଦେଖାଯାଏ । ଶୁଭ୍ର, ନିଷ୍ପାପ, ନିଷ୍କଳଙ୍କ ନାରୀଚରିତ୍ର ସଂସାରରେ ଅରୁଚିକର ।

 

କନକକୁ ନିଜର ଛାତି ପାଖକୁ ଆଉଜାଇ ନେଇ ସୁତପା କହିଲା–ଯାହାହେଉ ମୁଁ ଭାବିଥିଲି କନକ ମୋର ପିଲାଟିଏ । ଭଲ ହେଲା ଯେ ଜାଣିଲି କନକ ଅନୁଭବୀ ।

 

କନକ ଘୁଞ୍ଚିଗଲା ସୁତପାର ସେହି ଛାତି ପାଖରୁ । ହସି ସୁତପା କହିଲା–ସେମିତି ନୁହେଁ ଲୋ କନକ । କାହାର ଦେହ ଉପରେ ଭରା ଦେଇ ରହିବା ଭାରି ସୁଖକର–ଯାହା ଛାତିରେ ଭରା ଦେବ ତା’କୁ ଆଉ ଯିଏ ଭରା ଦେଇଥିବ ତା’କୁ ବି । ଏତକ ଶିଖି ନ ଥିଲେ ଶିଖିବାକୁ ପଡ଼ିବ ।

 

ଏତିକି ହେଉଛି ଆମ ସ୍ତ୍ରୀ’ ଲୋକଙ୍କର ଗୁମର କଥା । କେତେବେଳେ କେମିତି ଓ କେତେଦୂର ଦେହର ପରଶ ଆର ଲୋକଟିକୁ ଖୁସି କରିବ କି ବିରକ୍ତ କରିବ ଜାଣିବା ଦରକାର । ଏସବୁ ନ ଜାଣି ନ ବୁଝି ବରଘର ଖୋଜୁଥିଲୁ କାହିଁକି ?

 

କନକ ହସିଲା । ସେ ଶିଖିଛି ଯେ ସମସ୍ତଙ୍କଠାରୁ ଆଡ଼େଇଯିବା ଓ କୌଣସି ବିଷୟ ପ୍ରତି ଆଗ୍ରହ ନ ଦେଖାଇବା ସ୍ତ୍ରୀ ଧର୍ମ । ସୁତପାର କଥା ତାକୁ ଅଡ଼ୁଆ ଲାଗିଲା । କେମିତି ସେ ମୁହଁରେ ଲାଜ ନାହିଁ କେଜାଣି ।

 

–ହସିଲୁ କାହିଁକି କନକ ? ସତ କହ ମୋ ରାଣ ।

 

–ଭାବିଲି ଯେ ଅପାଙ୍କର ଲାଜ ମୋଟେ ନାହିଁ । କେମିତି କହିଯାଉଛନ୍ତି । ଏହି ସବୁ ଅଭିଆଣ କଥାଗୁଡ଼ାକ ଟାଉଟାଉ କରି ।

 

–ଅଭିଆଣ କଥା ନୁହେଁ । ଅସଭ୍ୟ କି ଅବାଗିଆ କଥା କହ । ଆଉ ଲାଜ କ’ଣ ପାଇଁ-? ଜାଣିବୁ ଯେ ଲୋକ ଦୂରରେ ଥିଲେ ଲାଜ ଦେଖେଇବୁ । ସେ ଯେତେ ପାଖକୁ ଆସିବ ସେତିକି ଲାଜ ଛାଡ଼ିବୁ–ଦେହ ଲୁଗା ଖସାଇଲା ପରି । ଲାଜ ହେଉଛି ମଣିଷର ଅଭିନୟ ପୋଷାକ-

 

କନକ ହସିଲା । ତାହାର ଦେହ ଓ ରୁମମୂଳ ଟାଙ୍କି ଯାଉଥିଲା କଥା କହିବାରେ ବି ମନର ଏତେ ଆନନ୍ଦ ହୋଇପାରେ ସେ ଜାଣି ନଥିଲା ।

 

ସୁତପା କହିଲା–ପ୍ରୀତି ହେଉଛି ଗୋଟାଏ କଳା । ନିଜର ବୁଦ୍ଧି ଖଟାଇ ପ୍ରୀତିକୁ ଦିଆନିଆ କଲେ ସେଥିରୁ ସୁବାସ ମିଳେ । ଆଉ ସେହି ମହକ ରହେ ବେଳେବେଳେ ଚିରଦିନ ।

 

–ଜାଣୁନା, ଯେ ପଦେ କଥା, ଟିକିଏ ହସ ଆଉ ଖଣ୍ଡେ ଚିଠିରେ ଆଉ ଜଣେ ତୋପାଇଁ ପଚିଶ ବର୍ଷ ବଇରାଗୀ ହୋଇ ତୋର ବାଟ ଚାହିଁ ବସିଥିବ । ଅତି ଦୂରରେ ଲୋକ ତୋର ଆପଣାର ହୋଇ ତେତେ ଭଜି ଭଜି ହୁଏତ ବାଳ ପଚେଇ ଦବ ।

 

–ଠାକୁରେ ଯେତେ ପୂଜା ପାଆନ୍ତି ତହିଁରୁ ଅଧିକ ପାଉ ତୋ ମା’ପରି ଲୋକେ । ତଫାତ୍‌ ଏତିକି ଯେ ଭଗବାନ ଭକ୍ତର ଅଧୀନ ଏଠି ଭକ୍ତ ଦେବୀଙ୍କର ଅଧୀନ । ଯିଏ ଯେତେ ଏହି ବିଦ୍ୟାରେ ପାରଙ୍ଗମ ସେ ସେତେ ହୃଦୟର ରାଣୀ ।

 

ଏଇ ଭଲପାଇବାର ଖବର ମିଳିଲେ ପରୁଷଲୋକ ପାହାଚ ଡେଇଁଯିବେ । ଅସାଧ୍ୟ ସାଧନ କରିବେ ଆଉ ଆମକୁ ପୂଜା କରିବେ ସେତକ କରି ନପାରି ତାଙ୍କ ପାଖରେ ମୁଆଁ ମିଠେଇ ହେଇ ଠିଆ ହେଲେ ଖାଇଦେଇ ଖଣ୍ଡିଆ ଦି’ଟା ଫୋପାଡ଼ିଦେଇ ଚାଲିଯିବେ । ପେଟ ପୁରିଗଲା–ମୁଆଁ ପାଶୋର ଗଲା । ମୁଁ ଥରେ ବାଡ଼ି ହଜେଇଲି ସେହି କଥା ବୁଝି ନଥିଲି ବୋଲି ।

 

–ଆହା, ସେଠି ତୁମେ ଭଲରେ ରହିଥାନ୍ତ । ରାଗ କରି ବାହା ହୋଇଗଲ ଏଠି ।

 

–ରାଗ କରି ନୁହେଁ । ଭାବି ଭାବି ଏହି ବାଟକୁ ଆସିଲି । ମୁଁ ଯଦି ଗଢ଼ିପାରିବି ମୋରି ହାତରେ ନନ୍ଦନକାନନ ତାହାହେଲେ ଯିଏ ହେଲେ ବି କ’ଣ ଯାଏ ଆସେ ? ତାଙ୍କୁ ଭାବିଥିଲି ସେ ଜଣେ ବୁଝିବା ଲୋକ । ତାଙ୍କର ହୃଦୟ ଅଛି । ସେଥିପାଇଁ ଭୁଲ୍‌ ହୋଇଗଲା ।

 

–କି ଭୁଲ୍‌ ?

 

–ଭୁଲ୍‌ ହେଲା ଯେ ମୁଁ ଆମର ଦେବୀ ଆସନରୁ ଓହ୍ଲାଇ ଆସି ପୂଜାରିଣୀ ହେଇଗଲି । ଏହି କାମ ସ୍ତ୍ରୀଙ୍କୁ ପୋଷାଇବ ନାହିଁ । ପୂଜକ ସାଜିଲେ ନାରୀତ୍ଵ ବ୍ୟର୍ଥ–ବ୍ୟର୍ଥ । ଦେବୀ ନ ହେଲେ ସେଇ ଆସ୍ଥାନରେ କାମ ନାହିଁ ।

 

–ମତେ ଅପା ଡରମାଡ଼ୁଛି । ଏଇ ସବୁ ନଟଘଟିଆ ସଂସାରକୁ ।

 

–ଡରେ ନାହିଁ କିଏ ? ଏଇ ସଂସାର ହେଲା ପଶାପାଲିର ଖେଳ । ଏଥିରେ ଆମେ ନିଶ୍ଚୟ ଜିତିବା ବୋଲି କହିବ କିଏ ? ଏଇଟା ହେଲା ମନ ଓ ହୃଦୟର ଖେଳ । ଯାହାର ହୃଦୟ ନାହିଁ ସେ ଆସି ବାଘ ସାପ ପରି ଭୋଜୀ କରିଦେବ । ଏଣେ ହୃଦୟ ସେଥିଭିତରେ ହଜମ୍ ।

 

–ହଁ, ତ ।

 

–ସେହି ଲୋକକୁ ବାଛିବା ହେଲା ଅଭିଆଡ଼ୀର ଗୋଟିଏ କାମ । କେଉଁ କେନ୍ଦରାରେ ଝଙ୍କାର ଉଠିବ–ସେତେକ ବାଛି ନପାରି ମୋରି ପରି ଦଦରା ବାଜାକୁ ଧରି ପିଟିଲେ କ’ଣ ସେଥିରୁ ସ୍ଵର ବାହାରିବ ? ବହୁତ ପିଟିଲେଣି ଆଉ ପିଟି ହେଲେଣି ତମର ବଛରାଇ ଗାଁରେ–ଭଲ ଲାଗୁ ନାହିଁ । ଚାଲ କନକ, ଚାଲିଯିବା ଏଠୁ–

 

–କୁଆଡ଼େ ଯିବା ? କ’ଣ କରିବା ?

 

–ଯୁଆଡ଼େ ଆଖି ପାଇବ ସେଠିକି ପଳାଇବା । ତୁ ଥିବୁ । ମୁଁ ଥିବି । ଏମିତି କଥା କହୁଥିବା । ଜଣେ କହୁଥିବ ଆଉ ଜଣେ ଶୁଣୁଥିବ । ଜୀବନର ପିତା କିଛି କମ୍‌ ନୁହେଁ । ଜଣେ ଲୋକ ଏତକ ପିତା ଆଣି ଫୋପାଡ଼ି ଦେଇଛି । ଭଲ ପାଉଥିଲି ବୋଲି ଏତକ ଅର୍ଜିଛି ।

 

କନକକୁ ଡର ମାଡ଼ୁଥିଲା ସୁତପା ଅପାକୁ । ଏଇ ଅଭିନ୍ନ ଭାଇ କନକର ହାତ ଓଠ ଧରିଥିଲେ । ସେହି କନକକୁ ଟାଣି ନେଉଥିଲେ ଖସରା ବାଟକୁ । ସୁତପା ଦେଇଙ୍କୁ ସେହି ଆଣିଛନ୍ତି-। ଯେବେ ଅପା ମନରେ କେବେ ସନ୍ଦେହ ଆସେ ତେବେ ସେହିଦିନ ଶେଷ ହୋଇଯିବ ଏଇ କଳ୍ପନାର ଫୁଲହାର ।

 

କଥା ବଦଳାଇ କନକ ପଚାରିଲା ...କୁହନି ଅପା, କ’ଣ ପାଇଁ ସେ ତୁମକୁ ଏମିତି ଅଶାନ୍ତି ଦେଲେ ।

 

–ସେ ଦୋଷ ମୋର । ତାଙ୍କର ନୁହେଁ । ଦୂରରେ ଆମେ ଯେତେ ଆଖି ଭୁଲାଣିଆ ପାଖରେ ସେତେ ମନ ଭୁଲାଣିଆ ହେଇ ପାରୁ ନାହିଁ । ତାଙ୍କ ସାଙ୍ଗରେ ଏକାଠି ରହିଯାଇଥିଲି ଦିନେ ।

–ଭାବିଥିଲି ସେହି ମୋର ଜନ୍ମ ଜନ୍ମର ସାଥି ଆଉ ଜୀବନ–ଭରା ସଖା । ତାଙ୍କୁ ସବୁ ଦେଇଥିଲି–ମୋର କପଟ ନ ଥିଲା । ଆବରଣ ନ ଥିଲା । ଲୁଚେଇବାକୁ କିଛି ନ ଥିଲା । ଯାହା ମୋର ସେସବୁ ତାଙ୍କର ।

–ଏକାଠି ଏତେ ଦରବ ଦେଖି ତାଙ୍କୁ ଚିଟା ଲାଗିଥିଲା । ମନ ଏମିତିକା ପତଳା କାଚ-। ଅଳ୍ପରେ ଯେଉଁ ମନ ଟାଣି ହୋଇ ଆସେ ଅଧିକରେ ସେହି ମନ ଘର ଦୁଆର ଛାଡ଼ି ପଳାଏ-। ସେ ପାଇଥିଲେ ସବୁ । ତେଣୁ ସେ ମତେ ପାଶୋରିଗଲେ । ଆଉ ଯଦି ମୁଁ ତାଙ୍କୁ ପର ଭାବି, ସନ୍ଦେହ କରି, ନିଜକୁ ରଖି ଥୋଇ ଦେଇଥାନ୍ତି ତାହାହେଲେ ସେ ଆସିଥାନ୍ତେ ଥରକୁ ଥର ।

–ଏଇଠି ହେଲା ଭୁଲ୍‌ । ଛାଡ଼୍‌ କନକ, ସେ ଗଲା କଥାର ହାରକୁ । ଫୁଲ ବାସି ହେଲାଣି-। ସେହି ବାସି ଫୁଲର ମାଳା ନେଇ ଏଠିକି ଆସିଛି । ଏଠି ଆଉ ଜଣକୁ କାହିଁକି ପିତାପାଣିରେ ଗାଧୋଇ ଦେବି ? ସେ ତ ନିର୍ଦ୍ଦୋଷ ।

–ଭଲ ହେଲା ଅପା । ଆମର ଅଭିନ୍ନ ଭାଇ ତାଙ୍କଠାରୁ କ’ଣ ସରସ ନୁହନ୍ତି ?

ହସି ସୁତପା କହିଲା–ୟେ କ’ଣ କେବେ ହୋଇ ପାରିଛି କଉଠି ? ସେ ନ ମାଗି ଯାହା ପାଇଥିଲେ ଏଠି ୟେ’ କ’ଣ ହାତ ପତେଇ ଜୀବନଯାକ ଠିଆ ହେଲେ ସେତକ ପାଇ ପାରିବେ ? ମଣିଷ ମଣିଷରେ ଫରକ ଅଛି ।

–କେମିତି ଫରକ ?

–ସେ ଥିଲେ ମୋର ଉପରର ମଣିଷ । ତେଣୁ ନିଜକୁ ଲୁଟେଇ ଦେଇଥିଲି ତାଙ୍କର ପାଦ ପାଖରେ । ସେ ପାଦ ଆଡ଼େଇ ଦେଇ ଚାଲିଗଲେ । ଗଲାବେଳେ ସେତିକି ପ୍ରୀତିର ଅଞ୍ଜନ ଲଗାଇ ଦେଇ ଯାଇଛନ୍ତି ତାକୁ ଘେନି ଏବେଯାଏ ବୁଲୁଛି ତାଙ୍କରି କଥାକୁ ଜପାମାଳୀ କରି । ଆଉ ଏଠି ୟେ ହେଲେ ମୋର ତଳର ମଣିଷ । ସେ ପଦସେବା କରୁଛନ୍ତି–ପାଦ ସେବା କ’ଣ ପ୍ରୀତି ? ଭକ୍ତି କ’ଣ ମମତା ? ମତେ ମାନ ଦେଇ କ’ଣ ମୋର ମନ ନେଇ ପାରିବେ ?

–ବଡ଼ ଅଦ୍ଭୁତ କଥା ତ ।

–ସେ ସବୁ ଦେବ ସେ ପାଇବ କ’ଣ ?

–ସେ ପାଇବ ତାହାର ଯୋଗ୍ୟତା ଅନୁସାରେ । ଆଉ ଦେବ ତାହାର ଯୋଗ୍ୟତା ଅନୁସାରେ । ଏଇ ଦୁଇଟା ସମାନ ହେଲେ ସିନା ଆମେ ଦିହେଁ ସମାନ ହେବୁ । ସେତେବେଳେ ହେବୁ ଜୀବନର ସାଥି–ପ୍ରାଣର ପ୍ରତିମା । ସେତକ ନ ହେଲାଯାଏ ଆମେ ସବୁ ସ୍ଵାମୀ ସ୍ତ୍ରୀ-ପ୍ରେମିକ ଓ ପ୍ରେମିକା ବି ହେବୁ ନାହିଁ । ହେଇ ପାରିଲୁ କି ?

ସୁତପାର ସେହି ଗହୀରିଆ ଆଖି ଦୁଇଟା ନିଜର ଦୈନ୍ୟର ଗ୍ଳାନିରେ ଉଛୁଳି ଉଠିଥିଲା-। ତାହାର ବ୍ୟର୍ଥତାର ଶୂନ୍ୟ ଥାଳ ଭରିବାକୁ ସେ ଆସିଥିଲା ଏଇ ଗାଁକୁ ବୋହୂ ବେଶ ଧରି-। କିନ୍ତୁ ସେଇ ଶୂନ୍ୟଥାଳ ତା’କୁ ସବୁବେଳେ ବିଦ୍ରୁପ କରୁଥିଲା । –ଦେଖ୍ ସୁତପା । ମୁଁ ସେମିତି ଶୂନ୍ୟ-

 

ଯିଏ ଚାଲି ଯାଇଛି ସେ ଗଲାବେଳେ ତାହାର ସମସ୍ତ ପାଉଣା ନେଇ ଚାଲିଯାଇଛି–ଚୋର କଳାକନା ବୁଲାଇଲା ପରି ।

 

କନକର ଆଖିପତା ଓଦା ହେଇଆସିଲା । ପ୍ରେମର ଅଭିଶାପ ସବୁ ନାରୀଙ୍କ ପାଇଁ ସମାନ ।

 

ସେ ଭରା ଗଳାରେ କହିଲା–ଠାକୁରଙ୍କୁ ଡାକୁଛି ଅପା, ତମର ଏହି ହୃଦୟର ରତ୍ନ ସିଂହାସନକୁ ପୁଣି ସେ ତାଙ୍କର ଅପାର ମହିମାରେ ସଜାଡ଼ି ଦିଅନ୍ତୁ । ସେଇ ପାରିବେ ।

 

ସୁତପା ଚାହିଁଥିଲା । କନକର ସେହି ସରଳିଆ ମୁହଁକୁ ଆଉ କୃତଜ୍ଞତାରେ ତାହାରି ଆଶ୍ଵାସନା ଶୁଣିଥିଲା ।

 

–ହଉ ଦେଖିବା । ତେବେ ମୋର ମନର କଥା ହେଲା ଯେ ମୋର ଯେଉଁ ଲାଞ୍ଛନା ସେତକ ଆଉ କାହାକୁ ନହେଉ । ଯାହାକୁହେଲେ ବି ମୋର ଏହି କନକ ନ ହେଉ ...ସେଥିପାଇଁ ତୋର ଦୁଃଖ ଶୁଣି ଧାଇଁ ଯାଇଥିଲି ତତେ ଦେଖିବାକୁ ।

 

–ମୋର ଦୁଃଖ ଯେ ମତେ ଜାଣି ବୁଝି ଜଣେ ଚାଲି ଯାଇଥିଲା । ଆଉ ତୋର ଦୁଃଖ ଯେ ତତେ ନଜାଣି ନବୁଝି ଆଉ ଜଣେ ଚାଲିଯାଇଛି । ତୁ କ’ଣ ତାହାରି ଘରେ ସହସ୍ର ଦୀପର ଆଲୁଅ ଦେଇ ନଥାନ୍ତୁ ? ସେତକ ଏବେ ବୁଝିବାକୁ କାହାର ଅଛି । ହୃଦୟ. ? ....ଅବା ବେଳ ...

 

କନକର ସେହି ଗମ୍ଭୀର ମୁହଁକୁ ଦେଖି ସୁତପା କହିଲା–ଥରକୁ ଥର ତତେ ମାନେ ପକାଇ ଦେଇ ଦେଖୁଛି କେତେବେଳେ ତୁ କହିବୁ ସେଇଟା ଗୋଟାଏ ବାଜେକଥା–ହେଇପାରିଲା ନାହିଁ । ଓଲଟି ମୋର ଅଡ଼ୁଆ ସୁତାରୁ ଗୁଡ଼ାଏ ତତେ ଦେଲି ଧରିବାକୁ ।

 

ଧରିଥିବୁ ଭଉଣୀ । ଏଇଟା ନାରୀ ମନର ଗୋପନ କଥା । ସେହି ମରମ କଥାରେ କେବେ ବଣିଜ କରିବୁ ନାହିଁ । ସେହି କଥାର ଉଲ୍ଲେଖ ଦେଇ ତୋର ଅପାକୁ ତଉଲିବୁ ନାହିଁ । ଆଜି ମତେ ଯେଉଁ ଦଶା ପଡ଼ିଲା, କାଲି ତତେ ନପଡ଼ିବ ଏକଥା ବାଡ଼େଇକରି କହିବୁ ନାହିଁ । ନିଜ କଥା ଏତିକିରେ ଶେଷ ହେଉ । କାଲିଠୁଁ ଦେଖିବା କ’ଣ କଲେ ଏଇ ଜୀବନରେ ପୁଣି ଥରେ ଜହ୍ନ ଆଲୁଅର କୋଟି କମ ଫୁଲ ଫୁଟିବ ।

 

ବଇଶାଖି ବାଦଲର–ନୁହେଁ ଧଳା ନୁହେଁ କଳା–ଶାଢ଼ୀ ଭିତରେ ସେଦିନ ସପ୍ତମୀ ଚାନ୍ଦ ମୁହଁ ଦେଖାଉଥିଲା ଆଉ ଲୁଚି ଯାଉଥିଲା ।

 

ଆକାଶକୁ ଚାହିଁ ସୁତପା କହିଲା–ବହୁତଥର ଭାବିଛି କନକ । ଏହି ମେଘଢ଼ଙ୍କା ଅଧାଲୁଚା ଅଧାଦେଖା ଜହ୍ନ କି ସୁନ୍ଦର, କି ଖୋଲା । ନିର୍ମଳ ଜହ୍ନ ସୁନ୍ଦର । ନିର୍ମଳ ଚାନ୍ଦରେ ତାହାର କଳା ଦାଗ ଦିଶିଯାଏ । ମୋର ଅବା ସେଇଟା ହେଇଥିଲା । ସଂପୂର୍ଣ୍ଣ ଦେଖା ଦେଇଥିଲି । ସେଥିପାଇଁ ପୂରାପୂରି ଅଲଗା ହେଇଗଲି ।

 

ଏଇ ଅନୁଭବରୁ ଏତିକି କହୁଛି ଝିଅ–ସମସ୍ତଙ୍କ ଆଖିରେ ସୁନା ହରିଣର ଭେଳିକି ଦେଖାଇବୁ । ଧରା ଦେବାର ପେଖନା କରିବୁ । ନିଜର ପରି ବ୍ୟବହାର ଦେଖାଇବୁ । ଧରା ଦେବୁ ନାହିଁ । ପ୍ରକୃତରେ ସୁନା ମିରିଗ ହବୁ ନାହିଁ । ଆଉ କାହାରି ଗୋଟିପଣ ନିଜର ହେବୁ ନାହିଁ । ମଝିରୁ ପକାଇ ଦେଇଥିବୁ ଗୋଟିଏ ବାଡ଼–ଯେଡ଼େ ଛୋଟ ହେଲେ ବି ଅଲଗା ଟେରାବାଡ଼ ।

 

ଏମିତି ଯେଉଁମାନେ ଖୋଳ, ଖୋଳପା ଭିତରୁ ବାହାରି ସଂସାରରେ ଚଳନ୍ତି ସେହି କଇଁଛ ହୁଅନ୍ତି ଦୀର୍ଘାୟୁ । ନିଜେ ବଞ୍ଚିବାକୁ ଚାହିଁଲେ ନିଜକୁ ଦୁଇଟି ଜୀବନର ପୋଷାକ ପିନ୍ଧାଇବୁ–ଗୋଟାଏ ନିଜର ଆଉ ଗୋଟିଏ ବାହାରର ।

 

ଏଇ ଗାଁରେ ଆମକୁ ଚଳିବାକୁ ହେଉଛି ଦୁଇ ପ୍ରକାରରେ–ଗୋଟିଏ ହେଲା ଆମର ଛୋଟିଆ ବଡ଼ ଜୀବନର ଦୁଃଖ ସୁଖର ଜୀବନ । ଆଉ ଗୋଟିଏ ହେଲା ଗାଁବାଲାଙ୍କୁ ସୁହାଇଲା ପରି ହସ କାନ୍ଦର ଜୀବନ । ତୁ ଯେତେବେଳେ ଉପରକୁ ଉଠିବାକୁ ଚାହୁଁଛୁ ଏହି ଗାଁର ଧୂଳି ଦାଣ୍ଡରୁ ବାହାରକୁ ଯିବାକୁ ଚାହୁଁଛୁ ତୋର ନିହାତି ଦରକାର ଦୁଇଟି ଜୀବନ । ତେବେ ତୁ ମରିବୁ ନାହିଁ । ତୁ ହାରିବୁ ନାହିଁ ।

 

ସବୁ କଥାକୁ ଏକାଠି କରି କେବେହେଲେ ପଣରଖି ପଶାପାଲି ଗଡ଼ାଇବୁ ନାହିଁ । ସେମିତି କରି ରାଜା ଯୁଧିଷ୍ଠିର ରାଜ୍ୟ ଆଉ ରାଣୀ ହାରିଥିଲେ । କାହାରି ପାଖରେ ନିଜର ସର୍ବସ୍ଵ ଲୁଟାଇ ଦେବୁ ନାହିଁ । କେହି ଜଣେ ସଂସାରରେ ଅପରର ଜିନିଷକୁ ନିଜର ବୋଲି ଭାବି ପାରେ ନାହିଁ ।

 

ସମସ୍ତେ ଖୋଜନ୍ତି ବଣିଜ–ଦିଆ ନିଆର ବେଭାର । ଚାହାନ୍ତି ସବୁ ନେଇଯିବା ପାଇଁ କିଛି ନ ଦେଇ । ତାହାହେଲେ ଶେଷକୁ ମନମାନିଲେ ଦି’ ପଦ ମିଠା କଥା କହି ଆହା ଉହୁ କହିବେ-। ସେହି ମର ସହାନୁଭୂତି ପାଇଁ କେବେହେଲେ ପାଟି ନାଳେଇବୁ ନାହିଁ ଅବା ହାତ ପତାଇବୁ ନାହିଁ-

 

ଜିଣିଲେ ବସିବୁ । ହାରିଲେ ଫେରିଯିବୁ । ନିଜକୁ ଦୟା ଦେଖାଇବୁ ନାହିଁ । ଅନ୍ୟକୁ କାହିଁକି କୃପା କଣିକା ବାଣ୍ଟିବୁ ?

 

ଗରିବଙ୍କୁ ସମସ୍ତେ ଦୟା ଦେଖାନ୍ତି । ଗରିବ କାହାକୁ ଦୟା ଦେଖାଇବ ଅପା ?

 

–ସେଇ ଗୋଟିଏ କଥା ସଂସାର ବୁଝାଇ ବୁଝାଇ ଥକିଲାଣି । ଆମ ଦୁଆର ଆଗ ବଉଳଗଛ ଫୁଲ ଝାଡ଼ୁଛି । ଆମେ ଗୋଟେଇ ଗୋଟେଇ ବିରକ୍ତ । ଦିନେ ତା’କୁ ଆଣି ଦୁଆରେ ଦୟା ଦେଖାଇ ପୋତିଥିଲୁ । ଆଜି ଦୟା ଦେଖାଉଛି କିଏ ?

 

–ସେଇ ବଉଳଗଛ ।

 

–ସେଇ ଆମକୁ ଫୁଲ,ବାସ ସବୁ ଦେଇ ଚାଲିଛି । ଡାକିହାକି କହିପାରିଲେ କହନ୍ତା–ନିଅରେ ରଙ୍କୁଣା ଦଳ । ଯେତେପାରୁଛ ନିଅ । ଗୋଟେଇ ଗୋଟେଇ ଥକିବାଯାଏ ନେଉଥାଅ । ଏହି ଡାଳପତ୍ରର ଗନ୍ତାଘର ଖାଲି ହେବନାହିଁ । ତେବେ ଆମର ହୃଦୟର ପ୍ରୀତି ଝରଣା ଶୁଖିଲା ଫଲ୍‌ଗୁର ଧାରା ହେବ କାହିଁକି ? ଏମିତି ଲୋକେ ଆସିବେ ଦିନ ଦରିଦ୍ରର କାକୁତି ନେଇ ।

 

–ତମକୁ ଆଉ କିଏ କ’ଣ ଭଲ ପାଇଥିଲେ ?

 

–ଭଲ ନପାଇବେ କାହିଁକି ? ଆଜି ବି ମୁଁ କାହିଁକି ଖାଲିହାତ ହେବି ? ଓଠର ହସ, ହସର ମିଠା ଝରଣା, ବ୍ୟବହାରର ମନଜିଣା ରଙ୍ଗ କାହିଁକି ଶେଷ ହୋଇଯିବ ? ତେବେ ଏଠି ସେ ସବୁ ନେଇ ଦେଖାଇଛି, ଏହି ଗାଁର ଗଛପତ୍ରଙ୍କୁ । ସେମାନେ ସେ ସବୁ ବୁଝିବେ କ’ଣ ? ଦେଖି ଦେଖି କହି ଦିଅନ୍ତି ଚରିତ୍ରହୀନାଟାଏ ।

 

–ସତେ, ଅପା, କଥା ଶୁଣିଲେ ଦେହ ଥରିଉଠେ ।

 

–ସେଥିପାଇଁ କହୁଥିଲି ଚାଲିଯିବା ଏଠୁ । ଯେଉଁଠିକି ଯିବା ସେ ତ ସ୍ଵର୍ଗ ନୁହେଁ । କିନ୍ତୁ, ସେଠି ଏଇ ବିଷୟଟି ନଥାଏ । ଏଠି ହେଲା ସୌନ୍ଦର୍ଯ୍ୟର ନାମ ଚରିତ୍ରହୀନତା–ପ୍ରୀତିର ନାମ ଚରିତ୍ରହୀନତା–ସ୍ଵାଧିନତାର ନାମ ଚରିତ୍ରହୀନତା ! । ଏଇପରି ଜାଗା ପୃଥିବୀର ଚାରିଆଡ଼େ ରହିଛି-। ଆମରି ବଛରାଇ ଗାଁରୁ ପଚିଶ ପଚାଶ କୋଶ ଗଲେ ଆମେ ପାଇବା । ସେଠି ଏହି ପ୍ରକାରର ଅର୍ଥ ନିଅନ୍ତି ନାହିଁ । ସେଥିପାଇଁ ଏତେ ଲୋକ ସହରକୁ ଚାଲନ୍ତି ।

 

–ସେଇଆ ହବ ।

 

–ଗାଁର କିଆ ପାଟୁକା ଦଉଡ଼ିରେ ବାନ୍ଧି ହୋଇ ଅଣନିଶ୍ଵାସୀ ହୋଇଗଲେ ସହରର ବିଜୁଳି ଆଲୁଅ ଆଉ ପକ୍‌କା କୋଠା ଆଖିରେ ଅଞ୍ଜନ ଲଗାଇ ଦିଏ । ଦେଖିବାକୁ କାହାରି ତର ନାହିଁ, ଶୁଣିବାକୁ ବେଳ ନାହିଁ, ପଡ଼ା ପଡ଼ୋଶୀଙ୍କର ଆଖି ତମ ଆଡ଼େ ଗୁଇନ୍ଦା କାମ କରୁନାହିଁ । ଇଚ୍ଛା ଅନୁସାରେ ଚଳିପାରିବ । ଆଉ ଏତିକି ହେଉଛି ମଣିଷ ଜୀବନର ସୁଖ ।

 

ପ୍ରସ୍ତାବ ହେଲା ଯେ ସୁବିଧା କରି ଗାଁ ଛାଡ଼ିବାକୁ ହେବ । ଏଇ ଛୋଟ ଜାଗାର ପରିସର ଭିତରେ ମୁକ୍ତ ଛନ୍ଦର ଜୀବନ କଟାଇବ ଅସମ୍ଭବ ।

 

ଯେ କୌଣସି ଜିନିଷର ଦୋଷକୁ ପ୍ରକଟ କରି ବାରମ୍ବାର ଗାଳିଦେଲେ ସେଇ ଜିନିଷରୁ ମାୟା ତୁଟିଯାଏ । ସେଇଦିନ ବଛରାଇ ଗାଁର ଝିଅ ବୋହୁ ଦି’ ଜଣ ଗାଉଁଲି ଆନନ୍ଦର ଆଦର୍ଶକୁ ଥର ଥର କରି ଗୋଇଠା ମାରିଥିଲେ–କଥାରେ ଓ କାମରେ ସେହି ଗୋଟିଏ କଥା । ଫିଟିଯା–ଛିଣ୍ଡିଯା, ଏଇ ମାୟାର ଓ ମମତାର ଡୋରି । ଆମେ ହେବୁ ଦେଶାନ୍ତରୀ ।

 

ଦୁଃଖ ବିପଦ, କଳଙ୍କ ଓ ଅପବାଦର ପସରାରେ ହାତ ଦେଇ ଜାଣିବୁ ଜୀବନର ସୁଆଦ-। ପ୍ରତ୍ୟେକ ନିଶ୍ଵାସରେ, ପ୍ରତ୍ୟେକ କଥାରେ ଓ କାମରେ ଆମେ ନିଜକୁ ନିଜ ପାଖରେ ଦେଖି ଦେଖି ଯିବୁ ।

 

କେହି ଆମକୁ କହ ନାହିଁ–ସେଠି ମଣିଷରୂପୀ ପିଶାଚ ଅଛନ୍ତି । ପିଶାଚର ହୃଦୟ କେଡ଼େ କୋମଳ କି କଠୋର ଆମର ଆମେ ଜାଣିବୁ । ନିଜର ଦେହରେ ଓ ମନରେ ପରୀକ୍ଷା କରିବୁ । ପିଶାଚର ସମାଜ କି ଉପାଦାନରେ ତିଆରି–ସେତକ ଦେଖିବୁ । ଆମର ହେବ ନୂଆର ଜୀବନ–ଆବିଷ୍କାରର ଜୀବନ ।

 

ଜୀବନର ମାୟାକୁ ଗଣ୍ଠିଧନ କରି ଘରେ ଅଗଣାରେ ବସି ରହିବାର ଯେଉଁ ଧୀର ଜୀବନ ସେ ସମସ୍ତଙ୍କୁ ରୁଚିବ କାହିଁକି ? ରୁଚୁଥିଲେ ଦଳେ କାହିଁକି ପାହାଡ଼କୁ ପାହାଡ଼ ଡେଇଁ ହିମାଳୟ ଚଢ଼ନ୍ତେ । ଦରିଆର ଅକୂଳକୁ କାହିଁକି ବୋଇତ ବୁହାନ୍ତେ ? ସେମାନେ କ’ଣ ଜାଣନ୍ତି ନାହିଁ ଯେ ଅଜଣା ଥାନରେ ବିପଦ ରହିଛି । ବିପଦକୁ ଆଦର କରି ନିଜର ପଣତରେ ବାନ୍ଧିବା କ’ଣ ମଣିଷର ଆୟତ୍ତ ବାହାରେ ?

 

ଏଇ ଉଦ୍ଭଟ କଳ୍ପନା ଆଉ କଥାରେ କନକ ମୁଣ୍ଡ ହଲାଇ ରାଜି ବୋଲି କହୁଥିଲା । ସେ ବି ପରଖିବାକୁ ଚାହେଁ ବିପଦକୁ । ସେ ବି ରାଜି ବିପଦର ଶଙ୍କୁଚ ମାଡ଼ ନେବାକୁ ନିଜ ଉପରେ । ବିପଦର ଭଉଁରୀ ଭିତରେ ନିଜର ଛୋଟିଆ ଦେହକୁ ସାତ ଖଣ୍ଡ କରି ଦେବାକୁ ସେ ରାଜି ।

 

ହସି କହିଲା–ଅପା, ଡର ମାଡ଼ୁଛି । ପୁଣି ଡର ଭାଙ୍ଗି ଯାଉଛି । ଆମେ ଯଦି ଘୋର ବିପଦରେ ପଡ଼ିଯାଉ ।

 

–କିଏ କହିବ ସେ କଥା । ବିପଦର ହିତାହିତ ଜ୍ଞାନ କୁଆଡ଼ୁ ଆସିବ ? ବିପଦ ଭିତରେ ଖଣ୍ଡ ଖଣ୍ଡ ହୋଇ ଶେଷ ହୋଇଗଲେ ବି ସିଏ ତ ଜୀବନର ଗୋଟାଏ ଅନୁଭବ ହବ । ଆଉ ସେହି ଅନୁଭବରେ ଗରମ କିଛି ଅଳ୍ପ ନୁହେଁ ।

 

–ଏଇ ଚରିତ୍ର ଯେତେବେଳେ ନଷ୍ଟଭ୍ରଷ୍ଟ ହୋଇ ଗୋଟିଏ ପାଖରୁ ଦଶଟି ପାଖକୁ ଯାଇ ଫେରି ଆସୁଥିବ ଆଖିରେ ଲୁହ ଆଖି ହୃଦୟର ଲହୁରେ ଗାଧୋଇ ସେତେବେଳେ ବି କେହି ନିରାଶ୍ରୟ ନୁହନ୍ତି ସବୁ ଅବସ୍ଥାରେ ସାଥୀଜନ ଦେଖା ଦେବେ । ଘରର କାମୁଡ଼ା କୁକୁର ତମ ହାତ ଗୋଡ଼କୁ ଝୁଣି ଦେଇଥିଲେ ବି ସେମିତି ଆଦର ପାଇ ନାହିଁକି ? ଚାଲ୍ ଯିବା ! କନକ ।

 

–ହୁଁ ।

 

–ଯିବା ବୋଲି ଏବେ ଏଇଛୁଣିକା ନୁହେଁ । ଏଠି ବସି ବସି ଦେହକୁ ସଜାଡ଼ିବା, ମନକୁ ରଙ୍ଗେଇବା ଆଉ ଡରଭୟ ଭାଙ୍ଗିବାକୁ ଅନେକ ଦିନ ଲାଗିବ । କିଛି ନ ଜାଣି ନ ବୁଝି ଖାଲି ପଦେ ଖିଆଲର କୁଟାଖିଅକୁ ଧରି ଡେଇଁ ପଡ଼ିଲେ ପାଣି ଭସାଇ ନେଇଯିବ ।

 

ବଉଳ ଫୁଲ ସେମିତି ରହିରହି ପଡ଼ୁଥିଲା । ବାଦଲ ଭିତରେ ଜହ୍ନ ସେମିତି ପହଁରୁଥିଲା-। ଦୁଇଟି ନାରୀ ନିଜର ମନକୁ ପ୍ରସ୍ତୁତ କରୁଥିଲେ ସଂସାରର ଅଭିଯାନ ପାଇଁ ।

 

ସେମାନେ ଯାଇ ପଥର ଫଟାଇବା ଡିନାମାଇଟ୍ ତିଆରି କରିବେ ନାହିଁ । ବାଘସିଂହ ଶିକାର କରିବାକୁ ଯିବେ ନାହିଁ । ପାଞ୍ଚ କରିଛନ୍ତି ନିଜକୁ ନିଜର ବନ୍ଧନର ଦଉଡ଼ିରୁ ଫିଟାଇ ପରଖ କରିବେ ।

 

ସଂସାରର ନଗ୍ନତା, କାମ ବିହ୍ୱଳତାର ମଧୁରତା, ସ୍ନେହ ପ୍ରୀତିର ନିର୍ମମତା ଓ ଚରିତ୍ରର ମାଦକତାକୁ ପରଖ କରିବେ ।

 

କିଏ ନ କରେ ସେତକ ? ରଜାପୁଅକୁ ଦାଣ୍ଡରେ ଦେଖି କିଏ ତାହାର ମନମୁକୁଳାଇ ନିଜକୁ ପଚାରି ନାହିଁ ? ରଜାପୁଅ ଗଲାପରେ ଦେଶର ବଡ଼ ମଣିଷଙ୍କ କଥା ଭାବି କିଏ ଆସି ତାହାର ଦେହ, ମନ ଓ ଚରିତ୍ରର ଧୂପଦୀପ ନୈବେଦ୍ୟ ଥୋଇ ନାହିଁ ?

 

ଅଳ୍ପ କିଛି ଜଣା ପଡ଼ିଛି । ଆଉ କିଛି ସେମିତି ମନଭିତରେ ରହିଯାଇଛି । ଅଲଗା କରି ସଜାଡ଼ି ଥୋଇ କିଏ ତା’କୁ ବସି ଚାମର ଝୁଲାଇ ଦେଖାଇଛି ?

 

କଥା ଭାଷାରେ ବି ନିୟନ୍ତ୍ରଣ ଅଛି–ସେଇଟା ହେଉଛି ବେଳ କାଳ ଓ ପାତ୍ର । ସୁତପାଙ୍କର ଶାଶୁ ପୂଜା ସଞ୍ଜ ଦେଇ ସାରି ବିରକ୍ତି ଲୁଚାଇ ଟିକିଏ ଟାଣରେ କହିଲେ–କି ଝିଅ ଲୋ ତୁ କନି । ବୋଉ ତେଣେ ବାରି ଦାଣ୍ଡ ନହରପହର ହେଉଥିବ । ଆଉ ତୁ ଏଠି ।

 

–କହି ଆସିଥିଲି । ପଢ଼ିବାକୁ ଠିକ କରିଛି ପରା ।

 

–ହଁ, ମ, ପଢ଼ିବୁ ନାହିଁ କାହିଁକି ? ହେଲେ ପଢ଼ା ହୁଏ ନିଜ ଘରେ ନା । ଆଉ ସଞ୍ଜ, ରାତି ଅଧ ପରଘର କଲେ କ’ଣ ପାଠ ହବ ?

 

ସୁତପା ଠାରି ଦେଲା–ଚାଲିଯିବାକୁ ।

 

କନକ ଉଠି କହିଲା–ଉଛୁର ହେଇଗଲା ଖୁଡ଼ୀ । ଚାଲିଯାଉଛି । ଏକା ଏକା ଗଲେ କ’ଣ ଖରାପ ?

 

–ସଞ୍ଜ ପରେ କିଏ କେଉଁଠି ଝିଅକୁ ଗାଁ ଦାଣ୍ଡରେ ଠିଆ ଚାଲିବା ଦେଖିଛୁ କି ?

 

–କାଳ କଣ ବଦଳିବ ନାହିଁ ? ଜହ୍ନ ପଡ଼ିଛି । ରାସ୍ତା ଦିଶୁଛି ସଫା–ଆରସାହି କେତେ ବାଟ କି ? ଏ ଘରକୁ ସେ ଘର ।

 

–ହଉ, ଯା , ମୋ ସାଙ୍ଗରେ ଏହି ଗୁଡ଼ାକ ବକବକ ହେଲେ ତୋ’ ବୋଉର କ’ଣ ଦୁଃଖ ଯିବ ?

 

କନକ ଚାଲିଗଲା ।

 

ଘରେ ବି ସେଇ ପର୍ବର ଆରମ୍ଭ ।

 

ସଞ୍ଜ ପହର । ରାତି ଅନ୍ଧାର ସବୁବେଳେ ଏକ କଥା । ଆକାଶରେ ଉଆଁସ ହେଲେ କେତେ ପୁନେଇ ହେଲେ କେତେ ?

 

–ଭଲା ଗାଁରେ ମଣିଷ ରହିଲା ? ଟିକିଏ ବି ଇଚ୍ଛା ଅନୁସାରେ କେଉଁଠି ବସିପାରିବ ନାହିଁ ?

 

–ଇଚ୍ଛା ଅନୁସାରେ ଯିଏ ଚଳନ୍ତି ସେମାନେ ତା’ର ପରାଭବ ପାଆନ୍ତି । ଭଲ ହେଲେ ବାଟରେ ଚାଲ । ଖରାପ ହେବାକୁ ମନ ଡାକିଲେ ଯା, ଅବାଟକୁ । ସେଠି ଲୋ, କନକ ସବୁ ଥୁଆ ହେଇଛି–ଆମ ବେଳର କନିଅର ମଞ୍ଜି; ଏ ବେଳର ଫଲିଡଲ ... କହି କନକ ବୋଉ କାନ୍ଦି ପକାଇଲେ ।

 

ତାଙ୍କୁ ଯେପରି ଲାଗିଲା କନକ ବାଟରୁ ଖସୁଛି ।

 

କନକ ଥକ୍‌କା ହୋଇ ବସିଗଲା । ଏତିକିରେ ବୋଉ ବସି କାନ୍ଦିଲାଣି । ଲାଜ ମାଡ଼ୁଛି ବୋଲି ସକେଇ ସକେଇ କାନ୍ଦୁଛି । କଥା ହେଲା ଏତିକି ସେ କନକ ସୁତପା ସାଙ୍ଗରେ ଟିକିଏ ବସିଗଲା–ଆଉ ସେଥିଭିତରେ ସଞ୍ଜ ଦୀପ ଲାଗିଯାଇ ପହରଟାଏ ହେଇଗଲାଣି । ଏତିକିରେ ଘର ଅଥୟ ।

 

ଆଉଁସି ଦେଇ କନକ କହିଲା–ଆଉ ଯିବି ନାହିଁ ବୋଉ ।

 

କନକର ହାତକୁ ଛିଞ୍ଚାଡ଼ି ଦେଇ କନିବୋଉ କହିଲେ–ଯା, ଚୁଲିକି ଯା, ନଈକି ଯା । ଯାହାଇଚ୍ଛା ତାହା କର । ଏଇ ନିଆଁଲଗା ଘରେ କେଉଁ ଲକ୍ଷ୍ମୀ ଆସିଲେ ଯେ ତତେ ଦୋଷ ଦେବି ?

 

–କାହିଁକି ଗାଳି ଦେଉଛୁ, ବୋଉ ।

 

–ନାଇଁଲୋ ନିଜ କପାଳକୁ ନିନ୍ଦୁଛି । ଝିଅ ଏବେ ଉତୁରି ପଶିଲାଣି ଚୁଲିଭିତରେ । କହିବି କାହାକୁ ?

 

କନକ ବି କାନ୍ଦି ପକାଇଲା–କେଡ଼େ ଛୋଟ କଥା କେଡ଼େ ବଡ଼ ହୋଇ ଗଲାଣି । ଏଠି ଝିଅବୋହୂ ଏକାଠି ସଞ୍ଜ ପରେ ଦୁଃଖସୁଖ ହେବା ବେଆଇନ୍ । ଏତେ ଧନ୍ଦାରେ ପଶିବାଠାରୁ କେଉଁଠି ଯାଇ କାହାର ଗୋଡ଼ ଘସିବା ଭଲ–ଅଧାବୁଢ଼ାଙ୍କର ଗୋଡ଼ ଘସ । ସେଠି ମୁରବିର ଗୋଡ଼–ଭଲ ଗୋଡ଼ । ଆଉ ସମବୟସୀଙ୍କ ମୁହଁକୁ ଚାହିଁ–ସେତକ ଖରାପ କାରଣ ସେମାନେ ଭଲ ନୁହନ୍ତି ।

 

ଟିକକ ପରେ ସେହି ଅବୁଝା କୋହର ଝଡ଼ କମିଗଲା । କନକ ବୋଉ କନକକୁ ନିଜର ମୁଣ୍ଡ ଓ ଦେହ ଛୁଆଁଇ ନିୟମ କରେଇ ନେଲେ–ସୁତପା ସାଙ୍ଗରେ ବେଶି ମିଶିବୁ ନାହିଁ, କନକ ।

 

–କାହିଁକି ବୋଉ ? ସେ କ’ଣ କଲା ?

 

–ସେ ବଡ଼ ଘରର ଝିଅ । ସେ ଆସିଛି ସହର ବଜାରର ଅଳିଆ ଗଦା ଡେଇଁ ଡେଇଁ । ସେ ଆମକୁ ଉଜାଡ଼ି ଦବ ।

 

–ନାହିଁ ବୋଉ, ସୁତପା ଅପା ଭାରି ଭଲ । ଭାରି ସ୍ନେହ କରେ । ଗୋଟିପଣି ଆମର ।

 

–କ’ଣ ତତେ ବୁଝେଇବି ଲୋ କନି । ତୁ ତ ପିଲାଟା । ଯାହାର ଚରିତ୍ର ନାହିଁ ସେ ବୋହୁପଣକୁ ହୀନ । ସାଙ୍ଗମେଳକୁ ବି ଅଯୋଗ୍ୟ । ସେଇଟା କଥା ଦେଖି ଅଭିନ୍ନ ବୋଉ ଏତେ ସନ୍ତାପି ହେଲାଣି ।

 

–କ’ଣ କରିଛି ସେ ?

 

–କରିବ କ’ଣ ମଁ । ଏଠି ଗାଁରେ କିଛି ଊଣା ମୁରବୀ ନାହାନ୍ତି । ସେ କରି ନାହିଁ କିଛି । ତେବେ କରିପାରେ ସବୁ ।

 

–କ’ଣ କରିବ ସେ ?

 

–ଦାଣ୍ଡେଇ । ଦାଣ୍ଡେ ଦାଣ୍ଡେ ପଳାଇବ । ତେବେ ଚୂନକାଳି ଲଗାଇ ଦେଇଯିବ ଏହି ଗାଁରେ । ଆମେ ରହିବୁ ତ ।

 

–ତେବେ କ’ଣ ମୁଁ ତାହା ସାଙ୍ଗରେ ବସି ପାଠ ପଢ଼ିଲେ ହାନି ହେବ ?

 

–କେଜାଣି । ତତେ କିମିଆଁ କଲାଣି । ଦିନ ଦି’ଟାରେ ତୁ ତା’ର ଏମିତି ବଶ ହେଲୁଣି ଯେ ଏଇ ବୋଉବାପାଙ୍କର ମଉରୁସି ଘର ତୋର ମନେ ପଡ଼ୁନାହିଁ ସଞ୍ଜ ପହରରେ । –କହି ପୁଣି କାନ୍ଦି ବସିଲେ ।

 

–କାନ୍ଦ ନା ବୋଉ । କହ କ’ଣ କରିବି ?

 

–ପଦେ କଥା । ଯେବେ ତୁ ମୋର ଝିଅ ହେଇଥିବୁ ତେବେ ସେହି ସୁତପାର ମୁହଁ ଚାହିଁବୁ ନାହିଁ । ସେ ଡାହାଣୀ ପିଶାଚି ବାଘଭାଲୁ ଯାହା ହେଇଥାଉ ରହିଥିବ ତାହାରି ଘରେ ।

 

କନକ ଚାହିଁଲା ଆକାଶକୁ । ସେହି ମାଛକାତିଆ ବଉଦର ଭେଳା ସେମିତି ଭାସି ଚାଲୁଛି । ସେହି ଶୁଣୁଥିବ ମଣିଷର ମଣିଷ ବିଷୟରେ ବିଚାର । କେମିତି ଜଣଙ୍କୁ ଦୋଷୀ କହି, ଡାହାଣୀ ଆଖ୍ୟା ଦେଇ ଏଇ ମଣିଷ ମଣିଷକୁ ଖତମ କରେ ।

 

ବଛରାଇ ଗାଁର ବୋହୂ–ସେହି ଗାଁରେ ପର । ସେଇଠି ସେ ହେଉଛି ହଇଜା, ପ୍ଲେଗ ଆଦି ରୋଗ । କାରଣ ହେଲା ଯେ ସେ ଗାଁର ଶାସନକୁ ବେଖାତିର କରିଛି ।

 

ଜାତି ଆଗରେ ହାତୀ ଯାଇପାରେ ନାହିଁ । ସୁତପା ଭଳି ଗୋଟାଏ ସ୍ତ୍ରୀ ଲୋକ ସେଥିରେ କେତେକରେ କେତେ ?

 

ସେଦିନ ତାହାର ଦରିଦ୍ରର ଶେଯରେ କନକ ନିଜକୁ ଲମ୍ବାଇ ଦେଇ ଉପରର ବାଉଁଶ ମଥାନକୁ ଚାହିଁଥିଲା । ଏତିକି ମଣିଷର ଭରସା–ଏତିକି କନକର ଆଶ୍ରୟ ।

ଘର କହିଲେ କାନ୍ଥରେ ମାଟି ଗୋବର ଆଉ ଉପରେ ବାଉଁଶ ଓ ବତାର ଜାଲି ଓ ତାହାର ନଡ଼ା ଛପର । ଘରେ ଆଲୁଅର ରୋଷଣୀ ନାହିଁ । ବିଛଣାରେ ଦେହକୁ ନରମ ଲାଗିଲା ପରି କିଛି ନାହିଁ । ମୁଣ୍ଡତଳେ କାଠ ପିଢ଼ା ପରି ଟାଣ କେଉଁ ଯୁଗର ଗୋଟିଏ କପାତୁଳାର ମୁଚୁଳା । ମୁଣ୍ଡର ତେଲ ପିଇ ପିଇ ଓଦା ସିମେଣ୍ଟ ଅଖା ହେଇ ଯାଇଛି ।

ଗରିବର ଖିଆ ଖାଇଥିଲା–ତରକାରୀ ଥିଲା ଶାଗୁଆ ଲଙ୍କାମରିଚ ଆଉ ଦି’ଟା ପିଆଜ-। ତୋରାଣି ଛଣା ଭାତକୁ ଠେଲିବାକୁ ଯଥେଷ୍ଟ ।

ଏଇ କଷ୍ଟ ଭିତରେ ଯେଉଁ ଜୀବନକୁ ମଣିଷ ଏମିତି ସାଧ୍ୟସାଧନା କରି ବଞ୍ଚେଇ ରଖେ ସେ ସେହି ଜୀବନର ବାଟକୁ ସଜାଡ଼ିବା ପାଇଁ କେତେ ପ୍ରକାରର ନିୟମ ନ ବାନ୍ଧିଛି ? ଏଇ ଦରିଦ୍ର ଜୀବନରେ ଯେତୋଟି ଭାତ ମିଳେ ତହିଁରୁ ଅଧିକ ନୀତି ଲେଖା ହୋଇଛି । ଏତେ କଥା କଲେ ଯାଇ ରହିହବ ଗାଁରେ–

ଏଇ ଗାଁରେ ବଡ଼ ଲୋକେ ଗୋଟାଏ ଭଲ ତକିଆ ଅବା ସୁଆଦିଆ ତରକାରୀ ତାଟିଆଟିଏ ଦେବେ ନାହିଁ । କାହିଁକି ଦେବେ ? କେମିତି ଦେବେ ? ପୂର୍ବ ଜନ୍ମର ଡୋରି ତାଙ୍କର ଥାଳି ପାଖକୁ ଖିରି ଅମାଲୁ ଆଣିଲାବେଳେ କନକର କଂସା ପାଖକୁ ଆଣୁଛି ପିଆଜ ଆଉ ଲଙ୍କାମରିଚ ।

ନିଜ ପ୍ରତି ଧିକ୍‌କାର ଆସିଲା । କେବେହେଲେ ସେ ନିଜର ଦାରିଦ୍ର୍ୟର ରୂପ ଦେଖି ନଥିଲା । ତାହାର କଂସାକୁ ପରଖି ନଥିଲା । ଖାଇସାରି ନିଜର ପେଟର ଓ ଭୋକର ରୂପରେଖ ଦେଖି ନଥିଲା । ସେ ଜାଣିଥିଲା ଯେ ସେ ଗରିବ ହେଲେ ବି ମଣିଷ–ଷୋଳଅଣା ମଣିଷ ।

 

ନିଜକୁ ଚିହ୍ନିଲେ ପିଲା ମଣିଷ ହୁଏ । ଆଉ ପରକୁ ଚିହ୍ନିପାରିଲେ ମଣିଷ ହୁଏ ଆଉରି ବଡ଼ । ବଛରାଇ ଗାଁ ଛୋଟ–କାରଣ ସେଠି ଲୋକେ ନିଜର ପେଟକୁ ଚିହ୍ନନ୍ତି ସିନା ନିଜକୁ ଚିହ୍ନନ୍ତି ଖୁବ୍ କମ୍ ।

 

ଏଇଠି ଦରିଦ୍ରର କୁଡ଼ିଆରେ ନିରିମାଖି ଜୀବନକୁ ନିଜର ଆଦର୍ଶ ବୋଲି ବଡ଼େଇ କରି ବଞ୍ଚିବା ମଣିଷ ଧର୍ମର ଯେଉଁ ପାହାଚ ହେଉ ନା କାହିଁକି ସେଦିନ କନକର ମନକୁ ପାଇ ନ ଥିଲା । ଏତିକିର ମଣିଷ–ସେତିକିରେ ରହିଥାଉ । ଇଏ କାହିଁକି କାହାର ଜୀବନର ଆଦର୍ଶ ହେବ ?

 

ସୁତପା ଯେଉଁ ବାଟରେ ଯିବାକୁ ହାତ ଦେଖାଇ ଡାକୁଛି ସେଇଟା ବୋଧହୁଏ ବାଟ–ସଂସାରର ବାଟ । ଆଉ ସେହି ବାଟରବାଟୋଇ ଅଲବତ ପାଇବ ନିନ୍ଦା, ଅପନିନ୍ଦାର ଧୂଳି କାଦୁଅ ।

 

ଦୁଆର ଏରୁଣ୍ଡିବନ୍ଧ ଫାଟ ବାଟେ ଚୁଚୁନ୍ଦ୍ରାଟିଏ ପଶିଆସିଥିଲା ଘରକୁ । କନକ ଚମକି ପଡ଼ିଲା । ସେ ବି ଡରି ଯାଇ କିଲିବିଲା ଚେଁ ଚେଁ ହୋଇ ପଳାଇଲା ।

 

ଭଲବାଟ କି ଖରାପ ବାଟ ଯାହା ହେଇଥାଉ ଏଇଠି ଲାଗିଛି । ଏହି ସବୁ ଜୀବନର ଦିନକ ଦିନର ଘଟଣା । ସକାଳୁ ସଞ୍ଜଯାଏ ଘରକରଣା–ସିଏ ବି ଅଛିଣ୍ଡା । ଆଉ ସଞ୍ଜରୁ ସକାଳ ଯାଏ ରହିଛି ଅନ୍ଧାରର ମୋହ । ଏହି ଅନ୍ଧାରରେ ଭୂତ ଅଛି । ଶତ୍ରୁ ଅଛନ୍ତି, ବିପଦ ଅଛନ୍ତି–ଯେତେଇଚ୍ଛା ସେତେ ।

 

ଏଇ ଅନ୍ଧାରକୁ ତଡ଼ିଦେବାକୁ ଟିକିଏ ଆଲୁଅ ନାହିଁ । ଆଲୁଅ ଖୋଜିଲେ କଉଡ଼ି ପଡ଼େ । ଆଉ ପଇସା କଉଡ଼ି କାହିଁ ଯେ ଏତେ କଥାକୁ ମଣିଷ ଯିବ ?

 

ଏଇ ଘରୁ ତୋଳି ନେବାକୁ ଆସିଥିଲେ ସେଇ ଗାଁର ବର ରାଜକୁମାର ରୂପ ନେଇ । ଏଇ କୁମାରଙ୍କର ଥିବ ସେମିତିକା ଘର । ସେମିତିକା ଚଳଣି । ସେଇଠି କନକ ହେବ ରାଜରାଣୀ । ମୋଟା ମସିଆ ଲୁଗା ପିନ୍ଧି ତା’କୁ କହିବ ପାଟପତନି ।

 

ଆଉ ଏଇ ଭାଗ୍ୟକୁ ରାଜି ନ ହେଲେ ସେ ହେବ ଦୋଚାରୁଣୀ–ରାସ୍ତାର ବୁଲା ବିକାଳୀ-। ସେ ଜୀବନରେ ସୁଖ ଦୁଃଖ ଅଛି । ସେଠି ତାହାକୁ ମଜେଇଲା ପରି ଅନ୍ଧାର ଆଲୁଅ ଅଛି-। ଫରକ୍‌ ଏତିକି ଯେ ଏଠୁ ସେଠିକି ଯାଇ ହେବ । କିନ୍ତୁ ସେଠାରୁ ଏଠିକି ଆସି ହବ ନାହିଁ-। କନକ ହେବ ଏଠୁ ଅଣଲେଉଟା ।

 

ରାତି ଅନ୍ଧାରରେ କନକ ଛଟପଟ ହେଇ ନିଜକୁ ଓଜନ କରିଥିଲା ତାହାରି ଚିନ୍ତାର ନିକିତିରେ । ଓଜନ କରି ଆସିଲା ନାହିଁ । ସେତକ ବି ଶିଖିବାକୁ ହେବ । ନିଜେ ନିଜର ମାପ ନେଇ ବାଟ ଚାଲି ଶିଖିବ । ସେଇ ହବ ତା’ର ତପସ୍ୟା ।

 

ଗୋଟିଏ ଜୀବନର ମାୟା କଟାଇବା ଭାରି କଷ୍ଟ । ନିଜ ହାତରେ ଗଢ଼ି ତୋଳିଥିବା ଜୀବନରୁ ନିଜକୁ ଛିଣ୍ଡାଇ ନେଇ ଅସହାୟ ଶିଶୁର କେବଳ ସ୍ଵପ୍ନ ଓ କଳ୍ପନାରେ ଆଉ ଗୋଟିଏ ଜୀବନ ଗଢ଼ିବା କ’ଣ ସମ୍ଭବ ?

 

ଏଇଟି ହେଉଛି ପ୍ରତ୍ୟେକ ଜୀବନର ପ୍ରଶ୍ନ । ଅନେକ ଲୋକ କରୁ କରୁ ରହିଯାନ୍ତି–ଆଖି ପାଏ ନାହିଁ । ହେଲା ଏବେ ସେପାଖରେ ଅଛି ନୂଆ ଜୀବନ । ସେହି ଜୀବନରେ ନୂଆ ରଙ୍ଗର ପୋଷାକ ପହରଣ ଓ ଫଳଫୁଲରୀ । ପାଇଲେ ସୁଖ ଲାଗନ୍ତା କିନ୍ତୁ ସେତକ ଆଣିବାକୁ ଯିବ କିଏ-?

 

ଯାଉ ଯାଉ ଯଦି ଜୀବନ ଯାଏ ତାହାହେଲେ ନିଜର ଇଚ୍ଛାରେ ନିଜର ସମ୍ମତିରେ ଜୀବନରେ ଜଳାଞ୍ଜଳି ଦେବା କଷ୍ଟ । ସେଥିପାଇଁ ଲୋଡ଼ା ହୁଏ ମନର ଭୀମ ପରାକ୍ରମ । ପାହାଡ଼ ଆରପାଖେ କ’ଣ ଅଛି ନଜାଣି ପାହାଡ଼ ଚଢ଼ିଯିବା ଯେମିତି–ଦେଖାପରଖା ଜୀବନକୁ ଫୋପାଡ଼ି ଦେଇ ନୂଆ ଜୀବନ ଗଢ଼ିବା ଠିକ୍‌ ସେମିତି ।

 

ସବୁ ରାତି ଓ ସବୁରି ରାତି ପାହେ । କଳା କିଟିକିଟିଆ ଅନ୍ଧାର ଚାଲିଯାଏ । ଜହ୍ନ ରାତିର ଜହ୍ନ ବି ବୁଡ଼ିଯାଏ । ପୁଣି ଆସେ ଦିନର ଆଲୁଅ । ଆଉ ସକାଳର ଶୀତଳ ଥିରିଥିରି ପବନରେ କହେ–ଉଠ । ଆଗେଇ ଚାଲ ।

 

ହୁଏତ ଦିନଟା ତମପାଇଁ ଭୟଙ୍କର । ଆଜି ହୁଏ ତ ତମର ଶେଷ ଦିନ । ଆଜି ତମେ ଉଡ଼ିଯିବ କୁଟାଖଣ୍ଡ ପରି ଅବା ତମେ ଯାଇ କେଉଁଠି କି ପଦପଦବୀରେ ରହିବ ଜାଣ ନାହିଁ ।

 

କ’ଣ ଆସୁଛି ଆଉ କ’ଣ ମିଳିବ–ସେକଥା ନ ଭାବି ତମର ଆଖି ଯୁଆଡ଼େ ଦେଖୁଛି, ମନ ଯୁଆଡ଼େ ଟାଣୁଛି ସେହି ଆଡ଼କୁ ପାଦେ ପାଦେ କରି ଚାଲ । କେତେ ଦୂର–ସେକଥା ଭାବିଲେ ଯାଇପାରିବ ନାହିଁ । ଉଠ–ଉଠ । ଚାଲ–ଚାଲ ।

 

ବାରିଆଡ଼େ ଯାଇ ଭଦଭଦଳିଆ ଚଢ଼େଇ ଦେଖି କନକ ହାତ ଉଠାଇ ନମସ୍କାର କରିଥିଲା–ଦିନଟା ଭଲ । ରାତି ଯେତେ ଦୁଃଖ ଆଣି ଦେଇଥିଲା ପାଶୋର ଗଲା ।

 

ଘରର ବଳଦ ବିଲକୁ ଯିବାକୁ ସଜ ହେଲେଣି । ସେତେବେଳେ ଧୋଇ ମରୁଡ଼ିର ଭାବନା ନାହିଁ । ଅଛି ଗୋଟାଏ ଆଶା–ହାତର ପରିଶ୍ରମରେ ଧାନ ଫଳିବ । ଫସଲ ଭଲ ହେବ । ଚଢ଼େଇ ପାଇଁ ବଳିବ । ମୂଷାଙ୍କ ପାଇଁ ରହିବ । ଘରକୁ ଆସିବ କୁଟୁମ୍ବ ଗୋଟାକର ଭାତ ।

 

ଏଥିରେ ଲାଗୁଛି ଖାଲି ଗୁହାଳର ଖତ ଆଉ ବଳଦ ହଳକରି ପରିଶ୍ରମ । ଏତିକିରୁ ମାଟି ପଠାଇ ଦେଉଛି ଭାଗ୍ୟ । ଏମିତି କନକ ପାଇଁ ପନ୍ଦର ବର୍ଷର ଭାତ ଲୁଗା ସେ ପଠାଇ ଦେଇଛି । ସେହି ଧାନବିଲ ଦିଶୁଛି ଆଗରେ–

 

ଲୋକେ ତରତର ହେଲେଣି–ମାଟି ସାଙ୍ଗରେ ମିଶି ମାଟି ହେବାକୁ । ମାଟି ହେଲେ ଯାଇ ମାଟି ଫଳେଇବ । ବାପା ଭାଇ ଯାଇ ବେଳେବେଳେ ବିଲକୁ ଓଳଗି ହେଇ କହନ୍ତି–ମା, ବସୁଧା । ଆମର କେହି ନାହିଁ । ମା, ତୁ ନଫଳାଇଲେ ଆମେ ଉପାସ ରହିଯିବୁ । ଏତିକି କହିଦେଇ ଅଧାକୁ ଗୋଟା କରିବାକୁ ଲାଗିଯାନ୍ତି । ଭୁଲିଯାନ୍ତି ସବୁକଥା–ଆଗେ ଚାଷ । ପରେ ଆଉ ଯାହା ।

 

ଭଦଭଦଳିଆ ଚଢ଼େଇର ସେହି ଶୁଭ ସଂକେତ ଦେଖି ଚଞ୍ଚଳ କାମ ସାରି କନକ ଫେରି ଆସିଲା–ଘରେ କ’ଣ ବହି ଖାତା ପଡ଼ିଛି ଦେଖିବ ।

 

–ବୋଉ, ମୋର ବହି ବସ୍ତାନି କୁଆଡ଼େ ଗଲା ?

 

–କି ବହି । କେଉଁଠି ସଙ୍ଗାରେ ଥିବ ଦେଖୁନୁ । କ’ଣ ପଢ଼ା ହେବ କି ?

 

–ହେଇ ସେମିତି କହିଲେ କଳିଲାଗିବ ଜାଣିଥା । ଦେ, ମୋର ବହି ବସ୍ତାନି ।

 

ଏଇଠି ସରିଥିଲା ପଢ଼ା ଦିନର ଅଧ୍ୟାୟ । ବସ୍ତାନି ଭିତରେ କେଇଖଣ୍ଡ ଛିଣ୍ଡା ବହି ଆଉ ଛିଣ୍ଡା ଖାତା ଅତି ଅଦରକାରୀ ହୋଇ ଚାଲି ଯାଇଥିଲା ସଙ୍ଗା ଉପରକୁ । ଘରର ଜିନିଷ ସବୁ ଦରକାରୀ–ଯେତେ ଅଦରକାରୀ ହେଲେ କନିର ପାଠ ବହି । ଫୋପାଡ଼ିଦେଲେ ସରସ୍ଵତୀ ରାଗିବେ । ଗଣେଶ ବିଗିଡ଼ିଯିବେ । ସେଥିପାଇଁ ଘରର ଲକ୍ଷ୍ମୀ ପ୍ରତିମା କନିବୋଉ ସେହି ବୁଜୁଳାଟି ପକାଇ ଦେଇଥିଲେ ସଙ୍ଗା ଉପରକୁ ।

 

ବୋଉ ଉପରେ ରାଗ କରି ଚିଡ଼ିଚିଡ଼ି ହେଇ କନକ ସଙ୍ଗା ଉପରୁ ତାହାର ବହି ବୁଜୁଳାଟିକୁ କାଢ଼ିଲା–

 

ଅସରପା ବସା କରିଛନ୍ତି । ଆଉ ଅସରପା ଲୋଭରେ ଛ’ ଆଙ୍ଗୁଳିଆ ତେନ୍ତୁଳିଆ ବିଛା ବସ୍ତାନି କନା ସନ୍ଧିରେ ତାହାର ବିଛଣା ପକାଇଛି । ଇଲୋ ବୋଉଲୋ–ପାଟିକରି କନି ଡେଇଁ ପଡ଼ିଲା ଦୁଆରକୁ ।

 

ବୋଉ ଧାଇଁ ଆସି ଦେଖିଲା ବେଳକୁ ବିଛା ତାହାର ଲାଙ୍ଗୁଡ଼ଟିକୁ ହଲାଉଛି ।

 

–ମଲା ଯା । ଲକ୍ଷ୍ମୀ ବିଛାଟାଏ । ତା’କୁ ପହଁରା ପିଞ୍ଛରେ ଟେକିନେଲେ ଯାଇଥାନ୍ତା । ଆଉ ଏଣେ ବାଘ ରଡ଼ି...

 

–ଯା, ମ । ମୋ ବସ୍ତାନିକୁ ଏମିତି ରଖିଛୁ । ଦେଖିଲୁ କେଇମାଣ ଅସରପା ସେଠି । ମୁତି ହଗି ମୋ ବସ୍ତାନିକୁ ଖୁଣ୍ଟି ଦେଇଛନ୍ତି । ଆଉ ପଢ଼ିବି ନିଆଁ ପାଉଁଶ ।

 

–ଆହାରେ ପଢ଼ାଳୀ । ଏତେଦିନଯାଏ କ’ଣ ଶୋଇପଡ଼ିଥିଲୁ କି ? ଦିନେ ଦେଖିଥିଲୁ ସେଇ ବସ୍ତାନି ଅଛି କି ମଲାଣି ।

 

–ହେଇ ଦେଖ । ଆଜି ସକାଳୁ ମୁଁ ଭଦଭଦଳିଆ ମୁହଁ ଚାହିଁ ପଢ଼ା ଆରମ୍ଭ କରୁଛି । ଏଇ ଅଶୁଭ କଥା କହନାହିଁ ।

 

ଗରଗର ହୋଇ ବସ୍ତାନି ଫିଟାଇଲା । ଯାହା ଅଛି ସେଥିରେ ପାଠ ହେବ ନାହିଁ । ପାଠ ଉପରେ ପୋକ କ’ଣା କରି ଦେଇଛି । ଝିଟିପିଟି ଯାହା ପାଇଛି ଖୁଣ୍ଟି ଖାଇଛି । ଅସରପା ତାଙ୍କର ପାଇଖାନା କରିଛନ୍ତି । ସେଥିରେ ବହି ଖାତା କାମକୁ ଲାଗିଲାଭଳି ଅବସ୍ଥାରେ ରହି ନାହାନ୍ତି ।

 

ମାଟି ଦୁଆରେ ଗୋଡ଼କୁ ଆଠ ଦଶ ଥର ପିଟି ଦେଇ କନି ଆସି ପିଣ୍ଡାରେ ବସି କାନ୍ଦିଲା-। ବହି ଖାତା ଶେଷ ହୋଇଯାଇଛି । ତା’କୁ କିଏ ଆଉ କିଣି ଦବ ? ପାଠ ପଢ଼ା ହବ କେମିତି ?

 

–ଛିଆ ଲୋ । ସକାଳୁ ଉଠି ଶକ ହେଲା । ପାଠ ପଢ଼ିବେ କନି ଦେଈ । ଏଇ ଲାଜକୁ କ’ଣ ମରଣ ଅଛି ? ଗୁହାଳ ପୋଛିବା ଭାଗ୍ୟରେ ଜନମ ହେଇ କହିଲାଣି ଚାତର କଥା–

 

–ହେଇ ଦେଖ୍‌ ବୋଉ । ସେ ଗୁହାଳକୁ ନେଇ ତୁ ଥା ଯଦି କନକ ଗୋବରରେ ହାତ ଦେଇଛି ତ ମୋ’ ନାଁରେ କୁକୁର ପୋଷିବୁ ।

 

–ଆଉ କରିବୁ କ’ଣ ? ଉଆସ କାହିଁ ଯେ ପଲଙ୍କ ଲଗାଇ ହୋଇ ବସିବୁ । ତାହାହେଲେ ଏଇ ହୀନିମାନି ପେଟରେ ବିଜେ ହେଲୁ କାହିଁକି ?

 

–ପଛରୁ ଖୁଣ୍ଟିବୁ ନାହିଁ ବୋଉ । ସେମିତି କଲେ ଯାହା ଇଚ୍ଛା ତାହା କରିବି । ମୁଁ ଯିଏ ହେଇଥାଏ, ଯେଉଁଠୁ ଆସିଥାଏ ପଛକେ ମୁଁ ପାଠ ପଢ଼ିବି । ...ମତେ ବହି ଆଣି ଦେ ।

 

–ମଲା ମୋର । ବଇଶାଖ ମାସରେ ବିଲ ପାଇଁ ଖତ ନଅଣ୍ଟ ଖତର ଭାଉ କାହିଁରେ କ’ଣ ? ସେଥିରେ ଆମର ସୁଆଗୀ କହିଲେ ବହି ଦେ–ଖାତା ଦେ ।

 

–ଆଉ ତେବେ ?

 

–ଯାଉନୁ ତୋର ଅପା ପାଖକୁ । ସେ ତ ସବୁ ପାଠ ପାଣି କରିଦେଇ ଆଜି ସାଆନ୍ତାଣି-। ସେଠି ଯାଇ ତା’କୁ ବହି ମାଗ–କେତେ ବହି ଆଣି ଅଜାଡ଼ି ଦବ ।

 

–ଦବ ଯେ ।

 

–ହଁ, ଲୋ, ଦେଲାପରି ଦିଶୁଛି । ତା’କୁ ଦେଖି ଯିଏ ନାହିଁ ସିଏ ଜାଣୁଛି ଏଇଟା ମୂର୍ଖ । ସେ ଦଉଥିଲା ମନ୍ତର–ଏବେ ଦବ ବହି । ମାଗ୍‌–ମାଗ୍‌ ।

 

ଭଦଭଦଳିଆ ଚଢ଼େଇ ନୁହେଁ କି ? ତାକୁ ଦେଖିଥିଲା ସକାଳେ । ବହି ଖାତାକୁ ଦେଖିଲା–ପୋକ ଖାଇଯାଇଛି । ବୋଉକୁ ମାଗିଲା ଯେ ପାଇଲା ଉଲାଖ । ......ନାଁ, ତା’ର ଭାଗ୍ୟରେ ଆଉ ପାଠ ନାହିଁ ।

 

ତେବେ ଅଛି କ’ଣ ? –ଏଇ ଗୁହାଳର ଗୋରୁ ଗୋବର ଆଉ ମୁତ । ଘସି ପାରିବା, ଦୁଆର ଲିପିବା–ଏତିକି କାମର ଯଶ । ଏଇଆ କ’ଣ ତାର ଭାଗ୍ୟ ? ଦୁଇ ଆଖିରୁ ଦୁଇ ଧାର ତତଲା ଲୁହ ଗଡ଼ି ଆସିଥିଲା ।

 

କେମିତି କନକ କାନ୍ଦୁଛି ଦେଖିବାକୁ ଦି’ହଳ ଘରଚଟିଆ ଉଡ଼ି ଆସିଥିଲେ । ଗୋଡ଼ିଆ ଗୋଡ଼ି ହେଉ ହେଉ ଗୋଟିଏ ପଶି ଯାଇଥିଲା କନକର ପଣତ ଭିତରେ । ସେ ଚମକି ପଡ଼ିଲା–ତା’କୁ ଛୁଇଁଲା କିଏ ?

 

ନରମ ପକ୍ଷୀର ନରମ ପର ବାଜି ତାହାର ଦେହ ଶୀତେଇ ଉଠିଥିଲା । ଓଠରୁ ହସ ଝରିପଡ଼ିଲା । ସୁତପା ଅପା ମନେପଡ଼ିଲା–ସେ କହୁଥିଲା କେମିତି ଦେହରେ ଦେହ ବାଜିଲେ ଭଲ ଲାଗେ ଆଉ କେତେକରେ କ’ଣ ହେଲେ ଖରାପ ଲାଗେ ।

 

ଚଢ଼େଇଟି ଯାଇ ଦୁଆରେ ଲାଞ୍ଜ ହଲାଉ ଥାଏ । କନକ ଚାହିଁଲା ତାହାରି ଆଡ଼େ । ଛୋଟିଆ ମୁହଁ, ଛୋଟିଆ ଥଣ୍ଟ ଆଉ ଛୋଟିଆ ପେଟ । ସିଏ ପୁଣି ତା’କୁ ପୋଷିବାକୁ ବାଛିଛି କନକର ଅଗଣା ଚାଳକୁ–

 

ଆଖିର ଲୁହ ଧାର ଶୁଖି ଆସିଲା । ଜୀବନ ସବୁବେଳେ ଚିର ଚଞ୍ଚଳ । ତା’ର ଚଞ୍ଚଳତା ଆଉ ପ୍ରଖରତାକୁ ଶୁଆଇ ଦେଲେ ଆସେ ଆଖିରେ ଲୋତକ ଓ ମନର ଅସହାୟତା ।

 

ନା–ନା । ଜୀବନର ଗନ୍ତାଘର ଯେଡ଼େ ଭରପୂର ବା ଶୂନ୍ୟ ହେଇଥାଉ, ଜୀବନର ପୂଜା ନ କରି କାହାରି ପରିତ୍ରାଣ ନାହିଁ । ଏମିତି ଆଖି ପିଛୁଳା ପଡ଼ୁ ପଡ଼ୁ ଆଖି ମୁଦି ହୋଇଯିବ । ତା’ପରେ ତାକୁ ନେଇ ଫୋପାଡ଼ି ଦେବେ ବାହାରେ ।

 

ଏଇ ପରିଣତିକୁ ନ ଘେନିଛି କିଏ ? କନକର ହଠାତ୍‌ ମନେ ପଡ଼ିଗଲା ।

 

–ଏଇ ହାତୀ ଘୋଡ଼ା ଏଇ ପାଟ ଛତା

ତୋହରି ବାପର ଥିଲା

ମଲାବେଳେ ସେହି ଗୋବିନ୍ଦଚନ୍ଦ୍ରରେ

ଛିଣ୍ଡା ପଲଙ୍କରେ ଗଲା ।

 

ମଥାନ ଉପରର ଘରଚଟିଆଙ୍କର ସେହି ପାଟି ତା’କୁ ଯେମିତି ଡାକି ଡାକି କହୁଥିଲା–କନକ ଆମଠାରୁ ହୀନ । ଆମଠାରୁ ଅସହାୟ ।

 

କନକର ହୃଦକନ୍ଦରାରେ କିଏ ଯେପରି କହୁଥିଲା–ନା, ନା । ଦେଖ୍‌ ଏଇ ଛୋଟ ଚଢ଼େଇ ଗୁଡ଼ିଙ୍କୁ । ତାଙ୍କର ଘର ଦୁଆର, ବାପ ମା, ଅର୍ଜୁନ ସଞ୍ଚୟ କିଛି ନାହିଁ । ତେବେ କ’ଣ ସେମାନେ ବଞ୍ଚୁ ନାହାନ୍ତି ? ତାଙ୍କର ନାଁ କ’ଣ ଲୋପ ପାଇଗଲାଣି ଏହି ମାଟି ଉପରୁ ?

 

କନକ ଉଠି ବୋଉର ଆଖି ଆଗରେ ଡଗ ଡଗ ହୋଇ ଚାଲିଲା ।

 

ଗଲାବେଳେ କହିଲା–ଦେଖେଁ । ସୁତପା ଅପା କାଳେ ଭିକ ଦେଇ ମୋର ମାନ ରଖିବ-

 

ବୋଉ ଜବାବ ଦେଇଥିଲା–ଯା ଲୋ ଝିଅ । ପରଖି ଆସିବୁ । କାନପରଶା କଥା ଯେ କହେ ସେ କେଯାଏ ହାତରେ ପରଶେ । ଖାଇବୁ ଆଉ ମନେ ପକାଇବୁ ମତେ ।

 

ଅସହାୟର ଆଶ୍ରୟକୁ ନିନ୍ଦା କଲେ ଭାରି ବାଧେ । କେଡ଼େ ନିର୍ଭର ହେଇ କନକ ସୁତପା ଅପାକୁ ଟେକି ଧରିଥିଲା ବୋଉ ଆଗରେ । ଠାକୁରେ କ’ଣ ଏଇ ମାନ ରଖିବେ ନାହିଁ ? ସୁତପା ଅପା କ’ଣ ପଣତ ଦେଖାଇ ଢାଙ୍କି ଦବ ନାହିଁ ?

 

ଏମିତିକା ଆଶା ସବୁବେଳେ ଗରିବର ମନରେ ବସା ବାନ୍ଧେ । ନିଜ ଲୋକ ଦୂରେଇ ଦେଲେ ସେ ଦୂର ଲୋକଙ୍କ ନିକଟକୁ ଚାଲିଯାଏ–ଭରସା ମାଗିବାକୁ । ସବୁ ପ୍ରକାରର ଦରିଦ୍ର ଏଇ ବିଷୟଟିରେ ସମାନ ।

 

ସେଇ ଦାରିଦ୍ର୍ୟକୁ ଘୁଞ୍ଚାଇବାକୁ ସୁତପା ଆସିଥିଲା ବଛରାଇ ଗାଁକୁ । ଯିଏ ତାର ନିଜର, ପ୍ରାଣର, ହୃଦୟର–ସେ ଦୂର କରିଦେଲେ । ଅଜଣା ଅଶୁଣା ଅଭିନ୍ନବାବୁ । ସେ କ’ଣ ପାଖକୁ ନେଲେ ନାହିଁ ?

 

କେହି ଷୋଳଅଣା ଆଶ୍ରୟହୀନ ନୁହେଁ । କେହି ଷୋଳଅଣା ଦରିଦ୍ର ମଧ୍ୟ ନୁହେଁ । ଏହି ରତ୍ନଗର୍ଭା ସଂସାରରେ ସମସ୍ତଙ୍କ ପାଇଁ ରଖାହୋଇଛି । ପାଇବାକୁ ମନ କର–ପାଇଲେ ଖୁସି ହୁଅ-। ସବୁ ଜିନିଷ ମିଳିବ ।

 

ଏତକ ନ ଜାଣି କନକ ସୁତପା ଅପା ପାଖକୁ ଧାଇଁଯାଇଥିଲା ଛୋଟିଆ ଅଲିଅଳ ଅଭିମାନ ନେଇ–ଅପା, ଅପା । ସକାଳୁ ଆସିଛି ଭିକ ମାଗିବାକୁ । ମନା କରିବ ନାହିଁ ଟି ?

 

–କିଏ କାହାକୁ ଭିକ ଦିଏ ଲୋ କନକ ? ସେହି ଠାକୁରେ ଦିଅନ୍ତି ଆଉ ଦିଅନ୍ତି ।

 

–ନାହିଁ ମ, ତମେ ଦବ । ......କେଇଖଣ୍ଡ ବହି ଖାତା ମାଗିବାକୁ ଆସିଛି । ମୋର ବହିବସ୍ତାନି ବୋଉ ଖତ କରି ଦେଲା ।

 

–କି ବହି ? ମୋ’ ପାଖରେ କ’ଣ ଅଛି ?

 

–ଥାଉ କି ନ ଥାଉ । ତମର କ’ଣ ନାହିଁ ? ମତେ ତମେ ଦବ ବୋଲି ମୁଁ ବହପ କରି ବଡ଼େଇ କରି ବୋଉ ମୁହଁରେ କଥା କେଇପଦ ଫୋପାଡ଼ି ଦେଇ ଆସିଛି ।

 

–ବୋଉ କ’ଣ କହିଲା ?

 

–କହିବ ଆଉ କ’ଣ ? କହିଲା ଯା ଲୋ କନି, ମାଗିବୁ–ଆଣିବୁ । ପାଇଲେ ମତେ ମନେ ପକାଇବୁ ।

 

ସୁତପା ଟିକିଏ ଗମ୍ଭୀର ହେଇଗଲା–ଏଇ ଗାଁର ଲୋକେ ତାହାର କି ପ୍ରକାରର ଅଟକଳ ନେଉଛନ୍ତି ଏତକ ଜାଣିଲା ।

 

–ହଉ ଦେଖିବା । ତୋ’ ବୋଉ କୁଆଡ଼ୁ ଜାଣିବ ? ଏଇ ସୁତପା ହାଡ଼ବାଟେ କ’ଣ ନ ଯାଇଛି ତମ ଗାଁକୁ ଆସିବା ଆଗରୁ । ଏବେ ଗାଁରେ ପରଖ ମାଗୁଛନ୍ତି ନା ?

 

–ହଁ ମ । ତମକୁ ଚିହ୍ନିବାକୁ ଏଠି ଲୋକ କାହାନ୍ତି ? ତାଙ୍କର ପାହିଆ ତା’ଙ୍କୁ ବଳାଉଛି । ....ହେଲେ, ଅପା, ସକାଳେ ଭଦଭଦଳିଆ ମୁହଁ ଚାହିଁଛି । ମତେ ମନା କରିବ ନାହିଁ । ମୁଁ କାଲି ରାତିରେ ଭଲ କରି ଶୋଇ ପାରି ନାହିଁ ତମ କଥା ଭାବି ଭାବି ।

 

–କ’ଣ ଭାବୁଥିଲୁ ? ତୋ’ର ବରଘର କଥା–ଅଣଲେଉଟା ବର ଫେରିବ କି ନାହିଁ-?

 

ଲାଜ କରି କନକ କହିଲା–ଯା, ମ । ଏଇ କଥା ତମେ କହିବ ବୋଲି କିଏ ଭାବିବ ? ....ନିଦ ହେଲା ନାହିଁ କାହିଁକି ଜାଣ ? ମନ ଖାଲି କହିଲା–ଆମେ ଏଡ଼େ ଗରିବ, ଏଡ଼େ ଦୁଃଖୀ । ଆଉ ସେଇ ମାଖୁମ ଲୋକଙ୍କର ମନରେ ପୁଣି ବଡ଼ ହେବାକୁ ଆଶା ।

 

–ଆଶାର ଦୀପ ଖାଲି ସେଇଠି ଜଳେ । ତୁ ଜାଣି ନାହୁଁ ଯାହାର କିଛି ନାହିଁ, ସେହି ସବୁ ହୁଏ । ଆଉ ଯାହାର ସବୁ ଅଛି ସେ କିଛି ହୋଇପାରେ ନାହିଁ ।

 

କନକ ଚାହିଁ ରହିଲା ସୁତପାର ମୁହକୁ ।

 

ବହୁତ ଜାଣିଥିଲା ପରି ସୁତପା କହିଲା–ଦେଖିବୁ କନକ ମିଛ ହବ ନାହିଁ । ଏମିତି ଯାହାର କିଛି ନଥାଏ ତା’କୁ ପ୍ରଭୁ ଅସୀମ କ୍ଷମତା ଦେଇଥାନ୍ତି । ଖାଲି ଆଶାର ମିଞ୍ଜି ମିଞ୍ଜି ଆଲୁଅରେ ସେଇ ଭଗବାନଙ୍କର ଇଚ୍ଛା ଉପରେ ଭରା ଦେଇ କୁଟାଖିଅକରେ ପାରି ହୋଇଯାଏ । ଭଦଭଦଳିଆ ତତେ କାହିଁକି ଭଣ୍ଡିବ ? .....ଆମେ ବି କିଣିବା ।

 

–ସତେ, ଅପା । ତମେ କେତେ ବଡ଼ । ଆହା ମୁଁ ହେଲେ ତମର ପାଦସେବା କରିବାର ଭାଗ୍ୟ ପାଆନ୍ତି । ଘରୁ ଫେରି ଆସିଥିଲି ଖାଲି ହାତରେ । ଠାକୁର ଅଛନ୍ତି । ସେ ମୋର କାନ୍ଦଣା ଶୁଣିଛନ୍ତି... ସତେ ମୁଁ ବହି ପଢ଼ିବି ? ମଣିଷ ହେବି ?

 

–ନିଶ୍ଚେ ହବୁ । ଏଇ ଗାଁ ବାଲା ଦିନେ କହିବେ ଯେ ତାଙ୍କରି ଗାଁ ଝିଅ ହେଉଛି କନକ-

 

ବିହ୍ଵଳ ଆଖିର ସେହି ସ୍ଵଚ୍ଛ ଦର୍ପଣରେ ସେଦିନ କନକ ତାହାର ଆଗସାମନା ଦିନଗୁଡ଼ିକ ଦିଶି ଯାଇଥିଲା । ନ ହେବା କ’ଣ ହେଇଛି । ତୁଣ୍ଡ ଫିଟାଇଛି ଆଉ ମନର କାମନା ପୂର୍ଣ୍ଣ ହେଇଛି ତାହାର କୃତଜ୍ଞତା ଉଛୁଳି ଉଠିଥିଲା ପୁଣି ସେହି ଆଖିର ଜୁଆରରେ ।

 

ନିଜର ଜବାବରେ ମୁଗ୍‌ଧ ହେଲା ପରି ସୁତପା କହିଲା ମୁଁ ଦେଖିଛି କନକ । ଅନେକ ଦେଖିଛି । ଯେ ହେବାର କଥା, ଯିଏ କରିବାର ଲୋକ, ଯେଉଁମାନେ ଉପରକୁ ଉଠନ୍ତି ତାଙ୍କୁ ଇଟାକୁ ଇଟା ଖଞ୍ଜିଲା ପରି ମାଗୁ ନ ମାଗୁଣୁ ସବୁ ମିଳିଯାଏ । ତୁ କହିଛୁ–ପାଇଛୁ । ଦେଖିବୁ ନାହିଁ ତୋର କେତେ ବାଟ ଗାଡ଼ି ଚାଲିବ ?

 

ନ ହେବା କଥାର କୁହୁକ ଏମିତି ପ୍ରାଣ ଉଛୁଳା ଯେ ମଣିଷ ଅଣନିଶ୍ଵାସୀ ହୋଇ ସେଇ ଅସମ୍ଭବକୁ ଚାହିଁ ରହେ । ଗୋରୁ ଗୁହାଳର ମୋହ କଟି ଯାଇଥିଲା ଜଣକର ପଦେ ଆଶ୍ଵାସନାରେ-। କନକର ସେହି ଷୋଳବରଷୀ ଛାତି ଫbଲି ଉଠିଥିଲା ଆନନ୍ଦ, କୃତଜ୍ଞତା ଓ ସଫଳତାରେ-

 

ଦରମେଲା ଲୁଗା ଭିତରେ ସେଇ ନିଠୋଳ ଦେହକୁ ଚାହିଁ ସୁତପା ନିଜ କଥା ଭାବିଥିଲା-। ଏତିକି ସମ୍ପଦକୁ ମଣିମାଣିକର ମୂଲରେ ପୂଜା କରି ସୁତପା କେତେ ଦିନ କଟାଇ ଦେଇଛି-। ଆଉ ସେଠି କନକ ନିଜ ବିଷୟରେ ସଂପୂର୍ଣ୍ଣ ଅଚେତନ ।

 

ସୌନ୍ଦର୍ଯ୍ୟ ଅଛି କିନ୍ତୁ ଚେତନା ନାହିଁ । ତେଣୁ ସେହି ସୌନ୍ଦର୍ଯ୍ୟର ଜୀବନ ନାହିଁ ।

 

କନକ ସଚେତନ ହୋଇ ପଡ଼ିଲା । ସୁତପା ଚାହିଁ ରହିଛି ତାହାର ଛାତିକୁ । ସେ ଲୁଗା ଟାଣି ନେଲା ।

 

–ଲାଜ ଲାଗିଲା କି ?

 

–କାହିଁକି ମ । ମାଈପିଙ୍କ ପାଖରେ କ’ଣ ଲାଜ ଥାଏ ?

 

–ତେବେ । ଲୁଗା ଢାଙ୍କି ଦେଲୁ କାହିଁକି ?

 

କନକ ବୁଝି ପାରିଲା ନାହିଁ । ଜବାବ ଦେଇ ପାରିଲା ନାହିଁ ।

 

ହସି ସୁତପା କହିଲା–ଦେହର ବି ଲାଜ ଅଛି । ବେଳେବେଳେ ଦେଖାଦିଏ । ଲାଜ ହଉଛି ଦେହର ଜୀବନ–ଜୀବନର ରଙ୍ଗ । ସେଥିପାଇଁ ତତେ କହିବି ବୋଲି ଭାବୁଥିଲି ଯେ ଲାଜ ଛାଡ଼ି ଅଲାଜୁକୀ ହେଇ ଏହି ଦେହକୁ ନାଲି ଟୁକୁଟୁକୁ କରି ଲାଜର ଓଢ଼ଣା ପିନ୍ଧାଇବୁ ।

 

କନକ ବୁଝି ପାରିଲା ନାହିଁ ।

 

ସୁତପା ତାହାର ସେହି ସରଳିଆ ଆଖି ଦୁଇଟାକୁ ଚାହିଁ ଭାବିଥିଲା–କେଡ଼େ ଭାଗ୍ୟବତୀ-। ସବୁ ଅଛି । କିନ୍ତୁ କ’ଣ ଅଛି ଜାଣେ ନାହିଁ । ହୁଏ ତ ଏଇ ଜୀବନରେ ଜାଣନ୍ତା ନାହିଁ-। ଦେହକୁ ଦେହ ଭାବି କଟାଇ ଦେଇଥାନ୍ତା ଗୋଟାଏ ଜୀବନ । କିନ୍ତୁ ଦେହକୁ ପ୍ରତିମା ବୋଲି ମନେ କରି ପାରିଲେ ଦେହର ସେବା କ’ଣ ଗୋଟିଏ ଜୀବନର ଅଖଣ୍ଡ ଅହୋରାତ୍ର ସଂକୀର୍ତ୍ତନ ହୋଇପାରିବ ନାହିଁ ?

 

...ଉପନ୍ୟାସରେ ଲେଖା ହୋଇଥିଲା .... ଜଣେ ଲେଖକର କଳ୍ପନା କି ତା’ର ଆଖି ଦେଖା କଥା–କିଏ ଜାଣେ ?

 

ନିଜର ବହି ବାକ୍‌ସ ଖୋଲି ସୁତପା କେଇଖଣ୍ଡ ବହି କାଢ଼ିଲା କନକ ପାଇଁ ।

 

–ଇଏ ନୁହଁ ଅପା । ପଢ଼ା ବହି ।

 

–ପଢ଼ା ବହି ଆସିବା ଯାଏ ଏତକ ପଢ଼ୁଥା ।

 

–ଗାଁର ଅସହଣିଏ କ’ଣ ରଖେଇ ଦେବେ ?

 

–ତେବେ ଏଇଠି ବସି ପଢ଼ିବୁ ।

 

–ଏଇଥିରୁ କ’ଣ ପରୀକ୍ଷା ପାସ୍‌ ହେବ ?

 

କନକର ମୁହଁକୁ ଚାହିଁ ରହିଲା ସୁତପା । –ସତେ ତ । ଜୀବିକା ପାଇଁ ଯେଉଁ ବହି ଲାଗେ, ଜୀବନ ପାଇଁ ସେ ଗୁଡ଼ାକ ଲାଗେ ନାହିଁ । ...... ହଉ, ଆଣିବା ବହିଖାତା । ଦିହେଁ ପଢ଼ିବା ସାଙ୍ଗ ହୋଇ । ବୋଉକୁ ଘରେ କହିବୁ ।

 

–ଏଁ । ମୋର ଏତେ ଭାଗ୍ୟ ? ତମେ ବି ପଢ଼ିବ ? .....ସ୍କୁଲକୁ କ’ଣ ଯିବ ? ....ଯାଇ ପାରିବ ? .....ଅଭିନ୍ନ ଭାଇ କ’ଣ ରାଜି ହେବେ ? ....ମାଉସୀ କ’ଣ ରାଜି ହେବେ ?

 

–କହି ପାରିବି ନାହିଁ । ପାଠପଢ଼ା ଦରକାର ହବ କି ନାହିଁ ଜାଣେ ନାହିଁ । ତେବେ ବେଳ କଟିବ ତ ।

 

–ସତେ ଅପା, ତମେ ଭାଇଙ୍କ ସାଙ୍ଗରେ ଗଲ ନାହିଁ କାହିଁକି ?

 

–ହଁ, ଯିବି ଯେ । ତାଙ୍କରି ସାଙ୍ଗରେ ଏକାଠି ବେଙ୍ଗଳା ପଡ଼ିବାକୁ ଆସିଛି । ତେବେ ସେ ଛୋଟ ଅଛନ୍ତି । ବଡ଼ ହେଇଯାନ୍ତୁ । .....ତୋର ଅଭିନ୍ନ ଭାଇ ବଡ଼ ହେବେ–ମଣିଷ ହେବେ–ବଡ଼ ମଣିଷ ହେବେ ।

 

–ନିଶ୍ଚେଁ ହେବେ ।

 

–ହବାର ଥିଲେ ହେଇ ସାରନ୍ତେଣି । ହୋଇପାରିବେ ନାହିଁ ବେଲି ଆଜିଯାଏ ହେଇପାରି ନାହାନ୍ତି । ଘରେ ମାଇପକୁ ପ୍ରବୋଧ ଦେଇ କେହି କ’ଣ ବଡ଼ ହେଇଛି ? ....ମୋର ଭାଗ୍ୟ ଯେତିକି ସେତିକି ମତେ ମିଳୁଛି ।

 

–ସେ କ’ଣ ବଡ଼ ନୁହନ୍ତି ? ବଡ଼ ତ ।

 

–ହଁ, ସେ ତୋ ପାଖରେ ଯେତିକି ବଡ଼, ଆଉ କାହା ପାଖରେ ସେତିକି ଛୋଟ ।

 

–ବଡ଼ ମଣିଷକ’ଣ ବେଶି ସୁଖ ଦିଏ, ଅପା ?

 

–ଦେଇ ପାରିବ । ଇଚ୍ଛା କଲେ ଅଧିକ ସୁଖ ଦେଇପାରିବ । ଛୋଟ ମଣିଷ ଯେତେ ଇଚ୍ଛା କଲେ ବି ଅଳ୍ପ ସୁଖ ଦବ ।

 

–ତାହାହେଲେ ସୁଖ ଦେବା କ୍ଷମତା କ’ଣ ବଡ଼ପଣ ?

 

–ଆଉରି ଜାଣିଲେ ବୁଝିବୁ ବଡ଼ ମଣିଷର ଦାସୀ ଛୋଟ ମଣିଷର ହୃଦୟର ରାଣୀଠାରୁ ଉପରେ......ଏଇଠି ଦେଖୁନୁ ଗାଁର ନାଏବ ସରପଞ୍ଚ ଆଉ ମନ୍ତ୍ରୀଙ୍କର ଅର୍ଦ୍ଦଳି–କେତେ ଫରକ ହେଇଯାଉଛି ।

 

–ଆମେ ତେବେ ଗାଁରେ କ’ଣ କରିବା ?

 

–କରିବା ଚାଷ । ଗୋରୁ ଛେଳି ପାଳିବା । ବିଲ ହିଡ଼ରେ ବଜା ବସାଇବା । ପୋଖରୀର ପଦ୍ମଫୁଲକୁ ଦେଖିବା ଆଉ ଚାହିଁଥିବା ଏକ ଲୟରେ ସହର ଆଡ଼କୁ । ଗୋଟାଏ ଗୋଟାଏ ଜୀବନ ଚାହିଁ ଚାହିଁ କଟାଇ ଦେବା ।

 

ଠାକୁରଙ୍କର ଧଣ୍ଡା ଆଉ ପୁଟୁଳାରେ ଚୁଡ଼ା ଗୁଡ଼ ଧରି ଲୋକ ନିଜର ଭାଗ୍ୟକୁ ବଦଳାଇବାକୁ କେଜାଣି କେତେଥର ଦଳଦଳ ହୋଇ ଆସିଛି । ତାହାର ଖବର କେହି ରଖେ ନାହିଁ-

 

ଦେହର ବଳ ହୁଏତ ଚାଲି ଚାଲି ଶେଷ ହୋଇଯାଇଛି । ପେଟ ଚାଖଣ୍ଡକର ଖିଜମଦ୍‌ କରିବାକୁ ପିଲା କୁଟୁମ୍ବଙ୍କୁ ଛାଡ଼ି ଆସିଛି ଗାଁରେ–ଆଗେ ଧନ ପରେ କୁଟୁମ୍ବ ।

 

ସହର ବଜାରରେ ଯେଉଁ ଅଗଣତି ଲୋକ କଅଁଳ ଛୁଆ, ଅଳପ ବୟସର ବୋହୂକୁ ଥୋଇ ଦେଇ ଆସିଥାନ୍ତି ସେମାନେ ସମସ୍ତେ ଗୋଟାଏ କଥା କହନ୍ତି ।

 

ସଂସାରରେ ଉଠିବାକୁ ହେଲେ ଜଞ୍ଜାଳ ଦୂରରେ ରଖ । ଜଞ୍ଜାଳ ହେଉଛି ସ୍ତ୍ରୀ, ପିଲା ଆଉ ପରିବାର । ଯିଏ ଯେତିକି ଏ ଦିଗରେ ମୁକ୍ତ ସେ ସେତିକି ଅଧିକ ସୁବିଧା ପାଏ ।

 

ଅଭିନ୍ନବାବୁ ଏହି କଥାଟି ଦେଖୁଥିଲେ । ବିଭାହେବା ଆଗ କଥା ନିଆରା । ସେତେବେଳେ ଥିଲା ମନରେ ଭାବ ଉଚ୍ଛ୍ଵାସ–ନଈ ଉପରର ଫେଣ ପରି । ସେ କହିଦିଏ ସଂସାରଟା ତମର । ସବୁ ତମର । ମାଗି ପାଇବ । ଖୋଜିଲେ ମିଳିବ । ଏତେ ନେଇ କ’ଣ କରିବ-? ଆରାମ କର । ମଉଜ କର ।

 

ଏମିତି କଳ୍ପନାରେ ଅନେକ ରାଜ୍ୟ ସେ ପାଇଯାଇଥିଲେ । ସୁତପା ଆସିଲା ପରେ ଯେତେବେଳେ ସେ ତାଙ୍କର ଭବିଷ୍ୟତର ପରିଧି କାଟି ଦେଖାଇଲେ ସେତେବେଳେ ତାଙ୍କୁ ଲାଜ ଲାଗିଥିଲା–ଏତିକିର ଲୋକ ସେ ।

 

ଆପଣାର ଚିର ଅଭ୍ୟସ୍ତ କଳ୍ପନାକୁ ପଚାରିଥିଲେ–ବାଟ ଦେଖାଇଦେବା ପାଇଁ । କଳ୍ପନା ଉତ୍ତର ଦେଇ ନଥିଲା ।

 

ଜବାବ ଦେଇଥିଲା ସୁତପା–କ’ଣ ଦେବ ମତେ ? ଏତିକି ପଚାରି । ଅଭିନ୍ନବାବୁ ଚୁପ୍‌ ରହିଥିଲେ । ତାଙ୍କର କିଛି ନାହିଁ । ସଂସାରର ଆକାଶଛୁଆଁ ଦେଉଳର କେଉଁ ଅଜଣା ପଥର ପରି ସେ ପଡ଼ିଛନ୍ତି ସେଇ କଥା ଭାବିଲେ ତାଙ୍କୁ ଲାଜ ଲାଗୁଥିଲା ।

 

ଅସହାୟର ଦୈନ୍ୟ ଦେଖାଇ ସୁତପାକୁ କହିଥିଲେ–ମୁଁ ତମର ଯୋଗ୍ୟ ନୁହେଁ । ତମକୁ ଭଲରେ ରଖିପାରିବାର ଦମ୍ଭ ଆସୁନାହିଁ ।

 

ସୁତପା ହସିଥିଲା । କହିଥାନ୍ତା, ବଂଧୁବର, ଏଇ ଭୁଲ ବହୁତ ପୁରୁଷ କରିଥାନ୍ତି । ନିଜଠାରୁ ଉଚ୍ଚ ପାହାଚରୁ ଘରଣୀ ବାଛିଥାନ୍ତି । ଆଉ ଘରଣୀ ଯେତେବେଳେ ଘରକରଣା କରିବାକୁ ଘରଟିଏ ମାଗେ ସେତେବେଳେ ତାଙ୍କୁ ଦେଖାନ୍ତି ନିଜର ଭିଟାମାଟିକୁ ।

 

ଅଭିନ୍ନ ବାବୁଙ୍କର ଧନସମ୍ପଦର ଅଟକଳ ପାଇ ସାରିଥିଲା ବାହାଘର ଆଗରୁ । ଜାଣି ଜାଣି ସୁତପା ଆସିଛି । ଏହିପରି କଥାର ଠୋକର ଦେଇ ଲାଭ କଣ ? ହସି କହିଥିଲା–ତମେ ଯେଉଁଥିରେ ଖୁସି ସେଇ ମୋର ଖୁସି । ହେଲେ ଯାହା ପାରୁଛ କର ।

 

ସୁତପାର ବାହୁରେ ମୁଣ୍ଡ ରଖି ଅଭିନ୍ନବାବୁ ସେଦିନ ପ୍ରତିଜ୍ଞା କରିଥିଲେ–ସେ ବଡ଼ ହେବେ । ନିଜ ପାଇଁ ନ ହେଲେ ବି ଅନ୍ତତ ସୁତପା ପାଇଁ ।

 

ବଡ଼ ଆଗ୍ରହରେ କହିଥିଲେ–ଶୁଣ ସୁତପା । ଏଣିକି ମୋର ଜୀବନର ବାଟ ବଦଳିବ । ମୁଁ ତମର ଯୋଗ୍ୟ ହେବି । ଦେଖିବ ମୁଁ ତୁମର ଅଯୋଗ୍ୟ ହେବି ନାହିଁ ।

 

ଅଧା ଖେଦ ଅଧା ହସରେ ସୁତପା କହିଥିଲା–ହଁ, ତମେ ନିଶ୍ଚୟ ବଡ଼ ହେବ । ସେତେବେଳେ ମୁଁ ଯାହା ଅଛି ସେଇଆ ହେଇ ରହିଥିବି । ଆଜି ଯଦି ତମେ ମୋର ସମାନ ନୁହଁ ତେବେ ତମର ମୋର କି ସମ୍ବନ୍ଧ ରହିବ ?

 

ସେହି ଆଗ୍ରହଭରା କଳ୍ପନାପ୍ରିୟ ମୁହଁଟି ଝାଉଁଳି ଯାଇଥିଲା ସୁତପାର ବାହୁ ଉପରେ । ଆଗ୍ରହରେ ତା’ଙ୍କୁ ଆଦର କରି ସୁତପା କହିଥିଲା–ତୁମେ ବଡ଼ ହେଲେ ମତେ ଆଦର କରିପାରିବ କି ନାହିଁ ତମେ ଜାଣିଥିବ । ଆଜି ମୁଁ ମୋର ଛୋଟିଆ ବାବୁକୁ ମୋର ଆଦର ଓ ସର୍ବସ୍ଵ ଦେଉଛି ।

 

ଅଭିନ୍ନ ବାବୁଙ୍କର ଭୟ ଆସିଯାଇଥିଲା ସେହି ଦିନକର କଥାରେ । ଏଇ ନିଷ୍ଠୁର ସଂସାର କଳ୍ପନାର ବିଳାସକୁ ମାଟି ବାଲିର ମୂଲ ଦେବାକୁ ନାରାଜ । ହେଇଯିବି–ହେଇ ପାରିବି–ଅସମ୍ଭବ କ’ଣ ?–ଏଇ ସବୁ ସାଧା କଥାକୁ ଶୁଣିବାକୁ ଅରାଜି ।

 

କରି ଦେଖାଇ ଦିଅ–ହେଲା ବୋଲି । ଏତେ ଆନ୍ଦୋଳନ କ’ଣ ପାଇଁ ? ବଡ଼ ହେଇ ଯଦି ସ୍ତ୍ରୀ’ର ମନକୁ ମୁଗ୍‌ଧ କରିବ ତାହାହେଲେ ସେତିକି ବଡ଼ ନ ହୋଇ ସ୍ତ୍ରୀ’କୁ ଟାଣି ଆଣିବାକୁ ଏତେ ଚମକ ଲାଗିଲା କାହିଁକି ତମର ମନରେ ?

 

ଅଭିନ୍ନ ବାବୁ ସେଦିନ ନିଜକୁ ଶହେ ଥର ଗାଳିଦେଇ ବଡ଼ ହେବାକୁ ନାନାପ୍ରକାରର ଯୋଜନା ବାନ୍ଧିଥିଲେ । ସେହି ଭାରାକ୍ରାନ୍ତ ମୁହଁକୁ ଚାହିଁ ସୁତପା ନୀରବରେ ଫେରିଯାଏ । ଶେଷକୁ କହିଥିଲା–ଗୋଟାଏ କଥା ମୋର ମନେ ରଖିବ ।

 

–କ’ଣ ?

 

–ବଡ଼ ହେବାକୁ ଆତୁର ହେବ ନାହିଁ । ସେମିତି ଖାଲି ଆତୁର ଓ ଅଧୈର୍ଯ୍ୟ ହେଇ କେହି ବଡ଼ ହେଇ ନାହିଁ । ଆଉ ସ୍ତ୍ରୀ ଆଗରେ ବଡ଼ ହେବା ପାଇଁ ନିଜର ବଳ ଓ ବୁଦ୍ଧିକୁ ବିଚାରକୁ ନ ନେଇ କେବେହେଲେ ଆକାଶକୁ ନିଶୁଣି ବାନ୍ଧିବ ନାହିଁ ।

 

ସୁତପା ଡାକିଥିଲା । ସେଇ ଅଭିମାନ ଭାଙ୍ଗିଲା ନାହିଁ । ଶେଷକୁ ସୁତପା କହିଥିଲା–ଆମ କଥାକୁ ଏତେ ଛଳ ? ହେଲା ଏବେ ଦି’ଚାରିବର୍ଷ ସମୟ ନେଇ କୁଦାମାର । ଉଠିଲେ ମତେ ଟିକିଏ ମନେ ପକାଇ ଦବ ।

 

–ଏମିତି କ’ଣ କହନ୍ତି ?

 

–ନାହିଁଯେ । ସମସ୍ତଙ୍କର ପ୍ରତିଭା ଅଛି । କିନ୍ତୁ ଅଳସୁଆମିର ଜାଲରେ ସବୁ ପ୍ରତିଭା ଶୋଇ ରହିଛି । ସେଇ ଜାଲକୁ ଛିଣ୍ଡାଇବାକୁ ଦରକାର ପଡ଼େ ସ୍ତ୍ରୀ’ର ସେହି ଶାଣଦିଆ ଧାରୁଆ କଥା–ପୁରୁଷପଣିଆକୁ ଧିକ୍‌ ।

 

ଅଭିନ୍ନ ବାବୁ ନିଜର ମାପ ଓଜନ ପୂରା ପାଇ ସେଦିନ ଭାବିଥିଲେ ଜୀବନ ହାରିଦେବାକୁ । କିନ୍ତୁ ଅଲୋଡ଼ା ଜୀବନ, ମାଈଚିଆଙ୍କର ଜୀବନ, ନପୁଂସକର ଜୀବନ କେବେହେଲେ ଏମିତି ଇଚ୍ଛାମରଣର ରାଜଯୋଗ ବା ଆତ୍ମହତ୍ୟାର ସୁଯୋଗ ପାଏ ନାହିଁ ।

 

ସେଇଦିନୁ ଅଭିନ୍ନବାବୁ ନିଜର ନୁଆଁଣିଆ ଜୀବନକୁ ଟେକିବାରେ ଲାଗିଛନ୍ତି ତାଙ୍କର ଚାକିରି ଜାଗାରେ । ଗାଁ ଲାଜକୁ ଡରି ଗାଁକୁ ଫେରନ୍ତି । ଆଉ ସେହି ଲାଜ ଡରରେ ଏକାଠି ସୁତପା ଘରେ ଶୁଅନ୍ତି ।

 

ଘର ଭିତରର ଲାଜ ସେହି ଅନ୍ଧାର ଭିତରେ ରହେ । ସୁତପା କହିଥିଲା–ନିଜକୁ ଯୋଗ୍ୟ ବୋଲି ଭାବିଲେ ତମେ ହେବ ସୁତପାର ସ୍ଵାମୀ । ଯୋଗ୍ୟ ବୋଲି ନ ଭାବିବା ଯାଏ ତମେ ହେବ ମୋର ବଂଧୁ । ରାଜି ହୁଅ–ଜୀବନରେ ଗୋଟିଏ ଲକ୍ଷ୍ୟ ଅନ୍ତତ ଦେଖାଯିବ–ଛୋଟ କାଟିଆ ଲକ୍ଷ୍ୟ ହେଉ ପଛକେ ।

 

ପ୍ରଥମେ ରାଜି ନ ଥିଲେ । ସୁତପା ତାଙ୍କୁ ବୁଝାଇ କହିଥିଲା–ବିଭାହେଇଛ ବୋଲି କ’ଣ ଦେହ ଉପରେ ବଳାତ୍କାର କରିପାରିବ । ଆଗେ ଲୋକେ ବଳତ୍କାର କରୁଥିଲେ କାରଣ ସେମାନେ ଥିଲେ ପୁରୁଷ ।

 

–ସବୁ ପୁରୁଷ ସ୍ଵାମୀ ହେବାକୁ ଯୋଗ୍ୟ ନୁହନ୍ତି । ସବୁ ପୁରୁଷ ପ୍ରେମିକ ହେବାକୁ ଭାଜନ ନୁହନ୍ତି । କିନ୍ତୁ ସମସ୍ତଙ୍କର ଗୋଟିଏ ଗୋଟିଏ ସ୍ତ୍ରୀ ଦରକାର ।

 

–ସେଥିପାଇଁ ସେବାକାରିଣୀ ଖୋଜୁ ଖୋଜୁ ନିଜେ ଆଜ୍ଞାବହ ସେବାକାରୀ ହୋଇଯାନ୍ତି-। ସୁତପା ତାହାର ସ୍ଵାମୀକୁ ସେହି ଚାକିରିରେ ରଖିବାକୁ ରାଜି ନୁହେଁ ।

 

କଥାରେ ବା କାମରେ ଅଭିନ୍ନ ଉତ୍ତର ଦେଇପାରି ନଥିଲା । ଏତିକି ତା’ର ସମସ୍ୟା–କିନ୍ତୁ କହିବ କାହାକୁ ?

 

ଏଇ ବିଚିତ୍ର ଦୁନିଆରେ କାହାର କେଉଁ ସମସ୍ୟା କେତେବେଳେ ଦେଖା ଦେଇଛି–ତାହାରି ଖବର ପାଟିକୁ ରୁଚେ ଆଉ କାନକୁ ବି ଶୁଭେ । ପଲଙ୍କ ଉପରେ ବସି ସୁତପା ତାହାର ହାତଧରା ବରକୁ କହିଥିଲା–ଯାହା ହେଇଛ ତହିଁରୁ ଅଧିକ ହୁଅ । ନ ହେଲେ ଏଠିକି ଆସି ଯେତିକିରେ ରହିବା କଥା ସେତିକିରେ ରହ ।

 

ଏଇଟା ମଣିଷର ପୌରୁଷକୁ ଆଘାତ । ଅଭିନ୍ନ ଫେରି ଯାଇଥିଲା–ସେଇ କଥା କେଇପଦକୁ ମୁଣ୍ଡରେ ମୁଣ୍ଡାଇ । ଯେତେ ବାଟକୁ ଆଖି ତାର ପାଇଛି ସେ ସେହି ଖଣ୍ଡମଣ୍ଡଳରେ ଆଖି ପକାଇଥିଲା । ବାଟ ପାଇ ନାହିଁ ।

 

ଶାନ୍ତି ସୁଖରେ ରହିବାକୁ ଚେଷ୍ଟା କରିବା ପାଇଁ ଅସଂଖ୍ୟ ବାଟ ପଡ଼ିଛି । ସୁତପା କହୁଛି ସ୍ଵୟମ୍ବର କଥା–ମତେ ପାଇବାକୁ ହେଲେ ପ୍ରମାଣ କର ଆଉ ପରୀକ୍ଷା ଦିଅ । ହେଲେ ବାହାଘର ଆଗରୁ ଏହି ସମ୍ବାଦ ଦେଇଥାନ୍ତା । ଦେଇ ନାହିଁ । କାରଣ ସୁତପାର ଖିଆଲ ତାହା ପାଇଁ ଆଇନ୍‌ ।

 

–ଯଦି ବଡ଼ ହେଇ ନପାରେ ଆଉ ତମର ମନଲାଖି ନହୁଏ ତାହାହେଲେ ଆମର କି ସମ୍ବନ୍ଧ ରହିବ ସୁତପା ?

 

–ତମେ ନିଜେ କହ । ଯିଏ ଯାହା ସେ ସେଇଥିରେ ରହୁ । ଆଉ ମୁଁ ଯଦି ଛୋଟ ହେଇ ବଡ଼ କଥା କହୁଥାଏ ତେବେ.....

 

ସୁତପାର ସେହି ଶୁଭ୍ର ଚିକ୍‌କଣ ମୁହଁକୁ ଚାହିଁ ଅଭିନ୍ନ ମନରେ କ୍ରୋଧ ଆସିଥିଲା । ଏଇଟା ଗୋଟାଏ ଓଟପରି ଏଇ ଘରେ ପଶି ମତେ ଏଠୁ ତଡ଼ି ଦଉଛି ।

 

–ବାହା ହେଇଥିଲ କାହିଁକି ?

 

–ତମକୁ ବଡ଼ କରିବା ପାଇଁ । କିଏ ଯୋଗ୍ୟଲୋକ ପାଇଥାଏ । ଆଉ କିଏ ଅଯୋଗ୍ୟକୁ ନେଇ ମାଡ଼ିମକଚି ବଡ଼ କରେ, ଏତକ ପ୍ରତ୍ୟେକ ବିବାହିତା ନାରୀର କର୍ତ୍ତବ୍ୟ ନୁହେଁ କି-?

 

–ଆମେ ଛୋଟ ପାହିଆର ମଣିଷ । ଆମେ କ’ଣ ଏକାଠି ଏଇ ଛୋଟିଆ ସଂସାରକୁ ସୁନ୍ଦର କରିପାରିବୁ ନାହିଁ ?

 

ତେବେ ସେହି ପରିଶ୍ରମରେ ଲାଭ କ’ଣ ? ତମର ମନକୁ ଯଦି ପାଉଛି ଯେ ଆମେ ଯେମିତି ଅଛୁ ସେମିତି ରହିବା ତେବେ ଗୋଟିଏ ନାରୀର ଅବଶିଷ୍ଟ ଜୀବନ ପାଇଁ ତମର ହୁକୁମ ହେଲା ଯେ ଛୋଟ ହେଇ ରହିବା ପାଇଁ ତାକୁ ମୋର ଭାଗ୍ୟର ଫଳ ବୋଲି ମାନିନେବି ।

 

ଦୁହିଁଙ୍କର ମନର ଅସ୍ଥିରତାକୁ ସ୍ଥିର କରିବାକୁ ସୁତପା କହିଥିଲା–ଦେଖ । ଚେଷ୍ଟା କର । ନହେଲେ ତ ଘର ଅଛି । ମୁଁ ମରି ନାହିଁ । ଜଞ୍ଜାଳ ପରି କଥାଟିକୁ ନିଅ ନାହିଁ । ଆଶୀର୍ବାଦ ପରି ଗ୍ରହଣ କର । ମୁଁ ରହୁଛି ଏଠି । ତମେ ଯାଅ ତମର କାମ ଓ ଚାକିରିର ଜାଗାକୁ । ଆମ ଭିତରେ ଚୁକ୍ତି ରହିଲା ଯେ ଯେଉଁଦିନ ତମେ ନିଶ୍ଚିତ ଜିଣିବ କି ହାରିଯାଇଛ ବୋଲି ମାନିବ ସେହିଦିନୁ ଆମେ ଏକାଠି ପୁଣି ଘର କରିବା । .....କ’ଣ ରାଜି ?

 

ଏଇ ଇଛା–ବିରୁଦ୍ଧ ରାଜିନାମାରେ ସୁତପା ରହିଥିଲା ଗାଁରେ ନିଜର ଅତୀତକୁ ସ୍ମରଣ କରି । ଅଭିନ୍ନ ଯାଇଥିଲା ଗାଁ ଛାଡ଼ି–ଭବିଷ୍ୟତର ସ୍ଵପ୍ନ ଦେଖି । ବିଶ୍ରାମ ନେବାକୁ ମନ କରୁଥିବା ଦେହ ଓ ମନକୁ ପୁଣି ଥରେ ସଂସାରର ଚକରେ ଘୋରି କ୍ଷୟ କରିବାକୁ ।

 

ଲୋକନିନ୍ଦାକୁ ଆସେ ଯାଏ । ଏକାଠି ରହେ । ସୁତପାକୁ ସେମିତି ବନ୍ଧୁର ଆଦର ଦିଏ । ଫେରିଯାଏ–କିନ୍ତୁ ସେଥିରେ ଭାବପ୍ରବଣ, କାମାତୁର ଓ ପ୍ରୀତି–ସୁରଭିତ ସମ୍ବନ୍ଧର ନାମଗନ୍ଧ ନଥାଏ-

 

କେହି ବଂଧୁ ଲୋକ ପଚାରିଲେ ମିଛ କହେ । ସୁତପା ଘରକଥା ବୁଝୁଛି । ସୁତପା ଆଦର୍ଶ ନାରୀ । ଏହିପରି ସ୍ତ୍ରୀ ପୁରୁଷର ଜୀବନରେ ଦରକାର ।

 

ହବା କଥା ଯାହାର ଜୀବନରେ ହେଇ ନାହିଁ ସେହିପରି ଲୋକ ନହେବା କଥାକୁ ହେଇପାରେ ବୋଲି କହିଥାଏ ।

 

ସୁତପା ଗୋଟାଏ କଥା ଭାବିଥିଲା–ଅଭିନ୍ନ ବଡ଼ ହେଇପାରିବେ । ଏବେ ସେ ଦ୍ଵିତୀୟ କଥା ଭାବିଲାଣି–କନକ ଏହି ଗାଁର ଛୋଟ ପରିଧିରୁ ଉପରକୁ ଉଠି ପାରିବ ।

 

ବେଳେବେଳେ ସେ ଖଣ୍ଡେ ଦାମିକା ଲୁଗା ତାହାର ବାକ୍‌ସରୁ ବାହାର କରି ଲେଉଟାଇ ଲେଉଟାଇ ଦେଖେ–ଏଇଟା ତାହାର ସେହି ପ୍ରେମିକର ଶେଷ ଉପହାର ।

 

ସୁତପାକୁ ଛାଡ଼ି ଚାଲିଯିବା ଆଗରୁ ନିଜର ସ୍ନେହ ପ୍ରୀତିରେ ରଙ୍ଗ ଦେଇ ସେ ଆଣିଥିଲେ ସୁତପା ପାଖକୁ । ଗୋଲାପୀ ରଙ୍ଗର ସେହି ଝଳି ଊଣା ହେଇଗଲାଣି । ଲୁଗାଟା ପୁରୁଣା ଦିଶିଲାଣି-

 

ହେଲେ ବି ପୁରୁଣାକୁ ଅଦରକାରୀ ମନେ ନ କରି ନୂଆ ରଙ୍ଗ ପାଇବ ବୋଲି ସୁତପା ତା’କୁ ଦେଖେ । ଆଖି ଅଭିମାନରେ ସଜଳ ହେଇ ଆସେ–ନିଷ୍ଠୁର ମଣିଷ ନିଜର ମନକୁ ନ ପଚାରି କାହିଁକି ଏମିତି ପ୍ରତିଶୃତିର ମାୟା ଲଗାଇଦିଏ ?

 

ମନରେ ଅବାନ୍ତର ହେଲେ ବି ଗୋଟିଏ ପ୍ରଶ୍ନ ଗୋଟିଏ ଇଚ୍ଛା ଆସେ–ଦେଖା ହେଲେ ପଚାରନ୍ତି । କ’ଣ ପାଇଁ ସମ୍ବନ୍ଧ ଗଢ଼ି ଉଠିଥିଲା ଆଉ ଏମିତି ଭାଙ୍ଗିଗଲା ?

 

ଘର ଭିତରର ଜିନିଷକୁ ଦେଖି ସେ ପୁଣି ଭାବେ–ଏଇ ପ୍ରଶ୍ନ ଅଭିନ୍ନ ବାବୁ ବି ପଚାରି ପାରିବେ । ସୁତପା ଆସିଥିଲା କ’ଣ ପାଇଁ ? ଯେଉଁମାନେ ଗଲା କଥାକୁ ପାଶୋରି ନ ପାରିବେ ସେମାନେ ପୁଣି ନୂଆ କଥା ପାଇଁ ଆଗେଇ ଆସନ୍ତି କାହିଁକି ?

 

ମଣିଷର ମଣିଷ ସାଙ୍ଗରେ ରହିଥିବା ଅଛିଣ୍ଡା ସମ୍ବନ୍ଧର ନାନା ପ୍ରକାରର ଅଡ଼ୁଆ ଖିଅକୁ ନେଇ ସଂସାର । ଏହି ଏତକ ମନେରଖି ଯିଏ ପ୍ରତିଦିନ ଆଗକୁ ଆଗକୁ ଚାଲିପାରେ ସେହି ହେଲା ମଣିଷ ।

 

ପ୍ରତ୍ୟେକେ ନିଜକୁ ଡାକ ବଜାଇ କହନ୍ତି ଯେ ସେ ମଣିଷ । ତେଣୁ ପାରନ୍ତୁ ନ ପାରନ୍ତୁ ଚାଲନ୍ତି ଗୋଡ଼ ଥକି ଯିବା ଯାଏ ଆଉ ମାନିବେବି ନ ଯିବା ଯାଏ ।

 

ଏମିତି ଚାଲିଛନ୍ତି ଅସଂଖ୍ୟ ବାଟୋଇ–କିଏ ସ୍ତ୍ରୀ ପାଇଁ, କିଏ ପରିବାର ପାଇଁ, କିଏ ନିଜର ଅହଂକାର ପାଇଁ । ଆଉ କେତେକ ଚାଲନ୍ତି ଗୋଡ଼ରେ ଦମ୍‌ ଅଛି ବୋଲି । ବାଟରେ ହଟିଯାନ୍ତି । ଯାଉ ଯାଉ ପଡ଼ିଯାନ୍ତି ଓ କେତେକ ମରିଯାନ୍ତି । ଶେଷରେ ଯେଉଁ କେତେଜଣ ପହୁଞ୍ଚନ୍ତି ସେମାନେ ନିଜକୁ ମନେ କରନ୍ତି ବିଜୟୀ ବୀର ।

 

ଏଇଟା ତ ବଳ ଓ ସାହସର ଯୁଦ୍ଧ ନୁହେଁ ଯେ କୁସ୍ତିର ପ୍ରତିଯୋଗିତା ସ୍ଥାନ ଦେବ । ଏଥିରେ ଥାଏ କୌଶଳ ଆଉ ନାନାପ୍ରକାରର କୁଟ କପଟ । ଏଇଠୁ ଉଠନ୍ତି ସଂସାରର ଅଗଣତି ବତିପେଲା ଦଳ–ଯାହାଙ୍କୁ କୁହାଯାଏ ଖୁସାମତିଆ କୁକୁର ।

 

ଏହି ବାଟରେ ଚାଲିବା ପାଇଁ ସୁତପା ପଠାଇ ଦେଇଥିଲା ଅଭିନ୍ନ ବାବୁଙ୍କୁ । ସେ ବଛରାଇ ଗାଁ ଛାଡ଼ି ଯାଇଥିଲେ । ନୂଆ କ’ଣ ? ପୁରୁଷ ଲୋକ ଦେଶ ଛାଡ଼ିବ–ଘରର ଚୁଲି ମୁଣ୍ଡର ମାୟା ଛାଡ଼ିବ । ତେବେ ସେ ଆଣିବ ସମସ୍ତଙ୍କ ପାଇଁ ।

 

ଅଭିନ୍ନ ଏହି କାରଣରୁ ସହର ଆଡ଼କୁ ମୋହିଁଲାବେଳେ ବାପ ଅଜାଙ୍କୁ ମନେ ପକାଇଥିଲେ । ସେମାନେ ଥିଲେ ଚାଷୀ । ତାଙ୍କର ବୃତ୍ତି ଓ ଘର ଏକାଠି ଲାଗି ରହିଥିଲା । ଆଉ ଅଭିନ୍ନବାବୁଙ୍କ ପାଇଁ ସେତକ ଏକାଠି ରହିପାରୁ ନଥିଲା । ବାହାଘର ଆଗରୁ ସେ ସହରକୁ ଆସିଥିଲେ–ସେଇଠି ସେ ଚାକିରି କରୁଥିଲେ ।

 

ସୁତପାର ସେଥିରେ ହାତ ଏତିକି ଯେ ସେ ଭଲ କରି ଅଭିନ୍ନ ବାବୁଙ୍କୁ ସେହି ରାସ୍ତାର ଅମୁହାଁ ଗଳିକୁ ଠେଲି ଦେଇଥିଲା ।

 

ଅଭିନ୍ନ ବାବୁ ରାଜି ହୋଇ ଆଗେଇଲାବେଳେ ସୁତପା ଆପଣା ମନକୁ କହିଥିଲା–ସଂସାରର ବହୁତ ଲୋକ ପରର ଅନୁଗ୍ରହକୁ ବେଉଷା କରିବାକୁ ସୁଖ ପାଆନ୍ତି । ସ୍ଵାଧୀନ ମନ ନେଇ ସ୍ଵାଧୀନ ପରିଶ୍ରମରେ ରହିବାକୁ ଚାହୁଁଥିଲେ ଅଭିନ୍ନ ବାବୁ ପ୍ରତିବାଦ କରି ନ ଥାନ୍ତେ କାହିଁକି ? ସେ ଜାଣନ୍ତି ଯେ ଚାଷୀର ସେହି ଖରା ବର୍ଷା ଶୀତର ହାଡ଼ଭଙ୍ଗା ଖଟଣି ତାଙ୍କ ପାଇଁ ସୁବିଧା ନୁହେଁ-। ଗାଁରେ ଘରବାରି ନଥିଲେ ସେକଥା ସେ ଭାବନ୍ତେ ନାହିଁ ।

 

ପରାଧୀନ ସ୍ଵାମୀ ପରାଧୀନତାର ସେବା ନ କରି ସ୍ଵାଧୀନ ଓ ମୁକ୍ତ ଜୀବନର ଉପାସନା କରିବେ କେମିତି ? ଟିକିଏ ଦୁଃଖିତ ହେଇଥିଲା ଯେ ଯାହାର ହାତ ଧରି ଆସିଛି ସେ ନିଜର ଅହଙ୍କାରର ମୂଳଦୁଆ ଉପରେ ଠିଆ ହେବାକୁ ଅଭାଜନ । ସେ ଚାହାନ୍ତି ଅନ୍ୟର ବୋଲକରା ହେବେ । ଆଉ ସେହି ବୋଲକରା ଜୀବନର ଅଇଁଠା ଆଣି ଖାଇଲାବେଳେ ନିଶ ମୋଡ଼ିବେ ।

 

ପରାଧୀନ ନାରୀ ସ୍ଵାଧୀନତାର ଉପାସନା କରି ଜାଣେ । ସେଥିପାଇଁ ଅଘୋରଦୁଆରୀ ସମସ୍ତେ ଅନ୍ତତ ନିଜର ପରିବାରକୁ କ୍ରୀତଦାସ କରି ରାଜ–ଗୌରବରେ ରହିବାକୁ ଚାହାନ୍ତି ।

 

ଅଭିନ୍ନବାବୁ ବଛରାଇ ଗାଁକୁ ପସନ୍ଦ କରିନଥିଲେ । ସେଇ ଗାଁ ଝିଅକନକକୁ ଘରଣୀ ପଦରେ ନେବାକୁ ରାଜି ନଥିଲେ । ତାଙ୍କର ମନରେ ଗର୍ବ ଥିଲା ଯେ ସେ ଅନ୍ୟମାନଙ୍କ ପରି ମାଟିର ମୁଲିଆ ନୁହନ୍ତି । ଦେହର ଝାଳରେ ସେ ପେଟ ପୋଷିବାକୁ ଚାହାନ୍ତି ନାହିଁ ।

 

ସେ ଚାହାନ୍ତି ଛକି ବସିଥିବେ । ଅନ୍ୟର ଦୁର୍ବଳତାର ସୁବିଧା ନେଇ ଛଞ୍ଚାଣ ପରି ନେଇଯିବେ ସଂସାରର ସରଲହୁଣୀ । ପାଞ୍ଚ ପଚିଶ ଝପଟାରେ ତାଙ୍କର ମାଣ ପୁରିଯିବ । ସେ କାହିଁକି ସକାଳୁ ସଞ୍ଜଯାଏ ଆକାଶକୁ ଚାହିଁ ପାଣି ପବନ ଖରାକୁ ମନରେ ପ୍ରାର୍ଥନା କରୁଥିବେ ?

 

ସୁତପା ତାଙ୍କୁ ବଛରାଇ ଗାଁର ସମସ୍ତ ମାୟାମମତାର ଫାଶରୁ ମୁକୁଳାଇ ଦେଇଛି । କନକ ସେଥିରେ ଗୋଟାଏ ଅବାନ୍ତର ପ୍ରଶ୍ନ । କେବେ ତା’କୁ ସେ ଲୋଭ ଦେଖାଉଥିଲେ–ସେତକ ପିଲାଳିଆ କଥା । କନକ ବି ତାକୁ ମନେ ରଖିବ କାହିଁକି ? ସମସ୍ତ ଅସୁବିଧା ଓ ସୁବିଧାକୁ ପାର କରି ଦେଇ ଯିଏ ନୂଆ ଜୀବନ ନେଇ ଚାଲେ ସେ ହେଉଛି ସ୍ତ୍ରୀ–ସୁତପା ହେଉଛି ସ୍ତ୍ରୀ ।

 

ସେ ତାହାର ସ୍ଵାମୀକୁ ସଂସାରର ଦାସ ଓ କ୍ରୀତଦାସ ହେବାକୁ ପଠାଇ ଦେଇଥିଲା । କିନ୍ତୁ ସେ ଦାସୀ ନୁହେଁ–କ୍ରୀତଦାସୀ ନୁହେଁ । ସେ ହେଉଛି ଜଣେ ମାଲିକ–ଯାହାର ହଁ’ ରେ ହଁ ନ କଲେ ନୌକାର ଜୀବନ ଦୁର୍ବହ ହେଇପଡ଼ିବ ।

 

କନକକୁ ହାତ ପାଖକୁ ନେଇ ସୁତପା ତା’କୁ ନିଜର ଇଚ୍ଛା ଅନୁସାରେ ଗଢ଼ୁଥିଲା ।

 

–ଭୁଲି ଯା, କନକ । ତୁ କିଏ–କେଉଁଠୁ ଆସିଛୁ । ସେହି ଖବର ତତେ ବାନ୍ଧି ରଖିବ ଗୁହାଳରେ । ଓଲଟି ଯଦି ଭାବିବୁ ଯେ ମୁଁ ଯିଏ ହେଇଥାଏ ଯେଉଁଠୁ ଆସିଥାଏ ମୁଁ ଯିବି ଆଗକୁ–ମୁଁ ଯିବି ଦୂରକୁ ତତେ କେହି କେବେହେଲେ ବାନ୍ଧି ରଖିପାରିବ ନାହିଁ । ଏହି ବନ୍ଧନ ଯେ ଯେତେଶୀଘ୍ର ଛିଣ୍ଡାଇ ଦିଏ ସେ ହୁଏ ମଣିଷ ।

 

–ମନଟା କଲବଲ ହେଉଛି, ଅପା । କେମିତି ଏତେ ଲୋକଙ୍କର କଥାର ବାରଣକୁ ଡେଇଁଯିବି ?

 

–ବାରଣ କରୁଥିବା ଲୋକ ଆଗ ସାମନାରେ ଠିଆ ହେବେ ନାହିଁ । ପଛରେ ରହି କହିବେ । ସେମାନେ ତୋତେ ଦେଖି ଖୁସି ହେବେ । କିନ୍ତୁ ତୋର ଅଭାବ ଘୁଞ୍ଚାଇ ଖୁସି କରିପାରିବେ ନାହିଁ । କହିବେ ସୁତପା ଖରାପ–ସୁତପାକୁ ଛାଡ଼ିଦେ । କିନ୍ତୁ ସୁତପା ତୋର ଯେତିକି ସାହାଯ୍ୟ ହେବ, ସେତିକିର ହେବେ କି ? ହେଇ ପାରିବେ କି ?

 

–କିଛି ହେବେ ନାହିଁ ।

 

–ତେବେ ଖରାପ ସାଙ୍ଗରେ ମିତ ବସିଲେ ତାଙ୍କର ମହା ଭାରତ କେଉଁଠି ଅଶୁଦ୍ଧ ହେଉଛି ? ସୁତପା ଘରେ ପାଠ ପଢ଼ିବେ ତାଙ୍କର ଜ୍ଞାନ କେଉଁଠି ଊଣା ହେଇ ଯାଉଛି ?...ନା,ନା, ସେଇଟା ନୁହେଁ । କନକ ଯେମିତି ଅଛି ସେମିତି ଥାଉ–ତହିଁରୁ ଧାପେ ତଳକୁ ଖସୁ । ଅଭ୍ୟସ୍ତ ଆଖି ଖୁସି ହେବ ।

 

–ସେଇଆ ମୁଁ ବୁଝି ପାରିଲେ ବି କରିପାରୁ ନାହିଁ ।

 

–କହି ଶିଖ । ଦେଖିବୁ ସେହି କଥାକୁ ସେ ମାନିବେ । ଚୁପ ରହିବା ଶିଖିଥିଲୁ । ଯାହା ପାଇଛୁ ଜାଣୁଥିବୁ । ଏବେ ବଦଳି ଯା ।

 

–କେମିତି ବଦଳିବି ?

 

–ଆଗେ ନିଜର ଦେହକୁ ବଦଳାଇବୁ । ପରେ ମନକୁ । ଦେହ ଯେମିତି ବଢ଼ୁଛି ସେମିତି ରହିଛି । ତାକୁ ଘସି ମାଜି, ସାଉଁଳେଇ ଭଲ କର । ସବୁବେଳେ ମନରେ ଭାବ କ’ଣ କଲେ ଏହି ଦେହ ଓ ମୁହଁ ସୁନ୍ଦର ଦିଶିବ । ଲୋକେ ଦେଖିଲେ ଚାହିଁ ରହିବେ । ଚାହିଁ ପାରିଲେ କଥା କହିବାକୁ ଚାହିଁବେ । କଥା ଭଲ ଲାଗିଲେ ମିଶିବାକୁ ଚାହିଁବେ । ମିଶିଲା ପରେ ତତେ ପୂଜା କରିବେ । ଆଉ କ’ଣ ଦରକାର ?

 

ହସି କନକ କହିଲା–ଛି । ଶେଷକୁ କ’ଣ ସମସ୍ତଙ୍କ ଆଖିକୁ ଓଟାରିବା ନିଜ ଆଡ଼କୁ ?

 

–ସଂସାର ମାନେ ତ ହେଲା ସେଇଆ । ଯିଏ ଆଉ ପାଞ୍ଚ ଜଣଙ୍କର ଆଖିକୁ ନ ଦିଶିଲା ସେ କେହି ନୁହେଁ । ଯିଏ ଦଶ ଜଣକର ମନ ନ ନେଇ ପାରିଲା ସେ ବି କେହି ନୁହେଁ ।

 

–ତେବେ ଏତେ ଲୋକ ଏମିତି ଅଛନ୍ତି ତ ?

 

–ସେମାନେ ହେଲେ ବାରିର କୋଶଳା ଶାଗ । ନାଲି ପତର ଦେଖାଇଲା ବେଳକୁ ପାଟିରେ ଖତମ–ଚେରରୁ ନେଇ ଅଗ ଯାଏ । ସେଇ କୋଶଳା ନେଉଟିଆ ହେବାକୁ ଖୋଜୁଛ ?

 

–ନା ।

 

–ଏଇ ଗାଁରେ ପଡ଼ି ରହିଲେ ସେତିକିରେ ଖେଳ ଶେଷ ହେଇଯିବ । ସେଥିପାଇଁ କହିଛି ଯିବ ସବୁଠାରୁ ବଡ଼ ପାଇଁ । ବଡ଼ ଜାଗା, ବଡ଼ ମଣିଷ, ବଡ଼ ଦୁଃଖ, ବଡ଼ ସାହସ–ଫେରିଲେ ଦେଖିବ ନିଜକୁ । ଫେରି ନ ପାରିଲେ କାନ୍ଦିବାକୁ କେହି ନଥିବେ । କିଏ ଅବା କାହାପାଇଁ କେଇଦିନ କାନ୍ଦେ ?

 

–କଉଠିକି ଯିବା ?

 

–ଚାଲ, ମୋ ସାଙ୍ଗରେ । ଜାଣିନାହୁଁ ଏଇ ପୋଡ଼ା ଜୀବନରେ କେତେ ଦୁଃଖ ? ଖୋଜିଥିଲି ଯାହା ପାଇଲି ତାହାର ଓଲଟା । ମୋ’ ପାଇଁ ଆଉ ଭୟ କ’ଣ ? ତଳୁ ତଳକୁ ଖସିଥିଲେ ଯାହା ହେଇଥାନ୍ତି ସେଇଆ ହେଇଛି । ମୁଁ ବି ଚାହେଁ ଆଉ ଥରେ ଏହି ଦେହ, ମନ ଆଉ ଜୀବନକୁ ନେଇ ଜୁଆ ଖେଳିବାକୁ । ଏଥର ତୁ ଥିବୁ ପାଖରେ ।

 

–ହଁ, ମୁଁ ରହିବି ।

 

Unknown

–ଇଚ୍ଛା କଲେ ରହିପାରିବୁ କନକ । ଯେତେ ଖସିଲେ ବି ବଛରାଇ ଗାଁର ଗୋରୁଙ୍କର ଗୁହାଳ ପରି ଥାନ ଯେଉଁଠି ହେଲେ ମିଳିବ । ଭାବୁ ଭାବୁ ଡେରି ହେଇଗଲେ ଦେହ ଉପରେ କାତି ବସିବ ଆଉ ମନ ହେଇଯିବ ହେମାଳ । ମନେ ରଖିଥିବୁ ବୁଢ଼ା କାତିଲଗା ଦେହ ଆଉ ଶୀତଳ ମନ କାହାରିକୁ ରୁଚିକର ହୁଏ ନାହିଁ । ଦି’ଦିନିକିଆ ଜୀବନକୁ ଦି’ପହରିଆ ଭାବିଲେ ଡର ଚାଲିଯିବ । ସବୁ ପାରିବୁ ।

 

କନକ ସଚେତନ ହୋଇ ତାହାର ଦେହ ଆଡ଼େ ଚାହିଁଥିଲାକିମନ କ’ଣ ସେ ଜାଣେ ନାହିଁ । ଦେହଟା ଖାଲି ଚିହ୍ନିଛି । ଏହି ଦେହକୁ ଉଷୁମ କରିବା ପାଇଁ ସୁତପା କହୁଛି । ମନଟାକୁ ଉତାଲା କରିବାକୁ ବି କହୁଛି । ଏତିକି କଲେ ସେ ଖୁସି ହବ ।

–ଚାହିଁବାକୁ ଶିଖ୍ । କହିବାକୁ ଶିଖ୍ । ଚାହାଣୀ ଭିତରେ ଅନେକ କଥା କହିହୁଏ । ସେଇ ଆଖିରେ ପାଞ୍ଚ ଜଣକୁ ଚାହିଁ ହୁଏ । ପାଞ୍ଚଜଣଙ୍କୁ ପାଞ୍ଚ ପ୍ରକାର କଥା କହି ହୁଏ । ଏଇଟା ଭାରି ସହଜ–ଆଉ ଭାରି କଷ୍ଟ । ୟା’କୁ କହନ୍ତି ଛଟକ–ଛଟକୀ ହୋଇ ପାରିବୁ ?

–କେଜାଣି ?

–ଏଇଟା ଆମ ସ୍ତ୍ରୀଙ୍କର ଅଭିନୟ । ଏଇ ଅଭିନୟ ଦେଖି ଘରର ବର ଯେମିତି ଖୁସି ହୁଏ, ଆଉ ବାହାରର ପର ପୁରୁଷ ସେମିତି ଆନନ୍ଦ ପାଏ । ନିଜକୁ ଭୁଲିଲେ ଅନ୍ୟକୁ ଭୁଲାଇ ପାରିବୁ । ନିଜକୁ ଭୁଲି ନପାରିଲେ ଅନ୍ୟମାନେ ତତେ ଭୁଲାଇ ଦେବେ । ଏଇ କଠିନ କାମ କରିପାରିବୁ ?

–କେଜାଣି ଅପା । ଏଇ ଅସହଣି ଗାଁରେ ଲୋକେ ଟିଟିକାରି କରିବେ । ଫଟା ପଣସ ପାଖକୁ ମାଛି ପିମ୍ପୁଡ଼ି ମୁହାଁଇଲା ପରି ଧାଇଁବେ ।

–ସେତେବେଳେ ତାଙ୍କୁ ହସି ଉଡ଼େଇ ଦେଇ ପାରିବୁ ? କ’ଣ ଦେଖି କ’ଣ ଭାବିଲେ ବୋଲି ତାଙ୍କର ଦୋଷ ଦେଖାଇ ତାଙ୍କୁ ହାତେ ହାତେ ଦୋଷୀ କରି ପାରିବୁ ? ......ନ କରିବୁ କାହିଁକି ? ଏମାନଙ୍କର ବୁଦ୍ଧି କେତେ ? ଏମାନେ ଜାଣନ୍ତି ଦେହକୁ–ମନ ଆଉ ଅନୁଭବର ସରଦହ ହେଲା ବିଲର ହିଡ଼ ଆଉ ଗୋହିରର କିଆବାଡ଼ । ଏମାନେ କେତେକର ଖେଳାଳୀ ଯେ ୟା’ଙ୍କୁ ନେଇ ଖେଳିବୁ ?

 

କନକ ହସି କହିଲା–ଅଳପର ଲୋକ ।

 

–ସେମାନେ ଅଳପରେ ରହିବେ । କଉଡ଼ି ଖେଳିବେ । ତେନ୍ତୁଳି ମଞ୍ଜିରେ ଖେଳିବେ । ଜୁଆ ଖେଳି ପାରିବେ ନାହିଁ । ନିଜକୁ ବାଜି ଲଗାଇ ଖେଳି ପାରିବେ ନାହିଁ । ଦେଖୁନୁ ଖେଳିଥିଲେ ପାଣ୍ଡବ ରାଜା ଯୁଧିଷ୍ଠିର–ତାଙ୍କର ସାହାସ ଆଉ ସୁଆର ଖେଳିଥିଲେ କି ?

 

–ଏଇ ତେବେ କ’ଣ ଗୋଟିଏ ବାଟ ?

 

–ହଁ, ଗୋଟିଏ ବାଟ । ସମସ୍ତଙ୍କୁ ଦିଆ ହେଲା କଳିଷଠା ଷାଠିଏ ବରଷ । ସେଥିରୁ ଭାଗେ ଗଲା ବୁଢ଼ାହଡ଼ାର ଜୀବନ । ଆଉ ଭାଗେ ହେଲା ତଟୁକଷିର ଜୀବନ । ଆଉ ଖେଳିବୁ କେତେଦିନ ଆଉ ତା’କୁ ଭୁଞ୍ଜିବୁ ବା କେତେ ? ସେଥିପାଇଁ ଯିଏ ଚାହୁଁ ଚାହୁଁ ଉଠିଛନ୍ତି ସେମାନେ ନିଜକୁ ବାଜି ଲଗାଇ ଖେଳିଛନ୍ତି । ତେଣିକି ଭାଗ୍ୟ ।

 

ଆଖି ମେଲାକରି କନକ ଶୁଣୁଥିଲା । ତାହାର ଦେହ ଥରି ଉଠୁଥିଲା । ସେ ପଚାରିଲା–ଅପା, ତମେ ଜାଣିଲ କେମିତି ?

 

–ଦେଖି ଦେଖି ଜାଣିଛି । ଯିଏ ହେଲେ ଆଉ ଯିଏ ନ ହେଲେ ତାଙ୍କର ଫରକ ଦେଖିଛନ୍ତି । ସ୍ଵାଧୀନ ଆଉ ପରାଧୀନ ମନର ତୁଳନା କରିଛି । ମୋରି ପାଖକୁ ଆସିଥିବା ଲୋକଙ୍କର ମନ ଓ ଦେହର ମାପ ଓଜନ ନେଇଛି । ସେଇଥିରୁ ଜାଣିଛି କିଏ ଝଡ଼ଝଞ୍ଜାର ସାଥୀ ଆଉ କିଏ ଘର ଗମ୍ଭୀରାର କୀଟ । ଏଇ ସାହାସର ପରିମାଣ ମଣିଷର ମାପକାଠି ।

 

ଏଇ ଦୁନିଆ ସମସ୍ତଙ୍କୁ ପିଲାବେଳେ, ଯୌବନ ବେଳେ ହାତଠାରି ଡାକେ ଆଉ କହେ–ମୂଲ୍ୟହୀନ ଜୀବନର ସୌରଭ ଜାଣିବାକୁ ହେଲେ ଭୟ ଛାଡ଼, ସାହସ ଦେଖାଅ । ଯାହା ଅଛି ଫୋପାଡ଼ି ଦେଇ ଡେଇଁପଡ଼ ବିପଦ ଭିତରକୁ । ସେଇଠି ସେ ପରଖ କରିନିଏ ତାହାର ଅସଂଖ୍ୟ ସନ୍ତାନକୁ–ଭୀରୁ, କାପୁରୁଷମାନଙ୍କୁ ଦେଇ ଦିଏ ସେବାକାରୀ ପଦ ଆଉ ଅଳ୍ପ କେତୋଟି ଯିଏ ଜୀବନର ମମତାକୁ ତୁଚ୍ଛ କରି, ହାତରେ ଧରିଥିବା ମାଟିର ପିତୁଳାର ମାୟାକୁ ପାଶୋରି ଦେଇ ଡେଇଁ ପଡ଼ିଥିଲେ ମରଣକୁ ଶୀଘ୍ର ଡାକିବା ପାଇଁ ତାଙ୍କରି ପାଇଁ ରଖିଦିଏ କେଇଟି ପଦପଦବୀ–ସଂସାରର ଛୋଟ ବଡ଼ ସିଂହାସନ ।

 

କଥାଗୁଡ଼ାକ ଭେଦି ଯାଇଥିଲା କନକର ସେହି ପତଳା ମନ ଭିତରେ । ତା’ର ଭିତରର ରୂପ ବଦଳି ଯାଇଥିଲା । ସେ ତା’ର ଘର ଆଉ ଘର ଲୋକଙ୍କୁ ଦେଖିଥିଲା ଅନୁକଂପାର ଦୃଷ୍ଟିରେ । ସେ ଆକାଶକୁ ଚାହିଁବା ଶିଖିଛି ଆଉ ସେମାନେ ମାଟିକୁ ଦୃଷ୍ଟି ଦେଉଛନ୍ତି । କନକ ସେମାନଙ୍କଠାରୁ ଅଲଗା ।

 

ସୁତପାର ଏତେ ଜିଗର କାହିଁକି କନକକୁ ନେଇ ପାଠୋଈ କରିବ । ସେ ତ ନିଜେ ଦରପାଠୋଈ । ଏଡ଼େ ପଣ୍ଡିତା ହେଲା କେବେ ? ......ନା, ନା, ତା’ର ଦରକାର ଗୋଟାଏ ଦାସୀ । କନକର ମୁଣ୍ଡକୁ ଖାଇଲାଣି ।

 

ତଳକୁ ମୁହଁ ପୋତି କନକ ଶୁଣିଯାଏ । ପ୍ରତିବାଦ କରି ବିପଦରେ ପଡ଼ିଛି । ତାହାର ଜୀବନର ମୂଲ୍ୟ ତା’କୁ ବୁଝାଇ ଦେଇଛନ୍ତି । ଘରର ଲୋକଙ୍କର ଆକଟ କଥା ତାହାର ମନର ପଞ୍ଚବଟୀର ଦୁଆର ଆଗରେ ତିନିଗାର ହୋଇ କଟା ହେଇଛି । ସୁତପା ହେଉଛି ଗୋଟାଏ ଅଜଣା ବିପଦ ।

 

ଯେତେ ଭୟ ଦେଖାଇଲେ ବି କନକର ମନ ବୁଝିଲା ନାହିଁ । ସେ ରହି ରହି କହେ–ପଢ଼ିବାକୁ ଏତେ ମନା, ଆଉ ଚାକରାଣୀ କି ମୁଲିଆଣୀ ହେଲେ କ’ଣ ବିଗିଡ଼ିବ ? ସୁତପା ଅପା ଭାରି ଭଲ...

 

ବୁଝିନାହୁଁ, ଝିଅ, ସବୁ ଭଲ ମଣିଷ ଏମିତି ମାୟାବୀ । ଡାହାଣୀ ଆଲୁଅ ପରି ହସି ହାତ ଠାରନ୍ତି । ଭୂତ ସଇତାନ ପରି ଭଣ୍ଡାଇ ଦିଅନ୍ତି । ....ଅତୁଠକୁ ଯିବା ମନା । ମୁଲିଆ ମୁରୁଖର ଜୀବନକୁ କେବେହେଲେ ଛୋଟ ମଣିବ ନାହିଁ ।

 

ମନା, ବାରଣ, ଋଷା କାନ୍ଦ ଜୀବନର ଗତିପଥ ବଦଳାଇ ଦିଏ କନକ ଜୀବନରେ ହେଲା ନାହିଁ । ତାହାର ମନ ତା’କୁ ଠେଲିଥିଲା ଆଗକୁ ।

 

ଦରିଦ୍ରର ଉତ୍ସାହ ସବୁବେଳେ ଏମିତି ସବୁ ବାଧାକୁ ଡେଇଁ ଯାଏ । ସେଥିପାଇଁ ବିଧାତା ସେମାନଙ୍କୁ ଅସରନ୍ତି ଆଗ୍ରହ ଉତ୍ସାହ ଓ ବଳ ଦେଇ ପଠାଇଥାନ୍ତି ।

 

କନକ ଆଉ ସୁତପା ଏକ ମନରେ, ଏକ ପ୍ରତିଜ୍ଞାରେ ବଛରାଜ ଗାଁ ଛାଡ଼ିଥିଲେ । ଏଇଠି ଜୀବନରେ ପରିପୂର୍ଣ୍ଣତା କବିର କଳ୍ପନା ।

ଅଭିନ୍ନ ବାବୁ ଏଥିରେ ହେଲେ ସାହାଜ୍ୟ । ସେ କନକର ବାପା ବୋଉଙ୍କୁ କହି କନକକୁ ସାଙ୍ଗରେ ନେଲେ । ସୁତପା ତାଙ୍କୁ ବୁଝାଇ ଦେଇଥିଲା ଯେ ଏଇଟା ହେଉଛି ବାଟ । ସେ ରହିବ ଅଭିନ୍ନଙ୍କ ପାଖେ ପାଖେ–

ଅଭିନ୍ନ ହସିଥିଲେ । ସୁତପାର ମନ ବଦଳିଛି । କନକ ଖୁସି ହେଇଥିଲା ଯେ ତାହାର ପ୍ରିୟ ଅଭିନ୍ନଭାଇଙ୍କ ପାଖରେ ରହି ପାରିବ । ଆଉ ସୁତପାର ମନରେ ହସ–ପୁଣି ଥରେ ଜୀବନକୁ ପରୀକ୍ଷା କରିବ ।

ବଛରାଇ ଗାଁ ଦାଣ୍ଡ ତିନୋଟି ବାଟୋଇଙ୍କ ପାଇଁ ନିଜକୁ ସଜାଡ଼ି ନେଇଥିଲା । ତିନୋଟି ଲୋକ ସେହି ଦାଣ୍ଡର ଧୂଳିକୁ ହେୟ ମନେ କରି ଚାଲିଯାଇଥିଲେ । ଦୁଆର ଘର ଆଉ କବାଟ ପାଖରେ ସେମିତି ଯେ ଯାହାର ଲୋକ ଠିଆ ହୋଇ ଦେଖିଥିଲେ–ଗାଁରୁ ସହରକୁ ରାସ୍ତାପଡ଼ିଛି । ସ୍ଵରଗକୁ ନିଶୁଣି ପଡ଼ୁଛି ।

ଯିଏ ରହିଗଲା ସିଏ ଅମର । ଯିଏ ଚାଲିଗଲା ସିଏ ପର । ଏମିତି ଯିବା ଆଉ ଆସିବା ଲାଗିଛି ।

ସବୁ କଳ୍ପନାର ପରଖ ବେଳ ଆସି ଦେଖା ଦେଲା ସୁତପାର ।

ମନେ ମନେ ଭାବିଥିଲା ସଂସାର ତାହାର ଗୋଡ଼ ତଳେ । ତାହାରି କଥାରେ ଫୁଲ ଫୁଟିବ, ହସିଲେ ଆକାଶର ଚାନ୍ଦ ମଉଳି ଯିବ । ତାହାର ଭାବନା ହେବ ସମସ୍ତଙ୍କର ଗୋଟିଏ ସାଇତିବା ଭଳି ସମ୍ପଦ । ସହରରେ ସେ ଜୀବନ କଟାଇଥିଲା । ପୁଣି ସହରକୁ ଫେରି ଆସିଛି ।

 

ସେଇ ସହରର ନାମ କହି ଲାଭ ନାହିଁ । ମଣିଷର ନାଁରେ ତା’ର ପରିଚୟ ନଥାଏ । ଜଣକୁ ଆଉ ଜଣକଠାରୁ ବାରିବା ପାଇଁ ଗୋଟାଏ ନିଶାଣ ।

 

ହେଲେ ବି ନାଁ ତା’ର କଟକ–ଡାହାଣରୁ ପଢ଼ ଅବା ବାଁ ଆଡ଼ୁ ପଢ଼ କଟକ । ନାରୀର ମନ ପରି ସମାନ ।

 

ସହରର ସକାଳ ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧ ରଖେ ନାହିଁ । ରଖେ ତାହାର ଘଡ଼ି ଅବା କାମର ଦରକାର ଅନୁସାରେ ।

 

ହଠାତ୍‌ ବିଜୁଳି ଆଲୁଅର ତେଜରେ ଘରଚଟିଆ ଆଉ ପାରା ଉଠି ଦିନ ହେଇଗଲା ବୋଲି ଏପାଖ ସେପାଖ ହୁଅନ୍ତି । ମଟର ଟ୍ରକ୍ ଉଠିଯାଏ । ଚଞ୍ଚଳ ଗାଧୋଇବା ଲୋକ ବାହାରିପଡ଼ନ୍ତି ରାସ୍ତାକୁ । ମୁଖର ନ ହେଲେ ବ ଗହଳି ଆରମ୍ଭ ହୋଇଯାଏ ।

 

ସହରର ଘର ଆଉ ବିଛଣା ବାରି କନକ ଭଲ କରି ଶୋଇ ପାରି ନ ଥିଲା । ସେ ଉଠି ରାସ୍ତାକୁ ଅନାଇଲା–ଆଲୁଅ ଅଛି । ଫର୍ଚ୍ଚା ହେଇ ନାହିଁ । ସହର ତାହାର କାମ ଆରମ୍ଭ କରିଦେଲାଣି-

 

ଅଢ଼େଇ ବଖରା ଘରକୁ ବାଣ୍ଟିକୁଣ୍ଟି ତିନିଜଣ ରହିଛନ୍ତି । ସ୍ଵାମୀ ସ୍ତ୍ରୀ ଓ ସେ ।

 

କାନ୍ଥ ସେ ପାଖରୁ ତା’କୁ ଶୁଭି ଯାଉଥାଏ–ଚାଲିବା କେମିତି ? ଜଣେ ମଣିଷ ଅଧିକା-

 

–ମୋ’ ସାଙ୍ଗକୁ କିଏ ହୁଅନ୍ତା ? ଦିହେଁ ବସିବୁ, କଥା କହିବୁ ଘର କଥା ବୁଝିବୁ । ପାଠ ପଢ଼ିବୁ । ଆଉ କ’ଣ ତମେ ଯିବ ଚାକିରିକୁ ଆଉ ମୁଁ ଗଣୁଥିବି ରାସ୍ତାର ଲୋକଙ୍କୁ ?

–ତେବେ ବି ଆମେ ଆଉ ଟିକିଏ ଭାବିଥିଲେ ଭଲ ହେଇଥାନ୍ତା ।

–ଭବିଲେ କେହି କେବେ ଭଲ କାମ କରିପାରେ ନାହିଁ । ହଠାତ୍‌ ଯାହା ମନକୁ ଆସିଲା ସେଇଆ ସେତେବେଳେ କରିବା ହେଉଛି ଉଚିତ୍‌ କାମ । ଭାବିଲେ ଭାବୁଥିବ । ଦେଖିବ ଭଲ ହେବ ସବୁ ।

–କନକ କ’ଣ ପଢ଼ିବ ? ଏଠି ସ୍କୁଲ ଦରମା ଗାଡ଼ିଭଡ଼ା କ’ଣ ଆମେ ଦବା ?

–ଆଉ କିଏ ଦବ ? ଦିହେଁ ଯିବୁ ସ୍କୁଲ । ମୁଁ ଥୋଡ଼ାଏ ପଢ଼ିବି । ସେଇ ପଢ଼ିବ ବେଶି । ମୋର ମନ କହୁଛି ଯେ ସେ ଡାକ୍ତରାଣୀ ହୋଇଯିବ ।

ଅଭିନ୍ନ ଚାହିଁଲେ ସ୍ତ୍ରୀ’ର ମୁହଁକୁ ସେହି ଅନ୍ଧାର ଭିତରେ । ତାଙ୍କର ଦେହକୁ ଛୁଇଁବା ମନା କିନ୍ତୁ ତାଙ୍କୁ ଦେଖିବାକୁ ମନା ନାହିଁ । ମନ୍ଦ ନୁହେଁ–କନକ ଆସିଛି । ସେ ସୁତପା ପରି ନୁହେଁ । ଅଭିନ୍ନ ଖୁସି ହେଉଥିଲେ ଜୀବନଟାକୁ ଛନ୍ଦମୟ କରିବେ ବୋଲି । ତେବେ ଖର୍ଚ୍ଚର ବ୍ୟବସ୍ଥା କଥା ଭାବି ବ୍ୟସ୍ତ ହେଉଥିଲେ।

ସବୁ ମଜ୍ଜା ଓ ମଉଜିଆ ଜିନିଷ ଯଦି ବିନା ଚେଷ୍ଟାରେ ଓ ମୂଲ ନ ଦେଇ ମିଳିପାରୁଥାନ୍ତା ତେବେ ଏହି ସଂସାରକୁ ନିନ୍ଦନ୍ତା କିଏ ? ସ୍ତ୍ରୀ ଆଇନ ବତାଉଛି । ଖାମଖିଆଲିଆ ନିଶ୍ଚୟ । ପାଗଳ ନୁହେଁ କିଏ କହିବ ?

 

ଅଭିନ୍ନ ଖୁସି ହେଲା ପରି କହିଲା–ତମେ ହେଲେ ହେଇଯାନ୍ତ । ମତେ ଏବେ ଯେଉଁ ଟୁଣୁକା ଚିକିତ୍ସାରେ ରଖିଛ ସେତକରୁ ରକ୍ଷା ମିଳନ୍ତା ।

–କାହିଁକି, ସଂସାର ବଢ଼ାଇବାକୁ ମନା ଡାକିଲାଣି ପରା । ସଂସାର ଆରମ୍ଭ କରିବା ଯେତିକି ସହଜ ତା’କୁ ନେଇ ଶେଷମୁଣ୍ଡରେ ପହଞ୍ଚାଇବା ସେତିକି କଷ୍ଟ । ସ୍ତ୍ରୀ କ’ଣ ପିଲା କରିବା ଯନ୍ତ୍ର ? ତାହାକୁ କ’ଣ ଅନ୍ୟ କିଛିର ମର୍ଯ୍ୟାଦା ଦିଆ ଯାଇପାରେ ନାହିଁ ?

ଅଭିନ୍ନର ହାତକୁ ନିଜର ଦେହ ଉପରୁ ଖସାଇ ଦେଇ ସୁତପା କହିଲା–ଯାହା ତୁମର ତା’କୁ ତମର ନୁହେଁ ବୋଲି ମନେ କରିବା ସଂଯମର ବଡ଼ କଥା । ମୁଁ ତମର ସ୍ତ୍ରୀ । ଆଉ ଅଧିକ କ’ଣ ରହିଗଲା ଯେ ତମର ଅଭିମାନ ?

–ଆମେ ଏକାଠି ଏକ ହେଇ ପାରିବା ନାହିଁ ?

–ହେଇଛୁ ତ ? ଅଧିକ ଖୋଜିଲେ ତା’ର ଭଲ ମନ୍ଦ ସୁବିଧା ଅସୁବିଧା ତମର । ଜୀବନର ଉନ୍ନତି ଅବନତି କଥା ନିଜେ ଭାବିବ । ...ସେଥିପାଇଁ କହୁଛି କଥା ହେଇଥିଲା । କଥା ରଖ । କଥାକୁ ଭାଙ୍ଗ ନାହିଁ ।

ଅଭିନ୍ନ ନିଜ କଥା ଭାବିଲା । ଭଲ ଲାଜରେ ପଡ଼ିଲି । କହିଲେ ମୁଁ ଲୋକହସା ହେବି । ନ କହିଲେ ବି ସେମିତି ରହିଥିବି ।

ନିଜର ଖିଆଲ ଓ ଇଚ୍ଛା ଅନୁସାରେ ଚଳିବାର ସୁବିଧା ହେଲା ସ୍ଵାଧୀନତା ଏହି ଦିଗରୁ ବିଚାରିଲେ ସୁତପା ସ୍ଵାଧୀନ ଓ ଅଭିନ୍ନ ପରାଧିନ ।

ଜୀବନ ଯାତ୍ରାର ଏହି ଅଭିନୟ ଭିତରେ ସୁତପା କନକକୁ ନେଇ ତାହାର କଟକ ସହର ଜୀବନ ଆରମ୍ଭ କରିଦେଲା ଅତ୍ୟନ୍ତ ଉତ୍ସାହରେ । ସେ ଗୋଟିଏ ନୂଆ କଥା କରିବ । ଆଉ ତାହାର ବିଫଳତାକୁ ସଫଳତାରେ ଭରିଦେବ ।

ଯୋଜନା ନାହିଁ । ବିଚାର ନାହିଁ । କାଲି କ’ଣ ହେବ ତାହାର ଆଲୋଚନା ନାହିଁ । ଆଜି ହେଉଛି ଜୀବନର ସୀମା । କାଲି କଥା କାଲିକି ଦେଖାଯିବ । ...ଏଇ ଏତକ ହେଲା ଆରମ୍ଭର ମୂଳମନ୍ତ୍ର ।

ଯିଏ ଯାହା ନୂଆ କଥା କରିଥାନ୍ତି ସମସ୍ତେ ଏମିତି ଆରମ୍ଭ କରନ୍ତି । ନ ଭାବି ନ ବିଚାରି ଡେଇଁ ପଡ଼ନ୍ତି । ତା’ପରେ ଯାହା ହୁଏ ସେତକ ହେଲା ଜୀବନର ପରଶ । ଏଥିରେ ସଫଳତା ଓ ବିଫଳତା, କୃତିତ୍ଵ ଓ ବ୍ୟର୍ଥତା, ବିଚକ୍ଷଣତା ଓ ଆକସ୍ମିକତା ସମାନ ।

ସକାଳୁ ସୁତପାର ବରାଦ ଯେ ସେମାନେ ପଢ଼ିବେ । ତାଙ୍କ ପାଇଁ ବହି ଖାତା, କଲମ ପେନ୍‌ସିଲ ଆଉ ପଢ଼ାର ଯାବତୀୟ ସରଞ୍ଜାମ ଦରକାର । ଗୋଟିଏ ପ୍ରସ୍ତ ଜିନିଷ ମିଳିଲେ ଚଳିବ । ଦୁହେଁ ବାଣ୍ଟିକୁଣ୍ଟି ଚଳିବେ ।

–କ’ଣ କହୁଛୁ କନକ ?

–କନକ ଚାହିଁଲା ଅଭିନ୍ନଙ୍କ ଆଡ଼େ ଆଉ ସୁତପା ଆଡ଼େ । ଏହି ଆରମ୍ଭରୁ ଜୀବନ ଆକସ୍ମିକତାର ଝଲମଲ ରଙ୍ଗ ନେଇ ଆରମ୍ଭ । ରାତିରେ ସେହି ସ୍ଵାମୀ ସ୍ତ୍ରୀଙ୍କ କଥା ଶୁଣିଥିଲା । ନିଜର ଜୀବନ ସେମାନଙ୍କ ସାଥିରେ କିପରି ଗୁନ୍ଥା ହେଇଛି ଦେଖିଥିଲା । ଏବେ ଆରମ୍ଭ ହେଉଛି । ହେବ ନୂଆ ଜୀବନ । ସେଥିପାଇଁ ଘର ଛାଡ଼ି ଏତେ ବାଟ ଆସିଥିଲା ।

 

–ଅପା, ତମେ ଜାଣିଥିବ । ତମେ ଯାହା କରିବ ମୁଁ ସେଇଆ କରିବି ।

 

–ମୋ କଥା ମାନିଲେ କ’ଣ କିଏ ସୁଖ ପାଇବ ? ମୁଁ କ’ଣ ଅବା ଜାଣେ ? ଯାହା ମନକୁ ଆସିଲା ସେଇଆ କରୁଛି ।

 

ବାହାରେ କାଉ ଆସି ରାବୁଥିଲା–ହଁ, ଠିକ୍ । ସେଇଆ ଠିକ୍ । ଜାଣିବା କାମକୁ ସମସ୍ତେ କରନ୍ତି । ନ ଜାଣିବା କାମ ହୁଏ ଖିଆଲରେ ।

 

–ହୋ, ବାବୁ, ଅଭିନ୍ନ ବାବୁ ଅଛ ? ଘରକରଣା କେତେ ବାଟ ଗଲା ?

 

ସୁତପା ଚାହିଁଲା ଅଭିନ୍ନ ମୁହଁକୁ । ...ଆରେ ଆମ ଅଫିସ ବଂଧୁମାନେ ଆସିଗଲେଣି । ଏକାଠି ମେସ୍‌ରେ ଥିଲୁ ନା । ସଙ୍ଖୋଳି ଆସିଛନ୍ତି ।

 

ଭିତରକୁ ପସିବେ କି ନାହିଁ–ଏମିତି ବିଚାରିଲା ପରି ଭିତରକୁ ଚାଲିଲେ ଦେବାଶିଷ ଆଉ ଜନାର୍ଦ୍ଦନ । ସୁତପା ଓ କନକ ଉଠି ଠିଆ ହେଲେ ।

 

–ମଲା ମଲା, ଉଠିଲ କି ନୂଆବୋଉ । ଦଣ୍ଡବତ । ଆମ ସଙ୍ଗଟିକୁ ମେସ୍‌ରୁ କାଢ଼ି ନେଲ-। ତାଙ୍କର ସିଟ୍‌ଟି ଖାଲି ପଡ଼ିଛି । ...ଆଉ ସବୁ ସୁବିଧା ହେଲାଣି ନା କ’ଣ ଊଣାଅଛି ?

 

ଦେବାଶିଷର ଆଗ୍ରହକୁ ଆଘାତ କରିବା ପାଇଁ ସୁତପା କହିଲା–ସବୁଥିରେ ଊଣା । କୁଣିଆଙ୍କୁ ବସାଇବାକୁ କିଛି ନାହିଁ । ତାଙ୍କର ଚର୍ଚ୍ଚା କରିବାକୁ କିଛି ନାହିଁ । ସେଥିରେ ସାହାଯ୍ୟ କରି ପାରିଲେ ବଡ଼ ଉପକାର ହୁଅନ୍ତା । ଅଭିନ୍ନ ଚମକି ପଡ଼ିଲା । ସୁତପା ହସି କହିଲା–ଏମିତି କାହିଁକି ତାଙ୍କୁ ପର ମଣିଷ ବୋଲି ଭାବୁଛ ? ସେମାନେ ଯେଉଁ ସ୍ନେହର ଅଧିକାର ମାଗୁଛନ୍ତି ସିଏ କ’ଣ ପର ମଣିଷଙ୍କ ପରି ? ଆମେ ନୂଆ ଆସିଛୁ । ଘରେ ପାନ ଗୁଆ ସିନା ଅଛି । ମସଲା ନାହିଁ-। ...ସେମାନେ ଚା’ ଖାଉଥିବେ ଚା’ ନାହିଁ । କପ୍ ପିଆଲା ନାହିଁ । କିଛି ନାହିଁ ।

 

–ଏଇ କଥାକୁ ଏତେ କଥା । ଚାଲ ଜନାର୍ଦ୍ଦନ । ଏଠିକା କଥା ଟିକିଏ ବୁଝିବା ବଜାରରୁ-। ସକାଳୁ ଆମେ ଚାଲି ଆସିଥିଲେ ଏଠି କୁଣିଆ ଚର୍ଚ୍ଚା ହେବାକୁ । ହେବାକୁ ଯେ ସୁବିଧା ନାହିଁ-

 

–ଆମେ ତ ଯାତ୍ରୀଙ୍କ ପରି ଓହ୍ଲାଇଛୁ । ସଜାଡ଼ି ଘରକରଣା । କରିବାକୁ ଦିନାକେତେ ଲାଗିବା । ...ଆଉ, ହଁ, ଆମେ ଆସିଛୁ ପାଠ ପଢ଼ିବୁ ବୋଲି...ହସି ସୁତପା କହିଲା ।

 

–ବାଃ, ଇଏତ ଜଣାପଡ଼ୁଛି । ଆସୁ ଆସୁ ଯେତେ ବରାଦ ମିଳିଲାଣି ସେଥିରୁ କିଏ ପଢ଼ିବ ଆଉ କିଏ ପଢ଼ାଇବ ଜଣାଶୁଣା କାହିଁ, ଆମର ଅଭିନ୍ନବାବୁ କେବେ କହି ନାହାନ୍ତି ଏଠି ସରସ୍ଵତୀ ଦେବୀଙ୍କର ଖୋଦ୍ ବିଜେସ୍ଥଳୀ । ...କହି କନକ ଆଡ଼କୁ ଚାହିଁଲେ ।

 

ସୁତପା ଦେବାଶିଷକୁ କହିଲେ–ଇଏ ମୋ ନଣନ୍ଦ ବଛରାଇ ଗାଁ ହିସାବରେ । ଆଉ ମୋର ଭଉଣୀ ଆମର ନିଜର ହିସାବରେ । ୟେ’ ଆସିଛି ପାଠ ପଢ଼ିବାକୁ ।

 

–ହେଲା, ହେଲା । ଏଠି ସ୍କୁଲରେ ଦି’ଜଣ ଛାତ୍ରୀ ବଢ଼ିବେ । ଆଉ ଏହି ଘର ହବ ବୋଧହୁଏ ପାଠଶାଳା । ପଢ଼ାପଢ଼ି କାମ ଜୋରସୋରରେ ଚାଲିବ । ଦେବାଶିଷ ହସିଲା ।

 

ସୁତପା ଅନେକ ଦିନର ଆତ୍ମୀୟ ପରି କହିଲା–ଆସିଲେ ଦେଖିଯିବେ । ଏଠି ଆମେ ସହରକୁ ବୁଲି ଆସିଛୁ ନା, କ’ଣ ପାଇଁ ଆସିଛୁ ।

 

ଅଭିନ୍ନ କହିଲା–ୟେ, ତ ଜାଣିଛ ସହରର ଝିଅ ଆଉ ନିପଟ ମଫସଲର ବୋହୁ ।

 

ଦେବାଶିଷ ଚାହିଁଲା ସୁତପା ମୁହଁକୁ–ସତେ ତ । ସେ ଭୁଲି ଯାଇଥିଲା । ଆଉ ଅଭିନ୍ନବାବୁ ବେଶି ଗୁଡ଼ାଏ ଘର କଥା ଗପନ୍ତି ନାହିଁ । ...ସତେ ମ, ଏମିତି ସହର ଝିଅଙ୍କୁ ସେ ଗାଁରେ ଭଲ ରଖି ପାରିଲେ ।

 

ସୁତପା କଥା ବଦଳାଇବାକୁ କହିଲା–କ’ଣ ହେଲା ? ବରାଦ ଭୁଲିଗଲେ କି ? ଆମେ ବସି ରହିଛୁ । ଆପଣ ଆସିଲେ ଆପଣଙ୍କର ଚର୍ଚ୍ଚା ହେବ । ...କନକ, ମା, ଚୁଲିଟା ଲଗାଇ ଦେଲୁ । ବାବୁ ଯାଉଛନ୍ତି ବଜାର ।

 

–ହେଲା, ଚାଲ ଜନାର୍ଦ୍ଦନ । ଚାଲ ଅଭିନ୍ନବାବୁ । ସମସ୍ତେ ଚାଲ । ଆଜି ବଜାରର ସବୁ ଜିନିଷ ଆସି ଠୁଳ ହେବ ଏଇଠି ।

 

ଅଭିନ୍ନ ମନିବ୍ୟାଗ୍ ଆଣି ଠିଆ ହେଲା । ସୁତପା ହସି କହିଲା–ତମେ ଦେଲ ସେ ମନିବ୍ୟାଗ୍ ମୋ’ ହାତକୁ । ସେ କଣ ଆଣିବେ ସେ କଥା ଦେଖାଯାଉଛି ନା । ଆମେ କଣ ଆମର କିଣନ୍ତେ ନାହିଁ ?

 

–ଥାଉ ଥାଉ । ଆମ ପାଖରେ ବହୁତ ଟଙ୍କା । ଆମେ ସରକାର ଘର ଗେହ୍ଲାପୁଅ । ସରକାର ଘରେ କ’ଣ ଟଙ୍କାର ଅଭାବ ଯେ ଇଏ ଦେବେ ମନିବ୍ୟାଗ୍ ।

 

ସୁତପା ହସି କହିଲା–ଅଳ୍ପ ଅଛି । ସହର ବଜାର କିନା । ଟିକିଏ ଜଗିରଖି ଚଳିବାକୁ ହେବ । ଆଜିର ଭାର ଦିଆଗଲା ଆପଣଙ୍କୁ ।

 

ସମସ୍ତଙ୍କୁ ବିବ୍ରତ କରି ସୁତପା ଠିଆ ହେଲା । ଅଭିନ୍ନବାବୁଙ୍କର ମନକୁ ଯାଉ ନ ଥିଲା । ଦେବାଶିଷ ଅଡ଼ୁଆରେ ପଡ଼ିଲା । ଜନାର୍ଦ୍ଦନ ବିଚରା ଆସିଥିଲା ସାଙ୍ଗରେ ।

 

ସେମାନେ ବାହାରିଲେ । ଉପାୟ ନାହିଁ । ଇଜ୍ଜତ ରକ୍ଷା କରିବାକୁ ହେଲେ ଫେରିବାକୁ ହେବ ମେସ୍‌କୁ । କିଛି ଟଙ୍କା ଆଣିବାକୁ ହେବ । ସକାଳୁ ପଢ଼ାଇଲାଣି ପାଠ । ତେବେ ଇଏ ବୋଧହୁଏ ଥିଏଟରରେ ପାଟ୍‌ ନେଉଥିଲେ । ଦେଖୁନାହଁ, କେମିତି ସଂଳାପ ଆଉ ତା’ପରେ କ’ଣ–କ’ଣ–କ’ଣ ?

 

ଜନାର୍ଦ୍ଦନ ଏହି କଥା ଶୁଣି ହସିଲା । ବିଚରା ଅଭିନ୍ନ ଏମାନଙ୍କୁ ଆଣିଛି କାହିଁକି ? ଇଏ ଆମ ଉପରେ ପ୍ରଥମ ଦେଖାରୁ ଚାନ୍ଦା ବସାଇଲେଣି । ଅଭିନ୍ନକୁ ବଂଧା ଦେଇ ଏମାନେ ବଜାରହାଟ କରି ପାରିବେ । ଆଉ ଜଣେ, ନଣନ୍ଦ ଭଉଣୀ ପାର୍ଟରେ ଅଛନ୍ତି ।

 

ଦେବାଶିଷ ହସି କହିଲା–ତାସ ଖେଳ ପାଇଁ ସୁବିଧା । ଜନାର୍ଦ୍ଦନ ଆଉ କନକ ଗୋଟାଏ ପଟରେ ଆଉ ଆରପଟେ ସୁତପା ଆଉ ଦେବାଶିଷ । ଅଭିନ୍ନ କାମ ହେବ–ପାଣି ଦେବା, ପାନ ଦେବା, ତାସ ଫେଣ୍ଟିବା ଆଉ ଖେଳକୁ ଦେଖିବା ।

ଜନାର୍ଦ୍ଦନ ହସିଲା । ଦେବାଶିଷ କହିଲା–ଭାଇ, ହସୁଛୁ କ’ଣ ? ମୋର ବୁଦ୍ଧି ବଣା ହେଲାଣି । ଆଜି ଉଡ଼ିଲା କିଛି ଟଙ୍କା । ଘରକୁ ପଠାଇବି ଚୋପା…ନାଇଁରେ ଭାଇ ଏଇ କିମିଆଁ କାଳକୁ ଥିଏଟର ସୁବିଧା ନାହିଁ । ମେଜିକ ହାତ ସଫେଇ ବେଶି ଦରକାର ମନେ ହେଲାଣି ... ଆରେ ଦେଖ ମ । ଦି’ପଦ କଥା ହେଇ ନାହିଁ । ଏଣେ ଚରମାନେ ଚାଲିଲେଣି ବଜାରକୁ ।

–ଆରେ ଆମର ମେସ୍ ଭାଇମାନେ । ଆମକୁ ବିପଦରୁ ତ୍ରାହିକର । ଚାନ୍ଦା ଦିଅ କିଛି କିଛି । ଏଇ ଅଭିନ୍ନ ଆମକୁ ହରଡ଼ଘଣାରେ ପକାଇଛି । ଟଙ୍କା ଦରକାର ।

–କ’ଣ ହେଲା ? ସେ ପରା ଏବେ ସପରିବାର ରହିବେ । ଥୁଣ୍ଟା ମେସ୍‌ ଜୀବନକୁ ଧିକ-

–ଭାଇ, ସେଇ କଥା । ସକାଳୁ ଯାଇଥିଲୁ ଯେ ଘର ଦେଖିବାକୁ । ଦେଖିଲାବେଳକୁ ଥିଏଟର ଆରମ୍ଭ ହୋଇଗଲାଣି । ...ଅଭିନ୍ନର ଭାରିଜା ରାଣୀ ହେଇଛି । ଅଭିନ୍ନ ହେଉଛି ଚପରାସି-। ଆଉ ପାଖରେ ବସିଛି ସହଚରୀ । ଆମେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଫେରି ଆସିଲୁ–ବଜାର କରିବା ପାଇଁ ।

–ଆରେ କ’ଣ ହେଲା, କହ ମ ?

–ଭାଇମାନେ ଆସିଲେ ଦେଖିବ । ମୁଁ କହିବି କେମିତି ? ବୁଝେଇ ହବ ନାହିଁ । ଆସୁଛି କପ୍, ପିଆଲା, ଚା, ଚିନି, ଟିଣଦୁଧ, ଗୁଜ୍‌ରାତି, ଅଳେଇଚ ଆଉ ଲକ୍ଷ୍ମୀଚୂର୍ଣ୍ଣ ମସଲା ଆଦି ଅନେକ ଜିନିଷ କିଣିବାକୁ । ଟଙ୍କା ନାହିଁ ।

–ହଁ, ଟଙ୍କା ନାହିଁ । ଉଧାର କରିବ ନା କ’ଣ ?

–ଆଉ ? କରିବାକୁ ହବ । ସେଠି ପରା ଥିଏଟର୍‌ ଆରମ୍ଭ ହେଇ ଗଲାଣି । ଆମର ପାର୍ଟ ବଜାରରେ ପଡ଼ିଛି । ଫେରିଲେ ସିନ୍ ଉଠିବ । ଚୁଲିରୁ ଧୁଆଁ ବାହାରିବଣି...ଆରେ ଭାଇ ଜନାର୍ଦ୍ଦନ । କାଠ କୋଇଲା କଥା କିଛି ଶୁଣିଲ କି ?

–ନାହିଁ । ସେ କଥା ପଛେ ଉଠିପାରେ । ଏବେ ଚୁଲି ଆଉ ସୁଆର ସେପାଖେ ଆଉ ଆମେ ସଉଦା ଏ ପାଖେ ।

ସମସ୍ତଙ୍କର ହସ ଭିତରେ ସୁତପା ଅତି ମନୋହାରିଣୀ, ଛନ୍ଦମୟୀ, ଲାସ୍ୟମୟୀ, କୁହୁକିନୀ ଆଉ ଅନେକ ପ୍ରକାରର ଅସମ୍ଭବ ଗୌରବରେ ଚିତ୍ର ହୋଇ ଯାଇଥିଲା ସେଇ ଥୁଣ୍ଟା ମେସ୍‌ର ଛୋଟିଆ ଅଗଣାରେ ।

କଳ୍ପନାର ଶକ୍ତିରେ ସେଠି ଫୁଲ ଫୁଟିବାକୁ ଆରମ୍ଭ କଲା । ଆଉ ଦେବାଶିଷ ଚାଲିଲେ ବଜାରକୁ ଜନାର୍ଦ୍ଦନକୁ ନେଇ ।

ଜନାର୍ଦ୍ଦନ କହିଲା–ଟଙ୍କା କ’ଣ ଦେଖାଉଥିଲା ଦେଲା ନାହିଁ ତ ।

–ଆରେ, ଅବିବେକୀ ବନ୍ଧୁ । ସେଠିକି ଟଙ୍କା ଚାଲିବେ । ସେଠୁ ସେମାନେ ଅଣବାହୁଡ଼ା-। ଦେଖିଲ ପରା ଆପଣା ଆଖିରେ ମନିବ୍ୟାଗ୍ ସେଠି ଧନ୍ୟ ହବ । ଆମେ ଏଠୁ ବ୍ୟାଗ୍ ଖୋଲୁଛୁ କି ଦୁଃଖରେ ।

 

ହେଲେ ବି ଏଇଟା ଆନନ୍ଦର ଅଡ଼ୁଆ । ଖର୍ଚ୍ଚ କଲାବେଳେ ଭଲ ଲାଗୁଥିଲା । ସୁତପା କଥାର ମୂଲ୍ୟ ଅଛି । ସାମାନ୍ୟ କେଇପଦ କଥାରେ ସେ କପ୍ ପିଆଲା କାଢ଼ି ପାରିଛି । ଏମିତି ଖଞ୍ଜରେ କଥା କହିଛି ଯେ ପଳାଇ ପାରିବ ନାହିଁ । ...ଡର ଆଉ କ’ଣ ? ଆଜି ଜାଣ ଗୋଟାଏ ଜୁଆଖେଳ ହେଲା ।

 

ସବୁ ଜିନିଷ କିଣିଲା ପରେ କପ୍ ପିଆଲା କେତୋଟି ସେଟ୍ କିଣା ହେବ ଆଉ କି ପ୍ରକାରର ହେବ–ଏଥିରେ ଅଡ଼ୁଆ ରହିଲା ।

 

ଦେବାଶିଷ କହିଲା–ଚାରୋଟି ହେଉ ଏକା ପ୍ରକାରର ଆଉ ଗୋଟିଏ ଖୁବ୍‌ ସରସା । ମୁଁ ଯାଇ ତାକୁ ଉପହାର ଦେବି ଶ୍ରେଷ୍ଠ ଅଭିନୟ ପାଇଁ ।

 

–ଛାଡ଼ମ । ଏଠି ଥିଏଟର ଟିକେଟକୁ ଆମୋଦ ଟିକସ ବଳି ପଡ଼ିବ ।

 

–ଆରେ ହଟିଯିବା ନା ? ...କେବେ ନୁହେଁ । ଥୁଣ୍ଟାମେସର ସାଥି ଥିଏଟର ପାର୍ଟି ଆଣିଛି-। ଥରଟାଏ ଖେଳିବା ।

 

ନୁହେଁ ହରଷ ନୁହେଁ ବିରସ ମନ ନେଇ ଦେବାଶିଷ ଆଉ ଜନାର୍ଦ୍ଦନ ଫେରିଲେ । ଦିହିଙ୍କ ହାତରେ ସଉଦା ।

 

ଅଭିନ୍ ଟିକିଏ ଅପ୍ରସ୍ତୁତ ହେଲା–

 

ତାଙ୍କୁ ଦେଖି ସୁତପା ହସି କହିଲା–ଆପଣମାନେ ଫେରିଯାନ୍ତୁ । ଆଜି ଆପଣମାନଙ୍କର ମୁହଁ ଦେଖି ଅନୁକୂଳ କରିଥିଲି ଯେ ଯାବତ୍‌ ଭର୍ତ୍ସନା ଶୁଣିଲିଣି । ...ଅନ୍ୟାୟ...ଅସୁନ୍ଦର–ଅପର ପ୍ରତି ଅପବ୍ୟବହାର..ଆଉ ଦରକାର ନାହିଁ । ...ଚୁଲିରେ ଭାତ ବସାଇ ଦେ, କନକ ।

 

–ଆରେ କ’ଣ ହେଲା ମ । ଏଣେ ଆମେ ଟଙ୍କା ପଇସା ସଜିଲ କରି ମାନ ପାଇବାକୁ ଆସିଲାବେଳକୁ ଅପମାନର କୋଥଳି ଫିଟିଲା କାହିଁକି ? ଅଭିନ୍ନବାବୁ କ’ଣ କହିଲେ ?

 

–କହିଲେ, ଆପଣମାନେ ପରମଣିଷ । ଭୁଲ୍‌ ବୁଝିବେ ।

 

–ଭଲ ବନ୍ଧୁ ଆମର । ଆଗରୁ ଗୋଟିପଣ ଆମର ହୋଇ ରହିଥିଲେ । ଏଇ ଦି’ଦିନରେ ପୁରା ବଦଳି ଗଲେଣି । ...ହଉ, ଟଙ୍କା ଦେଇ ଦେଲେ ଛିଣ୍ଡିଯିବ ତ ।

 

–କିଏ ଟଙ୍କା ଦବ ? ଆଉ କାହିଁକି ଦବ ? ଆମକୁ କ’ଣ କିଣି ଆସେ ନାହିଁ ? ଏହି ବାବଦରେ କେହି କିଛି ଦେଇ ପାରିବେ ନାହିଁ । ହୁଏତ ଜିନିଷପତ୍ର ରହିବ ନ ହେଲେ ଫେରିବ । ଏମିତି ସଉଦା ହେଇ ପାରିବ ନାହିଁ ।

 

କନକ ଭିତର ଘରେ ହସୁଥାଏ । ଅଭିନ୍ନବାବୁ ଲାଜରା ହେଇ ଠିଆ ହେଇଥାନ୍ତି । ପ୍ରକୃତରେ ମୁଣ୍ଡ ଖରାପ ହେଇ ନ ଥିଲେ ଏମିତି କ’ଣ କିଏ ଅନ୍ୟକୁ ନେଇ ଦାଣ୍ଡରେ ବସାଏ ?

 

ଜନାର୍ଦ୍ଦନ ଅନୁମତି ମାଗିଲା ଦେବାଶିଷର–ଜିନିଷ କ’ଣ ରଖାଯିବ ?

 

–ଆରେ, ଏ କଥାରେ ପଚାରିବା କଥା କ’ଣ ଅଛି ? ଆମେ ଘରମଣିଷ କି ପରମଣିଷ ପରେ ବୁଝାଯିବ । ଏଠୁ ଆସି ଦାଣ୍ଡେ ଦାଣ୍ଡେ ବୁଲି ଜିନିଷ ବୋହିଲୁ । ଏବେ କ’ଣ ତା’କୁ ନେଇ ମେସ୍‌କୁ ଯିବୁ ? ସେଠି ରହିହବ ତ ? ମେସ୍‌ର ଥଟ୍ଟା ଏଠିକା ଥଟ୍ଟାଠାରୁ ବେଶି କଡ଼ା ।

 

ଦେବାଶିଷ ସବୁ ଜିନିଷ ବୁଝାଇ ଦେଲା । ଶେଷକୁ ସେହି ଦାମିକା କପ୍ ପିଆଲାଟି କାଢ଼ି ଥୋଇ ଦେଇ କହିଲା–ଏଇଟା ନଜରାନା ତମ ପାଇଁ । ...ତମେ ଯେଉଁ ଦେବାଶିଷକୁ କାମରେ ଲଗାଇ ପାରିଲ ତାହାର ପୁରଷ୍କାର ।

 

ସୁତପା ଦେଖିଲା । କନକର କୌତୁହଳ ହେବାରୁ ସେ ବାହାରି ଆସିଲା–କି ଜିନିଷ ଦେଖିବାକୁ ? ତା’କୁ ଭାରି ମଉଜିଆ ଲାଗୁଥାଏ । ଅପାର ହୁନ୍ଦର ଏତେ ସେ ବୁଝି ନ ଥିଲା ।

 

କପ୍‌ ପିଆଲାକୁ ପରୀକ୍ଷା କରି ସୁତପା କହିଲା–ଭାରି ଭଲ ହେଲା । ଏଇ କପ୍ ପିଆଲା ମୁଁ ରଖିଲି ୟା’ଙ୍କ ପାଇଁ । ଉପହାର ପାଇଥିଲି । ଉପହାର ଦେଲି ।

 

ବିରକ୍ତ ହୋଇ ଅଭିନ୍ନ କହିଲା–ମୋର ଦରକାର ନାହିଁ । ତମେ ସେଥିରୁ ମନଇଚ୍ଛା ଚା’ ପିଅ ।

 

–ହଁ, ପିଇବି ତ । କାହାର ଶ୍ରଦ୍ଧାକୁ ମୁଁ ଭାଙ୍ଗେ ନାହିଁ । ମୁଁ ଭଲ କରି ଜାଣେ ଯେ ଖୋଜି ବସିଲେ ଶ୍ରଦ୍ଧା ମିଳେ ନାହିଁ । ...ଏଇ କପ୍ ମୋର, ଦେବାଶିଷ ବାବୁଙ୍କର ...କହି ଅଭିନ୍ନ ମୁହଁକୁ ଚାହିଁ କହିଲା–ଆଉ ମୋର ଗେହ୍ଲା ଭଉଣୀ କନକର ।

 

କଥା କଥାରେ ପ୍ରଶଂସା । ଦେବାଶିଷବାବୁ ଭାରି ଭଲ ଲୋକ । ମନ ତାଙ୍କର ଭାରି ସଫା । ଯାହା ଆଣିଛନ୍ତି ବୁଦ୍ଧି ଖଟେଇ ଆଣିଛନ୍ତି । ସବୁ ଜିନିଷ ଭଲ । ପଦେ କଥାରେ ମଣିଷକୁ ଆପଣାର କରିପାରନ୍ତି । ଏମିତି ବନ୍ଧୁ ମିଳିଲେ ଜୀବନରେ ଦୁଃଖ ରହିବ ନାହିଁ...

 

–ସୁତପାର କଥାରେ ବାଧା ଦେଇ ଦେବାଶିଷ କହିଲେ–କେମିତି ?

 

–ବୁଝିଲ ନାହିଁ ଏତିକି ? ସଂସାରରେ ସୁଖ କମ୍‌ ଆଉ ଦୁଃଖ ବେଶି । ଦୁଃଖ ଅଭାବକୁ ବାଣ୍ଟିଦେଲେ କମିଯାଏ । ସୁଖକୁ ବାଣ୍ଟିଲେ ସେ ବଢ଼ିଯାଏ । ଲୋକ ମିଳିଲେ ସିନା ବାଣ୍ଟିବ । ...ସମସ୍ତେ ସୁଖର ପିଆରା । ଦୁଃଖକୁ ନବ କିଏ ?

 

ଦେବାଶିଷର ମୁହଁ ସତେଜ ଦିଶିଲା–ଅପ୍ରଚ୍ଛନ୍ନ ଇଙ୍ଗିତରେ ସୁତପା କଥା କହୁଛି ।

 

–ଛାଡ଼, ତମର ଦୁଃଖ କେବେ ହେଇପାରେ ?

 

–ଏଁ ମୋର ଦୁଃଖ ? ତମର ବନ୍ଧୁଙ୍କୁ ପଚାରିଲେ ସେ କହିବେ । ମୁଁ ବଡ଼ ଦୁଃଖୀ ।

 

ଅଭିନ୍ନବାବୁ ଲାଜରା ହେଲେଣି । ଭଲ ସ୍ତ୍ରୀକୁ ଆଣି ସେ ଘର କରୁଥିଲେ । ଘର ଯାହା ହେଲା ନାରାୟଣଙ୍କୁ ଗୋଚର । ଏବେ ଘର କଥା ଆସି କଟକ ସହରରେ ନାଗରା ବାଜିବ ।

 

–କ’ଣ କରୁଛୁ ଲୋ କନକ ? ନେ ମ, ଚଞ୍ଚଳ ଚା’ କର...ଆରେ ସେ ତ ଜାଣେ ନାହିଁ-। ଆମର ଶାଶୁଘର ଗାଁରେ ଚା’ ଚଳେ ନାହିଁ ।

 

–ସେଠିକି କଣ ମଟର ବସ୍ ଯାଏ ନାହିଁ ? ଯେଉଁଠିକି ମଟର ସେଠି ଚା’ ଚାଲିଲାଣି ।

 

–ମଟର ବସ୍ ଗାଁଠାରୁ କୋଶେ ଦୂରରେ ଯାଏ । ଆମେ ଦୂରରୁ ଦେଖି ଖୁସି ହେଉ । ...ଗାଁରେ କିଏ କେମିତି ଖାଉଥିବେ । ଆମର କନକ ଖାଏ ନାହିଁ ।

 

–ତମେ ରହିଲ କେମିତି ସେ ଗାଁରେ ?

 

–ୟାଙ୍କରି ମୁହଁକୁ ଚାହିଁ । ଭାରି ଭଲ ଲୋକ ସେ । ବେଦିକୁ ଗଲା ପରେ ମୋର ଇଚ୍ଛାର ଅବା ପସରା କେତେ ?

 

–ଆରେ, ତମେ ତ ଚା ଖାଉଥିବ ଦୈନିକ ।

 

–ଆଜି ଏଇ ପ୍ରଥମ ହେବ । ଅଠରମାସ ଭିତରେ ଚା ଦେଖି ନାହିଁ । ଇଚ୍ଛା କରିଥିଲେ ସେ କାମ କରିଥାନ୍ତି । ଭାବିଲି ସାମନ୍ୟ ଚା’ପାଇଁ କିଏ ଏତେ ଧନ୍ଦାରେ ପଶେ? ଗାଁର ଚା’ କଥା ଶୁଣିଥିଲି । କବିରାଜ ପାଚନ ଆଉ ଚା’ ସମାନ ।

 

ଜନାର୍ଦ୍ଦନ ହସି କହିଲା–ଅନେକ ଜାଗାରେ ଚା କପ୍‌ରେ ଲୁଣ, ଲବଙ୍ଗ, ତେଜପତ୍ର ଓ ଡାଲଚିନିର ସୁବାସ ଦିଆ ହୋଇଥାଏ । ସେହି ଚା’କୁ ପୁଣି ପରସନ୍ତି...ଲୋକେ ଚଳାଇ ଦେଉଛନ୍ତି ତ ।

 

ସେଇଟା ହେଲା ଗାଁ ଆଉ ସହରର ମିଳନ କ୍ଷେତ୍ର । ଚା’ କହିଲେ ଯିଏ ଯାହା ବୁଝିଲା–

 

ସୁତପା ହସି ଉଠିଲାବେଳେ କହିଲା–ଖାଲି ଚା’ କାହିଁକି ସବୁ ବିଷୟ ସେମିତି । ଜୀବନର ଚାଲି ଚଲଣ, ନୀତି ନିୟମ ଆଉ ସୁଖ ଦୁଃଖ ଏମିତି ଚା’ ପରି ବହୁତ ରଙ୍ଗ ରସ ଆଉ ସୁବାସରେ ପରଶା ହୁଏ ।

 

ଚାଲିଯାଉଥିବା ସୁତପାକୁ ପଛଆଡ଼ୁ ଦେଖି ଦେବାଶିଷ ଆଉ ଜନାର୍ଦ୍ଦନ ଏକ ସମୟରେ ଭାବିଥିଲେ–ସତରେ ସୁତପା ସୁନ୍ଦର । ସେ କଥା କହିଜାଣେ ଯେମିତି ଚାଲିପାରେ ବି ସେମିତି । ...ଆଉ କେତେବେଳେ ଯିବ କେତେବେଳେ କ’ଣ କହିବ ସେତକ ବି ବୁଝିଛି ସେମିତି ।

 

ଅଭିନ୍ନକୁ ସରସ କରିବାକୁ ଦେବାଶିଷ ପଚାରିଲା–ସକାଳୁ ଆମେ ଆସି ତୁମକୁ ଅଡ଼ୁଆ ହେଲୁ । କିଛି ଭାବିନଥିଲୁ । ବିରକ୍ତ ହେବ ନାହିଁ ।

 

–ନାହିଁ ମ । ଏକୁଟିଆ ଲାଗୁଥିଲା । କ’ଣ କରିବି ଭାବିପାରୁ ନଥିଲି ।

 

–କ’ଣ ଭାବନା ଅଛି ? ଯାହା ଦରକାର ଆମକୁ କହିବ । ତେବେ ତମ ଘରଣୀଙ୍କୁ ଘରକରଣା ଜଣା ଅଛି । ସେ ଗାଁରେ ରହିପାରିଲେ କେମିତି ?

 

–ସୁବିଧା ଅସୁବିଧା ନେଇ ରହିଯିବାକୁ ହେଇଥିଲା ।

 

–ନାହିଁ । ତମର ଏଥିରେ ଯେମିତି ବାହାଦୁରୀ ତମର ସ୍ତ୍ରୀଙ୍କର ମଧ୍ୟ ସେମିତି । ...ଏମିତିକା ସାହାଯ୍ୟ ପାଇଲେ ତମେ ବଡ଼ ହେବ ଯେ ।

 

ଭିତରୁ ସୁତପା କହିଲା–ଶୁଣୁଛ ତ । ମନଦେଇ ଶୁଣୁଥାଅ । ଏଣେ ଭାବୁଥିବ ସୁତପାର ମୁଣ୍ଡ ଠିକ୍ ନାହିଁ । ଲୋକଙ୍କର ମତ ନେଇ ନିଜର ବିଚାରକୁ ଠିକଣା କର ।

 

ଅଭିନ୍ନ ଆଖିଠାର ମାରି କହିଲା–ଏଇ ମହାତ୍ମାଙ୍କୁ ଦେଖିଲ ତ । ମୁଁ ହେଉଛି ଶଗଡ଼ ଆଉ ସେ ଶଗଡ଼ିଆ ।

 

ଦେବାଶିଷ ହସିଲା । ...ଜନାର୍ଦ୍ଦନ ବି ହସିଲା–ଶଗଡ଼ିଆ କେମିତି ଶଗଡ଼ ପାଲଟିଛି ?

 

ଅଭିନ୍ନ କହିଲା–ସବୁ ଈଶ୍ଵରଙ୍କ ଇଚ୍ଛା । ସେ କେଉଁ ଫୁଲରେ କେଉଁ ରଙ୍ଗ ଦେଇଛନ୍ତି ତାହାରି କଥା ସେ ଜାଣନ୍ତି । ତେବେ ଏତେ ନଟଖଟକୁ ମୋର ବୁଦ୍ଧି ନିଅଣ୍ଟ ।

 

ଜନାର୍ଦ୍ଦନ କହିଲା–ମେସ୍ ଜୀବନ ପରେ ଏଇ ଘରକରଣା ଦେଖି ମତେ ଭଲ ଲାଗୁଛି-। ବିଭା ହେବ ଉଚିତ୍‌ ।

 

ଦେବାଶିଷ ତାହାର ପିଠି ଥାପୁଡ଼େଇ ବଡ଼ ପାଟିରେ କହିଲା–ହେଇ ଶୁଣ, ଶୁଣ । ଜନାର୍ଦ୍ଦନବାବୁ ଏବେ ଘରମୁହାଁ ଆଉ ବେଦିମୁହାଁ ହେଲେଣି ଦେଖ ।

 

ସୁତପା କହିଲା–ମୁଁ ଶୁଣିଲେଣି ସବୁ । ଏଣେ କେତେ ଚିନି ପଡ଼ିଲାଣି ଚା’ରେ ଭୁଲିଗଲେଣି...ଜନାର୍ଦ୍ଦନବାବୁଙ୍କୁ ଭଲକରି ବୁଝେଇ ଦିଅ–ମନକୁ ପାକଳ ନ କରି ସେମିତି ଉତାଲା ହେବେ ନାହିଁ ।

 

ଶୁଣିଲ ତ ଜନାର୍ଦ୍ଦନ ବାବୁ–ମନକୁ ପାକଳ କର । ଆଉ କଅଁଳ ମନ ନେଇ ବଣବୁଦାରେ ପଶିବ ନାହିଁ । ଦେଖି ନାହଁ ପାକଳ ନହେଲେ ଗଛର କଣ୍ଟାକୁ ବି ଛେଳି ଖାଇଯାଏ ।

 

ଖାଲି କଅଁଳ ମନ କାହିଁକି କଅଁଳ ବୁଦ୍ଧି, କଅଁଳ ଅନୁଭବ, କଅଁଳ କଥା ସମସ୍ତେ ଏକାପରି ଦୁର୍ବଳ । ତାହାର ଉପାୟ ହେଲା ତା’କୁ ଘସିମାଜି ପାକଳ କର ।

 

ମେସ୍‌ ବନ୍ଧୁମାନଙ୍କର ଦୁଃଖ ସୁଖ କାହାଣୀରେ ସେମାନେ ସମୟ କଟାଉଥିଲେ । ସୁତପା ଆଉ କନକ ଚା ନେଇ ଆସିଲେ ।

 

ସୁତପା ଥୋଇ ଦେଇ କନକକୁ କହିଲା–ଦେଖ୍, ଲୋ, ଭଉଣୀ । ଏମିତି ଚା’କୁ ଚହଲାଇ ଆଣିବୁ ନାହିଁ । ଭଦ୍ରଲୋକମାନେ ଅବିଗୁଣ ପାଅନ୍ତି । ଆଜି ଶହେ ଥର ପାଣି କପ୍ ନେଇ ଏପାଖ ସେପାଖ ହେଇ ଶିଖିବୁ ।

 

କନକ ମୁହଁ ଶୁଖେଇ ଚାଲିଗଲା ।

 

ହସି ସୁତପା କହିଲା–ଭଲ କପ୍‌ଟା ବି ଆଣିଛି । ସତରେ ଏଇଟି ଭାରି ସୁନ୍ଦର । ମୋର ଉପହାର କପ୍–ପ୍ରଥମ ଉପହାର ।

 

–ତମପାଇଁ ଅଣା ହେଇଛି ପରା ।

 

–ନା, ମୋର ଏକାନୁହେଁ ।

 

–ମୋର ଏଇଟା କହି ଦେବାଶିଷ ସେଇ କପ୍‌ଟି ଉଠାଇ ନେଲା ।

ଅଭିନ୍ନବାବୁଙ୍କୁ ଚାହିଁ ସୁତପା କହିଲା–ତମପାଇଁ ଆଣିଥିଲି ଯେ ବାଟମାରଣା ହେଇଗଲାଣି...ଯାଉ ।

ଦେବାଶିଷ ଟିକିଏ ଇତସ୍ତତ କଲା–ପୁଣି ଥୋଇଦେବାପାଇଁ । ସୁତପା ହସି କହିଲା–ତମେ ଠିକ୍‌ ଲୋକ । ଏଇ ସଂସାର ପାଇଁ ତମେ ଉଚିତ୍‌ ଲୋକ ।

–କାହିଁକି, କ’ଣ ହେଲା କି ?

–ତମର ଶ୍ରଦ୍ଧା ଅଛି । ଆଉ ବାଟମାରଣା ବି ଅଛି । କିଏ କାହାକୁ ଯାଚି ଗୁଞ୍ଜି ଦେବା ପାଇଁ ବସିଥିବ ? ପାଇଲେ ଛଡ଼ାଇକରି ଖାଅ । କେହି ତୁମକୁ ନିମନ୍ତ୍ରଣ କରି ଦେବେ ନାହିଁ ।

ଚା’ କପ୍ ହାତରେ ଧରି ଦେବାଶିଷ ହସି ପକାଇଲେ । ଚା’ ଢାଳିଗଲା ।

ସେମିତି ସ୍ଥିର ଆଖିରେ ସୁତପା କହିଲା–ଏଇ ଛୋଟ ଛୋଟ କାମ ହେଉଛି ମଣିଷ ମନର ପରୀକ୍ଷା । ସେ କ’ଣ ନେଇପାରିବ ତା’ରି ପରୀକ୍ଷା । –ହସି ଜନାର୍ଦ୍ଦନ ଆଡ଼କୁ ଚାହିଁ କହିଲା...ଟକଳା ହେଇ ବେଦିମୁହାଁ ହବ ନାହିଁ । ବେଦି ହେଉଛି ଅମୁହାଁ ଦେଉଳର ଦୁଆର ।

ହସର ଶାଣଦିଆ ଧାରରେ ସୁତପା ସେହି ତିନିଜଣଙ୍କୁ ମୁଗ୍‌ଧ କରି ରଖିଲା–ଆଜି ବଡ଼ ଶୁଭଦିନ । ବହୁତ ଦିନକୁ ମନେ ରହିବ । ମୋର ମନଲାଖି ବନ୍ଧୁମାନେ ଆସିଥିଲେ...ୟା’ଙ୍କର ରୁଚି ଅଛି । ସେ ଉପଯୁକ୍ତ ଲୋକ ସହିତ ଚଳିଛନ୍ତି–

–କେତେ କହୁଛ ? ଏମାନେ କ’ଣ ଭାବିବେ ?

–ସେମିତି ଲୋକ ନୁହନ୍ତି ସେମାନେ । କେତେ ଲୋକଙ୍କ ପାଖରେ ମନ ବୁଜି ହୋଇଯାଏ । ଆଉ ପୁଣି କେତେ ଜଣଙ୍କ ପାଖରେ ମନ ଖୋଲିଯାଏ । ଆଲୁଅ ପବନ ପରି ସେମାନେ ସଂସାରକୁ ଖୁସି କରିବାକୁ ଜନ୍ମ । –ଆଉ ଭାବିବେ କ’ଣ?

–ଖରାପ ଭାବିବେ ?

–ନୂଆ ଲୋକ ସବୁ କଥା ଆଉ ସବୁ ମଣିଷଙ୍କୁ ଖରାପ ଭାବନ୍ତି । ତାଙ୍କର ହାତରେ ଶାଗ ସିଝେ ନାହିଁ । ତାଙ୍କର ପ୍ରଶଂସାପତ୍ର ଲେଉଟି ଯାଏ ତାଙ୍କ ପାଖକୁ । ଖରାପ ମଣିଷର ବି ଭଲ ଦିଗ ଅଛି । ତାହାରି ଭିତରେ ସେହି ପରମାତ୍ମା ଅଛନ୍ତି । ନିଜର ସଙ୍କୋଚ ନିଜର ଶତ୍ରୁ ।

ଦେବାଶିଷ ତାରିଫ୍‌ କରି କହିଲା–ଭାରି ଭଲ ଚା’ ହେଇଛି । କଞ୍ଚା ହାତ ଆଉ ଓସ୍ତାଦି ହାତ ଠିକ୍‌ ବାରି ହୋଇଯିବ ।

–ଅଫିସ ଲେଉଟାଣି ଆସିବେ ଦୁଇଜଣ। ଆମର ପଢ଼ା କଥା ଠିକ୍‌ କରି ଦେଇ ଯିବାକୁ...ବାବୁଙ୍କୁ ସେଇ କାମ ଦେଲେ ସେ ଭାଲୁଜରରେ ପଡ଼ିଯିବେ ।

–ହଁ, ଆସିବା । ବହି ପଢ଼ା ହେବ ନା ଲେଖା ହେବ ?

–ପଢ଼ା ଆଉ ଲେଖା ଦୁଇଟାଯାକ ହେବ । ଆମେ ଯାଇ ପରୀକ୍ଷା ଦେବୁ । ସ୍କୁଲକୁ ବି ଯିବୁ । ଦି ଜଣ...

 

ସୁତପାର କଥା ଶୁଣି ଦେବାଶିଷ ହସି କହିଲା–ଇଏ ତ ଗୋଟାଏ ଭାରି କଷ୍ଟ କାମ । ଲେଖାପଢ଼ା ଦୁନିଆର ବଡ଼ ଶିଳ୍ପଟିଏ ହେଇ ଠିଆ ହେଲାଣି । ତେବେ ଏଠୁ ଦୁଇଜଣ ଛାତ୍ରୀ ବାହାରିବେ...ପଢ଼ା ହବ ତ ?

 

ସକାଳର ସେହି ଆନନ୍ଦ କଲ୍ଲୋଳ ଭାଙ୍ଗିଲାବେଳକୁ ମନଭିତରେ ଝଡ଼ର ଗତିରେ ଆଗୁଆ ଦିନଗୁଡ଼ିକ ମାଡ଼ିଆସୁଛି । ସଂସାରରେ ଏତେ ଆନନ୍ଦର ସୁବିଧା ଭଗବାନ୍‌ ଖଞ୍ଜି ଦେଇଛନ୍ତି-

 

ଦେବାଶିଷ ତନ୍ମୟ ହୋଇ ଭାବୁଥିଲା–ସୁତପା ହେଲେ ଏକା ଆସିଥାନ୍ତା...ଲୋକ ଗହଳିରେ ସେ ଯେଉଁ କଥା କହିପାରୁଛି ଏକୁଟିଆ ଘରେ ଏମିତି କ’ଣ କହି ପାରନ୍ତା ? ନିର୍ଜନ ନିଭୃତର ଭାଷା କ’ଣ ଏତେ ସ୍ପଷ୍ଟ ହୋଇପାରେ ?

 

ଯୁବକ ଯୁବତୀ କ’ଣ ପ୍ରଥମ ପରିଚୟରେ ଏହି ଆତ୍ମୀୟତାର ଇତିହାସ ଲେଖି ପାରନ୍ତି-? ...ନା । ଇଏ କେବଳ ଜଣଗହଳିର ଭାଷା ? ଯେଉଁ କଥା ପଛରେ ଦାୟିତ୍ଵ ନାହିଁ ସେହି ଦାୟିତ୍ଵହୀନ ବ୍ୟବହାର ସବୁବେଳେ ଏମିତି ତରଳ–ଛଳଛଳ ।

 

ଜନାର୍ଦ୍ଦନର ମନ ଗହୀରରେ କନକ ଦେଖା ଦେଉଥିଲା । ବିଚାରୀ–ଯୁବତୀର ସେହି ଶାଣଦିଆ ଦାୟିତ୍ଵହୀନ ବ୍ୟବହାର ନାହିଁ । ଦୂରର ଦେଖଣାହାରୀ ପରି କନକ ଦେଖୁଥିଲା । ଥିଏଟର ପେଣ୍ଡାଲ ଉପରର ଛବିକୁ । ସେ ସହଚରୀ–ସେ ଦେଖଣାହାରୀ । ସେ କିଛି କଥା କହିବାକୁ ଦାବିଦାର ନୁହେଁ ।

 

ଏତେ ନୀରବତା ଭିତରେ ସେ କେବଳ ତା’ର ମଧୁର ହସର ଆଲୁଅରେ ନିଜକୁ ଦେଖାଇଥିଲା । ସ୍ଵାଧୀନ ନୁହେଁ । ପରାଧୀନ ମନର କଥା କାନକୁ ଶୁଭେ ନାହିଁ । ଶୁଭିଲେ ମଧ୍ୟ ସେଥିରେ ସେହି ପ୍ରାଣ–ଚହଲା–ଉନ୍ମାଦନା ନ ଥାଏ ।

 

ବିଚାରୀ କନକକୁ କେହି ପଦେ ପଚାରି ନାହାନ୍ତି । ଅଭିନ୍ନ ଯେମିତି ସେ ବି ସେମିତି ।

 

ଦେବାଶିଷ ହସି ଜନାର୍ଦ୍ଦନକୁ ବାଟରେ କହିଲା–ଭାଇ, ଆଜି ସକାଳର ଖରା ଶୀତଳ ଲାଗୁଛି ଦେହକୁ । ଦେଖୁ ଦେଖୁ ପକେଟମାର ହେଇଗଲା । ଏବେ ସେହି ପକେଟମାରଣା ଖେଦିଗଲାଣି ମନକୁ ଚାରିଆଡ଼ୁ । ଏଇ ସୁତପା ସାଧାରଣ ଲୋକ ନୁହେଁ ।

 

–କାହିଁକି, ଆମକୁ କ’ଣ ସେ ହୁକୁମ ଦେଇଥିଲା ? ଆମେ ମନକୁ ମନ ତାହାର ମନନେବାକୁ ଅଥୟ ହୋଇ ପଡ଼ିଲାରୁ ସିନା ଏଇ ପକେଟ ଦରାଣ୍ଡିଗଲୁ ।

 

–ହୁକୁମ କାହାକୁ କୁହନ୍ତି ? କ୍ଷମତା ଦୁଇ ପ୍ରକାର । ଗୋଟିଏ ଚାଲେ ମାଡ଼ଗାଳି ଜୋରିମାନାର ବଳରେ । ଆରଟି ଚାଲେ ଅଭିମାନ, ବିରାଗ ଆଉ ପ୍ରତିଦାନର ଇଙ୍ଗିତରେ । ଗୋଟିଏ ଜାରିହୁଏ ଇଚ୍ଛା ବିରୁଦ୍ଧରେ । ଆରଟି ଜାହିର ହୁଏ ଇଚ୍ଛାର ସହଯୋଗରେ । ଏଇ ସୁତପା ପାଇଁ ଗରିବର ଗରିବପଣିଆ ତୁଚ୍ଛ ହୋଇଯିବ । ମନ ଆପଣାଛାଏଁ ଢଳି ପଡ଼ିବ ।

 

–ହଁ, ଆମେ ତ ପୁଣି ଧାର ଉଧାର କଲେ ।

 

–ବାଣ୍ଟିକରି ଦେବା । ଯେତେହେଲେ ଦିନକର ମେସ୍‌ର ସାଙ୍ଗ ତାହାର ଘର କରିବ ବୋଲି ଭଡ଼ା ନେଇ ଆସି ରହିଲା । ଆମର କ’ଣ ଘର ଅଛି ?

 

–ଅଭିନ୍ନର ଭାରିଜା କ’ଣ ସ୍କୁଲ ଖୋଲିବ କହିଲାଣି–

 

–ହଁ, ସେ କହିଛି ଘର ପାଇଁ ବାରଣ ଥାଏ । ସ୍କୁଲ ପାଇଁ ମୁକୁଳା ଦୁଆର । ସେ ପରା କହିଗଲା ସେ ଭଉଣୀ ନୁହେଁ । ଭାଉଜ ନୁହେଁ–ସେ ଛାତ୍ରୀ । ଶିଖିବ ନୂଆ ନୂଆ କଥା ।...କେଡ଼େ ମଜ୍ଜାରେ କହିଦେଲା । ଶୁଣୁଥା–ଭାବୁଥା ।

 

–ଯାହା ହେଲାଣି, ଆଜି ମେସ୍‌ରେ ହସର ଖଣ୍ଡପ୍ରଳୟ ହେବ । ଏହି ବିଜୁଳି ପ୍ରତିମା ଆଜି ଆମର ଅନ୍ଧାରିଆ ମେସ୍‌ର ଅନ୍ଧାରକୁ ଝଲସାଇ ଦବ । ନୂଆ କଥା–ନୂଆ ଢଙ୍ଗ ଆଉ ନୂଆ ଦେଖିବାର ଚଟକ ଆଜି ସମସ୍ତଙ୍କୁ ଦୋହଲାଇ ଦବ ।

 

–ହଁ, ଜନାର୍ଦ୍ଦନ । ଏଇ ସୁତପା ଅନ୍ୟ ପ୍ରକାରରେ ତିଆରି । ସେ ବୁଦ୍ଧିକୁ ସଜାଇବା ଶିଖିଛି । ତାହାର ସୁନ୍ଦର ପଣ ଖାଲି ଅଭିନ୍ନ ପାଇଁ ନୁହେଁ–ସମସ୍ତଙ୍କ ପାଇଁ । ସେ ହେଉଛି ଅଭିନେତ୍ରୀ, ନାୟିକା, ଘରଣୀ ଆଉ ନାରୀ ।

 

–ଆଉ ସେହି ସହଚରୀ କନକ ?

 

–ସେ ହେଲା ଶିକ୍ଷା–ନବୀଶ୍ । ଭଉଣୀକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଖାଲି ଚାହିଁ ରହିବ ହଟରମଟର ରୀତିଗତିକୁ । ସେଇଠୁ ସେ ବି ପାଦେ ପାଦେ ଆଗେଇବ ।

 

–ବିଚରା ଅଭିନ୍ନ ବାବୁ ।

 

–ବିଚରା କାହିଁକି ? ତାଙ୍କର ମନ ଗୌରବ କମିବ କାହିଁକି ? ତେଜିଆନ୍ ଆଲୁଅକୁ ଦେଖି ସେ ଯଦି ଆଖି ବୁଜି ନ ପକାନ୍ତି ତେବେ ସେହି ଆଲୁଅର ରଙ୍ଗ ସେ ବି ଦେଖିବେ ।...ସ୍ତ୍ରୀ ଏମିତି ହେଲେ ସଂସାରର ଛୋଟମୋଟ ଘର ହସି ଉଠନ୍ତା । ଏବେ ଚତୁରୀ ଖୋଜିବା ଗୋଟିଏ ସମସ୍ୟା ହେଲାଣି । ଚାରିଆଡ଼େ ହୁଣ୍ଡି, ବୁଡ଼୍‌ବକି ମାଳମାଳ ।

 

–ଭାରି ମନକୁ ପାଇଛି ତ, ଦେବାଶିଷ ।

 

–ଯିଏ ବିନା ଚେଷ୍ଟାରେ ଅତି ସହଜରେ ଅନ୍ୟର ମନ ନେଇପାରେ ଆଉ ତା’ର ମଉଳା ମୁହଁରେ ହସର ରେଖା ଲେଖି ଦେଇ ପାରେ ଆଉ ତା’ର ଛୁଟି ବେଳରେ ମନକୁ ଘେରିପାରେ–ସେହି ହେଉଛି ମଣିଷ । କେତେ ଜଣ ଏମିତି ପୁରୁଷ ଅବା ସ୍ତ୍ରୀ ଏଇ ସଂସାରରେ ଅଛନ୍ତି ?

 

–ନାହିଁ, ଏମିତି ସ୍ତ୍ରୀ ସବୁବେଳେ ଚରିତ୍ରହୀନା ।

 

–ଚରିତ୍ରର ବେପାର କରିବାକୁ କାହାର ବଳ ବା ବେଳ ଅଛି ବାବୁ ? ଚରିତ୍ରର ଆଲୋଚନା କରିବାକୁ ଅସୁମାରି ଗାଁ ପଡ଼ିଛି । ସେଠି ତରାଜୁ ଲାଗିଛି ହୀନିମାନିଆ ଜୀବନ ଚରିତ୍ରକୁ ଓଜନ କରିବାକୁ । ଏଠି ସେହି ସରଞ୍ଜାମ ଅଛି ବା କାହାର ?

 

–ଆଉ କ’ଣ ଏହି ସହରମାନଙ୍କରେ ଚରିତ୍ର ନାହିଁ ?

 

–ଅଛି । ଏଠି ଅଛି ଉନ୍ନତିର ଚରିତ୍ର । ବର୍ଷକୁ ବର୍ଷ ଉଠ ଉପରକୁ । ପୁରୁଣା ଚରିତ୍ରକୁ ଥୋଇ ଦିଅ । ନୂଆ ଚରିତ୍ରକୁ ଧର । ମାସେ ତିନିମାସ ଓ ଛ’ମାସରେ ନିଜକୁ ବଦଳାଅ । ପୁରୁଣା ଲୋକର ପୁରୁଣା ଚରିତ୍ର । ନୂଆ ଲୋକର ନୂଆ ଚରିତ୍ର । ଗରିବ ହୀନିମାନିଆ ଓଲୁ ନ ହେଲେ ସେହି କଥାର ମହିମା ବୁଝିବ କିଏ ?

 

ଜନାର୍ଦ୍ଦନର ତ୍ରସ୍ତ ଆଖିର କରୁଣତା ଦେଖି ଦେବାଶିଷ କହିଲା–ଚାଲ ଯିବା ପୁଣି ଘଣା ପେଲିବାକୁ । ସାହାସ ନାହିଁ ବୋଲି ବଳ ପାଉ ନାହିଁ । ବଳ ନାହିଁ ବୋଲି ପୁରୁଣା ପୋଷାକକୁ ଧରି ଚାଲିଛୁ । ନୂଆକୁ ନେଇ ପାରିବା ପାଇଁ ଆମର ଶକ୍ୟ କାହିଁ ? ବିଚରା ଅଭିନ୍ନ ହାତରେ ଯାହା ପାଇଛି ତା’କୁ ବି ଧରି ପାରୁ ନାହିଁ ...ଏଇଆ ତ ହେଲା ଚରିତ୍ର ।

 

ମେସ୍‌ ଭିତରକୁ ଜୋତା ଶବ୍ଦ ହେଲା ବେଳକୁ ଚାରିଆଡ଼ୁ ନିମନ୍ତ୍ରଣ–କି ବଂଧୁ । ଆଜି ଥିଏଟର କେତେ ବାଟ ଗଲା ?

 

–ଟିକଟ କିଣିଛୁ । ଖେଳ ଦେଖିଛୁ...ଅଧା ହେଇଛି...ପୁଣି...

 

–ପରେ କ’ଣ ଲଟରୀ ଅଛି ?

 

–ଥିଲେ ବି ଲଟରୀରେ ଜିଅନ୍ତା ଜିନିଷକୁ କିଏ ଧରିବ ? ...ହାତୀଛୁଆ...ଖାଇବାକୁ ଦବ କିଏ ?

 

–ସେ ମନକୁ ମନ ଚରିବ । ହାତୀଛୁଆ ହେଲେ କେତେ–ଆଉ ଯାହା ହେଲେ ବା କ’ଣ-?

 

–ସେମିତି ନୁହେଁ ବାବୁମାନେ । ପରୀକ୍ଷା ପ୍ରାର୍ଥନୀୟ । ଏହି ହାତୀ କଥା କହେ । ଜିନିଷ ପାଇଁ ବରାଦ ଦିଏ । ଭଲମନ୍ଦ ଗାଆଣି ଗାଏ । ଆଗତ ଭବିଷ୍ୟତ କହେ...ଆଉ

 

–ଆଉ କ’ଣ କରେ ?

 

–ମୁଣ୍ଡରେ ଓଢ଼ଣା ଦେଇ ମେଘ ଭିତରେ ଜହ୍ନ ପରି ଲୁଚି ପାରେ । ମେଘ ପରି କୁଣ୍ଡା ଝରାଇ କାନ୍ଦି ପାରେ । ବିଦ୍ରୂପର ବିଜୁଳି ଚମକାଇ ପାରେ । ପୁଣି ଓଢ଼ଣା ଫୋପାଡ଼ି ଦେଇ ନିର୍ମଳ ଚାନ୍ଦ ପରି ମୁହଁ, ବେକ, ତଳିପେଟ, କାନ୍ଧ, କାଖ, ଗୋଡ଼ ପେଣ୍ଡା ସବୁ ଦେଖାଇ ପାରେ ।

 

–ବାକିତକ ।

 

–ସେତକ ହେଲା ଚନ୍ଦ୍ରର କଳଙ୍କ । ସେଥିରେ ଥାଏ ଢାଙ୍କୁଣୀ–ଅଧା ଖୋଲା ଅଧା ଲୁଚା-। ତେବେ ସେ କ’ଣ କେମିତି ଖାଇବ ନ ଖାଇବ ପରେ ଜଣାପଡ଼ିବ...ଆରେ ହଁ । ମଇନା ପଢ଼ିବ ଏଥର ।

 

ଶୁଭାଶିଷର ଖଲଖଲ ହସରେ ଯୋଗଦେଇ ବନ୍ଧୁମାନେ ଅଶ୍ଳୀଳ ବ୍ୟଙ୍ଗ କରି କହିଲେ–ଭଲ ହେଲା । ଏଣିକି ଯେତେବେଳେ ଦେଖ ମଇନା ପଢ଼ୁଛି–ଦେବ–ଦେବାଶିଷ ।

 

–ନାଇଁରେ, ଭାଇ, ସେମିତି ମଇନା ନୁହେଁ । ଓଲଟି ତମେ ଆମେ ତାହାରି ନାଁ ଘୋଷୁଥିବା । ଆଉ ମଇନା ପୁଲିସ ସାଜି କହୁଥିବ–ଓଲୁମାନେ, ବେଟାମାନେ, ବେଳକାଳ ନ ବୁଝି ସେମିତି ରାବି ହୁଅ ନାହିଁ ।

 

–ତାହାହେଲେ ଭାଇ କ’ଣ ହେବ ?

 

–ଦେଖିବାକୁ ହେବ । ସେ ତ ରକେଟ ଯୁଗର ବୋହୂ । ଆସିଛି ପୁଣି କିଳାପୋତେଇ ପେଣ୍ଠ କଲିକତା ସହରରୁ ବେସିକ୍ ଟ୍ରେନିଂ ନେଇ...ଏଠି କେମିତି ସେ ହାଟବଜାର ଖୋଲୁଛି ଦେଖିବାର କଥା । ...ଆରେ ହଁ, ଆଜି ସକାଳର ଓଲୁ–ଟିକସ ବାବଦ୍‌ କିଛି କିଛି ଚାନ୍ଦା ଦେଇ ଦେଖିବା ।

 

–ଆମେ କ’ଣ ଓଲୁ ଯେ ଓଲୁ ଟିକସ ଦେବୁ ?

 

–ଓଲୁ କାହିଁକି ହବ ? ଘରର ଚାରିକାନ୍ଥକୁ ଯେ ସୀତାଦେବୀଙ୍କ ପରି ମାନି ରହେ ସେ ତ ଓଲୁ ନୁହେଁ । ତମେମାନେ ଭଲ କରି କାନ୍ଥ ଆରପଟରେ ରହିପାରୁଛ ଝିଟିପିଟି ପରି ।

 

–ଆଉ ମଇନା ବର ?

 

–ସିଏତ ନାଉରି ଅବା ଡ୍ରାଇଭର । ଗାଡ଼ି ମାଲିକ ଅବା ପଝାରୀର ହାନିଲାଭରେ ତାହାର କିସମତ୍‌ କେତେ ?

 

ହୋ ହା ହସ କୋଳାହଳରେ ମେସ୍‌ ଦୁଲୁକି ଉଠିଥିଲା । ମେସ୍ ଚାକର ପୁଝାରୀ ଆସିଗଲେ କାରଣ ବୁଝିବାକୁ–ଏଡ଼େ ଆନନ୍ଦର ଫୁଆରା କ’ଣ ପାଇଁ ?

 

ଦେବାଶିଷ ଶାସନ କରି କହିଲା–ହୋ ଯୁଗଳ ମହାପ୍ରଭୁ । ଭାତ ବାଢ଼ । ତେଣେ ଅଫିସ ଘଣ୍ଟି ବାଜିଗଲେ ଆମର ଛକି ପଡ଼ିଯିବ ।

 

–ସତେ ମ ଚାଲ ନା । ଟିକିଏ ଆନନ୍ଦର ଦାମ୍ ଦିନକର ଦରମା ବି ହେଇପାରେ । ଅଫିସ ଫେରନ୍ତି ହସିବା–ଅଫିସରେ ପହୁଞ୍ଚି ମଧ୍ୟ ହସାହସି କଲେ ଜୋରିମାନା ନାହିଁ ।

 

ଖାଇ ବସୁ ବସୁ ଜନାର୍ଦ୍ଦନ କହିଲା–ସତରେ ସୁଖ ଅଳ୍ପ ସମୟ ପାଇଁ ମିଳେ ଆଉ ତାହାର ଦାମ୍‌ ଏବେ ଚଢ଼ା । ନିଜ ମନକୁ ମନ ଗୀତ ଗାଇବା ଭଲ । ପରର ଗୀତ ଶୁଣିବା ବଡ଼ ମହଙ୍ଗା ।

 

ସୁତପା ଆଉ କନକ ନିଜର ଚେଷ୍ଟା ଓ ବୁଦ୍ଧିରେ ଅଭିନ୍ନବାବୁଙ୍କୁ ସନ୍ତୋଷ କରି ଅଫିସକୁ ପଠାଇ ଦେଲେ । ସୁତପା ହସି କହିଲା–ଆଜି ତମକୁ ଅଡ଼ୁଆ ଲାଗୁଥିବ ଯେ ତମର ସ୍ଵାଧୀନତା କମିଗଲା ।

 

–କାହିଁକି ?

 

–ମେସ୍‌ରେ ଥିଲେ କେତେ ଥଟ୍ଟା ନକଲ ହେଉଥାନ୍ତ । ବେଶ୍‌ ଦଳେ ଦୁଆରୀ ଜୋକର ସେଠି ରଖିଛ । ଏହି ଯେଉଁ ହଳକ ଆସିଥିଲେ ସେମିତିକା କେଇହଳ ଅଛନ୍ତି ?

 

–ସେମିତି କହନା । ସେମାନେ ଅଫିସରେ ବାବୁ । ଯେ ଯାହାର ଘରକୁ ମୁରବି । ତାଙ୍କ ବିଷୟରେ ଏମିତି କହିଲେ ସେମାନେ ଓଲଟି ଯେଉଁ ଅଭଦ୍ର କଥା ସବୁ କହିବେ ତାକୁ ହଜମ କରି ପାରିବଟି ?

 

–ଦୂରରେ ବହୁତ ଲୋକ ଅଭଦ୍ର କଥା କହନ୍ତି । ଦୂରତା ଯେତେ, ବେପରୁଆ ଭାବ ସେତେ । ପାଟି ସୁଆଦିଆ ଅଭଦ୍ରତା ଅନେକଙ୍କର ଅଭ୍ୟାସ । ମୁହଁ ସାମନାରେ ଅଭଦ୍ରତା କରିବା ଖୁବ୍‌ କମ ଲୋକଙ୍କର ବଳ ଭିତରେ ।

 

–ହେଲେ ବି ଉଖାରିବ କାହିଁକି ?

 

–ଆରେ ! ବନ୍ଧୁ ହେବାକୁ ଡଗ ଡଗ ହୋଇ ଆସିଛନ୍ତି । ବନ୍ଧୁ ହେବେ ତ । ବନ୍ଧୁ ନ କରି ଦୁଆର–କିଳା କଲେ ଯାହା ଇଚ୍ଛା ତାହା କହିବେ । ଆସନ୍ତୁ ସମସ୍ତେ ମନର ଯାବତ ଅଳିଆ ଆଉ କୁପାଞ୍ଚ ନେଇ । ଖୁବ୍‌ ହେଲେ ସିଧା ଅବା ତେରଛା ଚାହାଣୀରେ ବହୁତ ଥର ଚାହିଁବେ । ଦି’ପଦ ଥଟ୍ଟା କରିବେ ।

 

–ସେତକ ବି ଆଣିବ କାହିଁକି ?

 

–ଏଇ କଥାକୁ ଡର । ଆଉ ଏଣେ ଡାକହାକ କରିବ କ’ଣ ନା ଆମେ କରିବୁ ସଂସାର-। ଆଖିର ତେରଛା ଚାହାଣୀର ଶେକାରେ ବଛରାଇ ଗାଁରେ ଅବା ମାଈପଙ୍କ ମନ ଉସେଇଁ ହଉଥିବ । ସହରରେ ହୁଏ ନାହିଁ । ଏଠି ଦରକାର ଭାତି ନିଆଁ । କିଏ ଏମିତି ସୁକୁମାରୀ ଗଙ୍ଗଶିଉଳୀ ଫୁଲ ଯେ ତମର ମେସ୍ ବଂଧୁମାନଙ୍କର ବାଙ୍କୁଲି କଥା ଆଉ ଆଖି କ’ଣର ଚାହାଣୀରେ ଲହୁଣୀ ପରି ମିଳେଇ ଯିବ ?

 

–ହଉ । ଆସିଲେ ଶୁଣିବା । ଅଫିସରେ ଦୁଇ ଦିନ ଛୁଟି ନେଇଥିଲି । ଆଜି ଡେରି ହୋଇଗଲେ ସେଠି ନାଲି ଛକି ବସିଯିବ–ଦିନକର ଦରମା ଗାଏବ୍‌ ।

 

–ଯାଅ । ବିରକ୍ତ ହୁଅ ନାହିଁ । କହିବା କଥାକୁ ବେଶି ଖାତିର ପାସ୍‌ କରିବ ନାହିଁ । ତୁଣ୍ଡର କଥାକୁ ମନରେ ରଖି ଫେଣେଇବ ନାହିଁ । ସଂସାରଟା ବଡ଼–ଆମେ ସେଥିରେ ଅତି ଛୋଟ–ଅତି ଦୁଃଖୀ–ଅତି ନଗଣ୍ୟ ।

 

ଅଭିନ୍ନ କାତର ଚାହାଣୀରେ ସୁତପା ମୁହଁକୁ ଚାହିଁଲା । ସୁତପାର ଆଖି ଦୁଇଟି ଅଭିମାନରେ ଛଳ ଛଳ । ଏଡ଼େ ସୁନ୍ଦର କଥାର ମର୍ଯ୍ୟାଦା ଦବାକୁ ତାହାର ପତିଦେବତା ଅଭାଜନ ।

 

ଲେଉଟି ଆସିଥିବା ଅଭିନ୍ନକୁ ସୁତପା ହସି କହିଲା–ଚଞ୍ଚଳ ଯାଅ । ଯାହା କାମ ଅଛି ଶେଷ କର । ଆସିଛି ପରା ତମ ସାଙ୍ଗରେ ପୁରା ସମୟ ରହିବା ପାଇଁ ।

 

–ତମେ ମୋ’ କଥାକୁ ଧରିବ ନାହିଁ । ମୁଁ ବି ତମ କଥାକୁ ଛଳ କରିବି ନାହିଁ । ପ୍ରତି ଘରେ ଏଇ ନିୟମ ପାଳନ୍ତି ବୋଲି ସିନା କୁକୁର ଆଉ ବିଲେଇ ପରି ଅସରନ୍ତି କଳି ଆମ୍ପୁଡ଼ା ଭିତରେ ପୁଣି ଏକା ଥାଳିରୁ ଭାତ ଖାଆନ୍ତି ଆଉ ଏକା ଗିଲାସରେ ପାଣି ପିଅନ୍ତି ।

 

ବିଚାରୀ କନକ ହସି ପକାଇଲା । ଅଭିନ୍ନର ମୁହଁରେ ହସ ଦେଖା ଗଲା । ସୁତପା କହିଲା–ଯାଅ । ଅଫିସରେ ବାବୁମାନଙ୍କୁ କହିବ ମାଲିକାଣୀ ଆସି ଗଲେଣି । ଭେଟି, ନଜରାଜା ନେଇ ଆସିବେ । ଚା’ଭୋଜୀ ହବ ।

 

ଚାଲିଯାଉଥିବା ଅଭିନ୍ନକୁ ଦୁଆର ବନ୍ଦ କରିବାକୁ ଯାଇ ସୁତପା ଠାରି କନକକୁ କହିଲା–ଭଉଣୀ ଲୋ । ଏମିତି ମଣିଷକୁ ଏମିତି ମଣିଷ ମିଳନ୍ତି । ୟା’କୁ କହିଥାଇଁ ଭାଗ୍ୟ ।

 

–ଖରାପ କ’ଣ ? ସେ ତ ଏଡ଼େ ସୁଧାର ।

 

–ସେଇଆ ପରା ଖରାପ । ଯିଏ ମୁହଁ ସାମନାରେ ହାତ ହଲେଇ ଦି’ଟା ଗୋଟାଏ ଦବାକୁ ଅପାରଗ ସିଏ କରିବ କେମିତିକା ସଂସାର ? ସେ ହେବ ତଳିଆ । ଆଉ ତା’ର ପିଲା ହେବ ତା’ଠୁଁ ତଳିଆ–ଯାହାକୁ କହନ୍ତି ଅର୍ଦ୍ଦଳୀ ।

 

–କ’ଣ ଗୁଡ଼ାଏ ଗପୁଛ ଅପା ?

 

–ଦେଖିବୁ ଲୋ କନକ ସଂସାରରେ ମଣିଷ କେତେ କମ୍‌ । ଘାସକୁ ଛୋଟ ବେଣାକୁ ମୋଟ । କିନ୍ତୁ ଏଣେ କରିଛନ୍ତି ଘର–ସ୍ତ୍ରୀ ପିଲାପିଚିକା ନେଇ ଘର । ଏମାନେ କୁଢ଼ କୁଢ଼ ହେଇ ରହିଲେ ବି ଦେଶର ବା କ’ଣ କରିବେ ? କିଏ ଅର୍ଦ୍ଦଳି ଗୁମାସ୍ତା ଅଧସ୍ତନ ଖୋଜିଲେ ଦରଖାସ୍ତ ଥୋଇ ଦେଇ ହାଟ ବଜାରରେ ଗହଳ ଜମାଇବେ । ଅର୍ଦ୍ଦଳୀ କାମ କାହିଁକି ମିଳିଲା ନାହିଁ–ସେଥିପାଇଁ ଆନ୍ଦୋଳନ କରିବେ । ମନ୍ତ୍ରୀଙ୍କ ଦୁଆରେ ଅନଶନ ଆଉ ରାସ୍ତାରେ ଶୋଭାଯାତ୍ରା ।

 

–ସେମାନେ ବି ମଣିଷ । କିଏ କହିବ, ଅପା, ତାଙ୍କ ଭିତରେ ଅସଲ ମଣିଷ ନାହାନ୍ତି ବୋଲି ।

 

–ଭଲ ବୁଝିଛୁ କନକ । ଏମିତି ବୁଝିଥିଲେ ଶେଷକୁ ଯାଇ କଟକରେ ଫେରିବାଲା ଘରେ ଭାତ ରାନ୍ଧିବୁ–ଅର୍ଦ୍ଦଳୀର ଘରଣୀ ହେବୁ । ନ ହେଲେ ଆମରି ପରି ଜଣେ ବାବୁଙ୍କର ବାବୁଆଣି ହବୁ-। ବାବୁଙ୍କର ମୂଲ ଦିନକୁ ଅଠର ସୁକୀ–ଆଲୋ, ବାବୁଆଣି ଦାମ୍‌ କେତେ କହିଲୁ-?

 

କନକ ହସିଲା କଥାର ତୋଡ଼ ଜୋଡ଼ ଶୁଣି । ସୁତପା ପାଗଳୀ ଭଳି କହିଲେ ବି କହୁଛି କଥାର ମର୍ମ–ମର୍ମଭେଦୀ କଥା । ନିଜର ମୁଲ କେତେ ବୋଲି ପଚାରୁଛି ।

 

କନକ ଆଖିରୁ ଲୁହଧାର ଗଡ଼ିପଡ଼ିଲା । ସୁତପା ତା’କୁ ଆଉଁସି ଦେଇ ନିଜର ଛାତିରେ ଭିଡ଼ି ଧରି ପଚାରିଲା–ସତ କହିବୁ କନକ । କାନ୍ଦିଲୁ କାହିଁକି ?

 

ଅମାନିଆ କୋହ ଫୁଲି ଉଠିଲା କନକର ଛାତି ଭିତରେ । ଛାତି ତା’ର ଥରି ଉଠିଲା ଭୂମିକମ୍ପର ବେତାଳିଆ ଛନ୍ଦରେ । ସେ ଅସ୍ପଷ୍ଟ ସ୍ଵରରେ କହିଲା–ତମରି ଗୁଣର ଝିଅ ଏଡ଼େ ଛୋଟ ଜାଗାରେ ପଡ଼ିଲା କାହିଁକି ? ଇଶ୍ଵରଙ୍କର ବିଚାର ନାହିଁ ।

 

କନକର ଆଖିରେ ବି ଉଛୁଳା ଧାର । ସେ ତା’କୁ ପୋଛି ଦେଇ କହିଲା...ଠାକୁର ନାହାନ୍ତି । ଥିଲେ ବି ତାଙ୍କର ବିଚାର ନାହିଁ । ଗୁଣ ଦେଇ, ରୂପଦେଇ, ବୁଦ୍ଧି ବିବେକ ଚାତୁରୀରେ ଖଞ୍ଜି ଦେଇ ସେ ଏମିତି କେତେ ସ୍ତ୍ରୀଙ୍କୁ ଫୋପାଡ଼ି ଦେଇଛନ୍ତି ବଣୁଆ ମୂର୍ଖଙ୍କ ମେଳରେ–ଏଣେ ହାତରେ ଦୁବ ଆଉ ଧଳା ସୁତାର ହାତଗଣ୍ଠି । ବେକରେ ଲମ୍ବାଇଛନ୍ତି ଗୋଟିଏ ସ୍ଵାମୀଙ୍କୁ ।

 

କନକ ହସିଲା । ତା’ର ଲୁହ ଲୁଚି ଗଲାଣି ସୁତପାର କଥାରେ ।

 

ସୁତପା ସେମିତି ମ୍ଳାନ ହସ ତାହାର ଓଠରେ ଖେଳାଇ କହିଲା–ଚାଲ୍‌ ଯିବା । ଖାଇଦବା । ବଞ୍ଚିଥିବା ଯାଏଁ ଏମତି ଖାଇବା ଆଉ ଭୋଗିବା । ସନ୍ତାପି ହେଉଥିବା ଆଉ ଘରର ଦୁଆର ବନ୍ଧକୁ କରିଥିବା ମନର ବାଡ଼ ।

 

କନକ ବାଡ଼ କଥା ଶୁଣି କହିଲା–ଅପା, ଆମ ଗାଁରେ ଗୋଟିଏ କଥା ଶୁଣିଥିଲି । ଭାରି ଲାଜକଥା–ଖରାପ କଥା । କହି ବହେ ହସିଲା ।

 

ସୁତପାର କୌତୁହଳର ଅନୁରୋଧରେ କନକ କହିଲା–ସାଆନ୍ତ ଘରକୁ ଭାର ନେଇ ଦେଢ଼ଶୁର ଓ ଭାଇ ବୋହୁ ଦୂର ଗାଁକୁ ଯାଇଥିଲେ । ରାତି ଅଧିକ ହେବାରୁ ଫେରି ପାରିଲେ ନାହିଁ । ନଇ ବାଲିରେ ଶିକା ବାହୁଙ୍ଗୀ ଥୋଇ ଦେଇ ଶୋଇଲେ ।

 

ବୋଧହୁଏ ଦିହିଙ୍କୁ ନିଦ ହେଉ ନଥିଲା ।

 

ପୁରୁଷ ଜଣକ କହିଲା–ଓଃ, ମନ ଡାକୁଛିରେ, ମନ ଡାକୁଛି ।

 

–କିଏ ମନା କରୁଛି ?

 

–ଶିକା ବାହୁଙ୍ଗୀ ବାଡ଼ ?

 

–ଫୋପାଡ଼ି ଦେଇ ଚଢ଼ ।

 

ଦିହେଁ ହସିଲେ । କଥାଟା କେଡ଼େ ସତ । ଜୀବନର ପରଶ ଆଉ ଶାସନର ନମୁନା ହେଲା ଏଇ ଏରୁଣ୍ଡି ବନ୍ଧର ବାଡ଼–ହାତଗଣ୍ଠିର ବାଡ଼ । ଏହାକୁ ମାନି ଚଳିଲେ ସଂସାରର ଗୋଟାଏ ପାଖ । ଆଉ ଏହି ବାଡ଼କୁ ଫୋପାଡ଼ି ଦେଲେ ସଂସାରର ଆର ପାଖ ।

 

କନକର ପିଠି ଥାପୁଡ଼ାଇ ସୁତପା କହିଲା–ଭଲ କଥା ପଦେ କହିଲୁ । ଲକ୍ଷ୍ମଣ ସୀତାଙ୍କୁ ପଞ୍ଚବଟୀ ଆଶ୍ରମରେ ଯେଉଁ ତିନିଗାର କାଟି ଦେଇଥିଲେ ସେଥିରେ ରହିଥିଲା ଏହି ଗୋଟିକ କଥା–ସେଇ ଗାରକୁ ସେ ଡେଇଁଥିଲେ ବୋଲି ସିନା ରାମରାବଣ ଯୁଦ୍ଧ । ଆଉ ଏଣେ ସମସ୍ତେ ଏରୁଣ୍ଡି ବନ୍ଧକୁ ଧରିଛନ୍ତି ବୋଲି ସିନା ସଂସାର–ତେବେ ନିଜର ଭାଗ୍ୟକୁ ସମ୍ପିକାଟି ମରୁଛନ୍ତି କାହିଁକି-?

 

–ମନ କହୁଛି ବାଡ଼ ଡେଇଁଯା । ଏଣେ ଗୋଡ଼ ଚଳୁ ନାହିଁ । ସେଇ ନିପାରିଲାପଣିଆ ସେମାନଙ୍କୁ କନ୍ଦାଉଛି ।

 

–ସତ ଲୋ, କନକ, ମଣିଷର କଥାକୁ ବୁଝି ହୁଏ ନାହିଁ । ତୁଣ୍ଡର କଥା ଲୋକଙ୍କର କାନକୁ ଭଲ ଶୁଭିବ ବୋଲି–ପାଟି ଚାକୁଳାଇ ନିଜେ ଏକା ଏକା ଆଉ ଦଳ ବାନ୍ଧି କହୁଛନ୍ତି । ଏଣେ ମନ ଭିତରେ ଅଜସ୍ର ପାପ ।

 

–ଯିଏ ଠାକୁରଙ୍କୁ ନିଜ ଭାଗ୍ୟ ପାଇଁ ନିନ୍ଦି ପାରୁଛି ସେ କ’ଣ ତା’ର ସ୍ଵାମୀ ସ୍ତ୍ରୀ ବା ପୁଅ ଝିଅଙ୍କୁ କ’ଣ ମନ ଦେଇ ସର୍ବସ୍ଵ ଦେଇ ଭଲ ପାଇପାରେ କି ?

 

–କେବେ ପାରିବ ନାହିଁ । ସେମାନେ ଆଦରାଆଦରି ହେଇ ଚଳେଇଛନ୍ତି ସଂସାର–ଏକାଠି ରହିବାର ମାୟାର ବନ୍ଧନ ସେମାନଙ୍କୁ ରଖିଛି ସଂସାରର ଲାଇନ ଉପରେ–କିଏ କେଉଁଠି ଆସି କାହା ସାଙ୍ଗରେ ବସା ବାନ୍ଧୁଛି । ଆଉ ତା’ର ତାରିଫ୍‌ କରିବାକୁ ଅଛନ୍ତି ଗୁଡ଼ିଏ ଲୋକ ।

 

–ହଁ, ଅପା, ଜୀବନର ମୂଲ୍ୟ କିଛି ନାହିଁ ସ୍ଵାଧୀନ ଜୀବନର ମୂଲ୍ୟ କିଏ ଦେବ ? ସେହିପରି ବିଚାରୀ ବୁଦ୍ଧି ଆଉ ସାହାସ କେଇ ଜଣଙ୍କର ଅଛି ?

 

–କେଇଜଣଙ୍କର ଅବା ସେହି ବିଚାର ଆସିବ ? ସମସ୍ତେ ଡରନ୍ତି । ନିଜକୁ ବଞ୍ଚାଇ, ନିଜର ମାନ, ପ୍ରତିପତ୍ତି ଆଉ ଭବିଷ୍ୟତକୁ ବଞ୍ଚାଇସାରି ଆକାଶ ଛୁଆଁ ବଡ଼ ବଡ଼ କଥା କହନ୍ତି । ତାଙ୍କ କୁଡ଼ିଆରେ ଫୁଲ ଫୁଟିବ ଆଉ ତମେ ଆମେ ନିଆଁ ବାରୁଦରେ ଖେଳିବା । ଡରୁଆମାନେ ଦିଅନ୍ତି ସାହସ ଆଉ କହନ୍ତି ଏମିତି ବହୁତ ସାହସର କଥା ।

 

–ଚାଲ ଅପା ଖାଇବା । ପେଟ ଡାକିଲାଣି ।

 

–ହଁ, ପେଟ ଆଗ । ତା’ପରେ ବାକି ସବୁ । ଭୋକ ସବୁ କଥାକୁ ଲିଭାଇ ଦେଇ ପାରିବ-। ପେଟର ଭୋକ ଆଉ ମନର ଭୋକ ଏକାପରି କିଲିବିଲିଆ ।

 

ଭୋକର ଶାନ୍ତି ପାଇଁ ଆୟୋଜନ କଲାବେଳେ ସୁତପା କହିଲା–ଆଗ ପେଟ କଥା ବୁଝିବୁ । ଦେହରେ ବଳ ଆସିବ । ମୁହଁରେ ତେଜ ଝଟକିବ । କଥାରେ ଟାଣ ରହିବ । ପେଟକଥା ଅବହେଳା କଲେ ସବୁ ଚାଲିଯିବ ।

 

–ସେହି ନଟନଟ ପାଇଁ ଏତେ କଥା । ମୁଁ କେବେହେଲେ ତା’କୁ ସୁକୁମାରୀ କରେ ନାହିଁ-। ଘାସ ପାଣିରେ ଭରିଦିଏ ।

 

–ସେହିଟି ଭୁଲିବୁ ନାହିଁ । ବଡ଼ ଲୋକଙ୍କର ଝିଅ ବୋହୁ ଶୋଇ ଶୋଇ ବିଶ୍ରାମ ନେଇ ନେଇ ରୂପ ବଢ଼ାଇବାକୁ ଚାହାନ୍ତି । ସେମାନେ ଭାବନ୍ତି ଯେ ଦେହକୁ ଖଟେଇଲେ ସେ ରୂପକୁ ହଜାଇ ଦିଏ ।

 

–ସତେ ନା ?

 

–ଦିନରାତିର ଚିନ୍ତା ସେମାନେ କେମିତି ସୁନ୍ଦର ଦିଶିବେ । ଅଳସୋଇ ରାଣୀ କେମିତି ଶୋଭା ପାଇବେ ? ଶୋଭାକୁ ବଢ଼ାଇବା ପାଇଁ ମୁହଁରେ ଦେହରେ ବାବାଜୀଙ୍କ ପାଉଁଶ ପରି ମନଇଚ୍ଛା ସ୍ନୋ ପାଉଡ଼ର ବୋଳି ହୁଅନ୍ତି । ତାଙ୍କର ବାସ ହେଲା ତାଙ୍କର ସ୍ନୋ, ପାଉଡ଼ର ବାସନା । ଆଉ ତାଙ୍କର ରୂପ ହେଲା ଖଟଉପର ଶୋକା ପୋଡ଼ା ବହୁତ କାମନାର ପାଉଁଶ । ତାଙ୍କପରି ହବୁ ନାହିଁ ।

 

–ମୁଁ କିବା ମଣିଷ ? ସେ ସବୁ କଥାକୁ ମନ ବଳେଇବି ?

 

–ଆଜିର ମଣିଷ କାଲିକି ନଥିବୁ । ହୁଏତ ଉପରକୁ ଉଠିବୁ । ନଇଲେ ତଳକୁ ଖସିବୁ । ପାଉଡ଼ର ବୋଳା ସବୁଠାରେ ଯାହାକୁ ଯେତେ ଇଚ୍ଛା । ମୁହଁର ଭେସରା ଲୁଚାଇବା ପାଇଁ ସେହି ପାଉଡ଼ର ମଖା ହୁଏ ।

 

–ଲୋକେ ପସନ୍ଦ କରନ୍ତି ତ ।

 

–ସେ କଥା କିଏ ପଚାରୁଛି ? ପାଚିଲା ଆମ୍ବ ଆଖିକୁ ଦିଶିଲେ ହେଲା । ସେ ଗଛପାକଲା କି ଧୂଆଁ ପାକଲା ସେ କଥା ବୁଝୁଛି କିଏ ? ...ଛଇ ଛଟକରେ ତୋରା ଦିଶିଲେ ହେଲା-। ସେଥିରେ ଦେହର ଓଜନ କି ମନର ଖଣ୍ଡିଆ ଦାଗର ସୁମାରି ନବାକୁ ବେଳ କାହାର ଅଛି-? ...ମନରେ ବେଶି ଖଣ୍ଡିଆ ଦାଗ ରଖିବୁ ନାହିଁ ।

 

କନକ ଚାହିଁଲା ।

 

–ବୁଝି ନାହୁଁ । ଈଶ୍ଵରଙ୍କର ତୋ’ ଉପରେ ଭାରି ଦୟା । ମନ ଉପରେ ଦାଗ ଲଗେଇବାକୁ ଏହି ସଂସାର ଭାରି ବ୍ୟସ୍ତ । କଥା ନାହିଁ, କାରଣ ନାହିଁ । ଆସିବେ, ବସିବେ, ଗଲାବେଳେ ଚିଆଁଦାଗ ଲଗାଇ ଦେଇଯିବେ । ...ଆଜି ପରା ଆସିଥିଲେ ଦୁଇଜଣ । ସଞ୍ଜବେଳକୁ କେଇ ଜଣ ଆସୁଛନ୍ତି ଦେଖ ।

 

–ଆମର ଆମେ ଠିକ୍‌ ରହିଲେ କ’ଣ କିଏ ଦାଗ ଲଗାଇ ପାରିବ ?

 

–ତମ ଆମ ପରି ମାଇପେ ଯେତେବେଳେ ଏହି କଥାକୁ ଧୃବ ସତ୍ୟ ବୋଲି କହନ୍ତି ସେତେବେଳେ ମନରେ ଚିଆଁଦାଗ ଲାଗେ । ଜଣେ ଲାଗେ ଲାଗେ ହପ୍ତାଏ ଆସିଲା । ପୁଣି ଯଦି ରହିଲା ହପ୍ତାଏ–ତମେ ତ ନିଜେ ଉଣ୍ଡିବୁଲିବ ବୁଝିବାକୁ ସେ ଗଲା କୁଆଡ଼େ ? ଚାରିଦିନ ହସି କଥା କହି ଦିନେ ଖୁମାଣ କଲେ ଆମେ ନିଜେ ବାହାରିବା ସଜ ହେଇ ତାହାର ଛଳ ଭାଙ୍ଗିବାକୁ ।

 

–ସତେ ତ । ବିପଦ ରହିଛି ଚାରିଆଡ଼େ ।

 

–ହେଲେ ଏଥିରୁ ଖସିବା ଲୋକ ଅଛନ୍ତି । ଘାଟ ନାଉରୀପରି “ଦିଅ ଭଡ଼ା ହୁଅ ପାରି” ନୀତି ବି ବଳିଦିଅ ବୁଦ୍ଧିକୁ ସୁନ୍ଦର । ଦେଇଛି ନେଇଛି–ବଣିଜ ସରିଛି । ସିଏ ଭଲ । ଆଉ ଏତେ ତାହାର ଆତ୍ମା, ବିଚାର, ଅଭିଶାପ ଓ ଗାଳିରେ କି ଲାଭ ? ଅଛିଣ୍ଡା ହିସାବକୁ କଷୁଥିଲେ ଖାଲି ଆଖିପାଣି ଆଖିରେ ମାରିବା ସାର ।

 

–ହଁ, ଅପା, ଠିକ୍‌ । ଦେ କଉଡ଼ି ଖା ପିଠା । ପରକୁ କାହିଁକି ଦାନ୍ତ ନିକୁଟା ?

 

–ଆଲୋ ଟୋକି ସେଇ କଥାକୁ ବେଶି ଘୋଷିଲେ ହାରିଯିବୁ । ଏମିତି ଖଣ୍ଡିଆ ଭୁତ ପତର ଉଠେଇଲାପରି ତତେ ନେଇ କାହାରି ବାରିତଳେ ବାନ୍ଧି ଦେବେ । ମଣିଷର ସୁଅ ପାଣି ତୋଡ଼ଠାରୁ ଆଉରି ବିଷମ । ମଣିଷ ଦେଖିଲେ ମନେ ମନେ ତା’କୁ ଡରୁଥିବୁ–ଠିକ୍‌ ବାଘ ଡରିଲା ପରି ।

 

–ତେବେ ?

 

–ଜଗିରଖି ନିଜର ବଳବୁଦ୍ଧିକୁ ମାପି ଲୋକଙ୍କ ସାଙ୍ଗରେ ଚଳିବା କେମିତି ସଜ ହବ ସେତିକି ଶିଖିବୁ । ଭୋକ ହେଉଛି, ମନ ଡାକୁଛି ବୋଲି କ’ଣ ନାଗ ପରି ଚୁଚୁନ୍ଦ୍ରା ଧରିବୁ ? ନାହିଁ । ସାବଧାନ ହୋଇ ଭାବିଚିନ୍ତି ବିଚାର କରି ଘର ଭିତରେ ପାଦେ ରଖି ବାହାରକୁ ପାଦେ କାଢ଼ିବୁ । ତେଣିକି ଭଗବାନ୍ ସାହା ।

 

–ମତେ ଡର ମାଡ଼ୁଛି ।

 

–ସେଇଆ ତ ଭଲ । ଡର ହେଉଛି ସାହସର ଶାସନ । ଅତି ସାହାସା ହେବୁ ନାହିଁ । ବୁଝିବିଚାରି କାମ କରିବୁ । ପର କଥାରେ ନିଜକୁ ନ ଭଳେଇ ନିଜ କଥାରେ ପରକୁ ମନାଇବୁ । ତେବେ ତୁ ହବୁ ମଣିଷ ।

 

ଖରାବେଳଯାକ କନକ ବସି ବସି ଅପା ବରାଦରେ ପାନଭାଙ୍ଗି ଶିଖିଲା । କେମିତି ଭାଙ୍ଗିଲେ ମନକୁ ପାଇବ–ଚୁନ, ଖଇର, ମସଲା କେମିତି କେତେ ଦବ । ପାନରେ ହାତ କାମ କେମିତି ଦେଖାଇବ...ସେଇ କଥା ।

 

–ଆସୁ ନାହିଁ...

 

–ଆସିବ । ବାର ବାର ସେହି ପାନକୁ ସଜାଡ଼ । ପାନ ପତ୍ରରୁ ଚୁନ ଧୋଇଦେ-। ...ପାନ ଭାଙ୍ଗି ତା’କୁ ଚାହାଁ । ସେହି ପାନ ବି କଥା କହିବ । ସେହି ପାନ ଦି’ଖଣ୍ଡ ହୋଇପାରିବ ମନରେ ରଖିଲା ପରି ଜିନିଷ । ...ଚା’ ତିଆରି କରି ଶିଖ୍‌ । ଚା’ରେ କେତେ ରଙ୍ଗ, କେତେ ମିଠା ପାଟିକୁ ରୁଚିବ ତା’ର ଅଟକଳ ନେ...ଆଉ ଚହଲିଲେ ଯେମିତି ପିଆଲାରେ ଢାଳିହେବ ନାହିଁ–ସେ କଥା ଦେଖ୍ ।

 

କନକ କ୍ଳାନ୍ତ ଆଖିରେ ଚାହିଁଲା ।

 

ସୁତପା ବିଛଣାରେ ଶୋଇ ହସି କହିଲା–ନିଜର ସମସ୍ତ ପ୍ରକାରର ଛୋଟିଆ କାମକୁ ସୁନ୍ଦର କରି ସଜେଇବା ହେଉଛି ଜୀବନର ବଡ଼ ଶିକ୍ଷା । ଖାଲି ଧନ ଥିଲେ ମଣିଷ ନିଜକୁ ସୁନ୍ଦର କରିପାରେ ନାହିଁ । କାମର ସୁନ୍ଦର ପଣ ମାଇପି ଜାତିର ସବୁଠାରୁ ବଡ଼ ଗୁଣ ।

 

କନକ ଆପଣା ମନକୁ ବସି ଏହି କାମ ତାଲିକାକୁ ଘୋଷୁଥାଏ–ସେ ସୁନ୍ଦର ଅସୁନ୍ଦର ଯାହା ହେଇଥାଉ ତାହାର ହାତ ଭଙ୍ଗା ପାନ, ହାତ ତିଆରି ଚା’, ହାତ ପରସା ପାଣି ଗିଲାସ ଯେମିତି କଥା କହିବ ।

 

ବହୁତଥର ଧୁଏ, ପୋଛେ, ସଜାଡ଼େ ଅଲରା କରେ । ପୁଣି ତାକୁ ନୂଆକରି ଆରମ୍ଭ କରେ ।

 

ସୁତପା ଉପରକୁ ଚାହିଁଥାଏ–ଏଇ ଘର ତା’ର ଭାଗ୍ୟ । ଭିତରୁ କିଏ କହୁଥାଏ–ନା, ନା-। ଯେତିକିରେ ସନ୍ତୋଷ ହେଇଯିବ ସେତିକି ତା’ର ଭାଗ୍ୟ । ସୁତପା ସେହି ଭାଗ୍ୟକୁ ମାନିନବ କାହିଁକି ?

 

କନକକୁ ଆଣିଥିଲା ନିଜର ଛୁଟିବେଳ କଟାଇବାକୁ । ସେ ମଣିଷ ହେଇଥିଲେ ଉଠିବ । ନଇଲେ ରହିଯିବ ତାହାରି ନିଜ ପାହାଚରେ । ତେବେ ଭଲ ଏତିକି ସୁତପାର ଦି’ପଦ କଥାରେ ଘରର ମାୟା ଡୋର ଛିଣ୍ଡେଇ ଦେଇ ଚାଲି ଆସିଛି । କଥା କହିଲେ ଶୁଣୁଛି । ସେଥିରୁ ଜଣାଯାଉଛି ଯେ ସେ କଥାକୁ ବୁଝିଛି ।

 

–ଅପା, ଖଣ୍ଡେ ପାନ ଖାଇବ ?

 

–ଦେଲୁ ।

 

–କନକ ହାତରେ ଆଣି ଠିଆ ହେଲା ।

 

–ଦୂର ମୂର୍ଖ / ମୁଁ ପରା ଭଦ୍ରଲୋକ । ତୁ ମତେ ଚର୍ଚ୍ଚା କରିବୁ ହାତରେ ? ଆଉ ସେହି ହାତରେ ଚୁନ ଆଉ ଖଇର ନଖଠାରୁ ଆଙ୍ଗୁଠି ଓ ପାପୁଲି ପାଚିଗଲାଣି । ...ଛି ।

 

–ମୁଁ କ’ଣ କରିବି ? ସେମିତି ହେଇଗଲା ।

 

–ଭାବ୍, ଦେଖ୍ । ସବୁଥିରେ ଥିବୁ କେଉଁଥିରେ ରହିବୁ ନାହିଁ । ଯାହା କଲୁ ତାହାର ଚିହ୍ନ ଦେହ ଉପରେ ରଖିବୁ ନାହିଁ । ତେବେ ସିନା ତୋର ବାହାଦୁରୀ ।

 

ଥାଳିଆ ସଜାଇ କନକ ପାନ ଆଣି ଠିଆ ହେଲା ।

 

–ସେମିତି ନୁହେଁ । ହସ ମୁହଁରେ ଆଣିବୁ । ଆଖି ତଳକୁ କରିବୁ । ଥାଳିଆ ତଳେ ଆଙ୍ଗୁଠି ରଖିବୁ...ଜାଣିବୁ ଯେ ଲୋକେ ପାନ ନେଲାବେଳେ ସେଇ ଆଙ୍ଗୁଠି ଦି’ଟା ଛୁଇଁ ଦେଇ କେତେ ସନ୍ତୋଷ ପାଆନ୍ତି ?

 

–ଏମିତି କ’ଣ ମ ?

 

–ଦେଖିବୁ ଆଜି ସଞ୍ଜବେଳେ । ମୁଁ ତତେ ପାନ ଦେବାକୁ କହିବି । ତୁ ଆଣି ଠିଆ ହେବୁ-। ତା’ପରେ ମତେ କହିବୁ । ଇଏ ପରା ହେଲା ସଂସାରର ବେଭାର ।

 

–ସଂସାରର ବେଭାର କ’ଣ ଆଙ୍ଗୁଠି ଛୁଇଁବା ?

 

–କିଏ କହିବ ସେ କଥା । ତେବେ ଟକଲା ଲୋକେ ସେଇ ଆଙ୍ଗୁଠି ଛୁଇଁଦେଲେ ତାଙ୍କର ଦେହରେ ବିଜୁଳି ଖେଳେ । ବିଜୁଳି ଖେଳେଇବୁ ନାହିଁ କାହିଁକି ? ଇଏ ହେଉଛି ସ୍ତ୍ରୀ ମନ ଚୋରିର ସିନ୍ଦିକାଠି...ଅଳପ ହସି କହିଲା–ଏଗୁଡ଼ାକ ହେଲେ ଠାଉରିଆ ଚୋର ।

 

–ଏଇ ଚୋର କ’ଣ ଆଜି ଆସିବେ ?

 

–ଆସିଲା ପରି ମନ ଡାକୁଛି ତ । ବଡ଼ ଚୋର ଆସେ ଭୟ ଦେଖାଇ–ଛୁରା ବନ୍ଧୁକ ଧରି-। ଛୋଟ ଚୋର ଆସେ ହସ ଖେଳାଇ, ବିଶ୍ଵାସ ଦେଖାଇ । ପେଟରେ ଭୋକ ଆଉ ମୁହଁରେ ଲାଜ-। ତା’ ପାଇଁ ଆଙ୍ଗୁଠି ପଗ ଯଥେଷ୍ଟ ।

 

–ସତ କହିବ ଅପା, ତମକୁ ମୋ ରାଣ । ତମର ଆଙ୍ଗୁଠି କିଏ ଛୁଇଁଛି ? ତମେ ତାକୁ କ’ଣ କହ ।

 

–କହିବି କାହିଁକି ? ତା’ଙ୍କୁ ପ୍ରତିଦିନ ଛୁଆଁଏ । ଟିକିଏ ହସି ଦିଏ–ମରିଗଲା ପରି ଭାବ ଦେଖାଇ । ଦୟା ଆସେ ସେମାନଙ୍କ ଉପରେ । ଆହା, କେତେ ଟିକିଏ ଏଇ ସଂସାରରୁ ଖୋଜୁଛନ୍ତି-? ଇଶ୍ଵର ତାଙ୍କୁ ସେତିକି ବି ଦେଲେ ନାହିଁ ?

 

–ସେମାନେ ଅଭିଆଡ଼ୀ ହେଇଥିବେ ।

 

–ଅଭିଆଡ଼ୀଙ୍କର ହେଲେ ଟିକିଏ ସାହସ ଅଛି । ଘରୁଆଙ୍କର ସେତକ ବି ଊଣା । ଘର କଥା ମନେ ପକାଇଦେଲେ ତୁନି ପଡ଼ିଯାନ୍ତି ।

 

–ଜାଣି ଜାଣି ଏମିତି କର କାହିଁକି ?

 

–ଖୁସି ଲାଗେ । ଏଥିରେ ଲାଭ ନାହିଁ କି କ୍ଷତି ନାହିଁ । ଆଙ୍ଗୁଠି ଅଗଠାରୁ ବେକ ତଳ ବହୁତ ଦୂର । ଏଇ ଆଙ୍ଗୁଠିର ଗରାଖମାନେ ଭାରି କାମିକା । ନଈକୂଳର ସୁଲୁସୁଲିଆ ପବନ ଆଉ ଅଳ୍ପ ଉଜାଲା ଜହ୍ନ ପରି ଏମାନେ ବେଶ୍ ଭଲ ଲାଗନ୍ତି ।

 

–ହଁ, ଆଙ୍ଗୁଠିରୁ ବାହା ଗିଳିବେ ।

 

–କିଏ ନାହିଁ ବେଲି କହିଦେବ ? ଏମିତି ଛୋଟରୁ ବଡ଼କୁ ସାହାସ ବଢ଼େ । କୁହୁଳା ନିଆଁରେ ବେଳକେ ରୋଷେଇ ବି ହୋଇଯାଏ । ...ତେବେ ଜଣକୁ ମୁଁ ରକ୍ତ ଦେଇଥିଲି ।

 

–ରକ୍ତ କ’ଣ ଦେଲ ।

 

–ବ୍ଲେଡ୍‌ରେ ହାତ କାଟି ତାଙ୍କୁ ରକ୍ତ ଦେଖାଇଥିଲି, ସେ ବ୍ୟସ୍ତ ହୋଇପଡ଼ିଲେ । ରକ୍ତ ଦେଖି ଚମକି ପଡ଼ିଲେ । ମୁଁ କେଡ଼େ ଅଣ ହୁସିଆର ମତେ ଝାଇଦେଲେ । କିନ୍ତୁ ଆଙ୍ଗୁଠିକୁ ଧଇଲେ ନାହିଁ । ...ସିଏ ଖୋଜନ୍ତି ଚା’ ପିଆଲା ତଳେ । ପାନ ରେକାବୀ ତଳେ ହାତର ଖବର ନେବେ । ଇଏ ବି ଜଣେ ମଣିଷ ।

 

କଳ୍ପନାର ସେହି ହୃଦବିସ୍ତାରୀ ରଙ୍ଗରେ କନକର ମନ ଭରି ଯାଉଥିଲା । ...ଏତେ ଲୁଚାଛପା କ’ଣ ? ସ୍ନେହ କରିବ ତ ଖୋଲାଖୋଲି ସମନା ସାମାନି ମୁହେଁ ମୁହେଁ କହିବ–ଭଲ ପାଉଛ କି ? ଆଉ ଏମିତି ଆଙ୍ଗୁଠି ଛୁଅଁ ମୁହଁକୁ ଚାହଁ, ଲୁଗାକୁ ଦେଖ... ଇଏ କ’ଣ ?

 

ସୁତପାର ଆଖି ବୁଜି ହେଇ ଆସିଥିଲା । ତାହାର ଛାତି ଉଠପଡ଼ ହେଉଥାଏ । ମୁହଁ ଉପରେ ଅଲରା ବାଳ କେରାଏ ବୁଣି ହେଇ ପଡ଼ିଥାଏ । କନକ ଏକ ଲୟରେ ଚାହିଁଥିଲା ତାହାର ଗାଁର ବୋହୂ ସୁତପାକୁ ।

 

ଏତେ କଥା ଜାଣେ ? କହିଲାବେଳେ କହିଯାଉଛି । ...ଆହା, ଅଭିନ୍ନଭାଇଟା ବଡ଼ ନିର୍ମାୟା ଲୋକ । ନିଜର ଆଚରଣକୁ ଜଗି ରହି ଗାଁରେ ମଣିଷ ହେଇଛି । ସେ ଏତେ ହୁନ୍ଦର ଜାଣେ ନାହିଁ । କଥାକୁ ଘଷି ମାଜି କହିପାରେ ନାହିଁ । ସିଏ ଧଇଲେ ପୁଣି ଇଆରି ହାତ ?

 

କନକର ମନେ ପଡ଼ିଲା–ସେହି ଅଧାଗିଳା ଖନଖନ କଥା । ମତେ ଭଲ ପାଉ, କନକ-? ....ତୁ ଭାରି ଭଲ ଝିଅଟିଏ । ଛନ୍ଦ କପଟ ନାହିଁ ।

 

ସେଇ ଦିନର ଛନ୍ଦ କପଟ ନଥିବା କନକ ଅଭିନ୍ନଭାଇ ଘରେ–ତିନିଜଣରେ ଜଣେ ।

 

ସେଇ ଗାଁର ସପନ ମିଳେଇ ଯାଇଛି ସକାଳର କୁହୁଡ଼ି ସାଙ୍ଗରେ ।

 

ଏବେ ସୁତପା ଅପା ସାଙ୍ଗରେ ମନକୁ ମିଳେଇ ନପାରିଲେ ଏଠୁବି ଉଠିବାକୁ ପଡ଼ିବ ।

 

ଆଗେ ହେଉ ପଛେ ହେଉ ଅପା କହୁଛି ଖାଣ୍ଟି କଥା । ଯାହା କଲେ ପୁରୁଷ ବୁଝିବେ, ମନେ ରଖିବେ ଆଉ ଝୁରିହେବେ ସେତିକି କରିବା ସ୍ତ୍ରୀଙ୍କର କାମ ।

 

ଏଇ ଟିକି ବୋହୂଟି ବଛରାଇ ଗାଁରେ କ’ଣ କରନ୍ତା ? ଦେଢ଼ବର୍ଷ ରହିଲା ବି କେମିତି ? କେଜାଣି କି ରହସ୍ୟକୁ ଲୁଚାଇବାକୁ ମୁହଁମାଡ଼ି ରହିଗଲା ?

 

ନିଦର ଆଢ଼ୁଆଳରେ ସୁତପା ରହିଗଲା । କନକ ଲାଗିଲା ତାହାର କାମରେ–ଭୁଲ୍‌ ଠିକ୍‌ ଯାହା ହେଇଥାଏ ଅପା ଯାହା କରିଛି ସେତକ ସେ ଅଭ୍ୟାସ କଲା । ଚା’ କପ୍‌ରେ ପାଣି ରଖି କେମିତି ଚାଲିଲେ ପାଣି ଚହଲିବ ନାହିଁ ପିଆଲା ଉପରକୁ ।

 

କହିବାକୁ ସହଜ । କରିବା ବହୁତ ଅସୁବିଧା । ଭୁଲ୍‌ କରି କରି ସେ ହାତ ସିଧା କଲା । ଅନ୍ତତ ଉପର ଓଳିକୁ କନକ ଗୋଟିଏ କଥା କରିପାରିଥିବ । ଚା’ କପେ ଦେଇ ପାରିବ ଭଲରେ–

 

କରୁ କରୁ ଭାବୁଥାଏ–ଏଥିରେ କ’ଣ ଲାଭ ? ସେ ସିନା ଗରିବ ବୋଲି ଏହି କାମଟି କରୁଛି । ସେ ଯଦି ଧନୀ ହୋଇଥାନ୍ତା, ତାହାର କାମ କରିବାକୁ ପାଞ୍ଚ ତିନିଜଣ ଥାନ୍ତେ–କରିବାକୁ ବରାଦ ଶୁଣିବାକୁ ଆଉ ତାଗିଦ ନେବାକୁ । କେଡ଼େ ଭଲ ନହୁଅନ୍ତା ?

 

କିନ୍ତୁ ତାହାର ଅବସ୍ଥା ଭିତରେ ସେଇଟା ମିଛ ସପନ । ସେ ଆସିଛି ତାହାର ଗରିବପଣିଆ ନେଇ । ତେଣୁ ତାହାର ଯୋଗ୍ୟତା ବଢ଼ିବା ଦରକାର ।

 

ଥକିଗଲେ ବସି କନକ ପାନ ଡାଲାକୁ ଚାହେଁ । ମନକୁ ରୁଚିଲା ପରି, ଆଖିକୁ ଘେନିଲା ପରି ପାନ ଭାଙ୍ଗିବ... ଭୁଲ୍‌ କ’ଣ ? ପାଇବା ଲୋକ ମନେ ରଖିବେ । ଏଇଟା କ’ଣ ହୃଦୟରେ ଚିଠି ନୁହେଁ, ବେଭାରର ଇସାରା ନୁହେଁ ?

 

ମନକୁ ମନ କହିଲା–ଆଚ୍ଛା କେମନ୍ତ । ଅପା ମଉକିଆ କଥାଟାଏ କହିଛି–ମୁହଁ ନ ଫିଟାଇ, ତୁଣ୍ଡ ନ ଖୋଲି ପାନ ଦି’ଖଣ୍ଡରେ, ଚା’ କପ୍‌ଟିରେ ଅବା ପାଣି ଗିଲାସରେ କଥା କହିବାର ବାଟ କ’ଣ ? ....କନକ ତୁ ଖୋଜି ବାହାର କର ।

 

ବଡ଼ ମଜ୍ଜା ତ । ମୋଟେ ଶୁଖିଲା ଲାଗିବ ନାହିଁ । ବେଳ କଟିଯିବ । ପ୍ରତି କାମରେ ଏମିତି ଯଦି ମନ ଆଉ ହୃଦୟ ଟିକିଏ ଟିକିଏ କରି ମିଶାଇ ହୁଅନ୍ତା ତେବେ କେଡ଼େ ଭଲ ନ ହୁଅନ୍ତା-?

 

ଯେମିତି ବ୍ୟବହାର ସେମାନେ ଅପାଠାରୁ ପାଇ ଫେରିଛନ୍ତି ଅବଶ୍ୟ ଆସିବେ–ଚଞ୍ଚଳ ଆସିବେ । ଅପାର କଥାରେ କୁହୁକ ଅଛି । କଥାର ଠାଣି ମନ କିଣିନବ ।

 

–ଆଁ, ମନ କିଣିବାକୁ ଆମେ ଏମିତି ଉତାଲା ହେଲେ ଲୋକେ କ’ଣ କହିବେ-? ...କହିଲେ କହନ୍ତୁ । ଉପର ଠାଉରିଆ ହେଇ କାମ କଲେ କାମଟା ଭଲ ହେବ ଅଲବତ୍‌ ।

 

ଷୋଡ଼ଶୀର ସ୍ଵପ୍ନ କନକର ମୁହଁରେ ଛାଇ ହୋଇଗଲା । –ପରର ମନକୁ ନିଜର ବ୍ୟବହାର କିଣି ନେବାର ସ୍ଵପ୍ନ । ୟାକୁଇ କହନ୍ତି ପ୍ରୀତି ।

 

ଅପା ମିଛ କହି ନାହିଁ । ସେ ପଢ଼ିବ ବୋଲି ଆସିଛି । ପଢ଼ିବ ନିଶ୍ଚୟ । ...ଆଉ ମନ କଲେ ଅନ୍ୟ ଲୋକ ଡାକି ନ ନେବେ କି ଘରକୁ ? ...କନକ ବୋହୂ ବେଶରେ ଲାଜରା ମୁହଁ ଆଉ ଥିର ଚାଲିରେ ଚାଲିଚାଲି ଯିବ...

 

ଅଶେଷ କୃତଜ୍ଞତାରେ କନକର ମନ ପୁରିଗଲା । ସୁତପା ଶୋଇଛି । ସେ ଶୋଇବାର ଅଭ୍ୟାସ ବି ଭଲ କରିଛି । ଚେଇଁଥିଲାବେଳେ ସେ ଯେମିତି ସୁନ୍ଦର, ଶୋଇଲାବେଳେ ବି ସେମିତି ସୁନ୍ଦର । ଅପା ଶୋଇ ଜାଣେ ।

 

ସେ ଉଠିଲେ ତା’କୁ ପଚାରିବ କେମିତି ସେ ଏଡ଼େ ସୁନ୍ଦର ଓ ସଜ ହେଇ ଶୋଇ ପାରୁଛି । ଦେଖିଲେ ଲୋକ ପହରେ ଠିଆ ହୋଇଯିବ । ତାହାର ମୁହଁ ଓ ମୁଦିଲା ଆଖି ଉପରେ ସପନର ଛାଇ । ଲୁଗାପଟା ବେଶ୍ ରହିଛି ଦେହରେ ଓ ଦେହର ଶୋଭାକୁ ବି ବଢ଼ାଉଛି ।

 

ଅଭିନ୍ନ ଭାଇ ଭାଗ୍ୟବାନ୍‌ କିନ୍ତୁ ଅପା ଆଗଦିନ କ’ଣ କହୁଥିଲା–ଏକାଠି ରହି ଅଲଗା ଅଲଗା ଚଳିବାରେ ବି ସୌନ୍ଦର୍ଯ୍ୟ ଅଛି...ଇଏ କ’ଣ ସମ୍ଭବ ? ଖାଇବା ଜିନିଷକୁ ପାଖରେ ରଖି ଥୋଇଦେବା କ’ଣ ମନର ଶୋଭା ? ଏଇ ବ୍ୟବହାର କ’ଣ ପରର ମନ ନେଇ ପାରିବ ?

 

ଯାହା ଅବା ହଉ, କ’ଣ ପାଇଁ ତେବେ ଅପା ଆସିଥିଲା ବୋହୂ ହେଇ ? ବୋଧହୁଏ ସେ ଆଉ କାହା ପାଇଁ ଜାଗର ଜାଳିଛି । ଇଏ ତ ବାହାଘରର କଳଙ୍କ–ଜଣକ ପାଖକୁ ଆସିଛି । ଆଉ ଜଣକ ପାଇଁ ନିଜକୁ ପାଣି ଛଡ଼େଇଛି । ଇଏ ତ କଳଙ୍କ–ସମସ୍ତେ ବୁଝନ୍ତି । ଏମାନେ କ’ଣ ସେତକ ବୁଝିବାକୁ ଅପାରଗ ?

 

ଅପା କଥା ସେଇଠି ଥାଉ । ସେ ଯାହା ଯେମିତି ଚଳାଇ ନେଇ ପାରୁଛି ସେତକ କ’ଣ କନକ ପରି ଓଲମୀ ଝିଅ କରିପାରିବେ ? ...ନା, ନା ।

 

ଅପର ଲୋକର ସ୍ମୃତି ବୋଧହୁଏ ଦେହର ଓ ମନର ସୌନ୍ଦର୍ଯ୍ୟ ବଢ଼ାଏ । ଆଉ ନିଜର ବ୍ୟବହାରକୁ ମିଠା ମଧୁରିଆ କରିଦିଏ । ଏଇ ଦାଗ ଟିକିଏ ଅଛି ବୋଲି ସିନା ସୁତପା ଅପା ଏଡ଼େ ଭଲ ଲାଗୁଛି ।...ମତେ ଆଉ ଅନ୍ୟମାନଙ୍କୁ ।

 

ସେ ଯଦି ଧଳା ଫୁଲଟିଏ ପରି ହୋଇଥାନ୍ତା, ତେବେ ସେ କ’ଣ ଏମିତି ନିଜକୁ ସମସ୍ତଙ୍କ ପାଇଁ ସବୁ ହେଇ ପାରନ୍ତା କି ? ...ନୁହେଁ...ନୁହେଁ ।

 

କୃତଜ୍ଞତାର ଉଛୁଳା ମନ ନେଇ କନକ ଯାଇ ସୁତପାର ଗୋଡ଼ ପାଖରେ ବସିଲା–ଦେଖମ, ଗୋଡ଼ ଆଙ୍ଗୁଠିର ନଖକୁ ବି ଅପା କେମିତି ସଜାଇଛି । ଭାରି କଉତୁକ ଜାଣେ । ମୁହଁକୁ ସିନା କିଏ ଦେଖିବ ବୋଲି ଘସା ମଜା ଆଉ ଗୋଡ଼ ନଖକୁ କ’ଣ ଲୋକେ ଚାଟିବେ ?

 

କନକର ମନେହେଲା ଅପା ତା’ର ସବୁ ଛଇଳି ଛଟକ କନକକୁ ଶିଖେଇ ଦବ ବୋଲି ଡାକି ଆଣିଛି । ଏମିତି ଜାଗାରେ ମରିଯିବା ଯାଏ ଦାସୀ ହେଲେ ବି ଜୀବନ ସାର୍ଥକ ।

 

କିଏ ମନର ଦୁଆର ଖୋଲି ଦେଖାଇ ଦିଅନ୍ତା ? କିଏ ସାହସ ଦେଇ ନିଜକୁ ସୁନ୍ଦର ହେବାର ବାଟ କହି ଦିଅନ୍ତା ? ସେ କ’ଣ ଏକା ଏକା ଆସିପାରନ୍ତା ନାହିଁ ? କନକ ପରି ପାଞ୍ଚ ତିନିଜଣଙ୍କୁ କ’ଣ ଆଣି ପାରନ୍ତା ନାହିଁ ?

 

କନକ ଧିରେ ସୁତପାକୁ ଘସି ଦେଲା ।

 

ସୁତପା ଗାଢ଼ ନିଦରେ ଶୋଇଥିଲା । ହାତ ବାଜି ତାହାର ଦେହ ଉଲୁସି ଉଠୁଥାଏ । ମୁହଁ ଉପରେ ଖେଳି ଯାଉଥାଏ ସ୍ଵପ୍ନର ଆନନ୍ଦ ରେଖା । ନିଶ୍ଵାସ ଟିକିଏ ଜୋରରେ ପଡ଼ୁଥାଏ ।

 

ସୁତପା ଆଖି ଖୋଲି ଚାହିଁଲା–କନକ ଗୋଡ଼ରେ ହାତ ବୁଲାଉଛି ।

 

–ମଲା ମଲା । ତୁଇ କନକ ? ମୁଁ ମନେକରୁଥିଲି କେଜାଣି କିଏ ଆସି ମୋର ଦେହକୁ ଚୋରେଇ ନଉଛି ।

 

–କିଏ ଆଉ ନିଅନ୍ତା ? ଅଭିନ୍ନ ଭାଇ ଅଫିସକୁ ଯାଇଛନ୍ତି । ତମେ କ’ଣ ଭୁଲିଗଲ କି-?

 

–ଓ, ତମର ଭାଇ । ତାଙ୍କର ହାତ କ’ଣ ଏତେ ମିଠା ହୁଅନ୍ତା ? ମନର ପରଖ ନ ଦେଇ ହାତ ବୁଲାଇଲେ ସେ ହାତ ଡାକ୍ତରର ହାତ । ଚଉକିଆ ଚପରାସିର ହାତ ।

 

କନକ ଚାହିଁଲା–ଭଲ ବୁଝି ପାରୁନାହିଁ ।

 

–ଆଲୋ ଟୋକି ବୁଝିବୁ କେତେବେଳେ ଜାଣୁ ? ଯେତେବେଳେ ତୋର ମନରେ ସପନ ରାଣୀର ଜାଲ ବସି ବସି ବୁଣିବୁ ସେତିକିବେଳେ ଜାଣିବୁ ତୋର ଦରଦୀ ବଂଧୁର ଦାମ୍ କେତେ ? ଦୋଳମୁକୁଟ ପିନ୍ଧିଗଲେ ସପନ ଜାଲ ପାଇବୁ ନାହିଁ । ପାଇବୁ ସେଠି ମାଛଧରା ଜାଲ । ସେଇ ଜାଲ ଭିତରେ ମାଛ ମରେ–ମାଛ କ’ଣ ସ୍ଵପ୍ନ ଦେଖେ ?

 

–ତମେ କାହାକୁ ସପନ ଦେଖୁଥିଲ ଅପା ?

 

–କ’ଣ ପାଇବୁ ସେଥିରୁ ? ଯାହାକୁ ସପନ ଦେଖୁଥିଲି ସେ ଦେଇଯାଇଛି ମନ ଉପରର ଦାଗ–ତମେ ଆମେ ତା’କୁ କହିବା କଳଙ୍କ । ...ସେଇ ଯଦି ସପନ ନଦେଖାଇବ ତେବେ ସେ କଳଙ୍କ ଅବା ରହିବ କେଇଦିନ ?...ମନେପଡ଼ୁଛି ବୋଲି ରହିଛି ।

 

–କୁହନି ଅପା । ସେ କିଏ ? ସେ କେମିତି ?

 

–ସେ ଆଜି ମୋର ସଂସାରରେ ଜଣେ ବାହାରର ଲୋକ । ପାଖକୁ ଆସିଲେ ହେବ ଧୂମକେତୁ–ଏଇ ଛୋଟିଆ ସଂସାର ଉଡ଼ିଯିବ ଆକାଶକୁ । ଦୂରରେ ରହିଲେ ସେ ହବ କଳଙ୍କ–କିନ୍ତୁ ଦେଖାଇବ ସପନ ।...ସପନରେ କହୁଛି, ସୁତପା ଚାଲିଗଲୁ...ଯିବା କଥା ଥିଲା ତୋର ।

 

–ସେ କିଏ, ଅପା ?

 

–ଜୀବନର ପହିଲି ଦେଖାର କୁଣିଆ । ପହିଲି ପ୍ରଥମ ଠାକୁର । ପ୍ରଥମେ ଦେଖା ଭୂତ, ଜୀବନର ପ୍ରଥମ କଳଙ୍କ ।

 

–ପାଶୋରି ଦିଅ । ଯିଏ ଯାଇଛି ସେ ଚାଲିଯାଉ ହଜିଯାଉ ।

 

–ନାଇଁଲୋ ଭଉଣୀ, ସେତକ ସମ୍ଭବ ନୁହେଁ । ଏବେ କେଇ ଦିନରେ ଜାଣିବୁ ଯେ ଯାହାଠାରେ ପହିଲିଥର ମନ ଲାଗିଯିବ ସେ ତୋର ମରିବାଯାଏ ରହିଯିବ ପ୍ରାଣର ଦେବତା ହେଇ-

 

–ସେ ଦେବତା ଆଉ କି ପୂଜା ପାଇବ ?

 

–କିଛି ନାହିଁ । ଦେଖାହେଲେ ପାଇବ ଘୃଣା ଆଉ ସୁବିଧା ହେଲେ ପ୍ରତିହିଂସା । କିନ୍ତୁ ଦେଖା ନ ହେଲେ, ତା’କୁ ତା’ର ହତାଦରର ଶୁଝଟ ପାଇଁ ବାଗ ନମିଳିଲେ ସେ ରହିବ ସେମିତି ଚିରଦିନ ପାଇଁ ଅପୂଜା ଠାକୁରର ଆସନରେ । .....ତତେ କ’ଣ କେହି ଭଲ ପାଇ ନାହାନ୍ତି ?

 

ଛଳ ଛଳ ଆଖିରେ କନକ କହିଲା–ନା ।

 

–ଓ, ସେଥିପାଇଁ ତୋର ମନ ଏଡ଼େ ସରଳ । ତୋର ମନ ଏବେଯାଏ ବିକ୍ରି ହେଇନାହିଁ-। .....ହେଇଯିବ । ନିଜର ଦେହକୁ ଓ ମନକୁ ଆଉ ବ୍ୟବହାରକୁ କୋଟିକମ କରି ସଜେଇ ଦେଲେ ସବୁ ମିଳିବ । ...ସଜଡ଼ା ଜିନିଷ ଅନ୍ୟ ଲୋକ ମନରେ ତାହାର ଚିତ୍ର ଦେଖାଇ ଦିଏ-। ...ସଜାଡ଼ି ହେଲେ ତୁ ହେବୁ ଗୋଟିଏ ଚିତ୍ର ଆଉ ତା’ର ଛବି ରହିଯିବ ଦେଖିବା ଲୋକର ବୁକୁ ଭିତରେ ।

 

–ଯିଏ ବିନା ପରିଶ୍ରମରେ କଥା ନ କହି, ଚିଠି ନ ଲେଖି, ଦେହ ନ ଛୁଇଁ ନିଜର ଜ୍ୟୋତି ଆଉ ସୌରଭରେ ଅପର ପୁରୁଷର ହୃଦ ଭିତରେ ନିଜକୁ ଦେଖାଇପାରେ–ସେଇ ହେଉଛି ନାରୀ । ତାଙ୍କରି ପାଇଁ ଏହି ମାଟିର ସଂସାର ସ୍ଵର୍ଗପୁରୀ ।

 

ଏହାର ପ୍ରଧାନ ଉପକରଣ ହେଲା ନିଜର ଯୌବନର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ । ପ୍ରତ୍ୟେକ ନାରୀ ଏହି ତିନୋଟି ଦିଗକୁ ଉପଯୁକ୍ତ ଦୃଷ୍ଟି ଦେଇ ପାରିଲେ ନାରୀ ସମାଜ ତାହାର ଉପଯୁକ୍ତ ସ୍ଥାନ ନେଇ ପାରିବ । –ଏଥିରେ ବାରନାରୀ ଓ ବେଶ୍ୟାଳୟ କଥା କ’ଣ ରହିଲା ?

 

 

କନକ ଚାହିଁଥିଲା ସୁତପାକୁ । ସେ କ’ଣ କହିଯାଉଛି କନକ ବୁଝିପାରୁ ନଥିଲା । ପ୍ରତ୍ୟେକ କଥା ବୁଝିବାକୁ ଦରକାର ଜ୍ଞାନ ଆଉ ଅନୁଭବ ।

 

–ଅପା, କ’ଣ କହୁଛ ମୁଁ ବୁଝିପାରୁ ନାହିଁ ।

 

ହସି ସୁତପା କହିଲା–ଠିକ୍‌ କହିଲୁ କନକ । ଯିଏ ଗିରସ୍ତ ଧରି ପିଲାଟିଏ କୋଳରେ କାଖରେ କଲା, ସେ ହଠାତ୍‌ ଗୋଟିଏ ବଡ଼ ପଣ୍ଡା ବନିଗଲା । ସେହି ବେଶି ଚୁଗୁଲି କହନ୍ତି–ଅମୁକଟା ଭେରସିଟାଏ । ଅଣ୍ଡିରାଙ୍କ ପାଖରେ ତା’ର ବେଶି କାରବାର । ଆଉ ଏମାନେ ହେଲେ ଘରର ଅସଲ ସତୀ ।

 

–ଗାଁରେ ପରା ଏଇ କଥା ସବୁଦିନେ । କାହାକୁ ଗାଁର ସେହି ଟୋକା ଗରିଲା ବାହିନୀ ଥଟ୍ଟା କଲେ ଆଉ କିଏ ତାଙ୍କୁ ଦେଖି କଣେଇ କରି ହସିଲା ଆଉ ଖରାପ ହେଇଗଲା ।

 

–ଭଲ ଖରାପର ମାପ ଦେଶକୁ ଦେଶ ଅଲଗା । ଏଇ କୁହାଳିଆ ସତୀମାନେ କ’ଣ ସଂସାରରେ କରି ପକାଇଛନ୍ତି ପଚାରିବାକୁ ଇଚ୍ଛା ହୁଏ । ପୁଣି ଡର ମାଡ଼େ ସେହି ବିରୁଡ଼ି ବସାକୁ ଛୁଇଁବାକୁ । ସେମାନେ କହନ୍ତି ପରା ସଜେଇ ହେଲେ ବେଶ୍ୟା–ଆଉ ଝାମ୍ପୁରିମୁଣ୍ଡି ଯାଦୁ କାଖେଇ ହେଲେ ଘରଣୀ । ଆମକୁ ସେଥିରୁ କ’ଣ ମିଳିବ ? ବାବୁମାନେ ଆସିଯିବେ ଯେ ।

 

–ଆସ, ଅପା, ମୁଣ୍ଡ ବାନ୍ଧିଦେବି ।

 

–ଚିରୁଣୀରେ ବାଳକୁ ଝୋଟ ସଜାଡ଼ିଲା ପରି ଆଞ୍ଚୁଡ଼ିବା କ’ଣ ମୁଣ୍ଡବନ୍ଧା ? ଖାଲି ମୁଣ୍ଡଟାକୁ ସଜାଡ଼ି ରଖି ପାରିଲେ କେଡ଼େ କଥା ନ ହୁଅନ୍ତା । ଲୋକେ କହିବେ ଯେ ଅଣ୍ଟାରେ ଲୁଗାଭିଡ଼ି ନହର ପହର ହେଲେ ଘରଣୀ–କଉ ଗିରସ୍ତ କାହାର ମାଇପ ମୁଣ୍ଡକୁ ଏତେ ଶରଧା କରୁଛି କି ?

 

–ଶାଶୁ ଖୁଡ଼ୀ ଥିଲେ ସିନା ସେ କଥା କହନ୍ତେ । ଆମକୁ ଆମେ ତ ।

 

–ସତ ଲୋ ଭଉଣୀ । ଆମେ ଆମ ପରି ହେବା । ଭଲ ଆଉ ଭୁଲ ଯାହା ହେଉ ନିଜକୁ ନିଜେ ବୁଝିବା । ଦାଣ୍ଡ ଲୋକେ ତାଙ୍କର ବୁଦ୍ଧିକୁ ମାପି କଥା କହିବେ । ଆମର ଏବେ ଦାଣ୍ଡଲୋକଙ୍କ ସାଙ୍ଗରେ କି ବଣିଜ ?

 

–ଯିଏ ଆସୁଛନ୍ତି ।

 

–କିଏ କ’ଣ ମନରେ ଧରି ଆସେ, ସେହି ଜାଣିଥିବ । ବାହାରକୁ ପାଟିଏ ହସ ସମସ୍ତଙ୍କର । ମନ ଭିତରେ କିଏ କାହାର ଦେଖୁଛି ନା ଦେଖିପାରିବ ?

 

–ମଣିଷର ମନକୁ ଜାଣି ହୁଅନ୍ତା କି । ଏତେ ଅଡ଼ୁଆ ନଥାନ୍ତା । କନକ କହି ହସିଲା ।

 

–ତେବେ ବଞ୍ଚିବାର ମହୁ ସରିଯାନ୍ତା । ଆମର ଆମ୍ବ, ନଡ଼ିଆ ଗଛରେ, କେଉଁବର୍ଷ କେଇଟି ଫଳିବ ଆଉ ସେଥିରୁ କେତୋଟି ମିଳିବ ଆଗରୁ ଜାଣିପାରିଲେ ଜୀବନଟା ହୋଇଯାନ୍ତା ଶୁଖିଲା ପଦର । ମିଳିବା ନମିଳିବା ଜାଣି ଖୋଜି ହେବା ଆଉ ଧନ୍ଦି ହେବା ହେଲା ଜୀବନର ମହକ-। ଯେତେଥର ପଡ଼ି ଉଠି ତଲାସିବୁ ସେତେ ଆନନ୍ଦ ପାଇବୁ, ସେତେ ବଡ଼ ହେବୁ ।

 

–ବିପଦ ଅଛି ।

 

–ବିପଦ ନ ଥିଲେ ବଡ଼ କିଏ ହେବ ? ମୁଁ ଜନକର ହାତ ଧଇଲେଣି । ଯେତେ ଟାଣି ଓଟାରି ହେଲେ ବି ମୋ କଥା ସଇଲାଣି । ତୋରି ଆଗରେ କନକ ଗୋଟାଏ ଜୀବନ ଲମ୍ବା ଶୋଇଛି । ସେଇ ଜୀବନକୁ ଆଦର କରିବୁ । ତାକୁ ସବୁଆଡ଼ୁ ଦେଖିବୁ । ନିନ୍ଦା ଲଗାଇ, ପ୍ରଶଂସା ଲଗାଇ, ଭିତର କାଢ଼ି ଓ ବାହାରେ ଖୋଳ ପିନ୍ଧାଇ ଜୀବନକୁ ଦେଖିବୁ । ସେ ତତେ ଭାନୁମତୀ ପରି ନାନା ଖେଳ ଦେଖାଇବା ।

 

–ଲୋକେ କଣ କହିବେ ?

 

–କହିବେ କନକ ଭାରି ଖରାପ–ଭାରି ଖରାପ । ଆଉ ଭାରି ଖରାପ କହି ସାରିଲା ପରେ ତୋ’ ପାଖରେ ରାଜ–ରାଜେଶ୍ଵର ପହୁଞ୍ଚିବେ । ବଡ଼ ମଣିଷ ଏହି ସବୁର ଧାର ଧାରନ୍ତି ନାହିଁ-। ...ଆଉ ଯେବେ ନ ଆସନ୍ତି ତେବେ ବି ଦେଖିବୁ ତୋର ଜୀବନ ସାର୍ଥକ ହୋଇଛି-। କେବେହେଲେ ଡରିବୁ ନାହିଁ ।

 

–କନକର ସେହି ଅନଭିଜ୍ଞ ମୁହଁର ଅବୁଝା ଆଖି ଦୁଇଟିକୁ ଦେଖି ସୁତପା କହିଲା–ଆ, ଆଣ, କଜଳ ସିନ୍ଦୁର । ତତେ ସଜେଇ ଦିଏଁ କଣ୍ଢେଇ ପରି ଦିଶିବୁ କି ନାହିଁ ଦେଖେଁ...ଯାହା ମୁଁ ପାଇନାହିଁ କାଳେ ତତେ ଦେଇପାରିବି । ନିଜେ ଯାହା ପାଇଲି ନାହିଁ କାଳେ ତୁ ପାଇ ପାରିବୁ । ସମସ୍ତେ ନିରିମାଖି ନୁହନ୍ତି ।

 

–ଭିତରର ବ୍ୟର୍ଥତା ଏମିତି ବେଳେବେଳେ ହୃଦୟର ନିଭୃତ କନ୍ଦରରୁ ସୁତପାର ବାହାରି ଆସେ । ସେ ତା’ର ଆଖି ଦୁଇଟିକୁ ପଣତରେ ପୋଛିଦେଲା ।

 

ବୁଝିଲୁ କନକ–ଇଆରି ନାଁ ହେଉଛି ଦୁଃଖ । ଇଏ ଏମିତି ବେଳ ଅବେଳ ନ ବୁଝି ମନକୁ ପୀଡ଼ା ଦିଏ । ଆଉ ଦୁଃଖ ନଥିଲେ ମଣିଷ କ’ଣ ମଣିଷ ହେଇ ପାରିବ ? ଦୁଃଖ ହେଉଛି ଜୀବନର ସୁବାସ ।

 

ସେଇ ଦୁଃଖକୁ ସବୁବେଳେ ଆଉଁସିଲେ ଲାଭ ନାହିଁ । ଦୁଃଖର ପୋଷାକ କାହାରି ଆଖିକୁ ରୁଚେ ନାହିଁ ।

 

ଆଗେଇ ଆସୁଥିବା ଘଣ୍ଟା ମିନିଟ୍‌ ଦିନ ଓ ରାତି ପାଇଁ ତିଆରି ହେଲେ ଆମର ଦୁଃଖ ଆପଣାଛାଏଁ ହୋଇଯିବ ମୁହଁଲୁଚା ପାଣି ଧାର । ଭିତରେ ରହି ସେମିତି ଜମିଥିବ । ଉପରକୁ ଉଠିବ ନାହିଁ–ଠିକ୍‌ କୂଅ, ପୋଖରୀର ପାଣି ପରି–ଖୁବ୍‌ ଗହୀର, ଥଣ୍ଡା, ଟଳଟଳ । କିନ୍ତୁ ଉପରକୁ ଉଠିବ ନାହିଁ ।

 

ଆସିବା ଲୋକଙ୍କର ଆଖି ଓ ମନକୁ ସୁହାଇଲା ପରି ଦୁହେଁ ବେଶଭୁଷା କଲେ । ଏଇଟା ହେଲା ସଂସାରର ପ୍ରତ୍ୟେକ ସଂସାରୀର ଧରାବନ୍ଧା ନିୟମ । ଦେହର, ମୁଣ୍ଡର ଓ ମୁହଁର ସାଜସଜା କେବଳ ଅନ୍ୟମାନଙ୍କ ପାଇଁ–ନିଜ ପାଇଁ ନୁହେଁ ।

 

ଦୁହେଁ ଦୁହିଙ୍କର ସେହି ସଞ୍ଜବେଳର ବେଶ ବଦଳା ଦେଖି ଆଶ୍ଚର୍ଯ୍ୟ ହେଇଗଲେ । କଜଳଗାର ଓ କୁଙ୍କୁମ ଟିପା ମୁହଁ ଦୁଇଟିକୁ ସଜେଇ ଦେଇଛି କେତେ କଳ୍ପନା ଓ ସ୍ଵପ୍ନର ରଙ୍ଗରେ । ଏହି ପୁରୁଣା ଆଖି ମୁହଁ ଆଉ ଏହି ସଜଡ଼ା ଆଖି ମୁହଁ କେତେ ଫରକ୍‌–ଠିକ୍‌ ଆକାଶ ପାତଳର ଫରକ ।

 

ଦିହେଁ ଦିହିଙ୍କୁ ଚାହିଁ ଆପେ ଆପେ ହସି ପକାଇଥିଲେ ।

 

–କାହାପାଇଁ ସଜାଡ଼ି ହେଉଛୁ କନକ ?

 

–କେଜାଣି ମୁଁ ଜାଣେ ନାହିଁ । କନକ ନିଜର ଆଖି ଦୁଇଟିକୁ ହାତ ଦେଇ ଢାଙ୍କି ଦେଲା ।

 

–ଆଲୋ, ନାକ–ଘୋଡ଼େଇ ଆଉ ଆଖି–ଘୋଡ଼େଇ ହେଲେ କ’ଣ ହେବ ? କହୁନୁ ନିଜପାଇଁ ।

 

–ହଁ ତ ।

 

–ଠିକ୍‌ କହିଛୁ କନକ । ଏତିକି ମିଛ ସମସ୍ତଙ୍କର ଦରକାର । ଜଣକ ପାଇଁ କରିବ । ଏଣେ କହୁଥିବ ଆଉ ଜଣକ ପାଇଁ–ଯିଏ ଯାହା ବୁଝିଲା ବୁଝୁଥାଉ ।

 

ଲାଜ ଓ ଅଭିମାନ ପ୍ରକଟ କରି କନକ କହିଲା–ମୁଁ ଏତେ ହୁନ୍ଦର କରିପାରିବି ନାହିଁ ଅପା ।

 

–ହୁନ୍ଦର କରି ନପାରିଲେ ଛୋଟ ହେବୁ । ଯେତିକି ହେଇଛୁ ସେଇଠୁ ତଳକୁ ଯିବୁ । ଏହି ସୃଷ୍ଟିରେ କିଏ ତଳକୁ ଯାଏ ନା ଯିବାକୁ ଚାହେଁ–ଆକାଶର ପକ୍ଷୀ, ମାଟି ଉପରର ଗଛ, ଲଟା, ପଶୁ ଓ ମଣିଷ । କିଏ ରାଜି ହେଲା ତଳକୁ ଯିବାକୁ ଯେ ତୁ ହବୁ ଛୋଟ ?

 

–ମୁଁ କଉ ମଣିଷରେ ମଣିଷ ଯେ ?

 

–ସମସ୍ତେ ସମାନ । ଘିଅ ଦୁଧ ଖାଇ ଛାଇ ଆପଟରେ ରହି ପାରିଲେ, ସୁନା ପଥରରେ ମଣ୍ଡି ହେଇ ପାରିଲେ, ଗାଡ଼ି ମଟର ଚଢ଼ି ପାରିଲେ ସମସ୍ତେ ସମାନ । ...ଆଗେ ସମାନ ହେଇ ଯା–ଧନ ଦଉତଲ ବଢ଼ିବ ଯେ ।

 

–ହଁ, ମୋ ପାଖକୁ କାହିଁକି ଧନ ଆସିବା ?

 

–ଧନ ହେଉଛି ମନର, କାମର ଫଳଫୁଲର । ସମସ୍ତେ ଏମିତି ଦରୋଟି କଥା କହି, କୁଆଁ କୁଆଁ କାନ୍ଦି, ଗୁରୁଣ୍ଡି ଗୁରୁଣ୍ଡି ଜୀବନ ଆରମ୍ଭ କରିଥାନ୍ତି । ଯିଏ ମନକୁ ଚଳେଇ ଜାଣିଲା ସେଇ ପାଏ ଧନ । ତୁ ବି ପାଇବୁ । ...ଆଜି ଯେଉଁ ବାବୁମାନେ ଆସିବେ, ତାଙ୍କରି କଥା, ଚାହାଣୀ ଆଉ ମତାମତ ହେଉଛି ଧନ ।

 

–ତମେ କ’ଣ ପାଇବ, ଅପା ?

 

–ତୁ ଯାହା ପାଇବୁ ମୁଁ ସେଇଆ ପାଇବି । ମିଳିବ ଆଦର, ପ୍ରଶଂସା ଅବା ନିନ୍ଦା ଓ ହତାଦର । ଯାହାର ଯେତେ ଦରକାର ସେ ସେତକ ସଂପାଦି ନବ । ଫୁଲ ଗଛରୁ ତୋଳା ଫୁଲ ଭାର ପରି ।

 

–ଏଇ ଲୋକ ଏମିତି କ’ଣ ଯେ ଆଣି ଅଜାଡ଼ି ପକାଇବେ ?

 

–ଏଇ ଲୋକ ସବୁଦିନେ ଏମିତି ନଥିବେ । ଆଉ ଏଇ ଲୋକ ବି କ’ଣ ସବୁଦିନେ ରହିବେ ? ଆମେ ରହିବା–ସେମାନେ ଆସିବେ ଆଉ ଯିବେ । ଆମେ ହେବୁ ରାସ୍ତା କଡ଼ର ଧର୍ମଶାଳା ।

 

–କେମିତି ଏଡ଼େ ଖରାପ କଥା ତମେ କହିପାରୁଛ କେଜାଣି ? କନକ ପଚାରିଲା ।

 

–ଖରାପ କଥା ଗୋଟାଏ କ’ଣ ? ମୁଁ ଅଭିନ୍ନବାବୁଙ୍କ ପାଇଁ ସଜେଇ ହେଲେ ଭଲ । ଦେବାଶିଷ ବାବୁଙ୍କ ପାଇଁ ସେତିକି କଲେ ଖରାପ । ଆଉ ସେହି କଥା ଖୋଲି କହିଲେ ଅତି ବେଶି ଖରାପ । ଦୋଚାରୁଣୀ କେମିତି ସତୀଠାରୁ ଅଲଗା ହେଲା ?...କନକ ।

 

–କିଛି ନାହିଁ । କରିବା ଲୋକ ଓ ଦେଖିବା ଲୋକର ପରଖ ହେଲା ତାହାର ଚିହ୍ନ । ଯାହାକୁ ବେଶି ଲୋକ ଜାଣନ୍ତି ନାହିଁ ସେ ଏଇଟା ହେଲେ ଯାହା ସେଇଟା ହେଲେ ବି ସେଇଆ ।

 

ହଳହଳ ହୋଇ, କଥା କହି କହି ଦି’ହଳ ଚଟିଆ ଉଡ଼ି ଆସିଲେ । ସଞ୍ଜ ହେବ । ସେମାନେ ବସିବେ ତାଙ୍କର ବସିବା ଜାଗାରେ । ପାରା ହଳେ ଆସି ଏମିତି ଟିକିଏ ଟିକିଏ ଗେଲ ଥଟ୍ଟା ହୋଇ ଯାଆସ କରୁଥାନ୍ତି ।

 

ଏକ ଧ୍ୟାନରେ ଚାହିଁ କନକ କହିଲା–ଏମାନଙ୍କର ଭାଗ୍ୟ କେତେ ଭଲ । ରାଜି ଖୁସିରେ ୟା’ଙ୍କରି ସଂସାର । ୟା’ଙ୍କର ଗତ ଆଗତ ନାହିଁ । ପୁଲିସ କି ମୁରବି ନାହାନ୍ତି ।

 

–ସେଥିପାଇଁ ପରା ମଣିଷ ତାଙ୍କୁ କହେ ଇତର ପ୍ରାଣୀ–ପଶୁପକ୍ଷୀ । ଇଚ୍ଛା ଅନୁସାରେ ଚଳିବାକୁ ମଣିଷ ସୁବିଧା ପାଏ ନାହିଁ । ସେ ସବୁଦିନେ ପରା ସକାଳର ସୂର୍ଯ୍ୟଙ୍କୁ ଦେଖି ଓଳଗି ହୁଏ ଆଉ ସଞ୍ଜବେଳେ ପୁଣି ତାଙ୍କୁ ଓଳଗି ହେଇ କହେ–ଦେବତା, ଆସିଥିଲ ଆଉ ଚାଲିଗଲ । ମୁଁ ରହିଛି । ...ମୁଁ ମଣିଷ । ମୁଁ ଯାହା ଖୋଜେ ସେତକ ନ ପାଇଲେ ବି ଆନନ୍ଦରେ ବଞ୍ଚିପାରେ ।

 

ବାହାରେ ଶବ୍ଦ ହେଲା । ଅଭିନ୍ନବାବୁଙ୍କୁ ଦୁଆର ଫିଟାଇ ଘରକୁ ଆଣିଲେ ସେମାନେ ।

 

ସୁତପା ହସି କହିଲା–ଦେଖ ତମର ଭଉଣୀ କନକକୁ । କେଡ଼େ ସୁନ୍ଦର ଦିଶୁଛି...ତାକୁ ଏଇଠି ବେଦିଲଗା କରିଦବା...

 

କନକ ଲାଜରଙ୍ଗା ମୁହଁ ଦେଖାଇ ଧାଇଁ ପଳାଇଲା ସତେ କି କହି ଦବାକୁ–ସେ ବିଭା ହେବାକୁ ଚାହେଁ ନାହିଁ ।

 

–ପଳେଇଲୁ କାହିଁକି ? ଆ । ବେଦି କ’ଣ ତିଆରି ହେଲାଣି ନା ବର ଆଇଲାଣି ।

 

–ଏଁ, କେଡ଼େ ପାଟି କରୁଛ ? ଏଠି ଆମର ପଡ଼ାପଡ଼ୋଶୀ କ’ଣ ଆମର ଲୋକ କି ? ତାଙ୍କୁ ପର ବୋଲି ଭାବି ଚଳିବ ନା ।

 

–ସତେ ତ । ଭୁଲି ଯାଇଥିଲି । ...ଆ, କନକ ଆ । ଭାଇ, ଖାଇବେ କ’ଣ ?

 

–ଭାଇ କ’ଣ ଏକା ? ମେସ୍‌ର ବଂଧୁମାନେ ଆସିବେ ପରା । ଦେବାଶିଷ ଆଉ ଜନାର୍ଦ୍ଦନ ତମର କଥା ଶୁଣି...ଯେଉଁ ତାରିଫ୍‌ ତମର ।

 

–ସତେ ?

 

–କହିଲେ ପରା ଏମିତ ଭଲ ଲୋକ ସଂସାରର ଆଉ ନ ଥିବେ ।

 

–ବଡ଼ ଭାଗ୍ୟ ଲୋ କନକ । ବାବୁଙ୍କର ମେସ୍‌ରେ ଆମରି କଥା ଉଠିଲା–ସେମାନେ ଆସିବେ । ଚାଲ୍‌ ଯିବା ଚୁଲିପାଖକୁ ।

 

ଚୁଲିକୁ ଚାହିଁ ସୁତପା କହିଲା–ଘରଣୀର ମଇତ୍ର ଚୁଲିରାଣୀ, ଉଠ ଏଥର । ଓଦା କାଠର ଧୂଆଁକୁ ସେକି ବାହାର କର ଆଉ ଆମର ମାନ ରଖ ।

 

କନକ ହସି କହିଲା–ଏମିତିକା କଥା ଗାଁରେ କେବେ ଶୁଣା ନ ଥିଲା ।

 

–ସେଠି କିଏ ଥିଲା ଯେ ଭୁଲ୍‌କୁ ଭଲ ବୋଲି କହି ହସିବ ଆଉ ଆଦର କରିବ ?...ତୁ ବଡ଼ ହୀନକପାଳୀ । ତୋତେ ଟିକିଏ ଆଦର କରିବାକୁ କେହି ନାହିଁ ।

 

କନକ ଉପରେ ଭାର ଦେଇ ସୁତପା ଅଭିନ୍ନବାବୁଙ୍କର ଲୁଗାପଟା ଖୋଲି ଦେଇ ତାଙ୍କରି ପାଖରେ ବସି କହିଲା–ତମ ପରି ଭଲ ଲୋକ ସଂସାରକୁ କ’ଣ ପାଇବେ ?

 

–କାହିଁକି ?

 

–ଆମେ ଆସିଲୁ । ସେମାନେ ଆମକୁ ଉପହାର ଦେବେ ନା ଆମେ ତାଙ୍କୁ ଚର୍ଚ୍ଚା କରିବା-?

 

–ଯେତେ ହେଲେ ମୋର ସାଙ୍ଗଗୁଡ଼ାକ ।

 

–ତମର ସିନା ସାଙ୍ଗ । ଆମର ସେମାନେ କିଏ ?

 

କନକ ତେଣେ ଚୁଲିଧୂଆଁକୁ ଦେଖି ଭାବୁଥାଏ ଅକାରଣ ହେଲା ଏଇ ଘସାମଜା । ଚୁଲିଧୂଆଁ ସବୁଯାକ ଶେଷ କରିଦବ । ଗୁଡ଼େଇ ତୁଡ଼େଇ ହେଇ ମୁହଁ ଓ ଆଖି ଚାରିଆଡ଼େ ବୁଲୁଛି ।

 

ସୁତପାର କଥା ଶୁଣି ସେ ମନକୁ ମନ ହସି ଭାବୁଥାଏ–ଅପା ଖାଇଲା ଅଭିନ୍ନ ଭାଇଙ୍କର ମହତକୁ । ବାରଦୁଆର ଅଳିଆ ସେ ନିମନ୍ତ୍ରଣ କରି ଡାକୁଛି ଘରକୁ–ଆସ, ଆସ, ଆଳିଆମାନେ । ତମକୁ ଏଇଠି ଠାବ ଅଛି ।

 

ସୁତପା ପଚାରିଲା–କେଇ ଜଣ ମେସ୍‌ରେ ଥିଲେ–ତାଙ୍କର ନାଁ ଆଉ ଗାଁ ।

 

–କେବେ ତ ପଚାରି ନ ଥିଲ । ଅଭିମାନ କରି ଅଭିନ୍ନ କହିଲେ ।

 

–ଏଇଠିକି ଆସିଲୁ ବୋଲି ସିନା ସେଇ ଖବର ବୁଝୁଛି । ଆଉ ଗାଁରେ ଏହି ପୁରାଣକୁ ବୁଝିବା କ’ଣ ଦରକର ଥିଲା ? ଏବେ ପଚାରିବା କଥା ହେଲା ଯେ ଆମର ଟିଉସନ ମାଷ୍ଟ୍ର ଦରକାର । ଦି’ଜଣ ପାଠ ପଢ଼ିବୁ । ଏଇ ବଂଧୁଙ୍କ ଭିତରେ ଭଲ ଟିଉସନ୍‌ କିଏ କରିପାରିବ ?

 

–କେଜାଣି । ସେମାନେ ଟିଉସନ କରିବେ କି ନାହିଁ ? ଆମେ ତାଙ୍କୁ ଟଙ୍କା ଦେବା କୁଆଡ଼ୁ ?

 

–ଟଙ୍କା କାହିଁ ? ପଢ଼ାଇବେ ନାହିଁ ତ କ’ଣ କରିବେ ? ଏଇଟା କ’ଣ ହୋଟେଲ୍‌ ନା ଆଖଡ଼ା ?

ଅଭିନ୍ନ ଚାହିଁଲା ସୁତପାକୁ–ସୁତପା ବି ଚାହିଁ ରହିଲା ।

ହସି ସୁତପା କହିଲା–ସେ ଭାର ମୋ’ ଉପରେ । ଖାଲି ତମେ ଉଚିତ ଲୋକ କିଏ ମତେ ଇସାରା ଦେଇ କହିଦବ । ତେଣିକି କ’ଣ ହବ କି ନ ହବ ସେ ଭାର ଆଉ କାହାରି ଉପରେ ନାହିଁ ।

–କ’ଣ ଭାବିବେ ସେମାନେ ?

–ତମେ ସର୍ବଜ୍ଞ ନୁହଁ । ଅନେକ ଲୋକ ଏମିତି ପରର ବୋଝ ବୋହିବାକୁ ସୁଖ ପାଆନ୍ତି-। ତମେ କ’ଣ ବସି ବସି ଆମକୁ ପଢ଼ାଇବ ? ...ସେଥିରେ ବି ମୁଁ ରାଜି ।

–ସତରେ ପଢ଼ିବ ?

–କ’ଣ ମିଛ ? କନି ପଢ଼ିବ ଆଉ ଡାକ୍ତରାଣୀ ହବ । ତା’କୁ ମୁଁ ଜବାବ ଦେଇଛି । ମୋର ଲୁଗା ଗହଣା ଆଉ ଯୌତୁକ ଧାନବିଲ ବିକିଦେଇ ତାକୁ ପଢ଼ାଇବି । ...ସେ କ’ଣ ମୋରି ପରି ଚୁଲିମୁଣ୍ଡର ସର୍ଦ୍ଦାର ହେବ ? ...ହବ ନାହିଁ ।

–ଏମିତି ପାଠଶାଳା କଥା ଥିଲା ବୋଲି ମତେ ଖୋଲି କହିଲ ନାହିଁ ତ ।

–ସେଥିରେ ଲାଭ କ’ଣ ହେଇଥାନ୍ତା ? ଭାବୁଛି ପଢ଼ିବୁ ବୋଲି । ଅସୁବିଧା ହେଲେ ବନ୍ଦ-। ମୁଁ ପରୀକ୍ଷା ଦେବି କି ହସପିଟାଲ ଯିବି ସେକଥା ତମର ବିଚାର ଉପରେ...କହି ସୁତପା ହସିଲା-

 

ସ୍ଵାମୀର ମୁହଁ ଉପରେ ଇନ୍ଦ୍ରଧନୁର ରଙ୍ଗ ଖେଳିଗଲା । ...ସୁତପା ତା’ର ହୃଦୟହାରିଣୀ ସ୍ତ୍ରୀ ।

 

କଥାର ଭେଳିକି ସବୁବେଳେ ମନୋହର । ସେଥିପାଇଁ କଥା ଦି’ପଦକୁ ଯିଏ ଘସିମାଜି କହି ନପାରେ ତା’କୁ ସମସ୍ତେ ବିରକ୍ତ ହୁଅନ୍ତି । ସେଇ କଥା କେଇପଦ କହିବାକୁ ଆଉ ଶୁଣିବାକୁ ଏହି ସଂସାରରେ ଏତେ ଆୟୋଜନ ।

 

ସୁତପା ଆଉ କନକ ଚୁଲିକୁ ଚାହିଁ ଭାବୁଥିଲେ–ବଂଧୁମାନେ ଆସିବେ । ଛୋଟ କି ବଡ଼ ଯାହା ହେଇଥାନ୍ତୁ ମଣିଷ । ଆଉ ମଣିଷ ଏକାଠି ହେଲେ ସମାଜ । ଏଇ ଦିଆନିଆ ହେଲା ସଂସାରର ପ୍ରୀତିର ବଣିଜ ।

 

ସୁତପା କନକକୁ କହିଲା–ଭଲ କରି ତିଆରି କରିବା–ମନ ନ ଦେଇ କଲେ ଏତକ ପରଶିବା ବୃଥା ।

 

–କ’ଣ ମନ ଦେବା କି ନ ଦେବା, ଅପା ? ଆଳୁ ବାଇଗଣ ପରିବା ତାଙ୍କର ସିଏ ସିଝିବେ । ବେସନ ଥୁଆ ହେଇଛି ତ ।

 

–ସେମିତ ନୁହେଁ । ନିଜକୁ ଯାହା ରୁଚେ ଆଉ ଯେମିତି ଦେଲେ ମନକୁ ପାଏ ସେତିକି ବିଚାର କରି ଜଣ ଜଣ କରି ସମସ୍ତଙ୍କ କଥା ଅଲଗା ଅଲଗା ଭାବି ସଜାଡ଼ି ପାରିଲେ ହାତ ପରଶା ଯଶ ପାଇବୁ ।

 

–କେତେ କେଜାଣି ବରାଦ ଦେଲଣି ମତେ । ମୁଁ ଭୁଲି ଯାଉଛି ଅପା ।

 

–ପଦେ ମନେ ରଖିଥା । ପାଞ୍ଚଜଣଙ୍କ ପାଇଁ ତିଆରିଲେ ବି ମନେ ରଖିଥିବୁ ଜଣ ଜଣକ ପାଇଁ ଆମେ ତିଆରୁଛୁ । ଯାହାକୁ ଦବୁ ତା’କୁ ସେମିତି ଖୁସି କଲାପରି ଦେବୁ । ତାହା ହେଲେ ସିନା ଦେଖିବା କିଏ ହସିଲା ଆଉ କିଏ ରୁଷିଲା ।

 

–ଏକା ଜିନିଷ ଆଉ ଏକା ଲୋକ ତ । ହେଲା ଏବେ ରେକାବି ଗିଲାସ ଅଲଗା ଅଲଗା-

 

–ଆଲୋ ଓଲମି । ଏଇ ସଂସାରରେ କ’ଣ ଆମେ ଏକା ମଣିଷ ନାଁ ଏକା ମାଇପେ ? ସେମାନେ ଏତେ ଡଗ ଡଗ ହେଇ ଆସୁଛନ୍ତି କ’ଣ ଅପୂର୍ବ ଅଦେଖାଟାଏ ଦେଖିବେ...ନାହିଁ...ସେହି ଏକା ପଦାର୍ଥକୁ ଅଲଗା ପ୍ରକାରରେ ଦେଖିଲେ ଅଲଗା ପଦାର୍ଥ ବୋଲି ପ୍ରତେ ହୁଏ । ଇଏ ହେଲା ମାୟାର ଖେଳ ସଂସାରର ମାୟା । ଜୀବନର ଫାର୍ଶ ।

 

ଅଦେଖା ଲୋକର ତୁଣ୍ଡ ଓ ରୁଚିର ମାପ କାହାରି ପାଖରେ ନଥିଲା–ଖାଲି ଧାପେ ଜଣାଅଛି । ଆମ ବାବୁଙ୍କ ପରି ଲୋକ–ତାଙ୍କର ମେସ୍‌ ଜୀବନର ସାଙ୍ଗ । କନକ ମୁଣ୍ଡ କୁଞ୍ଚେଇ ଭାବିଲା । କିଛି ସ୍ଥିର କରି ପାରିଲା ନାହିଁ । କଥା କଥାକରେ ଏତେ ଭାବିବ କ’ଣ ?

 

ଓଠ କଣରେ ହସ ଖେଳାଇ ସୁତପା ଚାହିଁଥାଏ ରୋଷେଇ ପାଖ ସରଞ୍ଜାମକୁ–ଗୁଣୁ ଗୁଣୁ କରି କହୁଥାଏ । ହେ ପରିବାମାନେ, ଭଲ କରି ରାନ୍ଧି ହୁଅ । ଆମର ମହତ ଆଉ ଟେକ ବଜାଏ ରଖ ।

 

–ସେମାନେ କ’ଣ ଶୁଣି ପାରିବେ ? ଆଗରୁ ଜୀଅ ଥିଲା କି ନାହିଁ କେଜାଣି ଏବେ ତୋଳା ହେଇ, ଦିନେ ଓଳିଏ ରହି, କଟାକଟି ହେଇ ଚୁଲିରେ ଗରମ ପାଣିରେ ସିଝିଲେଣି । ସେମାନେ ଶୁଣିବେ ଯେ ଅପା ତମରି କଥାକୁ ।

 

–ନିଶ୍ଚେ ଶୁଣିବେ । ମନର ଡାକ, ଆତ୍ମାର କାକୁତି ସମସ୍ତେ ଶୁଣନ୍ତି । ସେଥିରେ ଜିଅନ୍ତା ମଲା କିଛି ନାହିଁ । ...ଆମର ଆମେ ମନପ୍ରାଣ ଦେଇ ଆସିବା ଲୋକଙ୍କର ମନ ନେବାକୁ ଆଗ ଚେଷ୍ଟା ଯତ୍ନ କରିବା । ତା’ପରେ ପୁଣି କଥା ହେବା ନାହିଁ ?

 

ଅପର ପାଇଁ ଆଶା ରଖି କାମ କରିବା ଆଉ କାହାରି ଆଶା ନ ରଖି କାମ କରିବା ସମାନ ନୁହେଁ । ଆଶାରେ ଆଗେଇ ଚାଲିବାରେ ସୁଖ ଅଛି ବୋଲି ମଣିଷକୁ ଆଶା ଦିଆ ହୋଇଛି-

 

ସେଇଥିପାଇଁ କଳ୍ପନା, ଆଲୋଚନା ଆଉ କାମ । ସାତ ପ୍ରକାର ପରିବା ଆଉ ପତର–ସେଇ ଏକା ବେସନର ପରଖ ଦେଇ ସାତ ଠା ଅଲଗା କରି ଥୋଇଲା ସୁତପା । ସମସ୍ତଙ୍କର ଅଲଗା ଅଲଗା–ବୁଝିଲୁ କନକ । ଯିଏ ଯାହାର ବାଛି ନବ । ଦେଖିବା କାହାର କପାଳ କେମିତି ?

 

କନକ କହିଲା ଏଇ ଚାତୁରୀ ଦେଖି । ଛୋଟ ଜିନିଷରେ ସେ ନୂଆ ରଙ୍ଗ ଉଠାଇ ପାରୁଛି । ମନର ଅନ୍ଧାର ଖୋଲି ଯାଉଛି ସୁତପାର କାମରେ ।

 

ଅଭିନ୍ନ ଅପେକ୍ଷା କରି ବସିଥାଏ–ଆସିଲେ ନାହିଁ ଏହି ଫାଜିଲ ଯାକ । ଏଣେ ଘରେ ଦି’ଜଣ ଚୁଲି ପାଖରେ ସିଝିଲେଣି ।

 

–କ’ଣ ହେଲା ତମର ? ଚୁଲି ପାଖରେ ସିଝିବା ଆମର କାମ । ଦାୟିତ୍ଵ ନେଇ ପାରିବ ନାହିଁ । ଖାଲି କଥା କହିବ । ଏଇ ଅଲଣା କଥା ସଂସାରକୁ ପାଏ ନାହିଁ ।

 

–ଆସୁନାହାନ୍ତି କାହିଁକି ?

 

–ନ ଆସିଲେ କ’ଣ ବିଗିଡ଼ି ଯିବ ? ଆମର ଆମେ ଏତକ କ’ଣ ପାଇ ଦବୁ ନାହିଁ ?

 

ପ୍ରତୀକ୍ଷାର ଢେଉ ଭିତରେ ଭିତରେ ଯାଇ ବାଜୁଥାଏ ସେମାନଙ୍କ ପାଖରେ । ଅବା ସେମାନଙ୍କର ଆଗ୍ରହର ତରଙ୍ଗ ବାଜୁଥାଏ ଆସି ଅଭିନ୍ନବାବୁଙ୍କୁ ଘରେ । ଜଣେ ସେଥି ଭିତରେ ନିର୍ବିକାର–ଡାକବାଲା ଅବା ଟେଲିଫୋନ ଅପରେଟର ପରି । ସେ ହେଲେ ଅଭିନ୍ନବାବୁ ।

 

ପ୍ରତୀକ୍ଷାରେ ପରଦା ଟାଣି ପାଞ୍ଚଟି ସାଇକଲ ଆସି ପହୁଞ୍ଚିଲା ଦୁଆର ପାଖରେ–କଳରବ । ...ହୋ ଅଭିନ୍ନବାବୁ ଅଛ ?

 

–ଆସ ଆସ । ମୁଁ ବସି ରହିଛି କେତେବେଳୁ ।

 

–ଡେରି ହେଇଗଲା । ଆମେ ଯାଇଥିଲୁ ବଜାରକୁ–ଉପହାର କିଣିବାକୁ । ଖାଲି ଏଇ ଦେବାଶିଷ ଆଉ ଜନାର୍ଦ୍ଦନ କିଛି ଆଣିଲେ ନାହିଁ । କହିଲେ ସକାଳେ ସେମାନେ ସେଇ କାମ ତୁଟାଇ ଦେଇଛନ୍ତି । ହେଇ ନିଅ–ରମେଶର ଏଇ ତାସ ମୁଠାକ । ଗଜେନ୍ଦ୍ରର ଲୁଡ଼ୋ ଖେଳ । ଆଉ ସୀମାଦ୍ରି ଆଣିଛି କୋଇଲା ଚୁଲିଟାଏ । ସାଇକଲରୁ ଖୋଲୁଛି ।

 

ସୁତପା ଭିତରେ ଥାଇ କହିଲା–ଖୁବ୍‌ ଭଲ । ଏମିତି ଯେ ବଂଧୁ । ଋଣୀ ହେବ ନାହିଁ । ଆସିବ ତ ସାଙ୍ଗରେ ଆଣିଥିବ ଭେଟି ।

 

ଦେବାଶିଷ କହିଲା–ଏଇ ପରଦା ସେପାଖରେ କାହାର କଣ୍ଠ ଶୁଭୁଛି ? ବାହାରକୁ ଆସିଲେ ଜବାବ ଦିଆଯିବ ।

 

ଅଭିନ୍ନ ଠାରି କହିଲା–ସେମାନେ ବୋଧହୁଏ ଲୁଗା ପିନ୍ଧୁଛନ୍ତି ।

 

ସମସ୍ତେ ଏକାଠି କହିଲେ–ଦରକାର ନାହିଁ । ନୂଆ ବୋଉ । ଆମେ ଘର ମଣିଷ । ଆମ ଆଗରେ ହେବାକୁ ହେଲେ ସଫା ପେଡ଼ି ଲୁଗା ଦରକାର ନାହିଁ ।

 

କନକ ହସିଲା ସୁତପାକୁ ଚାହିଁ ।

 

ସୁତପା କହିଲା–ସତରେ କ’ଣ ଲୁଗା ପିନ୍ଧୁଛୁ ଆମେ ? ମଇଳା ଲୁଗା ଯେମିତି ଗୋଟାଏ ପରିଚୟ ଦିଏ । ସଫା ଲୁଗା ବି ସେମିତି ଆଉ ଗୋଟିଏ ପରିଚୟ ଦିଏ । ଅଲଗା ଅଲଗା ଦିଶିଲେ ସେଇ ଲୋକ ଅପୂର୍ବ ଲାଗେ–ଆଖି ଲାଖିଯାଏ ।

 

ଫାଟି ପଡ଼ୁଥିବା ଆନନ୍ଦକୁ ଓଠରେ ବନ୍ଦ କଳା ପରି ସୁତପା ଆସି ଠିଆ ହେଲା–

 

ନମସ୍କାର–ଓଳଗି–ଦଣ୍ଡବତ–ପ୍ରଣାମ ଆଦି ବାହାରି ଆସିଲା ଅଲଗା ଅଲଗା ମୁହଁରୁ ।

 

ସୁତପା ଠିଆ ହୋଇଥାଏ ଅଧା ଦେଖା ଓ ଅଧା ଲୁଚା ହେଇ । କିଏ ଚାହୁଁଥାଏ ଗୋଡ଼କୁ, କିଏ ଦେହକୁ ଆଉ କିଏ ମୁହଁକୁ । କୌତୁହଳର ଉତ୍ସାହ ସମସ୍ତଙ୍କୁ ଘେରି ରହିଥାଏ ।

 

ଶୁଭି ନଶୁଭିଲା ପରି ସୁତପା କହିଲେ–ଆମର ଆଜି ଭାଗ୍ୟର ଦିନ । ଗରିବ ଦୁଆରେ ବଡ଼ ବଡ଼ ଅତିଥି ।

 

–ଓହୋ, ଏମିତି କଥା । ଗରିବ କିଏ ଜଣା ପଡ଼ିବ ଯେ ମାସ ଦି ତିନିଟାରେ । କିଏ ରାଜାରାଣୀ ଆଉ କିଏ ଭିକାରୀ ?

 

–ଉପହାର ଆଣିଛନ୍ତି କାହିଁକି ?

 

–ଆମର ନିଜ ପାଇଁ । ଆସିଲେ ଖେଳିବୁ । ...ଆନନ୍ଦ ହେବୁ । ଆଉ ମେସ୍‌ ପରି କଏଦୀ ହୋଇ ରହିବୁ ନାହିଁ ।

 

ସୁତପାକୁ ବାହାରକୁ ଆଣିବା ପାଇଁ ଅଭିନ୍ନବାବୁଙ୍କର ପଦେ କଥା ନାହିଁ । ...ଆଉ କ’ଣ ଏମିତି ଚାଲିଥିବ–ଚଢ଼ାଉତ୍ତାର ? ସୁତପା ବାହାରି ଆସି କହିଲା–କେହି ବସିଲେ ନାହିଁ ?

 

ଅଭିନ୍ନବାବୁ ବ୍ୟସ୍ତ ହୋଇ ପଡ଼ିଲେ । ବସ ମ । ଠିଆ ହୋଇ ବକ୍ତୃତା ଦବ ନା କ’ଣ ?

 

–ଆରେ ସତେ । କଥା ଗୁଡ଼ାକ ଏଠି ବକ୍ତୃତା ହେଇଗଲାଣି ?

 

–ଅନେକ କଥା ଚଞ୍ଚଳ କହିଦେବେ ବୋଲି ଭାବି କରି ଆସିଥିଲେ । ...ଆମେ ରହିବୁ ସବୁଦିନେ । ସୁତପା ହସି ଗଜେନ୍ଦ୍ରଙ୍କୁ କହିଲା ।

 

–ଘର ଧୋଇଆ । କାମ ଦପ୍ତରଖାନା । ମୂଲ ମୂଲିଆଙ୍କଠାରୁ ଊଣା । ସେଥିପାଇଁ କଥା ଟାଉଟାଉ ହେଇଗଲା–କହି ଦେବାଶିଷ ସମସ୍ତଙ୍କ ତରଫରୁ କହିଲା ।

 

–ଯାହା ହେଉ ପୁରୁଣା ବଂଧୁ ବଡ଼ ଉପକାରୀ–ଦୁଇ ପାଖକୁ । ସୁତପା କହିଲା ଦେବାଶିଷକୁ ।

 

–ବଂଧୁ କ’ଣ ? କହ–ଭାଇ । ...ଦିଅର ।

 

–କେଜାଣି ? ବଡ଼ କିଏ ଛୋଟ କିଏ ? ପାଖ ଓ ଦୂର କିଏ ? ...ଦେବାଶିଷ ବାବୁ ପରେ କହିବେ ଯେ । ...ଆଲୋ ଭଉଣୀ, ଆଣ ଏଥର । ଏଇ ଜିନିଷତକ ନେଇ ଯା ଭିତରକୁ...କେଜାଣି ଗଲାବେଳେ ଯେ ଯାହାର ହାତରେ ଗୋଟିଏ ଗୋଟିଏ ଧରିବେ ନାହିଁ ବୋଲି କିଏ କହିବ ?

 

କନକ ହସି ପକାଇଲା ଘର ଭିତରେ । ଦେବାଶିଷ କହିଲା ଆଉ–ଜଣେ ଭିତରେ ଅଛନ୍ତି । ସେ ଆମ ନୂଆବୋଉଙ୍କର ଭଉଣୀ ଆଉ ନଣନ୍ଦ ।

 

–ଯାହା ହେଉ । କଳି ଲାଗିଲେ ଭାଙ୍ଗିବାକୁ ଆଉ ଜଣେ ରହିବା ଭଲ । ଭଲମନ୍ଦକୁ ସାହା...

 

ଦୁଇଟି ଥାଳିଆରେ ସାତଟି ରୋକାବି ଆଣି କନକ ଠିଆ ହେଲା । ସୁତପା ହାତରୁ ନେଇ ଥୋଇ ଦେଲା–ଛ’ଜଣଙ୍କୁ ଛ’ଟି । ଆଉ ଆମେ ଦୁଇଜଣଙ୍କୁ ଗୋଟିଏ । ଆମେ ପରା ଅଧା ।

 

–ସେ କଥା ନାହିଁ । ଆଗେ ମାଈପେ ପୁରୁଷଙ୍କର ଅଧ ହେଉଥିଲେ ଏବେ ହେଲେଣି ପଞ୍ଚପା ।

 

–ପାଞ୍ଚପା କ’ଣ ? ସୀମାଦ୍ରି ପଚାରିଲା ରମେଶକୁ ।

 

–ଏତିକି ବୁଝୁନାହଁ ? ସମାନକୁ ସମାନ–ପୁରୁଷ ଓ ମହିଳା ସମାନ । ଏତକ ହେଲା ଗଣତନ୍ତ୍ରର ସାମ୍ୟ । ଆଉ ପାଏ ରହିଲା ବିଶେଷ ସୁବିଧା । ...ଦେବାଶିଷ ବୁଝାଇ ଦେଲା ସୀମାଦ୍ରିକୁ ।

 

ସୁତପା ପଚାରିଲା–ବିଶେଷ ସୁବିଧାଟା କ’ଣ ?

 

–ତମ କଥା ହେଲା ଘରର ଆଇନ୍‌ । ତମ ଆଇନରେ ଏଇ ଅଭିନ୍ନବାବୁ ନ ଚଳିଲେ ତମେ ହାକିମାତି କରି ପାରିବ । ହାକିମ ଦରମା ସାଙ୍ଗରେ ଉପୁରି ଉଠାଇ ପାରିବ ।

 

ସୁତପା ମନରେ କଥାଟା ଭେଦିଗଲା । ସେ ଦେବାଶିଷକୁ ହସି କହିଲେ–ନିଜେ ଜୋରିମାନା କେତେ ଦେଲେଣି ଘରେ ଘରର ରାଣୀଙ୍କୁ ?

 

–ଏଇ କଥା । ଦୁଇଟି ପିଲାଙ୍କର ଏଇ ପୃଥିବୀକୁ ବିଜେ ହେବାର ପୂରା ଖର୍ଚ୍ଚ ଆଉ ସେମାନଙ୍କର ଦୈନିକ ଭୋଗରାଗ, ବେଶପଟା ଖର୍ଚ୍ଚ ପୂରା ଷୋଳଅଣା । ଆଉ ଶେଷରେ ସେମାନେ ଠାକୁର ନ ହୋଇ ମଣିଷ ହେଇଛନ୍ତି ବୋଲି ତାଙ୍କର ବଇଦ ଡାକ୍ତର ଔଷଧ ଖର୍ଚ୍ଚ ।

 

ସମସ୍ତେ ହସିଲେ । ...ସୁତପା ସେଥିରେ ଯୋଗ ଦେଇ କହିଲା–ପ୍ରକୃତରେ କେଉଁଠି ଦେଉଳ ବଡ଼ ମୁଖଶାଳାରୁ ଆଉ କେଉଁଠି ମୁଖଶାଳା ବଡ଼, ଦେଉଳ ଛୋଟ ।

 

ବିଚାର ଦେବାଶିଷ ବୋଝିଆ ହୋଇ ଏଡ଼େ ଯାଦୁଆ ହେଇ ଗଲାଣି ଯେ ସବୁବେଳେ ସେ ଥିଏଟର୍ ପାର୍ଟ କରୁଛି । ସଂସାରର ଓଜନ ଆଉ ଦି’ଦଶ ବିଶା ବଢ଼ିଗଲେ ସେ ଗଧ ପାଲଟିବ ।

 

–ହଁ । ବାବୁମାନେ । ମନେରଖିଥିବ ଯେ ଗଧ ବି ବୋଝ ବୋହିଲା ବେଳେ ହସେ, କାନ୍ଦେ, ଗୀତ ଗାଏ । ସେ ହେଲା ଦରକାରୀ ପଶୁ । ସେଥିପାଇଁ ଏଇ ସଂସାରରେ ନୂଆ ପୁରୁଣା ଗଧଙ୍କର ସଂଖ୍ୟା ଏତେ ବେଶି । ...ଆରେ ହଁ । ଏଇ ଜନାର୍ଦ୍ଦନ ଏକ ଗଧ ହେଇ ନାହିଁ ।

 

ତାହାର ପରିଚୟ ମିଳିଯିବାରୁ ଜନାର୍ଦ୍ଦନ ହସିଲା–ତା’ର ବି ଜୀବନରେ ଆଶା ଅଛି । ସେ ଗଧ ହେବାକୁ ରାଜି । ଖାଲି ଖାଉନ୍ଦାଣି ମିଳି ନାହିଁ ।

 

–ଆସ, ଜନାର୍ଦ୍ଦନ । ସହଳ ଉଛୁରରେ ଗଧ ବନିଯିବାର ମହାଯୋଗ ମିଳିଯିବ । ଏବେଠାରୁ ଶିଖୁଥାଅ ।

 

ଯେ ଯାହାର ରେକାବି ଉଠାଇ ନେଇ ଖାଇଲା ପରେ ସୁତପା କନକକୁ ଆସିବାକୁ କହିଲା । ...ଆ, ଏଠି ବସ ମୋ ପାଖରେ । ଭଦ୍ରଲୋକଙ୍କ ପାଖରେ ବସି କେମିତି ମୁହଁ ଲୁଚେଇବାକୁ ହୁଏ ଶିଖ୍‌ ।

 

କନକ ଆସିଲା ନାହିଁ । ଏଇକଥା ଶୁଣି–କିଏ କେମିତି ମୁହଁ ଦେଖାଇବ ?

 

–ଆସ, ମା, ଆସ । ସମସ୍ତଙ୍କୁ ନେଇ ସଂସାର । ଘରେ ଲୁଚିଲେ ଚଳିବ ନାହିଁ । ଆମେ ପରା ଦୁନିଆର ଲୋକଙ୍କୁ ଘରୁ ଆଣି ବାହାରେ ଠିଆ କରୁ ।

 

–ସେତିକି ନୁହେଁ, ରମେଶ । ଆମେ ନୋହୁଁ–ଆମେ ପୁରୁଷମାନେ ସ୍ତ୍ରୀମାନଙ୍କୁ ଆଣୁ ଘରୁ କାଢ଼ି ବାହାରକୁ ଆଉ ସ୍ତ୍ରୀମାନେ ଆମକୁ ବାହାରୁ ନେଇ ସାଇତନ୍ତି ଘରେ । –ଗଜେନ୍ଦ୍ର କହିଲା-

 

ଦେବାଶିଷ କହିଲା–ଠିକ୍‌ କଥା । ଦୁଆରଟା ହେଲା ପ୍ରକୃତ କ୍ଷେତ୍ର । ଘର ଯେତିକ–ବାହାର ବି ସେତିକି । ...ଦେଖୁନାହଁ ଏଠି ଅଭିନ୍ନ ବାବୁଙ୍କର ଅଗଣା ଦୁଆର ଆଜିର ବୈଠକଖାନା ।

 

–ପାଣି ସୁରେଇ ଆଉ ଗିଲାସ ଆଣିଲୁ ନାହିଁ ?

 

–କନକ ତଳକୁ ମୁହଁ ପୋତି ସୁରେଇ ଓ ଗିଲାସ ଆଣିଲା । ଆଣ୍ଟ କରି ପିନ୍ଧିଥିବା ଲୁଗା ଭିତରେ ସେ ଭାରି ସୁନ୍ଦର ଦିଶୁଥାଏ ।

 

ସୁତପା ହସି କହିଲା–ଇଏ ମୋର ପ୍ରାଣର ଭଉଣୀ । ...ମୋର ବଡ଼ ଭାଗ୍ୟ ଯେ ଏମିତିଟିଏ ପାଇଛି । ସେ ହବ ଲେଡି ଡାକ୍ତର ।

–ବାଃ, ଖୁବ୍‌ ଭଲ । ତମର ଚିକିତ୍ସା ମାଗଣା ହୋଇଯିବ । ତେବେ ସେ ଡାକ୍ତର ହେବା ଯାକେ...

ସୁତପା କହିଲା–ଏବେ ଆମେ ପାଠ ପଢ଼ିବୁ । ଆଉ ଆପଣମାନେ ଛୁଟି ବେଳରେ ପଢ଼ାଇ ଦେବେ । ଏଇଆ ପାଞ୍ଚିଛି । କ’ଣ କହୁଛନ୍ତି ?

–ଭାରି ଭଲ କଥା । ସମସ୍ତେ କହିଲେ ।

ସୁତପା କନକକୁ କହିଲା–ଦେଖିଲୁ କନକ, ଆମ ରେକାବିରେ କ’ଣ ରହିଛି ?

–ପତର ପକୁଡ଼ି ।

–ଭଲ ହେଲା । ଅଲଗା ଅଲଗା ବାଢ଼ିଥିଲେ । ସେ ଯାହାର ବାଛି ନେଇଛନ୍ତି । ସାତ ପ୍ରକାରର ଜିନିଷକୁ ସାତ ପ୍ରକାରର ଭାଗ ।

–ଆରେ ଆଳୁ...ବାଇଗଣ...ଜହ୍ନି...କଖାରୁକଟା...ଖାଲି ସାଧା...କଅଁଳ ଡଙ୍କ...

ହସର ଲହଡ଼ି ଭିତରେ ସମସ୍ତେ ବୁଡ଼ିଗଲେ–ଭାରି ବୁଦ୍ଧିର କାମ । ଏକା କଥା–ଏକା ପ୍ରକାରର । ଏଣେ ଦେଖ ସମସ୍ତଙ୍କୁ ଗୋଟିଏ ଗୋଟିଏ ଇଲମ୍‌ । ...ସାବାସ୍‌ ଅଭିନ୍ନବାବୁ । ସେଥିପାଇଁ ଠିକ୍‌ ତମେ ମେସ୍‌ ବର୍ଜନ କଲ ।

 

ସୁତପା ହସି କନକକୁ କହିଲା–କ’ଣ କହିଥିଲି ? ମଣିଷ ତାହାର ଭାଗ୍ୟକୁ ପଚାରି ତାହାରି ଜିନିଷକୁ ସାଉଁଟି ନିଏ । ଦେବାଶିଷ କହିଲା–ସତ, ନୂଆବୋଉ । ଦଇବ ତା’ର ବାଟ କାଢ଼ୁଛି । ଆମେ ମଣିଷ ସେଥିରେ କେତେକର ?

 

–ଦଇବକୁ ବାନ୍ଧିବାକୁ ଆହବ ନ କରି ଯିଏ ହଟିଯାଏ ସେ ଅବା କେଉଁ ମଣିଷରେ ଲେଖା ? ...ଦଇବ ସମସ୍ତଙ୍କୁ ବାନ୍ଧିବ ବୋଲି କହୁଛି । ବାନ୍ଧିଲେ ବାନ୍ଧିବ ମରିବା ଦିନ । ...ସୁତପା ଗଭୀର ଆତ୍ମପ୍ରତ୍ୟୟରେ କହିଲା ।

 

ପ୍ରତ୍ୟେକ ଲୋକର ଆଖିରେ ବିଜୁଳି ଖେଳିଗଲା–ସେ ଦଇବ ସାଙ୍ଗରେ ଲଢ଼ିବ । ଟାଣରେ ଲଢ଼ିବ ।

 

–ବେଶ୍‌ ଭଲ ନୂଆବୋଉ । ପକୁଡ଼ି ଖୁଆଇ ତିନି ହଳ ଆଖିରେ ଚକଚକି ଦେଖାଇ ଦେଲେଣି...ଦପ୍ତରଖାନା କମିଲା ଏଥର । ସେଠିକାର ଯାଦୁଆ ବଳଦମାନେ ଏବେ ଫଉଜ ହେଇଗଲେଣି ଦଇବ ବିରୁଦ୍ଧରେ ।

 

–ଥାଉ, ସେ କଥା ଦେବାଶିଷ ବାବୁ । ଆମର ପଢ଼ିବା କଥା କ’ଣ ହେଲା ?

 

–ଘର କାମ ?

 

–ସେକଥା ଆମେ ବୁଝିବୁ । ...ଦୁଇଓଳି ପଢ଼ିବୁ । ଯିଏ ହୁଅନ୍ତୁ ଆସି ଆମକୁ ପଢ଼ାଇ ଦେବେ । ଏତିକି ମୋର ଛୋଟିଆ ଅଳି ।

 

–ଛାଡ଼ ମ । ଭଦ୍ରଲୋକ ବୁଲି ଆସିଥିଲେ ଯେ ଟିଉସନ୍‌ ମାଷ୍ଟ୍ର କରିବାକୁ ପକ୍‌କା ହୋଇଗଲ ?

 

ଅଭିନ୍ନବାବୁଙ୍କ କଥାରେ ପ୍ରତିବାଦ କରି ସମସ୍ତେ କହିଲେ–ନା, ଏଠି ଦି’ଅକ୍ଷର ପାଠ ଦି’ଘଣ୍ଟା ପଢ଼ାଇଲେ କାହାରି କିଛି ଲୋକସାନ ନାହିଁ ।

 

ସୁତପା ହସି କୃତଜ୍ଞତା ଜଣାଇଥିଲା ।

 

କନକ ଆଣି ଚା’ ଦେଲାବେଳେ ତା’ର ଆଙ୍ଗୁଠିକୁ ଛୁଇଁ ସୀମାଦ୍ରି ଆଉ ଜନାର୍ଦ୍ଦନ ଚା’ ନେଇଥିଲେ । କନକ ପ୍ରତ୍ୟେକ ଥର ହସି ସୁତପାକୁ କହି ଦେଇଥିଲା ।

 

ଜନାର୍ଦ୍ଦନ ଓ ସୀମାଦ୍ରିଙ୍କର ବିଶେଷ ପରିଚୟ ପାଇବାକୁ ସୁତପା କହିଲା–ଆପଣ ଦୁହିଙ୍କର ମନ ଭାରି ସରଳ । ଆସିଲେ ଭଲ ହେଲା । ଆମକୁ ଟିକେ ସାହାଯ୍ୟ କରିବେ ।

 

–ସେଇ ଦୁଇଜଣ କାହିଁକି ? –ଅନ୍ୟମାନେ ପଚାରିଲେ ।

 

–ଏମାନେ ହେଲେ କାମର ମଣିଷ ।

 

–ଆଉଆମେ ତିନିଜଣ ?

 

–ବଡ଼ ମଣିଷ । ଉପଦେଶ ଦେଇ ପାରିବେ କିନ୍ତୁ ପାଖରେ ଠିଆ ହୋଇ କାନ୍ଧକୁ କାନ୍ଧ ଲଗେଇ ସାହାଯ୍ୟ କରିପାରିବେ ନାହିଁ ।

 

–ଦେଖିବ ନାହିଁ । ଆମେ ସମସ୍ତେ ଯେ ଯାହାର ସୁବିଧା କରି ଆସିବୁ । ପଢ଼ିବା କଥା ତ । ଆମେ ପଢ଼ିଥିଲୁ ଯେ ଯାହା କଲୁ । ଆଉ ମାଇପେ ଦି’ଜଣ ପଢ଼ିଲେ ଖରାପ କ’ଣ ?

 

–ନିଜକୁ ଘୃଣା କରିବେ ନାହିଁ । ଅକିଞ୍ଚନ ବୋଲି ଭାବିବେ ନାହିଁ । ଯାହା ମିଳିଛି ସେତକ ଇଶ୍ଵରଙ୍କର ଆଶୀର୍ବାଦ ବୋଲି ଭାବିବେ । ତେବେ...

 

ସୁତପାର କଥାରେ ବାଧା ଦେଇ ରମେଶ ପଚାରିଲା–ତେବେ କ’ଣ ହେବ ?

 

–ସବୁ ହବ । ଏଇ ସଂସାରର ଲକ୍ଷେ ପ୍ରକାର କାମ ଭିତରୁ କେଉଁ ଗୋଟିକରେ ହୁଏତ ସବୁ ହେଇଯିବ । ନିଜ ପ୍ରତି ତୁଚ୍ଛଭାବ ମଣିଷର ଶତୃ ।

 

–ଆମେ ତାହାହେଲେ ଦପ୍ତରଖାନା ଛାଡ଼ି ଆକାଶକୁ ଉଠିବୁ ? ସମୀଦ୍ରି ପଚାରିଲା ।

 

–ଚେଷ୍ଟା କରି ଦେଖନ୍ତୁ । ପ୍ରତ୍ୟେକ ଦିନ ନିଜକୁ ତାରିଫ୍‌ କରନ୍ତୁ । ନିଜକୁ ପୂଜା କରନ୍ତୁ । ଦେଖିବେ କ’ଣ ହେବ ?

 

ଗଜେନ୍ଦ୍ର ପଚାରିଲା–କ’ଣ ନିଜର ଅନୁଭବରୁ ? ନା ଶୁଣା କଥା ?

 

ପ୍ରତିବାଦ କରି ସୁତପା କହିଲା–କଥା ପଦକରେ ତାହାର ଚେରମୂଳ ଥାଏ । ଶୁଣା କଥା କି ଅନୁଭବର କଥା ଭାବିଲେ ବୁଝିବେ...ଭାବିବାର ଶକ୍ତି ଅଲବତ୍‌ ଥିବ ।

 

ଦେବାଶିଷ କଥା ଭାଙ୍ଗି ଦେଇ କହିଲା–ଛାଡ଼ ମ । ତାସ ଖେଳିବା । ଜୀବନରେ ରଙ୍ଗ ଯୌବନ ପରେ ଫିକା ପଡ଼ିଯାଏ । ଏବେ ମୁହଁରେ ନାଲି ଅଛି । ସେଥିପାଇଁ ଛାତି ଦୁଲୁକୁଛି ... ନୁହେଁ, ନୂଆବୋଉ ?

 

ହଉ, ପରଖ ରହିଲା ? ଯଦି ଦିହେଁ ବଞ୍ଚିରହି ମୁହଁ ଚାହା ଚାହିଁ ହେଉଥିବା ତେବେ ଦିନେ ଏଇ କଥାଟିକୁ ଆଉ ଥରେ ବୁଝିବା । ଏବେ ଆମର ଗୋଟିଏ ଅଳି–ଆମକୁ ଦି’ଅକ୍ଷର ପାଠ ପଢ଼େଇ ଦିଅ ।

 

ଦରମା–ଟଙ୍କା ?

 

–ହଁ, ସବୁ ଦିଆଯିବ । ମୂଲ ମଜୁରି ବୁଡ଼େ ନାହିଁ ।

 

ଗରିବର ଦୁଆରେ ପ୍ରତିଶୃତିର ହାଟ ବସିଥିଲା । ଆଜି କଥାକୁ ଦେଖ–କାଲି ପାଇଁ ଭାବ-ପ୍ରତିଦିନ ଦିନକ ପାଇଁ ଆଉ ପୋଡ଼ି ପୋତି ହୋଇଯାଉ ଅତୀତର ସବୁ ଦିନ, ମାସ, ପକ୍ଷ ଓ ବର୍ଷ-

 

ସମସ୍ତଙ୍କର ମନରେ ଗୋଟିଏ କଥା–ସତେ କ’ଣ ଦଦରା ଭାଗ୍ୟକୁ ମରାମତ କରି ହବ-? ଭାଗ୍ୟ ସାଙ୍ଗରେ କ’ଣ ଲଢ଼ି ହବ ?

 

...ଫଳ କଥା କହି ହବ ନାହିଁ । ହୁଏତ ମହରଗରୁ ଯାଇ କାନ୍ତାରରେ ପଡ଼ିବାକୁ ହେବ । କିନ୍ତୁ ସେଥିରେ ବିଧବାର ଆତ୍ମସମର୍ପଣ ନାହିଁ । ଭିକାରୀଟିର କାକୁତି ବଚନ ନାହିଁ ।

 

ପୌରୁଷ ଓ ପୁରୁଷକାର ଓ ଅଧିକାଂଶ ସମୟରେ ପୁରୁଷ ପଣିଆ, ମରଦ ପଣିଆ ଆଉ ମଣିଷ ପଣିଆ କଥା କହୁଥିଲେ ମଧ୍ୟ ମଣିଷ ଏହିପରି ବିଧବାର ମନ ନେଇ ସଂସାରରେ ଦିନ କାଟେ । ବିଧବାର ପ୍ରଥମ କଥା ହେଲା–ଦୁନିଆର ସମସ୍ତଙ୍କୁ ଡରିମରି ଖାଲି ଅଲୋଡ଼ା ଜୀବନଟାକୁ ବଞ୍ଚାଇ ରଖିବ ଆଉ ଏଣେ ସମସ୍ତଙ୍କୁ କହୁଥିବ ଯେ ଏହି ପୋଡ଼ା ଜୀଅ ଯାଉ ନାହିଁ ।

 

ଦପ୍ତରଖାନାରେ ଅସଂଖ୍ୟ ମଜଦୁର ଏଇ ମନ ନେଇ ତାଙ୍କର ଡଙ୍ଗା ପେଲନ୍ତି । କ୍ଷେତ ମୁଲିଆ ଅବା ରିକ୍‌ସାବାଲାର ଯେତିକି ହିମତ ସେତିକି ବି ନ ଥାଏ । କିନ୍ତୁ ଏଣେ ମୁହଁରେ ଚବିଶ ଘଣ୍ଟା ଦର୍ଶନ ତତ୍ତ୍ଵର ଆଳାପ ।

 

ଅଫିସର କ୍ଳାନ୍ତି ଦୂର କରିବାକୁ ଖେଳ ଦରକାର । କୌତୁକ ହେଇଗଲା । ଏଥର ତାସ ଖେଳ ହେବ । ଲୁଡ଼ୋ ଖେଳ ହେବ । ବେଳ ସତେ କି ଲୁଚିଯିବ ଖେଳ ଭିତରେ ।

 

–ଆସ ଖେଳିବା–

 

–ଆମେ ଆଠ ଜଣ । ତାସ ଅଛି । ଲୁଡ଼ୋ ଅଛି ।

 

–କନକ ଲୁଡ଼ୋ ଜାଣେ ନାହିଁ । ତାସରେ ଖାଲି ରଙ୍ଗମାଗଣ ଆଉ ଅଳ୍ପ ଅଳ୍ପ ବିନ୍‌ତି ଖେଳ ଜାଣେ ।

 

ସୁତପାର କଥା ଶୁଣି ସମସ୍ତେ ବିବ୍ରତ । ଏଇ ଖେଳ ଜଣା ନାହିଁ ବାବୁମାନଙ୍କୁ । ସେମାନେ ଗାଉଁଲି ଖେଳ ପାଶୋରି ଗଲେଣି ।

 

ସୁତପା ମନ ଦୁଃଖ କରି କହିଲା–ମୋର ଭଉଣୀ ବସି ରହିବ ଆଉ ମୁଁ ଖେଳିବି । ହବ ନାହିଁ । ଖେଳିଲେ ଆମେ ଦୁଇ ଜଣ ଖେଳିବୁ । ନଇଲେ ନୁହେଁ ।

 

–କ’ଣ କହିବା ? ଏଡ଼େ ସୁନ୍ଦର ସଞ୍ଜଟା । କ’ଣ ଅକାରଣ ହେଇଯିବ ସବୁ ଥାଇଁ ।

 

–ଶିଖାଇ ଦିଅ ।

 

–ଏଁ, ଖେଳ ଶିଖିବ ଆଉ ଖେଳିବ । ସେ ଖେଳରେ ମଜ୍ଜା ନାହିଁ ।

 

ଟାଣରେ ସୁତପା କହିଲା–କ’ଣ କହନ୍ତି ଯେ ଜିଭ ଲେଉଟୁ ନାହିଁ । ସମସ୍ତେ ଚାହୁଁଛନ୍ତି ମାଇପେ ମୂର୍ଖ ହେଇଥାନ୍ତୁ । ଆଉ ଏଣେ କହିବେ କ’ଣ ନା ଖେଳ ଶିଖି ଖେଳିବ । ...ନାଇଁ ଲୋ କନକ । ହେଇ ପାରିବ ନାହିଁ । ଆମେ ସିନା ଶିଖିଥାନ୍ତୁ ଆପେ ଆପେ । ତାହାହେଲେ ଆଜି ଖେଳନ୍ତୁ । ଅକାରଣ ୟାଙ୍କ ପାଇଁ ତତେ ଚୁଲି ମୁଣ୍ଡରେ ଶେକିଲି ।

 

ବଡ଼ ଅଡ଼ୁଆରେ ଆଣି ସୁତପା ପକାଇଲା । ସେ ନ ହେଲେ ଖେଳ ଉତୁରିବ ନାହିଁ । ଆଉ ସେ କନକର ପଣତ ଧରି ଚାଲିଲାଣି ।

 

ହସି ସୁତପା କହିଲା–ତେବେ ମୁଁ କନକ, ଜନାର୍ଦ୍ଦନବାବୁ ଓ ସୀମାଦ୍ରିବାବୁ ଲୁଡ଼ୋ ଖେଳିବୁ । ଅନ୍ୟମାନେ ତାସ ଧରନ୍ତୁ । ...ଆଲୁଅ ଦୁଇଟା ଲଗାଇ ଆଣେ ।

 

–କି ଘର ଏଇଟା ? ବିଜୁଳି ନାହିଁ । ତାର ଲାଗିଛି ।

 

–କ’ଣ ଏଠି ଅଛି ଯେ ବିଜୁଳି ଆଲୁଅ ଦରକାର ହେବ ? ବିଦ୍ୟା, ବୁଦ୍ଧି, ଧନ ନା ମାନ-? ଥାଉ ସେ ବିଜୁଳି ଆଲୁଅ ? କିରାସିନି ଲଣ୍ଠନରେ ଆମର ଅଭାବ ଲୁଚିଯିବ । ସେଇ ଭଲ-

 

ଆଲୁଅ ପାଇଁ ଦିହେଁ ଚାଲିଗଲେ । ଏଣେ ବାବୁମାନେ ବିରସ । କି ଖେଳ ହେବ ଏଠି ? କନକ ଆଉ ସୁତପା ଦି’ଟା ଗଧଙ୍କୁ ଓର କରି ଚାଲିଗଲେଣି । କମ୍‌ ଶିଆଣିଆ ନୁହନ୍ତି ?

 

ଆଲୁଅ ଆସିଲା । ଦଳ ବଦଳାଇବାକୁ ତିଆରି ।

 

ସୁତପା ମନା କଲା–ହେଇ ପାରିବ ନାହିଁ । ସେମାନେ ତାଙ୍କର ଦଳ ବାଛି ନେଇଛନ୍ତି ।

 

ଭାରି ଆନନ୍ଦ ହେଲା ପରି ଲୁଡ଼ୋ ଖେଳ ଶିଖାଇବାରେ ସମସ୍ତେ ଲାଗିଗଲେ କନକ ସାଙ୍ଗରେ–ହେଇ ଦେଖ । ଏମିତି ଦାନ ପଡ଼େ । ଏମିତି ଚାଲେ...ଖେଳ ଆରମ୍ଭ ହେଇଗଲା ।

 

ତାସ ଖେଳ ମୋଟେ ଚାଲିଲା ନାହିଁ । –ହେ, କ’ଣ ଖେଳିବ ଏଇ ଆଲୁଅରେ । କଳାପାନ ନାଲିପାନ ଭୁଲ ହେଉଛି । ଲୁଡ଼ୋ ଇୟାଠୁଁ ଭଲ । ...ଆଖିକାନ ସମସ୍ତଙ୍କର ରହୁଥାଏ ଏଇ ଦଳଟି ପ୍ରତି । କେଡ଼େ ଭାଗ୍ୟବାନ–ଜଣକୁ ଜଣେ । ସୁତପା ନେଇଛି ସୀମାଦ୍ରିକୁ ଆଉ ଜନାର୍ଦ୍ଦନ ପାଇଛି କନକକୁ ।

 

ବିରକ୍ତରେ ତେଣେ ତାସ ଚାଲିଥାଏ । ଅସଂଖ୍ୟ ଭୁଲ୍‌–ନହୁଅନ୍ତା କେମିତି ? କଥା ଯେ କହି ଜାଣେ ନାହିଁ ତାଙ୍କୁ ମିଳିଛି ଏଇ ରତ୍ନମାଳା...ଆଉ ଖେଳିବ କାହିଁକି ?

 

ଅଳ୍ପ ସମୟ ପରେ ତାସ ବନ୍ଦ ହେଲା । ସୁତପା ହସି କହିଲା–କି ପାଠପଢ଼ା ହେବ କେଜାଣି ? ଏଡ଼େ ମୋଟା ମୋଟା ନାଲିପାନ କାଳିପାନ ଚିହ୍ନା ପଡ଼ୁ ନାହାନ୍ତି ଏଇ ଆଲୁଅରେ–ଏଥିରେ ବହି ପାଠ କ’ଣ ଦିଶିବ ? ...ନାହିଁ, ସନ୍ଧ୍ୟାରେ ପାଠ ପଢ଼ା ହେଇ ପାରିବ ନାହିଁ ।

 

ସମସ୍ତେ ଖୁବ୍‌ ଆପତ୍ତି କଲେ । ପଢ଼ା ଠିକ୍‌ ହେଇ ପାରିବ କାରଣ ଆଲୁଅକୁ ବହି ସୁଖ ପାଏ ... ସୁତପା ହସି ଚାହିଁଲା ଆଉ ସେଇ ମୁରୁକି ହସ ଭିତରେ କହିଗଲା ତାହାର ଉତ୍ତର ।

 

–ହଁ, ଭଲ । ବିଜୁଳି ଆଲୁଅ ଥିଲେ ଏଇଟା ପଢ଼ା ଘର ନ ହୋଇ କ୍ଲବ୍‌ ଘର ହେଇ ଯାଇଥାନ୍ତା...ଠାକୁରେ ଯେଉଁ ଅସୁବିଧା ଦିଅନ୍ତି ସେଥିରେ ଉପକାରର ବାଟଟିଏ ମଧ୍ୟ ଥୋଇ ଦେଇଥାନ୍ତି ।

 

–ଇଲୋ, କନକ କି ଭୁଲ ହେଲା ? ସଞ୍ଜ ଦିଆ ହେଇନାହିଁ । ଆହା...ଛି । ବୋଉ ଥିଲେ ଆଜି ମୁଣ୍ଡରେ ଶଗଡ଼ ଚଲେଇ ଦେଇଥାନ୍ତା ।

ବେକରେ ପଣତ ଦେଇ ଦୁଇଟି ସ୍ତ୍ରୀ ହାତରେ ସଞ୍ଜ ଧରି ଏଠି ସେଠି ବୁଲି ଯାଇ ପ୍ରଣାମ କଲେ । ଆଉ ସମସ୍ତେ ମନକୁ ମନ ଭାବିଲେ ସୃଷ୍ଟିରେ ଦୁଇଟି ଅନବଦ୍ୟ ନାରୀ ଏଇ ଦୁଇଜଣ । ତାଙ୍କର ତୁଳନା କାହିଁ ?

ଦି’ଘଣ୍ଟା ଘଣ୍ଟାଏ ସମୟ ଭିତରେ ଏମିତି ବେଳେବେଳେ କେତେ ସୁଖ ସ୍ମୃତି ଅଜାଡ଼ି ହୋଇପଡ଼େ–ଫୁଲଭରା ଗଛ ପରି । ସେହି ଆନନ୍ଦ ମଣିଷକୁ ବସେଇ ରଖେ ।

ଅଭିନ୍ନବାବୁ ଭାବୁଥିଲେ କହିବେ ବୋଲି–ବୈଠକ ଭାଙ୍ଗୁ । କିନ୍ତୁ ଗହଳି ଭାଙ୍ଗି ଦେଇ ଚାଲିଗଲେ ଭାରି ଖରାପ ଲାଗିବା ।

ରମେଶ କହିଲା ଦେବାଶିଷକୁ–ଆଚ୍ଛା ଭାଇ । ଆଜି ପାଠପଢ଼ା ଆରମ୍ଭ ହେଉ ।

–ହଁ, ହଉ । ଆଣିଲ ଛାତ୍ରୀମାନେ କ’ଣ ବହି ଖାତା ଅଛି ?

–ପାଠ ଦଶମ ଶ୍ରେଣୀ । ସେଇଠି ଊଣା ଅଧିକେ ବନ୍ଦ ହେଇଯାଇଛି । ଘୋଷା ରଗଡ଼ା ନଥାଇ ପାଠର ଦାଗ ଉଡ଼ିଯାଇଛି । ପୁଣି ନୂଆରୁ ଆରମ୍ଭ ହେବ । ଯେମିତି କହିବେ ସେମିତି...

–କିଏ ପଡ଼ିବ କାହା ପାଖରେ ?

ସମସ୍ତେ ଚାହିଁଲେ ସମସ୍ତଙ୍କ ମୁହଁକୁ । ଏଇଟା ପ୍ରକୃତରେ ଜୀବନର ଲଟରି ହେଲା ଜାଣ-? ସୁତପା ଦେଖୁଥିଲା ଅଭିନ୍ନବାବୁଙ୍କର ବିରକ୍ତିକୁ । ଶେଷରେ କହିଲା–ୟା’ଙ୍କର ମତ ନେଇ ନାହିଁ । ସେ ଯାହା କହିବେ ସେଇଆ ହବ ।

 

ଅଭିନ୍ନବାବୁ ଚମକି ପଡ଼ିଲେ । ...ସେ ଆସିଗଲେଣି ଏଇ ଅଡ଼ୁଆ ଭିତରକୁ । ଯାହା ହେଉଛି ସେଥିରେ ଖାଲି ଡିବିଡ଼ିବି ବାଜିବ ତାଙ୍କର ଘରକରଣା ଆଉ ଘରର ମଣିଷ । ଏମାନଙ୍କୁ ଏମିତି ସହର ବଜାରକୁ ଆଣିବା ଠିକ୍‌ ହେଲା ନାହିଁ ।

 

ସୁତପା ଟାଣ କରି କହିଲା–ନା, ଆମକୁ ମତ ବଦଳାଇବାକୁ ପଡ଼ିବ । ପଢ଼ା ପଢ଼ି ବନ୍ଦ । ଆମେ ମୂର୍ଖ ଥିଲେ ଭଲ । ହାଡ଼ଭଙ୍ଗା ଖଟଣି ଖଟିବୁ ଆଉ ହେବୁ କଳ ।

 

–କି କଳ ?

 

–କହିଲେ ରାଗିବେ ସମସ୍ତେ । ଦେବାଶିଷ ବାବୁଙ୍କର ସ୍ତ୍ରୀ ଯେଉଁ କଳ ଖୋଲିଛନ୍ତି ।

 

ପଞ୍ଚୋଟି ପୁରୁଷଙ୍କର ମୁହଁ ସେଇ ସନ୍ଧ୍ୟାରେ ନୂଆ ରୂପ ନେଇଥିଲା । ଜନାର୍ଦ୍ଦନ ସୀମାଦ୍ରି ଖୁସି ଯେ ସୁତପା ହବ ମା । ଆର ତିନିଜଣ ହଠାତ୍‌ ବିବ୍ରତ ହୋଇ ପଡ଼ିଥିଲେ–ଏଇ ସୁତପା କ’ଣ ମା’ ହେବାକୁ ସହରକୁ ଆସିଛି ତେବେ....ତେବେ ?

 

ବୁଦ୍ଧି ଖଟେଇ ଅସଲ କଥା ବୁଝିବାକୁ ଅଭିନ୍ନବାବୁଙ୍କୁ ଧରି କଟାଳ କଲେ–ଖାଇବାକୁ ଦିଅ । ଶୁଭ ଖବର...

 

ଅଭିନ୍ନବାବୁଙ୍କର ଆଖି ଦୁଇଟି ଅଥୟ ହେଉଥିଲେ କାନ୍ଦିବାକୁ । ସୁତପା ତାଙ୍କୁ ଏବେଯାଏ ବନ୍ଧୁ ସ୍ଥାନରେ ରଖିଛି । ଥରକୁ ଥର କବୁଲେଇ କହିଛି–କ’ଣ ଗୁଡ଼ାଏ ହେଇଗଲା, ଯେ ବଉଁଶ ବଢ଼ାଇବାକୁ ତିଆରି ହେଲ ? ପିଲାକୁ କ’ଣ ପରିଚୟ ଦିଆଯିବ ତା’ର ବାପା ବିଷୟରେ ।

 

–ଛାଡ଼ ମ । ମାଇପି କଥାକୁ କିଏ ବିଶ୍ଵାସ କରେ ?

–ସତ କହିଲ, ଭାଇ, ମାଇପେ ଭାରି ମିଛ କହିପାରନ୍ତି । ଟିକକରେ ଦେଖାଇଦେବେ ନକ୍ଷତ୍ରଭରା ଆକାଶ ଆଉ ଟିକକରେ ଦେଖାଇ ପାରିବେ ଘାସଛୁଆଣି ମାଟିକୁ ।

–ୟାଙ୍କୁ ସାବାସ ନ ଦେଇ ରହିପାରୁ ନାହିଁ । ଏତେ ଆପଣାରେ ବଂଧୁ ସେ ପାଇଲେ । ଲୋକେ ଜୀବନଯାକ ଖୋଜି ଲୋଡ଼ି ଗୋଟିଏ ବି ପାଉ ନାହାନ୍ତି । ସୁତପା କହିଲା ।

–ଭାରି ଭଲ ଲୋକ ଅଭିନ୍ନ ବାବୁ । ଯିଏ ଦିନେ ତାଙ୍କ ସାଙ୍ଗରେ ମିଶିଛି ସେ ସବୁଦିନକୁ ତାଙ୍କର ।

–ଯାହାହେଉ ନୂଆ କଥାଟିଏ ଶିଖିଲି । କହି ସୁତପା ହସିଲା ସମସ୍ତଙ୍କୁ ଚାହିଁ । କିନ୍ତୁ କେହି ସେତେବେଳେ ସୁତପାର ସେହି କଜ୍ଜଳ ମଖା ଚକ୍‌ଚକ୍‌ ଆଖି ଦୁଇଟିକୁ ଚାହିଁ ନଥିଲେ ।

ପାପ ମନ ସବୁବେଳେ ଏମିତି ଲୁଚେ । ଅଭିନ୍ନବାବୁଙ୍କ ପ୍ରତି ବନ୍ଧୁଭାବ ପଛଆଡ଼େ ଅଭିନ୍ନ ନ ଥିଲା । ସେଠି ଥିଲା ସୁତପା–ତେଣୁ ସୁତପା ଆଗରେ ସେଇ ଛଳନା ଲୁଚିଯିବା ପାଇଁ ବାଟ ଖୋଜୁଥିଲା ।

ସୁତପା ଏମିତି ନିର୍ମମ ହେଲା କାହିଁକି ? ଭଲପାଇବ କି ଭଲ ନ ପାଇବ ଜାଣିବା ଭାରି କଷ୍ଟ । ଆଉ ଏତିକି ବୁଝିବାରେ ଯେଉଁ ନାରୀ ସାହାଯ୍ୟ ନ କଲା । –ସିଏ କେମିତି ମାଇପିପଣିଆକୁ ଯୋଗ୍ୟ ?

 

ଅସହାୟର ଭାବଭଙ୍ଗୀ ଦେଖାଇ ସେମାନେ ପଚାରିଲେ ସୁତପାକୁ–କ’ଣ କରିବା ବରାଦ ଦିଅ । ଖେଳ ହେଲା ନାହିଁ...ଗପସପ ହେଲା ନାହିଁ–ପାଠ ପଢ଼ା ହେଲା ନାହିଁ । ଆଉ କ’ଣ ହେଲା ?

 

–କାହିଁକି, ପରିଚୟ ହେଲା ? ସମସ୍ତେ ସମସ୍ତଙ୍କୁ ଜାଣିଗଲେ । ଏଣିକି ସବୁ ଠିକ୍‌ ହେଇଯିବ ।

 

ଭିତରର ପାପରେ କିଏ ଯେପରି ଖଣ୍ଡେ ଖଣ୍ଡେ ଖୁଞ୍ଚା ଦେଇ ମନଭିତରେ କହୁଥିଲା–ସରଳ ମନ ସବୁରି ପ୍ରିୟ । କୁପାଞ୍ଚ ଧରି ବଣିଜ କଲେ ଲାଭ ନାହିଁ ।

 

–କ’ଣ କରାଯିବ ?

 

–ଆଃ, ମୁଁ ଭୁଲି ଯାଇଥିଲି । ଠାକୁରଙ୍କ ପାଇଁ ତିନିଟା ଫୁଲ ଦରକାର । ...ସୁତପା କହିଲା ।

 

–ଫୁଲ କେଉଁଠି ମିଳିବ ରାତିରେ ?

 

–କାହିଁକି ଦେଉଳ ପାଖରେ ମିଳୁଥିବ । ଥାଉ, ନହେଲେ ଚଳିବ । ଯେମିତି ଠାକୁର ସେମିତି ପୂଜା ପାଇବେ–ଘଣ୍ଟାକ ପରେ ସଞ୍ଜବତୀ ଆ ଉ ତିନି ଘଣ୍ଟାରେ ପାଇବେ ହାରେ ଫୁଲ ? ...ଶେଷକୁ ତ ସେଇ ଫୁଲ ଆମରି ଦେହକୁ ଯିବ...

 

ଏଇଠୁ ଆସିଲା ଲୁଚାଛପାର ସାଧନା । ସମସ୍ତେ ଭାବିଲେ ମେସ୍‌ରେ ପହୁଞ୍ଚି ସୁବିଧା କରି ଫୁଲ ହାର ଆଣି ଦେଲେ ଗୋଟିଏ ମନୋରମ ସନ୍ଧ୍ୟାର କଅଁଳ ଅନୁଭୂତିରେ ଗୋଟିଏ ଅଧ୍ୟାୟ ସମ୍ପୂର୍ଣ୍ଣ ହେବ ।

 

ବୃଥାରେ ମଣିଷ କିଛି କିଛି ପଇସା ନଷ୍ଟ କଲା । ସମୟର ତ ଦାମ୍‌ ନାହିଁ । ହେଲେ ଏଇ ଲୋକଙ୍କ ଗହଳିରେ କ’ଣ ଦି’ପଦ କଥା କହିହେଲା କି ?

 

ମନର ଭାବକୁ ଲୁଚାଇ ଆଗପଛ ହୋଇ ଫେରିଗଲେ । ଗଲାବେଳେ ଗଜେନ୍ଦ୍ର କହିଲା–ଫେରୁଛି ଅଳ୍ପକରେ ନୂଆବୋଉ ।

 

ଗଜେନ୍ଦ୍ର ଆଣିଥିଲା ତିନୋଟି ଫୁଲହାର; କିନ୍ତୁ କାହାରି ଦେଖା ପାଇଲା ନାହିଁ । ଦୁଆର ମୁହଁରେ ଅଭିନ୍ନବାବୁଙ୍କ ହାତକୁ ପତର ପୁଡ଼ାଟି ଧରାଇ ଦେଇ ଉଛୁର ହେଉଛି ବୋଲି ଚାଲିଗଲା ।

 

ଅଭିନ୍ନ ବିରକ୍ତ ହୋଇ କହିଲା–ଏସବୁ କ’ଣ ଠିକ୍‌ କାମ ହେଲା ? ଏଠି ଫୁଲ ବିକ୍ରି ହୁଏ-। ଏକଥା କ’ଣ ଜାଣ ନାହିଁ ?

 

–କୁଣିଆ ଚର୍ଚ୍ଚାରେ କେତେ ମେହନତ୍‌ ଲାଗେ ପଚାରିଥିଲ କି ?

 

–ଭଲ ନୁହେଁ ସୀମା ଡେଇଁ ଯାଉଛି ।

 

–କହିଦିଅ ଖୋଲାଖୋଲି ଯେ ଚରିତ୍ର ନଷ୍ଟ ହେଇ ଯାଉଛି । ଏମିତିରେ ଚରିତ୍ର ଯାଏ ନାହିଁ । ଲୁଚାଛପା କାମ ଓ କଥା ଚରିତ୍ରର ଶତ୍ରୁ ।

 

ସ୍ଵାମୀ ସ୍ତ୍ରୀ ବାକ୍ୟହୀନ ହୋଇଥିଲେ । କନକ ଲୁଚି ଯାଇଥିଲା ହାଣ୍ଡି ଶାଳରେ–

 

ଚରିତ୍ରର ବିଚାର ମଣିଷର ବଡ଼ କାମ । ସମସ୍ତେ ସବୁବେଳେ ଅପରର ଚରିତ୍ରକୁ ଭଲ ବାଟରେ ରଖିବାକୁ ନାନା ପ୍ରକାରର ବରାଦ ଦିଅନ୍ତି । ସ୍ଵାମୀ ସ୍ତ୍ରୀ ଭିତରେ ସେଇଟା ନୀତିଦିନିଆ କଥା । ତୁଣ୍ଡରେ କେହି କହେ ଆଉ କିଏ ନୀରବରେ ସେଇ ବିଚାର କରେ ।

 

ସୁତପା ଆଉଜି ବସି ରହିଲା ପିଣ୍ଡାରେ । ଆକାଶରେ ତାରାଗୁଡ଼ିକ ଉଜ୍ଜଳ ଆଲୁଅ ଦେଉଥିଲେ–ଅନ୍ଧାରରେ ବି ଆଲୁଅ ଅଛି । ସେଇ ଆଲୁଅ ଅନ୍ଧାରକୁ ପୂରା ଘୁଞ୍ଚେଇ ପାରିବ ନାହିଁ ।

 

ଇଚ୍ଛା ହେଲା ରୋକଠୋକ୍‌ କହି ଦେଇ ଗୋଟାଏ ମୀମାଂସା କରିବ । କିନ୍ତୁ ଅଭିନ୍ନବାବୁଙ୍କ ଉପରେ ତାହାର ମାୟା ହେଲା । ଅଳ୍ପର ମଣିଷ । ତେଣୁ ବିଚାର ଛୋଟ । କହିଲେ ଭାଙ୍ଗିପଡ଼ିବେ ।

 

ଅଭିନ୍ନବାବୁଙ୍କର ମଧ୍ୟ ଭୟ ଆସିଲା । ଦି’ଦିନର ବିଦେଶରେ କଳି ଲାଗିଲେ ବୁଝାଇବାକୁ କିଏ ଅଛି ? ଆଉ ସେଇ ନିଜେ ଡାକି ଆଣିଥିଲେ ବନ୍ଧୁମାନଙ୍କୁ । ସେଥିରେ ସୁତପାର କିଛି ସମ୍ପର୍କ ନାହିଁ ।

 

ରାସ୍ତାକୁ ଗଲେ କାଦୁଅ ଛିଟିକା ପଡ଼େ । ସେଥିପାଇଁ କ’ଣ କେହି ତାହାର ଦେହକୁ କାଟି ଫୋପାଡ଼ି ଦେଇଛି ନା ପିନ୍ଧା ଲୁଗାକୁ ପୋଡ଼ି ପୋତି ଦେଇଛି ?

 

ନିଜଆଡ଼ୁ ଖଲବ ଆରମ୍ଭ କରି ପୁଣି ସେଥିରେ ଯାଇ ଆଉଁସିଲେ ନିଆଁ ଉପରେ ପାଣି ପଡ଼ିଲା ପରି ହଠାତ୍‌ ନିଆଁ ପ୍ରତିବାଦ କରିବ ।

 

ସେ ଡାକିଲେ କନକଙ୍କୁ । କନକର ଦେହ ଥରି ଉଠିଲା–ସେ ଯିବ ନ ଯିବ ଭାବି ପାରିଲା ନାହିଁ । ତା’ର ମନରେ ହେଲା–ଆସି ନଥାନ୍ତା କି ? ...ପୁଣି ସେ ଜାଣି ଜାଣି ଆଉ ଅଭିନ୍ନବାବୁଙ୍କ ସହିତ ଏହିସବୁ ବିଷୟରେ ଏକାଠି ବିଚାରିବାକୁ ଚାହେଁ ନାହିଁ ।

 

ସୁତପା କହିଲା–କନକ । ଭାଇ ଡାକୁଛନ୍ତି । ...ରହି ଯାଇ କହିଲା–ଆସ ବାହାରକୁ । ମୁଁ ବିରକ୍ତ ହେବାର କଥା । କିନ୍ତୁ ମନକୁ ବୁଝେଇ ସାରିଛି । ମଝିରେ ଜଣେ ଭଲଲୋକ ଦରକାର ନାହିଁ-

 

–ମୋର ଭୁଲ୍‌ । ନଭାବି କ’ଣ ପଦେ ପାଟିରୁ ଖସାଇ ଦେଲି । ଅଭିନ୍ନ କହିଲେ ।

 

–ମନ ଭିତରେ ସେମିତିକା କିଛି ଆଉଟି ହେଉଥିବାରୁ ସିନା ନଭାବିଲେ ବି ବାହାରି ଆସିଲା । କୁହ ତ କଣ ତମର ମନରେ ଅଛି ?

 

–କିଛି ନାହିଁ ।

 

–ମିଛ କଥା । ତେବେ ତମେ ଯାହା ସେମାନେ ସେଇଆ । ତମର ହାତ ଧରି ତମ ଘରକୁ ଆସି ତାଙ୍କ ସାଙ୍ଗରେ କେଳି କଲେ କ’ଣ ହବ ଶୁଣେ ? ଯେଉଁମାନଙ୍କୁ ମନରେ ଏତେ ଡର, ତାଙ୍କଠାରୁ ବଡ଼ ଓ ଯୋଗ୍ୟ ହେବାକୁ ଚେଷ୍ଟା ନ କରି ମତେ ଜଗୁଆଳି ପରି ଜଗି ବସିଲେ କଣ ହେବ ?

 

–ନାହିଁ ।

 

–ମୁଁ କହୁଛି ଶୁଣ । କନକକୁ ଗାଁକୁ ପଠାଇ ଦିଅ । ତା’କୁ ଆଣିଥିଲି ମୋର ଜଗୁଆଳି କରି । ଏବେ ଆଉ ସେତକ ଦରକାର ନାହିଁ । ତମେ ଦି’ଓଳି ଏଠି ମତେ ଜଗ ଆଉ ଅଫିସ ଗଲାବେଳେ ତାଲା ଦେଇଯିବ । ତାହାହେଲେ ସୁତପା ବିଗିଡ଼ିବ ନାହିଁ ।

 

–କ’ଣ କହୁଛ ଏମିତି ?

 

–ତମେ ବୁଝିନାହଁ । ମୁଁ ବୁଝେଇ ଦଉଛି । କଲିକତା ସହରରେ ଚଳି ଆସିଛି । ସେଠି ଗୋଟାଏ କୋଠାକୁ ତମର ଗାଁ ଛୋଟ । ସେଥିପାଇଁ ତମର ସାହସ ଉଣା । ସେଠି ଖରାପ ଲୋକ ଅଛନ୍ତି ବୋଲି ଶୁଣିଥିବ ।

 

–ଛାଡ଼ ସମସ୍ତେ କ’ଣ ଖରାପ ହେଇପାରନ୍ତି ?

 

–ହୁଅନ୍ତୁ କି ନ ହୁଅନ୍ତୁ, କଥା ତ ମୋଟ ହେଇ ଗର୍ଜ୍ଜୁଥିବ । ସେଠି କାହିଁକି, ସବୁ ବଡ଼ ବଡ଼ ସହରର କଥା ଗୋଟିଏ–କିଏ ପେଟ ପାଇଁ ଆଉ କିଏ ମନ ପାଇଁ ସେମିତି ବିଗିଡ଼ା ହୁଏ । ପେଟ ପାଇଁ ମୂଲ ଦେବାକୁ ତମର ଏଇ ସାଙ୍ଗସାଥୀଙ୍କୁ ନିଲାମ କଲେ ବୋଧହୁଏ ଅଣ୍ଟିବ ନାହିଁ । ମନପାଇଁ ବିଗିଡ଼ିବାକୁ ୟା’ଙ୍କ ଭିତରେ କିଏ ?

 

ଛାଡ଼ ।

 

–କୁହ । କିଏ ସେହି ମହାତ୍ମା ? –ଯିଏ ତାସ–ନା ଲୁଡ଼ୋ–ନା ଚା’କପ–ନା ଚୁଲି–ନା ଫୁଲ ହାର ? ଏଗୁଡ଼ାକାର କିମତ୍‌ ତମର ଗାଁ ଆଡ଼େ ଥାଏ । ସମସ୍ତଙ୍କ ପାଖରେ ବାରି ପୋଖରୀର ପ୍ରେମଲିଳା ଅବା ଧାନ ଅମାର ପାଖ କେଳିର ମୂଲ୍ୟ ନଥାଏ ।

 

–ଏତେ ଲାଜ ଦିଅନା ସୁତପା ।

 

–ସେଥିପାଇଁ ନୁହେଁ । ତମର ମନରୁ ଟିକିଏ ଅଳନ୍ଧୁ ଝାଡ଼ୁଛି । ସ୍ତ୍ରୀର ଖାଉନ୍ଦ, ମୁନିବ କି ପ୍ରଭୁ କୁଆଡ଼େ ଆରବ ଦେଶରେ ଅଛନ୍ତି–ଏଠି ସେମିତି ହବାକୁ ଚାହୁଁଛ କାହିଁକି ? ଆମ ଭିତରେ କି ସମ୍ଭନ୍ଧ ଜାଣିଛ ?

 

–ହଁ

 

–କ’ଣ କହିଲ ।

 

–ଆମେ ଜୀବନରେ ଆଉ ମରଣରେ...

 

–ଛାଡ଼ ସେ ପୁରୁଣା କଥା । ଭାବୁଥିବ ମାଈ ଓ ଅଣ୍ଡିରା ଭୁତ ଗଛରେ ବସା ବାନ୍ଧି ଯୁଗଳ ସାଜିବେ ?

 

ସମ୍ଭାଳି ନପାରି କନକ ହସି ପକାଇଲା ଶବ୍ଦ କରି ।

 

–ହେଇ କନକ ଡରିଗଲାଣି । ...ମରଣ ପରେ ଯୁଗଳ ବାନ୍ଧିବା ମିଛକଥା । ଏହି ଜୀବନ ଭିତରେ ଯୁଗଳ ଯାତ୍ରା ଚାଲିଥିବ ସେଇଯାଏ ଯେଉଁଠି ତମର କଥା ଓ କାମକୁ ମୋର ଖାତିର ରହିବ ଆଉ ତମେ ବି ମୋର କାମ ଓ କଥାକୁ ସେଇ ଓଜନ ଦବ । ଦେଇ ନପାରିଲେ କ’ଣ ହବ କହିଲ ?

 

–କଳି ଲାଗିବା ।

 

–ପୁଣି ଭୁଲ୍‌ ହେଲା । ସମାନ ଭିତରେ କଳି ଲାଗେ । ଅତି ନିଉଛୁଣା ନିଉନ ଯାଇ ବିଷ ଖାଏ । ଏଠି ସେ ସବୁ କିଛି ହବ ନାହିଁ । ସୁତପା ଉଠିବ ଆଉ ଚାଲିଯିବ । ବୁଝିପାରିଲ ?

 

ଅଭିନ୍ନ ଚୁପ ରହିଲା । ସୁତପା ସେଇ କ୍ରୋଧକୁ ଶାନ୍ତ କରି ମିଠା ହସରେ କହିଲା–ଲୁଚେଇବି ନାହିଁ । ତମ ପ୍ରତି ମୋର ଭାରି ମାୟା । କାରଣ ତମେ ସରଳ ଓ ନିରୀହ । ସେଇଥିପାଇଁ ତମକୁ ଭଲ ପାଏ । ତୁମକୁ ଠକେଇବା ପାଇଁ ଇଚ୍ଛା ନାହିଁ । କ’ଣ ଠକେଇ ପାରିବି ?

 

–କେଜାଣି ?

 

–ଏତକ ବି ଗୋଚରକୁ ଆସିନାହିଁ । ଯେ କୌଣସି ସ୍ତ୍ରୀ ଯେ କୌଣସି ପୁରୁଷକୁ ଶହେଥର ଠକିପାରେ–ଆଖି ଆଗରେ । ଦୁଆର ଫାଟକ, ପିଠିରେ ବେତ, ଅବା ନୀତିଶିକ୍ଷା ସେସବୁକୁ ବ୍ୟର୍ଥ କରିପାରେ ନାହିଁ । ତାହାର ଔଷଧ ହେଲା–ହୃଦୟର ସ୍ନେହ ଆଉ ମନର ବିଚାର ।

 

–ଭାରି ରାଗିଲା, ନା ? କୁହ, ମୋର ଦୋଷ ଧରିନାହଁ ତ ?

 

–ମୋଟେ ନୁହେଁ । ତମେ ଯାହା ଆଜି ଦେଖିଲ ସେଥିରୁ ଅନେକ ବେଶି ଦେଖିବ, ଆଉ ଶୁଣିବ । ଲୋକେ ବହୁତ କଥା କହିବେ । ତାକୁ ସହିବ । ଯଦି ସେଥିପାଇଁ ତମ ମନରେ ଦ୍ଵିଧା ଥାଏ ତେବେ ଏଇଠୁ ମେଲାଣି ହେଲେ ଭଲ । ଯେ ଯାହାର ଚରିତ୍ର ନେଇ ଯେ ଯାହାର ଘରେ ରହିବା ।

 

–କ’ଣ ବଛରାଇ ଫେରିବ ?

 

–ସେ ତମର ଗାଁ । ସେଠି ତମେ ଗାଁ ଝିଅ ବୋହୂଙ୍କ ମେଳରେ ଚରିତ୍ରକୁ ଟାଣ କରିବ । ମୁଁ ଫେରିଯିବି ମୋ’ ଘରକୁ । ... ଆଉ ହଁ, ତମର ପୋଖରୀ, ତାଳଗଛ ଆଉ ଧାନବିଲ ? ସେଗୁଡ଼ାକ ପାଇଁ ସୁତପା ଭାଗ ବସିବ ନାହିଁ ।

 

ନିଷ୍ଠୁର କଥାର ଆଘାତରେ ଅଭିନ୍ନ ବିବ୍ରତ ହୋଇପଡ଼ିଲା । ...କ’ଣ ସୁତପା କହୁଛି ? ମୁଣ୍ଡ ଭିତରେ ତା’ର କ’ଣ ପଶିଲା କେଜାଣି ?

 

–ଆଲୋ କନକ । ଟିକିଏ ଚା’ପାଇଁ ପାଣି ବସାଇଲୁ । ବୈଠକ ଜମୁ ନାହିଁ । ଆମେ ଏକାଠି ଦି’କପ୍‌ ଚା’ ଖାଇବୁ ।

 

କେତେବେଳେ ସେମିତି ସେମାନେ ବସି ରହିଲେ । ଆକାଶର ନକ୍ଷତ୍ରମାଳା ସେମିତି ଜୁଳୁଜୁଳୁ ହେଉଥିଲେ । ପାଖରେ ମଇଳା ଆଲୁଅ ଦୁଆରରୁ ଦେଖାଉଥିଲା । କନକ ଏକୁଟିଆ ଚା’ ତିଆରି କଲା । ସୁତପା ଆଉ ଅଭିନ୍ନ ମନ ଭିତରକୁ ଦେଖୁଥିଲେ ।... ମଣିଷ କେଡ଼େ ଏକାଟିଆ ।

 

କଥାର ଶେଷ ହେବ । ...ଚା’ କପକୁ ଅଭିନ୍ନବାବୁଙ୍କୁ ବଢ଼ାଇ ଦେଇ ସୁତପା କହିଲା–ଚା’ ନିଅ । ନିଜକୁ ବଡ଼ କର । ତାହାହେଲେ ତମର ସ୍ତ୍ରୀ ତମର ମନର ଖେଳଣା ହେବ । ସେ ହେବ ନିଜେ ନିଜର ଜଗୁଆଳି ।... ଆଉ ଯଦି ବଡ଼ ହେଇ ନପାରିବ ଯାଅ ଖୋଜିଆଣ ଗାଁରୁ ଗୋଟାଏ ପେଟକାବୁରୀ ଅବା ଯାହାକୁ ଦାନା ମିଳେ ନାହିଁ ।... ମୁଁ ରାଜି ।

 

ଅଭିନ୍ନ ଚାଲିଯିବାକୁ ବସିଲା । ଆକଟ କରି ସୁତପା କହିଲା–ବସ । ଆଜି ଭାରି ପିତା ଲାଗୁଛି । କିନ୍ତୁ ମରିବାଯାଏ ଆଉ ଦିନେ ବି କଳି ହେବ ନାହିଁ । ଆଗରେ ଭଲଭଲ ହୋଇ ଚଳିବା ପାଇଁ ମନଟାକୁ ଖୋଲିଦବା ଦରକାର ପଡ଼ିଲା । ...ସେଥିପାଇଁ କହୁଛି ବଡ଼ ହେବାକୁ ଚାହୁଁଥିଲେ ରାଣୀଟିଏ ଖୋଜ । ଛୋଟ ହେବାକୁ ରାଜିଥିଲେ–ଚାକରାଣୀଟିଏ–ଆଣ । କ’ଣ ଦରକାର ତମର-?

 

–ରାଣୀ ।

 

–ହସି ସୁତପା କହିଲା । ଏଇଆ ଶୁଣିବାକୁ ଚାହୁଁଥିଲି । ମୋର ସ୍ଵପ୍ନ ଠିକ ହେଇଛି । ଆଉ ମୋର ସବୁ ଦୋଷ କ୍ଷମା ଦେଇପାରିବ ?

 

କି ଦୋଷ ?

 

–ଯଦି ମୁଁ ଚରିତ୍ରହୀନା ହୁଏ ଯାହାକୁ ଗାଉଁଲି ଭାଷାରେ କୁହନ୍ତି ବେଧେଇ ଅବା ଛିଣ୍ଡାଳି-। ସେମିତି ଅନ୍ୟ ଲୋକକୁ ଆପଣା କରେ ତାହାହେଲେ...

 

–ମୁଁ ଆତ୍ମହତ୍ୟା କରିଦେବି ସୁତପା ।

 

–ଆତ୍ମହତ୍ୟା ? କାହିଁକି କରିବ ? ପଚାରିବା କଥାର ଉତ୍ତରରେ ଆତ୍ମହତ୍ୟା କିଏ କେବେ କରିଛି ? ଜୀବନକୁ ଅତି ଭଲ ପାଇଲେ ଆତ୍ମହତ୍ୟା କରିବ । ବଡ଼ ହେଇଥିଲେ ଆତ୍ମହତ୍ୟା କରିବ । କେବେ କ’ଣ ପୋଖରୀର ବେଙ୍ଗ, ହୁଡ଼ା ଉପରର ଘାସ ଅବା ଅରଖବୁଦା ଆତ୍ମହତ୍ୟା କରିଛି ବୋଲି ଶୁଣିଛ କି ? ଛେଳି, ମେଣ୍ଢା, ଗାଈ, ଗଧ–ଏମାନେ କରନ୍ତି ନାହିଁ ।

 

–ତମର କଥା ଭାରି କାଟୁଛି ।

 

ମିଛ କଥା ସବୁଦିନେ ସୁଆଦିଆ । ମୁଁ ଯଦି କହିବି ତମେ ମୋର ଇହକାଳ ପରକାଳର ଦେବତା ଆଉ ପୂର୍ବ ଜନ୍ମର ବି ଦେବତା ଆଉ ତମପାଇଁ ମୁଁ ନିଜକୁ ଝାସ ଦେବି ନିଆଁରେ ଅବା ପାଣିରେ ତେବେ ଶୁଣିବାକୁ ଭଲ ଲାଗିବ । କିନ୍ତୁ ଭଲ ମିଠା କଥା ଶୁଣିବାର ଭାଗ୍ୟ ସମସ୍ତେ ପାଆନ୍ତି ନାହିଁ ।

 

କନକ ଆସି ଠିଆ ହେଲାଣି ଦୁଆରେ–କଥାର ମୋଡ଼ ଶୁଣି ତା’ର ଭୟ ଭାଙ୍ଗିଗଲାଣି । ଅଭିନ୍ନ କହିଲେ–ପିଲାଟା କ’ଣ ଶିଖିବ ଆମଠାରୁ ? ଏଇ କଥା ?

 

ସୁତପା ହସି ଚାହିଁଲା କନକକୁ । –ଆ, ପାଖକୁ ଆ । ଯଦି କେବେ ନିଜ ଗୋଡ଼ରେ ଠିଆ ହେଇ ପାରିବୁ ତାହାହେଲେ ଭଲ କଥା ଶିଖାଇବୁ ଓ ଶିଖିବୁ । ଆଉ ଯଦି ଏମିତି ମୋରି ପରି ଖୁଣ୍ଟରେ ବନ୍ଧା ହେବା ଯୋଗ ପଡ଼େ ତେବେ ମନେରଖିଥିବୁ ତୋର ଗୋଟିଏ ଭରସା ସିଏ ହେଲା କଡ଼ା କଥା ।

 

–ଲୋକେ ପୋଷା କୁକୁରର ଦାନ୍ତକୁ ଖାତିର ଦେଖାନ୍ତି । ତାହାର ଲାଙ୍ଗୁଡ଼ ହଲାଇବାକୁ ଗୋଇଠା ମାରନ୍ତି । ମିଠା କଥା କହି ଭୁଲେଇ ଭାଲେଇ ମାଇପଙ୍କ କୋଡ଼କୁ ଦୁଇଟି ଗୋଟିଏ ଧରେଇ ଦେଇ ସଂସାରର ତତ୍ତ୍ଵ ବୁଝାନ୍ତି । ସେଇ ତତ୍ତ୍ଵକୁ ମିଛ ବୋଲି ମନେ କରିବୁ ।

 

–କି ଯୋଗରେ ରାତି ପାହିଥିଲା କେଜାଣି ? ଆଜି ମହାଭାରତ ଆରମ୍ଭ ହେଲାଣି ।

 

–ମୋଟେ ନୁହେଁ । ଆଜି ଶେଷ । ଏମିତି ସମସ୍ତେ ଆସିବେ । ଯେ ଆସିବେ ହସ ଖୁସିରେ ଯିବେ । ...ମୁଁ ମୋର ମନଇଚ୍ଛା ଭେଟି ମାଗଣ, ଦାନ ସବୁ ନେବି । ଏଇ ଘର ମୋର–ମୋରି କଥାରେ ଘର ଚଳିବ । ଏଥିରେ ରାଜି ନ ହେଲେ ଅନ୍ୟ ବ୍ୟବସ୍ଥା କର । କ’ଣ କହୁଛ ?

 

–ହଉ, ତମରି କଥାରେ ଚାଲୁ ।

 

–ଭାରି ଖୁସି ହେଲି । ଅତି ଅଳ୍ପ ସମୟରେ ବୁଝିପାରିଲ । ...ମୁଁ ତୁମକୁ ଜବାବ ଦଉଛି ଯେ କେବେହେଲେ ତମ ପାଖରେ ସ୍ଵାମୀଦ୍ରୋହୀ ହେବି ନାହିଁ । ତମର ସରଳ ମନର ବିଶ୍ଵାସ ତୁମକୁ ଏତକ ଆଣି ଦେଲା...ଅବିଶ୍ଵାସ କରିଥିଲେ...ଛାଡ଼ ।

 

ତେଣେ ଅଭିନ୍ନବାବୁଙ୍କର ମେସ୍‌ରେ ସେଇ କଥା–ଯେଉଁଠିକି ଯାଅ ଏଇ ମାଇପି ଲୋକଙ୍କର ଦରକାର ହେଉଛି ଗୋଟିଏ କଥା ।

 

କ’ଣ ଆଣିଛ ?

 

–ଆରେ, ବାବୁ, ଖଟି ଖଟି ପେଟ ପିଠିରେ ଲାଗିଯାଉଛି ତେବେ ବି ସୁବିଧା ହେଉ ନାହିଁ-। ବର୍ଷକୁ ବଢ଼ିବ ପାଞ୍ଚ କି ଦଶ ଟଙ୍କା । ସେଥିରେ ବଢ଼ିଯାଉଥିବା ପରିବାର ପୋଷି ହେବେ ବୋଲି ସରକାର ଅଙ୍କ କଷିଛନ୍ତି । ଏଥିରେ କିଏ କାହାକୁ କ’ଣ ଦେବ ?

 

–ନ ଦିଅ । ଖାଲି କଥାଭାଷା କର । ଚାଲିଆସ ।

 

–ଫୁଲଟିଏ ଦେଖିଲେ ଛିଣ୍ଡାଇବାକୁ ମନ ହେଲାଣି । ଫୁଲ ଛିଣ୍ଡାଇଲେ ପତ୍ର ବି ଖଣ୍ଡିଆ ହେଲାଣି । ଏଣେ ଫୁଲ ହାତରେ ରହୁ ରହୁ ଶୁଖିବ ଆରମ୍ଭ କଲାଣି । ଏଥିରେ ପୁଣି ଦରକାର ଫୁଲ ହାର ।

 

–ଗଜେନ୍ଦ୍ର ମହାପ୍ରଭୁ ନେଇଥିଲେ ଛ’ଅଣାର ହାର । ଦୁଆର ଚଉକାଠ ଟପିଲେ ନାହିଁ । ...ଆହାରେ ବିସିନି ।

 

–ମୋର କାମ ଥିଲା ଚାଲି ଆସିଲି ।

 

–ଏମିତି ? ଆଣିଲା ଆମପାଇଁ ଦିନେ ଫୁଲ । ଫୁଲହାର ପକାଇ ବୁଲିବା ।

 

–ଆଉ ତୁମେ ସବୁ ଗୋଟିଏ ଗୋଟିଏ ସଉଦା କିଣି ଯାଇଥିଲ କାହିଁକି ?

 

–ତାଙ୍କର ଧାରୁଆ ହେବୁ ନାହିଁ ବୋଲି ? ଅଣାକର ଖାଇଲୁ । ଚାରିଅଣା ଦେଲୁ ।

 

–ବାକି ତିନିଅଣା ?

 

–ମାଇପି ହୋଟେଲର ପରସୁଣିଆ ଖର୍ଚ୍ଚା ।

 

ହୋ ହୋ ହସ ଭିତରେ ସୁତପା ଆଉ କନକ ଆସି ସେହି ଆଲୋଚନାର ବିଷୟ ହୋଇଗଲେ–ଭାରି ମଜ୍ଜାଦାର ଯୋଡ଼ୀ । ସହରୀ ଗାଉଁଲି, ଛଉକୀ ଓଲମି, ଭଉଣୀ ନଣନ୍ଦ–କେତେ ଭେକରେ ଆସିଛନ୍ତି । ତେବେ ହୁସିଆର–ଏଇ ସହରୀ ଖଣ୍ଡିକ ପକେଟମାର ପେଣ୍ଠ କଲିକତି ଟ୍ରେନିଂ । ସାବଧାନ ନ ହେଲେ ଖାଲି କମିଜ ଥିବ–ପକେଟ ନଥିବ ।

 

କଥା ସାର ହେଲା ଯେ ସୁତପା ଗୋଟିଏ ପକେଟମାର । ଦିନକ ଭିତରେ ସେ ପକେଟରୁ କିଛି କିଛି ଖସେଇ ଦେଇଛି ।

 

ଜନାର୍ଦ୍ଦନ ଓ ସୀମାଦ୍ରି ପ୍ରତିବାଦ କଲେ–ଆହା, ଯେଉଁଠି ଆଦର ପାଇଲ ତାକୁ ଆଣି ନଙ୍ଗଳା କଲ । ଭଗବାନ୍‌ ସହିବେ ନାହିଁ ।

 

–ଆହାରେ ଦରଦ । ଓଲୁ–ଟିକସ ପାଇଁ ଟଙ୍କା ସଜିଲ କରିଥାଅ । ପକେଟରୁ ଗଲାବେଳେ ଜଣାଯାଏ ନାହିଁ । ଜଣାପଡ଼ିଲା ପରେ ଆଉ ଫେରେ ନାହିଁ ।

 

–ଇଏ ତ ମନ ଲୁଟାଲୁଟି । କୁହ ଯେ ଦିଲ୍‌ର ପକେଟମାର । ଆଉଜଣେ ଯୋଗ କଲେ-

 

–ସିଏ ଆଉରି ଅଡ଼ୁଆ । ଟଙ୍କା ଗଲେ ପୁଣି ରଖି ଦେଇ ହବ । ଦିଲ୍‌ ଲୁଟ୍‌ ହେଇଗଲେ ତେଣିକି ରାସ୍ତାରେ–ଆଦର୍ଶ ବ୍ୟର୍ଥ ପ୍ରେମିକ ଦେଖା ଦେବେ ।

 

–ହୁଅ ବଂଧୁ, ହୁଅ । ଜନାର୍ଦ୍ଦନ ଆଉ ସୀମାଦ୍ରି–ଦର୍ପଣ ଆଗରେ ଠିଆ ହେଇ ଦେଖ । ରାଣୀ ହରିନେଲେ କଳା । ଆଉ ଖାଲି ଦେହକୁ ଦେଖାଇ ବୁଲିବ ଅଫିସରେ, ମେସ୍‌ରେ ଆଉ ବଜାରରେ ।

 

ମଣିଷ ତାହାର କୃତଜ୍ଞତା ଦେଖାଇବାକୁ ଯାଇ କୃତଘ୍ନତାର ପସରା ଅଜାଡ଼ି ଦିଏ । ମଣିଷ ମାତ୍ରକେ ହେଲା ସ୍ଵାର୍ଥପର । କୃତଜ୍ଞତା ପରଶିଲେ ତାହାର ହୃଦୟ ଖାଲି ହେଇଯିବ । ସେଥିପାଇଁ ସେ ଆଣି ଅଜାଡ଼େ କୃତଘ୍ନତା । ତଥାପି ଆମର ସମାଜ ଚାଲେ ।

 

ଯେ ଯାହାର ମନ ଅନୁସାରେ ସେଇ ସନ୍ଧ୍ୟାର ଛବିକୁ ସ୍ମୃତିରେ ରଙ୍ଗାଇ ଶୋଇବାକୁ ଗଲେ । ପ୍ରଥମ ପରିଚୟ ପରେ ସୁତପା ଆଉ କନକ ମନର ପ୍ରତିମା ହୋଇଯାଇଥିଲେ । ଇଏ ହେଲା ମନର ପରିଚୟ ଓ ପ୍ରୀତିର ପହଲି ପାହାଚ ।

 

ତହିଁଆର ଦିନ ଅଫିସରେ ଅଭିନ୍ନବାବୁଙ୍କ ପ୍ରତି ଆଦର ଓ ଅନୁଯୋଗର ଶେଷ ନାହିଁ । ଯେଉଁମାନେ ସବୁଠାରୁ କଟୁ ମନ୍ତବ୍ୟ ଦେଇଥିଲେ ତାଙ୍କର ତଦବିର ସବୁଠାରୁ ଅଧିକ । ନ ହୁଅନ୍ତା ବା କେମିତି ? ଗଣତନ୍ତ୍ରରେ ନେତାଙ୍କୁ ଯିଏ ଯେତେ ସମାଲୋଚନା କରେ ସେଇ ସେତେ ଅଧିକ ବତି ପେଲେ ।

ଭିତିରିଆ ଖବର ଭାରି ଚଞ୍ଚଳ ଦରକାର–ସୁତପାର ପିଲା କେବେ ହେବ ? ଅଭିନ୍ନବାବୁ ମୁହଁ ଶୁଖେଇ ଦିଅନ୍ତି । ତାଙ୍କୁ ତିଆରି ସମସ୍ତେ କହନ୍ତି–ଏଇ ସାମାନ୍ୟ କଥାକୁ ଚିନ୍ତା ? ଆମେ ଅଛୁ-। ଆମେ ଏତେଜଣ । ଆମେ ସାହିଭାଇ ଗୋଟେଇଲେ ତମରି ଘରେ ଲୋକ ଠିଆ ହେବାକୁ ଜାଗା ରହିବ ନାହିଁ । କୁହ–କେତେଦିନ ରହିଲା ?

–ନାଇଁ ମ, ପିଲା କାହିଁ ?

–ଆଉ ସେ କ’ଣ ଏମିତି ଖୁସିରେ ଆସି ବସା ଭଡ଼ା ନେଇଛନ୍ତି ?

–ଏବେ କାଳକୁ ଜାଣୁନାହଁ । ମାଇପଙ୍କ ଆଇନରେ ପରା ସଂସାର ଚଳୁଛି ।

–ଆରେ ଛାଡ଼ ସେ ମାଇଚିଆ କଥା । ଜନ୍ମ ହେଲା କ’ଣ ?

–ଝିଅଟାଏ ? ଆଉ ସେହି ଝିଅ କଥାରେ ଚାଲିବ ସଂସାର ? ଏଇ କ’ଣ ରଜପର୍ବ ହେଇଛି କି ଆଠକାଳି ବାରମାସୀ ?

–ଆମେ ସେ ସବୁ ଆଇନ୍‌ ଜାଣୁନାହିଁ । ଆମ କଥାରୁ ଯଦି ଆମ ଘରଣୀ ବାହାରିବେ ପଠାଇ ଦେବୁ ପିତା ଘରକୁ–ଯାଅ, ଯାଅ । ଆଉ ଏଇ ଗାଁକୁ ମନ କରିବ ନାହିଁ । ...ଅସଲ କଥା ହେଲା ଅଭିନ୍ନବାବୁ ତମର ମରଦାନି ଊଣା । ସେଥିପାଇଁ ଏତେ ମାଇପ ବୋଲା ହେଉଛ ?

 

ବ୍ୟସ୍ତ ହୋଇ ସେ କହିଲେ–ଯାହାକୁ ଉଙ୍କୁଣି ଯେଉଁଠି କାମୁଡ଼ୁଛି ସେ ସିନା ଭାଇ କହିବ-। ଆମର ଘରଣୀ ପରା ହଠାତ୍‌ ଲୁଗା ବାଂଧି କହିବେ–ଚାଲିଲୁ । ଘର କଥା ଆପେ ବୁଝ-

 

–ହବ ନାହିଁ ? ଯେଉଁ ଯୌତୁକ ଲୋଭରେ ନସରପସର ହେଉଥିଲ ତମେ ଭୋଗିବ ନାହିଁ ତ ଆଉ କିଏ ଭୋଗିବ ? ତେବେ ବେଳସୁଁ ସାବଧାନ । ମାଇପଙ୍କୁ ମୁହଁ ଦେବ ନାହିଁ । ଦେଲେ ସେ ତମର ମୂଳଦୁଆ ଚହଲେଇ ଦେବେ ।

 

ସ୍ତ୍ରୀମାନଙ୍କୁ କଡ଼ା କଟକଣା ଭିତରେ ଚଳାଇବାକୁ ପ୍ରତ୍ୟେକ ସ୍ଵାମୀ ବଡ଼ ଆଗ୍ରହୀ । ସେ ବିଷୟରେ ସମସ୍ତେ ଭାରି ଧୁରନ୍ଧର । ପଦାରେ ପରାମର୍ଶ ଦେଇ କଥା କହିବାକୁ ଭାରି କୁହାଳିଆ । ସମସ୍ତେ ମିଶି ଅଭିନ୍ନବାବୁଙ୍କୁ ବଳ ଦେଲେ ।

 

ଅଭିନ୍ନ ଭାବୁଥିଲେ ନିଜ ଘରକଥା–ସେଠି ସେ ବନ୍ଦୀ । କାରଣ ଅପର କଥାରେ ସେ ଚଳିବେ ଆଉ ତାଙ୍କ କଥାରେ କେହି ଚଳିବେ ନାହିଁ । ସ୍ଵାଧିନତାର ଏଇ ଅର୍ଥ ସୁତପା ତାଙ୍କୁ ବୁଝାଇ ଦେଇଛି ।

 

କେତେବେଳେ ଅଫିସ ଟେବୁଲକୁ ଆଉ କେତେବେଳେ ଉପରର ପଙ୍ଖାକୁ ଚାହିଁ ଭାବୁଥିଲେ–କେଡ଼େ ନିଉଛୁଣା ଜୀବନ ତାଙ୍କର । ସ୍ତ୍ରୀ ତାଙ୍କୁ ମୁହଁ ଖୋଲି ସାଫ୍‌ ସାଫ୍‌ କହୁଛି ଯେ ମନକୁ ପାଇଲେ ସେ ସ୍ଵାମୀର ବିଶ୍ଵାସ ରଖିବ ଆଉ ମନକୁ ନ ପାଇଲେ ସେ ମନଇଚ୍ଛା ବାର ଲୋକଙ୍କ ପାଖକୁ ଯିବ ।

 

–କେଜାଣି କ’ଣ ତାର ମନରେ ଅଛି ? ହେଲେ ସରଲ ଲୋକ । ନ ହେଲେ ଆଗଦିନ କ’ଣ କନକକୁ ଆଣି ପାଖରେ ବସାଇ ମିଶିମାଶି ତାକୁ ଏତେ ଘସା ଆଉଁସା ଦେଇଥାନ୍ତେ । କନକର ହାତ ଫୁଲ ପରି ଲାଗିଲାବେଳେ ସୁତପାର ହାତ ଗୋଡ଼ିପରି ଲାଗୁଥିଲା । ଉପାୟ ତା’ର କ’ଣ ବା ଥିଲା ?...ଫୁଲ ଯଦି ଧରିବ ମାଡ଼ ବି ଖାଅ ।

 

–ଭଲ ଏତିକି ଯେ ଖାତିର ନାହିଁ । ସ୍ଵାମୀକୁ ଜଗାରଖା ନାହିଁ । କଥା ବଡ଼ ଟାଣ । ହେଲେ ବି ମନ ଭିତରେ ସ୍ନେହ ଦରଦ କିଛି ଊଣା ନୁହେଁ । ...ଯେଉଁ ଫୁଲ ହାର ପାଇଁ କନ୍ଦଳ ଲାଗିଲା ସେଇ ହାର ପୁଣି ସେ ପିନ୍ଧିଲା, କନକ ଓ ସୁତପା ବି ପିନ୍ଧିଲେ... ନାକ ଘୋଷରାଇ ଦେଲେ-

 

ଛାଡ଼ । ଏଇ ସବୁକୁ ପାଶୋରି ଯିବା ଭଲ । ଯେ ଯାହାର ଧର୍ମ ନେଇ ଫଳ ପାଇବେ । ଏତେ ଆଲୋଚନାକୁ କାହାର ବେଳ ଅଛି ?

 

ନୁହେଁ ରାଗ ଓ ନୁହେଁ ସ୍ନେହ–ଏହିପରି ବ୍ୟବହାର ଅଭିନ୍ନବାବୁ ସକାଳଯାକ ପାଇଥିଲେ-। ସେଥିରେ ବି ଉପଦେଶ ଊଣା ନାହିଁ । ବସିଛ କାହିଁକି ସକାଳ ଗୋଟାକ ? ସୁତପାର ତଦାରଖ ।

 

–ଆରେ ବାବୁ । ଯାହା କାମ କରିଥିଲୁ ସେଥିରେ ପରା ଦପ୍ତରଖାନାର ମୁଣ୍ଡମାଳ ଭିତରେ ମୁଣ୍ଡଟିଏ ହେଲୁ । କିଏ ଚିହ୍ନୁଛି କାହାକୁ ? ଚିହ୍ନା ହେଇ ମୁଣ୍ଡରେ ଟିପାଟିଏ ମିଳିଲା ବେଳକୁ ସରି ଯାଇଥିବ ଚାକିରିର ପରମାୟୁ ।

 

–ବାଃ; ମୁଁ ବୁଝି ନଥିଲି । କେଡ଼େ ହୁଣ୍ଡୀ ସତରେ ।...ହଁ, ତମେ ଗୋଟିଏ ଆଶ୍ରମ କର । ସେଠି ସଂସାରର ତତ୍ତ୍ଵ ଲୋକେ ଶୁଣିବେ ।

 

–କର ଥଟ୍ଟା । ଏଇ ଥଟ୍ଟାକୁ ଡରି ମଣିଷ ଘରକୁ ଆସେ । ଘରେ ଥଟ୍ଟା କଲେ ସେ ଆଉ ଯିବ କୁଆଡ଼େ ?

 

–ଆଉ କ’ଣ କରାଯାଇପାରିବ ? ଯାହା ଯେତେ ହବାର ଥିଲା ସବୁ ଯଦି ସରି ଯାଇଛି ତେବେ ବେକାର ସହରରେ ଘରଭଡ଼ା ଗଣିବାରେ କି କାମ ? ଫେରିଚାଲ ବଛରାଇ ଗାଁକୁ ।

 

କ’ଣ କରିବା କୁହନି ?

 

–ସେକଥା ତମେ କହିବ । ମୁଁ ଥିବାଯାଏ ଖାଲି ଗୋଟିଏ କଥାକୁ ଜଗାରଖା କରିବି । ତମେ ଅଳସୁଆ ହେଇ ପାରିବ ନାହିଁ । ଘର କାମ କର, ବୁଦ୍ଧି ଖଟେଇବା କାମ କର ଅବା ଯାହା ଇଚ୍ଛା ତାହା କର–ଚୁପ୍‌ ହେଇ ବସିପାରିବ ନାହିଁ ।

 

–ଅଫିସ୍‌ ଖଟଣି ?

 

–ଦିନ ରାତିର ବାରପଣ ଖଟିଲା ଲୋକ ଏଇ ସଂସାରରେ ଅଛନ୍ତି ।...ଅଫିସ ଆଠଘଣ୍ଟା ପେଟ ପାଇଁ ଆଉ ଆଠଘଣ୍ଟା ଭବିଷ୍ୟତ ପାଇଁ । ବାକିତକ ଯେମିତି ଯାହା ଇଚ୍ଛା...

 

–ବେଶ୍‌ ମାଷ୍ଟ୍ର ଆସିଗଲେ ଏଥର ।

 

ହସି ସୁତପା କହିଲା–ପରେ ମନେ ପକାଇବ । ଖାଲି ଯାହା ଭାବୁଥିଲ ମାଇପେ ଆସନ୍ତି ଭଣ୍ଡିବାବୁ ଆଉ ତଣ୍ଡିବାବୁ । ସେଇଟା ଠିକ୍‌ ନୁହେଁ । ଗୋଟିଏ ସ୍ତ୍ରୀ ବା ଭାରିଜା ଚାହିଁଲେ ତମର ଜୀବନରେ ସୁନା ଛାଆଣି କରି ଦେଇଯିବ । ଆଉ ଓଲଟା ଚାହିଁଲେ ବି ମୁଣ୍ଡ ଆଉଁସିବାକୁ ଗୋଟିଏ ବାଳ ଛାଡ଼ି ନ ଥିବ...

–ଆଚ୍ଛା, ସତ କହିଲ । କ’ଣ ପାଇଁ ଏତେ କାମ କରିବି ?

–ମତେ ପାଇଛ ବାହାଘର ଆଇନ ବଳରେ । ଯୋଗ୍ୟତାରେ ପାଇ ନାହଁ । କାମ କଲେ, ପ୍ରାଣ ପଣ କରି ଖଟିଲେ ମୁଁ ତମକୁ ପାଇବି ତମର ଯୋଗ୍ୟତାର ଖାତିରରେ । ଏଇ ମାଇପିଟିର ମନର ଟେକ ଯେମିତି ରହେ ।

ଅଭିନ୍ନବାବୁଙ୍କର ଛାତି ଫୁଲି ଉଠୁଥିଲା । ଏତେ ଶ୍ରଦ୍ଧାରେ ମଣିଷ ହୁଅ ବୋଲି କେହି ତାଙ୍କୁ କେବେ କହିନାହିଁ ।

ବହୁତ ଏଣୁ ତେଣୁ କଥା ହେଇଗଲା । ଯିଏ ଶୁଣିବ ହସି କହିବ କାଉ ପିଲା ଖଣ୍ଡିଉଡ଼ା ଦେଇ କା କା କରୁଛନ୍ତି । ଜୀବନର ଚଳଣି ଖାଲି ଏମିତି ଗମତ୍‌, ବୈଠକ୍‌ ଆଉ ଆଲୋଚନା ଚକ୍ର ନୁହେଁ । ...ଆଜି ଓ କାଲି ପୁରା ଛୁଟି...ସମସ୍ତେ ଯେ ଯାହାର କାମକୁ ଆଦରିବେ । କାମର ଫଳମୂଳ ପରୀକ୍ଷା ନ କରି ଦିନର ଦଶଅଣା ବାରଅଣା ଖଟିବେ ।

ଉଠିଗଲାବେଳେ ତେରଛା ଚାହାଣୀରେ ସୁତପା ଅଭିନ୍ନର ଆଖି ଦୁଇଟିକୁ ମୁଗ୍‌ଧ କରି କହିଥିଲା–ତମେ ମୋର । ମୁଁ ତମର । ଆମ ଦୁହିଙ୍କର ପରସ୍ପର ସହଯୋଗରେ ଏଇ ଛୋଟିଆ ସଂସାର...ସେଇ ସଂସାରକୁ ସଜାଡ଼ିବା ।

 

ଅଭିନ୍ନ ମଧ୍ୟ ସ୍ପଷ୍ଟ ଅନୁଭବ କରିଥିଲା ଯେ ସୁତପା ତାହାର କଥା ଓ କାମରେ ତାହାର ମନ ଉପରୁ ଅବିଶ୍ଵାସର ଦାଗ ଲିଭାଇ ଦେଇଛି । ସୁତପା ସେଦିନ ତାକୁ ନୂଆ ରୂପରେ ଦେଖା ଦେଉଥିଲା–ଗୋଟିଏ ବଡ଼ ଆଦର୍ଶ ପରି । ଅଭିନ୍ନକୁ ସେ କହୁଥିଲା–ବସିଗଲେ ବସିଯିବ । ଉଠ–ଠିଆ ହୁଅ–ଚାଲ । କୁଆଡ଼େ ଯିବ–ସେକଥା ସେହି ଆକାଶର ପ୍ରଭୁ ଇଶ୍ଵର କହିବେ ।

 

–ଶୁଣିଲୁ କନକ । ଏଣିକି ଆଉ ଢିଲାଢ଼ିଲା ଚଳିବ ନାହିଁ । ଘରକାମ ସବୁ ହାତରେ କରିବା ଛଡ଼ା ବାଟ ନାହିଁ । ସେତକ ସାରି ବାକି ଯାହା ସମୟ ବଳିଲା ସେତକ ଯେମିତି ପୁରା କାମରେ ଲାଗିବ । ଖରାପ କାମ ହେଲେ ବି ସେଥିରେ ଲାଗିବାକୁ ପଡ଼ିବ । ନହେଲେ ଏଠୁ ଫେରିଯିବୁ ଓଳିକ ଭିତରେ ।

 

କନକ ହସି କହିଲା–ମୋଟେ ଦି’ଟା ଦିନ ହେଇଛି । ତମେ ଅପା ଯାହା ଗର୍ଜିଲଣି ସେତିକି ମେଘ ହବଟି ?

 

ଗମ୍ଭୀର ହୋଇ ସୁତପା କହିଲ–କିଏ କହିବ ? ମୁଁ କେଉଁଠିକି ଯାଉଥିଲି ଆଉ କୁଆଡ଼େ ଆସିଛି–ଭାବିଲେ ମତେ ସବୁ କାମ ଅସମ୍ଭବ ଲାଗିଲାଣି । ଈଶ୍ଵରଙ୍କର ଯାହା ବରାଦ ଥିବ...

 

ସଂସାରର ହର୍ତ୍ତାକର୍ତ୍ତା ଦୈବ ବିଧାତାଙ୍କୁ ମନରେ ହେଜି ଆଗେଇ ଯିବା ବହୁତ ଯୁଗର ଚଳଣି ବାଟ । ମଣିଷ ତାହାର ମନ ବା ଖିଆଲକୁ କେବେହେଲେ ଚବିଶଘଣ୍ଟା ଅକତିଆର କରିପାରେ ନାହିଁ । ନିଜର ସୁଖ ପାଇବା ଓ ସୁଖ ନପାଇବାର କଷଟିରେ ସେ ଏପାଖ ସେପାଖ ହୋଇ ଆଗେଇ ଚାଲେ–ବଡ଼ ନଇ ଉପରର ଡଙ୍ଗା ପରି ।

 

ନିଜକୁ ଦୋଷ ନ ଦେଇ ସେ ସବୁବେଳେ ଦୋଷ ଦିଏ ଆଉ ଜଣକୁ । କେହି ନ ମିଳିଲେ ସେ ଦୋଷ ଦିଏ ଠାକୁରଙ୍କୁ–ଉପରର ବିଧି ନିୟନ୍ତାଙ୍କୁ । ସେ ବା କ’ଣ କରିବେ ? ସଂସରର କାର୍ଯ୍ୟକାରଣ, ରୁଚି ଅଭିରୁଚି ଓ ମଣିଷର କୁପାଞ୍ଚ ଓ ପାଞ୍ଚର ବାଘବକୁରି ଖେଳରେ ସମସ୍ତଙ୍କର ଗାଡ଼ି ବୁଲୁଛି ।

 

ରୋଷେଇ କାମ ସାରିଦେଇ ବାବୁଙ୍କୁ ବିଦାୟ ଦେଲା ପରେ କନକ ଲୁଗା କାନିକୁ କାମୁଡ଼ି ଠିଆ ହେଲା ସୁତପା ପାଖରେ ।

 

ହସି ସୁତପା ପଚାରିଲା–କ’ଣ ? ଭାରି କାକୁସ୍ଥ ହୋଇ ଠିଆ ହେଲୁ ?

 

କନକ ହସିପକାଇଲା । –ସବୁବେଳେ ଏମିତି କଡ଼୍‌ଡ଼ା ରହିଲେ ମତେ ଡର ଲାଗୁଛି ଅପା ।

 

–ଓ, ଥଟ୍ଟା ଆରମ୍ଭ କରୁଛୁ ନା ? ଶୁଣ, ଥଟ୍ଟା ବାହାର ଲୋକ କରିବେ–ତତେ ମତେ ଆଉ ତାଙ୍କୁ । ଆମ ଭିତରେ ଥଟ୍ଟା ଉଠାଇ ଦେବା...ଏଇଟା ଆମର ଘର...ଆମେ ୟା’କୁ ଠିକଣା କରିବାକୁ ଚେଷ୍ଟା କରିବା ।

 

–କ’ଣ କରିବା କହ ? ମୁଁ କ’ଣ କେଉଁ କଥାକୁ ଆରାଜି ହେଲି ?

 

–ଆମେ ଆସିଛୁ ପାଠ ପଢ଼ିବାକୁ । ଆମର ପଢ଼ା କମ୍‌ । ଆମର ବହି ଖାତା ନାହିଁ । ସ୍କୁଲକୁ ଯାଇପାରିବା କି ନାହିଁ ଜଣା ନାହିଁ । ଗଲେ ସେଠି ବୁଢ଼ା ଶୁଆ ପରି କେତେ କେଁକଟର ହେଇ ହବ କି ନାହିଁ ଜଣା ନାହିଁ । ମୁଁ କହୁଛି ଆମ ହାତରେ ଯେଉଁତକ ଅଛି ସେତକ ଦୋରସ୍ତ କରିବା ।

 

–କ’ଣ କାମ ଅଛି ?

 

–ଘର ଝଡ଼ା, ଘରର ସଫା ସୁତୁରା, ବାସନର ସଫାସୁତୁରା, ଲୁଗାର ସଫାସୁତୁରା, ରୋଷେଇର ନାନାପ୍ରକାରର ଭେଦ, ମୁଣ୍ଡ କୁଣ୍ଡାଇବାର ନାନା କଥା–ଏମିତି ବସି ହିସାବ କଲେ ଆମ ହାତରେ ଶହେ ପ୍ରକାରର ଶିଖିବା କାମ ଅଛି । ପ୍ରତ୍ୟେକରେ ତୁ ଆଉ ମୁଁ ଲାଗି ଆପଣା ଚେଷ୍ଟାରେ କରିପାରିବା ତ ।

 

–ଏଇ ଘରକରଣା ପାଇଁ ଏତେ ତୋଡ଼ ଜୋଡ଼ ?

 

–ଘରକରଣାକୁ ଛୋଟ ବୋଲି ଉଡ଼େଇ ଦେଉଛୁ ? ଶେଷରେ ଦେଖିବୁ ଲୋକେ ଯେତେବେଳେ ତୋର ରୂପ ଯୌବନକୁ ଘୃଣା କରିବେ ସେତେବେଳେ ତାଙ୍କର ମନେ ରହିବ ତୋର ଘରକରଣା । ବୟସ ହେଲେ ଯୌବନ ଆସେ ଆଉ ରୂପ ଚହଟେ ଘରକରଣାକୁ କ’ଣ ଡାକିଲେ ଆସିବ ?

 

–କ’ଣ କରିବି କୁହ ?

 

–ଆଜି ଆମ ବାବୁଙ୍କର ଲୁଗା, ବାକ୍‌ସ, ବିଛଣା, କାଗଜପତ୍ର ସଜାଡ଼ିବା । ସବୁ ଜିନିଷ ପରିଷ୍କାର କରିବା ।

 

ସେଇ କାମରେ ସେମାନେ ଲାଗିଲେ । ପ୍ରତ୍ୟେକ ଜିନିଷର ମୂଲ୍ୟ ଅଛି । ପ୍ରତ୍ୟେକ ଜିନିଷର ମଧ୍ୟ ସଫା ହେବାକୁ ଓ ସୁନ୍ଦର ହେବାକୁ ଗୋଟାଏ ଇଚ୍ଛା ଅଛି । ସେତକ କରିବା ଆମର କାମ ।

 

ଏହିପରି ଖେଳିଲା ପରି ପ୍ରସ୍ତାବ ନେଇ ଆରମ୍ଭ କରିଥିଲେ କିନ୍ତୁ ଅଭିନ୍ନବାବୁ ଆସିଲାବେଳକୁ ତାଙ୍କର ରହିବା ଘରଟି ନୂଆ ରୂପ ନେଇଛି–ଦୁଇଜଣ ସ୍ତ୍ରୀଙ୍କର ଆଗ୍ରହ ଓ ସେବାର ରୂପ ।

 

ଅଭିନ୍ନବାବୁ ଦେଖି ଆନନ୍ଦରେ କହିଲେ–ଏତେ କାମ କରିଛ ? କ’ଣ ବା ବିଗିଡ଼ିଥାନ୍ତା ଟିକିଏ ଅଳିଆ ହେଇଥିଲେ ?

 

–ଅଳିଆ ହବ । ସଂସାରଟା ସବୁବେଳେ ଅଳିଆରେ ପୁରି ରହିଛି । ଯେତେ ଯାହା କଲେ ବି ସଫା ସୁତୁରା ଦି’ ଦିନିଆ–ଦି’ ଘଣ୍ଟିଆ । ହେଲେ ବି ଘଣ୍ଟାଏ ପାଇଁ ଟିକିଏ ଭଲ ଲାଗିବ ତ-। ଶୋଇଥାନ୍ତୁ, କନକ କହିବାରୁ ମୁଁ ରାଜିହେଲି ।

 

ହସି ଅଭିନ୍ନବାବୁ କନକକୁ ଚାହିଁଲେ–ଆରେ, କନକର କେତେ ଦରଦ ଅଛି ମନରେ ? ତାହାର ମିଠା ହାତର ଘସା ଆଉଁସା ମନେ ପଡ଼ିଲା କନକର ନୂଆ ରୁପଟିଏ ଚହଟିଗଲା ଅଭିନ୍ନବାବୁଙ୍କର ମନ ଭିତରେ–ସେ ଦେଖୁଥିଲେ ବଛରାଇ ଗାଁର ମାଂସପିଣ୍ଡୁଳା ଦେହଟିଏ ପରି । ଏବେ ଜାଣିଲେ ସେଇଠି ରହିଛି ତାଙ୍କ ପାଇଁ ଦରଦ ।

 

ସୁତପା ଚାହିଁ ରହିଛି ଅଭିନ୍ନ ବାବୁଙ୍କର ମୁହଁକୁ । ସେ ଠଉର କଲା ଯେ ଅଭିନ୍ନବାବୁଙ୍କର ଆଖି ଆପଣା ଛାଏଁ ବିହ୍ଵଳ ହେଇ ପଡ଼ୁଛି କନକ ପାଖରେ ।

 

ସୁତପା କହିଲା–ନାହିଁ କରୁଥିଲୁ ପରା କନକ । ହେଇ ଦେଖା–ୟା’ଙ୍କ ଆଖିରେ କେତେ ପ୍ରଶଂସା । ମୁଁ ପରା ଜାଣେ ପୁରୁଷଙ୍କର ମନ ବେଶି ଟାଣି ହୁଏ ଘରକରଣା ଆଡ଼େ–

 

–ତମେ ପରା କଲ ସବୁଯାକ କାମ । ମୁଁ କ’ଣ ଅଳିଆ କାହାକୁ କହନ୍ତି ଭଲ କରି ଜାଣେ ଯେ ସଫା କରିଥାନ୍ତି ?

 

ଅଭିନ୍ନବାବୁଙ୍କର ସେହି ଅଫିସ ଫେରନ୍ତା ମୁହଁ ଉପରେ ବୁଝି ନ ପାରିବାର କେଇଟା ଭ୍ରୂକୁଟି ଚହଲିଗଲା–ତେବେ ସୁତପା ଏତେ କାମ କରିଛି ? ...ସେଇ ପରିଚିତ ସୁତପା ? କଥା କଥାରେ ଯେ ଛୁରୀ ଚଳାଇଲା ପରି ବ୍ୟବହାର ଦେଖାଏ ତାହାର ପୁଣି ଆଜି ଏତେ ସରାଗ ?

 

–କ’ଣ ଭାବୁଛ ? ସୁତପା ପଚାରିଲା ।

 

–ଏମିତି । ଏତେ ପରିଶ୍ରମ କଲ ?

 

–ହେଲା କ’ଣ ? ଆମକୁ ସୁବିଧା ଦିଅ । ଆମର ପରିଶ୍ରମ ଆମକୁ ବାଧିବ ନାହିଁ ।

 

–କ’ଣ ସୁବିଧା ?

 

–ଅଳ୍ପରେ ଯାହା ହେଇ ପାରିବ । ଖର୍ଚ୍ଚଟା ଅକାରଣ ହେଲେ ବି ମନକୁ କାଟିବ ନାହିଁ ।

 

–କ’ଣ କୁହନି ?

 

–ଓଡ଼ିଆରେ ଯେତେଖଣ୍ଡ ରୋଷେଇ ବହି ଅଛି ସେତକ ଆମକୁ ଆଣି ଦିଅ । ...ସବୁ ଏକାଠି ଦରକାର ନାହିଁ । ଖଣ୍ଡେ ଆଣ । ପରେ ଆଉଖଣ୍ଡେ–

 

Unknown

–ଭଲ କଥା । ସମସ୍ତଙ୍କର ଉପକାର ହେବ । ନିଜେ ଭଲକରି ଦି’ଟା ଖାଇପାରିବ । ଆଉ ଅନ୍ୟଙ୍କୁ ଖୁଆଇ ପାରିବ ।

 

ମନ ମାରି ସୁତପା କହିଲା–ଏତିକି ହେଲା ମାଇପଙ୍କର ଜୀବନ । ଚୁଲିମୁଣ୍ଡର ସାଠିଫିକେଟ ସହଳ ଉଛୁରରେ ମିଳିଯିବ । କିନ୍ତୁ ସେଥିରେ କ’ଣ ପେଟ ପୋଷି ହେବ ?

 

–ପେଟ ପୋଷିବାକୁ କିଏ ତମକୁ ହୁକୁମ ଦେଉଛି କି ?

 

–କେହି ନ ଦିଅନ୍ତୁ, ପେଟ ପୋଷିବା ଧନ୍ଦା ଖାଲି ରୋଷେଇ ଘରେ ଶେଷ ହେଉଥିଲେ ଶେଷକୁ ଦୁର୍ଯ୍ୟୋଗ ପଡ଼ିଲେ ପରଘରେ ଅବା ନିଜ ଘରେ ରାନ୍ଧୁଣୀ ଯୋଗ ପଡ଼ିଯିବ । ଆମେ ଏତକ ଖୋଜୁ ନାହୁଁ ।

 

ହସର ଫୁଆରା ଫିଟାଇ ପୁଣି ମେସ୍‌ ବଂଧୁମାନେ ଆସି ପହୁଞ୍ଚିଗଲେଣି–ହୋ, ଅଭିନ୍ନବାବୁ । ଆମେ ପୁଣି ଆସିଛୁ ତମର ନନ୍ଦନକାନନକୁ ଦେଖିବା ପାଇଁ । ଆଜି କ’ଣ ବରାଦ ?

 

ସୁତପା ଆଗକୁ ଆସି ହସି କହିଲା–ବଡ଼ ଭଲ ହେଲା । ମୁଁ ବସି ବସି ଭାବୁଥିଲି ଯେ କେହି ଆସିଲେ ନାହିଁ । ହୁଏତ କ’ଣ ପାଇଁ ମନ ଊଣା ହୋଇଯାଇଛି ।

 

–ନାହିଁ ମ, ନୂଆବୋଉ । ଏତେ ହସଖୁସି କରି ଆମକୁ ଛାଡ଼ିଲ ଯେ ଆମେ ପରା ସେତିକିବେଳୁ ତୁମରି କଥାକୁ ଜପାମାଳି କରିଛୁ । ଭାରି ମଜ୍ଜାଦାର ଦିନଟିଏ ।

 

ସୁତପା କହିଲା–ମୁଁ ପରା ସେଇଆ ଭାବୁଥିଲି ଦେବାଶିଷବାବୁ । ଆମର ପଢ଼ା କଥା କ’ଣ ହେଲା ? ସେଇ କଥା ଆଗେଇଲା ନାହିଁ । ବସି ବସି ଭାବିଲୁ ଆଉ କ’ଣ କରିବା ? ....ଚାଲ ରୋଷେଇ ଓ ରାନ୍ଧଣା ଶିଖିବା । ବହି ଖୋଜୁଥିଲୁ । ୟା’ଙ୍କୁ ଏବେ କହୁଥିଲି ।

 

–ଆଃ, ୟେ ଆଣିବେ ସେ ସବୁ ବହି ? ଆମକୁ ବରାଦ ଦେଲେ ଲାଇବ୍ରେରୀରୁ ହଉ ଅବା ଆଉ ଯେଉଁଠୁ ହଉ ଆମେ ଖୋଜି ଲୋଡ଼ି ଗନ୍ଧମାର୍ଦନ ଆଣି ଦିଅନ୍ତୁ ।

 

–ଯିଏ ହେଲେ ଆଣି ଦିଅନ୍ତୁ । ସମସ୍ତଙ୍କର କାମରେ ଲାଗିବ ଯେ । ନୂଆ ରନ୍ଧା ସମସ୍ତେ ପରୀକ୍ଷା କରି ପାରିବେ । ଭଲ ମନ୍ଦ ବାରି ପାରିବେ ।

 

–ଏଥିପାଇଁ କ’ଣ ବହି ଦରକାର ? ଆମ ଘରେ କେଜାଣି କେତେ ପ୍ରକାରର ଏମିତି କରିପକାଉଛନ୍ତି ।

 

–ସତେ ! କେବେ ଆପଣଙ୍କର ସ୍ତ୍ରୀ ଆସିଲେ ତାଙ୍କଠାରୁ ଶିଖିବା । ଏବେ ରାନ୍ଧୁଣୀ ବହି ଦରକାର । ....ଆଉ ପଢ଼ିବା ପାଇଁ ଟିଉସନ ମାଷ୍ଟ୍ର ଦରକାର ।

 

ସୀମାଦ୍ରିକୁ ଚାହିଁ ଦେବାଶିଷ କହିଲେ–କ’ଣ କହୁଛ ? ବାହାରେ କାହିଁକି ଟିଉସନ୍‌ ଖୋଜିବ ? ଏଠି ତ ଇଏ କାମରେ ଲଗାଇବେ ଆଉ ଟଙ୍କା ଦେବେ ।

 

–ମୋଟେ ନୁହେଁ । ଏଠି ମାଗଣା ଟିଉସନ୍ । ଯେଉଁମାନେ ଅସୁବିଧା ପାଇଁ ଟିଉସନ୍ କରିବେ ତାଙ୍କ ପାଇଁ ଆମର କାମ ନାହିଁ । ଆପଣଙ୍କ ପରି ଯେଉଁମାନେ ଅଫିସ ସମୟ ବାହାରେ ହସଖୁସିରେ କଟାଇ ଦେଉଛନ୍ତି ସେଇ ହେଲେ...ଭଲ ହୁଅନ୍ତା ।

 

ସୁତପାର କଥା ଶୁଣି ଦେବାଶିଷ କହିଲା–ତେବେ କ’ଣ ଏଇଠି ମୁଁ ବନ୍ଧା ପଡ଼ିବି ? ଖେଳ ବୁଲା ଛାଡ଼ି ଦେଇ ଏଠି ବସି ବହି ଘୋଷାଇବି ?

 

–ଆଉ କ’ଣ ? ଆରମ୍ଭ କରନ୍ତୁ । ଭଲ ନ ଲାଗିଲେ ବନ୍ଦ କରିଦେବେ । ଆମେ ବି ପଢ଼ା ବନ୍ଦ କରିଦବୁ । ନଇଲେ ଆପଣ ପଢ଼ାଇବା ବନ୍ଦ କରିଦେବେ । ...ଆପଣ....କରିଥାନ୍ତୁ । କେତେବେଳେ ହେଲେ କାମକୁ ପାଇବ ଯେ ।

 

ଦେବାଶିଷ ଅଟକିଗଲେ । ତାଙ୍କର ହସ ଓ ଥଟ୍ଟା ବନ୍ଦ ହୋଇଗଲା ଏଇ ପ୍ରସ୍ତାବ ଶୁଣି–ସୁତପା କହୁଛି ଯେ ଏଥିରେ ଭବିଷ୍ୟତ ଅଛି...କି ଭବିଷ୍ୟତ୍ ?

 

ଦେବାଶିଷ ଚାହିଁରହିଲା ସୁତପାକୁ–ସୁତପା ଓଠରେ ହସର କ୍ଷୀଣ ରେଖା । ସତେ ଯେପରି ସେ କହୁଛି–ବହୁତ ଦିନ ପାଇଁ ବଂଧୁତା ଗଢ଼ିନେବାର ଗୋଟିଏ ବାଟ । କେହି ଆପତ୍ତି କରିବେ ନାହିଁ । କେହି ଖୁଣିବେ ନାହିଁ । ....ସେହି ହସରେ ସେ ଯେପରି ପଚାରୁଛି–କ’ଣ ରାଜି ? ଚଞ୍ଚଳ କହିବ ନାହିଁ ?

 

ଗମ୍ଭୀର ହୋଇ ଦେବାଶିଷ ପଚାରିଲା ମୋ ଭଳିଆ ଅଦରକାରୀ ଲୋକଟିଏ କ’ଣ କାହାରି କାମରେ ଲାଗିବ ? ...କେଜାଣି, ନୂଆ ବୋଉ ନୂଆ କଥା ପଦେ କହିଲେଣି ।

 

–ଅଦରକାରୀ କିଏ ? ଏଇ ନିଖିଳ ବିଶ୍ଵରେ ସମସ୍ତେ ଦରକାରୀ । ଯିଏ ଯାହାକୁ ଯେମିତି ଭାବରେ କାମରେ ଲଗାଇ ପାରିଲା । ମଣିଷ ଦେହରେ ଜୀଅ ଥିବା ଯାଏ ଆଉ ଜୀଅ ଛାଡ଼ିଗଲା ପରେ ବି ସେ ଦରକାରୀ । ତମର ଓ ମୋର ଦରକାରକୁ ଏକାଠି ସୁତା ଖିଅରେ ଗୁନ୍ଥିଦେଲେ ହେଲା ଆମର ସଂସାର ଆଉ ସମସ୍ତଙ୍କର ସମାଜ ।

 

–ଭାରି ବଢ଼ିଆ କଥା ତ । ମତେ କହିଲ ଦେଖି ଆମେ ପାଞ୍ଚଜଣଙ୍କ ଭିତରୁ ମତେ କାହିଁକି ସୁପାରିସ ମିଳିଲା ଏଇ ମାଷ୍ଟ୍ର ଚାକିରି ପାଇଁ ।

 

–ନ କହିଲେ ଭଲ । ଆମର ବାବୁ ବିରକ୍ତ ହେବେ ।

 

ଅଭିନ୍ନକୁ ଚାହିଁ ଦେବାଶିଷ କହିଲା–କି କଥା କି ଅଭିନ୍ନ ବାବୁ ? ତମେ ସୁପାରିସ କରିଛ ନା ?

 

–ନା ।

 

–ସେ କାହିଁକି କ’ଣ କହିବେ ? ସେ ହେଲେ ବଡ଼ ବାବୁଙ୍କର ଚାକରର କୁକୁର । ମୁଁ ହେଲି କୁତୀ । ....ଭାବିଲି ଦେବାଶିଷ ବାବୁଙ୍କର ଦୁଇଟି ପିଲା । ସେ ହେବେ ଉପଯୁକ୍ତ ଲୋକ ପାଠ ପଢ଼ାଇ ପାରିବେ । ଆମର ଭବିଷ୍ୟତର ହିତକୁ ବି ଆଖି ଆଗରେ ରଖିପାରିବେ ।

 

–କେମିତି ?

 

–ତମେ କ’ଣ କାହାକୁ ଆଉ ବିଗାଡ଼ି ପାରିବ ? କାହାରି ଘରକୁ ଭାଙ୍ଗିପାରିବ ? ...କେବେ ନୁହେଁ । ଅନ୍ୟମାନେ ପାରନ୍ତୁ ନ ପାରନ୍ତୁ ଚେଷ୍ଟା କରିବେ । ତମେ ଚେଷ୍ଟା ବି କରିବ ନାହିଁ-

 

–ଓ, ଏମନ୍ତ କଥା । ତମର ବୋଧ ହୁଏ ମନରେ ହେଲାଣି ଯେ ଦେବାଶିଷର ନଖ ଦାନ୍ତ କଟିଗଲାଣି ।

 

ହସି ସୁତପା କହିଲା –ଛାଡ଼ମ ସେ କଥା । ତମର ନଖ ବଢ଼ିଛି । ଦାନ୍ତ ମୁନିଆଁ ହେଇଛି-। ବୁଦ୍ଧି ବଢ଼ିଛି । ସବୁ ହେଇଛି । କିନ୍ତୁ ସଂସାରର ଘୋରଣା ତମକୁ କ’ଣ ସେମିତି ଛାଡ଼ି ଦେଇଛି-? ସେ ତମକୁ ବଦଳାଇ ଦେଲାଣି । ସଂସାରର କାମ ପାଇଁ ସଜାଡ଼ି ଦେଇଛି ।

 

–ନୂଆ କଥା ଶୁଣାଗଲା ଆଜି । ଜାଣିବା ଲୋକେ କହନ୍ତି ଯେ ବାହାସାଦି ହେଇଥିବା ଲୋକେ ରକ୍ତଚଖା ବାଘ । ସେମାନେ ଦୂରରୁ ଦିଶନ୍ତି ନିରୀହ କିନ୍ତୁ ପାଖରେ ଭୟଙ୍କର । ....ଏଇ ବାବୁ କ’ଣ ତାଙ୍କୁ ନେଇ କାମରେ ଲଗାଇବାକୁ ବାହାରିଲେଣି । ବୋଧହୁଏ ମୋ’ ମୁହଁରେ ଲେଖା ହୋଇଛି –କର୍ମ ଖାଲି ବିଜ୍ଞାପନ ।

 

ଅଭିନ୍ନର ମୁହଁରେ ଲାଜର ଛାଇ ବୁଲିଗଲା–ସେ ଭାବୁଥିଲା–ଏମିତି କ’ଣ ? ଏମାନଙ୍କୁ ନେଇ ମେସ ବଜାର ଥଟ୍ଟା ମଜା ଆରମ୍ଭ କରି ଦେଲାଣି ସୁତପା । ଏକାବେଳେକେ କଣ୍ଠ ଫିଟିଛି ତ ଚାଲିଛି ।

 

ଗଜେନ୍ଦ୍ର ଓ ଜନାର୍ଦ୍ଦନ ତାଗିଦ୍ କରି ଦେବାଶିଷକୁ କହିଲେ–ଏମିତି କ’ଣ ଯାହା ଯାହାର ମନକୁ ଆସିବ ସେ ସେଇ ରାହା ଧରି ଗାଆଣ ପାଲଟିବ ? ଟିକିଏ ଭାବିଚିନ୍ତି....

 

ସୁତପା କିଛି ନବୁଝିଲା ପରି କହିଲା–ଭାବିଚିନ୍ତି ମନର କଥାକୁ ଛପା ଦେଇ କହିବା ଲୋକ ବଡ଼ ବିଷମ । କାହିଁ, ଯଦି ମନକୁ ଖରାପ କଥାଟାଏ ଆସିଲା ତେବେ କହି ଦେଇ ପରିଷ୍କାର ନ ହେବ କାହିଁକି ? ଓଲଟି ଏଣୁ ତେଣୁ କ’ଣ କହିଦେଇ ନିଜର ଚଲାଖି ବିଷୟରେ ଘରେ ବସି ମନ୍ଥି ହେଉଥିବ ବହୁତ ଦିନ ଯାଏ । କ’ଣ ଏମିତି ସିଏ କହିଲେ ଯେ ।

 

କନକର ଓଠରେ ହସର କ୍ଷୀଣ ରେଖା ଦେଖା ଦେଲା । ସେତକ ରମେଶ ଓ ସୀମାଦ୍ରିର ଆଖି ଏଡ଼ାଇ ପାରିଲା ନାହିଁ । ଖାଲି ଅଭିନ୍ନବାବୁଙ୍କୁ ଛାଡ଼ି ଆଉ ସମସ୍ତେ ମନଖୋଲି ଦି’ ଦି’ପଦ କଥା କହିବାକୁ ଆଗ୍ରହୀ ।

 

ସେଥିପାଇଁ ସମସ୍ତେ ଅଭିନ୍ନକୁ ଧରି ବସିଲେ–ତମେ କ’ହ । କାହା କଥା ଠିକ୍‌ ?

 

–ମୁଁ କ’ଣ କହିବି ? ମୋତେ ଲାଗୁଛି ସତେ ଯେପରି ଖଣ୍ଡିଆଭୁତ ଭିତରେ ମୁଁ ଖଣ୍ଡେ ପତ୍ର । କିଏ ଏହିପରି ହେବାକୁ ଚାହେଁ ?

 

–ନ ଚାହିଲେ ବି କିଏ ସେଇଆ ନୁହେଁ ଯେ । ସଂସାରର ଝଡ଼ଝଞ୍ଜା ସମସ୍ତଙ୍କୁ ଉଠେଇ ପକେଇ ଚାଲିଛି । ଯିଏ ଉପରେ ରହିଗଲା ସେ ହନୁ ମାଙ୍କଡ଼ ପରି ଗଛ ଉପରେ ଥାଇ ତଳ ମଣିଷକୁ ଖତେଇ ହୋଇପାରେ । ମନ ହେଲେ ତା’ଉପରେ ହଗ ମୁତ ଆରମ୍ଭ କରି ଦେଇପାରେ ।

 

ସମସ୍ତେ ହସି ଉଠିଲେ । ସଂସାରଟା ଆଉ ଯାହା କହ–ଏହି ହନୁମାଙ୍କଡ଼ ଆଉ ମଣିଷଙ୍କର ସମାଜ । ଗଛ ଉପରେ ଖାଲି ହନୁ ଚଢ଼େ । ମଣିଷ କେଉଁଠି ହନୁ ସାଙ୍ଗରେ ତାଳ ଦେଇପାରିବ ? ଯୁଆଡ଼େ ଚାହଁ ହନୁ ଖେଙ୍କୁଛି ମଣିଷଙ୍କୁ ...ହୋ ହୋ ହସରେ ଘର ଭାଙ୍ଗି ପଡ଼ିଲା ।

 

ସୁତପା ଆଖି କଣରେ ଚାହିଁଥିଲା ଅଭିନ୍ନକୁ–ସତେ ଯେପରି ତାଙ୍କର ବନ୍ଧୁମାନେ କହିବାକୁ ଚାହୁଁଛନ୍ତି ଯେ ସେ ହନୁମାଙ୍କଡ଼ ପରି ଏଇ ମଣିଷକୁ ଖତେଇ ହେଉଛି....

 

ଗମ୍ଭୀର ହୋଇ ସୁତପା କହିଲା–ଚାଲ କନକ ଆମେ ଚାଲିଯିବା । ଏଇ ବାବୁମାନେ ଆମକୁ ମାଙ୍କଡ଼ ସାଙ୍ଗରେ ତୁଳନା କଲେଣି । ଆମେ କୁଆଡ଼େ ଆମ ଘରେ ମାଙ୍କଡ଼ ପରି ଗଛ ଚଢ଼ିଯାଇ ମଣିଷଙ୍କୁ....

 

–ଆରେ, କୁଆଡ଼ର କଥା କୁଆଡ଼େ ଗଲା । ତମେ ଭଲ ବୁଝିବା ଲୋକ ? ଏମିତି ଯଦି ସାରାଂଶ କାଢ଼ିବ ତମକୁ ବଡ଼ ପାହିଆ ଚାକିରି ମିଳିବା ଦରକାର । ଆମେ ଆମର ଗୋଲାମଖାନା କଥା କହୁଥିଲୁ । ତମେ ତାକୁ ଭଲା ବୁଝିଲ ଅନ୍ତପୁର–ସେତିକି ନୁହେଁ ଯେ ବୁଝିଲେ କଥାଟା ହେଉଛି ତମର ଘର...

 

କନକ ଠିଆ ହୋଇଗଲା ଯିବା ପାଇଁ । ରମେଶ ଓ ସୀମାଦ୍ରି ବିବ୍ରତ ହୋଇପଡ଼ିଲେ । ହଠାତ୍ ଯେପରି ଖେଳ ଭାଙ୍ଗିଯିବ ।

 

ସୁତପା ଚାଲିଯିବା ପରି ହୋଇ କହିଲା ଯାହା ବିଷୟ ଯିଏ ଭାବିଥାଉ । ମୋର କାମ ହେଉଛି ମୋର ଖାଉନ୍ଦଙ୍କୁ ଖୁସି କରିବା ଆଉ ଖୁସିରେ ରଖିବା । ତାଙ୍କର ମତ ଯେତେବେଳେ ଯାହା ହବ ମୋର ମତ ସେଇଆ–କନକର ବି ସେଇଆ ।

 

ଜନାର୍ଦ୍ଦନ ଦୁଃଖ କଲାପରି କହିଲା–ଏମିତି ଓଲଟ ମୋଲଟ କରି ନ କହି କହି ଦିଅନ୍ତ–ଯାଅ, ଯାଅ, ସବୁ ମେସ୍‌ବାଲା । ଘର ଆଉ ମେସ୍ ଜମିନ୍ ଆସମାନ୍ ଫରକ ।

 

–ନାହିଁ ବାବୁ । ମେସ ଆଉ ଘର ଏକ ନୁହେଁ । ମଣିଷ ମଣିଷ ଭିତରେ ବି ସେଇ ଫରକ୍ ଥାଏ । ମଣିଷର ସକାଳ ଓ ସଞ୍ଜବେଳର ମନରେ ବି ସେମିତି ଆକାଶ ପାତାଳ ପ୍ରଭେଦ ଥାଏ । କ’ଣ କରାଯିବ ? ମନକୁ ନେଇ ଖାଲି ସଂସାର ଚାଲେ ନାହିଁ କାହାରି ।

 

–ଚାଲିଯିବ ସତେ ନୂଆ ବୋଉ ? ଟିକିଏ ମଜ୍ଜା କରିବାକୁ ଆସିଥିଲୁ । ଆମେ ବଡ଼ ଅଭାଗା –ଆମର ସୁଖ ନାହିଁ ।

 

–କ’ଣ କରାଯିବ ? ଯିଏ ଯାହାର ଦୁଃଖକୁ ମହାସୁଖ ବୋଲି ମିଛରେ ମନକୁ ପ୍ରବୋଧ ନ ଦେଲେ ସଂସାର ଚାଲିବ କେମିତି ? ...କହି ସୁତପା ଚାଲିଲେ କନକ ପଛେ ପଛେ ।

 

ରହିଗଲେ ଅଭିନ୍ନବାବୁଙ୍କର ମେସ୍ ଓ ଅଫିସର ବନ୍ଧୁମାନେ । ଆସିଥିଲେ ଅଭିନ୍ନବାବୁଙ୍କୁ ଉପଲକ୍ଷ କରି ଦୁଇଟି ତରୁଣୀଙ୍କର ବ୍ୟବହାରର ପରଶ ପାଇଁ । ସେଇ ପାଞ୍ଚ କୁପାଞ୍ଚ ପରି ମାଡ଼ ଖାଇଗଲା ।

 

ଘର ଭିତରୁ ସୁତପା ଦେଖୁଥିଲା ଦୁଆରେ କେଇଟି ଚଢ଼େଇ ପରି ମେସ୍ ବନ୍ଧୁ କେଇଟି ବସିଛନ୍ତି–ସବୁ ଅଛି । ଦେହ ମନ ପାଠ ଶାଠ ସବୁ । କିନ୍ତୁ କାମ ନାହିଁ ବୋଲି ବେକାର ।

 

ଗୁଣୁଗୁଣୁ ହେଇ ସେଇ ବେକାରର ମନ୍ତ୍ରକୁ ଧରିଛନ୍ତି–କ’ଣ କରିବା ? ଅଭିନ୍ନବାବୁ ମଧ୍ୟ ସେଇଆ ଭାବୁଛନ୍ତି ।

 

ଅଭିନ୍ନବାବୁ ଆଉ କରିପାରନ୍ତେ କ’ଣ ? –ସେ ହେଲେ ବାବୁ–ଘରବାଲାଗୃହ ସ୍ଵାମୀ । ବଡ଼ ପକାଇ, ହିଡ଼ ବାନ୍ଧି ଯାବତ ବାହାରର ଲୋକଙ୍କୁ ଗୋରୁ ଛେଳି ଜ୍ଞାନ କରି ଅଟକ ନକଲେ ସେମାନେ ଆସି ସବୁ ଖାଇଯିବେ–ବୋହି ନେବେ । ଆଉ ମାଲିକ ପାଇଁ ରହିବ କ’ଣ ?

 

ତାଙ୍କର ମନ ଭିତରେ ଏଇ ଆଶଙ୍କାର ବିଜୁଳି ପହିଲି ଆଷାଢ଼ର ତୀବ୍ରତାରେ ଝଲସି ଉଠୁଥିଲା । ଯେତେ ଯେଉଁଠି ପୁରୁଷ ଲୋକ ତାଙ୍କର କ’ଣ ଏଇ ଗୋଟିଏ କାମ ? –ବଂଧୁ ଭାବ ଦେଖାଇ ପରକୁ ଭଣ୍ଡିବା । ଥିଲେ ସମସ୍ତେ ମେସ୍‌ରେ–କାହିଁ କେବେହେଲେ ତାଙ୍କର ଏଇ ଅବିଗୁଣ ଶୁଣା ନଥିଲା । ଯେ ଯାହାର ଦୁଃଖ ସୁଖରେ ଷୋଳପଣି ମଜ୍ଜି ରହିଥିଲେ । ଆଉ ଏଠି ଗୋଟିଏ ଭଡ଼ା ଘର ନେଇ ଘର ବାନ୍ଧିବାକୁ ଆରମ୍ଭ ହେଲା କି ନାହିଁ ଆରମ୍ଭ ହେଇଗଲାଣି ଉତ୍ପାତ । ପ୍ରଥମେ ଚାଲିଛି ଥଟ୍ଟା ପହଳି ଆଦି ତୁଣ୍ଡରୁଚା କଥା–ସେଇଠୁ ସେଇଠୁ.......

 

ଭାବିବାକୁ ଅବସର କାହିଁ ? କାଳେ ମଣିଷ ଭୋଦବା କ’ଣ ଟିକିଏ ଭାବି ଦବ ଅବା ଭାବନା ଭିତରେ ଗୋଟିଏ କିନାରା କରି ପକାଇବ ସେଥିକି ଜାଗ୍ରତ ରହିଲେ ଏଇ ସୁତପା ଆଉ କନକ–କଥା କୁହାଇ କୁହାଇ ନିର୍ବଳ ଆଉ ବୁଦ୍ଧୁ ବନାଇ ଦେବେ । ସେଥିରେ ପୁଣି ଏଇ ବେକାର ଦଳ ? ...ହଁ, ବେକାର ନୁହନ୍ତି ଆଉ କ’ଣ ? ଅଫିସ ଖଟଣି ଏମାନଙ୍କୁ ଦୁହିଁ କ୍ଳାନ୍ତି କରି ଫୋପାଡ଼ି ଦେଇପାରୁନାହିଁ ? ଏମାନଙ୍କର ଅଫିସ ଫେରନ୍ତା ଚଞ୍ଚଳତା ଦେଖିଲେ କିଏ କହିବ ଯେ ସେମାନେ ଅଫିସରେ ଖଟି ଖଟି ମରିଗଲେଣି ?

 

ଧୀରେ ଆକାଶରେ ଗୋଧୂଳିର ଛାଇ ଫିକାରୁ ଗାଢ଼ ପଡ଼ି ଆସୁଥାଏ । ସହର ରାସ୍ତାର ବିଜୁଳି ଆଲୁଅ ଉପରର ଧୂଳି ଓ ମେଘରେ ମୁହଁ ଦେଖି ସେହି ଘରର ଛୋଟ ଅଗଣାରେ ତାହାର କ୍ଷୀଣ ଆଲୁଅ ପକାଉଥାଏ । ସମସ୍ତେ ଚୁପ୍‌ଚାପ୍ ।

 

କିଏ କାହାକୁ କହିବ ଯିବାକୁ ? ସମସ୍ତେ ଭାବୁଥାନ୍ତି ଯେ ଅନ୍ୟମାନେ ଆପଣା ଛାଏଁ ହାଲିଆ ହେଇ ଚାଲି ଯିବାକୁ କହି ଚାଲିଯାନ୍ତୁ । ଯିଏ ରହିବେ ସେ ଟିକିଏ ଘରୁଆ ସାଜି ଘରୋଇ ଭାବରେ ଦୁଃଖସୁଖ ହେବେ ।

 

ଥିରି କରି ସୁତପା କହିଲା କନକକୁ–ମୋର ଭାରି ମାୟା ହେଉଛି ଏଇ ଲୋକଗୁଡ଼ିକଙ୍କ ଉପରେ । ସ୍ନେହ କାଙ୍ଗାଳ ଗୁଡ଼ିଏ । ପଦେ ମିଠା କଥା କି ମିଠା ବ୍ୟବହାର ପାଇବା ଏମାନଙ୍କ ଭାଗ୍ୟରେ ସବୁଦିନେ ନାହିଁ । ଆସିଥିଲେ ସେତିକି ପାଇଁ–ଭିକାରୀର ଲାଳିଚା ନେଇ.....ଆହା ।

 

କନକ ହସିଲା ସେହି ଘରର ଅସ୍ପଷ୍ଟ ଆଲୁଅରେ । କେଡ଼େ ସୁନ୍ଦର ସଞ୍ଜଟାଏ କୌତୁକିଆ ନହେଇ ମଉଳିଗଲା ।

 

ସୁତପା ସାମାନ୍ୟ ଶବ୍ଦ କରି ଆଲୁଅ ଲଗାଇଲା । ବନ୍ଧୁଗୁଡ଼ିକ ଚଞ୍ଚଳ ହୋଇପଡ଼ିଲେ–ସତେ କି ସୁତପା ତାଙ୍କୁ ଚାଲିଯିବା ପାଇଁ ଇସାରା ଦେଲା ?

 

–ହଉ, ଆମେ ଆଜି ଯାଉଛୁ ? ଅଭିନ୍ନବାବୁଙ୍କର ମନ ଭଲ ନାହିଁ ।

 

ସୁତପା ଭିତରୁ ଜବାବ ଦେଲା–ନାହିଁ, ଏମିତି ସଞ୍ଜ ଲାଗିଲାବେଳେ କେହି କୋଉ କାମରେ ବାହାରେ ନାହିଁ.....ଆଲୁଅ ନେଉଛି ।

 

–ଆରେ ସତେ ତ । ଏଇ ମଶାଗୁଡ଼ାକ ବେଢ଼ି ଯାଉଥିଲେ ଆଖି ଆଉ ମୁହଁକୁ । ଏକାବେଳେକେ ମୁହଁସଞ୍ଜ । ଭଲ ହେଲା ଆଲୁଅ ଟିକେ ଆସିଗଲା–

 

–ଖାଲି ଆଲୁଅ ନୁହେଁ, ଅନ୍ଧାର ବି ଆସୁଛି । ଅନ୍ଧାର ଆଉରି ଗାଢ଼ ହେବ ଆଉ ଆଲୁଅକୁ ଟାପରା କରି କହିବ ଯେ ଏଡ଼େ ମୂର୍ଖଟାଏ । ସାମାନ୍ୟ ଆଲୁଅରେ ପୃଥିବୀର ଘନ ଘୋର ଅନ୍ଧକାରକୁ ହଟେଇ ଦବୁ ?

 

–ସେଇ କଥା ବୁଝେଇ ଦିଅନି, ତମର ବାବୁଙ୍କୁ ?

 

–ସେ ବୁଝିଛନ୍ତି ସବୁ କଥା ପଢ଼ା ପାଠ ଭିତରେ । ସେଇଠି ସେ ଯେତିକି ଆଲୁଅ ଦେଖିଛନ୍ତି ତା’କୁ ମନେ କରୁଛନ୍ତି ଦୁନିଆର ସବୁଯାକ ଆଲୁଅ ।

 

–କି, ଅଭିନ୍ନବାବୁ, ଜବାବ ଦେଲ ତମର ଘରକୁ । ପଢ଼ା ପାଠର ଜବାବ ପ୍ରତିଦିନ ଦପ୍ତରଖାନାରେ ମନଇଚ୍ଛା ଦଉଛ । ଆଜି ଜବାବଟାଏ ଦେଲ ଦେଖିବା ଅନୁଭବରୁ ।

 

–ତାଙ୍କୁ କାହିଁକି ଏସବୁ ପଚରା ଯାଉଛି ? ମୁଁ ନିଜେ ଦଉଛି ସେଇ ଉତ୍ତର । ମଣିଷ କିଛିଦିନ ପରେ ଆଉ ବଢ଼ିବାକୁ ଚାହେଁ ନାହିଁ । ସେ ଛୋଟ ହେବାକୁ ପାଞ୍ଚ କରେ । ନିଜର ଯାହା ଟିକିଏ ରହିଲା ଅବା ମିଳିଲା ତା’କୁ ରଖି ଥୋଇ ଯତ୍ନ କରି ସେ ସେଥିରେ ବୁଢ଼ିଆଣୀ ପରି ଛନ୍ଦି ହୁଏ । କେହି ସେଥିରେ ଲାଗିଲେ ତା’ର ମୁଣ୍ଡ ବିନ୍ଧେ ।

 

–ବୁଝିଲ, ଅଭିନ୍ନ ବାବୁ । ନିଜେ କେମିତି ସ୍ଵାର୍ଥପର ? ଅନ୍ୟକୁ ଖୁସି ନ କରି ନିଜେ ମନକୁ ମାରିଦେଲେ ଜାଣିଥାଅ ନିଜ ଘରେ ବି ପ୍ରଶଂସାପତ୍ର ନାହିଁ ।

 

ସମସ୍ତେ ହସି ଉଠିଲେ । ଏହି କଥାଗୁଡ଼ାକରେ–

 

ସୁତପା ବିବ୍ରତ ହେଲା ପରି କହିଲା–ଅନେକବେଳୁ ବସିଗଲେଣି ସମସ୍ତେ । ମୁଁ ଭାବିଥିଲି ନିତି କୁଣିଆଙ୍କୁ କି ଚର୍ଚ୍ଚା ? ସେଥିପାଇଁ ଭାବୁଥିଲି ମାନେମାନେ ଚାଲିଯିବେ ଉଠି...ହଉ, ମୁଁ ଟିକିଏ ଚର୍ଚ୍ଚା କରେଁ । ତା’ପରେ ଦେଖିବା....

 

–ଥାଉ, ଥାଉ, ଏଇ ଯାଚି ଓଳଗି ନବ କିଏ ? ଆମେ ଆସିଥିଲୁ ବେଲି ସିନା । କିନ୍ତୁ ଆମର କେତେ ଖୁମାଣ ଅପର ଲୋକେ ଜାଣିବେ କାହୁଁ ?

–ସତେ ନା ? ...ହଁ, ହେଇଥିବ । ସୁତପା ପରି ଲୋକ କୁଆଡ଼ୁ ତାହାର ଅଟକଳ ପାଇବେ ? ଅନ୍ୟର ଖୁମାଣକୁ ସେ ମାପିଲା ଅବା କେଉଁଦିନ ? ତା’ର ନିଜର ମତ ହେଲା ତାହାର ଆଇନ୍ ।

–ଭଲ ନୁହେଁ । ସେମିତିରେ ଲୋକେ ସ୍ଵେଚ୍ଛାଚାରୀ ହେଇଯାଏ । ଆମର ବଡ଼ ବଡ଼ ଅଫିସର ନିଜର କଥାକୁ ବେଦର ଗାର ବେଲି କହୁଥାନ୍ତି । ଏଣେ ସେଇ କଥାଗୁଡ଼ିକ ପାଣିର ଗାର ହେଇଯାଏ ।

–ହଁ, ହେଲେ ହେଲା । ପାଣିର ଗାର କ’ଣ ଗାର ନୁହେଁ ? ଆମେ ସେମିତି ଚଳି ଆସିଲୁଣି ପାଣିର ଗାରକୁ ମନରେ ହିସାବ କରି । …ଆମର ପଢ଼ା କଥା କ’ଣ ହେଲା ?

ହସି ସୁତପା କହିଲା–ପାଠପଢ଼ା ହେବ ଯେ । ଏବେ ଚାଲିଛି ଶାଠ । ସେତକ ସରିଲେ ପାଠ ଆରମ୍ଭ ହେବ ।

ସମସ୍ତେ ଏକାଠି ପଚାରିଲେ–ଶାଠ କଣ ?

–ହେଇ ଦେଖୁ ନାହଁ । ମୁଁ ହେଇଛି ନୂଆବୋଉ–ଆଉ ସମସ୍ତେ ହେଲେ ଦିଅର–ଅଲିଅଳ ଅବୁଝା ଆଉ କଅଁଳିଆ ଦିଅର । ମୁଁ ଏହାକୁ କହେ–ଶାଠ । ଏଇ ଶାଠ ପାଇଁ ଦେଖୁ ନାହାନ୍ତି କି ସମସ୍ତେ କେମିତି ଚୁପ୍‌ଚାପ୍ କାକୁସ୍ଥ ହେଇ ବସିଗଲେଣି ।

 

ହସର ଢେଉ ଉଠିଲା । ଯେ ହସି ନଜାଣେ ସେ ବି ନୂଆହସାଳି ପରି ବହେ ହେଁ –ହେଁ ହେଇଗଲା । ହସ ଭିତରେ ସମସ୍ତେ ସମସ୍ତଙ୍କୁ ଚାହୁଁଛନ୍ତି ।

 

ସର୍କସ ମାଷ୍ଟ୍ରପରି ସୁତପା ହସକୁ ବନ୍ଦ କରି ଦବାକୁ କହିଲା–ଦାଣ୍ଡ ବାରି ଦୁଆରେ ଲୋକେ କାନ ପରିବେଣି । ବୟସକୁ ଚାହିଁ ମୁଁ ଆଉ କନକ ହେବୁ ଭଉଣୀ–ଛୋଟ ଭଉଣୀ । ତାକୁ ଛାଡ଼ି ବାବୁମାନେ କାହିଁକି ନୂଆବୋଉ ଆଉ ନୂଆବୋଉଙ୍କ ଭଉଣୀ ଖୋଜୁଛନ୍ତି ?

 

କେହି କାହାରି ଆଡ଼କୁ ଚାହିଁବାକୁ ଭରସିଲେ ନାହିଁ–ଭାରି ମୁହଁଖୋର ଏଇ ଅଭିନ୍ନ ଭାରିଯା । ଦେଖମ, ପଦେ ପଦେ କଥା କହି ଆମକୁ କେତେବେଳେ ଏଣେ କିଣି ନେଉଛି । ପୁଣି ସେଠୁ ଘିଡ଼ିଘିଡ଼ି ଘୋଷାରୁଛି ।

 

ତଥାପି ଭଦ୍ରଲୋକ ତ । ଚୋରି କଲାବେଳେ କ’ଣ ଭଦ୍ରଲୋକ ତାହାର ମୁଖା କି ପୋଷାକ ଖୋଲିପାରେ କି ? ଦେବାଶିଷ ହସି କହିଲା–ହଉ, ହେଲା ହେଲା । ଆମେ ସମସ୍ତେ ଏକାଥରକେ ବୁଝିଗଲୁ ଆମେ କିଏ ଆଉ କ’ଣ ? ଖାଲି ଆମର ଏଇ ଘରର ଶିକ୍ଷୟିତ୍ରୀମାନେ ସେତକ ବେଦମ୍ ବୁଝିଗଲେ ହେଲା ।

 

–ହଁ, ବୁଝିଛନ୍ତି ସେମାନେ । ସଂସାରର କଥା ତାଙ୍କର ନଖ ଦର୍ପଣରେ । କ’ଣ ନ ଜାଣନ୍ତି ସେମାନେ ? ଖାଲି ଯାହା କହିବାକୁ ଅମଙ୍ଗ ହୁଅନ୍ତି ।

 

–ଶୁଣାଯାଉ ତେବେ ।

 

–ଶୁଣିବ ତାହାହେଲେ ? ହଉ ଶୁଣ । ପ୍ରଥମ କଥା ହେଲା ଭେଣ୍ଡି ଯେମିତି ସାରୁ ସେମିତି ନାଳୁଆ । କିନ୍ତୁ ସେଥିରେ ଫରକ ଅଛି । ଭେଣ୍ଡି ଯାଏ କି ହବିଷ ହାଣ୍ଡିକୁ ? ...ଆଉ ତେନ୍ତୁଳି ଓ ଆମ୍ବୁଲ ଖଟା । କେହି ଆମ୍ବୁଲକୁ ନେଇ ଖଟା ମିଠା କରେ କି ?

 

–କାହିଁକି କୁହାଗଲା ଏତେ କଥା ?

 

–ଖାଲି ନିଜ ପାଇଁ । ଯିଏ ଜିନିଷଟିଏ ଦେଖି ତାହାର ବ୍ୟବହାର ଜାଣେ ନାହିଁ ସେ ମିଛ କଥାରେ ଧୂଆଁ ଉଠାଏ । ନଜାଣିବା ଲୋକ ସାନ ପିଲା ପରି ବାଜେ କାଗଜ, ସରକାରୀ ନୋଟ ଟଙ୍କା ଆଉ ଦରକାରୀ ଚିଠିକୁ ଚିରେ । ସେମିତି ଆମେ ଯାହା ଯେମିତି ହେଉଛୁ ସେଥିରେ ଆମର ଦି’ଦିନର ବସାଘରର ବାସ ଆସି ଉଠିବାକୁ ହେଲାଣି । –କହି ଅଭିନ୍ନବାବୁଙ୍କର ମଉଳା ମୁହଁକୁ ଚାହିଁଲା ।

 

ସମସ୍ତଙ୍କର ଆଖି ବୁଲିଗଲା ଅଭିନ୍ନ ଆଡ଼େ । ସତେ ?–ଏଡ଼େ ବଡ଼ କଥା ହେଇଗଲାଣି ଏଥିଭିତରେ ?

 

–ତାଙ୍କ ଆଡ଼କୁ ଚାହିଁଲେ ସେ କ’ଣ ଏହାର ଜବାବ ଦେବେ ? ନା, କେବେ କାହା ଘରେ ବାବୁମାନେ ଦେଇପାରିଛନ୍ତି ? ମୁଁ ଆଉ ଆମରି ପରି ମାଇପେ ତାହାର ଜବାବ ଦେଇ ଆସିଛୁ କେଜାଣି କେତେ ଅସୁମାରି ବର୍ଷ ହେଲାଣି । ସେ କଥା......

 

–ହଁ, ସେ କଥା ହେଲା ଯେ ମନକୁ ପାଉ କି ନପାଉ, ନିଜ ଭିତରେ ଯେତେ ଭିଡ଼ାଭିଡ଼ି ହେଉ ବା ନ ହେଉ, ବର ଆଉ କନିଆଙ୍କୁ ନେଇ ଯେଉଁଠି ଥାପନା ହୁଏ ସେଇଟି ହେଉଛି ଘର । ସେ ଘରେ ଦଶ ଦୋଷକୁ ମାଫ । କାହିଁକି ନା, ଘର ରହିବା ଦରକାର–ପୁରୁଷଙ୍କ ପାଇଁ ଯେମିତି ଆମ ପାଇଁ ବି ଠିକ୍‌ ସେମିତି–ଘର ହେଉଛି ଆମର ଶେଷ ପାହିଆ । ତା’ପରେ ଅଛି ଶୂନ୍ୟତା ।

 

–କି ପ୍ରକାରର ଶୂନ୍ୟତା ଜାଣନ୍ତି ?

 

ସମସ୍ତଙ୍କର ଛୋଟ ବଡ଼ ଅଛିଣ୍ଡା ପ୍ରଶ୍ନର ଉତ୍କଣ୍ଠାକୁ ଅଳ୍ପରେ ଛିଣ୍ଡାଇଦେବାକୁ ସୁତପା କହିଲା–ବଡ଼ ଆଉ ସାନ ସମସ୍ତେ ଏଇ ଘରଟିକୁ ନେଇ ଭାରି ତତ୍ପର । କାରଣ ମଣିଷ ଜୀବନର ଅଶେଷ କାମନା ଭିତରେ ଗୋଟିଏ ସ୍ଥିର କଥା ହେଲା–ଘର । ଏଇ ଘରଟିକୁ ରଖିବାକୁ ମଝବୁତ୍ କରିବାକୁ ଲାଗିଥାଉ ସମସ୍ତେ–ପୁରୁଷ ଓ ସ୍ତ୍ରୀ ସମସ୍ତେ । ଆମେମାନେ ଯେମିତି ଆପଣମାନେ ମଧ୍ୟ ସେମିତି ?

 

–କୁହ ତାହାହେଲେ ଅଭିନ୍ନବାବୁ । ମେସ୍ ବଂଧୁମାନଙ୍କର ସ୍ଥାନ କ’ଣ–ତମରି ଘରେ ?

 

ସୁତପା ହସି କହିଲା–ମୁଁ କହି ଦେଉଛି । ଏବେ ଗୋଟିଏ କବିତାରୁ ଦେଖିଥିଲି । ଲେଖିକାଙ୍କର ପ୍ରଶ୍ନ ଆଉ ଉତ୍ତର । ସମସ୍ତଙ୍କର ମନକୁ ପାଇଲା ପରି–

 

ପାଇବାର ଓଜନକୁ ପଛରେ ପକାଇ

ମତେ ମଣି ଆପଣାର,

ମୋ ବେଦନାର ଉତ୍ତାପରେ କିଏ ବା ଜଳିଲା ?

ଯାହା ମୁଁ ପାରୁନି କହି, କହିବାକୁ ଇଚ୍ଛା କରି

ଅବୋଧ ସେ ପ୍ରତିଲିପି, ମୋ ଆଖିରୁ କିଏ ବା ପଢ଼ିଲା ?

 

–ଆରେ ବାଃ, ସାବାସ୍ । ଇଏ ତ ପ୍ରକୃତରେ ମାରାତ୍ମକ ବିସ୍ଫୋରଣ ।

 

–ଯାହା ଯିଏ କହୁ, ଭଲ ଅବା ଖରାପ, ସମସ୍ତଙ୍କର ଗୋଟିଏ କାମନା–ତାହାର ଘରଟି ସେମିତି ଅଜର ଅଜମ୍ବର ହୋଇ ରହିଥାଉ । ସେଥିପାଇଁ ଟିକିଏ ଛଳନା, ଅଳ୍ପ ଟିକିଏ ମିଛ, ଆଉ ଅବା କେଉଁଠି ନାରଖାର କାମ ... । ମୋର ଇଚ୍ଛା... ।

 

–କି ଇଚ୍ଛା ?

 

–ସମସ୍ତେ ଆସିବେ ଆଉ ଯିବେ । ଆକାଶର ଗ୍ରହ ନକ୍ଷତ୍ରଙ୍କ ପରି, ବଣ ବୁଦାର ଜୀବଜନ୍ତୁଙ୍କ ପରି ଯିଏ ଯାହାର ଧର୍ମ ପାଳି ନିଜ ନିଜର ବାଟରେ ଚାଳିବେ । ତେବେ କାହାର କିଛି ଅଡ଼ୁଆ ହେବ ନାହିଁ । ଯାହାକୁ ଏଇ ସବୁ ଧର୍ମକର୍ମର ବାଟ ଅଡ଼ୁଆ ଲାଗିବ ସେ ଆପଣା ଛାଏଁ ଖସିଯିବ–ତଣ୍ଟିରୁ ମାଛ କଣ୍ଟା ଖସିଗଲାପରି । .....କ’ଣ ରାଜି ?

 

–ଏ କଥା ଆଉ ପଚାରିବାକୁ ଅଛି ନୂଆବୋଉ ଭଉଣୀ । ଅକଥାରେ ଗୁଡ଼ାଏ କଥା ହେଇଗଲା । ଇଏ ଆମର ଭାଗ୍ୟ ଦୋଷ । ....ଭଉଣୀକୁ ନୂଆବୋଉ କଲୁ ବୋଲି ସିନା ।

 

ସ୍ନିଗ୍‌ଧ ହସ ଆକାଶର ଜହ୍ନକୁ ବି ବଳିଗଲା ନିଜର ବିହ୍ଵଳତାର ତନ୍ମୟତାରେ ।

 

–ଆଣ୍ ଲୋ କନକ । ଆଜି ଭାଇମାନେ ଏତେବେଳଯାଏ ଚା’ଟୋପାଏ ଘେନି ନାହାନ୍ତି-। ଆମେ ଏମାନଙ୍କର ଭଉଣୀ ହେବାକୁ କ’ଣ ଭାଜନ ?

 

ଅଶେଷ ଉତ୍କଣ୍ଠା ଓ ଆବେଗ ଭିତରେ ପରୀକ୍ଷାରେ ପ୍ରଶ୍ନ କାଗଜକୁ ଧରି ବୁହେ ଲେଖିଗଲା ପରେ ଯେମିତି ମନ ଥିର ପଡ଼ିଯାଏ ଆଉ ବୁଦ୍ଧିବିବେକ ଆଗେଇ ଯାଏ ସେଦିନ ସେହି ଛୋଟିଆ ଆସରଟିରେ ସେମିତି ପାଗ ହାଲୁକା ହେଇଗଲା–ପତଳା ନୂଆଲୁଗା ପରି ।

 

ଦେହକୁ ସାଜୁଥିଲା । ଦେହକୁ ମୁଲାଏମ୍ ଲାଗୁଥିଲା । ଆଉ ଥିଲା ସୁନ୍ଦର । ପତଳା ଲୁଗା ଓ ପତଳା କାମନା ଏକାପରି ସୁନ୍ଦର ।

 

ବେଳେବେଳେ ତ୍ରୀବ କାମନା ଦେଖା ଦେଉଥିଲା ବନ୍ଧୁମାନଙ୍କ ମନରେ–ସୁତପାକୁ ପାଇ ଅଭିନ୍ନ ଭାରି ଭାଗ୍ୟବାନ୍ । ଏତେ ସୁନ୍ଦର ଆଉ ଏଡ଼େ ଚତୁର ସ୍ତ୍ରୀ ଥାଇ ସଂସାର କ’ଣ କାହାରି ଅଚଳ ହେଇପାରେ ? ....ଭଗବାନ୍ କାହାକୁ କ’ଣ ଦୟା କରି ଦିଅନ୍ତି ।

 

ଅଭିନ୍ନବାବୁ ସହଜ ମନ ନେଇ କଥାଭାଷା ହେଲେଣି–ସତେ ଆଜି ଅଫିସ୍ କାମ କରି ମୁଣ୍ଡଟା ଧରି ଯାଇଥିଲା । ଟିକିଏ ଏଇ ଚାନ୍ଦିନି ଆଲୁଅରେ ବସିଯିବାରୁ ଭଲ ଲାଗିଲାଣି ।

 

–ସେମିତି ହୁଏ । ଦେଖି ନାହଁ ? ଅଫିସକୁ ଗଲାବେଳେ ଖରା କାଟେ । ଅଫିସରୁ ଫେରିଲାବେଳେ କାହାକୁ କ’ଣ ଖରା ବାଧୁଛି ? .....ଏବେ ତ ଘର ଦୁଆର ହେଲା । ଖାଲି ବସି ନରହି ଏମାନଙ୍କୁ ପଦେ ଅଧେ ପଢ଼ାଇଲେ–

 

ସୁତପା ବାଧା ଦେଇ କହିଲା–ଭାରି ବୁଦ୍ଧିମାନର କଥା ତ । ମା’ ଯଦି ପିଲାକୁ ଶାସନ କରି ପଢ଼ାଇ ପାରନ୍ତା ତେବେ ସିନା ଇଏ ଅବା ଆମ ଗୁରୁ ହୁଅନ୍ତେ ? ଆମେ ତାଙ୍କୁ କ’ଣ ମାନି ପାରିବୁ ନା ଇଏ ଆମକୁ ମନେଇ ପାରିବେ ? .....ପାଠପଢ଼ା ଚାଲିଯିବ ହାଣ୍ଡିଶାଳକୁ ।

 

–ହାଣ୍ଡିଶାଳ ହେଉ ଅବା ଅନ୍ତୁଡ଼ିଶାଳ ହେଉ ଗୋଟାଏ କେଉଁଠି ଯାଇ ପାଠ ପହୁଞ୍ଚିବ ତ-। ଏବେ ତ କଥାରେ ବାଟୁଳି ବାଜୁନାହିଁ ସେତେବେଳେ ପାଠୁଆ କଥାର କିମତ୍ କ’ଣ ହେବ କିଏ କହିବ ?

 

–ଥାଉ ପଢ଼ା । ଆମେ ଚାଲିଲୁ । ଯିଏ ବେଶି ଜାଣିଛି ବେଲି ଅଳ୍ପକର ଲୋକ ପାଖରେ ଏମିତି ବଡ଼େଇ ବଖାଣି ହୁଏ ଜୁହାର ସେମାନଙ୍କୁ । ସେମାନେ ପରମଣିଷ–

 

ବ୍ୟଥା ଓ ହତାଶାର ପ୍ରତିଧ୍ଵନି ପରି ଜଣେ ଅଧେ କହି ଉଠିଲେ –ଆଚ୍ଛା କଥା ? ଏଡ଼େ ଦୁର୍ଯୋଗ୍ୟରେ ଆସିଥିଲୁ ଯେ ପଦେଅଧେ ଭଲରେ କଥା ବି ହେଇପାରିଲା ନାହିଁ ? କାହାର ମୁଣ୍ଡ ବିନ୍ଧୁଛି ତ ଆଉ କିଏ ଚାଲୁଛି ଥରକୁ ଥର....

 

–ଏଁ କ’ଣ ? ଲୋକେ ପଳାଉଛନ୍ତି ନା ଆପଣମାନଙ୍କ ପାଖରୁ ? ସୁତପା ସେମିତି ଡରଭୟରେ ପଳାଇଥିଲା କେବେ ? –କେଉଁଦିନ ?

 

–ଏବେ କ’ଣ ହେଉଛି ?

 

–ହଁ, ଏବେ କଥାଟା ବୁଝିବା ଦରକାର । ଅଳ୍ପ ଦିନର ଚିହ୍ନା । ସେତେବେଳେ ଆମେ ହେଲୁ ନୂଆବୋଉ । ସେ ଆଇନ ଚଳିବ ନାହିଁ । ଆମେ ହେବୁ ଭଉଣୀ । ସେତିକି ହେଲେ ଗୋଳମାଳ ଥୋଡ଼ାଏ ସୁଧୁରିଯିବ ।

 

–କେମିତି ?

 

–ମଣିଷର ସବୁ ଗୋଳମାଳ ତାହାର ନିଜ ନିଜ ଭିତରେ ରହିଥିବା ସମ୍ବନ୍ଧରୁ । ପରିବାର, କୁଟୁମ୍ବ, ଜ୍ଞାତି, ପଡ଼ୋଶୀ, ଥଟ୍ଟା ସମ୍ବନ୍ଧ, ଗୁରୁଜନ ସମ୍ବନ୍ଧ, ଲଘୁଜନ...

 

–କଥା କ’ଣ ଶୁଣାଯାଉ ।

 

–ହଁ, ସେଇଆ କହୁଛି ପରା । ଆମେ ହେବୁ ଭଉଣୀ । ସେହି ସମ୍ବନ୍ଧକୁ ଚାହିଁ ହସ ଖୁସି, କଥା ଭାଷା ଚଳିବ । ଯାହା ସବୁଠାରେ ତମ ଆମ ସମାଜରେ ଚଳେ–ସେଇଆ... । ଆଉ, ହଁ, ଜଣେ ଅଧେ ହେବେ ଆମର ଗୁରୁ–ସାର । ଗୁରୁ ଶିଷ୍ୟ ସମ୍ବନ୍ଧ....

 

–ବାଃ, ବଡ଼ ଭଲ ହେବ । ଆମେ ହେବୁ–ସାର୍‌ ଆଉ ତମେମାନେ ହେବ ଅବୋଧ ଚାଟ । ....ଆଚ୍ଛା, ମାଷ୍ଟ୍ରଙ୍କର ବୁଦ୍ଧି ଊଣା ହେଇଯାଏ । ଆମେ ମାଷ୍ଟ୍ର ହବୁ କାହିଁକି ?

 

–ମାଷ୍ଟ୍ରଙ୍କର ବୁଦ୍ଧି କାହିଁକି ଊଣା ହେବ ? ବୁଦ୍ଧି ଊଣା ହେଲେ ମଣିଷ ମାଷ୍ଟ୍ର ହୁଏ । ତେବେ ଏଠି ହେବେ ଘର–ମାଷ୍ଟର । ଚାକିରିଆ ମାଷ୍ଟର ନୁହେଁ । ଘର ମଣିଷ ଘର ମାଷ୍ଟର ହେବେ-। ବୁଦ୍ଧି ମୋଟେ କମିବ ନାହିଁ ।

 

–ଆଉ ଚାଟମାନେ କ’ଣ ହେବେ ?

 

–ସେମାନେ ହେବେ ବିଦ୍ୟାର୍ଥୀ । ମନେ ରଖନ୍ତୁ ସମସ୍ତେ । ଯେ ଯେଉଁଦିନ ପାଠ–ପିଲା ମାଷ୍ଟ୍ର ଭଲ ନୁହନ୍ତି କି ଭଲ ପଢ଼ାଉ ନାହାନ୍ତି ବୋଲି କହିଦିଏ ସେ ଦିନ ମାଷ୍ଟ୍ରଙ୍କର ପଢ଼ା କାମ ଇତିଶ୍ରୀ । ତା’ପରେ ମାଷ୍ଟ୍ର ଆଉ ସେହି ପିଣ୍ଡା ମାଡ଼ନ୍ତି ନାହିଁ ।

–ବରଖାସ୍ତ ହେବାର ଡର ଅଛି ନା ?

–ହଁ, ଅଛି । ଠିକ୍ ଠିକ୍ ପଢ଼ାଇଲେ ଆମେ ତିନିଦିନର କାମକୁ ଓଳିକରେ ଶେଷ କରିବୁ-। ବୁଢ଼ା ହେଇ ଗଲୁଣି ପରା ...ପାଠ ପାଇଁ ବୁଢ଼ା, କଷି ଯେମିତି ପାଠ ପଢ଼େ ଆମେ କ’ଣ ସେମିତି ପାରିବୁ ? କିଏ ଆମକୁ ଏତିକି ଦୟା କରିବ ?

ଏତକ କହି ସୁତପା ଚାହିଁଲା–ଦେବାଶିଷ ଆଡ଼େ ।

ସମସ୍ତେ କହିଲେ ଏକା ଥରକେ–ନିଅ ଚାକିରି, ଦେବାଶିଷ ବାବୁ । ବହୁତ କଥା କହି ଜାଣିଥିଲ, ଏବେ କାମ ଦେଖାଅ । ସାର୍ ଦେବାଶିଷ ଏବେ ଏଠି ମୁତୟନ ହେଇଗଲେ ।

କନକ ହସି ପକାଇଲା । ସୁତପା ଓଠରେ ଲୁଗା ଦେଇ ରହିଲା ।

–ଆଉ ବାକି ଲୋକେ ?

–ସେମାନେ ଯାଇ ମେସ୍‌ରେ ରହିବେ । ବସି ଶୋଇ ଭାତ ହଜମ କରିବେ । ଆମକୁ ତହପଟ ପଢ଼ାରେ ଗୋଳମାଳ କରିବେ ନାହିଁ.....ଆଉ ଯଦି ଜଣେ ଦି’ଜଣଙ୍କୁ ପଢ଼ାଇ ନପାରିବେ ତେବେ ସେ କଥା ବୁଝାଯିବ ପରେ...

 

–ଆଜି ତେବେ କ’ଣ ଏତିକି ?

 

–ନାହିଁ, ମାଲିକ ମୁଣ୍ଡ ହଲାଇ ନାହାନ୍ତି । ପଢ଼ା ଆରମ୍ଭ ହେଇ ନାହିଁ । ଆଜି ଖେଳାଖେଳି ହେଉ ।

 

–ବାଃ, କ’ଣ କହୁଛନ୍ତି ମାଲିକ ସାହେବ–ଅଭିନ୍ନବାବୁ ?

 

ଗେଁ ଗେଁ ହେଇ କହିଲେ–ଯାହା ହେଉଛି ହଉ । ମୁଁ ଆଉ ଏସବୁରେ ମୁଣ୍ଡ ପୂରାଇଲେ ଲାଭ ନାହିଁ । ବଳେ ହେଲେଣି ଏକା ପାଖରେ–ମୁଁ ଏକୁଟିଆ ।

 

–ଦେଖିଲେ ତ । ବାବୁ ରାଜି । ତାଙ୍କର ହୃଦୟ ଓ ମନ ପାଇବେ କାହୁଁ ?

 

–କେମିତି ?

 

–ଘରେ ଘରଣୀଙ୍କୁ ମଇଳା ପଣତର ଓଢ଼ଣୀ ତଳେ ଲୁଚିବାକୁ କହି ଦେଇ ସବୁ ମଫସଲିଆ ବାବୁ ସହର ବଜାରରେ ଆମର ସ୍ତ୍ରୀଙ୍କର ସ୍ଵାଧୀନତା କଥାରେ ଗାଆଣ ଗାଅନ୍ତି ? ଆପଣମାନଙ୍କ ଘରେ ଏଇ ଆମର ବାବୁଙ୍କୁ ନେଇ ଠିକ୍ ଆମଠାରୁ ପାଇବା ବ୍ୟବହାର ଦେଲେ ଦେଖିବା । ଦେଇପାରିବେ ?

 

ପରସ୍ପରକୁ ଚାହିଁଲେ ସମସ୍ତେ । ସତରେ କ’ଣ ଦେଇ ହବ ?

 

ସୁତପା ଟାଣ କରି କହିଲା–ମୁଁ ଏସବୁ ଦେଖିଛି ବହୁତ । ବଡ଼ ସହରରେ ଯିଏ ଯେତେ ଶହେ ପଚାଶ କୋଶର ମଫସଲରୁ ପେଟ ପାଇଁ ଧାଇଁ ଆସି ସହରିଆ ବାବୁ ହୁଅନ୍ତି ସମସ୍ତେ ହେଇଯାନ୍ତି ନାଗର–ମୁଁ ତାଙ୍କୁ କହେ ବିଦେଶୀ ନାଗର ।

 

–ବିଦେଶୀ ନାଗର କ’ଣ ?

 

–ଆଉ କ’ଣ ? ନିଜର ସବୁଯାକ ତାଲା ମାରି ଗାଁରେ ଥୋଇ ଦେଇ ସହରରେ ଆସି ବିପ୍ଳବୀ ବୋଲାଇବା ଲୋକ ଅନେକ । ସେମାନେ ନିଜ ଜିନିଷକୁ ମୂଷା ପିମ୍ପୁଡ଼ିଙ୍କୁ ଛୁଆଁଇ ଦେବେ ନାହିଁ । ଆଉ ପଦାରେ ଆସି ପର ଜିନିଷକୁ କରିବେ କୋଠଧନ ।

 

–ଆମେ ସେମିତି ନୋହୁଁ ।

 

–କେମିତି–କି ସେମିତି–ଏ ସବୁ କଥା ଶୀଘ୍ର ଶୀଘ୍ର ପରଖ ହେଇଯିବ । ମନର କଥା ଖୁବ୍‌ ଶୀଘ୍ର ପାଟିର କଥାରେ ଆଉ ଆଖିର ଚାହାଣିରେ ଫିଟି ପଡ଼ିବ –ଫୁଲର ପାଖୁଡ଼ା, ସୁବାସ ଆଉ ମହୁପରି ।

 

ଆମେ କ’ଣ ତେବେ ପାଞ୍ଚକରି ଆସିଛୁ ?

 

–ସେ କଥା ଇଶ୍ଵର ଜାଣନ୍ତି । ତେବେ କଥା ଅଛି ଯିଏ ପ।ଞ୍ଚେ ପର ମନ୍ଦ ତା’ର ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ...ମନ ଭିତରେ ଯାହାର ଯାହା ଅଛି ସେ ସେତିକି ପଦାକୁ ନ କାଢ଼ି ଯିବ କୁଆଡ଼େ ? ମନ ଭିତରର ଛାପା କଥା ଲୁଚି ରହିବ କେଇଦିନ ? ଦେହର ରୋଗ ଆଉ ମନର ରୋଗ ଲୁଚିପାରିଛି କି କାହାର ?

 

–ଆମେ ଭଲ ।

 

–ସେ କଥା ଆପଣମାନଙ୍କର ହାତ ଧରିଥିବା ଘରଣୀମାନେ କହିବେ । ଆଚ୍ଛା, ଏଇଠି ମୁଁ କାଗଜ ଦେଉଛି । ଖଣ୍ଡେ ଖଣ୍ଡେ ଚିଠି ଲେଖିଲେ–ମେସ୍‌ର ସାଙ୍ଗ, ଅଫିସର ସାଙ୍ଗ ଅଭିନ୍ନବାବୁଙ୍କର ସ୍ତ୍ରୀ ଓ ଭଉଣୀଙ୍କୁ ଆମେ ପାଠ ପଢ଼ାଉଛୁ । ସେହି ଚିଠିର ଜବାବ ଆସିଲେ ଦେଖାଇବେ ଆମକୁ ।

 

–ଦେଲ କାଗଜ ।

 

ସୁତପା ହସିଲା । ....ଛାଡ଼, ହସିଲେ କ’ଣ ହେବ ? –ଆଲୋ ଭଉଣୀ, ହାଣ୍ଡି ଆଟିକା ଦେଖିଲୁ । ପାଞ୍ଚଜଣ ମାଇପେ କୁଳୁଆଁ ହେଲେ ସେଥିରେ ଅଣ୍ଟିବ କି ?

 

–ଏଁ ।

 

–ଆଉ କ’ଣ ? ସେମାନେ ଚିଠି ପାଇ ସାଙ୍ଗେ ସାଙ୍ଗେ ବସିଲା ଜାଗାରୁ ଉଠି ଆସିବେ । ତାଙ୍କର ବରଙ୍କୁ କଟକରେ ଚିଲମାନେ ଝାମ୍ପିବାକୁ ତିଆରି ହେଲେଣି...ଏଣେ ଚିଲମାନେ ୟା’ଙ୍କୁ ମାଛ ନ ଭାବି ଗେଣ୍ଡା କି କଇଁଛ କ’ଣ ଭାବୁଛନ୍ତି ସେ କଥା କିଏ କହିବ ?

 

–ଏତେ କଥା କୁଆଡ଼ୁ ଶିଖା ହେଲା ?

 

–କାହିଁ, ଏମିତି ଏଇ ପ୍ରକାରର ଲୋକ ଆସି ବୁଝାଇ ଦିଅନ୍ତି ମନର ନାନା ଭେଳିକି । ବିବିଧ ପ୍ରକୃତି । ୟା’କୁ ଯିଏ ଅଙ୍ଗେ ନିଭେଇଛି ସିଏ ବୁଝିଛି । .....ଏଇ ସହର ବଜାରର ରାସ୍ତା ପରି-। କରପଟିଆ ହେଇ ବାଁକୁ ମାଡ଼ି ନଚାଲିଲେ ଟ୍ରକ୍‌, ଜିପ୍‌ କ’ଣ ତମର ଦେହରେ ଆଉ ପରମାତ୍ମାକୁ ଦେଖିବାକୁ ଗାଡ଼ି ଠିଆ କରି ହାତ ଯୋଡ଼ି ପ୍ରଣତି କରିବେ ? ...ନା, ନା–ତମର ଆତ୍ମାକୁ ବେଙ୍ଗ ଏଣ୍ଡୁଅର ଆତ୍ମାପରି ଭାବି ସିଧା ତମ ଉପରେ ତାଙ୍କର ଗାଡ଼ି ଚଳାଇ ଦେବେ । ....ଏତକ ଜାଣିବେ ସହରରେ....

 

–ତେବେ ବଛରାଇ ଗାଁ କେମିତି ଘେନିଲା ମ ?

 

–ଘେନନ୍ତା ନାହିଁ କାହିଁକି ? ଏଡ଼େ ଏଡ଼େ ବିଦ୍ଵାନ ଅବା ବିଦୂଷକଙ୍କୁ ଯେବେ ଅଳ୍ପ ଦରମାର ନୌକରି ସୁହାଇଲା କି ସୁହାଇ ପାରୁଛି ତେବେ ସୁତପାକୁ କାହିଁକି ବାଛରାଇ ଗାଁ ଦାନାକନା ଦେବ ନାହିଁ ? ... ଜାଣିଛ କି ବଛରାଇ ଗାଁ ପରି ଏଡ଼େ ସୁନ୍ଦର ଗାଁ ନାହିଁ ।

 

–ଆଉ ଅଭିନ୍ନ ବାବୁ ?

 

–ତାଙ୍କପରି ଲୋକ ଆପଣମାନେ ହେଇପାରିବେ କି ନାହିଁ ଚେଷ୍ଟା କରି ଦେଖାଇବେ । ଆମେ ଭାବୁଛୁ ଆପଣମାନେ ସେମିତି ଜଣେ ଜଣେ ହେଇଯିବେ । ଯେବେ ହୁଅନ୍ତି ତେବେ ମନକୁ ମନ ନିଜକୁ ଧନ୍ୟବାଦ ଦେବେ ।

 

–ଯାହା କହନ୍ତୁ ଯିଏ–ଆମେ ଭାବୁଛୁ ଏଇ କେଇଟା ଦିନ ଆମକୁ ନୂଆ ଲାଗୁଛି ।

 

–ହଁ, ଲାଗୁଛି କ’ଣ ? ନୂଆ ଲାଗିଛି । ଆଉରି ନୂଆ ନୂଆ ଲାଗିବ । ନୂଆରୁ ମନ ଛାଡ଼ିଯିବ । ବୁଝି ପାରିବେ ଯେ ନୂଆ ଚୂଡ଼ା, ନୂଆଖିଆ ଦିନକର ଚଟକ । ପୁରୁଣା ହେଉଛି ମଣିଷର ମହକ ତାହାର ଜୀବନର ଧୃବତାରା.... କ’ଣ, ସାର୍ ଭୁଲ ହେଲା କି ?

 

–କୁହ ଏଥର ଦେବାଶିଷ ସାର୍ ? ଆମେ ତମର ପାଠ ପଢ଼ାଇବା କାଇଦା ଦେଖିଯିବା-

 

–ପଢ଼ା ଆରମ୍ଭ ହେଇନାହିଁ । ପରେ ହେବ....

 

–କାହିଁକି, ଆରମ୍ଭ ହେଇଗଲାଣି ସାର୍ । ତେବେ ଆମକୁ ସାହିତ୍ୟ ପଢ଼ାଇବା ଦରକାର ନାହିଁ । ଖାଲି ବନାନ୍ ଠିକ୍‌ କରିଦେଲେ ଆଉ ବ୍ୟାକରଣ ସଜାଡ଼ି ଦେଲେ ଆମର ଆମେ ସାହିତ୍ୟକୁ ଚଳାଇ ନେବୁ ।

 

–ଆଉ କ’ଣ ସେ ପଢ଼ାଇବେ ?

 

–ଅଙ୍କ ଓ ଅନ୍ୟାନ୍ୟ ବିଷୟ ।

 

–ତେବେ ସାହିତ୍ୟବାଦ୍‌ ଗଲା ନା ?

 

–ସେ କଥା ସାର ଠିକ କରିବେ ।

 

ଦେବାଶିଷବାବୁ ବାଧ୍ୟରେ ହେଇଗଲେ ମାଷ୍ଟର ସାହେବ । ଅନ୍ୟପ୍ରକାରର ସାହେବ ଯୋଗ ପଡ଼ିଲା ନାହିଁ । ମାଷ୍ଟର ସାହେବ ଯୋଗ ପଡ଼ିଲା । ଯୋଗକୁ କାହାରି ବଳ ନାହିଁ । ଦେବାଶିଷ ଏହି କାମରେ ମୁତୟନ ହେଇଗଲେ ।

 

ମନରେ କୌତୁହଳ–ସେ ଠିକ ବୁଝିପାରି ନାହାନ୍ତି ସୁତପାକୁ । ସେ ମାଷ୍ଟର ହୁଅନ୍ତୁ ଅବା ଯାହା କିଛି ହୁଅନ୍ତୁ ବୁଝିବେ ସୁତପା କି ପ୍ରକାରର ସ୍ତ୍ରୀ । ସେ ରାଜି ହେଇ କାମକୁ ଆସିଲେ ।

 

ଯେତେବେଳେ ଯିଏ ନିଜକୁ ଭାରି ପାରିଲାର କି ବୁଦ୍ଧିଆ ବୋଲି ମନେ କରେ ସେତେବେଳେ ସେ ଏଇଥିରେ ଓ ଏମିତି ଅଡ଼ୁଆରେ ଆସି ପଶେ ।

 

–ଆଣ ଖାତା ପତ୍ର । ପଢ଼ା ଆରମ୍ଭ ହେବ ।

 

–ବରାଦ ଠିକ୍ ନାହିଁ । ବାବୁ ଖାଇ ପିଇ ଅଫିସ ଯିବେ ନା ଏମାନେ ପଢ଼ିବେ ? ଲୋକେ ଦି’ଚାରିପ୍ରକାରର କାମ କରି ଦେଇ ପାରୁଛନ୍ତି । ଏଠି କ’ଣ ସେମିତି ହେଇ ପାରିବ ନାହିଁ-? ଭାବି ଚିନ୍ତି କଲେ ସେତକ ହବ ।

 

–ହଁ, ସାର୍ । ଆଜି ଆମେ ପ୍ରସ୍ତୁତ ହେଇ ପାରିନାହୁଁ । ଆମେ ତ ମୁଲିଆ । ମୂଲ କାମ ତୁଲ।ଇ ସାରିଲେ ସିନା ନିଜର ବୁଦ୍ଧିକୁ ଘସାମଜା କରିବୁ ।

 

–ଆରମ୍ଭ ହେବ ତ । ପଢ଼ିବା କଥା ହେଲେ ବିଧିମତେ ପଢ଼ । ନଇଲେ ବନ୍ଦ କରିଦିଅ । ମୋର ଗୋଟିଏ କଥ। ରହିଲା– ଯେଉଁଦିନ ଦେଖିବି କି ବୁଝିବି ଯେ ତମେ ପାଠ ପଢ଼ାକୁ ଗୋଟାଏ ମାଇପି ଖେଳ ବେଲି ଭାବୁଛ ସେ ଦିନଠାରୁ ଆଉ ଆସିବି ନାହିଁ ।

 

–ଆଉ ଯେବେ ଠିକ୍ ଭାବରେ ନ ପଢ଼ାଇ ଏଣୁତେଣୁ କରି ଠକେଇବେ ତେବେ ଆମେ ବି ପଢ଼ା ବନ୍ଦ କରିଦବୁ । କାହିଁକି ପଢ଼ିବୁ ? ବେଶି ପାଠ ହେଲେ ମଣିଷ ନିର୍ବୁର୍ଦ୍ଧିଆ ହେଇଯାଏ ।

 

–ବାଃ, କେମିତି ? କହିଲ କେମିତି ?

 

–ଯେତେବେଳେ ମଣିଷ ନଈ ପହଁରା ଶିଖିଲା, ନଡ଼ିଆ ଗଛ ଚଢ଼ି ଶିଖିଲା ଅବା ଅମଣିଆ ବଳଦଙ୍କୁ ମଣ କଲା ଅବା ବିଷ ଅମୃତକୁ ଚିହ୍ନିଲା ସେତେବେଳେ ସେ ପାଠ ପଢ଼ି ନଥିଲା-। ତାହାର ବୁଦ୍ଧି ଗଜରୁଥିଲା । ଆଉ ଯେତେବେଳେ ସେ ପାଠ ପଢ଼ିଲା ସେ ଶାଠକୁ ଅଯୋଗ୍ୟ ହେଇ ମୂର୍ଖ ପାଲଟିଲା ।

 

–ତେବେ ପାଠପଢ଼ା ପାଇଁ ହରେକ କିସମର ପାଠଶାଳା ବିଦ୍ୟାଳୟ ଗଢ଼ା ହେଉଛି କାହିଁକି ?

 

–ମନକୁ ବୁଝେଇବା ପାଇଁ ପାଠ । ଯେମିତି ସୁଖ ଶାନ୍ତି ପାଇବା ପାଇଁ ବାହାଘର–ଯେମିତି କୁଟୁମ୍ବ ପୋଷିବା ପାଇଁ ଚାକିରି ?

 

ତମେମାନେ ତେବେ ଦୟାକରି ପଢ଼ୁଛ କାହିଁକି ?

–ଆମର ଅପାଠୁଆ ବୁଦ୍ଧିକୁ ଘଷି ମାଜି ସୁନ୍ଦର କରିବାକୁ । ଦେହକୁ ରଗଡ଼ୁଛୁ ମୋଟା ଗାମୁଛ।ରେ । ରଙ୍ଗ ବଦଳୁଛି କି ? ଲୁଗା ପିନ୍ଧୁଛୁ ପ୍ରକାର ପ୍ରକାରରେ ? ଦେହ ତୋରା ଦିଶୁଛି କି ? ....ପାଠ ପଢ଼ି କ’ଣ କେହି କେବେ ବୁଦ୍ଧିଆ ହେଲାଣି ?

–ଏତେ ଲୋକ ଯେ ଏତେ ଏତେ ପଢ଼ୁଛନ୍ତି–ଜୀବନ ଯାକ ପାଠପଢ଼ା ।

–ସିଏ ତ ଉପନ୍ୟାସ ପଢ଼ିବା ପରି । ଆଖି ଓ ମନକୁ କାମ ଯୋଗାଇବା ପାଇଁ । ମନକୁ ଆଖିଠାର ମାରିବାପାଇଁ । କହନ୍ତୁ, ସାର୍‌ । ସିନେମା ଦେଖି ଅବା ଉପନ୍ୟାସ ପଢ଼ି କିଏ ଜଣେ ବୁଦ୍ଧିଆ ହେଲା କି ?

–କ’ଣ ହେଲେ ସେମାନେ ?

–ନକଲ ନବିଶ୍ ଛଡ଼ା ଆଉ କିଛି ହେଲେ କି ? ପାଞ୍ଚ ଦଶ ଖଣ୍ଡ ବହିରେ ଭେଦି ଯାଇ ଖଣ୍ଡେ ବହି କ’ଣ କେହି ଲେଖିପାରିଲେ କି ? କୌଣସି ବହିର ଚରିତ୍ରକୁ ନିଜର ବେଲି ଜଣାଇ ପାରିଲେ କି ? ଅବା ଏଗୁଡ଼ାକ ଭଲନୁହେଁ ବେଲି ଫୋପାଡ଼ି ଦେଇ ପାରିଲେ କି ?

–ଯିଏ ଅଳ୍ପ ପଢ଼ିଛି, ସେ ଗୁଡ଼ିକ ?

–ସେମାନେ ବାଗେଇ ବନେଇ କହିବାକୁ ଅସମର୍ଥ । କିନ୍ତୁ କୌଣସି ବିଷୟର ସାର ଓ ଅସାର କଥା ପଚାରିଲେ ସେମାନେ କ’ଣ କେବେ ଭୁଲ କରିପାରନ୍ତି କି ? ନୁହେଁ....

 

–ତେବେ ତମେ ନୂଆ ଚାଟମାନେ ?

 

–ଆମେ ? ସଫାଲୁଗାକୁ ଧୋବ କରିବାକୁ ଚେଷ୍ଟା କରିବୁ ।

 

ଆମେ ଚାହୁଁଛୁ ମାଷ୍ଟ୍ରଙ୍କଠାରୁ ଗୋଟିଏ ଇଲମ୍–ଅକଲ କେମିତି ବଢ଼ିବ ? ଯେତିକି ଜ୍ଞାନ ସଂଗ୍ରହ କରିପାରିବୁ ସେତିକିରେ ବି ଆମ କାମ ଚଳିବ । କିନ୍ତୁ ଅକଲ ନଥିବା ଜ୍ଞାନ ଆମର ଦରକାର ନାହିଁ ।

 

–ମୁଁ କ’ଣ ପାରିବି ?

 

–ନିଶ୍ଚୟ ପାରିବେ । ଅକଲ ହେଲା ମନର ସ୍ଥିରତା । ଅକଲ ହେଲା ପରର ଦୁଃଖକୁ ନିଜର ଦୁଃଖ ବେଲି ଭାବିବା । ଅକଲ ହେଲା ନିଜେ ଉଚ୍ଚାଟ ନ ହେବା ଆଉ ଅପରକୁ ଉଚ୍ଚାଟ ନ କରିବା । ଅକଲ୍ ବି ସେମିତି ହେଲା ସଂସାରର ମାଲିକ ଅବା ମାଷ୍ଟର ନ ସାଜି ସଂସାରର ଜଣେ ହେବା । ଏତକ ଆପଣ ଭଲ କରିପାରିବେ ନୁହେଁ କି ?

 

–ଅନ୍ୟମାନେ ?

 

–ସେମାନେ ଅକଲରେ ଊଣା । ଶୁଆକୁ ଘୋଷାଇ ପାରିବେ । ଅକଲ ଶିଖାଇ ପାରିବେ ନାହିଁ । ଯେତିକିବେଳେ ଏଠି ଥିଲେ ମୁଁ ପଚାରି ପଚାରି ବୁଝିଛି ଯେ ତାଙ୍କର ଅକଲ ପାକଳ ହେଇନାହିଁ । କଞ୍ଚା ଅକଲ୍‌ ହେଉଛି ସଂସାରର ବିଷ–କଇଁଥା ପରିବା କି କଇଁଥା ଡାଲି ପରି ।

 

–ହେଲା, ହେଲା । ତମ କଥାରେ ତେବେ ଅକଲ୍ ହେଉଛି ମଣିଷର ମାପକାଠି–ତାହାର ଜ୍ଞାନ ନୁହେଁ ।

 

–କେମିତି ହବ ବା ହୁଅନ୍ତା ? ବିଧାତା ମଣିଷକୁ ଜନ୍ମ ଦେଲାବେଳେ ଅକଲ୍‌ ଦେଇ ପଠାଇଥିଲେ । ଆମେ ନିଜକୁ ବେଅକଲ୍ କରି ଜ୍ଞାନ ବଢ଼ାଇଲୁ । ଅକଲ୍‌କୁ ପାଶୋରି ଦେଲୁ । ସେଥିପାଇଁ ଛୋଟ–ହୀନ–ଆଉ ଦୁଃଖୀ ।

 

ହସି ଦେବାଶିଷ କହିଲା–ସତରେ ଭଉଣୀ....

 

–ପୁଣି ସେଇ ଭୁଲ୍‌ । ଆମେ ହେଉଛୁ ଛାତ୍ରୀ । ଆମକୁ ନାଁ ଧରି ଡାକିବେ । ମତେ ସୁପା ଡାକିଲେ ଚଳିବ । ଏତେ ଲମ୍ବା ସୁତପା ଦରକାର ନାହିଁ । ...ଆଉ କନିକୁ ଡାକିବେ କାନନ ବେଲି ।

 

–କାହିଁକି ? ସେ କାହିଁକି ଲମ୍ବାଚଉଡ଼ା ନାଁ ପାଇବ ?

 

–ସେ ପରା ବାହା ହେଇ ନାହିଁ । ତାହାର ଭବିଷ୍ୟତ୍ ଅଛି ।

 

ତାହାର ନାଁଟା ତୋରା ହୋଇଥିଲେ ଖାଲି ନାଁଟାରେ ହୁଏ ତ ଦି’ଚାରି ପାଦ ଆଗେଇ ପାରିବ । ତାହାର ନାଁଟା ତାରିଫ୍ ହେଉ । ....ମୋର ଯାହା ଯେତିକି ହେବାର ହେଇଯାଇଛି । ଏଣିକି ନାଁ ଲୁଚିବ । ଲୁଚିବା ଯାଏ ଛୋଟ ହେଇଥାଉ ।

 

କଥାର ଆବେଗରେ ସୁତପାର ଆଖି ଡୋଳା ଦୁଇଟି ଥରି ଉଠିଥିଲା । ଏହି ସାମାନ୍ୟ କଂପନ ତାହାର ବ୍ୟର୍ଥତାର ଗୋଟିଏ ସଂକ୍ଷିପ୍ତସାର । ମନର ଆବେଗରେ ସେ କହୁଥିଲା–ସବୁ ଥାଇ ସେ ବିଫଳ ହେଇଛି ।

 

ଦେବାଶିଷର ଆଖି ଦୁଇଟିରେ ସୁତପାର ଛାଇ ଥରି ଉଠିଥିଲା । ସେ ବି ସୁତପା ପରି ଦୁଃଖୀ ।

ହସି ଅନ୍ୟମନସ୍କ ଥିଲା ପରି କହିଲା–ମୁଁ କେବେ ଗଲା କଥାକୁ ପାକୁଳି କରେ ନାହିଁ । ନ ଆସିବା କଥାକୁ ସପନ ଦେଖେ ନାହିଁ । କାହିଁକି ଜାଣ ? ....ଗଲା କଥା ଯଦି ଖୁବ୍‌ ଉଜ୍ଜ୍ଵଳ ହେଇଥାନ୍ତା ଆଉ ଆସିବା କଥା ଯଦି ତହୁଁ ଅଧିକ ଝଲମଲ ହେବ ତେବେ ବି ସେହି ମଣିଷର ଜୀବନ ସଂସାରରେ ପ୍ରଥମ ହେଇପାରିବ ନାହିଁ ।

କନକ ଚାହିଁ ରହିଲା । ଅଭିନ୍ନ ହସିଲା ଦେବାଶିଷର ତତ୍ତ୍ଵ ବଚନ ଶୁଣି ।

ଦେବାଶିଷ କହିଲା–ହାତୀ କ’ଣ ପିମ୍ପୁଡ଼ି ପରି ପ୍ରତିଶୋଧ ନେଇ ପାରିବ ? ଗାଈ କ’ଣ କୁକୁରର ପ୍ରଭୁଭକ୍ତି ଦେଖାଇ ପାରିବ ? ନା ସାମାନ୍ୟ ଗୁଣ୍ଡୁଚିମୂଷା ପରି ମଣିଷ କ’ଣ ଟାଣୁଆ ଫଳକୁ ଭାଙ୍ଗି ଖାଇପାରିବ ?

–କେହି କାହାପରି ହେଇପାରନ୍ତି ନାହିଁ । ନଈ ପୋଖରୀ ହୁଏ ନାହିଁ । ନଈ ବି ସମୁଦ୍ର ହୁଏ ନାହିଁ । କଳା ଗୋରା ପରି ଅବା ଗୋରା ମଣିଷ କଳା ପରି ହୋଇପାରେ ନାହିଁ । ସମସ୍ତେ ଅଲଗା–ସମସ୍ତେ କିଛି ନା କିଛି ବିଶେଷ ଗୁଣର ଅଧିକାରୀ । ଏତକ ନ ବୁଝି ଆମେ ନିଜପରି ନ ହୋଇ ପର ପରି ହେବାକୁ ଜୀବନଯାକ ଲାଗିଥାଉ ।

–ହଁ, ଲାଗିବାର କାରଣ ହେଲା ମଣିଷ ଭଲଟିଏ ଆଉ ବଡ଼ଟିଏ ହେବାକୁ ଚାହେଁ । ହେଇ ନପାରିଲେ ବି ସେଥିରେ ଲାଗିଥାଏ । ସେଥିପାଇଁ ସେ ମେଣ୍ଢାଟିଏ ହେଇ କୁକୁର ପାଲଟିବାକୁ ଚେଷ୍ଟା କରେ । ବସି ବସି ଖାଇବ ଆଉ ତାକୁ କେହି ଖାଇଯିବେ ନାହିଁ ।

 

–ସେଇଆ ପରା ବୁଝି ହୁଏ ନାହିଁ । ସ୍ତ୍ରୀମାନେ ହେଲେ ଛେଳି ମେଣ୍ଢା ବା ମାଛ ପରି । ନୁହେଁ କି ? ତାଙ୍କୁ ପୋଷି ପାଳି ହେବ ଆଉ ଖାଇହବ ? ....କିଏ ଏମିତି ଆଖିରେ ଦେଖୁ ଦେଖୁ ଆଉ ଜଣକର ପାଟି ଭିତରକୁ ଯିବାକୁ ମଙ୍ଗିବ ? ....ନା, କ’ଣ ସାର୍ ?

 

ଦେବାଶିଷ ଅପଲକ ଆଖିରେ ଚାହିଁ ରହିଲା–କ’ଣ ସେ ଶୁଣୁଛି ? ....ସେ ଆସିଛି ଭୋଜୀ କରିବାକୁ । ....ହଁ, ଆସିଛି ତ । କେତେ ଥର କେତେ ପ୍ରକାରେ ଶୁଣିଲାଣି । ନିଜକୁ ମନେ ମନେ ଧିକାରି ଭାବିଲା–ମନଟା କେଡ଼େ ଟାଉକା ସତରେ ? ପେଟ ସମ୍ଭାଳିବ କି ନାହିଁ ବୁଝିବାକୁ ଏଇ ଟାଉକା ମନର ତର କାହିଁ ?

 

–ବସିଗଲେ କି ସାର୍‌ ? ଭାବିଲେ କ’ଣ ଜବାବ ପଇଟିବ ? ଲେଉଟ ଜବାବ ରହିଥାଏ ମଣିଷ ଅନୁଭବରେ ଆଉ ତା’ର ବୁଦ୍ଧିରେ ? ଏଇ ପାଠଶାଳା, ବିଦ୍ୟାଳୟ, ମହାବିଦ୍ୟାଳୟରେ ପଢ଼ା ହୁଏ ନାହିଁ ।...ତେବେ ଛେଳି ମେଣ୍ଢା ଆଦି ବେଳେ ବେଳେ କେମିତି ହତାଶ ହେଇ ଚାହାନ୍ତି ଆପଣ ଦେଖି ନାହାନ୍ତି ?...ମତେ ସବୁବେଳେ ଲାଗେ ସତେ ଯେପରି ସେମାନେ କହୁଛନ୍ତି–କାହିଁ, କେହି ତ ଆମକୁ ଖାଇ ଦେଇ ଏହି ନିଉଛୁଣା ଜୀବନରୁ ମୁକ୍ତି ଦେଲା ନାହିଁ ?

 

–ସତେ ?

 

–ସବୁଠି ଏହି ଅବସ୍ଥା ? ମଣିଷ ବି ବସି ମନକୁ ପଚାରେ–ସୁଖଶାନ୍ତିରେ ରହିଲି । ଖାଇଲି ଶୋଇଲି ଆଉ ବଞ୍ଚିଲି । ବିପଦ କାହିଁ ? ଅଡ଼ୁଆ କ’ଣ ପୃଥିବୀରୁ ସରିଗଲେ ? ମୁଁ ତେବେ କ’ଣ ନେଇ ଆଉ ବଞ୍ଚିରହିବି ? ମୋର ଜୀବନକୁ ମାପିବି କେଉଁଥିରେ ?

–ଆରେ ବାଃ, କ’ଣ ଅଡ଼ୁଆ ଅସୁବିଧାରେ ମାପିବ ?

–ସେଇ ତ ହେଲା ମଣିଷର ସଂସାରର ମାପ । ଯିଏ ଯେତେ ଭୋଗିଲା ବା ଭୋଗି ପାରିଲା ସେହି ସଂସାରରେ ସେତେ ବଡ଼ । ଆଉ ଯିଏ ନିଜର କାନ୍ଥ ଆରପଟରେ ରହି ଭୋଗିବାକୁ ରାଜି ନ ହୋଇ ଭୋଗୀ ପାଲଟିଲା ସେଇ ହେଲା ପିଣ୍ଡା ବଇଷିମ । ବସିଥିବ, ଭାଳୁଥିବ, ଦେଖୁଥିବ ଆଉ ନୀର୍ଜୀବା ହୋଇ ପଡ଼ି ରହିଥିବ । କିଏ ଚାହେଁ ସେଇ ଢମଣା ଜୀବନ ?

–ଯାହା ଦେଖୁଛି, ମୋ’ଠୁଁ ତମର ଶିଖିବା କଥା କିଛି ନାହିଁ । ସବୁ କଥାରେ ଦେଖୁଛି ତମେ ଦଶ ବିଶ୍‌ ପାହାଚ ଆଗରେ ଚାଲିଛ । ମୁଁ ଆସିବି ତମକୁ ପଢ଼ାଇବାକୁ ନା ନିଜେ ବସି ପାଠ ପଢ଼ିବାକୁ ।

ହସ ହସ ସ୍ଵରରେ ସୁତପା କହିଲା–ସମସ୍ତେ ସମସ୍ତଙ୍କର ଗୁରୁ । ଏହି ଚାହାଳିଆ ଗୁରୁମାନେ ଖାଲି ବ୍ୟସ୍ତ ଗୁରୁ ବୋଲାଇବା ପାଇଁ । ମୁଁ ମନେକରେ ତାଙ୍କୁ ଚିହ୍ନିବାକୁ ତାଙ୍କର ସାଙ୍ଗିଆରେ ଗୁରୁ ଯୋଡ଼ି ଦେଲେ ସେମାନେ ଚିହ୍ନା ପଡ଼ନ୍ତେ । ନ ହେଲେ ସମସ୍ତେ ପଦ୍ମଶ୍ରୀ ଲେଖି ବୁଲିଲା ପରି “ଗୁରୁ ଶ୍ରୀ” ଯୋଗ କରି ନାଁ ଲେଖିଲେ ଆମେ ଜାଣିଯାନ୍ତେ ।

–କ’ଣ ଜାଣନ୍ତ ?

–ଜାଣନ୍ତୁ ଏଇମାନେ ପୋଥି ବାଇଗଣର ବୋଝିଆ । ଯାହାର ଯେତେବେଳେ ପୋଥି ବାଇଗଣ ଦରକାର ପଡ଼ନ୍ତା ସେ ବଜାରରୁ ପ୍ଲାଷ୍ଟିକ ରିବନ୍‌ର ଫୁଲ ଅବା କଳା ସୁତାର ମୁଣ୍ଡବାଳ ପେନ୍ଥି କିଣିଲା ପରି ଯାଇ ପୋଥି ବାଇଗଣ ପୁଞ୍ଜାଏ ଅଧେ ଆଣନ୍ତେ ?

 

–ପୋଥି ବାଇଗଣ କ’ଣ କରନ୍ତ କହିଲ ?

 

–ବୁଝି ନାହାନ୍ତି କି ସାର୍‌ । ଘରେ ଯେମିତି ବହି ରଖୁଛୁ ଅବା ଭାଣ୍ଡଙ୍କ ପରି ନୀତି ବଚନ ଲେଖି ଟଙ୍ଗାଇଛୁ, ଅବା ମୋଟା ସୋଟା କିତାପ ସଜାଇ ଧୂଳି ଝାଡ଼ୁଛୁ, ସେମିତି ପୋଥି ବାଇଗଣ ସାଙ୍ଗକୁ ରବର କୁଣ୍ଢେଇ ବା ପ୍ଲାଷ୍ଟିକ ଗୋଲାପ ଆମେ ସଜାଇ ରଖି ସମସ୍ତଙ୍କୁ ଚମକାଇ ଦିଅନ୍ତୁ । ...ଘରେ ବାଘ ଚମ, ହରିଣ ମୁଣ୍ଡକୁ ଥୋଇ ମନକୁ ବୁଝାଇଲା ପରି...

 

–କିଏ ତମକୁ ଏଇ ସବୁ ଶିଖାଇଲା ?

 

–କାହିଁକି, ମୋର ବାପଘର ସହରରେ ରହି ସବୁ ଦେଖିଛି । ପଚାଶ ବର୍ଷରେ କେମିତି ପଚିଶ ବର୍ଷର ପରି ଦିଶିବାକୁ ହୁଏ ଅବା ଠାଣି ମାଣିରେ କେମିତି ମୁର୍ଖାମିକୁ ଲୁଚାଇ ପଣ୍ଡିତ ପରି ଦେଖାଇ ହୁଏ–ଯେତେ ଇଚ୍ଛା ସେତେ ଦେଖିଛି ।

 

–ହଁ ହେଇଥିବ ତମର ସେଇ କଲିକତି କାଇଦାରେ ।

 

–କାହିଁକି ଏଠି ଆମର ବଛରାଇ ଗାଁ କେଉଁଥିରେ ଊଣା ? ସେଠି ଦେଢ଼ ପଇସିଆ ଲୋକ ବି ଦେଢ଼ ଲକ୍ଷ ଟଙ୍କାର କଥା କହୁଛି । ଆଉ ଏଠି ଦେଖିଲେଣି ମଣିଷଙ୍କୁ–ଦାନବ ବି ଦେଖା ଦେଉଛି ଦେବତା ରୂପରେ ।

 

–ହେଇ ଶୁଣ ଶୁଣ ମାଲିକ ବାବୁ । ଆମର ମେସ୍‌ବାଲାଙ୍କୁ କୁହାଗଲାଣି ଦାନବ ।

 

–କ’ଣ ହେଲା କି ? ଦେବତାମାନଙ୍କୁ ସମସ୍ତେ ଡାକନ୍ତି । କେହି ତାଙ୍କୁ ସନ୍ଦେହ କରେ ନାହିଁ । ତାଙ୍କୁ ଦେଖିଲେ କେହି ମୁହଁ ନିରସା କରେ ନାହିଁ । ଦେବତା ଆସିଲେ ତାଙ୍କୁ ଛାଡ଼ିବାକୁ କେହିହେଲେ ରାଜି ହୁଏ ନାହିଁ ? ତାଙ୍କ ସାଙ୍ଗରେ ଏକ ହୋଇଯିବାକୁ କାମନା କରେ–ପୂଜା ତପସ୍ୟା ବି କରେ । ଆଉ ଦେବତା ଆସନ୍ତି ଆନନ୍ଦ ଦେବାକୁ–ଆଶୀର୍ବାଦ ଦେବାକୁ । ଆସିଥିଲେ ପାଞ୍ଚଜଣ । ସେଥିରେ ଦେବତା କେତେଜଣ ?

 

–ସେମାନେ କ’ଣ ଦାନବ ?

 

–କିଏ କହିବ ସେ କଥା ? ତାଙ୍କର କାମ, ତାଙ୍କର ସ୍ନେହ, ତାଙ୍କର ଦୟା ସେମାନଙ୍କୁ କୁହାଇବ ସିନା–ଦେବତା ନା ଦାନବ ? ମୁଁ କେମିତି କହିବି ?

 

–ତେବେ ମୁଁ କ’ଣ–କହିଲ ? –ଶିଷ୍ୟ ହେଇ ଗୁରୁଦେବ ପଚାରୁଛନ୍ତି ବେଲି କହୁଛି–ଆପଣ ଦେବତା ନୁହନ୍ତି । ଆଉ ଯାହା ଇଚ୍ଛା ତାହା ହେଇପାରନ୍ତି ।

 

–ମୁଁ କ’ଣ ଦାନବ ?

 

–ନା, ଦାନବ ନୁହନ୍ତି । କାରଣ ଦାନବର ମନରେ ଏଇ ପ୍ରଶ୍ନ ନ ଥାଏ । ଛେଳିକୁ ଖାଇଲାବେଳେ, ମାଛକୁ ରାନ୍ଧିଲାବେଳେ ଯାହା ମନରେ ଏଇ ପ୍ରଶ୍ନ ଉଠିବ ସେ ଦାନବ ହବ କେମିତି ?

 

–ମୁଁ କ’ଣ ରାନ୍ଧିଲି ନା କାଟିଲି ?

 

–ଆଉ ତେବେ କ’ଣ କଲେ ? ଦେବତା ହେଇଥିଲେ ନିଜକୁ ଭୁଲି ଅପରକୁ ଭୁଲାଇବାକୁ, ନିଜର ଦୁଃଖକୁ ପାଶୋରି ଅପରକୁ ସୁଖ ଦେବାକୁ ଆପଣ କେତେ କ’ଣ କରୁଥାନ୍ତେ-। ଏବେ ଆପଣ ନିଜ ପାଇଁ ଓ ନିଜର ଆନନ୍ଦ ସୁଖ ସୁବିଧା ପାଇଁ ତତ୍ପର । ଆପଣଙ୍କୁ ମୁଁ କେବେ ଦେବତା ଆସନରେ ଥୋଇପାରିବି ନାଇଁ ।

 

–ଶୁଣୁଥାଅ ବାବୁ । …ବାବୁ ସିନା ଦେବତା–ପଣିଆର ଯୋଗ୍ୟ । ବାହାର ଲୋକ କେବେ କ’ଣ ନିଜ ଲୋକ ପରି ହେଇ ପାରିବ ?

 

–ହୁଅନ୍ତି ନାହିଁ କି ? ପରମଣିଷ ଘର ମଣିଷ ହେବା ଯେମିତି ସହଜ ଓ ସମ୍ଭବ ଠିକ୍‌ ସେମିତି ଘର ମଣିଷ ପରମଣିଷ ହେଇଯିବା ସମ୍ଭବ । ବଦଳିବା ମଣିଷର ପ୍ରକୃତି । ଏହି ମନ ବଦଳିବା ସାଙ୍ଗରେ ଯିଏ ତାଳ ଦେଇ ଚାଲିପାରେ ସେହି ହେଲା ସଂସାରୀ । ସେତିକି ହେଉଛି ସଂସାରର ମୂଳ କଥା । ...ମୁଁ ଏଇଆ ବୁଝେ ।

 

ଅଭିନ୍ନ ବାବୁଙ୍କର କପାଳର ରେଖା ବେଳେ ବେଳେ ପ୍ରକଟ ହେଉଥିଲା–କନକ ରହି ରହି ଚାହୁଁଥିଲା ତାଙ୍କୁ ।

 

ଦେବାଶିଷ ବାବୁ କହିଲେ–ହଁ, ମୁଁ ଆସିବି । ମୁଁ ପଢ଼ାଇବି । ମୋର ପେଟ ପୋଷା ଧନ୍ଦା ବାହାରେ ଯାହା ସମୟ ବଳିବ ସେତକ ମୁଁ ଏଠି ତୁମକୁ ପଢ଼ାଇବାରେ ଲଗାଇବି ।

 

–ଆମର ବହୁତ ବହୁତ ଜାଣିବେ । ଏତେ ଚଞ୍ଚଳ ଆପଣ ଦୟା କରି ଆମକୁ ଏତକ ସାହାଯ୍ୟ ଦେଲେ । ...କେବେହେଲେ ଏଇ ସାହାଯ୍ୟ ଆମେ ଭୁଲିବୁ ନାହିଁ । ...କ’ଣ କହୁଛୁ କନକ-?

କନକର ମୁହଁରେ ନାଲି ଚହଟିଲା–ଯାହାର ବିଦ୍ୟା ଅଳ୍ପ ସେ ସବୁ କଥାରେ ଏମିତି ନାଲି ମାରେ । ସେଇ ବୁଝେ ଗହଣା, ପୋଷାକ ଆଉ ବେଶଭୂଷା ।

–କିଲୋ, ପଦେ କହିପାରୁ ନାହୁଁ । ଏମିତି ପାଟି ବୁଜି ରହିଲେ ତତେ ଶେଷରେ ପୋଖରୀର ମାଛ ପରି ଧରି ଖାଇଦେବେ । ଏତେ ମାଛ ଦିନଯାକ ମରା ହେଉଛନ୍ତି । କାହିଁ କେଉଁଠି ପଦେ ଉଁଚୁଁ ଶୁଣାଗଲା କି ? ...ପାଠ ପଢ଼ିଲେ ରାବିବୁ । ...ରାବ ବନ୍ଦ ହେଲେ ଲୋକେ ପଚାରିବେ ଆଉ ବୁଝି ବସିବେ ।

କନକ ହସିଲା । ଏହି ହସ ହେଉ ତାହାର ଜବାବ ଆଉ ସେ କେତେ ବୁଝି ପାରିଲା, ତା’ର ମାପ କାଠି ।

ଦେବାଶିଷବାବୁ ଗଲାବେଳେ ସୁତପା କହିଲା–ଆଜି ମୁଁ କହିଲାବେଳେ ଗୋଟାଏ କଥା ଜାଣିଲି ।

–କ’ଣ ?

–ଠାକୁରଙ୍କୁ କାହିଁକି ଦିଅଁ ବେଲି କହୁ ?

–କାହିଁକି ?

–ସେ ଦିଅନ୍ତି । ନିଅନ୍ତି ନାହିଁ । ମଣିଷ ନିଏ । ଦେବାକୁ ଓ ମରିବାକୁ ଭଲ ପାଏ ନାହିଁ । ଆଉ ଯିଏ ନିଜକୁ ଦେଇ ନେଇ ନଥାନ୍ତି ସେହିମାନେ ହୁଅନ୍ତି ଦେବତା । ଯେତେକ ଲୋକ ଖାଲି ନିଅନ୍ତି ଆଉ ଦେବାକୁ ଅପାରଗ–ସେମାନେ ହୁଅନ୍ତି ରାକ୍ଷସ । ଆପଣ ଜଣେ ଦେବତା ।

–ଆଉ ଏଠି ଅନ୍ୟମାନେ ?

–ପରେ ଜାଣିବେ । ମୋ କଥା ସିନା ମୁଁ କହିଦେବି–ମୁଁ ହେଉଛି ପିଶାଚ, ରାକ୍ଷସ ଆଉ ଦାନବ । ମୁଁ ନେବାକୁ ଚାହେଁ । ଦେବାକୁ ମୁଁ ପଛାଏ ।

–କିଏ ଜାଣେ ସେ କଥା ?

–ସେ ସନ୍ଦେହ ବି ଦୂର ହେଇଯିବ । ଏଇ ସଂସାରରେ କେବେ କାହାର ସନ୍ଦେହ ଚିର ଦିନ ପାଇଁ ଅପୂଜା ଦିଅଁ ପରି ଲୁଚି ରହି ନାହିଁ । ଯାହାର ଯାହା ସନ୍ଦେହ ଥିବ, ଅବଶ୍ୟ ଦିନେ ଲୋପ ପାଇଯିବ ।

ଅଭିନ୍ନବାବୁ ପ୍ରତିବାଦ କଲେ । –କି ସନ୍ଦେହ, କାହାର ଅଛି ? କାହିଁକି ଅବା ହେବ ?

–ବୁଝି ନପାରିଲେ ମଣିଷ ଡରେ । ମଣିଷ ସନ୍ଦେହ କରେ । ବୁଝିବାକୁ ଅବା ବୁଝାମଣା ଆଣିବାକୁ ବହୁତ ସମୟ ଲାଗେ । ସେଥିପାଇଁ ସନ୍ଦେହ ଆସେ–ଚଲା ବଉଦ ପରି । ...ଦେବତାଙ୍କର ସନ୍ଦେହ ନଥାଏ । ସେତକ ଥାଏ ପିଶାଚ ଦାନବଙ୍କର । ସୁତପା ହସି ଚାହିଁଲା ।

 

ସମସ୍ତଙ୍କ ଆଖିରେ ପ୍ରଶଂସା । ସୁତପା ମୁହଁ ବୁଲାଇ ନେଲା ।

 

ଅଛିଣ୍ଡା ଅଙ୍କକୁ ମନେ ମନେ ଭାବି ଦେବାଶିଷ ମେସ୍‌ରେ ପହୁଞ୍ଚିଲା । ଏବେ ସେ ତୀର୍ଥଯାତ୍ରୀ ପରି–ସେ ଆସିଲେ ମେସ୍‌ର ବନ୍ଧୁମାନେ ପାଛୋଟି ନେବାକୁ ଆସନ୍ତି । ନୂଆ ରାଇଜର ଭଲମନ୍ଦ ବୁଝିବାକୁ ବସନ୍ତି । ପାଞ୍ଚ ଜଣରେ ଜଣେ–ଠିକ୍‌ ଚାକିରିର ମୁଲାକାତ ବା ଦେଖା ସାକ୍ଷାତପରି ସମସ୍ତଙ୍କର ବୟସ ପଚିଶି ଭିତରେ । ପଢ଼ା କଲେଜର ଉପାଧି ପର୍ଯ୍ୟନ୍ତ । ଚାକିରି ଏକା ଦପ୍ତରଖାନାରେ–ଭାଷା ସମାନ । ବେଶ ପୋଷାକ ଊଣା ଅଧିକେ ସମାନ–ସେଥିରୁ ଦେବାଶିଷ ବଛା ହେଇଛି ।

 

ଘରର ମାଷ୍ଟର ହେଉ ବା ରାସ୍ତାର ରିକ୍‌ସାବାଲା ଅବା ରେଳ ଷ୍ଟେସନର ମୋଟିଆ ହେଉ ଏହି ବଛା ବଛି ପ୍ରତିଦିନ ଲାଗିଛି । ଯିଏ ଏଥିରେ ପାରି ହୋଇ ଯାଉଛି ସେ ତାହାର ବତିଶି ଦାନ୍ତରୁ ଦଶପଣ ଦେଖାଇ ବାଟ ଚାଲୁଛି । ଦେବାଶିଷର ଦୁଇଟି ପିଲା ଘରେ–ତେବେ ସେ ପାଇଲା ଦୁଇଟି ତରୁଣୀଙ୍କୁ । ପିଲାଙ୍କୁ ପୋଷିବା ପାଳିବା ସହଜ ବା କଠିନ ସେ କଥା ଘରେ ଜାଣନ୍ତି ଆଉ ଏଇ ଝିଅ ପିଲା ଦୁଇଟିଙ୍କୁ ପାଠ ପଢ଼ାଇବା କେଡ଼େ ଆନନ୍ଦର କି ଦୁଃଖର ସେ କଥା କହିବ ଦେବାଶିଷ ।

 

–ହୋ, ଦେବାଶିଷ ସାର୍‌ । କୁହମ, ଆଜି କ’ଣ ପହିଲି ଦିନରୁ ମୁହଁ ଶୁଖିଗଲାଣି । ଆଖି କୋରଡ଼କୁ ପଶିଗଲାଣି । ଭାରି ପରିଶ୍ରମ ପଡ଼ୁଛି ନା ? ...କହି, ସାଙ୍ଗରେ ଜୟ ଜୟକାର କଲାପରି ‘ହୋ’ ‘ହୋ’ ହସ ।

 

–ହଁ ଭାଇ ହେଇଥିବ । ତମେମାନେ ସବୁ କର୍ଣ୍ଣପିଶାଚ ପଢ଼ି ଜାଣିଲା ପରି ମୋ’ ମୁହଁରୁ ମୋର ମେହେନତ୍‌ ଠଉରାଇ ଗଲଣି । ଆଉ କ’ଣ ମାଷ୍ଟର ବାପୁଡ଼ା କହିବ ? ଭାରି ମେହେନତ୍‌ ।

 

–ହେଇଥିବ । ତେବେ କିଏ ବେଶି ପଢ଼ିଲା–ବଡ଼ ନା ଛୋଟ ? କହନେ ବାଲୀ ନା ଶୁନ୍‌ନେ ବାଲୀ ? –ତମର ବୁଦ୍ଧି ନିଅଣ୍ଟ ପଡ଼ୁନାହିଁ ତ ?

 

–ପଡ଼ୁଛି । ବୁଦ୍ଧିକୁ ଯେତେ ମାପ କରି ଦଉଡ଼ି ବଳିଲି କାହିଁ ପାଇଲା ନାହିଁତ । ତମେମାନେ ଆସି ମୋ କାମ ନିଅନ୍ତ ।

 

–ଆମେ ଏମିତି ପର ଶଗଡ଼ରେ ହାତ ଦେଇ ସେଇଠୁ ଶଗଡ଼ ପଛରୁ ବାଟମାରଣା କରୁ ନାହିଁ ।

 

–କାହିଁକି କରିବ ? ତମେମାନେ ହେଲ ଭାଇ, ମେସ୍‌ର ବାଘ । ଆପନା ଘରମେ କୁତା ଶେର୍...ମୋର ଅବା ବୁଦ୍ଧି କେତେ ?

 

–ହଁ, କେତେ କୁତା ଦେଖିଥିବ । ଏବେ କୁତୀ ଦେଖିଲଣି ନା ଚାରିଆଡ଼େ କୁତା ସପନ ଦେଖିବୁଲୁଛ ।

 

–ଯାଅ । ନିଜର ଧନ୍ଦାରେ ଯାଅ । ନଇଲେ କେଉଁ ଥାନା କି ଫାଣ୍ଡିଥିବା ଗାଁରେ ବସି ସାପ୍ତାହିକ କାଗଜର ସମ୍ବାଦ ପ୍ରତିନିଧି ବା ସାମ୍ବାଦିକ ବନିଯାଇ କମ୍ପମାନ କର । ଆମ ସାଙ୍ଗରେ ଉଚ୍ଚବାଚ ହେଇ ଲାଭ ନାହିଁ ।

 

ଦେବାଶିଷବାବୁ ବିରକ୍ତି ହେଇଗଲେ ସେ ଦିନର ଗୁମର କଥା ବାହାରକୁ ଆସିବ ନାହିଁ । ଗୁପ୍ତ କଥା ପାଞ୍ଚ ପଦ ନଶୁଣିଲେ ମନଟା ମୋଟେ ଉଲୁସିବ ନାହିଁ । ସେମିତି ଶୁଖିଲା ଠାକରିଆ ହେଇ ପଡ଼ି ରହିବ । ପ୍ରତିଦିନର ଆକାଶରେ ଚାନ୍ଦକୁ ଚାହିଁଲେ ସିନା ତାହାର ବଢ଼ନ୍ତା ଛିଡ଼ନ୍ତା ଜାଣି ହବ ? ନହେଲେ ଶେଷକୁ ଦିନେ ଶୁଣିବ ପୁନେଇ ଅବା ଉଆଁସ–ଏଥିରେ ମଜ୍ଜା କ’ଣ ?

 

ଗାଳି ନିନ୍ଦା ଅପବାଦ ଦେଇ କାହାର ପେଟରୁ ସତ କଥା ବାହାର କରା ଯାଇପାରେ ନାହିଁ । ସେମିତି ଭୟ ଦେଖାଇ କାହାରି ମନରୁ ପ୍ରୀତି ଅବା ଚୋରା ପ୍ରଣୟ କାଢ଼ି ହୁଏ ନାହିଁ । ସବୁରି ମୂଳଦୁଆ ହେଲା ସତ କଥା, ସ୍ନେହ ଦରଦର ମନ ଆଉ ପ୍ରଶଂସା ଚାଟୁ କଥା ।

 

ଚିଡ଼ିଗଲ କି ବନ୍ଧୁ ? ...ଆମେ ପରା ନିଜର ପରାଜୟ ପାଇଁ ହିଂସାରେ ସଢ଼ି ମରୁଛୁ । ଲାଖବିନ୍ଧାରେ ତମେ ପାଇଲ କି ନାହିଁ ତମେ ଜାଣିଥିବ । କିନ୍ତୁ ଦୁଇଟି ଲୋକ ତୁମକୁ ଭୋଟ ଦେଲେ–ତମେ ଏଣିକି ମାଲିକ ହେବ । ରାଜ୍ୟ ଚଳାଇବ । ତମେ ପରା ଭୋଟ ପାଇଲ । ଆମେ ହେଲୁ ତମର ବିରୋଧୀ ଦଳ ।

 

ଦେବାଶିଷ ହସିଲା–ସତରେ ସେ ଭୋଟ ପାଇଛି । ସେ ବଛା ହେଇଛି । ହସି କହିଲା–ହଉ, ଗଣତନ୍ତ୍ରର ବିରୋଧୀ ଦଳ, ଶୁଣ । ପାଠ ପଢ଼ାଇବାକୁ ଯାଇ ଅକଲ ଗୁଡ଼ୁମ ହେଲାଣି ।

 

–କେମିତି ?

 

–ବୁଡ଼ି ଜାଣ ବୋଲି ଗହିରିଆ କୂଅରେ ବର୍ଷା ଦିନରେ ପଶିଲେ ଯେମିତି ଲାଗିବ ? ମାଟିକୁ ପାଦ ଛୁଇଁବା ଆଗରୁ ତମେ ଆସି ଉପରେ...ଆଉ ମୁଣ୍ଡ ହଲାଇ କହୁଥିବ, ମଲା, ମଲା ଯା, ମୁଁ ପଙ୍କ କାଦୁଅକୁ ବି ଛୁଇଁ ପାରିଲି ନାହିଁ ।

 

କ’ଣ ହେଲା ?

 

ହବ ଆଉ କ’ଣ ? ...ଆଜି ଅସୁର ଠାକୁର କଥା ପଡ଼ିଲା । କିଏ ଠାକୁର ହେଲା ଜାଣିଛ-?

 

–ତମେ ହେଇଥିବ । ଅଭିନ୍ନ ହେଇଥିବ ଅସୁର––ତମପରି ଠାକୁରକୁ ସେ ଛକୁଛି ।

 

–ନାହିଁରେ ଭାଇ । ଆଜି ଠାକୁର ହେଲା ସିଏ–ଯିଏ ଖାଲି ଦେଇ ପାରେ ଆଉ ଯାଚିଲେ ବି ନିଏ ନାହିଁ । ଅସୁର ଖାଲି ନିଏ ଆଉ ମାଗିଲେ ବି ଦିଏ ନାହିଁ ।

 

ସମସ୍ତେ ଭାବିଗଲେ ଦେବାଶିଷ କଥା–ସେ କ’ଣ ହେଇ ଅଭିନ୍ନ ଘରୁ ବାହାରି ଆସିଛି । ଠାକୁର ନା ଅସୁର ?

 

ଠିକଣା ହୋଇ ପାରିଲା ନାହିଁ । ଯାଚିଲେ ନ ନେବା ଲୋକ ଦେବାଶିଷ ହେଇଥିଲେ ସେ କେମିତି ସାଢ଼େ ତିନି ବର୍ଷରେ ଯୋଡ଼ିଏ ପିଲାଙ୍କୁ ଆଣି ରଖିଲାଣି ଏଇ ଗରିବ ସମାଜରେ ? .....ନା ସେ ଅସୁର । ...କେଜାଣି । ଦେବାଶିଷ ଯେତେବେଳେ ମେସ୍‌ରୁ ଖାଇ ନିଜର ଦୁଃଖଧନ୍ଦା ଛାଡ଼ି ଦେବାକୁ ଧାଇଁଛି ବିନା ଦରମାରେ ଠିକ୍ ବସ୍ତି ସ୍ୱେଚ୍ଛାସେବକଙ୍କ ପରି ସେ କ’ଣ ଠାକୁର ହୋଇ ପାରିବ ନାହିଁ ?

 

ଘୋ’ ଘୋ’ ଭିତରେ କଥା ଛିଣ୍ଡିଲା ନାହିଁ । ସମସ୍ତେ ଆପଣା ମନକୁ ଠାକୁର ହୋଇଯାଉଛନ୍ତି । ତେବେ ପୁରା ଠାକୁର ହେଇ ପାରୁ ନ ଥାନ୍ତି । ଲୋଭ, କ୍ରୋଧ, ତସ୍କରି ତାଙ୍କରି ମନଭିତରେ ଆସି ଯାଉଥାଏ । ତେବେ ଅସୁରମାନେ ଯେତେବେଳେ କାହାରି ପ୍ରିୟପାତ୍ର ହେଇ ପାରୁ ନାହାନ୍ତି ସେତେବେଳେ ଅସୁର ହେବାକୁ କିଏ ବା ରାଜି ହେବ ?

 

–ଛାଡ଼, ଭାଇ । କହି ଦିଅ ତମେ କ’ଣ ହେଲ ? ଆଉ....ସେମାନେ କ’ଣ ଠାକୁରାଣୀ ନା ଅସୁରୁଣୀ ?

 

–ବେଶ୍ କହିଲ ବନ୍ଧୁମାନେ । ସ୍ତ୍ରୀ’ ଲୋକ ଭିତରେ ଖାଲି ଠାକୁରାଣୀ ଅଛନ୍ତି । ଅସୁରୁଣୀ ଖାଲି ବ୍ୟାକରଣ ବହିରେ ଅବା ପିଲାଙ୍କର ଡରାଣ ଗପରେ ଜାଗା ପାଇଛି । ସ୍ତ୍ରୀ ଲୋକ କ’ଣ ଅସୁରୁଣୀ ହେଇପାରେ ? ....କେବେ ହେଲାଣି ନା ହେଇଛି ?

 

–ଆଉ ତେବେ ଆମକୁ ସେ ଅସୁର କି ଠାକୁର ବୋଲି ବୁଝିବସିବେ କାହିଁକି ? ...ପଚାରିଲ ନାହିଁ । ତମେମାନେ ଦେବ ବେଶି ନା ନେବ ବେଶି ? ...ତମେମାନେ ଦେଇଜାଣ ନା ନେଇ ଜାଣ ?

 

–ମୋର ବୁଦ୍ଧି ନିଅଣ୍ଟ ହେଲା ବୋଲି ସିନା ଧାଇଁ ଆସିଲି ଏଇ ମେସ୍‌କୁ ବୁଦ୍ଧି ମାଗିବାକୁ-। ଆମର ବୁଦ୍ଧି ଦାମ୍‌ ଦିନକୁ ଚାରି ପାଞ୍ଚ ଟଙ୍କା ଯାଏ ଉଠିଲାଣି ? କୁ’ ଅଳ୍ପ ଦାମ୍‌ ହେଇଛି କି-? କାଙ୍କଡ଼ କିଲୋ ଅଢ଼େଇ ଟଙ୍କା କି ଆମର ଦିନକା ମୂଲ୍ୟ ପାଞ୍ଚଟଙ୍କା–କୁହ କ’ଣ କରିବା ?

 

–କହିଦିଅ । ଦେବାଶିଷ ଜଣେ ଠାକୁର ।

 

–ଠାକୁର ବୋଲି କହିଲେ ମୋର ସମୟ ବଳ ବୁଦ୍ଧି, ଅର୍ଜନ ଆଉ ସଞ୍ଚୟ ସବୁ ଚାଲିଯିବ-। ଏଣେ ପ୍ରମାଣ ଦିଆ ସରି ନ ଥିବ । କି ରାୟ ବାହାରି ନଥିବ । ଅସୁର ବୋଲି କହିଲେ ବି ସେମିତି ନିଜକୁ ହରିଜନ ପରି ରାମଜନ ପାଖରେ ଦୂରେଇ ହେଇ ରହିଯିବାକୁ ହେବ-। ....ଚାହିଁଥିବ ଏଇ ରଥରୁ ଆରବର୍ଷ ରଥ ଯାଏଁ ପତିତପାବନ ଜଗନ୍ନାଥଙ୍କୁ ଦେଖିବା ପାଇଁ ।

 

–ସେଥିପାଇଁ ଆମର ଶିଆଣା–ଚତୁର ବନ୍ଧୁ କପାଳ କୁଞ୍ଚାଇ ଆସୁଥିଲେ । ଆମେ ଭୁଲରେ ଭାବିଲୁ–ପରିଶ୍ରମ । ଏବେ ଜାଣିଗଲୁ–ଚିନ୍ତାର ଆଞ୍ଚୁଡ଼ା ଦାଗ । ...ମନେ ରଖିବ ବନ୍ଧୁ–କେବେ ହେଲେ ମନରେ ଅଛିଣ୍ଡା ପ୍ରଶ୍ନକୁ ନେଇ ଗହୀରିଆ ନିଶ୍ଵାସର ଗରମରେ ଶେକିବ ନାହିଁ । ଭୁଲ ବା ଠିକ୍‌ ଯାହା ହେଉ–ଜବାବ ଦେଇଦବ । ତେବେ ତମର ମୁହଁରେ ଯୌବନ ରହିବ ଓ ସ୍ୱାସ୍ଥ୍ୟ ମଧ୍ୟ ରହିବ ଭଲ ।

 

–କ’ଣ ଜବାବ ଦିଆ ହୋଇଥାନ୍ତା ?

 

–କହିଥାନ୍ତ ଯେ ତମେ ଠାକୁର ହେଲେ ଆମଠାରେ ଦେବତା ଦେଖିବ । ତମେ ଅସୁର ହେଲେ ଆମଠାରେ ଦାନବ ଦେଖିବ । ଯାହା ନିଜେ ହୋଇଥିବ ସେଇଆ ପାଇବ ଅନ୍ୟଠାରେ ।

 

–ସେ ଯଦି ଏହାର ଉତ୍ତରରେ କହେ ଯେ ସେ ହେଲା ପଢ଼ୁଆ ପିଲା । ଭଲ ଜାଣିବାକୁ, ଭଲ ବୁଝିବାକୁ, ଆଉ ଭଲ ହେବାକୁ ଦେବାଶିଷକୁ ମାଷ୍ଟର କରିଛି । ସେହି ମାଷ୍ଟର ନିଜେ ନିଜର ଗୁଣ ଦୋଷ ଦେଖାଇ ନିଜକୁ ବଡ଼ ଓ ଭଲ କରି ଦେଖାଇ ଦିଅନ୍ତୁ । ନିଜେ ଅସୁର ହୋଇ ବାଡ଼କୁ ନ ଖାନ୍ତୁ....ତେବେ ?

 

–ଇଏ ତ ହେଲା ତମ ମନର ସକସକ । ନିଜେ ଯାଇ କୃଷ୍ଣ ସାଜିବ ବୋଲି ଭାବିଲାଣି ନା ? ସେଥିକି ସାବଧାନ । ପର ଘରେ କୃଷ୍ଣ ସାଜିଲେ ବହୁତ ଟିକସ୍‌ ଦେବାକୁ ପଡ଼ିବ–ଦରକାର ପଡ଼ିଲେ ଗଳାଟା ବି ଦେବାକୁ ପଡ଼ିପାରେ । ଏଇଟା ଦ୍ଵାପର ଯୁଗ ନୁହେଁ–କଳିଯୁଗ ।

–ନାହିଁରେ, ଭାଇ, ବୃଥାରେ ଅନ୍ୟକୁ ଖରାପ ବୋଲି ଭାବ ନାହିଁ । ଏଇ ଅଭିନ୍ନର ସ୍ତ୍ରୀ’ପରି ଲୋକ ତମେ ବେଶି ଦେଖିବାକୁ ପାଇବ ନାହିଁ । ତାହାର ଦେହରେ କଳଙ୍କର ଦାଗ ନାହିଁ । ତା’କୁ ତମେମାନେ କଳଙ୍କ ଦେବ କାହିଁକି ? ସେ କି ଦୋଷ କଲା ?

–ଆଉ ? ନିଜେ ମାଇଚିଆକୁ ବିଭା ହୋଇ ଯାବତ୍‌ ପୁରୁଷଙ୍କୁ ନେଇ ପାଠପଢ଼ା ବାହାନାରେ ହୁନ୍ଦର ଲଗାଇଛି । ସେ ଅଭିନ୍ନ କ’ଣ କରୁଛି ?

–ତାଙ୍କର ପୁରା ବିଶ୍ୱାସ ସୁତପା ଉପରେ । ଏତେ ଟିକିଏ ସନ୍ଦେହ କି ଅବିଶ୍ଵାସ ନାହିଁ ।

–ସାବାସ୍‌, ପତି ଦେବତା । ଯିଏ ସ୍ଵାମୀ ବୋଲାଇ ସ୍ତ୍ରୀ’କୁ ସନ୍ଦେହ କରି ନପାରେ ସିଏ କି ସ୍ଵାମୀ ?

–ନାଇଁରେ ଭାଇ । ଏଇ ସ୍ତ୍ରୀମାନେ ହେଲେ ପ୍ରକୃତ ଅସୁରୁଣୀ–କିମିଆଁ କରି ତୁଣ୍ଡ ବାନ୍ଧି ଦେଇ ଗଳାରେ ଝୁଲୁଥିବେ ବେଲ ଗଛର ନିର୍ମୂଳି ଲଟା ପରି ।

ଦେବାଶିଷ ପ୍ରତିବାଦ କଲା–ସବୁବେଳେ ଏମିତି ଆପଣା ଜ୍ଞାନ ଆଉ ବୁଦ୍ଧିରୁ ସମସ୍ତଙ୍କୁ ମାପିବା ଭୁଲ୍‌ । ସର୍ବଜ୍ଞଙ୍କ ପରି ନିଜର ଓଲାମିରେ ଦୁନିଆର ସମସ୍ତଙ୍କୁ କଥାର କାଳିରେ କଳା କରିଦବା ଖାଲି ଆଳ୍ପକର ମଣିଷକୁ ସାଜେ ।

–ହଁ, ବାବୁ, ତମେ ବହୁତର ମଣିଷ । .....କଲିକତିଆ ମୁଲିଆଙ୍କ ସାଙ୍ଗରେ ସଙ୍ଗାତ ବସି ଗାଁରେ ମୁଲିଆ ବି ଦେଶ ବିଦେଶର କଥା ବୁଝିଲା ପରି ତମେ ବି କଥା କହିଲଣି ।

–ଛାଡ଼ । ନିଜେ ଆସ ଆଉ ଦେଖ । ସେଠି ତୁମର ବୁଦ୍ଧିକୁ ଆସି ମାପିଚୁପି ଫେରିଆସ-। ହୁଡ଼ିବାକୁ ଯାଇ ବାଟ ବଣା ହେଲେ ବନ୍ଧୁ ଗାଁକୁ ନ ଫେରି ମାନସିକ ଚିକିତ୍ସାଳୟର ଦୁଆର ଦେଖିବ ... ସମସ୍ତଙ୍କୁ ସମାନ ଭାବି ଧରି ପକାଇଲେ ନାଗ ଚୁଚୁନ୍ଦ୍ରା ଯୋଗ ପଡ଼ିବ।

–ହଉ ଯିବା । ମୁଁ ଯିବି....

–ହେଲା ନରହରିବାବୁ ଯିବେ ପରୀକ୍ଷା କରିବାକୁ କି ପରୀକ୍ଷା ଦେବାକୁ ସେ ଜାଣନ୍ତି । ଫେରିଲେ ସେ ନିଜେ କହିବେ ଯେ ନାଗ ଦେଖିଲେ କି ଚୁଚୁନ୍ଦ୍ରା ହେଲେ....

–ନାହିଁ ନରହରିବାବୁ ଯିବେ ନାଗ ମହାରାଜ ହୋଇ । ସେଠି ସେ ଯଦି ଚୁଚୁନ୍ଦ୍ରା ନ ଦେଖି ମୂଷା ଦେଖନ୍ତି ତେବେ ନାଗ ମହାରାଜ ଖାଇ ଦେଇ ଆସିବେ । ଦେବାଶିଷ ବାବୁଙ୍କର ପିଲାଟି ହଜିଯିବ–ଆଉ ତାଙ୍କୁ ମାଷ୍ଟର ସାହେବ ବୋଲି କହିବ କିଏ ?

ତେଣେ ସୁତପା ସେତେବେଳେ ସେଇ କଥା କନକକୁ କହୁଥିଲା–ଆଡ଼ଉହାଡ଼ ହୋଇ ରହିଗଲେ ସୂର୍ଯ୍ୟ ଚନ୍ଦ୍ର ବି ଆସି ଖୋଜି ଲୋଡ଼ି ଦେଖା ଦେବେ ନାହିଁ । ....ଡର ଭୟକୁ ମନରେ ଆଣି ଦୁଆର ଖିଡ଼ିକି ବନ୍ଦ କଲେ ଅସନା ପବନ, ନିଷ୍ଠୁରିଆ ତସ୍କର କେହି ଆଡ଼େଇ ହୋଇ ରହିବେ ନାହିଁ । ସଂସାରରେ ଭଲ ଆଉ ମନ୍ଦ ସମସ୍ତଙ୍କୁ ହିମତ୍ ବାନ୍ଧି ସାମ୍ନା କଲେ ବଞ୍ଚିବାର ସୁଆଦ ପାଇବୁ-। ...କଥା କହି କହି ପାଟିକୁ ସଜାଡ଼ିବୁ । ଶିଳ ଆଉ ଚକିକୁ ମଣିଷ ସର କଲା ପରି....

 

–ହେଲେ, ଏତେଗୁଡ଼ାଏ କଥାଭାଷା ଭଲ ନୁହେଁ । ...ତମେ କହୁଛ ପାଠ ପଢ଼ିବ ଦେବାଶିଷବାବୁଙ୍କ ପାଖରେ... ମୁଁ ତ ଆଜି ଦେଖିଲି ପାଠ ଶୂନ୍ ଆଉ ବୋଲାବୋଲି ଶହେ...

 

–କହିଲ ଭଲା । ତମେ ଏତେ କଥା ଏତେ ସହଜରେ ଠଉରେଇ ପାରୁଛ । ତେବେ ତମର କିମତ୍ କାହିଁକି ନ ଉଠିଲା ?

 

–ସେ ତ ଭାଗ୍ୟ । –କିସମତ୍‌ ।

 

–ମୋଟେ ନୁହେଁ । ଭାଟ ଭିକାରୀ ଯଦି ଥାଳ ଧରି, କେନ୍ଦରା ଧରି ନିଜର ପିଣ୍ଡାରେ ବସି ମାଗିବେ ତେବେ ତାଙ୍କର ପେଟ ପୁରିବ କି ? ନିଜର ଅଭାବ ନଅଣ୍ଟକୁ ଜପାମାଳି ନ କଲେ ତମର କେବେହେଲେ ମାଣ ପୁରିବ କି ?

 

–ହଉ କରିବା । ଦେଖିବା ।

 

–ସତରେ କର ଦେଖିବା । ତା’କୁ କୁହାଯାଏ ତପସ୍ୟା । ଦେଖି ନାହିଁ, ଆମ ପରି ସାଧା ଲୋକଟିଏ ଘର ଛାଡ଼ି କେଉଁଠି....ବଣ ବୁଦାର ଗୁଂଫାରେ ଦି’ବର୍ଷ ବର୍ଷେ ରହିଗଲା, ସେଠୁ ଫେରିଲା ବାବାଜୀ ମହାରାଜ ହୋଇ । ଅଳ୍ପ ଦିନର ତପସ୍ୟାରେ ଅଳ୍ପର ଲୋକ ଅଧିକ ହୋଇପାରେ–ହୋଇପାରିବ ।

 

–ଦେଖିଛ ନା ଶୁଣିଛ ?

 

ଯାଅ ଥରେ ବଡ଼ ସହରକୁ–ବଡ଼ ଜାଗାକୁ । କଲିକତା, ଦିଲ୍ଲୀ, ବମ୍ବେଇ ଆଉ ମାନ୍ଦ୍ରାଜ । ଭାଗ୍ୟକୁ ଲଢ଼ାଅ । ଦେଖ ତୁମର ରୂପ ଆଉ ସ୍ୱରୂପ ବଦଳୁଛି କି ନାହିଁ । ଆଉ ଏଠି ଦପ୍ତରଖାନା ପାଚିରି ଉହାଡ଼ରେ ରହି ପଙ୍ଗୁ, ଅକର୍ମଣ୍ୟଙ୍କ ସାଙ୍ଗରେ ମିତ ମଇତ୍ର ସାଜି ମଫସଲି କାଇଦା କିଛି ହାସଲ କରି ନିଜକୁ ବଡ଼ବୋଲି କହୁଛ–ତାକୁ ଦେଖି ଡରିବ କିଏ ?

 

–ଆମେ ତମର ପସନ୍ଦ ପଡ଼ୁନାହୁଁ ?

 

–ଖୁବ୍ ପସନ୍ଦ । ତମରି ପରି ଲୋକମାନେ ଉଠନ୍ତି । କାରଣ ସେମାନେ ସବ୍‌ଜାନତା ନୁହନ୍ତି । ସବ୍‌ଜାନତା ଯାଇ ଖେଳ ପଡ଼ିଆରେ ପତାକା ହଲାଏ, ଲଟରି ଟିକଟ ବିକେ ନଇଲେ ରାସ୍ତାରେ ଠିଆହୋଇ ଠାକୁର ଘର ବଟି ଅସୁଲ କରେ । କମ୍‌ଜାନତା ଲୋକେ ନିଦାରୁ ଉଠି ଚାଲିଯାନ୍ତି–ଭୁତ ଲାଗିଲାପରି ।

 

–ହଁ, ଆମେ ତ ରଦ୍ଦିମାର୍କା ।

 

–ରଦ୍ଦିମାର୍କା କେବଳ ଉଠନ୍ତି । ତାଙ୍କରି ଥାଏ ଈଶ୍ଵରଙ୍କ ପାଖରେ କାମନା । ଆଉ ସେହି ଦୁଃଖ ଈଶ୍ଵର ଦୂର କରନ୍ତି । ସେ ଦୁଃଖୀର ବାଞ୍ଛା ପୂରଣ ନକଲେ ବାଞ୍ଚାନିଧି ନାମ ଲୋପ ପାଇଯିବ-

 

–ଆଉ ଭଲ ମାର୍କା ?

 

–ସେମାନେ କେଡ଼େ ବଢ଼ିଆ ଆଉ ତାରିଫ୍ ଏତକ ମୟୂର ପରି, କୁକୁଡ଼ା ପରି ଦେଖୁ ଦେଖୁ ସଂସାର ଶେଷ ହୋଇଯାଏ । ଶେଷକୁ ସେମାନେ ରଦ୍ଦିମାର୍କା ଲୋକଙ୍କର ବୋକଚାବୁହା ହୋଇ, ତାଙ୍କରି ପାଦ ଚାଟି ଅଧରାମୃତ ଖାଇ ଗୋଟାଏ ବେଲି ଆଉଡ଼ାଉ ଥାନ୍ତି–ଆତ୍ମହତ୍ୟା ମହାପାପ ।

 

–ଆଉ କ’ଣ ସମସ୍ତେ ଯାଇ ଦଉଡ଼ି ଦେବେ ?

 

–କିଏ କହିବ ସେ କଥା ? ଆଇନ ରହିଛି ତାଙ୍କୁ ଧରି ନେଇ ଜେଲ ଖଟାଇବା ପାଇଁ ? ଯିଏ ଉଠେ, ସେହି କେବଳ ପଡ଼ିପାରେ । ....ଯିଏ ନିଜର ଚେଷ୍ଟାରେ ବଞ୍ଚିପାରେ–ମଣିଷ ଭିତରେ ମଣିଷଙ୍କ ପରି, ସେହି ସିନା ନିଜର ଇଚ୍ଛାରେ ମରିପାରେ । ଯିଏ ଦିନେ ହେଲେ ଜୀବନ ଧରି ବଞ୍ଚିବାର ଭାଜନ ହେଇ ନପାରିଲା ସେ କେବେ ଦଉଡ଼ି ଦବ ? –ନା ଦେଇପାରିଚି ?

 

–ଛାଡ଼ ମ ଅପା । ତମେ ପାଗଲା ହେଇଯିବ । ଏତେ କ’ଣ ଗପୁଛ ?

 

–ସବୁ ବଡ଼ ମଣିଷ ପାଗଳ । ଆଉ ସବୁ ଛୋଟ ମଣିଷଙ୍କର ମୁଣ୍ଡ ଭଲ । ...ଏତିକି କ’ଣ ଜାଣୁ ନାହିଁ, କନକ ? ମୁଣ୍ଡ ଠିକ୍ ଥିଲେ ତଳକୁ ତଳକୁ ଚାଲ । ଆକାଶିଆ ଉଚ୍ଚରେ ସିନା ମୁଣ୍ଡ ବୁଲେଇବ । ମାଟି ଉପରେ କ’ଣ ମୁଣ୍ଡ ଭଉଁରୀ ଖାଇବ ?

 

–ଶେଷରେ ବିଚରା ଦେବାଶିଷ ହଇରାଣ ହେଲା ।

 

–ମୋଟେ ନୁହେଁ । ପ୍ରଥମେ ପ୍ରଥମେ ତାଙ୍କୁ ଭିଡ଼ ପଡ଼ିବ । ମନକୁ ମଜରା ଧରିବ । ପାଟି ଏଣୁତେଣୁ ଗପିବ ତାଙ୍କରି ମେସ୍‌ରେ । ଶେଷକୁ ସେଇ ହେବେ ସବୁଠାରୁ ଅଧିକ ଆଜ୍ଞାବହ–ଯାହା କହିବ ସେ କରିବେ...ଆଉ

 

–କ’ଣ ? –ଆଉ

 

–ଦରକାର ହେଲେ ସେ ତମ ପାଇଁ ଆମ ପାଇଁ ତାଙ୍କର ଜୀବନ ଦେଇ ପାରିବେ । ଏମିତି ଯେଉଁମାନେ ଅନ୍ୟର ମନର ଅଧିନ, ଓ ଇଚ୍ଛାର ଅଧୀନ ହୋଇଥାନ୍ତି ସେହିମାନେ ଖାଲି ଅନ୍ୟପାଇଁ ନିଜକୁ ବିସର୍ଜନ ଦେଇପାରନ୍ତି....ଦେବାଶିଷ ବାବୁ ଜଣେ ବଡ଼ ମଣିଷ ।

 

–କ’ଣ ଦେଖିଲ ? କ’ଣ ପାଇଁ... ?

 

–ଯିଏ ଅପରର ଅନୁରୋଧ ରଖେ ଆଉ ଅନ୍ୟର ଖିଆଲକୁ ଆଦେଶ ବୋଲି ମୁଣ୍ଡାଇ ନିଏ ତାହାକୁ ବିଧାତା ପ୍ରସନ୍ନ ହୁଏ ।...ଦେଖି ନାହଁ । ଚୋର ଡକାଏତଙ୍କୁ ଯିଏ ତାହାର ଚାବିକାଠି ଧରାଇଦିଏ ସେଇଠି ଚୋର ଧରା ପଡ଼ନ୍ତି ଅଧିକ ।

 

–କେଜାଣି ?

 

–ପରୀକ୍ଷା କର । ଚୋରକୁ ଚୋରି କରିବାର ସୁବିଧା ଦିଅ । ତା’ପରେ ଦେଖିବ ଯେ ଚୋର ଧରା ପଡ଼ୁଛି....ଆଉ ଚୋରି ଅଭ୍ୟାସ କମୁଛି ।

 

କନକ ହସି ଚାହିଁଲା ନିଜକୁ....

 

ତୁଣ୍ଡରୁ ଯାହା ଖସେ ସେ ଆଉ ଲେଉଟେ ନାହିଁ । ଖାଇବା ଜିନିଷ ଖସିଲେ ହୋଇଯାଏ ଅଇଁଠା । କଥା ଖସିଲେ ସେମିତି ହେଇଯାଏ ଅଣଲେଉଟା । କିନ୍ତୁ ସେଇ ଅଣଲେଉଟା ମୂଲ୍ୟ ବଢ଼ିଯାଏ ସଂସାରରେ ।

 

ମନରେ ତମେ ଯାହା ଭାବିଥାଅ ନା କାହିଁକି ସଂସାରର ଲୋକେ ତମର କହିଥିବା କେଇ ପଦକୁ ତମର ଶେଷ କଥା ବୋଲି କହି ସେଥିରେ ତମକୁ ତଉଲନ୍ତି । ତମେ ବା କରିପାରିବ କ’ଣ ? କଥା ଖସି ଯାଇଛି । ତା’କୁ ଫେରାଇ ପାରିବ ନାହିଁ । ତେଣୁ ବାଧ୍ୟ ହୋଇ କହିଥିବା ବଚନରେ ଚଳିବ । ସେହି କଥା ଆକାଶର ପବନ ପରି ତମର ଜୀବନ–ଡଙ୍ଗାକୁ ଠେଲିବ ।

 

ଅଭିନ୍ନ ସେଦିନ ଅଫିସରେ ବଡ଼ ଚିନ୍ତାରେ ଥିବା ପରି ଜଣା ଯାଉଥିଲା । ନରହରି କିଛି ନ ଜାଣିଲା ପରି ହସି କହିଲେ–ଆଜି କ’ଣ ଭାବୁଛ କି ?

 

–କିଛି ନୁହେଁ ଭାଇ । ଏଇ ସଂସାର ବଡ଼ ବିଷମ । ଏହାକୁ ଧଇଲେ ମଲ । ଛାଡ଼ିଲେ ବି ମଲ ।

 

–କାହିଁକି ? କଳିଗୋଳ ହୋଇଗଲା କି ? ଘରେ ପରା ଆମେ ଘୋର କଳିଗୋଳକୁ କହୁ କଳିକଜିଆ । କ’ଣ ହେଲା ?

 

–କିଛି ନାହିଁ । ମେସ୍‌ରେ ଥିଲି ଭଲରେ ଥିଲି । ଏବେ ଘରଭଡ଼ା ନେଇ ଦିନ କେଇଟା ଆଙ୍ଗୁଠି ଗଣତିରେ ହେଇଛି । ଏଣେ ଚିନ୍ତାର ସୁଅ ମାଡ଼ି ଆସୁଛି ।...କେମିତି ଚଳେଇବି ଏଇ ସଂସାରକୁ ?

 

–ଜାଣିଛି ଭାଇ, ସ୍ତ୍ରୀ ଆଉ ତାଙ୍କର ନଣନ୍ଦ ନେଇ ଘର ନେଇଛ । ସେମାନେ ପାଠ ପଢ଼ୁଛନ୍ତି ଦେବାଶିଷ ପାଖରେ ।

 

–ପାଠ କ’ଣ ପଢ଼ୁଛନ୍ତି ସେମାନେ ଜାଣନ୍ତି । ମୁଁ ଦେଖୁଛି ଉପନ୍ୟାସ ପରି ଚଢ଼ାଉତ୍ତରା ଚାଲିଛି । ଏବେ ଭାବୁଥିଲି ଇଏ ଘର ହେବ ନା ଘରସଂସାର ନାଟକ ହେବ ?

 

–ରୋକି ଦିଅ । ସିନ୍ ପକାଇ ଦିଅ । ସୁବିଧା ପାଇଲେ ସଂସାର ଗୋଟାକ ନାଟକରେ ପାର୍ଟ ନେବାକୁ ହମହମ । ମୃଦଙ୍ଗିଆ ହାତରୁ ତେଲ ହେଲେ କାମ ଚଳିବ କେମିତି ?

 

–କ’ଣ ହେଲା ?

 

–ମୁଁ ଆସିଲି ଅଫିସ୍ । ଘରକୁ ଫେରିଲେ ଆମର ସ୍ତ୍ରୀ କରିବେ ପାଠଶାଳା । ତେବେ ଘର ହେବ କେତେବେଳେ ? ଭାବୁଥିଲି ମୁଁ ମେସ୍‌ରେ ରହନ୍ତି ଓ ସେମାନେ ବୋଡିଂରେ ରହିଯାନ୍ତେ-। ତେବେ ଭଲ ହୁଅନ୍ତା ଘରଭଡ଼ା ଦେଇ ଲାଇଟ୍ ଜାଳି କି କାମ ହେବ ? ମୁଁ କ’ଣ ଖାଲି ସଉଦା କିଣିବି ଆଉ ତାଙ୍କର ଚଲାଖ ଚତୁର କଥା ହଜମ କରୁଥିବି ?

 

–ଟାଣ କରି ଶାସନର ଡୋରିକୁ ଧର । ଉପ୍ରେଧ କଲେ ଉପରମୁହାଁ ବାହାରିବେ । ଦେଖୁନାହଁ ପାଞ୍ଚଣ ଆଉ ଥୋମଣିକୁ ଏକାଠି କଲେ ହଳ ହୁଏ । ଏଇ ସଂସାରଟା ଗୋଟାଏ ବିଲ ।

 

–ଠିକ୍, ନରହରିବାବୁ । ଏଇ ବିଲକୁ ନିଜେ ମାଲିକ ପରି କମଣ ନ କଲେ ଶେଷକୁ ମାଲିକ କାଞ୍ଜିଆ ହୋଦାକୁ ଯିବ ଓଳିଆ ବଳଦଙ୍କୁ ମୁକୁଳେଇବା ପାଇଁ ନହେଲେ କଚେରୀ ମିସଲକୁ ଯିବ ବଳଦର କ୍ଷତିର ପୂରଣ କରି ନିଜେ ମୁକୁଳିବା ପାଇଁ ।

 

–ସେମିତି ହଠାତ୍ ଏତେଗୁଡ଼ାଏ ଭାବିବା ଭୁଲ୍‌ । ସ୍ତ୍ରୀ କ’ଣ ଭାରି ଖର ? ଖର ଲୋକଙ୍କର ଗୁଣ ଥାଏ ।

 

–ନାହିଁ, ବାବୁ, ସ୍ଥାନ କାଳ ପାତ୍ର ଜ୍ଞାନ ନାହିଁ । ଯାହାକୁ ଯାହା ମନକୁ ଆସିଲା କହିବାରେ ଲାଗିଲେ–ଶେଷକୁ ମତେ ବି । ଭିତରେ ଭିତରେ ପୁଣି ଧମକ ରହିଛି ଚାଲିଯିବେ ।

 

–ଯିବା ଲୋକ ଆଇଲେ କାହିଁକି ? ...ଘରେ କ’ଣ ଧୂଳି ଊଣା ଥିଲା ଯେ କିଛି ଆଣି ଗୋଡ଼ରେ ଆସିଲେ । ଆଉ ଫେରି ଚାଲିବେ ? ...ନାହିଁ, ସେମିତି ଥଟ୍ଟାରେ କହୁଥିଲେ ।

 

–ଏଇ ପାଠପଢ଼ା କାମ ମୁଁ ମୋଟେ ବୁଝିପାରୁ ନାହିଁ । ରମେଶ, ଗଜେନ୍ଦ୍ର, ଜନାର୍ଦ୍ଦନ ଆଉ ଦେବାଶିଷ ଆସି ବହୁତ କହି ଆଉ ଶୁଣି ଗଲେଣି । ଦେବଦାରୁ ଗଛରେ ଦିନରେ ବାଦୁଡ଼ି ପଲ ଓହଳି ଚେଁ ଚେଁ ହେଲାପରି ଆମରି ଘର ଦୁଆର କମ୍ପୁଛି ।

 

–ତମେ ନିଜେ ଭୁଲ କରୁଛ । ମାଇପିଟିଏ ଦେଖିଲେ ତାଙ୍କର କୋଳକୁ ଭଲମନ୍ଦ ଯାହା ହେଉ ପିଲାଟିଏ ଧରାଇଦେବ । ତେଣିକି ମା ଓ ପିଲା ସେମିତି ପୃଥିବୀ ଆଉ ଚନ୍ଦ୍ର ପରି ଧାଁଦଉଡ଼ ଲଗାଇଥିବେ । ପିଲା ନଥିବା ସ୍ତ୍ରୀ’ଲୋକକୁ ଆକଟରେ ରଖିବା କଷ୍ଟ ।

 

–କିଛି ଅବିଗୁଣ ଦେଖୁନାହିଁ । ଖାଲି ଏଇ ବକ୍ତୃତା ଚାଲିଛି ସବୁ କଥାରେ । ମତେ ବିରକ୍ତ ଲାଗିଲାଣି । ଏଇ ଆଲୋଚନା ସଭା ଦେଖି–ଇଏ କହିଲେ, ସିଏ କହିଲେ, ଲେମ୍ବୁଲୁଣ କହିଲେ...ସେଇଠୁ ଯେ ଯାହାର ଘରକୁ ବାହୁଡ଼ିଗଲେ ।

 

–ଇଏ ତ ବଙ୍ଗଳା ଉପନ୍ୟାସ । ବାବୁ କହିବେ ବାବୁଆଣୀଙ୍କୁ କ’ଣ ପଦେ କଥା । ଏଣେ ଚାଲିଗଲାଣି ତିନିଶହ ପୃଷ୍ଠା ।

 

–ଠିକ୍‌ କହିଛ ନରହରିବାବୁ । ସେ କଲିକତାରେ ବହୁତ ବର୍ଷ କଟାଇଛନ୍ତି । ନିଶ୍ଚେ ବଙ୍ଗଳା ଉପନ୍ୟାସରେ ପୋଖତ ହେଇଥିବେ । ସେଠି ସିନା ପଦେ କଥାକୁ ଘଟାଟୋପ ମାଇଲିଏ ଲମ୍ବା । ଏଠି ମାଇଲିଏ ଲମ୍ବା ଘଟାଟୋପ ହେଲେ ହୁଏତ ପାଞ୍ଚପିଢ଼ି ପାର ହୋଇଯିବ ।

 

–ବଙ୍ଗଳା ଉପନ୍ୟାସରୁ ଇଲମ ନେଇ ଓଡ଼ିଆ ପୁଅ ଓ ଝିଅ ଏବେ ଚଳିବାକୁ ଓ କଥା କହିବାକୁ ନୂଆ ପ୍ରକାରର ହେଉଛନ୍ତି...ହେଲେ ହିନ୍ଦୀ ପଢ଼ନ୍ତେ । ରୋକଠୋକ୍‌ ହୋଇଯାନ୍ତା...ମାଡ଼ ପିଟ୍‌ ହେଲେ ହୁଅନ୍ତା । ସିଏ ଭଲ କିନ୍ତୁ ପଦେ ଅପୂର୍ବ କଥା କହିବାକୁ ପାଞ୍ଚ ମାସ ଓସ୍ତାଦି ଦେଖାଇଲେ ଭଲ ଲାଗିବ କାହାକୁ ?

 

–ଆଜି ତାଙ୍କୁ ଫେରିଲେ କହିବି । ବାବୁମାନେ, ପାଠପଢ଼ିବା କଥା ଠିକ କରିଥିଲେ ଆଣ ଖାତା ସିଲଟ୍ ଆଉ ଲାଗିଯାଅ କାମରେ । ମାଷ୍ଟର ଟଙ୍କା ନିଅନ୍ତୁ କି ନ ନିଅନ୍ତୁ ସେ ଖାଲି ପଢ଼ାନ୍ତୁ । କିନ୍ତୁ ଏଇ ଗୁରୁଶିଷ୍ୟ ବଚନିକା ବନ୍ଦ କରନ୍ତୁ ।

 

–ହଁ, କହିବା ଦରକାର ବଡ଼ ଜରୋରି । ମୁଁ ଏଥି ଭିତରେ ଯାଇ ଦେଖି ଆସିବି ପଢ଼ାପଢ଼ିର ରୂପ । ସୁବିଧା ହେଲେ ପଦେ କହିବି ।

 

ଅଭିନ୍ନଙ୍କର ସେହି ଛୋଟିଆ ମୁହଁଟି ପାଣିରେ ଧୋଇ ହେଲା ପରି ସତେଜ ଦିଶିଲା–ଠିକ୍‌ ତ । ଇଏ ହେଉଛି ଉପନ୍ୟାସର ଅଜୀର୍ଣ୍ଣ । ଗରମ ଦିନେ ଦେହ ପାଚିଗଲା ପରି ସୁତପାର ମନଟା ପାଚିଯାଇଛି...ସେ ମନକୁ ମନ ହସିଲେ ।

 

କହିଲେ ବୋଲି ସିନା ନିଜେ ନିଜର ସନ୍ଦେହକୁ ଦୂର କରି ପାରିଲେ । ବିଚାରୀ ସୁତପା–ଭଲ ଝିଅଟିଏ । ସବୁଥିରେ ଭଲ । ବୁଦ୍ଧି ଅଛି । ରୂପ ଅଛି । ଅପରର ସୁବିଧା ଅସୁବିଧା ଜାଣିପାରେ–ହେଲେ ଏଇ ପିଲାଳିଆ କଥାଟା ନଥିଲେ ଭାରି ଭଲ ହେଇଥାନ୍ତା ।

 

କନକ ସେତେବେଳେ ସୁତପା ପାଖରେ ବସି ତା’କୁ ସେଇ କଥା ତିଆରି କହୁଥିଲା–ମୋ ରାଣ, ଅପା । ମୋର ଏଇ ଛୋଟିଆ କଥା ରଖିବ । ଏତେ ଏମିତି କଥା କହିଲେ, ଭାଇଙ୍କ ମନରେ ମାଡ଼ ବାଜୁଛି । ...ଭଲ ନୁହେଁ, ଅପା । ଆମର ପାଠ ନ ହେଲା ନାହିଁ ।

 

ନିରେଖି ଚାହିଁ ସୁତପା କହିଲା–କ’ଣ କରିବା କହ ? ରେଳ ମଟରରେ ଗଲେ ପାଖ ପାସେଞ୍ଜର ଚାହିଁଥିବେ ଲୋଭ ଚଟକ ନେଇ । ତୁ ମୁ କ’ଣ କରି ପାରିବା ? ରାସ୍ତାରେ ଯାଉଥିବା ଲୋକ ଯେବେ ମେଲା ଦୁଆର ଝରକାରେ ଦେଖି ଦେଲା, ସେ ବି ସେମିତି ଲଙ୍ଗଳା କରି ପକାଉଛି....ରିକ୍‌ସାବାଲା, ପାନଦୋକାନୀଙ୍କୁ ତମେ ବେଖାତିର କରିପାର–କିନ୍ତୁ ତା’ର ଚାହାଣୀ ।

 

–କ’ଣ କହୁଛ ଅପା ? ଏମିତି ଚାରିଆଡ଼େ ଲୋକେ ଆମକୁ ଖରାପ ଆଖିରେ ଚାହୁଁଛନ୍ତି ବେଲି କ’ଣ ଆମେ ଖରାପ ହେବା ? ଆଉ ଖରାପ ବାଟକୁ ଯିବା ? ଆମର ନିଜ ଲୋକ ଯେଉଁ କଥାକୁ ଖରାପ ପାଇବେ ଆମେ ସେଇଆ କ’ଣ କରିବା ?

 

–ଏମିତି ସଂସାରରେ ଲକ୍ଷ ହଜାର ଲୋକ ତତେ ମତେ ହରି ନେବାକୁ କିଏ ନହମାଏ ଆଉ କିଏ ବହୁତ ଦିନ ପାଞ୍ଚ ପାଞ୍ଚୁଛନ୍ତି ବୋଲି କ’ଣ ଆମେ ଲୁଚିବା କି ? ...ଆମର ବାସ ହେଲା ଆମର ଆମନ୍ତ୍ରଣ । ଯେତେ ଦୂର ଅବା ପାଖରେ ସେ ଲୋକ ଥାଉ ମନ ଉପରେ ପଡ଼େ ଟାଣ ।

 

–ହଉ । ଦୂରର ଲୋକ ଦୂରରେ ଥାନ୍ତୁ । ଆମର ବୈରୀ ସିନା ଆମର ପାଖ ଲୋକ ।

 

–ନାହିଁ, ଲୋ, କନକ । ପାଖ ଲୋକ କେବେହେଲେ ତମକୁ ବୁଡ଼େଇ ମାରିପାରିବେ ନାହିଁ । ଅଧିକରୁ ଅଧିକ ହେଲେ ତାଙ୍କୁ ନେଇ ବୁଡ଼ିଯାଇ ହେବ । କିନ୍ତୁ ଦୂରର ଲୋକ ଭାରି ବିପଦ ଆଣିପାରନ୍ତି । ଦେଖି ନାହୁଁ ଜୁଆର ଉଠାଏ ଦୂର ଗଗନର ଚାନ୍ଦ ନା ସମୁଦ୍ର ଉପରର ଉତଲା ଝଡ଼-?

 

–ଦୂର ଲୋକ ତ ପରମଣିଷ । ତମର ଏତେ ଭାବଲାବ ହେଇଯିବ କେମିତି ?

 

–ତୋର ମନ ପାକଳ ହେଲେ ବୁଝିବୁ ଯେ ପାଖ ଲୋକ କେବେହେଲେ ତତେ ବେତାଳିଆ କରିପାରିବ ନାହିଁ । ପାଖରେ ଦେଖିଲେ ପାଖରେ ପାଇଲେ ତୁ ସେ ଲୋକକୁ–ହଟି ଯା–ଯା, ହଟି ଯା–କହି ଦେଇ ପାରିବୁ । ଦୂର ମଣିଷକୁ ତଡ଼ିବାକୁ ବଳ କାହାର ?

 

–ତା’କୁ ତମେ ଚିହ୍ନିବ କେମିତି ?

 

–ସିଏ ତ ଅତି ସହଜ । ଚାନ୍ଦ ଚିହ୍ନେ ପଦ୍ମକୁ । ସୂର୍ଯ୍ୟ ଚିହ୍ନେ କଇଁକୁ । ମନଭିତରେ ବିଜୁଳି ଚାଲିଛି । ଚୁମ୍ବକ ଘୁରୁଛି । ସିଏ ହେଲା ଠାକୁରଙ୍କର ବରାଦ । ସେହି ବରାଦରେ ଥାଏ ସ୍ଵପ୍ନ । ପାଖରେ ପାଇଲେ ସେ ସପନ ଭାଙ୍ଗିଯାଏ ।

 

–ଭାଙ୍ଗିଯାଉ ପଛକେ, ଆମକୁ ହିତ ।

 

–କିଛି ବୁଝିନାହୁଁ କନକ । ସପନ ଦେଖେ କିଏ ? –ବଡ଼ ମଣିଷ । ସପନ ଦେଖେ–ନାରୀ । ତୁ, ମୁଁ ଆଉ ଆମ ପରି ଲୋକ ସିନା ସପନ ଦେଖିବେ । ଆଉ କ’ଣ ଦେଖିବେ ତୋର ଭାଇ ସାହେବ ନା ତାଙ୍କର ମେସ୍‌ର ବଂଧୁମାନେ ?

 

–ଏବେ କି ସପନ ଦେଖୁଛ, ଅପା ?

 

–ଓ, ଏବେ ଦେଖିଛି ଯେ ମୁଁ ପୁଣି ଜିତିବି ଜୀବନର ଜୁଆ ଖେଳରେ । ଥରେ ଖେଳିଥିଲି ନିଜେ ନିଜକୁ ବାଜି ଲଗାଇ । ହାରିଗଲି । ଏଥର ବାଜିଲଗାଇବି ତାଙ୍କୁ ଓ ମୋତେ ଆଉ ତତେ ବି ଏକାଠି କରି–

 

–କ’ଣ କେମିତି ସେ ଖେଳ ମୁଁ ଜାଣେ ନାହିଁ । ହଉ, ଏଥର ଯଦି ହାରିଯାଅ ତେବେ ?

 

–ହାରିଗଲେ ଚୁପ୍ ହେଇ ଘର କରିବି । ରାନ୍ଧିବି । ବାସନ ମାଜିବି । ପିଲା ଖେଳାଇବି । ଘରଣୀ ହେବି । ଦେବାଳିଆ ହେଲେ ଆଉ କି ବଣିଜ କରିବି ? ବସି ରହିବି । ବଡ଼ି ପାରିବି । ଆଚାର କରିବି । ଘର ଧୋଇବି...ଏମିତି ସବୁ କରିବି ।

 

–ଜିତିଲେ କ’ଣ ପାଇବ ?

 

–ମନଇଚ୍ଛା ଆନନ୍ଦ । ଆଉ ଲୋକେ ଯେଉଁ ଭୋଗ ବିଳାସ ଖୋଜନ୍ତି ସେଥିରେ ବୁଡ଼ି ରହିବାକୁ । ମୁଁ ବି ସେମିତି ମଜ୍ଜାରେ ରହିବି ? ଯାହାଇଚ୍ଛା ତାହା କରିବି ।

 

–ସେଇଟା କ’ଣ ଉଚିତ କଥା ହେବ ?

 

–ଆଉ କ’ଣ ପାଟିରେ ମିଠା ପକାଇ କହିବି ପିତା ଲାଗୁଛି ? ଅତର ଲଗାଇ କହିବି ଦେହ ଗନ୍ଧାଉଛି ?

 

କନକ ଦୀର୍ଘ ନିଶ୍ଵାସ ପକାଇଲା ।

 

ସୁତପା ହସି ତାହାକୁ ଥାପୁଡ଼ାଇ କହିଲା–ଗରିବ ଲୋକର ମାଗଣ ବି ଛୋଟ । ଲକ୍ଷପତି ଶହ ହଜାର ମାଗେ ନାହିଁ । ସେମିତି ଶହେ ଟଙ୍କାର ମୁଣ୍ଡ ଲକ୍ଷେ ଟଙ୍କା ମାଗେ ନାହିଁ । ଲକ୍ଷେ ସଂଖ୍ୟାରେ କେଇଟା ଶୂନ ଅଛି ସେ ଜାଣେ ନାହିଁ । ....ମନେ ରଖିଥା ଗାଉଁଲୀ ଝିଅ । ତୋର ମାଗିବାକୁ ଦେଖି ତୋର ମାପ ଈଶ୍ଵର ନେଇଯିବେ । ସେଥିପାଇଁ ଯଦି ମାଗିବୁ ବଡ଼ କରି ମାଗିବୁ । ନାଇଲେ ମାଗିବୁ ନାହିଁ ।

–କାହାକୁ ମାଗିବି ଅପା ? କ’ଣ ଅବା ମାଗିବି ?

–ମାଗିବୁ କେମିତି ଓ କେତେ ? ସେତକ ବି ଶିଖିବା ଦରକାର । ଭଗବାନ ବର ଦିଅନ୍ତି ଥରେ । ସେଥିପାଇଁ ତାଙ୍କୁ ବର ମାଗିବା ଆଗରୁ କ’ଣ ମାଗିବୁ ସେତକ ଠିକ୍‌ ନ କଲେ ଏମିତି ଭଡ଼ା ଘରର ବୋହୁ ହେବୁ । ଘରଭଡ଼ା ହେଇଥିବ କୋଡ଼ିଏ ଚାଳିଶି ଟଙ୍କା ଆଉ ତୋ’ର ମାଲିକ ତତେ କି ଭଡ଼ା ଦେବ ? ଓଲଟି ଶୁଣେଇବ ତୁ ବଡ଼ ଦାମିକା–ଭାରି କଟାଳ କରୁ ।

–ଆଉ ତେବେ ଗରିବ ଦୁଃଖୀ କ’ଣ କରିବେ ?

–ମାଗି ନ ଜାଣିଲେ, ନେଇ ନ ପାରିଲେ ସେମିତି ଗଛପତ୍ର ଅବା ଗେଣ୍ଡାଶାମୁକା ଖାଇ ଛିଣ୍ଡା ପିନ୍ଧି ଆକାଶର ଉଡ଼ନ୍ତା ଚଢ଼େଇକୁ ଦିଅଁଦେବତା ଭାବି ମୁଣ୍ଡିଆ ମାରୁଥିବେ ।

କନକର ଆଖି ଦୁଇଟି ଜଳି ଉଠିଲା କ୍ରୋଧରେ–ସତେ ତ ଗରିବ ନିଜକୁ ନିଜେ କହେ ଅପାରଗ । ସେଥିପାଇଁ ସେ ହୁଏ ବଡ଼ ଗରିବ । ବଡ଼ଲୋକ ନିଜକୁ ନିଜେ କହେ ସମର୍ଥ ଆଉ ପାରଙ୍ଗମ । ସେଥିପାଇଁ ସେ ହୁଏ ବଡ଼ ଧନୀ ।

–ଏଇ ଛଳକୁ ଭୁଲିବୁ ନାହିଁ, କନକ । ତୋର ଯାହା ନାହିଁ ସେତକ ଆଣିବୁ କଳେ ବଳେ କୌଶଳେ । ଛଳକୁ ରଖିବୁ ଭିତରେ ପେଡ଼ି ସାଇତା ଲୁଗା ପରି । ଛଳନାକୁ ପିନ୍ଧିବୁ ଦେହରେ । କିନ୍ତୁ ମାଗିବାକୁ ହେଲେ ମାଗିବୁ ବଡ଼ ଜିନିଷ । ସିଏ ପଛେ ନିଖିଳ ବିଶ୍ଵ ହେଇ ଥାଉ....

–ୟାକୁ ପୂରଣ କରିବ କିଏ ?

–କେହି ତୋର କାମନା ପୂରଣ କରି ପାରିବେ ନାହିଁ । ଦାତାର ସିନା ସେଥିରେ ନିନ୍ଦା ହବ କିନ୍ତୁ ଭିକାରୀର ସେଥିରେ ଯାଏ ଆସେ କ’ଣ ? ...ଆମେ ଯଦି ଆମ ବାବୁଙ୍କର ମେସସାଙ୍ଗମାନଙ୍କୁ ମାଗିବା । ସେମାନେ ଦେବେ ଦି’ଟଙ୍କାର ଜିନିଷ ଆଉ ଥୋଡ଼ାଏ ଦଉଡ଼ଧାପଡ଼-। ତାଙ୍କୁ ମାଗିବ କ’ଣ ?

–ସେମାନେ ଆମକୁ ପାଠ ପଢ଼ାଇବେ ।

–ହଁ ତ । କାମରେ ଲାଗିବେ । ବେଠି ଖଟିବେ । ଆମେ ଯାହା ଜାଣି ନାହୁଁ ସେତକ ଘୋଷେଇବେ ମଡ଼େଇବେ ଆଉ ଶିଖେଇବେ । ଅଧିକା କ’ଣ କରିପାରିବେ ଯେ ? ....ସେଥିରେ ତ ତମର ଭାଇ ଡେଉଁଛନ୍ତି ଝିଣ୍ଟିକା ପରି....ଝିଣ୍ଟିକା ନିଜେ ବୋଲି ଭାବୁଛନ୍ତି ଏଇ ବଣିଚଢ଼େଇମାନେ ଆମକୁ ଥଣ୍ଟରେ ଧରି ଉଡ଼ିଯିବେ ବରକୋଳି ଗଛ ଉପରକୁ....

କନକ ହସି ପକାଇଲା–ସେ ଝିଣ୍ଟିକା ନୁହଁ ।

–ତେବେ ବି ଝିଣ୍ଟିକା ଭାରିଯା ଖୋଜେ । ଆଉ ଭାରିଯାର ମନ ମୋହିବାକୁ ଗୀତ ଗାଏ-। ଶୁଣି ନାହୁଁ ତମର ବଛରାଇ ଗାଁରେ ? ସେଠି ବି ଝିଣ୍ଟିକାର ସ୍ତ୍ରୀ ଦରକାର ପଡ଼େ । ଆଉ ପିଲା ଖୋଜା ପଡ଼ନ୍ତି ? ବିଲଯାକ ଯୁଆଡ଼େ ପାଦେ ପକାଇଲେ ଶହେ ଝିଣ୍ଟିକା ଡେଇଁଯାନ୍ତି ।

–କ’ଣ ମ ? ଆମ ଗାଁର ନିନ୍ଦା ମୁଁ ସହିବି ନାହିଁ ।

 

–କାହିଁକି ସହିବୁ ? ହେଲେ ଭାରତରେ ନିନ୍ଦା ଅବା ଏଇ ପୁରା ପୃଥିବୀର ନିନ୍ଦା ଶୁଣିଲେ ଯଦି ରାଗ କରନ୍ତୁ ତେବେ ତତେ ଜାଣନ୍ତି ଲୋ–କନକ ଗୋଟାଏ ମଣିଷ । ଓଃ, ରାଗ କ’ଣ ନା–ବଛରାଇ ଗାଁ । ବଡ଼ । ...ଆଲୋ ତମ ଗାଁକୁ ରେଳ ମଟର ଗଲେଣି ନା ?

 

–ନ ଯାନ୍ତୁ । ସେଠି ମଣିଷ ଅଛନ୍ତି ।

 

–ହଁ, ଅଛନ୍ତି । ମଣିଷ ନାହାନ୍ତି କେଉଁଠି ? ସେମାନେ ଯେଉଁଠି ଥାନ୍ତୁ, ଯାହା ଯେମିତି ରହିଥାନ୍ତୁ ଆମେ ଆମ କଥା ବୁଝିବା । ଆଜିଠାରୁ ପାଠପଢ଼ା ହେବ...ମାଷ୍ଟର ଦେବାଶିଷବାବୁ ଆସିଲେ ପଢ଼ା ଆରମ୍ଭ...

 

–ସେ ଭାରି ଭଲ, ମଣିଷ ।

 

–ତାଙ୍କର ମାଷ୍ଟର ପଣିଆରେ ଆମର କମ । ମଣିଷପଣିଆ ବୁଝିଲେ ଆମର କି ଲାଭ-? ସେଥିରେ ମନ ପୁରାଇବା କାହିଁକି ? ତାଙ୍କର ସ୍ତ୍ରୀ’ପିଲା ତାଙ୍କର ପୁରୁଷପଣିଆ ବୁଝୁଥାନ୍ତୁ-। ତୋ’ର ମନ କ’ଣ ତରକୁଛି କି ?

 

–ଛି ।

 

–ମନେ ରଖିଥିବୁ ସ୍ତ୍ରୀ’ର ସ୍ଵାମୀ, ପିଲାଙ୍କର ବାପକୁ କେବେ ହେଲେ ମନ ଭିତରେ କି ଖେଳରେ ବା ଥଟ୍ଟାରେ ବିକି ହବୁ ନାହିଁ । ତାଙ୍କର ବିବେକ ନଥାଏ କି ହୃଦୟ ନଥାଏ ।

 

–କ’ଣ ଥାଏ ?

 

–ଥାଏ କପଟ, ଲୋଭ ଆଉ ମୁନାଫାଖୋରି । କିନ୍ତୁ ସେମାନେ କାମର ମଣିଷ । ବତି ପେଲି ପାରିବେ । ଗୋଇଠା ସହି ପାରିବେ । ତମର ତାରିଫ୍ ଭାଟ ପରି ଗାଇ ଗାଇ ବଜାରରେ ବୁଲି ପାରିବେ । ଦେଲେ ଖାଇବେ । ନ ଦେଲେ ଚାହିଁଥିବେ ।

 

ଖରାବେଳଟା ଯାକ ଚାହିଁ ରହିବାକୁ ହେବ–କାମ ନାହିଁ । ମନକୁ ଅନେକ ପ୍ରକାରର କଥା ଆସୁଥିଲା । ବଡ଼ କୁଟୁମ୍ବ ଥିବା ଘରେ କାମକୁ ତର ନଥାଏ–ଭାବି ମରିବାକୁ ବେଳ କାହିଁ ? କିନ୍ତୁ ଏଇ ଯେଉଁ ଦି’ତିନି ଜଣିଆ ପରିବାର ସେଥିରେ ଭାବିବା ଛଡ଼ା ଅନ୍ୟପ୍ରକାରରେ ବେଳ କଟାଇବାକୁ ସୁବିଧା କାହିଁ ।

 

ବହୁକୁଟୁମ୍ବୀ ପରିବାରରେ କେଉଁ ସ୍ତ୍ରୀ କେବେ ତାହାର ବରର ଭଲମନ୍ଦର ମାପ ଓଜନ ନେଉଥିଲା ? ସେ ସବୁ ନିଆ ଯାଉଛି ଏହି ନକଲି ସହରୀ ଚଳଣିର ଛୋଟ ପରିବାରରେ । ବହୁକୁଟୁମ୍ବୀଙ୍କ ଭିତରେ ଗୋଟିଏ ପ୍ରଶ୍ନ ଥିଲା–ମତେ ସେ ସୁଖ ପାଆନ୍ତି ନାହିଁ । ଦି’ଆଖିରେ ଚାହିଁପାରୁ ନାହାନ୍ତି । ଏତକ ପ୍ରଶ୍ନ ସ୍ତ୍ରୀ ମନରେ ଉଠୁଥିଲା ପହରିକିଆ ବିଲୁଆ ଡାକିଲାବେଳେ ଆଉ ଶେଷ ହେଉଥିଲା ଫୁକିଆ ତାର ଉଠିଲା ବେଳକୁ ।

 

ଏବେ ଆଉ ସୁଖ ପାଇବାର ପ୍ରଶ୍ନ କାହିଁ ? ଏଇ ଭଡ଼ାଘରେ ? ବର ସୁଖ ନପାଇ ଯିବ କୁଆଡ଼େ ? ଯଦି ସେ ପାରୁପର୍ଯ୍ୟନ୍ତ ଭଲ ପାଇ ନ ପାରିଲା ଅବା ଛଳନା କରି ନପାରିଲା ତେବେ ସାଙ୍ଗେ ସାଙ୍ଗେ ଯୁଦ୍ଧ–ମାରକେ ଲେଙ୍ଗେ ମୋହବତ୍‌ । ସିଏ ପୁଣି ଆଖି ଖୋଲିଲାବେଳୁ ଆଖି ବୁଜିବାଯାକେ ।

 

ସେଥିପାଇଁ ଏବେ ଭଡ଼ା ଘରେ ଏହି ପ୍ରୀତିର ମାପ ଓଜନର ମାଣ ଅଢ଼ା ବଟକରା ସମସ୍ତଙ୍କର ପାଖରେ–ମୁଁ ଯିବି ଲୁଗା କିଣି । ଚାଲ ମୋ ସାଙ୍ଗରେ...ଏଇ ଲୁଗା କେମିତି ହେଇଛି କହିପାରିଲ ନାହିଁ ? ସେଥିପାଇଁ ଯୋଡ଼ି ବାନ୍ଧି କଟକ ବଜାରରେ ବୁଲୁଛନ୍ତି ଦି ଦଶ ହଜାର ଯୋଡ଼ି ବା ପେଆର । କିନ୍ତୁ ତାଙ୍କ ଭିତରେ ପ୍ୟାର୍ କେତେ ?

 

ବେକାରବେଳେ ମଣିଷ କ’ଣ ଆଉ ଭାବିବ ? –ନିଜ କଥା ଓ ନିଜର ଲୋକଙ୍କର କଥା-। ସ୍ୱାମୀ କେଡ଼େ ରଦ୍ଦିମାର୍କାଟାଏ–ହେଲା ହେଲା ପରି ଦିଶୁଥିଲା ଯେ ହେଲାନାହିଁ କିଛି । ମୁଁ କେଡ଼େ ଅଭାଗିନୀ–ଶେଷକୁ ଆସି ଏଇ ଲୋକ ଦୁଆରେ ଜୁଆଳି ପଡ଼ିଲି ଯେ ପୁରା ଚାନ୍ଦିନୀ ରାତି ପରି ଜୀବନଟା ଅମେଇସିଆ ହେଇଗଲା ?

 

ଏଣେ ପିଲା ନାହିଁ କୋଡ଼ରେ । କନକ ଆଉ ସୁତପା ଏଇସବୁ କଥାକୁ ବସି ଘସାମଜା କରିବା ଛଡ଼ା ଆଉ କ’ଣ ବା କରନ୍ତେ ? ଏହିପରି ଲୋକଙ୍କୁ କି କାମରେ ଲଗାଇବ ନ ଭାବି ଯେ ନିଶା ଘୋର ରଜନୀର ସାନ୍ନିଧ୍ୟ ପାଇଁ ଆଣୁଛନ୍ତି ଦରପାଠୁଆ ଦେବୀମାନଙ୍କୁ । ଫଳରେ ଏଇ ଦଶା ହୋଇଛି । କର୍ମସଂସ୍ଥାନ ଅଫିସ ପରି ଗୁଡ଼ାଏ ଚକର କାଟୁଛନ୍ତି ।

 

ମନରେ ଉଦ୍ଭଟ କଳ୍ପନା–ତେଣୁ ସେଥିରେ ରୁଚି କମ୍ । କ’ଣ କଲେ ପତି ସାହେବଙ୍କୁ ଭଣ୍ଡି ହବ କାହାର ଗୋଟାଏ ଯୋଜନା ।

 

ଅଭିନ୍ନବାବୁ ଅଫିସରୁ ଘରେ ପହଞ୍ଚୁ ନ ପହଞ୍ଚୁଣୁ ଅଭିଯୋଗ–କ’ଣ କରିବୁ ମ’ ଦିନଯାକ-? ଶୋଇଲେ ନିଦ ଆସୁନାହିଁ । ବସିଲେ କାମ ନାହିଁ । ଭାବିବାକୁ ବିଷୟ ନାହିଁ । ପଢ଼ିବାକୁ ବହି ନାହିଁ । ପଢ଼େଇବାକୁ କେହି ନାହାନ୍ତି...ତମେ ହଲି ହଲି ଆସୁଛ । କ’ଣ ନା ଅଫିସକୁ ଯାଇଥିଲୁ-

 

ଅଭିନ୍ନ ଚମକି ପଡ଼ିଲା । ଅନ୍ୟର ଦାବୀ ପୂରଣ କରିବାର ଟ୍ରେନିଂ ସେ ପାଇନାହିଁ । ନିଜର ଦାବୀ ଅଫିସରେ ଜଣାଇ ଶିଖିଥିଲା । କାମ ନ କରି କାମ କଲାଭଳି କେମିତି ଦେଖାଇ ହୁଏ ସେତକ ପଇଠ କରିଥିଲା । ଜୀବନର ଦୁର୍ଲ୍ଲଭ ମୁହୂର୍ତ୍ତକୁ ଖଇଚା କରି କରି ସେ ସମସ୍ତଙ୍କୁ କହୁଥିଲା ଯେ ସେ ଗୋଟାଏ ବିଚକ୍ଷଣ ପାରଙ୍ଗମ ଲୋକ । କିନ୍ତୁ ତା’କୁ ଆଉ ଜଣେ ଠକିବ ଅବା ତା’ପାଖରେ ନିଜର ଦାବୀ ଜାହିର କରିବ–ଏଇଟା ସୁବିଧା କଥା ମୋଟେ ନୁହେଁ ।

 

ଯାହା ହେଉ–ଭଲ କି ମନ୍ଦ ଯାହାହେଉ–କେମିତି ଏଇ ଦେବାଶିଷ କି ସେ ନରହରି ଅବା ଅବା ଆଉ ଯିଏ ଆସି ଥୋଡ଼ାଏ ପଢ଼ାପଢ଼ି କରାଇ ନଦେଲେ ସେ ନିଜେ ହବ କଣ୍ଠାଗ୍ରତ । ସେଥିପାଇଁ ଏମାନଙ୍କର ସେହି ବାଚାଳତାକୁ ମନେ ମନେ ମାଫ୍ ଦେଇ ବସି ଚାହିଁ ଭବିଲା ।

 

–କାହିଁକି ଆଣିଥିଲା ସେମାନଙ୍କୁ ?

 

–ଚାହିଁଛ କ’ଣ ? କହୁ ନାହଁ ?

 

–କାହିଁକି ଆସିଥିଲ ସତରେ ?

 

–ତୁମକୁ ଅଡ଼ୁଆ କରିବାକୁ ।

 

–ମୁଁ କ’ଣ ଦୋଷ କଲି ?

 

–ଆଉ ? ଅନ୍ୟକୁ ଖାଲରେ ପକାଇ ନିଜେ ପାର ହେବ ନା, ପାଟିରେ ହସ ନେଇ ?

 

–କ’ଣ ଖାଲରେ ପକାଇଲି ?

 

–ପଢ଼ା ମାଷ୍ଟର ଗୋଟାଏ ଆଣି ପାରିବ ନାହିଁ । ଆମେ ଯଦି ଗୋଟାଏ ଭଙ୍ଗା ଦଦରା କେଉଁଠୁ ସାଉଁଟିଲୁ ତେବେ ମୁହଁ ମୋଡ଼ିଦବ ।

 

–ମୁଁ କେତେବେଳେ ସେମିତି କଲି ?

 

–ଆଉ ? ଉତ୍ସାହ ଦେଇଛ କି କାହାକୁ ? ଖୋଲି କହିଲା କି–ଆସ, ଏମାନଙ୍କର ଟିକିଏ ଯତ୍ନ ନିଅ ନ ହେଲେ ନିଜେ ଅବା ବସି ବସି ପଢ଼ାନ୍ତି । ସେତକ ବି ନାହିଁ । ଏମିତି ଅଳସୁଆ ଆଉ ଅକାମି ଲୋକେ ସମସ୍ତେ ଅନାନ୍ତି ପଣ୍ଡିତଙ୍କ ପରି ।

 

–ତମେ ପରା ମନା କଲ, ମୋର ପଢ଼ା ତମକୁ ପୋଷାଇବ ନାହିଁ ।

 

–ତମକୁ ଆଗ ପଢ଼ାଇ ଆସିବ ? ନିଜେ ପଢ଼ିଛ କି ଭଲକରି ? ସବୁଥିରେ ତମେ ନିକିମା–ବୁଝିପାରିଲ ?

 

–ଓଃ, ଅଫିସ ଖଟଣି ପରେ ମଣିଷ କ’ଣ ଦଶଟା ନିଶ୍ଵାସ ମାରିବାକୁ ସୁବିଧା ପାଇବ ନାହିଁ ? ଆସୁ ନ ଆସୁଣୁ ଆରମ୍ଭ ହେଇଗଲା ବକ୍ତୃତା ।

 

–କିଏ କ’ଣ କରିବ ? ସମୁଦ୍ର ପାଖରେ କ’ଣ ନଈ ଗର୍ଜେ ? ବାଘ ରଡ଼ିଲାବେଳେ କ’ଣ ବିଲୁଆ ବୋବାଏ ? ତମେ ନିଜକୁ ଯେଡ଼ିକି ଛୋଟ କରିବ ସେତିକି ଶୁଣିବ । ଆମର ସେଥିରେ ଦୋଷ କ’ଣ ?

 

–କାତର ଚାହାଣୀରେ ସୁତପାର ସେହି ଅଭିମାନଭରା ମୁହଁକୁ ସଂଖୋଳି ନେଇ ଅଭିନ୍ନ ଧୁଆଧୋଇ ହେଲେ–ଆଜି ଆସିବେ, ଆମର ମେସ୍‌ର ଜଣେ ପୁରୁଖା ଲୋକ ନରହରିବାବୁ । ତମର ସୁବିଧା ଅସୁବିଧା କଥା ବୁଝିବେ ?

 

–ଏଇ ପୁରୁଖା ମହାତ୍ମା କିଏ ? ବାଳ ଧଳା ହେଲାଣି ନା ମୁଣ୍ଡ ଟାଙ୍ଗରା ହେଲାଣି ? ସେ ବୁଝିବେ କ’ଣ ? ଆମେ ମାଷ୍ଟର ଖୋଜୁଛୁ ? –ସେ ଦେଖିବେ କ’ଣ ଚାଟଙ୍କୁ ? –ସେ କ’ଣ ଜଣେ ପରିଦର୍ଶକ ?

 

ଅଭିନ୍ନ ହସି ପକାଇଲା–ପରିଦର୍ଶକ ନୁହନ୍ତି । ବୁଲି ଆସିବେ ।

 

–ବଡ଼ ଦୟା ତାଙ୍କର । ଆଜିଯାଏ କେଉଁଠି ଥିଲେ ? ବୋଧହୁଏ ଆମ କଥା ତମର ସେହି ମାଖୁନା ମେସ୍‌ରେ ଘୋରାବଟା ହେଲାଣି । ସେ ସେଥିପାଇଁ ତନଖି କରିବାକୁ ଆସୁଛନ୍ତି...ଆଚ୍ଛା...

 

–ହେଇ, ସେମିତି ନୁହେଁ । ସମସ୍ତଙ୍କୁ ଏମିତି ହସି ଉଡ଼େଇ ଏକାକାର କରିଦେଲେ ଏମିତି କଥାର ଧୂଆଁ ଉଠିବ ଯେ ଅମୁହାଁ ଲାଗିବ । ସାବଧାନ ହୋଇ ଚଳିବା ଭଲ ।

 

–ସାବଧାନ ଲୋକ କ’ଣ ପାଆନ୍ତି ଏହି ସଂସାରରୁ ? ଜାଲିଆ ନଈ ସମୁଦ୍ରରେ ପଶି ଯାହା ଆଣେ ଲୋକ ତା’କୁ ନେଇ ବଣିଜ କରନ୍ତି । ଅସାବଧାନ ଲୋକେ ସଂସାରରେ ଯାହା କିଛି କରି ଯାଇଛନ୍ତି । ତମର ସାବଧାନ ଦଳ ହେଲେ ଝଡ଼ିପୋକ । ପକ୍ଷୀ ଲଗେଇ ଉଡ଼ି ଆସିବେ ଆଲୁଅ ପାଖକୁ–ଖାଲି ମରଣକୁ ଧରିବାକୁ ।

 

–ସିଧା କଥାକୁ ମୋଡ଼ୁଛ କାହିଁକି ? ସେମାନେ ଭାବିବେ କ’ଣ ?

 

–ମଲା, ଯା । ଏମାନେ ବି ତାହା ହେଲେ ଭାବିପାରନ୍ତି ? ଏମାନଙ୍କର ଭଲ ଖରାପ ମତାମତରେ ତେବେ ଦାମ୍‌ ଅଛି ? .....ଏମାନେ କ’ଣ ରିକ୍‌ସାବାଲା, ପରିବା ଦୋକାନୀଙ୍କଠାରୁ ଉଞ୍ଚରେ ଅଛନ୍ତି ?

 

–ହଁ, ଅଛନ୍ତି ।

 

–ହେଇଥିବ । ସ୍କୁଲ କଲେଜର ବିଦ୍ୟାର୍ଥୀମାନଙ୍କଠାରୁ ଉଞ୍ଚରେ ଥିବେ ନିଶ୍ଚୟ । ଏବେ ଯିଏ ପାଠ ପଢ଼ି ବାହାରିଲେ ଆଉ ତମର ଅଫିସର ବଡ଼ ପାହିଆରେ ମୁତୟନ ହେଲେ ସେପରି ଲୋକଙ୍କ ପାଖରେ ଏମାନେ ଚାକିରି କରି ପାରନ୍ତି ତ ?

 

–ଇଏ ପରା ହେଲା ଚାକିରି ? –କର୍ତ୍ତବ୍ୟ । ପେଟ ପୋଷିବାର ଧନ୍ଦା । ଏଥିରେ ବଡ଼ ସାନ କ’ଣ ?

 

–ନ କହିଲେ ତ କାହାରି ଅକ୍‌ଲ ବଢ଼ିବ ନାହିଁ । ଗୋଟାଏ ସ୍ତ୍ରୀ’ ଲୋକ କହୁଛି ବେଲି ଫୋପାଡ଼ି ଦବନାହିଁ...ଯେଉଁ ଦିନଠାରୁ ମଣିଷ ତାହାଠାରୁ ତଳ ପାହିଆର ଲୋକକୁ ଉପର ପାହିଆରେ ଦେଖି ଖାତିର ପ୍ରଶଂସା କରି ତା’ପାଖରେ ଅଧସ୍ତନ ହୁଏ ସେଇଦିନ ସେ ମଣିଷ ମରିଥାଏ–ନ ମଲେ ବି ମରିବା ଉଚିତ୍‌ ।

 

–ସମସ୍ତେ ଏମିତି ଅଭିମାନ କରି ବିଷ ଖାଇଲେ ସଂସାରରେ ରହିବ କିଏ ?

 

–ଯେତିକି ରହିପାରିବେ ସେତିକିରେ ଏଇଁ ସଂସାର ଚାଲିବ । ଉପରକୁ ଉଠିବା ମଣିଷ ତଳକୁ ଖସିଲେ ସେ ମରିଯିବା ଉଚିତ୍‌ । ସୁତପା ତମଠାରୁ ଏଇ ଏତକର ଯୋଗ୍ୟତା ଚାହେଁ ।

 

ଅଭିନ୍ନ ଚାହିଁଲା ସୁତପାକୁ–ରାଗି କୁକୁଡ଼ା ପରି ସୁତପା ଠିଆ ହୋଇଛି । ବଳବୟସ ଆଉ ବୁଦ୍ଧି ଅବା କେତେ ? ସେଥିରେ ସେ ଡାକୁଛି ସମସ୍ତଙ୍କୁ ଲଢ଼ୁଆ ଡାକ....

 

–କହିଲ ନାହିଁ । ଆଖି କଥା କହେ । ମୁଁ ତମର କଥା ଶୁଣିବି ।

 

–ଆଚ୍ଛା ଏପରି ଲୋକ ପାଖକୁ ଆସିଲ କାହିଁକି ?

 

–ଖରାପ କ’ଣ ହେଲା ? ଅପାଠୁଆ ସିନା ପଣ୍ଡିତ ହେଇ ପାରିବ । ବଳୁଆ ଲୋକ ଯୁଦ୍ଧ କରିବ । ପଣ୍ଡିତ ଲୋକ କ’ଣ ଆଉ ବଢ଼ି ପାରିବେ ? –ସେମାନେ ହେବେ ମାଷ୍ଟର । ପହିଲମାନ ଆଉ ଗୋଟାଏ ବଳୁଆ ଲୋକ ଦେଖିଲେ ଲୁଚିବାକୁ ଯିବ.... । ମୋର ଇଚ୍ଛା ତମେ ମଣିଷ ପରି ମଣିଷ ହେବ....ହେଇପାରିବ ?

 

–ନା । ହେବାର ଥିଲେ ହେଇଥାନ୍ତି ।

 

–ନହେଇ ପାରିଲେ ତମେ ଆମର ତଳିଆ ବୋଲକରା ହେଇ ରହିବ । ରାଜି ତ ?

 

–ଆଉ ଏବେ ବାଟ କାହିଁ ଯେ...

 

–ପଛରେ ରାଗିବ ନାହିଁ । ଏମିତି ତମରି ପରି ଲୋକେ ଶିକ୍ଷାଦୀକ୍ଷା, ଜ୍ଞାନବୁଦ୍ଧି, ବଳବୟସ ସବୁଥିରେ ପରିପୂର୍ଣ୍ଣ ଥାଇ ମଧ୍ୟ ଏମିତି ମୋରି ପରି ଦରପାଠୋଇ ଅଭଦ୍ର ମାଇକିନିଆଙ୍କର ବୋଲକରା ହେଇ ଜୀବନ କଟାନ୍ତି । ଦେଖିଛ ?

 

–ହଁ ।

 

–କାହିଁକି ସେମିତି ହୁଅନ୍ତି ଜାଣ ?

 

–ବାହାରେ ମାଡ଼ ଖାଇ ଘରେ ନିଶ ମୋଡ଼ନ୍ତି । ସେତକ ତାରିଫ୍ କରିବାକୁ କେହି ନ ମିଳିଲେ ନିଶକୁ ସଫା କରି ଦେଇ ଘର କୋଣରେ ଲୁଚନ୍ତି ।

 

କନକ ଆସି ଆପଟ ହେଲା ଅଭିନ୍ନ ଭାଇଙ୍କୁ । ...ତମେ କେମିତି ବୁଝିବ, ଅପା, ଆମର ଭାଇ କେତେ ବଡ଼ ?

 

ହସି ସୁତପା କହିଲା–ଯାହାହେଉ ସଂସାରରେ ଜଣେ ଅଧେ ରହିଛନ୍ତି ତ ବଡ଼ ବୋଲି କହିବାକୁ ।

 

–ବଞ୍ଚିବା ପାଇଁ ଏତିକି ଯଥେଷ୍ଟ । ୟା’କୁଇ କୁହନ୍ତି–ସ୍ନେହ, ସହାନୁଭୂତି, ଆଉ ବିଚାର । ବଡ଼କୁ ଛୋଟ ବୋଲି କହିଦେଲେ ସେ ଝାଉଁଳି ଯିବ ନାହିଁ । ଛୋଟକୁ ସେ କେଡ଼େ ଛୋଟ ପ୍ରମାଣ କରି ଦେଖାଇ ଦେଲେ ସେ ମଉଳି ଯିବ । ଛୋଟ ଗୁଡ଼ାକ ବି ବଞ୍ଚି ରହିବା ଦରକାର । ...ନହେଲେ ଛତିଶି ପାଟକ କ’ଣ କରିବେ ? ଇଶ୍ଵର ବଡ଼ସାନ ସମସ୍ତଙ୍କୁ ମାଳା କରି ଗୁନ୍ଥି ଦେଇଛନ୍ତି । ଶଗଡ଼ ଉପରେ ନାଆ–ପୁଣି ନାଆ ଉପରେ ଶଗଡ଼ ।

 

–ଆମେ ଆସିଗଲୁ ଅଭିନ୍ନବାବୁ । ତମର କୌତୁକ ଦେଖିବା ପାଇଁ । ଭାରି କୌତୁହଳ ହେଲା ।

 

–ଭାରି ଭଲ ହେଲା । ମୁଁ ଆସି ଯାହା ହଲାପଟା ହେଉଥିଲି ସେଥିରେ ଭାବିଲି ଘରଛାଡ଼ି ପଳାଇବି ।

 

–ଏଁ, କ’ଣ ଠେଙ୍ଗାବାଡ଼ି ନା ଗାଳିମନ୍ଦ ? ଛୋଟିଆ ନା ବଡ଼ ଦଙ୍ଗାଗୋଳ ?

 

–ନାହିଁ ବାବୁ, ଖାଲି ମର୍ମହଣା କଥା ।

 

–ହେଇଥିବ ହେଇଥିବ । ସୀତା ପରା ତାଙ୍କର ପୁଅଙ୍କୁ କହିଥିଲେ । ଯୁଦ୍ଧରେ ପୁଅ ତାଙ୍କର ବାପା ରାମଚନ୍ଦ୍ରଙ୍କୁ ବାଣ ମାରି ଅଜ୍ଞାନ କରି ଦେଇଥିଲେ ।

 

ସୁତପା ପଚାରିଲା ନରହରିବାବୁଙ୍କୁ–ଆପଣ ଆସିବା କଥା ଜାଣିଥିଲି । ସାର୍‌ ମଧ୍ୟ ଆସିଛନ୍ତି । ନମସ୍କାର । ....କ’ଣ କହିଲେ ସୀତାଦେବୀ ?

 

–କହିଲେ ପୁଅକୁ...

 

–ଆରେ ଆମାର୍ କାଳ୍

 

–ରଘୁବଂଶ କାଳ୍

 

–ବଂଶ ଭେଦି ବାଣ୍ କୋଥେକେ ପେୟେଛିଲି ?

 

–ଭାରି ଭଲ ତ । ଏଠି ସାର୍ କେହି ଅଜ୍ଞାନ ହେଲେ ନାହିଁ । ଖାଲି ଜ୍ଞାନ ଖୋଜା ପଡ଼ୁଥିଲା ?

 

–ହେଇଥିବ । ଦେବାଶିଷ କହୁଥିଲେ–ଖାଲି ଅଙ୍କ ଓ ଅନ୍ୟାନ୍ୟ ବିଷୟ ପଢ଼ାହେବ । ସାହିତ୍ୟରେ ସମସ୍ତେ ଏଠି ଟାଣୁଆ । ସାହିତ୍ୟ ପଢ଼ା ହେବ ନାହିଁ ।

 

–ଠିକ୍‌ କଥା ସାର୍‌ । କଥା କ’ଣ କି ? –ଆମେ କଥା ବୁଝି ପାରୁଛୁ । ଲେଖିଲାବେଳକୁ ବନାନ୍ ଭୁଲ୍‌ ହେଉଛି । ସେଥିପାଇଁ ବ୍ୟାକରଣ ପଢ଼ିବୁ ।

 

–ବ୍ୟାକରଣରେ କ’ଣ ଅଛି ? ଲିଙ୍ଗ–ବଚନ ସନ୍ଧି ସମାସ–ହସି କହିଲେ ଏତିକିରେ ବ୍ୟାକରଣ ଶେଷ । ସେମିତି “ହରଗୁଣ ଫେଡ଼ ମିଶା’’ ଏତିକିରେ ଅଙ୍କ ଶେଷ । ଆଉ କ’ଣ ପଢ଼ିବ-? ପଢ଼ାଶେଷ ?

 

–ହଁ ହେଇଥିବ ସାର୍‌ । ଆଣିଲୁ କନକ ଖାତା ପେନ୍‌ସିଲ ସାର୍‌ ମତେ ଲେଖି ଦେବେ–କୌତୁକ ଆଉ କୌତୂହଳର ବନାନ୍ ?

 

–ଖାତା କ’ଣ ହେବ ? ଇଏ ଗୋଟାଏ କ’ଣ ବନାନ୍ ?

 

–ଲେଖି ଦିଅନ୍ତୁ, ସାର୍ ।

 

ନରହରିବାବୁ ବାଧ୍ୟରେ ଲେଖିଲେ । ଲେଖିସାରି ଚାହିଁଲେ ଦେବାଶିଷ ଆଉ ଅଭିନ୍ନ ଦୁହିଙ୍କୁ–ଭଲ ଚାଟ ଏଠି ? ଆସୁ ଆସୁ ମାଷ୍ଟରଙ୍କୁ ଆଗ ପରୀକ୍ଷା ।

 

–ହଁ, ସାର୍‌ । ବନାନ ଭୁଲ୍‌ ହେଲା । ଓଲଟା ଲେଖିଲେ । କୌତୂକରେ ହ୍ରସ୍ଵ ଆଉ କୌତୁହଳରେ ଦୀର୍ଘସ୍ୱର ଲାଗିବା କଥା ।

 

–ସେଥିରେ କି ଯାଏ ଆସେ ନାହିଁ । କାମ ଚଳିବ ତ ।

 

–ଆମେ ସେଇଆ ଭାବୁଥିଲୁ । କାମ ଚଳିବା ପାଇଁ ଅନେକ କଥାକୁ ନ ଧରିବା ଭଲ । ଆପଣ ଆମର କୌତୁକ ଦେଖିବାକୁ କୌତୂହଳୀ ହେବାରୁ ଆମେ ଟିକିଏ କୌତୁକ କଲୁ ।

 

–ମୁହଁ ରଙ୍ଗା ପଡ଼ିଗଲା ନରହରି ବାବୁଙ୍କର । ଏଇ ଦାଣ୍ଡେଈ ହଳକ ଅନ୍ୟର ଭୁଲ୍‌ ଦେଖାଇବାକୁ ଶିଖିଛନ୍ତି । ଟାଣ କରି କହିଲେ–କାହାରି ଭୁଲ୍‌ ଦେଖାଇବା ସୁନ୍ଦର ନୁହେଁ ।

 

–ଆମେ ପରା ସେଇଆ ଭାବିଥିଲୁ । ଇଏ ଆମର ଭୁଲ୍‌କୁ ବାଛି ବୁଛି ଦେଖାଇବାରେ ଲାଗିଛନ୍ତି । ଆମର କଥା ଭୁଲ୍‌, କାଇଦା ଭୁଲ୍‌, ସଣ୍ଠଣା, କଟକଣା ଭୁଲ୍‌ । ସବୁ ଭୁଲ୍‌... ଆଉ କ’ଣ କରିବୁ ?

 

–କାହିଁକି ଏତେ ଭୁଲ୍‌ ବାରୁଛ ଅଭିନ୍ନ । ମୁଁ ମୋଟେ ଭୁଲ୍‌ ବାରେ ନାହିଁ । ହେଲେ ଆମର ଗୃହିଣୀ ଏମାନଙ୍କ ତୁଳନାରେ ବହୁତ ପଛରେ ।

 

–ଉପାୟ ନାହିଁ ସାର୍‌ । ସଇସକୁ ଚାହିଁ ଘୋଡ଼ା କୁକୁର ପ୍ରକାର ପ୍ରକାରର ହୁଅନ୍ତି । ଆମେ ବି ସେମିତି ପଛକୁ ଚାଲିଯିବୁ ଯେ ।

 

–କାହିଁକି ?

 

–ଇଏ ପରା...

 

ଅଭିନ୍ନବାବୁ ଆଗ ବଢ଼ି କହିଲେ–ଘରେ ଏଇ ମାଇପଙ୍କର କଥାରେ ହାଁଜୀ ନ କଲେ ଚଳିବାକୁ ବାଟ କାହିଁ ?

 

–ଇଆ ବେଲି କ’ଣ ଧଳାକୁ କଳା କହିବ ?

 

–ସମସ୍ତଙ୍କର ଇଚ୍ଛା ଯେ କଳାକୁ ଧଳା କୁହାଯାଉ ।

 

–ସେମିତି କହିବା ଭଲ । ସଂସାର କରି ତମେ ଯଦି କଳାକୁ ଧଳା ଆଉ ଧଳାକୁ କଳା କହି ନ ପାରିବ ତେବେ ତମେ ହେଲ ଓଲୁ । ଆଉ କଳାକୁ ଧଳା ଓ ଧଳାକୁ କଳା କରି ପାରିଲେ ତମେ ହେବ ବିଚକ୍ଷଣ ।

 

ସୁତପା ହସି କହିଲା–ଇଏ ଯେ ହେଲା ସାର୍‌ଙ୍କର ପଦେ କଥା । ଅଭିନ୍ନକୁ ଚାହିଁ କହିଲା–ମନେ ରଖ ଯାହା ସାର୍‌ କହିଲେ । ...ମୋର ବି ସେଇ କଥା ସାର୍‌ । ମନ ଭିତରେ ଛଳକୁ ସାଇତି ରଖ ଆଉ ବାହାରେ ପିନ୍ଧ ଛଳନାର ପୋଷାକ ।

 

–ଏଁ, କ’ଣ କହିଲ ? ବାହାରେ ଛଳନା ?

 

–ଆଉ କ’ଣ ସାର୍‌ ? ଛଳନା ନ ଥିଲେ ମଣିଷର ଦାମ୍‌ ଦିଗଣ୍ଡା ଦିକଡ଼ା । ଆମେ ଚଳିବା କେମିତି ? ରହିବା କେମିତି ?

 

ଭାବି ନରହରି କହିଲେ–ସତେ ତ । ନିଜକୁ ଭଣ୍ଡ ନ ପାରିଲେ ଏଇ ଦେହ କ’ଣ ବଞ୍ଚିପାରିବ ? ଠିକ୍‌ କହିଛନ୍ତି ସୁତପା ଦେବୀ... ଅଭିନ୍ନ ଆମର ଅତି ଭାଗ୍ୟବାନ୍ ତୁମକୁ ପାଇ ।

 

–ନାହିଁ ସାର୍, ମୁଁ ଆପଣଙ୍କ ଜଣେ ଛାତ୍ରୀ । ମୁଁ ଦେବୀ ନୁହେଁ । ମତେ ଡାକିବେ ସୁପା ବୋଲି ...ଏଇ ଆଉ ଜଣେ ଛାତ୍ରୀ–ମୋର ଭଉଣୀ କାନନ ।

 

ନରହରି ଆଉ ଦେବାଶିଷ ଚମକି ପଡ଼ିଲେ । –ଇଏ କ’ଣ ? ଦେବାଶିଷ ବରଖାସ୍ତ ହେଇ ନରହରି ମୁତୟନ ହେଇଗଲେଣି ।

 

ସୁତପା ଅତି ହର୍ଷରେ କନକକୁ କହିଲା–ବସି ରହିଛୁ ନା ? ଆମେ ଜଣେ ସାର୍‌ ଖୋଜୁଥିଲେ । ଇଶ୍ଵର ଆଣି ଯୋଡ଼ିଏ ଦେଲେଣି... ସାର୍‌ମାନଙ୍କ କଥା ବୁଝା ସରିଲେ ଆଜି ପଢ଼ା ଆରମ୍ଭ ହେବ ।

 

–ମୋର ବେଳ କାହିଁ ? ...ନରହରି କହୁଥିଲେ ଆଉ ଭାବୁଥିଲେ ଯେ ତାଙ୍କର ଇଜ୍ଜତ ଦି’କଡ଼ାର ହେଇଯିବ ।

 

–ଯେତିକି ବେଳ ମିଳିବ ସେଇ ଯଥେଷ୍ଟ । ...ଆଉ କିଛି ଅସୁବିଧା ଅଛି କି ?

 

–ନା ।

 

–ହେଲା ତେବେ । ମୁଁ ପଢ଼ିବି ଆପଣଙ୍କ ପାଖରେ ଆଉ କାନନ ପଢ଼ିବ ଦେବାଶିଷ ସାର୍‌ଙ୍କ ପାଖରେ ।

 

ଦେବାଶିଷ ଆଉ କନକର ଚାରିଆଖି ହେଲା–ଭଲ କଥା । ଏଇ ଉପରମୁହିଁର ପାଠ ଯାହାହବ ନରହରି ଧରି ଦେଖୁଥାଉ ।

 

ଗୁଣୁଗୁଣୁ ହେଇ ନରହରି କହିଲେ–ମୁ ଆସିଥିଲି କୌତୁକ ଦେଖିବାକୁ... ଏବେ ମୁଁ ନିଜେ ହେଇଗଲି କୌତୁକ । ...ଆଚ୍ଛା ଦେଖିବା ଏଠି କେମିତି ପବନ ପାଣିରେ ଲହଡ଼ି ଉଠେ ।

 

ଯୋଡ଼ିଏ ଜାଗା ଠିକଣା କରି ସେମାନେ ପଢ଼ାଇବାକୁ ଆରମ୍ଭ କଲେ । ଅନୁକୂଳ ହେବ-

 

ଦେବାଶିଷ ଆଉ କନକ ଭାବୁଥିଲେ ଗୋଟାଏ କଥା–କ’ଣ ପଢ଼ା ହେବ ? … ନରହରି ଆଉ ସୁତପା ସେମିତି ଗୋଟିଏ କଥା ଭାବୁଥିଲେ–କିଏ କାହାକୁ ପଢ଼ାଇବ ?

 

–କ’ଣ ଜାଣିଛ କି ପଢ଼ିଛ, ମତେ କହିଲେ ପାଠ ଆରମ୍ଭ ହେବ । ନରହରି ହସି ସୁତପାକୁ ଚାହିଁ ପଚାରିଲେ ।

 

–ଜାଣିଛି ଅନେକ କଥା । ତେବେ ସେଗୁଡ଼ାକ ଠିକ୍‌ କି ଭୁଲ୍‌ ଜଣା ନାହିଁ । ପଢ଼ିଛି ମଧ୍ୟ ମୋର ପାରୁପର୍ଯ୍ୟନ୍ତ । ତେବେ ସେଥିରେ କେଉଁଟା ଦରକାର କହିପାରିବି ନାହିଁ । ଆପଣ ସିନା ସ୍ଥିର କରିବେ ।

 

–ଜାଣିଛ ତ ବହୁତ । କଥାରୁ ମୁଁ ବୁଝିଛି । କେଉଁ ବହିରୁ ଏସବୁ ଜାଣିଲ ?

 

–ଏଇ ଦେହରେ ଯାହା ବିତେଇଛି ସେଇଥିରୁ ଜାଣିଲି ସିନା–ହିତ ଅହିତ କହିପାରୁ ନାହିଁ । ଆପଣ ମତେ ଖଣ୍ଡେ କଷଟି ପଥର ଧରାଇ ଦେଲେ ମୁଁ ଆପଣା ଛାଏଁ ବୁଝିଯିବି ମୋର ଭୁଲ୍‌ଭଟକା ।

 

–ମୁଁ କହିବି କ’ଣ ? –ଭାଗବତ କହୁଛି ଏମନ–ତୋର ନିଜ ଗୁରୁ–

 

–ସେ କଥା ମୁଁ ବହୁତ ଜାଗାରେ ଶୁଣିଲି । ଯେତେବେଳେ ମନ ଏଣେ ତେଣେ ଧାଇଁବ ସେତେବେଳେ ଗୁରୁକୁ ଜଗିବା ଦରକାର...ହସି ଧୀରେ କହିଲା–ଗୁରୁ ଯେମିତି ଚେଲାକୁ ଚଳାଇବ ସେମିତି ଚେଲା ବି ଗୁରୁଙ୍କୁ ଚଳାଇବ ।

 

ନରହରି କାନ ଖାଡ଼ା କରି ଶୁଣିଲେ । ସୁତପା ଦେଖୁଥାଏ ଯେ ତାଙ୍କର କାନର କଳା ବାଳଗୁଡ଼ାକ ଝାମ୍ପୁରା ହୋଇ ଦିଶୁଥାନ୍ତି । ବିଚିତ୍ର ।

 

ସୁତପା ଧୀରେ ହସିଲା ।

 

–କ’ଣ କି ?

 

–ଭାବୁଥିଲି ଯେ କାନରେ କେମିତି ସାର୍‌ ଖିଅର ହୋଇ ଗଦାଏ ବଣ କରିଛନ୍ତି । ସେଥିରେ, ସାର୍‌, ଫୁଲ ଫୁଟେ ।

 

ମୁହଁ ମଉଳାଇ ନରହରି କହିଲେ–ଓଃ, ଏଠିକି ମାଡ଼ି ଆସିଲି ଯେ ଦେଖିଲେଣି ଘରେ ଯାଇ ସନ୍ତୁଳି ହେବାକୁ ହବ...

 

–ଆସିବେ ନାହିଁ କି ସାର୍‌ ? ...ମତେ ଏମିତି ଦାଣ୍ଡ ଦୁଆରେ ବସାଇ ଦେଇ ଚାଲିଯିବେ ନାହିଁ । ମାଖୁନା ଗୁଡ଼ାଙ୍କୁ ମୁଁ ଭାରି ଚିଡ଼େ । ସେ ଗୁଡ଼ାକ ଆମ ପରି ଦିଶନ୍ତି–ମାଇଚିଆ ଗୁଡ଼ାଏ ।

 

–କ’ଣ କରିବା ? ଗରିବ ଲୋକ କ’ଣ ଦେହର ହେପାଜତ୍‌ କରିପାରେ ?

 

–ମୋଟେ ପାରିବ ନାହିଁ । ଗରିବ ଭାରି କାଙ୍ଗାଳିଆ । ଯେଉଁଠି ଯାହା ଦେଖିଲା ଖାଇଯିବାକୁ ବ୍ୟସ୍ତ । ସେ କେତେବେଳେ ଆଉ ଦେହର କି ମନର ହେପାଜତ କରିବ ?

 

ମାଷ୍ଟର ସାହେବ ଚାହିଁ ରହିଲେ ସୁତପା ମୁହଁକୁ । ସେ ସେମିତି ଖାତା କାଗଜ ଫଡ଼ ଫଡ଼ କରୁକରୁ କହିଲା–ଏଇ ନିଆଁ ଲଗା ଜୀବନରେ ଟିକିଏ ପଢ଼ାଇଦେବାକୁ କେହି କ’ଣ ତତ୍ପର ? ସାର୍‌ ବି ସେମିତି ପିଲାଙ୍କ ଭଳିଆ ଚଗଲବଗଲ ଧରିଲେଣି... କ’ଣ ପଢ଼ିବି ସାର୍‌ ?

 

ଅଭିନ୍ନବାବୁ ତାଙ୍କର ଠାକୁର ପୂଜା କରୁଛନ୍ତି । ନରହରିବାବୁ ଏଣେତେଣେ ଆଖି ବୁଲାଇ ଓଠ ଚାଟିଲେ । ସୁତପା ଉଠିଗଲା–ପାଣିଗିଲାସ ଆଣି କହିଲା–ସାର୍‌ ।

 

–ଏଁ ପାଣି ? ହଁ, ଶୋଷ ହେଉଥିଲା ।

 

–ଏଇ ଦିନରେ ଶୋଷ କ’ଣ ପାଣିରେ ଯାଉଛି ? ମୁଁ ବି ଆଜି ବହୁତ ପାଣି ପିଇଲେଣି-

 

ପାଣିଗିଲାସ ଓଠ ପାଖରେ ରଖି କାଚଗିଲାସବାଟେ ସୁତପାକୁ ଚାହିଁ ଭାବୁଥିଲେ–ଏଡ଼େ ସହଜରେ ଏମିତି ମନକିଣା କଥା କହିପାରନ୍ତି କେତେଜଣ ? ନିଜର ସ୍ତ୍ରୀ ଦିନେ ହେଲେ ଚାରିପଦ କହି କୃତାର୍ଥ କରିଥାନ୍ତା...

 

–ପାଣି ପିଇଦିଅନ୍ତୁ । ପରମଣିଷ ହାତର ପାଣିଗିଲାସଟା । ଭଲ ଲାଗୁ ନ ଥିବ ।

 

–ଏଁ ?

 

–ମେସ୍‌ ଜୀବନରେ କେଡ଼େ କଦର୍ଯ୍ୟ ହେଇ ରହୁଥିବେ ।

 

ଅଭିନ୍ନ ବାବୁ ଚାଲି ଆସିବା ପରେ ସେଇଟା ତୁଚ୍ଛା ଲାଗିଲାଣି ।

 

–ଭାରି ଭଲ ମଣିଷଟିଏ । ତାଙ୍କୁ ଭଗବାନ୍ ଏପରି ଶକ୍ତି ଦେଇଛନ୍ତି ଯେ ଯେଉଁଠି ସେ ରହିବେ ସେଠି ସବୁ ଆନନ୍ଦମୟ....

 

–ହେବାର କଥା । ସେ ଯେମିତି ତାଙ୍କର ଘରଲୋକ ବି ସେମିତି । ଏଠି ଯିଏ ଥରେ ଆସିବ ସେ ସବୁ ଦିନକୁ ମନେ ରଖିବ ।

 

–ଯିଏ ଆସିପାରି ନାହିଁ । ସେ ମଧ୍ୟ ଆସିବାକୁ ଖୋଜିବ ? ଆମକୁ ସମସ୍ତେ ଭଲ ଲାଗନ୍ତି ।

 

ଭାବିଲା ପରି ନରହରି କହିଲେ–କେଡ଼େ ସ୍ଵାଧୀନ, କେଡ଼େ ମୁକ୍ତ–ଏଠି ସତରେ ?

 

–ଈର୍ଷା କରନ୍ତୁ ନାହିଁ । ଆମେ ଭାରି ଦୁଃଖୀ । ବହୁତ ଗୋଳମାଳ ଭିତରେ ରହିଛୁ । ସମୟ କଟାଇବା ପାଇଁ ପଢ଼ୁଛୁ । ଆପଣ ଖାଲି ଗପ କଲେଣି କ’ଣ ?

 

–ମୋର ଆଜି ମନ ଥିର ନାହିଁ । କାଲିକି ପଢ଼ା ଆରମ୍ଭ ହେବ ।

 

–ଆଜି କଥା କାଲିକି ନଥିବ । ଆଜି ଯାହା ମିଳିବ ସେତକର ଦାମ୍ କାଲିକ ଆଠଅଣା ବାରଅଣା କଟିଯିବ ।

 

–କାହିଁକି ?

 

–ମନ ଭଳିଯାଏ । ମଣିଷ ପାଶୋରି ଯାଏ ।

 

–ମୁଁ ଅତି ଛୋଟ । ଅତି ହୀନିମାନ, ସୁତପା ।

 

–ସେତକ ତ ବୁଝା ପଡ଼ିଲାଣି । ତେବେ ଏଇ ଶିଷ୍ୟ ଆପଣଙ୍କର ଦୁଃଖ ଦୂର କରିପାରିଲେ ନିଜକୁ ଧନ୍ୟ ମନେ କରିବ ।

 

ନରହରି ବାବୁଙ୍କର ଆଖି ଦୁଇଟି ଟୁଳୁଟୁଳୁ ହେଲା–ଭାବର ଉଚ୍ଛ୍ୱାସରେ ।

 

ସୁତପା ଆକଟ କରି କହିଲା–ଆଖିର ଲୁହ ଆମ ଜାତିର ଏକଚାଟିଆ ବଣିଜ । ଆଖିର ଲୁହ ଦେଖାଇ ଆମକୁ କ’ଣ ଜିଣିହବ ?

 

–ନା, ଆମେ ଖୋଜିଥାଉ, କ୍ରୋଧ, ଗର୍ବ ଓ ଆତ୍ମ-ସମ୍ମାନ । ...ରାଗିପାରୁ ନାହାନ୍ତି ?

 

–ତମେ ଜାଣ ନାହିଁ ମୋର ଦୁଃଖ ?

 

–ସମସ୍ତଙ୍କର ଦୁଃଖ ଅଛି । ଦୁଃଖକୁ ବଖାଣିବା ହେଉଛି ଅସଭ୍ୟତା । କିଏ କାହାର ଦୁଃଖ ନେବ ? ସମସ୍ତଙ୍କର କାନ୍ଧରେ ଦୁଃଖ ଅପମାନର ଜାଉଁଳୀ–ମୋର ଦୁଃଖ କେତେ ଆପଣ ଜାଣନ୍ତି ?

 

–ତମେ ବି ଦୁଃଖୀ ?

 

–ଆଶ୍ଚର୍ଯ୍ୟ କଥା । ଆଖି ଆଉ ମୁହଁ ଦେଖିଲେ । ଆଗରେ ବସି ରହିଛି । ତେବେ ବି ଆପଣ ହଠାତ୍ ହୁଦାସ୍ କହିପାରୁ ନାହାନ୍ତି ।

 

–ମୁଁ ଦୁଃଖୀ କି ସୁଖୀ ?

 

ଚାରି ଆଖି ଏକାଠି ହେଲା । ନରହରି ମୁହଁକୁ ବୁଲାଇ ନେଲେ ।

 

–ବୁଝିଲି, ସାର୍‌, ଆପଣ ବି ମୋର ଦୁଃଖ ଦୂର କରି ପାରିବେ ନାହିଁ । ଆପଣଙ୍କର ସେହି ମନର ବଳ କାହିଁ ।

 

ମୁଁ ଗୋଟିଏ ଅଭାଗା । ମୋର କେଉଁଠି ସ୍ଥ।ନ ନାହିଁ ।

 

–ନା, ନା । ଏଠି ଆପଣଙ୍କର ସ୍ଥାନ ନାହିଁ । ଆପଣ ନିଜର ବଳ ଓ ସାମର୍ଥ୍ୟ ବୁଝି ପାରୁଛନ୍ତି । ଖାଲି କିଛି ଭଡ଼ଙ୍ଗ୍ ବା ବାଲିଙ୍ଗି ଅଛି । ସେତକ ବି ଥିବା ଦରକାର ।

 

–ଓଃ, ଅଭିନ୍ନବାବୁ କ’ଣ ଭାବୁଥିବେ କେଜାଣି ?

 

–ଭାବିବେ କ’ଣ ? ବିଭାଘର ବେଦିରେ ଭାବନାକୁ ପୋଡ଼ି ଦିଆହୁଏ ହୋମ ନିଆଁରେ । ...କ’ଣ ବା ଭାବିବେ ? ଆପଣଙ୍କଠାରୁ କୌଣସି କ୍ଷତିର ଭୟ ଥିଲେ ସେ କ’ଣ ଆମ ଦୁହିଙ୍କୁ ଏକାଠି ଛାଡ଼ି ପୂଜା କରିବାକୁ ଯାଇଥାନ୍ତେ ?

 

–ସେ ଜଣେ ଦେବତା ପରି ଲୋକ ।

 

–ସବୁ ନାମରଦା ଲୋକ ଏହି ସଂସାରର ଦେବତା ।

 

ଅଭିନ୍ନବାବୁ ବୁଦ୍ଧିମାନ ଓ ବିଜ୍ଞ ଲୋକ ।

 

–ହେଇଥିବେ । ତେବେ ତାଙ୍କର ସାହସ ନାହିଁ । ସାହସ ନ ଥିବା ଲୋକର ଜ୍ଞାନ ଆଉ ବୁଦ୍ଧି କି କାମରେ ଲାଗିବ ? ସେ ପରାଧୀନ ହେବେ, ହେବେ ଗୋଟିଏ ଗୋଲାମ ବା ଚାକର ।

 

–କ’ଣ, ଯେତେ ଆମ ପରି ଲୋକଙ୍କୁ ଦେଖୁଛ ସମସ୍ତେ କ’ଣ ଏମିତି ଛୋଟ ମଣିଷ ?

 

–ନିଶ୍ଚୟ । ମଣିଷ ଛୋଟ ହେଇ ନ ଥିଲେ ଚାକର ହେବ କେମିତି ? ....ବରଂ ସେ ଖଣ୍ଡେ ଦୋନଳୀ ଅବା ଜାଲ ଧରି ଜୀବିକା ଚଳାନ୍ତା । ପରର ଖିଜ୍‌ମଦ୍

କରନ୍ତା କି ?

 

–ଏତେ ଲୋକ ତେବେ କ’ଣ ?

 

ନଈର ଜାଲିଆ, ସମୁଦ୍ରର ନୋଳିଆ ଆଉ ବଣର ଶିକାରୀଠାରୁ ଛୋଟ । ଆଉ ଛୋଟ ମଧ୍ୟ ସିଲେଇ ମେସିନ୍ ଅବା ଯେ କୌଣସି କଳକବ୍‌ଜାର କାରିଗରଠାରୁ । ଏଇ ଛୋଟିଆ ମଣିଷଙ୍କୁ ମୁଁ କହେ ବିଲର ଝିଣ୍ଟିକା... ଦୁଃଖ କରିବେ ନାହିଁ ସାର୍‌ ।

 

–ୟା’ଙ୍କୁ ବିଭା ହେଲ ?

 

–ସତେ ତ । ...ଛାଡ଼ନ୍ତୁ ସେ କଥା । ପାଠ ଦି’ଅକ୍ଷର ପଢ଼ାଇବାକୁ ଆସି ମତେ ଏମିତି ଅଥୟ କରି ଦେଲେଣି... ଇଏ ତ ଆପଣଙ୍କ ଉଚିତ୍ କାମ ନୁହେଁ ?

 

–କ୍ଷମା କରିବ ।

 

–ଏ ପ୍ରକାରର କାମର କ’ଣ କ୍ଷମା ଅଛି ? ...ପର ସ୍ତ୍ରୀ’କୁ ଯେ ଏମିତି ଅଳ୍ପ ସମୟରେ ବହୁତ ଆପଣାର କରିବାକୁ ଚେଷ୍ଟାକରେ ସେ ହେଉଛି ନିଜର ଶତ୍ରୁ ।

 

–ରାଗିଲ ନା ? ...ମୁଁ ଭୁଲ୍‌ କରିଛି ।

 

–ଛୋଟିଆ ମଣିଷ ଭୁଲ୍‌ କରିଥାଏ । ସେ ଭୁଲ୍‌କୁ ଯେ ବଡ଼ କରି ଧରି ବସେ ସେ ଆଉରି ଛୋଟ ।

 

ନରହରି ଚାହିଁଲେ ସୁତପା ମୁହଁକୁ ।

 

ହସିଲା ଭଙ୍ଗୀରେ ସୁତପା ଉଠିଗଲା କନକ ପାଖକୁ । ଦେବାଶିଷ ବାବୁ ତା’କୁ ମୂଳରୁ ପଢ଼ାଇବା ଆରମ୍ଭ କରିଛନ୍ତି । ଦେବାଶିଷ ପଢ଼ୁଛନ୍ତି । ତାଙ୍କର ସ୍ଵରରେ ସ୍ଵର ମିଳାଇ କନକ ପଢ଼ୁଛି । ପାଖ ପାଖ ହୋଇ ବସି ପଢ଼ୁଛନ୍ତି ।

 

ହଠାତ୍ ସୁତପାକୁ ଦେଖି ଦିହେଁ ଚମକି ପଡ଼ିଲେ ।

 

–ଯାହା ହେଉ ଏଠି କିଛି ପଢ଼ା ହେଉଛି । ଆମର ପଢ଼ା କାଲିଠାରୁ, ସାର୍, ଆରମ୍ଭ କରିବେ ।

 

–ଆମେ ଆଜି ଆରମ୍ଭ କରିଦେଲୁ ।

 

–ଭଲ କଲେ । କନକ ଆମର ପିଲା । ତା’କୁ ଅଳ୍ପ ଅଳ୍ପ ନ ପଢ଼ାଇ ଶୀଘ୍ର ଶୀଘ୍ର ପଢ଼ାଇବେ । ସେ ବହୁତ ପଛରେ ଅଛି । ପଢ଼ାରେ ତା’ର ବହୁତ ଜିଦ୍ ।

 

–ହସ୍ତାକ୍ଷର ଭଲ ନୁହେଁ ।

 

–କାହାକୁ ଖଣ୍ଡେ ଚିଠି କ’ଣ ସେ ଲେଖିଛି ଯେ ଭଲ ହସ୍ତାକ୍ଷର ହେବ ?...ଗାଁରେ ରହିଗଲା ନିଜର ଲୋକଙ୍କ ପାଖରେ...

 

–ଖୁବ୍ ଅଳ୍ପ ପଢ଼ିଛି ।

 

–ଜାଣି ନାହାନ୍ତି କି ଗାଁ ସ୍କୁଲରେ ମାଷ୍ଟରଙ୍କୁ ମୌଜା ନାଁ ଦେଖି ରଖିବାକୁ ହେଇଥାଏ–ନ ହେଲେ ଆମ ଗାଁ ସ୍କୁଲ ହେବ କେମିତି ? ...ସେମାନେ ସିନା ସ୍କୁଲ ବସାଇ ଦେଲେ । କିନ୍ତୁ ପାଠ ଶିଖିବା ଦାୟିତ୍ଵ ଗାଁ ଲୋକଙ୍କର ନ ହୋଇ କ’ଣ ମାଷ୍ଟରଙ୍କର ହେବ ।

ଦେବାଶିଷ ହସିଲେ ।

–ହସ କଥା କ’ଣ ହେଲା ଏଥିରେ ? ଗାଁ ଝିଅଙ୍କୁ ବୋହୂ କରିବା ଯେମିତି ସୁବିଧା ଗାଁ ଲୋକଙ୍କୁ ଗାଁ ସ୍କୁଲରେ ମାଷ୍ଟର କରିବା ସେମିତି ସୁବିଧା । କ’ଣ କହୁଛୁ କନକ ?

–ହଁ, ଅପା, ଗାଁକୁ ଉଠାଇବାକୁ ହେଲେ ସେଇଆ କରିବା ଛଡ଼ା ଆଉ ଭଲ ବାଟ କ’ଣ-?

–ସେ ବାଟ ସରିଗଲାଣି । ଏଠି ନୂଆ ମାଷ୍ଟର ପଢ଼ାଇବେ । ସେ ଏତେ ତମର ମନକୁ ପାଠ ପଢ଼ାଇବେ ନାହିଁ । ଜାଗ୍ରତ ହେଇ ନ ପଢ଼ିଲେ ପାଠ ବାଟ ବଣା ହେଇଯିବ ।

ଅଭିନ୍ନବାବୁ ଆସି ଦେଖିଲେ ଗୋଟାଏ ସ୍କୁଲ ଖାଲି । ଏଠିକା ପିଲା ଯାଇ ସେ ସ୍କୁଲରେ ଗୋଳମାଳ କରୁଛି । ସେ ଡାକି କହିଲେ–ନରହରିବାବୁ ବସି ରହିଛନ୍ତି ।

–ତାଙ୍କୁ ପରା ଏଇ କିରାସିନି ଲଣ୍ଠଣ ଭଲ ଦିଶୁନାହିଁ । ମୁଣ୍ଡ ଧରୁଛି...ସେ କହିଲେ ସକାଳେ ପଢ଼ାଇବେ ।

–ଅସୁବିଧା ହେଲା ନା, ନରହରିବାବୁ ?

–ହଁ, ବିଜୁଳି ଆଲୁଅରେ ଆଖି ଏମିତି ଅଭ୍ୟାସ କରିଗଲାଣି ଯେ ନିରାସା ଆଲୁଅ ମୋଟେ ପୋଷଉ ନାହିଁ ।

ସୁତପା ଆସି କହିଲା–ମୁଁ ବି ସେଇଆ ଦେଖୁଛି ।...ଭାବିଲି ରାତିରେ ମୁଁ ରାନ୍ଧିବି । କନକ ପଢ଼ିବ । ସକାଳକୁ ସେ ଘର କାମ କରିବ । ମୁଁ ପାଠ ପଢ଼ିବି । .....କ’ଣ କହୁଛନ୍ତି ସାର୍‌ ?

–ହଁ ଭଲ ହେବ । ମୁଁ ସକାଳୁ ଆସିବି ।

–ମୋର ପାଠ ହେବ ଟି ?

–ନିଶ୍ଚୟ ହବ । ତେବେ ବେଶି ବୟସରେ ମଣିଷର ଘୋଷା ପାଠ ଭଲ ହୁଏ ନାହିଁ । ବୁଝିବା ପାଠ ଭଲ ହୁଏ ।

–ମୁ ବି ସେଇଆ ଖୋଜେ । ମତେ ଥରେ ବୁଝାଇ ଦେଲେ ମୁଁ ମନେ ରଖିପାରିବି । ଘୋଷିବା ପାଠ ମୋତେ ପାଇବ ନାହିଁ । ...ମୋ’ ପାଇଁ କିଛି ବହି ଆଣିବେ, ସାର୍‌ ।

–ନିଶ୍ଚୟ ଆଣିବି ।

–କେତେ ଟଙ୍କା ଦେବି ?

–ଏମିତି ମାଡ଼ ମାରିବା କ’ଣ ଠିକ୍‌ ? ଦି’ଖଣ୍ଡ ଖଣ୍ଡେ ବହି ଆଣିବାକୁ ମୁଁ କ’ଣ ଯୋଗ୍ୟ ନୁହେଁ ?

 

–ସତେ ତ । ଆଣନ୍ତୁ । ମନେ କରି ଆଣିବେ । ମୁଁ ଭାବିଥିଲି ଯେ କଉଡ଼ି ଖର୍ଚ୍ଚ ନ କଲେ ସରସ୍ଵତୀ ଆସନ୍ତି ନାହିଁ । ...ଇଏ କହନ୍ତି ପରା ।

 

–ସରସ୍ଵତୀ କ’ଣ ବହି ଦୋକାନରେ ରସିଦ୍ ଦେଖି ବିଦ୍ୟା ଦିଅନ୍ତି ? ଏବେ ପାଠ ସହଜ ହେଇଗଲାଣି–କଷ୍ଟ କରିବା ଦରକାର ନାହିଁ । ହସି ହସି ପାଠ ପଢ଼ିହେବ ।

 

–ମୋର ସୌଭାଗ୍ୟ ଯେ ଠିକ୍‌ ବେଳରେ ମୁଁ ପୁଣି ଥରେ ମୋର ଖଣ୍ଡିଆ ପାଠକୁ ପୂରଣ କରିବି । କ’ଣ ପଢ଼ିବି କାଲିଠାରୁ ?

 

–ଚାକିରି ପାଇଁ ତ ଏଇ ପାଠ ନୁହେଁ । ଜ୍ଞାନ ବଢ଼ାଇବା ପାଇଁ ପଢ଼ିବା କଥା ।

 

–ଜ୍ଞାନ କ’ଣ ସାର୍‌ ?

 

–ଜ୍ଞାନ ଜାଣ ନାହିଁ ? ସମସ୍ତେ ଯାହା ଜାଣିଛନ୍ତି ସେତକ ଜାଣିବା ହେଲା–ଜ୍ଞାନ । ଯାହା କେହି ଜାଣି ନାହାନ୍ତି–ତାକୁ ଜାଣିବା ମଧ୍ୟ ଜ୍ଞାନ । ଏ ଭାଷାରୁ ସେ ଭାଷାକୁ ଓ ସେ ଭାଷାରୁ ଏ ଭାଷାକୁ ବଦଳାଇବାର ଶକ୍ତି ମଧ୍ୟ ହେଉଛି ଜ୍ଞାନ ।

 

–ଓଃ, ଏତେ କଥାକୁ କେଜାଣି କେତେ ବର୍ଷ ଲାଗିବା କେଜାଣି ?

 

–ଜୀବନଟା ବି ଯଥେଷ୍ଟ ନୁହେଁ ।

 

–ହେଇଥିବ ସାର୍‌ । ନ ହେଲେ ଏତେ ଅଜ୍ଞାନ ଲୋକ ଏଇ ସଂସାରରେ ହାଲୁହାଲୁ ହେଉଥାନ୍ତେ କେମିତି ?

 

ନରହରି ଚମକି ପଡ଼ିଲେ । ସୁତପା କନକକୁ ଆକଟ କରି କହିଲା–ପ୍ରତିଦିନ ଆମକୁ ଯାହା କିଛି ସେବା କରିବାକୁ ହେବ । ଏହି ମାଷ୍ଟରମାନେ ପଇସା ନେବେ ନାହିଁ । ଆମେ ତାଙ୍କ କଥା ବୁଝିବା ଦରକାର...

 

କନକ ଠିଆ ହେଲା । ସୁତପାର ଆଦେଶ–ପ୍ରତିଦିନ ସାର୍‌ ଆସନ୍ତୁ କି ନ ଆସନ୍ତୁ ତା’ଙ୍କ ପାଇଁ କିଛି ନା କିଛି ବ୍ୟବସ୍ଥା ରହିବ ।

 

ତା’ପରେ ଅଭିନ୍ନବାବୁଙ୍କୁ କହିଲା–ଆଜି ଆସିବା କଥା ଥିଲା । ଠିକଣା କରି କହିଗଲ ନାହିଁ । ମୋ, ସାର୍, ଖାଲି ପାଣି ପିଇଲେ ।

 

–ଆଜି ଯାଉଛୁ । କାଲିଠାରୁ...

 

–ହଁ, ମୋର ସକାଳ ଓଳି ଆଉ କନକର ଏ ଓଳି । ...ଦୁହେଁ ଦି’ମାଷ୍ଟରଙ୍କଠାରୁ କିଛି କିଛି ପଢ଼ିବାର ସୁବିଧା ପାଇବୁ ।

 

ଫେରିଲାବେଳେ ନରହରି ଓ ଦେବାଶିଷ ଚୁପ୍ ହୋଇ ଫେରିଗଲେ । ଦିହିଙ୍କର ମନରେ ବଜ୍ର ଓ ବିଦ୍ୟୁତ୍‌ । ଦିହେଁ ଭାବୁଥିଲେ ଯେ ଏଇ ସଂସାରରେ ନିକଟ ଲୋକ ବି ବହୁତ ଦୂରରେ ରହିଥାନ୍ତି । ଏଇ ସଂସାର ବଡ଼ ବିଷମ ।

 

ଗୋଲାପରେ କଣ୍ଟା ଥାଏ । ମାଛରେ ବି କଣ୍ଟା ଥାଏ । ରାସ୍ତାରେ ଝୁଣ୍ଟିବା ପାଇଁ ଏଠିସେଠି ଖେଣ୍ଟା ରହିଥାଏ ।

 

ମେସ୍ ପାଖରେ ନରହରିବାବୁ କହିଲେ–ତମର ଚାଟ କେମିତି ?

 

–ସବୁ ସମାନ । ଗୋଟିଏ ହାଣ୍ଡି । ଆରଟି ମାଠିଆ । ଏକା ମାଟି । ଏକା ପୋଡ଼ । ପାଣି ଧରେ ସମାନ । କିନ୍ତୁ ଗୋଟିଏ ପାଣି ପଶିଲା ବେଳେ ବେଶୀ ଶବ୍ଦ କରେ ଆରଟିଠାରୁ ।

 

–ଠିକ୍‌ ବୁଝିଛ ଭାଇ । ମୋ’ ଛାତ୍ରୀ ମୋଠାରୁ ଯେତିକି ଉପରେ ତମର ଛାତ୍ରୀ ତମଠାରୁ ସେତିକି ତଳେ ।

 

–ମତେ ଭାରି ଭଲ ଲାଗିଲା । କନକ ମୋ ଉପରେ ବହୁତ ନିର୍ଭର କରିଯାଉଛି ।

 

–ମତେ ବି ଭାରି ଭଲ ଲାଗିଲା ସୁତପା ମୋତେ କୌଣସି ଦାୟିତ୍ଵ ଦେଇ ନାହିଁ ।

 

–ତେବେ ତ ତମର କାମ କମ୍ ।

 

–ମୋଟେ ନୁହେଁ । ସୁତପା ଗୋଟିଏ ଅଦ୍ଭୁତ ସ୍ତ୍ରୀ । ....ତାହାର ଖିଆଲକୁ ବୁଝିବା ଭାରି କଷ୍ଟ । ପଦେ କଥାରେ ସେ ସ୍ଵର୍ଗକୁ ନିଶୁଣି ବାନ୍ଧି ଦେଇ ପାରିବ । ଆଉ ପଦେ କଥାରେ ସେ ନିଶୁଣିକୁ ଆଣି ଥୋଇଦବ କାନ୍ଥ ଓରାରେ ।

 

–ତା’କୁ ମୋଟେ ବୁଝି ହୁଏ ନାହିଁ ।

 

–ଅଳ୍ପ ଅନୁଭବୀ ଲୋକ ତା’କୁ ଭୁଲ୍‌ ବୁଝିବେ । ମୁଁ ଜାଣିପାରିଲି ବେଶ୍ ଯେ ସୁତପା ଗୋଟାଏ ମଣିଷରେ ମଣିଷ । କନକଟା ପିଲା....

 

–ବୟସ କଥା କହୁ ନାହିଁ । ତେବେ ଅନୁଭବ ଊଣା । କିନ୍ତୁ ସାଙ୍ଗମେଳରେ ମଣିଷ ଦୋକ୍ତା, ଗୁଡ଼ାଖୁ, ଗଞ୍ଜେଇ ଇଲମ ଧଇଲା ପରି ସେ ବି ଖୁବ୍ ବେଗାବେଗି ଉଠିଯିବ ସିଡ଼ିରେ ।

 

–ଦୂର ହେଇଯିବେ....ଆମେ ରହିଯିବା ଆମର ନୂଆ ପଦବୀରେ–ମାଷ୍ଟର ସାହେବ ବା ସେମିତି ଆଉ କିଛି ହେଇ ।

 

ଦୀର୍ଘ ନିଶ୍ଵାସ ଏହାର ଉତ୍ତର ଦେଇଥିଲା ।

 

ଅଜଣାର ଆକର୍ଷଣ ଭାରି ଆମୋଦ ଦିଏ । ସକାଳୁ ଦୁହିଁଙ୍କର ନିଦ ଭାଙ୍ଗିଥିଲା–ନରହରିବାବୁଙ୍କର ପାଠ ପଢ଼େଇବା ବେଳ । ହେଲେ ସେ ବହି କିଣି ନାହାନ୍ତି । ଦେବାଶିଷର ପଢ଼ାଇବା ବେଳ ଉପରଓଳିକୁ–

 

ତଥାପି ଦେବାଶିଷ ଭାବିଲା ଯେ ସେ ଯିବ ଅଭିନ୍ନବାବୁଙ୍କ ଘରକୁ । କାହିଁକି ସେ ଯିବ ନାହିଁ ? ସଂକୋଚ କ’ଣ ପାଇଁ ? ଯେଉଁମାନେ ସଂକୋଚ ଆଣି ଦିଅନ୍ତେ ସେଇ ସୁତପା ଓ କନକ ସତେ ଯେପରି ହାତ ଠାରି ଡାକୁଛନ୍ତି–ଆସ, ଆସ ସବୁବେଳେ ଆସ । ....ନା, ସେ ଯିବ ।

 

ଅନ୍ୟମାନେ ବିବ୍ରତ । କିଛି କିଣାକିଣି କରିଥିଲେ । ଥରେଅଧେ ଯାଇଥିଲେ । ତାଙ୍କ ପାଇଁ ସେଠି କ’ଣ କାମ ନାହିଁ ? .....ସେମାନେ ଏମିତି ବାରି ହେଇ ରହିଯିବେ କାହିଁକି ? ରମେଶ, ଗଜେନ୍ଦ୍ର ଓ ସୀମାଦ୍ରି ମଧ୍ୟ ଆପଣା ଭିତରେ ବିଚରା ବିଚରି ହେଲେ–ସେମାନେ ଜୋର ଜବରଦସ୍ତି ଯିବେ ।

 

–ଇଏ କ’ଣ ? ରାଜୁଡ଼ା ଶାସନ ନା ମେରିରାୟ ?...ମନ ହେଲା ତ ଆସ–ଆସ । ପୁଣି ମନକୁ ନ ପାଇଲା ତ ଚାଲିଯାଅ....ଏଇ ଅଧିକାର ଏଇ ଟୋକି ହଳକ ପାଇଲେ କୁଆଡ଼ୁ ? ସେମାନେ ଅଲବତ ଯିବେ ।

 

ମେଳା ମହୋତ୍ସବ ହେଲେ ଦେଖିବାକୁ ଯେମିତି ସମସ୍ତେ ବ୍ୟସ୍ତ, ସେଦିନ ସକାଳେ ମେସ୍‌ରେ ବି ଠିକ୍‌ ସେଇ ଅବସ୍ଥା । ଯେଉଁଗୁଡ଼ାକ ବାଜେ ମାର୍କା–ତାଙ୍କର ମନକଥାକୁ ସେମାନେ ଈର୍ଷା ଘୃଣା ଆଦିର ରଙ୍ଗ ବୋଲି ରହିଥା’ନ୍ତୁ ଘରେ । ଅନ୍ୟମାନେ ଯିବେ ।

 

–କୁଆଡ଼େ ଚାଲିବା ହେଲେ ବାବୁମାନେ ?

 

–ତଦାରଖ କାମରେ । ସେଠି ତମେ ଦି’ଜଣ ସ୍କୁଲ କି ତାମସା କ’ଣ ଖୋଲିଛ ଦେଖିବାକୁ ଯାଉଛୁ । ଦରକାର ହେଲେ ତାଗିଦ୍‌ କରିବାକୁ ଯେ ଏଇମାନେ ତିନିପତିଆ ଖେଳ ଖେଳି ସବୁ ନେଇ ଉଭେଇ ଯିବେ ।

 

–ହଁ, ଯାଅ । ସେଠିତ ଚାଲିଛି କାର୍ଣ୍ଣିଭାଲ । ହରେକ୍ ରକମର ଖେଳ ଚାଲିଛି । ଇଚ୍ଛା ହେଲେ ପଇସା ଦେଇ ଯେଉଁ ଖେଳ ମନକୁ ପାଉଛି ଖେଳିପାର । କିନ୍ତୁ ପଇସା ଦେବାକୁ ପଡ଼ିବ ।

–ଆହାରେ ଯୁଆଡ଼ି ବୀରମାନେ ! କେତେ ଦେଲଣି ? ଖାଲି ଯାହା ଜୁଆନ୍ ନୁହଁ । ନଇଲେ ଯୁଆ କେତେ ହେଇ ଯାଆନ୍ତାଣି ।

–କିଏ କହିଲା ? ତମର ସାଠିଫିକେଟ୍‌ରେ କ’ଣ ମିଳିବ ଆମକୁ ? ଆମର ଆଉ ମାଷ୍ଟର ସାଜିବାକୁ ଇଚ୍ଛା ନାହିଁ । ଚାଲ ତମେ ପଢ଼ାଇବା ।

–ବେଶ୍‌ ଭଲ କଥା ।

ଆଗ ପଛ ହେଇ ସମସ୍ତେ ଗଲେ । ଗଜେନ୍ଦ୍ର ଆଉ ସୀମାଦ୍ରି ଟିକିଏ ପଛକୁ ରହିଲେ...ଏମାନଙ୍କ ସାଙ୍ଗରେ ଯାଇ ପହୁଞ୍ଚିଲେ ଏମାନଙ୍କ ବିଷୟରେ ଖରାପ ଧାରଣା କରିବେ ସେମାନେ ।

ଏମାନଙ୍କୁ ଦୁଆରେ ଦେଖି ସୁତପା କହିଲା–ମୁଁ କାଲି ବସି ମିଛରେ ଭାବୁଥିଲି...କଥା କ’ଣ କି ମୁଁ ନିଜକୁ କହୁଥିଲି ଏମାନେ ଏତେ ଦୂର ଆସିବେ କାହିଁକି ? ଆମେ ଉଠିଯିବା ମେସ୍‌କୁ ।

–ଭାରି ବଢ଼ିଆ ହୁଅନ୍ତା, ନୂଆବୋଉ । ରମେଶ ତା’କୁ ମନେ ପକାଇ ଦବାକୁ କହିଲା, ତାସ ମୁଠାଟା ଫିମ୍ପି ମାରିଯିବ । ସମସ୍ତେ ଆସନ୍ତ କି ?

–ତେବେ ଅଡ଼ୁଆ ହେଉଛି ଏତିକି, ଯେ ଏଇଟା କଳିଯୁଗ । ଦ୍ଵାପର ଯୁଗରେ ସିନା ପୁରୁଷ ସ୍ତ୍ରୀ ଗୋଠ ବାନ୍ଧି ବଣ ପାହାଡ଼ରେ ଡେରା ପକାଇ ରହୁଥିଲେ । ଖୁଣିବାକୁ କେହି ନ ଥିଲା...ଏବେ ମେସ୍‌ ଭିତରେ ଆମେ ଯାଇ ପହୁଞ୍ଚିଲେ ସାଇବାଲା ଆଗ ଆସି ତଦାରଖ କରିବେ ।

 

–କାହାର ଏମିତି ସାହାସ ଅଛି ଯେ ଆମ କାମକୁ ତନଖି କରିବ ?

 

–ଅଛି ସାଇଭାଇଙ୍କର । ସେମାନଙ୍କର ମତ ସପକ୍ଷରେ ନଚାଲିଲେ ରହି ହବ ନାହିଁ । ଗାଁର ସାଇଭାଇ ହେଲେ ଘିଅଖିଆ କୁଟୁମ୍ବ ନହେଲେ ମାହାର୍ଦ ଦିଆ ବନ୍ଧୁ ନଇଲେ ଲେଖା ଯୋଖା ସମ୍ବଦ୍ଧ । ଏଠି ସହରରେ ମେସ୍‌ବାଲା ହେଲେ ଉଡ଼ା କାଉ ଆଉ ସାଇ ଭାଇ ହେଲେ ଅସଲ ବାସିନ୍ଦା ।

 

–ଯିବ ନାହିଁ ତ । ସେଇଆ ନ କହି କଥାକୁ ବୁଲାଉଛ ଏଣେ ତେଣେ ।

 

–ଛାଡ଼ । ଆଜି ସକାଳୁ ଆସି ପାଦଧୂଳି ଦେଲେଣି ରମେଶ ବାବୁ । ଆଣ୍ ଲୋ କନକ ପାଣି ଢାଳ ଆଉ ପିଢ଼ା...

 

–ଆମେ ଆସିଛୁ ପାଠ ପଢ଼ା ଦେଖିବାକୁ ....ପାଣି ଢାଳ ଦରକାର କ’ଣ ?

 

–ସତେ ନା ? ଏମିତି ଆମକୁ ଦେଖିବାକୁ ଆସିଥିଲେ । ଏବେ ଆସିଲେ ପାଠ ପଢ଼ା ଦେଖିବାକୁ । ଆମର ସବୁ କାମ ଗୋଟି ଗୋଟି ହୋଇ ତଦାରଖ ଚାଲିଲେ ମେସ୍‌ ବନ୍ଧୁମାନେ ସାଇବାଲାଙ୍କୁ ଟପିଯିବେ...ଆଚ୍ଛା ଆମର କ’ଣ ଦୋଷ ହେଲା କି ? ...ହେଇ ତ ପଛରେ ଦି’ବନ୍ଧୁ ଆସିଲେଣି ।

 

–ହଁ, ପରା । ଆମର ଉଚ୍ଛୁର ହେଇଗଲା ପାନ କିଣିବାକୁ । ପାନ ଖଣ୍ଡେ ଖାଅ ନୂଆବୋଉ ।...ସାଧା କଡ଼ା ଦି’ରକମ ଆଣିଛୁ । ନିଶ୍ଚେଁ ଖାଇବାକୁ ହେବ ।

 

–ପଚାରିବାକୁ ଅଛି ଏ କଥା । ଏଠି ଭଲ ପାନ ମିଳୁନାହିଁ ବେଲି ସେଇଆଡ଼କୁ ମନ ଦେଉନଥିଲି....ବଜାର ପାନ ତ ।

 

–ଯାହା ଜଣାଯାଉଛି ନୂଆବୋଉ, ତମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର “ବଜାର ବୋଲି” ବହି ପଢ଼ିଛ । ନ ହେଲେ ଏମିତି ପାନ କଥା ପଡ଼ିଲାରୁ ବଜାର କଥା ମନେ ପଡ଼ିଲା କେମିତି ?

 

ନରହରି ବିରକ୍ତ ହୋଇ କହିଲେ–ଭଦ୍ରଲୋକଙ୍କ ଘରେ କେମିତି କ’ଣ କଥା କହିବାକୁ ହୁଏ ସେତକ ବୋଧହୁଏ ଶିଖା ହୋଇ ପାରିବ ନାହିଁ ।

 

–ନାହିଁ । ଦରକାର ନାହିଁ । ନୂଆବୋଉ ଆମକୁ ବଳ ଦେଇ କହିଛନ୍ତି–ଯାହା ମନକୁ ଆସିବ ସେତକ କହିବ–କରିବ ।

 

–ଆଃ, ଭାରି ମଉଜ ତ । ମାଙ୍କଡ଼ଙ୍କୁ ଶାଳଗ୍ରାମ ଦେଲେ ସେ ସାଙ୍ଗେ ସାଙ୍ଗେ ଉପେନ୍ଦ୍ର ଭଞ୍ଜଙ୍କର ଲାଇନ୍ ଧରି ପକାଉଛନ୍ତି । ...ଉପେନ୍ଦ୍ର ଥିଲେ ରାଜାପୁଅ । ଆଉ ଏମାନେ ହେଲେ କଟୁଆଳ ପୁଅ...

 

–ହଉ ରଖି ଦିଅମ । ଯାହା ପାଠ ପଢ଼ାଉଥିବ ତମର ଦି’ପଦ କଥାରୁ ଭଲ ବୁଝା ପଡ଼ୁଛି-। ପିଲାଙ୍କର ଭୁଲଭଟକା ଇଏ କୁଆଡ଼େ ସୁଧାରିବେ ? ...ଆମ ନୂଆବୋଉଙ୍କୁ ମାଷ୍ଟ୍ର ମିଳୁ ନ ଥିଲା ପରି ମାଗଣାକୁ ମହରଗ ।

 

–ଆଉ କ’ଣ ? ....ତମ ପରି କମଳା ବାଲି, ତାମ୍ବୁଳି ବନିତା ଆଉ ଗୁଡ଼ିଆ ଘର ବୋହୁଙ୍କୁ ସକାଳ ପହରରେ ଘୋଷି ହେବା ଭାରି ଭଲ ।

 

ସୁତପା ଓ କନକ ବୁଝିପାରିଲେ ନାହିଁ । କି ବହି ? ବଜାର ବୋଲି–ସେଥିରେ ଆଖି ନାଲି ମାରୁଛି କାହିଁକି ? ...ସୁତପା କହିଲା–ଛପା ବହିରେ କଳି । ଖଣ୍ଡେ ଆଣିଲେ ନାହିଁ ସାର୍‌ ।

 

ନରହରିଙ୍କର ମୁହଁ ଚହଟି ଯାଉଥିଲା–କେଡ଼େ ଓଲମୀ ହେଲେଣି ଏଇ ମାଇକିନିଆମାନେ । କିଛି ଜାଣିବେ ନାହିଁ । କାହାକୁ ଚିହ୍ନିବେ ନାହିଁ । ଆଉ ହାଟ ବଜାର ଭିତରେ ବସି ଫରମାସ୍ କାଢ଼ିବେ କ’ଣ ନା–ଆମ ପାଇଁ ବଜାର ବୋଲି ଦରକାର ।

 

–ଆମେ ଆଣିଦବା । ଅଧ୍ୟାପକ ଟୀକା ଲେଖିଛନ୍ତି । ...କଥା ହେଲା ଯେ ଏହାର ଗୋଟାଏ ସାଧା ଅର୍ଥ । ଆଉ ଗୋଟିଏ ଭିତିରିଆ ଅର୍ଥ–କବି ସମ୍ରାଟଙ୍କର ଲେଖା ନା...

 

–ହଉ ଛାଡ଼ । ଯିଏ ଯେଉଁ ବାଟରେ ଯିବା କଥା ଯିବେ । ନରହରି କ’ଣ ସବୁରି ଅବଧାନ ନା ସମସ୍ତେ ନରହରିର ଚାଟ...

 

...ହସର ଢେଉ ଭାଙ୍ଗି ପଡ଼ୁଥିଲା । ଏଡ଼େ ସୁନ୍ଦର ସାହିତ୍ୟ ବିଷୟରେ ଯଦି ଯୁବତୀ ତରୁଣୀ ମୂର୍ଖ ରହିବେ ତେବେ ସଂସାରଟା ହେଇଯିବ ଠାଉ ଠାଉ ବାଲି....ଏବେ ଯାହା ହେଇଛି ।

 

–ବୋଧହୁଏ ବହିରେ କିଛି ଏମିତି କଥା ରହିଛି ଯାହାକୁ ଆମେ ପଢ଼ିବା ମନା । ସେଥିପାଇଁ ସାର୍‌ ରାଗ କାଲେ ।

 

–ହଁ ପରା । ଏଇ ମେସ୍‌ ବାଳୁଙ୍ଗାଙ୍କୁ କ’ଣ କିଛି ଜଣା ପଡ଼ୁଛି । ଯେତେ ଖରାପ କଥା ସେତକ ଭାବିବେ ଆଉ ହେଁ ହେଁ ହେବେ । କ’ଣ ନା ଭଦ୍ରଲୋକ ।

 

–ଆଉ କ’ଣ ନରହରି ସାହେବଙ୍କ ପରି ପେଟରେ ପେଟେ ମଇଳା ବୋଝେଇ କରି ଉପରେ ମଠା ଚଢ଼ାଇବେ...ମୁନସିପାଲଟିକୁ ଲେଖିଦବା । ଯେ ଏଣିକି ମଇଳାବୁହା ଗାଡ଼ିରେ ପାଟକନା ଢାଙ୍କୁଣି ଦିଆଯିବ ।

 

ରାଗ କ୍ରୋଧ ଉଣା କରିବାକୁ ସୁତପା ହସି ଉଠିଗଲା । କହିଗଲା–ଚା’ ତିଆରି ହେବ । ପାଠପଢ଼ା ପାଗ ବିଗିଡ଼ି ଗଲାଣି । କଥାରେ କଥା ବାଜି ଘରଟା ବି ଗରମ ଲାଗିଲାଣି । ଖରାପ କଥା ଭାରି ଖରାପ ।

 

ଗଜେନ୍ଦ୍ର କହିଲା–ଖରାପ ରହିବ ପେଟ ଭିତରେ ଆଉ ମନ ଭିତରେ ଠିକ୍‌ ବାନ୍ତି, ହାକୁଟି, ମଇଳା ପରି । ଉପରେ ରହିବ ଫୁଲ, ଅତର ଆଉ ପାଟପତନି ।

 

ରୋଷେଇ ଘରକୁ ପଶି ଯାଉ ଯାଉ ସୁତପା କନକକୁ ଶୁଣାଇଲା ପରି କହିଲା–ସାବଧାନ ରହିବୁ କନକ । ଖରାପ କଥା ଶୁଣିବୁ ନାହିଁ । ଦେଖିବୁ ନାହିଁ କି କହିବୁ ନାହିଁ ।

 

କନକ ୟାକୁ ମଉଜ କଥା ଭାବି ହସି ପକାଇଲ । କ’ଣ ପଦେ କହିବ ବେଲି ପଚାରିଲା–ତେବେ ସେଇ ଖରାପ କଥା ଗୁଡ଼ାକ ଜାଣିବ କିଏ ?

 

–ଜାଣିବେ ବୁଦ୍ଧିଆ ମଣିଷ, ବଡ଼ ମଣିଷ, ଗୁରୁଜନ ଆଉ ଯାହାର ବୟସ ଅଧିକ । ପିଲାଙ୍କୁ ସବୁଆଡ଼ ମନା ।

 

ଅନ୍ୟମାନେ ନରହରିକୁ କହୁଥାନ୍ତି–ଏମିତି ପିଲାଙ୍କୁ ଚାରିଆଡ଼ୁ ଜଗିରଖି ସଜାଡ଼ୁ ସଜାଡ଼ୁ ସେମାନେ ପୁରା ବିଗିଡ଼ା ଧରି ରାସ୍ତାରେ ସିନେମା ଗୀତା ଅହର୍ନିଶି ଶୁଣିବାକୁ ଖୋଜିଲେଣି–କାହାର କଣ୍ଠରୁ ନ ହେଲେ ଟ୍ରାଞ୍ଜିଷ୍ଟର ଭିତରୁ । ସଂସାର ଚାଲିବ ତ ?

 

–ଯାହା ଚାଲିବ ବୁଝା ପଡ଼ୁନାହିଁ କି ? ଆମେ ଦଳେ ଭଦ୍ରଲୋକ ଗୋଟିଏ ଭଦ୍ର ପରିବାରରେ ସକାଳୁ ଯେମିତି ହଉଛୁ ସେଥିରୁ ଜଣା ପଡ଼ୁଛି ଷୋଳ ଅଣା ।

 

ସୀମାଦ୍ରି ଓ ରମେଶ ରହସ୍ୟ କରି ଭବିଷ୍ୟତ୍‌ବାଣୀ କଲେ–ଏଇ ସୃଷ୍ଟି ଏଥର ଲୋପ ପାଇଯିବ । ଆଉ ଘର ରହିବ ନାହିଁ । ଘରଗୁଡ଼ାକ କୁଢ଼େଇ ହେଇ ପଡ଼ିବ ରାସ୍ତା ଉପରେ । ଘରୁଆମାନେ ଦାଣ୍ଡରେ ଠିଆ ହେଇଥିବ ।

 

ଘରର ମାଲିକ ଅଭିନ୍ନବାବୁ....କହିଲେ–ମଣିଷ ନିଜର ବଳ ବୟସ ଆଉ ରୁଚି ନେଇ ଭଲ ଆଉ ଖରାପ ହୁଏ । ଖରାପ ବହି ପଢ଼ିଲେ କି ଖରାପ କଥା ଶୁଣିଲେ କେହି ଖରାପ ହୁଏ ନାହିଁ ।

 

ଦେବାଶିଷ ହସି ନରହରିଙ୍କୁ କହିଲା–ଶୁଣିଲ ଏଥର ।...ଖରାପ ତୁ ହେଲୁ ରେ ।

 

ଅନ୍ୟମାନେ ହସି କହିଲେ–ଖରାପ ହେଲେ ସଂସାର ଉଠେ । ଖରାପ ଲୋକ ବଡ଼ ହୁଏ । ଯାହାର ତେଜ ଓଜ ଅଛି ସେହି ଖରାପ ହୁଏ । ଖରାପ କେବଳ ଭଲ ହୁଏ । ଯେମିତି ଦେଖିଥିବ ସଁବାଳୁଆରୁ ହୁଅନ୍ତି ରଙ୍ଗୀନ ପ୍ରଜାପତି ।....ନ ହେଲେ ବାଳୁଙ୍ଗା, ଭାଣ୍ଡ, ଭାଟ, ଏମିତି ଦୁନିଆଟାରେ ସାଲୁବାଲୁ ହେଉଥାନ୍ତେ କେମିତି ?

 

ସମସ୍ତେ ଖରାପ । ସମସ୍ତେ ବି ଭଲ । ଯିଏ ଖରାପକୁ ଭଲ ବେଲି ବୁଝିଲା ତାହାପାଇଁ ଖରାପଟା ଭଲ । ଆଉ ଯିଏ ଭଲକୁ ଖରାପ ପାଇଲା ତାହା ପାଇଁ ଭଲଟା ବି ଖରାପ ।

 

–ହଁ ମ । ପରିଶ୍ରାଖାନାରେ ନାଙ୍ଗୁଡ଼ା ପୋକ ଜନ୍ମ ହୋଇ ବଢ଼ି ମଜ୍ଜା କରୁଥାଏ । କଡ଼ା ପରିଶ୍ରା ନ ମିଳିଲେ ସିଏ ଅବା ଆସିବ କୁଆଡ଼ୁ ?

 

–ହେଲା ଯେ । ଏକଦମ୍ ଖରାପ ଭିତରେ ଇଶ୍ଵର ଅତି ସୁନ୍ଦର ସୃଷ୍ଟି ଥୋଇଛନ୍ତି ଖାଲି ତମ ଆମ ପରି ଅଧାଜ୍ଞାନୀଙ୍କୁ ଦେଖାଇବା ପାଇଁ ଯେ ତାଙ୍କ ପାଖରେ ଭଲଖରାପ ବୋଲି କିଛି କଥା ନାହିଁ ।

 

ସୁତପା ଓ କନକ ଚା’ ଆଣି ଠିଆ ହେଲେ । ସମସ୍ତେ ଚାହିଁଥିଲେ ସେଇ ଦୁଇଜଣ ତରୁଣୀଙ୍କୁ । ଏତେ ପରିଶ୍ରମରେ ଯେଉଁ ଧାରୁଆ ଯୁକ୍ତିତର୍କ କରା ହେଉଥିଲା ସେତକ କାହା ମନକୁ କେମିତି ପାଇଛି ।

 

ସୁତପା ଓଠ କଣରେ ହସି ସୀମାଦ୍ରି ରମେଶ ଓ ଗଜେନ୍ଦ୍ରଙ୍କ ଆଡ଼େ ଚାହିଁ କହିଲା–କୁଆଡ଼େ ଆସିଥିଲେ କେଜାଣି ? ଏଠି ଗଣ୍ଡଗୋଳ ଭିତରେ ପଡ଼ିଗଲେ ।

 

–ହଁ ପରା । କାଦୁଅକୁ ଖରାପ କହିବ କି ନାହିଁ ? ମଇଳାଙ୍କୁ ଘୃଣା କରିବ କି ନାହିଁ ? ଏଇ ତତ୍ତ୍ୱ ପଡ଼ୁଥିଲା ।

 

–କ’ଣ ଛିଣ୍ଡିଲା ?

 

–ଛିଣ୍ଡିଲା ପରା ଖରାପକୁ ବର୍ଜନ କର ।

 

–ତେବେ ସଂସାର ରହିବ ତ ?

 

–କୁହନ୍ତୁ ସାର୍‌ମାନେ, ସୁତପା ଦେବୀଙ୍କର ପ୍ରଶ୍ନର ଉତ୍ତର ।

 

–କ’ଣ ଆଉ ଉତ୍ତର ସାର୍‌ମାନେ ଦେବେ ? ମଣିଷର ମନକଥା ଆଉ ଗୁମର କଥା ହେଲା ଯେ ସେ ହବ ଖରାପ ଓ ହାଡ଼େ ହାଡ଼େ ବଦ୍‌ମାସ । ଏଣେ ଲୋକେ ତା’କୁ ବୋଲିବେ ସାଧୁ ଆଉ ଭଲ । ଏତକ ହେଇ ନ ପାରିଲେ ସେ ବିଗିଡ଼ି ଯିବ ।

 

–କି, ବାବୁମାନେ, ଏଥର ଅଣ୍ଟିଲାତ । ନିଜେ ଜଜ୍‌ସାହେବ ରାୟ ଦେଲେଣି ।

 

–ଆମର ମତାମତ ଦରକାର ଥିଲେ ତମପରି ଯାଇ ଜଜ୍ ସାହେବଙ୍କ ମୁହଁରୁ ରାୟ ଶୁଣୁ ନାହିଁ । ନିଜେ ନିଜର ମତାମତ ଠିକ୍‌ କରୁ । ଏମିତି ପଞ୍ଚାୟତ କି ହାକିମ–ମାଗୁଣି ଲୋଡ଼ୁ ନାହିଁ ।

 

ସୁତପା ସେମିତି ହସି କହିଲା–ଠାକୁରମାନେ ଏଡ଼େ ହୁନ୍ଦରିଆ ଯେ ଲୋଭୀ, କପଟୀ, ଲମ୍ପଟି, ବିଟପି ସବୁପ୍ରକାର ଲୋକଙ୍କୁ ବିଚାରକ କରି ତାଙ୍କରି କଲମଗାରରେ ମଣିଷର ଭାଗ୍ୟକୁ ଆଙ୍କି ଦେଇଯାନ୍ତି । କେଉଁ କଳା ନାହିଁ ବିଚାରପତିଙ୍କର ମୁଖମଣ୍ଡଳ ଆଉ ହୃଦୟ କନ୍ଦରରେ ?

–ସତେ ତ । ଭଲ ଖରାପର ବିଚାରପତି ହେଲେ ସାହିର ବୁଢ଼ାବୁଢ଼ୀ । ଦପ୍ତରଖାନାର ମନ୍ତ୍ରୀ ସେକ୍ରେଟେରୀ, ଆଉ ମିସଲର କୁରୁଚିବାଲା....ଆଉ ଶିକ୍ଷକ ପରୀକ୍ଷକ । ଯେମିତି ଆମର ସାର୍‌ ନରହରି ଆଉ ସାର୍‌ ଦେବାଶିଷ ।

ହସ ଭାଙ୍ଗିପଡ଼ିଲା ସେଇ ଘରର ଛାତ ତଳେ । ସଂସାରଟା ଏମିତି ଖାଲି ଭେଳିକି । ଯିଏ ଆଗ ପାଇଗଲା ସିଏ ସାଙ୍ଗେ ସାଙ୍ଗେ ବକ୍ତୃତା ଦେବା ଆରମ୍ଭ କଲା–ଭାଇମାନେ ପରଜିନିଷକୁ ଆଖି ଦିଅ ନାହିଁ । ନ୍ୟାୟକୁ ବଞ୍ଚେଇ ରଖ ।

ସୁତପା କହିଲା–ଚାଲ୍ ଆମର ଯିବା । ଏଠି ବଡ଼ ବଡ଼ କଥା ପଡ଼ିଲାଣି । ମଣିଷ ମାଛ ଖାଇବ ନାହିଁ । ଛେଳିକୁ ହାଣିବ ନାହିଁ । ମିଛ କହିବ ନାହିଁ । ଲୋଭ କରିବ ନାହିଁ । ଚୋରିନାରୀ କରିବ ନାହିଁ ।

ଚୁପ୍ କରି କନକ ପଚାରିଲା–ଆଉ କ’ଣ କରିବ ?

–କରିବ ଠାକୁରଙ୍କର ନାମ । ତୁଣ୍ଡରେ ଥିବା ନାମ ଆଉ ହୃଦରେ ଥିବ କାମ । ଏଣେ ଦେହରେ ଚାଲିଥିବା ଅସଂଖ୍ୟ କାମନାର ଲହରୀ । ସମୁଦ୍ରର ଗର୍ଜନ ପରି ।

–ଓଃ, ଶୁଣିଥିବ ସତେ ଯେମିତି ।

 

–ଶୁଣି ନଥିଲେ ବିଶିଆଙ୍ଗୁଠିରେ ଦି’କାନ ବନ୍ଦ କରି ଦେଖିଲେ ବେଶ୍ ଗର୍ଜନ ଶୁଣିହେବ-। ସୁତପାକୁ ଯେମିତି ଶୁଭିବ ଅନ୍ୟମାନଙ୍କୁ ବି ସେମିତି....ସମସ୍ତେ ଯେ ଯାହା ହାତରେ ଚଉଦପା-

 

–ଲଙ୍କାରୁ ଯେତକ ଜାତ ସମସ୍ତେ ବାଆନ ହାତ ।

 

–ହଁ, ମଣିଷ ସମସ୍ତେ ସମାନ । ମଣିଷ ଆଉ ପଶୁ ବି ସମାନ । ...ଚାଲ ଯିବା ଏଥର । ମେସ୍‌ ରାନ୍ଧୁଣିଆ ଆଉ ଅଫିସର ଚଉକିଆ ମାନେ ପକାଇବେଣି ଘଡ଼ିରେ କେଇଟା ବାଜିଲା ।

 

ଜଣେ ଅଧେ ଭାବିଲେ ଖାତିରି ନାହିଁ ସେମାନଙ୍କର–ଆଗ ମଉଜ ମଜଲିସ ପରେ କାମ-

 

–ହଉ ଚାଲ । ମଜଲିସ୍‌ମାନେ ଚାଲିଗଲେଣି ଅଭିନ୍ନବାବୁଙ୍କ ପାଇଁ ରାନ୍ଧିବାକୁ । ମଉଜମାନେ ଏଥର ଚାଲନ୍ତୁ ଦାଣ୍ଡେ ଦାଣ୍ଡେ ।

 

ବାଟରେ ଆଉ କଥା ନାହିଁ । ସବୁ ଯେମିତି ରହିଲେ ଅଭିନ୍ନବାବୁଙ୍କ ଘରେ । ସମସ୍ତେ ଭାବୁଥିଲେ–ଏଇ ଦଳକ ଯେମିତି ସବୁଠାରେ ମାଛହାଟ ଆରମ୍ଭ କରୁଛନ୍ତି ସେଥିରେ ଭଦ୍ରଲୋକର ଇଜ୍ଜତ ରହିପାରିବ ନାହିଁ ।

 

ଯେତେ ମନ ବିଶିକି ଗଲେ ବି ମଣିଷକୁ ମଣିଷ ସାଙ୍ଗରେ ଅଲବତ ରହିବାକୁ ପଡ଼ିବ । ରହିଲେ ଦିଆନିଆ, କଥା ଭାଷାର ବେଭାର ରଖିବାକୁ ହବ ।

 

ନରହରିବାବୁ ବ୍ୟସ୍ତ ହେଲା ପରି କହିଲେ–ମୋର ସାଇକଲରେ ପମ୍ପ କମିଗଲାଣି ।

 

–ଯିବା କଥା । ବଜାର ପଡ଼ିଲାଣି । ବହି କିଣିବାକୁ ଯିବ । ଭାବୁଥିବ ଯେ ଚାରି ଆଠ ଅଣାର ବହିଟି ଥୋଇ ଦେଲେ ମନଟା କିଣି ହେଇ ଯିବ ।

 

–ଯାଃ ।

 

–ଏବେ ପରା ମନ ଭାରି ଛୋଟିଆ ହୋଇ ଛୁଞ୍ଚିମୁନ ପ୍ରମାଣ ହେଇଗଲାଣି । ମନକୁ କିଣିବ କ’ଣ ?

 

–ଆଉ ?

 

–ଦେହକୁ କିଣ ? କପାସିଆଁ ଲୁଗା ଛ’ ମାସିଆ । ଚମଗଢ଼ା ମଣିଷ ଦେହ ହେଇଗଲେ ହେବ ଛ’ବରଷିଆ ଅବା ବାରବରଷିଆ । ମନକୁ ନେଇ କ’ଣ କରିବ ?

 

–ପରନିନ୍ଦା ପରଚର୍ଚ୍ଚା ପରକୁତ୍ସା ନ କଲେ ତୁମକୁ ବଂଧୁ ବୋଲି କହିବ କିଏ ?

 

–ଆରେ ରଖିଦିଅ । ଗୋଟାଏ ଲୋକ କାଢ଼ିଲ ଲାଟଠାରୁ ଆରମ୍ଭ କରି ପିଅନ୍‌ ଯାଏ । ମନ୍ତ୍ରୀଠାରୁ ଭିକାରିଯାଏ କିଏ ଗୋଟାଏ ପରନିନ୍ଦା ପରଚର୍ଚ୍ଚା ପରକୁତ୍ସାକୁ ପାଇଲେ ଆମ୍ବୁଲ ଆଚାର ଦେଖିଲା ପରି ପାଟିକୁ ନାଳାଏ ନାହିଁ ?

 

–ଇଏ ତେବେ କ’ଣ ଅତିଥି ହେବାର ଦାନ ?

 

–ହେ ଗୁଣୀ ମହାରାଜ । ପରନିନ୍ଦା ଆଉ ପରକୁତ୍ସା ହେଉଛି ମଣିଷ ସମାଜର ଡାଲିଭାତ । ଏତକ ନ ଥିଲେ ସମାଜ ଭୁସୁଡ଼ି ପଡ଼ିବ । ପରଧନ ଓ ପରମନକୁ ପର କରି ଦେଲେ ନିଜେ ହୋଇଯିବ ମାଗନ୍ତା ଆଉ ଡାହାଣା । କେହି ପଚାରିବେ ନାହିଁ ।

 

–ଓଃ, ରେ ତତ୍ତ୍ୱ ?

 

–ଆମକୁ ଗାଳି ଦେଲେ ଲାଭ ନାହିଁ । ମନ କିଣିବାକୁ ମାଷ୍ଟର ସାଜିଛ । ମନକୁ କିଣି ନ ପାରିଲେ ନିଜେ ବିକି ହେଇଯିବ ଆଉ ହବ ବୋଲକରା ଚାକର ।

 

–କ’ଣ ଏଇ ସାର୍‌ମାନେ ସେମିତି ହେବେ ?

 

–ବୁଦ୍ଧିଆ ସାର୍‌ମାନେ ସେମିତି ହୁଅନ୍ତି । ଶିକାର କରିବାକୁ ଯାଇ ନିଜେ ଶିକାର ହେଇଯାନ୍ତି ।...ଏଇଟା ପରା ସଂସାର । ....ମାଛ ଖାଏ ବନସୀ ଥୋପର ମାଛକୁ । ସେଇଠୁ ଚାଲେ ଚୁଲିଆଡ଼େ ହେଇ ଶେଷରେ ଆମ ପାଟି ଭିତରକୁ ।

 

–ତେବେ ଘର ଭାଙ୍ଗିଲା ଆମର ମାଷ୍ଟର ସାହେବ ମାନଙ୍କର ।

 

–ହଁ ତ । ଘର ଭାଙ୍ଗିଗଲେ ସିନା ଘର ତୋଳିବେ । ଘର ଉପରେ ଘର ଠିଆ ହେବ କେମିତି ?

 

ମିଛ କଥା । ମଣିଷ ଥରେ ତା’ର ଘରକୁ ଭାଙ୍ଗିଲେ ଆଉ ଥରେ ଗଢ଼ି ପାରିବ ନାହିଁ । ...ବେପାର ହୁଡ଼ିଲେ ପୁରୁଷେ । ଘର ଭାଙ୍ଗିଦେଲେ ବି ସେଇ ପୁରୁଷେ...

 

କଥା ଅଛି ପରା–

 

କାଖ ଟେକି ଟେକି ନାଚଲୋ ସହି

ଯାହାକୁ ଯେମିତି ସାଜେ ।

–ନାହିଁମ । ସେମିତି ନୁହେଁ–

କାଖ ଟେକି ଟେକି ନାଚ୍ ଲୋ ସହି

ଯାହାକୁ ଯେତିକି ସଜ ।

 

ରମେଶ ଘୁଞ୍ଚି ଆସିଲା ଦେବାଶିଷ ପାଖକୁ–କ’ଣ ଆଜି ସକାଳୁ ଏକାବେଳେକେ ତୁଣ୍ଡି ବନ୍ଧା ହୋଇ ଯାଇଛି । ମନକୁ ବୋଧ ହୁଏ ପାଉ ନାହିଁ ...

 

କମଳା ପସରା–ବାଳୀକି କେ ପୁଚ୍ଛେ

ତୋ କମଳା ଯୋଡ଼ି କେତେ ?

ଦେଖାଅ ଦେଖିବା ମୂଲ୍ୟ ହିଁ କରିବା

କହିଦିଅ ନେବୁ କେତେ ?

 

–ଇସ୍ । କ’ଣ ଗୁଡ଼ାଏ କହ ଯେ ।

 

–ଆରେ, ବାବୁ, ଫଳଫୁଲରୀ ହେଲା ଏ ଯୁଗର ଆମଦାନି । ଧାନ ରବି ରହିଲେଣି କୁଆଡ଼େ । ଏବେ ପରା ଚାଷ ହେଲା ଫୁଲ ଆଉ ଫଳ । ନ ହେଲେ କି ଉପେନ୍ଦ୍ର ଭଞ୍ଜ ?

 

–ହଉ ଭାଇ । ଥାଉ । ସଂସାର ଚାଲିବ ନାହିଁ କାହାକୁ ଏକ ଘରିଆ କଲେ । ଆଉ ସମସ୍ତଙ୍କୁ ନରହରି ଗୋସେଇଁ ପରି ଏକଘରିଆ କଲେ ନିଜେ ହେଇଯିବା ଏକବାଡ଼ିଆ–ଏକ ଘରିଆ । ତେବେ...

 

–ଖରାପ ଲୋକଙ୍କୁ ନେଇ ଯିଏ ଜୀବନ ବିତାଇପାରେ ସେହି ଭାଇ, ମଣିଷ । ଥୋଡ଼ାଏ ଭୋଗ ହୋଇଗଲେ ଅତି ଖରାପ ବି ଭଲ ହେବାକୁ ଆରମ୍ଭ କରେ । ତେବେ ଗୁରୁ ଶିଷ୍ୟ ସମାଚାର କ’ଣ ?

 

–ଯୋଡ଼ି ନାଗରା ଭିତରେ ମତେ ଡର ଲାଗିଲାଣି କେତେବେଳେ କାନ୍ଥବାଡ଼ରେ କିଏ କ’ଣ ଲେଖିଦବ । ଝିମିଟି ଖେଳରୁ ମହାଭାରତ ଆରମ୍ଭ ହୋଇଯିବ ।

 

ପାଖକୁ ଘୁଞ୍ଚିଆସି ବିଶ୍ଵାସ ଦେଖାଇ ପଚାରିଲା–ସତରେ କ’ଣ ନିଆଁ ଅଛି ନା ମିଛରେ ଧୂଆଁ ଉଠୁଛି ।

 

–କେଜାଣି ନିଆଁ ଥିଲେ ପାଉଁଶ ଦିଶେ । ସେଠି ନିଆଁ ଅଛି କି ପାଉଁଶ ଅଛି ନିଜେ ଦେଖି ଆସିଲ । ଧୂଆଁ କଥା ମୁଁ କେମିତି କହିବି ?

 

–କଥା କ’ଣ କି ? –ଜିହ୍ନା ଲଡ଼ବଡ଼ ନାହିଁ ସତୀ...ଆଉ ଯଦି ଅସତୀଟାଏ କେଉଁଠି ବାହାରିଲା ସେଥିରେ ବହୁତ ଭାଗୀଦାର, ଠିକ୍‌ କୋଠପୋଖରୀ ଅବା ଇଜିମାଲି ଆମ୍ବ ତୋଟା ପରି...ତମର ମତ କ’ଣ ?

–ମୋର, ଭାଇ, ମନ କହୁଛି ଯେ ଅଭିନ୍ନ ଭାରିଯା ଲୋକ ଭଲ ।

ସାତ ଚକଟା ପୋଳୁହ ଘଣ୍ଟା

ଚିଲ ପ୍ରସାଦରୁ ତ୍ରିଭୂବନ ଦେଖା

ଆରେ ନିକମା ଟୋକା

ମତେ ଦେଖାଉଛୁ ବନିଶି କଣ୍ଟା

–ତେବେ ସକାଳ ସଞ୍ଜରେ ଧାଉଁଛ ଯେ ?

ଆମର ଦୋଷ କ’ଣ ? ଏଇ ସଂସାରରେ ଏମିତି ଠାଏ ଠାଏ ମଣିଷ ଦେଖାଯାନ୍ତି । ସେମାନେ ଚୁମ୍ବକର ଶକ୍ତିରେ ଟାଣି ନିଅନ୍ତି–କେତେବେଳେ ସେଇଟା ବିପ୍ଳବ, ଅବା ରାଜନୀତି ଅବା ଦେଶସେବା ନ ହେଲେ ପରକୀୟା ପ୍ରୀତି....

ଚାଲି ଯାଉ ନାହଁ ?

ହୁଏ ନାହିଁ । ବିପଦ କାହା ସମ୍ପଦ କହ ଏମିତି ଘୋଷାଡ଼ି ନିଏ ତା’ରି ଅତଡ଼ା ଭିତରକୁ । ଏବେ ମୁଁ ବୁଝୁଛି ଯେ ୟା’କୁ କହିଥାଇ ଆକର୍ଷଣ, ମୋହ ଆଉ ମାୟା । ଏମାନଙ୍କର ଟାଣ ପାଣି ପବନର ପ୍ରଖରତାରେ ଟାଣି ନିଏ–ସେଇ ହେଉଛି ଦଇବ ।

 

ତମେ କ’ଣ ସେମାନଙ୍କୁ ମୋଟେ ଭଲ ପାଅ ନାହିଁ ?

 

କେବେ କ’ଣ ସେମାନେ ଧାପେ ସୁବିଧା ଦେଲେ ଯେ ମୁଁ ତୁମକୁ କହିବି ଭଲପାଇବାର ଅବା ଭଲ ନପାଇବାର ସମ୍ବାଦ । କଳକାରଖାନାର ଶବ୍ଦ ପରି କଥାଭାଷା ବହୁତ, ଥିଏଟର ଆଉ ଯାତ୍ରାର ଭଙ୍ଗୀରେ । ସେଥିରେ କ’ଣ କେହି କାହାକୁ ଭଲ ପାଇ ପାରିବ ?

 

–ଠକାଉଛ ? ନା...

 

ଖେଳ ପଡ଼ିଆର ଖେଳ–ଦେଖାଳି ପରି ମଣିଷ ଉଠପଡ଼ ହଉଛି । ଖେଳିବାର ପାଳି କିଏ କାହାକୁ ଦେଲା ? ଗହୀରା ପାଣିର ମାଛ ।

 

ତମେ ଅବା କଉ ଊଣା ଜାଲିଆ ?

 

ଇଛା ହେଲେ ନିଜକୁ ମପେଇ ନିଅ । ସବୁ ଜାଲ ସବୁ ଥୋପ ସବୁ ମାଛଙ୍କୁ ପାଏ ନାହିଁ-। ଯିଏ ଯେତିକିର ଲୋକ ସେ ସେତିକି ପାଇବ । ବାଘ ମଣିଷକୁ ମାରି ଖାଇପାରେ ବୋଲି କୁକୁଡ଼ା ବିଲେଇ କ’ଣ ଓଠ ଚାଟିଲେ ଖାଇଦେବେ ?

 

–ଭଲ ପାଉନାହଁ । ଏଣେ ଭଲ ପାଇବାକୁ ପାଇ ନାହଁ । ତେବେ ଏତେ ଘଟାଟୋପ କାହିଁକି ?

 

–ସରକାରୀ ଦପ୍ତରଖାନାରେ ଏତେ ତୁମ୍ବି ତୋଫାନ ଆମେ କରୁଥାଇଁ । ଗାଡ଼ି ପାୱାର ନେଉଛି କେତେ ତମେ କ’ଣ ଭୋଗୁ ନାହଁ ? ଦଦରା ଗାଡ଼ିପରି ହେଣ୍ଟାଳ ଗର୍ଜନ କରି ଘୁଷରୁଛି । ଆଉ କ’ଣ ଯେଉଠି ଯିଏ ଅଛନ୍ତି ଖାଲି ଆମକୁ ଦେଖିଦେଲେ ମାଡ଼ି ଆସିବେ ?

 

–ବୁଝାଗଲା । ଇଏ ହେଲା ଟଙ୍କିକିଆ ଲଟରୀ ଟିକଟ କିଣି ଲକ୍ଷେ ଟଙ୍କା ପ୍ରାଇଜ ପାଇବାର ଭାଗ୍ୟ ପରୀକ୍ଷା ।

 

–ଠିକ୍‌ କହିଲ ବାବୁ । ମତେ ପଇଟୁ ନଥିଲା । ଏଇ ସଂସାରରେ ମଣିଷ ତାହାର ଜୀବନକୁ ନେଇ ଏମିତି ଲଟରୀ ଟିକଟ ଖେଳେ । ଯିଏ ଯାହା ପାଏ ସେତକ ନେଇ ବଡ଼େଇ କରେ ଅବା ମୁହଁ ଲୁଚାଏ । ଇଏ ବି ସେହି ଲଟରୀ ପ୍ରାଇଜର ଗୋଟିଏ ଫାଳ ।

 

–ମୋର ତାସ ମୁଠାଟା, ଭାଇ ଫେରାଇ ଆଣିବ ।

 

–କାହିଁକି ? ଦେଲ ଯେବେ ନେବ ନାହିଁ । ଫେରାଇବା କଥା ଥିଲେ ଦେବ ନାହିଁ । ଦେଖୁନାହଁ ଇଶ୍ଵର ଯାହାକୁ ଯାହା ଦେଇଛନ୍ତି କେବେ କ’ଣ ଫେରାଇ ନେଇଛନ୍ତି ?

 

–ଆଉ ?

 

–କେବେ ନିଅନ୍ତି ନାହିଁ । ଶୂନକୁ ଅଙ୍କର ଡାହାଣରେ ଥୋଇ ଦେଇ ଦେଖାଇ ଦିଅନ୍ତୁ–ସୌଭାଗ୍ୟକୁ । ପୁଣି ସେମିତି ତାକୁ ଅଙ୍କର ବାଁ ପାଖକୁ ନେଇଯାଇ ବୁଝାଇ ଦିଅନ୍ତି–ଦୁର୍ଭାଗ୍ୟକୁ । ଯେଉଁ ଶୂନଟି ଥାଏ ସେଇ ଶୂନଟି ରହେ ।

 

ଆଗରୁ ପାଟି ଶୁଭିଲା–ଦେଖ ମ । ରମେଶ ବତି ପେଲୁଛି ଦେବାଶିଷର ।

 

–ସଂସାରଟା ହେଉଛି ମଣିଷଙ୍କର–ଆଉ ବତିପେଲାଙ୍କର । ତମେ ଜୀଇଁଥିଲେ ବଡ଼ କି ସାନ ଯାହା ହେଇଥାଅ ଯେମିତି ସେମିତି ଅଲବତ୍‌ କାହାରି ନା କାହାରି ବତି ପେଲିବ ।

 

ମଣିଷ ମାତ୍ରେ ହେଉଛି ବତିପେଲା ।

 

–ବାଃ, ବତି ପେଲା ଜିନ୍ଦାବାଦ୍‌ । ଏଥର ଆମର ମେସ୍‌ ନାଁ ‘ପାରିଜାତ ମେସ୍‌’ ବଦଳାଇ ‘ବତିପେଲା ମେସ୍‌’ ଲେଖିଦବା । ଯିଏ ଦେଖିବା, ଠିଆ ହେଇ ଚାହିଁବା ଆଉ ବୁଲି ବୁଲି ପ୍ରଚାର କରିବ । ସେଇଠୁ ଲୋକେ ଠେଲିପେଲି ହେଇ ଆସିବେ ଏଠି ରହି ନାମ କମାଇବାକୁ । ଆଉ ଆମେ କହିଦବା–ରହିବ ଯଦି ଆମର ବତି ପେଲ ।

 

ମେସ୍‌ ଭିତରେ ପହୁଞ୍ଚିଲାବେଳକୁ ସମସ୍ତଙ୍କର ମନ ହାଲୁକା ହେଇ ଯାଇଛି । ଏଇ ମହିଳା ସମାଜ “ବତିପେଲା” ସମାଜ ଗଢ଼ି ଦେଇଛି–ପୁରୁଣା ପାଳ ବଢ଼ିଆ ଛତୁ କାଢ଼ିଲା ପରି ।

 

–ଏଁ, ଠିକ୍‌ ଠିକ୍‌ । ଦୀପ ଆଉ ବତି । ବତି ଆଉ ବତି ପେଲା । ବତିପେଲା ମେସ୍‌....ସାବାସ୍‌ । ...ସାବାସ୍‌ ଗଜେନ୍ଦ୍ର–ସାବାସ୍‌ ସୀମାଦ୍ରି.... ଅଭିନ୍ନ ଗଲା ମେସରୁ । ଆମେ ମାଗଣାରେ ହେଇଗଲୁ ବତିପେଲା...

 

ହସ ଟାପରାର କିମତ୍‌ କରିବାକୁ ମେସ୍‌ର ସୂପକାର ମନେ ମନେ ଚେଷ୍ଟା କଲା । ସମୁଦ୍ର ମୁହାଣରେ ନଈର ମାଛ ସମୁଦ୍ରର ଜୁଆର ଆଉ ଲହଡ଼ିର କିମତ୍‌ କଲାପରି । ସେ ଭାବୁଥାଏ ଚୁଲିରେ କାଠ ପେଲି ପେଲି ସେ ପେଟ ପୋଷୁଛି । ଆଉ ଏଇ ବାବୁମାନେ ବତିପେଲା କଥା କହି ହସି ଲୋଟି ଯାଉଛନ୍ତି...ତତଲା ଚୁଲିରେ ପେଟର ନିଆଁକୁ ଆବୁରି କାଠ ନ ପେଲି ଦୀପକୁ ଚାହିଁ ବତି ପେଲିଲେ ଜୀବନ କେଡ଼େ ସୁଆଦିଆ ନ ହୁଅନ୍ତା ।

 

ରୋଷେଇଆର ସପନ ଭାଙ୍ଗି ବାବୁମାନେ ହକାରିଲେ–କ’ଣ ପୁଝାରୀ ସାହେବ ? ଆଜି ଅଫିସରେ ନାଗା କରିଦେବ କି ? ଶୀଘ୍ର ଶୀଘ୍ର ହାତ ଚଲାଅ ।

 

ଦୁଇଟି ତରୁଣୀ ସାମାନ୍ୟ କେଇପଦ ଅଭିନୟ କରି ପାଞ୍ଚୋଟି ପୁରୁଷଙ୍କ ଛାତିରେ ଇନ୍ଦ୍ରଧନୁର ସାତରଙ୍ଗ ଦେଖାଇ ଦେଲେଣି । ମେସ୍‌ର ଅଭାଗାମାନେ ୟା’କୁ ଭାବୁଛନ୍ତି ଭାଗ୍ୟ–

 

ମଣିଷ ଏମିତି ତୁଚ୍ଛ କଥାରେ ଭାଗ୍ୟ ଉଦୟ ହେଲା ବୋଲି ମନେ କରେ । ଆଉ ସେହି ଭାଗ୍ୟକୁ ଦେଖି ଆଉ ଦଳେ ନିଜକୁ ଅଭାଗା ମନେକରି ହିଂସାରେ ଜାଲିଯାନ୍ତି । ଯେଉଁ ବିଲରେ ନାଳ ପାଣି ମାଡ଼ିଯାଏ ସେଇ ହୁଏ ଭାଗ୍ୟବାନ୍‌ । ଆଉ ଯେଉଁ ବିଲକୁ ପାଣି ଛୁଏଁ ନାହିଁ ସେହି ଭାଗ୍ୟହୀନ–

 

ଭାଗ୍ୟହୀନ ଚାହିଁରହେ ଉପରର ଆକାଶକୁ । ଆଖିରେ ତା’ର କାକୁତି । ହୃଦୟରେ ତାହାର ବ୍ୟାକୁଳତା ।...ହେ ଆକାଶ, ହେ ଦେବତା, ମୋ’ର ବିଲକୁ କରୁଣା ଊଣା କରିବ ନାହିଁ ।

 

ଏହି ଆକୁଳ ମିନତିର ଅନ୍ୟ ନାମ ଠାକୁର ପୂଜା–ଉପାସନା ଆଉ ତପସ୍ୟା । ସେଥିପାଇଁ ଦରିଦ୍ରର ମନରେ ଅହର୍ନିଶି ଈଶ୍ଵର ଆଉ ମନରେ ସେହିପରି ବ୍ୟଭିଚାର ।

 

ଆଗ କଥା ପାଶୋରି ପକାଇ ଅଭିନ୍ନବାବୁ ପୁଣି ଥରେ ସୁତପା ଉପରେ ବିରକ୍ତ ହେଲେ ମେସ୍‌ ବାବୁଙ୍କର ଆଲୋଚନାର ଗତି ଦେଖି ।

 

–ଭଲ ନୁହେଁ ଏତେ ଅଧିକା ହୋଇଯିବା । ତାଙ୍କର ପିଲା କୁଟୁମ୍ବ ଗାଁରେ । ଏମାନଙ୍କର ମନ ଆଉ କଥାକୁ କ’ଣ ଲଗା ନା ପଘା କିଛି ଅଛି ?

 

–କ’ଣ ହେଲା ସେଥିରେ । ହେଲା ଏବେ ଏଇ ଲୋକମାନେ ଆସୁଛନ୍ତି ମନରେ ଅନେକ ଖରାପ କଥା ନେଇ । ତମର କେମିତି କ୍ଷତି ହେଲା ବୁଝାଇ ଦେଲ ?

 

ଭେସରା କଥା ମଣିଷକୁ ଖରାପ କରିଦିଏ । କଥାରେ ମୋଡ଼ । ବ୍ୟବହାରରେ ଇଙ୍ଗିତ । ମୁହଁରେ ସିନା ନବଜିଆ ହସ ହସି ଜୋକର ସାଜୁଛନ୍ତି । କିନ୍ତୁ ମନ ଭିତରେ ବିଷ ।

 

–କାହାର ବିଷ ନାହିଁ ? ସାପର ଯେମିତି ଅଛି, ମଣିଷର ବି ସେମିତି ଅଛି । ସଂସାରଟା କ’ଣ ବାବାଜୀ ବଇଷିମଙ୍କର ? ଏଇଟା ହେଉଛି ଖଳ ଖରାପ ଦୁଷ୍ଟଙ୍କର । ସେହି ଖଳ ମାତି ଶେଷକୁ ସାଧୁ ହୁଅନ୍ତି । ସାଧୁ ପୁଣି ସିନା ଖସେ । ମଣିଷ ସବୁବେଳେ ଖରାପ ।

 

–ବୁଝିଛ ତ । ସେଥିରେ ଏମିତି ଏମାନଙ୍କୁ ପ୍ରଶୟ ଦେଉଛ କାହିଁକି ?

 

–ଜାଣି ଜାଣି ମୁଁ ପ୍ରଶ୍ରୟ ଦେଉଛି ତାଙ୍କୁ ଓ ତୁମକୁ ସୁଧାରିବା ପାଇଁ । ଅକାରଣରେ ସନ୍ଦେହ ଓ ଈର୍ଷାରେ ଜଳିଗଲେ ତମେ ପୁରୁଣା କାଳିଆ ହେଇଯିବ । ଶେଷକୁ ଏଇ ସଂସାରରେ ପେଚା ପରି ଦିନଯାକ ଲୁଚିବ । ତମର ଭଲ ହେବ ଆଖରକୁ–ଯେବେ ଏଇସବୁ ଏବଠାରୁ ସହି ସମ୍ଭାଳିଯିବ ।

 

–ଆଉ ସେମାନଙ୍କର ?

 

–ସେମାନେ ଥୋଡ଼ାଏ ଫଁ ଫାଁ ହେଇସାରି ଶେଷକୁ ହେବେ ଆମର ଆଜ୍ଞାଧୀନ । ଦେଖିନାହଁ ସାପୁଆଙ୍କୁ । ଯିଏ ରଖିଥାଏ ନାଗ ଗୋଖର–ସେହି ପୋଷେ ପେଟ ।

 

–ଏତେ ନଟଖଟକୁ କ’ଣ କାମ ?

 

–ଏଇ ତ ସମାଜ । ଏଇମାନେ ହେଲେ ଆମର ଲୋକ । ସମସ୍ତଙ୍କୁ କବାଟ କିଳିଲେ ବଞ୍ଚିବା କେମିତି ? ଲୁଗା ବି ପିନ୍ଧିବା କାହିଁକି ?

 

–ଲୁଗା କ’ଣ ?

 

–ହାତକଟା, ପେଟ ଦେଖା, ବେକ ଦେଖା ବ୍ଲାଉସ ପିନ୍ଧିଲେ ଅବା ଆଖିରେ କଜଳ ଲାଞ୍ଜି ଟାଣି ଛୋଟିଆ ଆଖିକୁ ସପନ ମଖା କଲେ ଯେବେ ଖରାପ ହେଉନାହିଁ ତାହାହେଲେ ଥୋଡ଼େ ଏଣୁତେଣୁ ମନର ମଇଳାକୁ କଥାରେ କାଢ଼ିଦେଲେ କ’ଣ ଆକାଶ ଭାଙ୍ଗି ପଡ଼ିବ ?

 

–ଆଗ ସମୟ ଭଲ ଥିଲା । ମାଇପେ ଥିଲେ ଘରେ–

 

–ହଁ, ଭଲ ନଥିଲା କାହିଁକି ? ଆଠ ଦଶଅଣା ଜାଗାରେ ପାଣ୍ଡବ–ବିଭା ଚାଲୁଥିଲା । ମାଇପେ ନାକ–ଘୋଡ଼େଇ ହେଇ କିସ୍ତିମାତ୍‌ କରୁଥିଲେ । ସମାଜ ଭିତରକୁ ଆସିଲେ ଶାଳୀ ଟାପରା ଓ ଗିହାଳୀ ଥଟ୍ଟା ଓ ହେରେଷାମିର ପରସ୍ତ ପରସ୍ତ ମଜାଦାର କଥା ।

 

Unknown

–ଦେଖିଥିଲା ପରି କହୁଛ ।

 

–ମୁଁ ନୁହେଁ । ସନ୍ଥ କବୀର ବି ଦେଖିଥିଲେ

 

ଚନ୍ଦ୍ର ନ ଲୁଚଇ ତାରକାମଣ୍ଡଳେ

ଯୁଦ୍ଧରେ ନଛପେ ବୀର

ସହସ୍ର ବଉଦ ଘୋଟିଗଲେ ସୁଦ୍ଧା

ଫୁଟିଉଠେ ଦିବାକର ।

ଯୋଗୀ ଭିକାରୀଙ୍କ ସାମନାରେ ପୁଣି

ଛପି ନ ପାରଇ ଦାତା

ପରଦା ଉହାଡ଼େ ଥିଲେ ହେଁ ନାରୀର

ଖେଳୁଥାଏ ଆଖିପତା ।

 

–ମତେ ଭଲ ଲାଗୁ ନାହିଁ ।

 

–ମୁଁ ଜାଣେ । କନକ ବି ଜାଣେ । ତମେ ତ ଜଣେ ସାଧାରଣ ସ୍ଵାମୀ–ମଡେଲ ସ୍ଵାମୀ ହବ କେମିତି ? ଭାରିଯାକୁ ଘର ଭିତରେ ସାଇତି ଜାଣ । ଗାଁ ମାଇପେ ଠଣା ସନ୍ଧିରେ ନୋଟ ଲୁଚାଇ ଉଇ ଆଉ ମୂଷାଙ୍କୁ ଦାନ କଲା ପରି–ଆଗ ତମେ ସ୍ଵାମୀ ପଣକୁ ଯୋଗ୍ୟ ହେଲଣି ତ ।

ଅଭିନ୍ନ ଚାହିଁ ରହିଲେ । ଏଇ ଅକଥାର ଉତ୍ତର କେମିତି ଦିଆଯିବ ? ବାହାରର ଲୋକଙ୍କୁ କଡ଼ା ଜବାବ ଦିଆଯାଇପାରେ । କିନ୍ତୁ ଘର ଲୋକଙ୍କ ପାଖରେ କ’ଣ ସେହି ଜବାବ ଚଳି ପାରିବ ?

–ଭାବିବାର କିଛି ନାହିଁ । ଆଗେ ମୁରବୀଙ୍କ ଅଧୀନରେ ବରମାନେ କନ୍ୟାଙ୍କୁ ଧରି ପରାଧୀନ ହୋଇ ରହୁଥିଲେ । ଏବେ ସେମାନେ ସ୍ଵାଧୀନ ହେଲେଣି ସତ । କିନ୍ତୁ କନ୍ୟାକୁ ଏମିତି ପରାଧୀନ କରି ରଖିବା କ’ଣ ସୁଖର କଥା ?

–କାହିଁକି ? ତୁମକୁ କେଉଁ ସ୍ଵାଧୀନତାରେ ଊଣା କରା ହେଇଛି ?

–ସ୍ଵାଧୀନତା କେହି କାହାକୁ ଉପ୍ରୋଧ କରି ଦିଏ ନାହିଁ । ଯିଏ ଯାହା ପାଇବା କଥା ସେତକ ପାଇଯାଏ । ଏଥିରେ ପୁଣି କୁହା ହେଉଛି ଦୟା ଓ କୃପାର କଥା ।

–ଅଫିସ ଡେରି ହେଇଯିବ ଯେ ।

–ହଉ, ଯାଅ । ସେଠୀ ଆପଣା ମନକୁ ଭାବିବା କଥା କହିବା ଓ ଚଳିବାର ଅଧିକାରରେ ଯେଉଁମାନେ ସ୍ତ୍ରୀକୁ ସ୍ଵାଧୀନତା ଦେଇପାରନ୍ତି ନାହିଁ ସେମାନେ ବିଭା ନ ହେବା ଉଚିତ୍‌-

 

କନକ ମୁହଁ ଶୁଖାଇ ଠିଆ ହୋଇଥିଲା । ରୋଜ ଏମିତି ମନ ଫଟାଫଟି ଦେଖି ସେ ଭାବୁଥିଲା ଯେ ସହରକୁ ଆସିବା ତାହାର ଭୁଲ୍‌ ହୋଇଛି ।

 

ଦୀର୍ଘ ନିଶ୍ଵାସ ପକାଇ କହିଲା–ଅପା କହନ୍ତି ସେମିତି । କିନ୍ତୁ ତାଙ୍କର ମନ ନିର୍ମଳ । ମୁହଁ ଯେତିକି କଡ଼୍‌ଡ଼ା ମନ ସେତିକି ନରମ ।

 

ଅଭିନ୍ନ ବି ସେମିତି ଗହିରିଆ ନିଶ୍ଵାସ ପକାଇ କହିଲା–ହଁ, ହେଇଥିବ । ନ ହେବ କାହିଁକି ? ଆମ ପରି ଲୋକ ଯେତେବେଳେ ଘର କରି ଘରୁଆ ହେଲୁ ସେତେବେଳେ ଘରଟା ଅବା ହେବ କେତେକେ ?

 

–ସୁନ୍ଦର ଆଉ ଆଦର୍ଶ ଘର ସମସ୍ତେ ଖୋଜୁଛନ୍ତି । କୁକୁର ବିଲେଇ କୋକିଶିଆଳି ମାଟିବାଲି ଆମ୍ପୁଡ଼ି ଘର ଅବା ଗାତ ତିଆରି କଲାବେଳେ ଖୋଜନ୍ତି ଯାହା, ମଣିଷ ତହିଁରୁ ଅଧିକ ଖୋଜେ । ଏବେ ଘରର ଅବିଗୁଣ ପାଇଁ ସୁତପାକୁ ଦୋଷ ଦେଲେ ଲାଭ କ’ଣ ?

 

ନିଜକୁ ବୁଝେଇଲା ପରି ଅଭିନ୍ନ କହିଲେ ଗୁଣୁଗୁଣୁ ସ୍ଵରରେ–ଆଉ ଥରେ ସେଇ ପୁରୁଣାକାଳିଆ ମୁରବିଆନା ଘରକୁ କ’ଣ ଫେରି ଯାଇ ହେବ ? ବାପା ଦାଦି ବାଛିବେ ବୋହୂ ଆଉ ତା’ର ଦାୟିତ୍ଵ ନେବେ । ହେଲା ଏବେ ଚାଷବନ୍ଦି ଅବା ଛତିଶି ପାଟକ ବେଉଷା । ...ଆଉ ଏମିତି ସହର ବଜାରରେ ଖଣ୍ଡେ ନାମକାବାସ୍ତେ ଚାକିରି ଧରି ଘର ସଜେଇଲେ ଏମିତି ନାନା ପରାଭବ ଛଡ଼ା ଅନ୍ୟ ଗତି କାହିଁ ?

 

ଗୋଳମାଳକୁ ତୁଟାଇ ଦେବାକୁ ସୁତପା ସେଠୁ ଚାଲିଗଲା । ଗଲାବେଳେ ସେ ଅଭିନ୍ନବାବୁଙ୍କ କଥା ଭାବୁଥିଲା–ହାତୀ ବାଘଙ୍କୁ ଶାସନ କରେ ମଣିଷ । ହାତୀର ମାହୁନ୍ତ, ଘୋଡ଼ାର ସଇସ ଆଉ ସାପର କେଳା ସମସ୍ତେ ମଣିଷ । ସେଥିପାଇଁ ସମସ୍ତେ ମନେକରୁଛନ୍ତି ଯେ ପୁରୁଷ ହେଲା ସ୍ତ୍ରୀ’ର ସଇସ

 

ତାକୁ ହସ ଲାଗିଲା–ଅଭିନ୍ନବାବୁ ସୁତପାର ମାହୁନ୍ତ । କନକ ପଚାରିଲା–ବଢ଼ିଆ ଅପା ଖଣ୍ଡେ ଆମର । ଦିଆଲିର ଘଡ଼ିବାଣ ପରି ଥୋଡ଼ାଏ ନିଆଁ ଫୋପାଡ଼ି ଦେଇ ଆସି ହସିଲେଣି ।

 

–ନାଇଁ ଲୋ ଓଲମି । ମନେ ପଡ଼ିଗଲା ସଇସ ମାହୁନ୍ତ କଥା । ବୁଝିନାହୁଁ କି ମୋର ସଇସ ପରା ଇଏ ।

 

କନକ ମଧ୍ୟ ଜୋରରେ ହସିପକାଇଲା–ଅଭିନ୍ନ ଭାଇ ମୋର ଏଇ ସୁତପା ଅପାର ମାହୁନ୍ତ...

 

ଅଭିନ୍ନବାବୁ ଲାଜରା ହୋଇ ଭାବିଲେ ଯେ ଦୁଇଜଣ ତାଙ୍କ କଥାକୁ ଅପସନ୍ଦ କରୁଛନ୍ତି । ସ୍ତ୍ରୀ’ଟା ମୁଖରା–କହିଲେ କହିଲା । କନକ ପୁଣି ସେଥିରେ ତାଳି ବାଡ଼େଇ ସମର୍ଥନ କଲାଣି?

 

ନରମ ସ୍ଵରରେ କହିଲେ–ସ୍ତ୍ରୀ ହେଉଛି ସ୍ଵାମୀର ଚିତାକୁଟା ଦାଗ । ସେମିତି ସ୍ତ୍ରୀ’ ବି.....

 

–ସେଇ କଥାଗୁଡ଼ାକ ଖୁବ୍‌ ବୁଝିଛ । ପଦେ ମାଇପି କଥା କହୁଛୁ ମନେ ରଖିଥାଅ । କେବେ କ’ଣ ମାଇପେ ମରଦଙ୍କର ଏଇ ଥିଏଟରିଆ କଥା ଶୁଣି ଖୁସି ହୁଅନ୍ତି?–ହୁଅନ୍ତି ନାହିଁ । ଓଠ ଉପରର ହସ ଭାରି ଉପରଠାଉରିଆ । ଖୁସି ଆସେ ମନ ଭିତରୁ–ଆଉ ସିଏ କ’ଣ ଆସିବ ରସରସିଆ କଥାରୁ? ଆଚାର କ’ଣ କେବେ ଡାଲି ତିଅଣର ଜାଗା ନେଇପାରେ କି?

 

ଅଧା ବୁଝିଲେ ଆଉ ଅଧାକ ବୁଝିଲେ ନାହିଁ । ଅଭିନ୍ନବାବୁ କହିଲେ–କିଏ ଜାଣେ ବାବୁ ଏଇ ମାୟାବିନୀମାନଙ୍କର କଥା । ତାଙ୍କର ହସ ଆଉ ତାଙ୍କର ଖୁସି କେତେବେଳେ ହୁଏ ଓ କାହିଁକି ହୁଏ ସେଇ ଜାଣନ୍ତି । ଆମେ ଚାହିଁଥାଉ ତାଙ୍କର ସେହି ଓଠ ପାଟିକୁ ।

 

–ଆକାଶର ଚାନ୍ଦକୁ ଚାହିଁ ମନେ ମନେ ଗେଣ୍ଟ ହେଲାପରି, ମାଇପି ହସ ହେଉଛି ଗୋଟିଏ ଇତିହାସ । ଗୋଟିଏ ଗୋଟିଏ ହସ ଉପରେ ଜଣେ କାହିଁକି ଦଳେ ବି ଲୟବିଲୟ ହୋଇ ଯାଇପାରନ୍ତି । ସେଥିପାଇଁ କ’ଣ ସବୁ ସ୍ତ୍ରୀ ଭାଜନ?

 

ମୂକ ପତିଦେବତାଙ୍କୁ ଚାହିଁ ରହି ସୁତପା କହିଲା–ଆସ । ଶୁଣ । ସ୍ତ୍ରୀ’ ସାଙ୍ଗରେ ଯୁକ୍ତି କରିବ ନାହିଁ । ସ୍ତ୍ରୀ’କୁ ତଉଲିବାକୁ ଇଚ୍ଛା କରିବ ନାହିଁ । ସ୍ତ୍ରୀ ସାଙ୍ଗରେ ସମାନ ସମସରି ହେବାକୁ କାମନା କରିବ ନାହିଁ । ଖାଲି ତମର ସ୍ତ୍ରୀ ନୁହେଁ ପ୍ରତ୍ୟେକ ସ୍ତ୍ରୀ ଜଣେ ଜଣେ ଭାନୁମତୀ । ଭାନୁମତୀ ଖେଳ ଦେଖିଥିବ........

 

ହାତୀ ପରା ଜୀବ ଛାର ମାହୁନ୍ତକୁ

ତିଳେ କି ଡରନ୍ତା ସେହି

ମନ ମାନିଅଛି ବୋଲି ସେ ରହିଛି

ଆଙ୍କୁଶା ଶିଙ୍କୁଳି ସହି ।

 

–ତମେ ସବୁ ତେବେ କ’ଣ ?

 

–ମନକୁ ପଚାର–ହାତୀ କହ କି ମାହୁନ୍ତ କହ ଗୋଟାଏ କିଛି ତ ହେଇଥିବ । ନିଜେ ନିଜର ବାଛିନିଅ । ଯାହା ଇଚ୍ଛା–

 

ଅଫିସରେ ଅଭିନ୍ନବାବୁଙ୍କ ମନଭିତରେ ଅନେକ ଅଛିଣ୍ଡା ପ୍ରଶ୍ନର ଅଡ଼ୁଆ ଖିଅ ଛନ୍ଦି ହେଉଥିଲା । ଲୋକ ବାହା ହୁଏ କାହିଁକି? କି ଶାନ୍ତି, କି ସୁଖ ?

 

ମନେପଡ଼ୁଥିଲା ଆଗ ଦିନର କଥାଗୁଡ଼ାକ । ମନର ପାଞ୍ଚ ଆକାଶକୁ ଛୁଉଁଥିଲା । ଦିହ ଲାଗୁଥିଲା ତୁଳାପରି ଉଶ୍ଵାସ । ସବୁବେଳେ ମନେ ହେଉଥିଲା–କେମିତି ସମୟ କଟାଇବ,କୁଆଡ଼େ କାହାପାଖକୁ ଯିବ, କି କାମ କରିବ ?

 

ପରର ଖିଜମଦ କରିବା, ପରଘରକୁ ଧାଇଁବା, ପର ପାଇଁ କଉଡ଼ି ଉଡ଼ାଇବା ଆଉ ପର ଘରେ ବେଳ କଟାଇବା–କାହାକୁ ଅବା ଭଲଲାଗିବ? ଆରମ୍ଭରୁ ଏତେ ତକଲିପ୍‌ ପଛକୁ କ’ଣ ନ ହବ ?

 

ଯିଏ ଆଖି ଆଗରେ ପଡ଼ୁଛି, ଯାହା କଥା କାନରେ ବାଜି ଯାଉଛି ଅବା ଯାହାଠାରୁ ପଦେ ଅଧେ ମନକିଣା, ହୃଦୟଜିଣା କଥା ମିଳିଯାଉଛି ତାହାରି ପାଦ ତଳେ ଭିତରର ମଣିଷ କୁଢ଼େଇ ହେଇ ପଡ଼ୁଛି–ଗଛ ତଳର କୁଢ଼େଇ ପଡ଼ୁଥିବା ଫୁଲ ଫଳ ପତ୍ର ପରି ।

 

ଅଭିନ୍ନ ହୋଇଥିଲା ନିଜର ସ୍ଵାଧୀନତାର ବନ୍ଦୀ–ବନ୍ଦୀଜୀବନ ସ୍ଵାଧୀନତା ବା ପରାଧୀନତାର ଯେଉଁ ପ୍ରକାରର ହେଲେ ବି ଏକାପରି କଣ୍ଟାଳିଆ । ମଣିଷ ଖୋଜେ ସ୍ଵାଧୀନତା ।

 

ସେଥିପାଇଁ ସେ ପରାଧୀନ ହୁଏ–ସ୍ୱାଧୀନତା ଯେତେ ଦୁଧ ଲହୁଣୀ ପରି ହେଉ ନା କାହିଁକି ରହି ରହି ବୁଲିଗଲେ ମଣିଷ ସେଇ ସ୍ଵାଧୀନତାକୁ ଛାଡ଼ି ଦେଇ ପରାଧୀନ ହୁଏ । ପୁଣି ଥୋଡ଼ାଏ ବଂଧା ହେଇ ଗଲେ ପୋଷା କୁକୁର ପରି ସ୍ଵାଧୀନ ହେବାକୁ ଛଟପଟ ହୁଏ ।

 

ସେମିତି ସେଇ ଅଭିନ୍ନ ନିଜେ ହୋଇଥିଲା ବୋଲି ନିଜକୁ ବୁଝାଉଥିଲା ।

 

ବାପା ମରିଗଲେ । ମା’ ରହିଲେ ପୁଅକୁ ଚାହିଁ । ବାପା ଛାଡ଼ିଯାଇଥିଲେ ପୁଅ, ପୁଅର ମା ଆଉ ସମସ୍ତଙ୍କର ଭାତଲୁଗା ଓ ହାତ ଖରଚ ପାଇଁ ଯଥେଷ୍ଟ । ପୁଅ ଅଭିନ୍ନ ବି ବେଳକାଳ ଓ ଦେଶ ମତକୁ ଚାହିଁ ପାଠ ପଢ଼ିଥିଲା । ସେ ତେବେ ଯାଇ ଦପ୍ତରଖାନା ଖୋଜିଲା କାହିଁକି ? –ଛୋଟିଆ ଚାକିରର ମୋଟା ଶିଙ୍କୁଳି ତା’ର ଦରକାର ପଡ଼ିଲା କାହିଁକି? ଗାଁ ଘରର ସୁଖ ସୁଆଦ ଛାଡ଼ି ସେ ଯାଇ ମେସ୍‌ ଖୋଜିଲା କାହିଁକି ?

 

ହସ ଲାଗିଲା ଅଭିନ୍ନକୁ । ସେ ସତରେ ଭାରି ପଛବୁଦ୍ଧିଆ । ଚାନ୍ଦିନି ରାତିବେଳେ ଜହ୍ନକୁ ଭୁଲିଯାଇ ଅନ୍ଧାର ପକ୍ଷରେ ଆକାଶକୁ ଚାହିଁ ବସୁଛି–ଜହ୍ନ ଆଲୁଅର କଣିକାଏ ପାଇଁ ।

 

ମଣିଷ ନିଜର ଅବସ୍ଥାରେ ସନ୍ତୋଷ ପାଏ ନାହିଁ । ସେଥିପାଇଁ ସେ ଯାଇ କଣ୍ଟା ଅରମାରେ ପଶିଯାଏ–ତା’ର ପରିବର୍ତ୍ତନ ଦରକାର । ମା’କୁ ଛାଡ଼ିଦେଇ ସେ ଯେମିତି ପଶିଗଲା ମେସ୍‌ ସାଙ୍ଗଙ୍କ ପାଖରେ । ବାପାଙ୍କର ଜମିଜମା ଛାଡ଼ିଦେଇ ପଶିଗଲା ଦପ୍ତରଖାନା ଭିତରେ । ସେମିତି ସେ ଯାଇ ବିଭା ହେଇପଡ଼ିଲା–ସୁତପାକୁ ।

 

ରାସ୍ତାରେ ଗଲାବେଳେ ଭୋକ କଲେ ମଣିଷ ଯେମିତି ଯେଉଁ ହୋଟେଲ ମନକୁ ପାଇଲା ସେଥିରେ ପଶେ ଅବା ଅକସ୍‌ମାତ୍‌ ପଶିଯାଏ ସେମିତି ସେ ବିଭା ହେଇ ଭାର୍ଯ୍ୟା ଆଣିବ ବୋଲି ଖୋଜୁ ଖୋଜୁ ଧରି ପକାଇଛି ସୁତପାକୁ । ଏବେ ବିରକ୍ତ ଲାଗୁଛି–ସୁତପା ସୁବିଧା ହେଉ ନାହିଁ ।

 

କ’ଣ କରାଯିବ ? ସୁତପାକୁ ଛାଡ଼ି ଆଉ ଗୋଟିଏ ଆଣିଲେ କ’ଣ ସୁବିଧା ହେଇଯିବ? ସୁତପା ଡାକିବଜାଇ କହିଲାଣି–ଯାଅ, ଯୁଆଡ଼େ ଇଚ୍ଛା ସିଆଡ଼େ । ବେଶ୍‌ ମଜ୍ଜା ତ । ଏମିତି ଲୋକ ଆସିବେ ଆଉ ପଳାଇବେ । ଏଣେ ଖାଲି ଖୋଜାଲୋଡ଼ା ଚାଲିଥିବ ।

 

ଗାଁ ଭାଉଜ ବୋଧହୁଏ ସତରେ ନୁହେଁ–ପହଳି କରି କହୁଥିଲା

ବିକେ କିଣେ ଯେ ଯାହାକୁ ସେନେହେ

ବଡ଼ ତା’ଠାରେ ଜୀବନ ନୁହେଁ ।

 

କାହିଁ କେବେ ସେ କଥା ଘଟିବ ?–କେଜାଣି ପଶ୍ଚିମରେ ରବି ଉଇଁଲେ ଅବା? ସ୍ନେହରେ ବିକାକିଣା–ଆଉ ସେ ପୁଣି ସୁତପ ସାଙ୍ଗରେ?–ହେଲେ ହୋଇପାରେ କନକ ସାଙ୍ଗରେ । ସେହି ଅବା ଭାଉଜଙ୍କର କଥାର ରୂପ–ସୁତପା କିଛି ନୁହେଁ ।

 

ସେଇ ଭାଉଜ ପୁଣି କହୁଥିଲେ ବୋଉକୁ–

 

ଅକଟା, ଅବଟା, ଅସଜଡ଼ା ଅଛି ଯେ ଯୋଗାଡ଼

ସୁତପାର ହାତ ଲାଗି ହେବ ଅମୃତରୁ ବଡ଼ ।

 

ସହରର ଭଡ଼ାଘରେ ସୁତପାର ହାତ ଲାଗି ଅମୃତ ଯାହା ବାହାରୁଛି ସେତକ ଭାଉଜ ଥରେ ଦେଖିଗଲେ ହୁଏତ ପଦ ବଦଳାଇ ଦିଅନ୍ତେ ।

 

କଟା ବଟା ସଜଡ଼ା ଅଛି ଯେତକ ଦରବ

ସୁତପା ହାତ ଲାଗି ଅମୃତରୁ ବିଷ ହବ ।

 

ଭାବିଲାବେଳେ ଛାତି ଥରି ଉଠୁଥିଲା । ବିଷ ସାଙ୍ଗରେ ରୋଜ ଭୋରରୁ ଭୋର ଯାଏ କେମିତି ମଣିଷ ଏହିପରି ଭୋଳ ହେଇ ରହିବ? ଅନ୍ୟମାନେ ସୁଖୀ–ଏଠୁ ଟଙ୍କା ନେଇ ଗାଁରେ କୁଟୁମ୍ବ ପୋଷୁଛନ୍ତି । ଗାଁରୁ ବାତିନି ନଆସିଲେ ଏଣେ ୟା’ଙ୍କର ଛାତି ଦୁଲୁକୁଛି । ସେଠି ବୋଧହୁଏ ଅମୃତ ରହି ଯାଉଛି–ଅଭିନ୍ନ ପାଇଗଲା ହଳାହଳ ।

 

–କ’ଣ ଅଭିନ୍ନ ବାବୁ ? –କାମ ଚାଲିଛି ନା । ଆସ ଯିବା କାଣ୍ଟିନକୁ ଚା’ ଖାଇବାକୁ ।

 

ନରହରି ଆଡ଼କୁ ଚାହିଁ ସେ ଆଶ୍ଚର୍ଯ୍ୟ ହେଲା–ଏମିତି ଅବସ୍ଥାରେ ବି ମଣିଷ ହସ ଦେଖାଇ ଚା’ ଖାଇପାରେ? ହସି କହିଲା–ଭାରି ଖୁସି ଅଛତ ।

 

–କ’ଣ କରାଯିବ ? ଚାରିଆଡ଼େ ଅସୁବିଧା । ହସି ନପାରିଲେ ମଣିଷ ଜୀଇଁବ କେମିତି? ମରି ନ ଗଲେ ସେ ଅବା ଜୀଇଁ ନରହି ଆଉ କିଛି କରିପାରିବ କେମିତି?

 

ଆପଣା ଶରୀରେ ପଡ଼ିଛି ଅଁସାଇ

ତା’ର କଳଙ୍କ ତୁ ବାଛୁ ନାକରେ ହାତ ଦେଇ ।

 

–ଭାଇ ଅଭିନ୍ନବାବୁ–ବଡ଼ ଭୋଗିଲେଣି ଏଇ ସଂସାର କରି–ପର ପାଇଁ କେତେ ହେବି କୁହତ ।

 

–କ’ଣ ପର ପାଇଁ?

 

–ଦେଖୁନାହଁ, ବିଭା ହେଇ ବର୍ଷେଖଣ୍ଡେ ସ୍ତ୍ରୀ ହେଲେ ମଧରିଆ । ପାନ ଖୁଆଇଲା–ଗୋଡ଼ ଘସିଲା । କଥା କଥାକେ ତା’ର ସେଇ ହସ ଦେଖାଇଲା । ଗୋଟିଏ ପିଲା ହେବା ଯାକେ...

 

–ସେଇଠୁ କ’ଣ ବିଗିଡ଼ି ଗଲା ?

 

–ପିଲାଟିଏ ହେବ ହେବ ପରା ତମର । ଶୁଣୁଥିଲି–ହେଇଯାଉ ଦେଖିବ ଯେ...

 

–କ’ଣ ଦେଖିବି ?

 

–ଦେଖିବ ସ୍ତ୍ରୀଙ୍କର ମା ରୂପ । ସେ ତମ ହାତରେ ପିଲାକୁ ଖୁଆଇବ, ଧୁଆଇବ, ଖେଳାଇବ । ନିଜେ ହେବ ପିଲାର ଷୋଳଅଣା ମାଲିକ ଆଉ ତମେ ହେବ ଅଦରକାରୀ ଚାକର । ସାଠିଫିକେଟ ଦିନକୁ ଦଶଥର ପାଉଥିବ–ପିଲାଟାକୁ ରଖି ଜାଣୁ ନାହଁ ? ସେ କାନ୍ଦୁଛି... ଆଉ କ’ଣ ନା ବୋପା ?

–ଆରେ ?

–ସେଇଆ ପରା । ଆମର କ’ଣ ସ୍ତନ ଅଛି ଯେ ପିଲାର ମା’ ହେଇ ପାରିବୁ? କୁଚକୁ ସ୍ତନ ବୋଲି ଭାବି ବିଭୋର ହେଲା ବେଳକୁ କୁଚ ଗାଏବ ହେଲାଣି ସ୍ତନରେ ।...କବି ଦେଖୁଛନ୍ତି କମଳାବାଲିର ଯୋଡ଼ି କମଳା ଅମଳା କମଳା ହେଇ ଲୁଗା ଭିତରେ ଦିଶୁଛି...ଆମେ ବି ଦେଖୁଥିଲୁ-। ସେଥିରୁ ବାହାରିଲା ମେଜିକ୍‌ ।

–ଭାରି ବିରକ୍ତ ହେଇଗଲଣି ? ...ଅଭିନ୍ନ ନିଜ କଥା ଭୁଲି ହସି ନରହରି କଥାରେ ମଜ୍ଜିଗଲା ।

–ଦିହେଁ ଆଉଁସା ଆଉଁସି ହେଉ ହେଉ ଏକ–ଦୁଇ–ତିନି–ଚାରି ପିଲା ଆସି ବାପା ବାପା ରଡ଼ିଲେଣି । ସେଇଠୁ ଦେଖ ଗରମ, ଚାରି ପିଲାଙ୍କର ମାତୃ ଦେବୀଙ୍କର । ...ଆଉରି ଖଟ–ଆଉରି ସଞ୍ଚ । ଲାଗିଯାଅ କାମରେ...ଭାବେ ପରା ଏଇ କୋଠା କାହିଁକି ଭୁସୁଡ଼ି ପଡ଼ୁନାହିଁ ମୋ’ଉପରେ?

–ସମସ୍ତେ ତ ଭାଇ ପଡ଼ି ଯାଇଛୁ ଖାଲରେ–

–ସେଇଆ ପରା । ଯାଇଥିଲେ ବରବେଶ ହୋଇ ପ୍ରେମିକ ଓ କାମୁକ ଭୂମିକା ନେଇ । ଫେରିଲାବେଳକୁ ରହିଛି ଦୀନ ସେବକ ଆଉ ମାଗଣା ବେଠିଆ ଯୋଗ । ଲୋକେ କହୁଛନ୍ତି–ଗୃହସ୍ଥର ଧର୍ମ ଗିରସ୍ତର କର୍ମ ଆଉ ଦୁନିଆର ଲୀଳା ।

ଅଭିନ୍ନ ହସି ପକାଇଲେ ।

–ଯାହା ତମେ ଭାଇ ହସି ପାରୁଛ । ମତେ ବି ହସ ଲାଗିଲାଣି ।

–ଭାଇ ଅଭିନ୍ନ । ହସିବାକୁ ଶିଖ । ନଇଲେ ଏଇ ସଂସାର କଳା ମେଘପରି ଭାଙ୍ଗି ପଡ଼ିବ ତମର ମୁଣ୍ଡ ଉପରେ । ଓଦା ହେବ, ଜରରେ ପଡ଼ିବ । ଉପାସ ରହିବ–ତେବେ ମୁହଁ ଶୁଖେଇବ କାହିଁକି?

–ଭଲ ତ ପୁଣି ଅନେକ ଅଛି ।

–କିଏ କହିଲା ନାହିଁ । ଆମେ ମଲେ ଆମର ଚମ ମାଉଁସ ନେଇ ମଶାଣିର କୁକୁର ବିଲୁଆ ଶାଗୁଣା ବଞ୍ଚିବେ । ଆଉ ହାଡ଼ ଦି’ଖଣ୍ଡ ଦରକାର ହେବ ଡାକ୍ତର ପିଲାଙ୍କର ପାଠପଢ଼ା ପାଇଁ-। ପୋଡ଼ିଗଲେ ମୁନିସିପାଲିଟି ଖୁସି ଯେ ରୋଗର ବିପଦ ଊଣା ହେଲା । ଏଠି ସେମିତି ସବୁ କଥା ।

–ଯାହା କହ, ଭଲ ଲାଗେ ସ୍ତ୍ରୀ’କୁ ଦେଖିଲେ...

–ନ ଲାଗିବ କେମିତି ? ସମସ୍ତେ ଜାଣନ୍ତି ଧୋବା ଆମର ଲୁଗାକୁ ପିନ୍ଧି ତା’ର ଚଳେ । କାଣ୍ଟିନରେ ଗୋଟିଏ କୁଣ୍ଡରେ ପାଣି ରଖି ପାଞ୍ଚଶହ ଅଇଁଠା କପ୍‌ ସେ ଧୁଏ । ତା ବୋଲି କ’ଣ ଧୋବ ଲୁଗା ଆଉ ଉଷମ ଚା’ ଆମକୁ କେବେ ଅରୁଚି ଲାଗିଲା?

 

–ହଁ, ପରା । ପ୍ରତିଦିନ ଭାର୍ଯ୍ୟା ଦେବୀଙ୍କର ଗାଳି ଓ ଜାରି ହଜମ କରିବ । ଏଣେ ତାଙ୍କର ମୁଣ୍ଡରେ ମରା ହେଇଥିବା ଗେଣ୍ଡୁ କି ରଜନୀଗନ୍ଧାରେ ହାତ ମାରିବାକୁ ଇଚ୍ଛା ହେବ ।

 

–ଠିକ୍‌ ଠିକ୍‌ । ଦେଖି ନାହଁ ଦୁହାଁଳୀ ଗାଈଙ୍କୁ ପହ୍ନା କଟକଟ ହେଲା ଯାଏ ବାଛୁରୀକୁ ଚାଟିବ ଆଉ ଦୁଧ ଦବ । ସେଠୁ ତୁମକୁ ନାତେ ଆଉ ବାଛୁରୀକୁ ଭୁଷାଟାଏ...ଘର ମାଇପ ଠିକ୍‌ ସେମିତି....କ’ଣ ଆଉ ବୁଝାଇ କହିବି ?

 

–ବେନି ଜନେ ସମଦଶା

 

କିଏ କାହାକୁ ଦବ ଆଉଁସା ?

 

–ଏଇ କବିଯାକ ଏମିତି ପ୍ରୀତିର ମସଲା ପାଉଛନ୍ତି କେଉଁଠୁ କେଜାଣି ?

 

–ପରଘର ଲୁଟିରୁ । ମୋର ହେଲା ଭାରିଯା । ଆଉ ତା’ର ହେଲା ପ୍ରେମିକା । ଲେଖିବ ନାହିଁ ତ ଆଉ କ’ଣ କରିବ? ପାଖକୁ ଆସିଲେ ଠେଙ୍ଗାବାଡ଼ି । ସେଥିପାଇଁ ଦୂରରେ ଲେଖନ ଖଡ଼ି । ସେଇଠୁ ସେ ପାଇଗଲା ଇନ୍ଦ୍ରଧନୁ...ଏଇ ମେସ୍‌ ବାଳୁଙ୍ଗାଙ୍କୁ ଦେଖୁ ନାହଁ କେମିତି ନଟ ସାଜୁଛନ୍ତି ।

 

ଅଭିନ୍ନ ମୁଣ୍ଡ ହଲାଇଲା–କହିବାକୁ ଭାବୁଥିଲା ଯେ ବନ୍ଧୁ ହେଉଛି ସବୁବେଳେ ଏମିତି । ତା’ର ଶ୍ୟେନ ଆଖି ତମରି ଉପରେ ।

 

–କ’ଣ ଭାବୁଛ କି ?

 

–ଏମିତି ଏଇ ଏବେକାର ମାଇପଙ୍କ କଥା–

 

–କ’ଣ ?

 

ଆଗେ ଥିଲା କଥା ପରା–ଶହେ ଝିଅରେ ନାଁ ନୁହେଁ

ଶହେ ଛୁଞ୍ଚିରେ ଦା ନୁହେଁ ।

 

–ଏବେ ହେଲାଣି ଓଲଟା–ଶହେ ପୁଅରେ ନାଁ ନ ହୁଏ, ଶହେ ଦା’ରେ କାମ ନ ହୁଏ । ଏଇଟା ଅଣ୍ଡିରାଚଣ୍ଡୀ ଯୁଗ ପରା ।

 

–ଅଣ୍ଡିରାଚଣ୍ଡୀ ହେଲେ ନାରୀ

ରହଇ ନାହିଁ କୁଳ ଶିରୀ ।

 

ମାଇପମାନେ କହିବେ–ମୋହର ଭାଗ୍ୟ ଅଟେ ମନ୍ଦ

ତେଣୁ ଲୋକରେ ଅପସନ୍ଦ ।

 

–ଛାଡ଼ ଅଭିନ୍ନବାବୁ । କେତେବେଳେ ନାଆ ଉପରେ ଶଗଡ଼ । ଆଉ କେତେବେଳେ ଶଗଡ଼ ଉପରେ ନାଆ । ଆମେ ହେଇଗଲୁ ଶଗଡ଼–ନାଆକୁ ବୋହୁଛୁ । ତମେ ଡେରିରେ ଆଣିଲ ନାଆ–ତମେ ବୁହା ହେଇଯିବ ଆରାମରେ ।

 

–ସେଇଆ ପରା । କଥା କଥାକେ ଦାଢ଼ୁଆ ଖେଞ୍ଚା । ଭାବୁଥିଲି ବସି ବସି ।

 

–ମୋଟେ ଡର ନାହିଁ । ବାଘସିଂହକୁ ଏଇ ତମ ଆମ ପରି ମଣିଷ ପୋଷି ପାରୁଛି । ଦାଢ଼ୁଆ କଥାକୁ ଡର ନାହିଁ । ଦିଓଟି ଗୋଟିଏ ପିଲା ଧରାଇ ଦିଅ–ଫୁର୍ତ୍ତି ଫୁର୍ତ୍ତି । ସରକାର କହୁଛନ୍ତି–ସୁଖୀ ପରିବାର ପାଇଁ ଦିଓଟି ସନ୍ତାନ ଯଥେଷ୍ଟ ।

 

–ମୁଁ ଭାବୁଛି ତାଙ୍କ ମହକୁମାକୁ ଲେଖି ଦେବି ସୁଖୀ ପରିବାର ପାଇଁ ଖାଲି ଗୋଟିଏ ସ୍ତ୍ରୀ ଯଥେଷ୍ଟ ।

 

ଦିହେଁ ମନକୁ ମନ ସରକାରୀ ଜମିର ଇଉକାଲିପଟାସ ଗଛତଳେ ବହେ ହସିଲେ । ଦେବାଶିଷ ଖୋଜି ଖୋଜି ଆସୁଥିଲା–କୁଆଡ଼େ ଗଲେ ଏମାନେ?

 

ଦେଖି କହିଲା–ବାଃ, ହସିବାକୁ ଏତେଦୂର ଆସିଗଲ ନା?

 

ନରହରି ଭାବୁଥିଲା ଯେ ଏଥର ରସଭଙ୍ଗ ହେଲା । ଦେବାଶିଷ ନରହରିର ପ୍ରତିଦ୍ଵନ୍ଦୀ । ପକଡ଼ାଓ କରିବାକୁ ଆସିଛି ଅଭିନ୍ନକୁ । ସେ ଚୁପ୍‌ ରହିଲା । ଅଭିନ୍ନ କହିଲା–ହସି ନ ପାରିଲେ ମଣିଷ ଜୀଇଁବ କେମିତି, କହିଲ?

 

–ଆହେ ବାବୁ, ମଣିଷ କାନ୍ଦିଲେ ବଞ୍ଚେ । ହସିଲେ ବି ବଞ୍ଚେ । ଆମର କଥା ଅଛି ପରା–ଏତେ ହସ ନାହିଁ । ପରେ କାନ୍ଦିବାକୁ ହେବ । ପରକୁ ଖୁଣ ନାହିଁ । ଶେଷରେ ନିଜେ କଳଙ୍କି ଲଗାହେଇ ରଦିମାଲ ହେଇଯିବ ।

 

–ହଁ, ତମର ଦୁଃଖ କ’ଣ? ଏଣୁତେଣୁ କହି ନବଜିଆ ହେଲେ କାମ ଫତେ ।

 

–କୁହ ନା ମ ସେ କଥା । ଘରର ଆରଦୋଳି କଥା ଭାବିଲେ ମୁଣ୍ଡ ଚକ୍‌କର କାଟିବ । ମୋ’ସ୍ତ୍ରୀ ପରା ଲଗାଇଛି ଯେ ପିଲା ଗାଁରେ ମୂର୍ଖ ହୋଇ ଯାଉଛନ୍ତି । ତାଙ୍କୁ ଆଣିବାକୁ–

 

ରାଗି ଯାଇ ନରହରି କହିଲା–ଗାଁ ତ ଏତେ ଗୁଡ଼ାଏ । ଆଉ ମୂର୍ଖ କ’ଣ ସମସ୍ତେ ହେଇ ଯାଉଛନ୍ତି ? ପାଠ କ’ଣ ଏଇଠି ବସା ବାନ୍ଧୁଛି ସହରରେ । କହିଦିଅ–ଗାଁରେ ମୂର୍ଖ ହେବା ଭଲ । ସହରରେ ବଜାରିଆ ହବା ଖରାପ ।

 

–ହଁ ମ । ମୂର୍ଖଟାଏ କ’ଣ ବଜାରିଆ ହେଇ ପାରିବ? ବଜାରିଆ ହେବା ପାଇଁ କେତେ ପାଠ ଦରକାର–ତମ ଭଳି ବୁଢ଼ା ଓଲୁ କେମିତି ଜାଣିବେ, ନରହରି ଗୋସେଁଇ ।

 

–ଥାଉ, ଭାଇ, ଥାଉ । ଏବେ କାଳକୁ ଲୋକଙ୍କର ମନ ରହିଲା ବଜାରି ହେବାକୁ ଆଉ ମୂର୍ଖ ନ ହେବାକୁ । ତମେ ତମର ମନଇଚ୍ଛା ହୁଅ, କି ହେଇଥିଲ । ପଢ଼ିଲାବେଳେ ଏଥିରୁ ଗୋଟାଏ କ’ଣ ସାଠିଫିକେଟ୍‌ ପାଇ ନ ଥିବ ଯେ ।

 

–ହଁ, ପରା । ସେଇ ସାଠିଫିକେଟ୍‌ ପଣ୍ଡିତମାନେ ଦେଇଥିଲେ । ଆମେ ସବୁ ଏକୁଟିଆ ଖରାପ ନ ହୋଇ ଦଳବାନ୍ଧି ବିଗିଡ଼ି ଗଲୁ । ଆମର ଭବିଷ୍ୟତ ପୁରା ନଷ୍ଟ ହେଲା ବୋଲି ଜ୍ଞାନୀ ଜନେ କହିଥିଲେ । ଭବିଷ୍ୟତ ବାଣୀ କରି ଦେଲେ ଯେ ଆମେ ସଂସାର କରିବାକୁ ଅଯୋଗ୍ୟ ଆଉ ପେଟ ପୋଷିବାକୁ ଅକର୍ମଣ୍ୟ ।

 

–ଖୁବ୍‌ କଲ ବାବୁ । ବାହାସାଦି ହୋଇ ବାପା ବୋଲାଇଲଣି । ଚାକିରି କରି ବାବୁ ବନିଲଣି । ମାର ଗୁଲି ସେଇ ଅପାଠୁଆ ନାହାକଙ୍କୁ । ଭାରି ଗୋଟାଏ ଗଡ଼ ଜିଣିଲା ପରି ଲାଗୁଥିବ ସତେ ।

 

–ଚାକିରି କଥା କହି ଲାଭ ନାହିଁ । ତମେ ତମର ପାଟକନା ଗୁଡ଼ିଆ ହେଇଥିବା ଚରିତ୍ର ନେଇ ଯେଉଁଠି ଆମେ ଆମର ଖତରା ଚରିତ୍ର ନେଇ ସେଇଠି । ତେବେ ବାହାଘର ବେଳେ ଅଡ଼ୁଆ ଘୋଟିଲା ।

 

ଅଭିନ୍ନ କୌତୂହଳୀ ହୋଇ ପଚାରିଲା–କେମିତି ?

 

–ଜାଣ ନାହିଁ କି ? ଏବେ କନିଆ ପଡ଼ି ରହିଥିବ ତା’ରି ଘରେ ସଢ଼ା ମାଲ ପରି । ଯଦି ଜଣେ କିଏ ଗରାଖ ଜୁଟିଲା ମାଡ଼ି ଆସିବେ ସମସ୍ତେ–ଏଁ, ଏଇ କନିଆ ଆମର । ତମେ କ’ଣ ନବ? ତମର ଚରିତ୍ର ଠିକ୍‌ ଅଛି ନା ? ଯୌତୁକ ବୋହିବ ଆଉ ଝିଅକୁ ନେଇଯିବ ?

 

–ତମର କ’ଣ ହେଲା ?

 

–ଆମର ଚରିତ୍ର ଠିକ୍‌ ନ ଥିଲା । ଆମ ନାଁ ଦିଆ ହେଲା ବୁଲା ଗୋରୁ ।

 

–ତେବେ ପାର ହେଲ କେମିତି ?

 

–ସିଏ ତ ଭାଗ୍ୟ । ଝିଅ ଘରର ମାଇପି ମୁରିବୀମାନେ କହିଲେ କୁଆଡ଼େ । ଭଲ ହେଲା–ଚରିତ୍ର ଖରାପ । ତାଙ୍କର ଝିଅ ସୁଖରେ ରହିବ ।

 

–କ’ଣ ଚରିତ୍ର ଖରାପ ହେଲେ ଝିଅ ସୁଖରେ ରହିବ ?

 

–ସେଇଆ ପରା । ମାଇପି ମହକୁମାରେ ଭଲ ଚରିତ୍ରର କିମତ୍‌ ଊଣା । ମରଦ ଇଲାକାରେ ଭଲ ଚରିତ୍ରର ଉଞ୍ଚା ଦାମ୍‌ । ଦେଖି ନାହଁ, ଝିଅ ଆଣିବ ଚରିତ୍ର ଦେଖି । ଝୁଅକୁ ଦେବ ଚରିତ୍ର–ହୁଡ଼ାଙ୍କୁ ।

 

ହସିଲେ ସମସ୍ତେ । ଏତେ ମଜ୍ଜା ଅଛି ଏଇ ମାଟି ଉପରେ । ...ନ ହେଲେ କି ସଂସାର ଚଳନ୍ତା ? ...ଅସତ୍‌ ଲୋକଙ୍କର ଆଉ ଅସତ୍‌ ଚରିତ୍ରର ଏଇ ଦୁନିଆ । ଏଠି ବଂଧାଛନ୍ଦା ପଡ଼ୁଛି ଲୋକଙ୍କ ଭିତରେ ଚରିତ୍ରହୀନତାକୁ ନେଇ ।

 

ରଜା ଓ ଜମିଦାର ଶାସନ ଚଳାଉଥିଲେ ଏଇ ଗୋଟିଏ ସୂତ୍ର ଧରି । ଲୋକଙ୍କର ଚରିତ୍ରକୁ ନଷ୍ଟକର । ଭଲ ଚରିତ୍ର ସବୁରି କାଳ । –ମାରି ଉଡ଼ାଇ ଦିଅ । ଚରିତ୍ର ଗଲେ ଲୋକ ଡରିମରି ରହିବେ । ...ସବୁ ଦିନେ ଶାସକ ଏଇ କଥାଟି କରୁଥାଏ । ଚରିତ୍ରହୀନତା ହେଉଛି ଲୋଭ, ଲମ୍ପଟ, ମିଛ ଆଦି ସବୁ । ଇଏ ହେଲା ଶାସନର ବେଉଷଣ ।

 

ସମସ୍ତେ ସମସ୍ତଙ୍କର ମୁହଁକୁ ଚାହିଁଥିଲେ ଏଇ ଚରିତ୍ର କଥା ଭାବି । ତିନିଜଣ ଯାକ ଭାବିଥିଲେ ଗୋଟିଏ କଥା–ଖାଲି ଚରିତ୍ରହୀନ ହେଇଥିଲେ ଯଦି ସଂସାରରେ ଆଦର ଓ ଉନ୍ନତି ହେଉଥାଏ ତେବେ ସେମାନେ କେଡ଼େ ହତଭାଗା ।

 

ତିନି ଜଣଙ୍କର ନିଶ୍ଵାସ ଖର ହେଇ ଆସୁଥିଲା । –କାହାରି ଚରିତ୍ର ଭଲ ନ ଥିଲା, ଏବେ ବାଧ୍ୟରେ ଭଲ ହେଉଛି । –ଆଉ କାହାର ଚରିତ୍ର ଭଲଥିଲା, ଏବେ ଚେଷ୍ଟା କଲେ ବି ଖରାପ ହେଉ ନାହିଁ । ଆଉ କିଏ ମାନ୍ଦାଳିଆ ଥିଲା ଯେ ସେମିତି ରହିଗଲା । ତିନି ଜଣଙ୍କର ସେଇ ଗୋଟିଏ ପ୍ରଶ୍ନ–ସତେ କ’ଣ ଚରିତ୍ରଟା ଏଇ ସଂସାରରେ ଅଦରକାରୀ ?

 

କିଏ ଏହାର ଜବାବ ଦେବ ? ସଂସାରରେ ଯେଉଁ କଥାମାନ କରିବାକୁ ବରାଦ ଥାଏ ସେ ଗୁଡ଼ାକ ସଂସାରରେ ନ ହୋଇ ପାରିବା କଥା । ସେଥିପାଇଁ ଚରିତ୍ର ଉପରେ ତୋଡ଼ଜୋଡ଼ ଏତେ ।

 

ଚରିତ୍ର ନଷ୍ଟ ହେବା ଅତି ସାଧାରଣ ଦେଖା ପରଖା କଥା । ଆଉ ଚରିତ୍ରକୁ ରଖିବା ପାଇଁ ନୀତି ବଚନର ଲକ୍ଷ ହଜାର ସ୍ତବକ ।

 

ଏଇ ଅବାଗିଆ ଚରିତ୍ରହୀନ ଲୋକେ ସଂସାରର ବଡ଼ ପଣ୍ଡା ଆଉ ଜୀବନର ମୂଳଦୁଆ । ଅଭିନ୍ନ ଆପଣାକୁ କହୁଥିଲେ–ଏଇମାନଙ୍କୁ ସନ୍ଦେହ ନ କରିବା ପାଇଁ ସୁତପା ଦେଈଙ୍କର ଏତେ କଥା...ନା, ନା... ।

 

ନରହରି ଓ ଦେବାଶିଷ ଚମକି ପଡ଼ିଲେ । –କ’ଣ ମାଷ୍ଟରି କାମ ଗଲା କି ? ...ଅଭିନ୍ନ ବି ନିଜେ ପଦାରେ ପ୍ରକାଶିଯିବାରୁ ଲାଜରା ହେଲାଣି । ଏଣେ ତାଙ୍କର ତୁହାଇ ତୁହାଇ କଟାଳ–କ’ଣ କି ? କ’ଣ ନା,...ନା ।

 

ହସି ଅଭିନ୍ନ କହିଲା–କିଛି ନୁହେଁ । ଭାବୁଥିଲି ଯେ ସଂସାର ଚାଲିଛି ଚରିତ୍ରର ସଂଯମ ଉପରେ । ସଞ୍ଚିପାରିବା ଲୋକ ଧନୀ । ମାରି ପାରିବା ଲୋକ ବୀର । ଜିଦ୍‌ କରି ପାରିଲେ ମାନୀ । ସଂଯମୀର ଏଇ ସଂସାର ।

 

–କିଏ ମନା କଲା ? ସେଇ ଯେଉଁ ପଣେ କାହାଣେ ଲୋକରେ ଗୋଟିଏ ଲୋକ ବାହାରେ ସେଇମାନେ ହେଲେ ସଂସାରର ମଉଡ଼ମଣି । ଜାଣି ନାହଁ କି–ମଣିଷ ପଣିଆରେ ହୀନ ଧାନରେ ଅଗାଡ଼ି ସମାନ ।

ଦୁଇ କୂଳକୁ ଖାଇ ବଢ଼ିଲା ନଈ ଯେମିତି ମଳମଳା କାଟି ବାଟ ଚାଲେ ଠିକ୍‌ ସେମିତି ମଣିଷର ତରଳ ଯୌବନ ତାହାର ପାଖ ମଣିଷଙ୍କୁ ଗହିରିଆ ପାଣିକୁ ଟାଣିନେବାକୁ ଗର୍ଜ୍ଜୁଥାଏ । ଏଇ ଗର୍ଜନକୁ ଶୁଣନ୍ତି ମରଦ ପିଲା । ମାଈଚିଆ କାନ ବନ୍ଦ କରନ୍ତି ।

ମାଈଚିଆ ତାହାର ଅଳପିକିଆ ପଦାର୍ଥକୁ ବଡ଼ ନାଁ ଦେଇ କହିଥାଏ–ସଂଯମ । ଠାକୁରେ ସଂଯମରେ ଚଳୁଥିଲେ ଏଇ ସଂସାରଟାକୁ ଅବା ଗଢ଼େନ୍ତେ କାହିଁକି ?

ସଂସାର କହିଲେ ବୁଝିବ–ଶକ୍ତି ଆଉ ଗତି । ଆଇନ ଭାଙ୍ଗିବା ଲୋକ ସଂସାରକୁ ଗଢ଼େ–ସେଇ ହୁଏ ପାଞ୍ଚପଚିଶରେ ଜଣେ । ଲୁଟତରାଜ ନ କରି ବଡ଼ ଧନୀ ହେଇ ହବ ନାହିଁ । ଆଉ କ’ଣ ହେଇ ପାରିବ–ବଡ଼ ଚାକିରିଆ, ବଡ଼ ବ୍ୟବସାୟୀ ଆଉ ବଡ଼ ପଣ୍ଡିତ ?

ବଡ଼ ଯତି ହେବା ପାଇଁ ବଡ଼ ପାପୀ ହେଇଥିବା ଦରକାର । ନାଁ ଡାକ ସତୀ ହେବା ପାଇଁ ବାରନାରୀ ପରି ମନ ପାଇବା ଦରକାର । ଚରିତ୍ରହୀନା ନ ହେଲେ ଅଗ୍ନିପରି ପ୍ରଖର ସତୀତ୍ଵର ତେଜ ସେ ପାଇପାରିବ କେଉଁଠୁ ?

କନକ ଚାହିଁ ରହିଥିଲା ଅଭିନ୍ନ ଭାଇ ଯିବାବେଳୁ ସୁତପା ଚୁପ୍‌ ହେଇ କ’ଣ ଗୁଡ଼ାଏ ଭାବୁଛି । ଦୂରରେ ରହି ସେ ଲକ୍ଷ୍ୟ କରୁଥିଲା–ନିଜେ ଭାବି ଶିଖି ନାହିଁ । ତେଣୁ ସେ ଏସବୁ ଖାଲଖମାରେ ପଡ଼େ ନାହିଁ ।

 

ସୁତପା ବସି ବସି ଏମିତି ଗୁଡ଼ାଏ ଭାବୁଥିଲା ।

 

–କ’ଣ ଭାବୁଛ କି ଅପା ? ଭାବନା ହିତକାରୀ ନୁହେଁ ।

 

–କେମିତି ଜାଣିବୁ କନକ ? ସମସ୍ତେ ଭାବି ପାରନ୍ତି ନାହିଁ । ଭାବିବାକୁ ଦରକାର ଚଉଡ଼ା ଛାତି ଆଉ ବଡ଼ ମନ ।

 

–ତମର ତ ଅପା ଛାତି ଚଉଡ଼ା...ତମେ ସିନା ଭାବିବ । ଆମେ କେମିତି ସେ କଥାକୁ ସମର୍ଥ ହେବୁ ?

 

–ଏଇଟା ଠିକ୍‌ କହିଲୁ କନକ । ଯିଏ ଭାବିପାରେ ନାହିଁ ସେ କହେ ଭାବନା ଖରାପ । ଭାବନା ନ ଥାଇ ଭଲା କେହି କ’ଣ ମଣିଷ ହେଇଛି ଅବା ବଡ଼ ମଣିଷ ହେଇଛି ? ଯିଏ ଯେତେ ଭାବିପାରେ ସିଏ ସେତେ ବଡ଼ ।

 

–ତମେ ତ ବହୁତ ଭାବିପାରୁଛ । କହିଲ ଭଲା, କେତେ ଲାଭ ପାଇଲଣି ?

 

–ମୁଁ କେମିତି କହିବି ? ଆମ ସମସ୍ତଙ୍କର ସେହି ଏକା ପ୍ରକାରର ଦେହ, ଦୁଇଟି ପାଦ, ଦୁଇଟି ହାତ...... । ଜଣେ ଜଣକଠାରୁ ସରସ ହବ କେମିତି ?

 

–ରୂପରେ ହବ । ବିଦ୍ୟାରେ ହବ । ଧନରେ ହବ । ଗୁଣରେ ହବ । ଯାହାର ଯେତେ ଅଛି ସିଏ ସେତିକି ସରସ ହବ ।

 

–ଇଏ ଗୋଟିକ ହେଲା ସଂସାରର ସାଧାସିଧା ଲୋକଙ୍କର ଗୋଟିଏ ବଡ଼ ଭ୍ରମ । ରୂପ, ବିଦ୍ୟା, ଧନ, ଗୁଣ କେବେ ହେଲେ ମଣିଷକୁ ପାଞ୍ଚପଚାଶଙ୍କ ମେଳରେ ତାରିଫ୍‌ କରି ପାରିବ ନାହିଁ-। ସେତକ ଖାଲି ହେଇ ପାରିବ ଭାବନା ଦ୍ଵାରା–ଚିନ୍ତାଶକ୍ତି ଦ୍ଵାରା ।

 

–ହେଲେ ହେଲା । ଆମର କ’ଣ ବା ହବ ? ଆମେ କ’ଣ ଏଠୁ ଯାଇ ଶିଖର ଉପରେ ରହିପାରିବା ? ଯଦି ଯାଇ ନ ପାରିବା ତେବେ ହାହୁତାଶିଆ ଭାବନାର ଟୋକେଇ ମୁଣ୍ଡେଇ ବସିଥିବା କାହିଁକି ?

 

–ସେଇ ପରା ହେଲା ଜୀବନର ଜୁଆ ଖେଳ । ଭାବି ପାରିଲେ ମଣିଷ ଜୁଆ ଖେଳେ । କିଏ ଧନକୁ ନେଇ, କିଏ ମାନକୁ ନେଇ ଆଉ କିଏ ଜୀବନକୁ ନେଇ ଖେଳେ ।

 

–ଖେଳିଲେ କ’ଣ ବାହାରିବ ?

 

–ମାଛ ମାରିଲେ ପୁଅ ମୋର

କିମ୍ଭୀର ଖାଇଲେ କପାଳ ତୋର–

 

–ଏଇକଥା ଚାଲିଛି ଦୁନିଆରେ । ମା’ କହିଥାଏ ପୁଅକୁ ଏହି କଥା । ଜନ୍ମଭୂମି କହିଥାଏ ତାହାର ପିଲାଙ୍କୁ ଏହି କଥା । ଆମର ସମାଜ, ଆମର ସଂସାର, ଆମର ଶାସନ ସମସ୍ତେ କହିଛନ୍ତି ଏଇ କଥା...

 

–କ’ଣ କଥା ?

 

–ସମସ୍ତେ ଆଗେଇ ଚାଲ । ନିଜର ଘର ସଂସାର, କୁଟୁମ୍ବ ପରିବାରକୁ ପାଶୋରି ଯାଇ ଡେଇଁ ପଡ଼ ବଢ଼ିଲା ନଈର ମଳମଳା ଭିତରକୁ । ପାରି ହୋଇ ଚାଲିଗଲେ ତୁମକୁ କହିବୁ ମଣିଷ । ତମେ ହବ ଦିଗ୍‌ବିଜୟୀ ବୀର...

 

–ଅପା, ସେମିତି ଗୁଡ଼ାଏ ଭାବି ହେଲେ ଆଉ କହି ହେଲେ ଆମ ସମସ୍ତଙ୍କର ଖରାପ ହେବ ।

 

–ଖରାପକୁ ଡରିବୁ ନାହିଁ କନକ । ଖରାପ ନ ହେଲେ ସମସ୍ତେ ନେଇ ଗୁହାଳରେ ବାନ୍ଧି ଦେବାକୁ ବସିବେ । ଦେଖୁନୁ–ତୋର ଭାଇଙ୍କୁ ଏତେ ମାନଥାନ କଲା ପରେ ବି କ’ଣ ସେ କହୁନାହାନ୍ତି, କ’ଣ ଅବା ଭାବୁ ନାହାନ୍ତି ?

 

–କ’ଣ କହିଲେ ମ ଅଭିନ୍ନ ଭାଇ ?

 

–କ’ଣ ନ କହିଲେ ଯେ । କଥାକୁ ପସନ୍ଦ କଲେ ନାହିଁ । ତା’ ଉପରେ ରାୟ ଫଇସଲା ଲେଖିଲେଣି । ସେ କିଏ ଆଉ ମୁଁ କିଏ ? –ସେ କେମିତି ମୋର ହାକିମ ହେଲେ ?

 

–ଆଉ କିଏ ହେବ ?

 

–କେହି ମୋର ହାକିମ ନୁହେଁ । ମାଇପପଣିଆ ଯେବେ ଚାକିରି ହେଇଥାଏ ତେବେ ଖାଲି ମାଈକିନିଆ ହେଇ ରହିବା ଭଲ । ମୋର ଇଚ୍ଛା ହେଲେ ସିନା ମୁଁ ଭଲ ହେବି କି ଖରାପ ହେବି । ଆଉ ଇଏ କାହିଁକି ସର୍ବଜାଣ ପରି କଥା କହିବେ ?

 

ମୋ ସୁତା ଚିକକଣ କଅଁଳ ସରୁ

ଅଡ଼ୁଆ ମାତ୍ରକ କରୁଛୁ, ଦିନେ କିଣି ନ ପାରୁ ।

 

କନକ ଚାହିଁ ରହିଲା ତା’ର ବାୟାଣୀ ଅପା ଆଡ଼େ । ଗାଁରେ କିଛି ଜଣା ପଡ଼ୁ ନ ଥିଲା । କିଛି ଜାଣି ନ ଥିଲା ପରି ସେ ଚଳୁଥିଲା । ଏଠି ଆସି ଅପା ବିଗିଡ଼ା ଧରୁଛି । ...ହସି କହିଲା–କଥା କ’ଣ କି, ଅପା ? ଏତେ ମାଜୁଛ ?

 

–ଭୁଲ ବାହାରୁଛି ପରା । ଦେଖୁନାହୁଁ ରେଳ ଷ୍ଟେସନରେ ଅବା ବସ ଉପରେ ଭୁବନେଶ୍ଵରରେ ଦୀର୍ଘାଉ ହେଇ ଗଲେ କେମିତି ପଣ୍ଡିତଙ୍କୁ ଅଡ଼ୁଆ ଲାଗୁଛି । ଇଏପରା ମୋ’ କଥାକୁ ନାପସନ୍ଦ କଲେଣି ।

 

–ତାଙ୍କୁ ବୁଝାଇ ଦେବି ।

–ସେଇଆ ହବା ଦରକାର । ସଂସାର ଚାଲିବ ଆମ କଥାରେ । ନଇଲେ ଆମେ ଏଠି ରହି କ’ଣ କରିବା ? –ହାଣ୍ଡି ଧୋଉଥିବା, ପିଲା କାଖଉଥିବା ?

କନକ ହସିଲା ।

ସୁତପା ବିରକ୍ତ ହୋଇ କହିଲା–ବୁଦ୍ଧି ଥିଲେ ବି ବେଙ୍ଗଳା ପଡ଼ିବା ପରି ଚକା ଭଉଁରୀ ଖେଳିବାକୁ କେହି କେବେ ଚାଲୁଛି ବା ଧାଉଁଛି ବୋଲି କହନ୍ତି ନାହିଁ । ...ସଂସାରର ସୁଖ ହେଉଛି ନିଜର ସ୍ଵାଧୀନ ମନର ଆଉ ସ୍ଵାଧୀନ ମତର ସୁଖ ।

ମନ ହିଁ ଜାଣେ ଏକା ଅଟେ ଅକ୍ଷୟମାଳା

ମନ ନକଲେ ଜପ ହୁଅଇ ଅସୁଂଖଳା

–କ’ଣ କହୁଛମ ଅପା ? କାଲୁଣୀ ଆଗରେ ମୂଳା ଚୋବାଉଛ । ତମ କଥା ମୁଁ କିଛି ବୁଝିପାରୁ ନାହିଁ ।

–ପାଠ ପଢ଼ା ବୁଦ୍ଧି ବଢ଼ିଲେ ସବୁ ବୁଝିବୁ । ମୂର୍ଖ ହେଇ ରହିଗଲେ ଦେହର ସୁଖ ସିନା ବୁଝିପାରିବୁ ମନର ସୁଖ ବୁଝିପାରିବୁ ନାହିଁ । ...ଯିଏ ଅପରକୁ ବୁଝି ନପାରେ ସିଏ ହେଉଛି ମୂର୍ଖ ।

ମନ ମାରି କନକ ବସି ରହିଲା । ଅପାର ସାଙ୍ଗ ସଖି ଅବା ସମସରି ହେଇ ନଥିଲେ ବି ଏମିତି ଯାଉଣୁ ଆସୁଣୁ ଝିଙ୍ଗାସ ଶୁଣି ସେ ନିଜ ମନକୁ କହୁଥିଲା–ଦଉଡ଼ି ଧାପଡ଼ି ପଶିଗଲୁ । ଏଥର ପାଆ ଯେତେ ଇଚ୍ଛା ସେତେ କୋରଡ଼ା ।

 

ସୁତପା କନକ ଆଡ଼େ ଚାହିଁ ରହିଲା । ଆଦର ନକଲେ ଆଉ ଆଦର କରି ମୁଣ୍ଡରେ ଚଢ଼ିବାକୁ ସୁବିଧା ନ ଦେଲେ କୁକୁର ମାଙ୍କଡ଼ ଆଉ ବିଲେଇ ବି ମୁହଁ ଶୁଖାନ୍ତି । କନକ ସେମିତି ବସିଛି । ମନର ପରିଧି ଛୋଟ । ହେଲେ ବି ସେଥିରେ କ’ଣ ଝଡ଼ବତାସ ନାହିଁ–ଘାସ ପଡ଼ିଆର ଚାରି ଆଠ ଆଙ୍ଗୁଳି ପାଣି ଉପରର ଝଡ଼ ପରି ।

 

ତାହାର ଇଚ୍ଛା ହେଉଥିଲା ପତିଦେବତାଙ୍କୁ ଭଲ କରି ଦି’ପାନ ଔଷଧ ଦେବା ପାଇଁ । ଏମିତି ଗୋଟାଏ କାମରେ ଏକୁଟିଆ ମଜ୍ଜା ଉଠିବ କେମିତି ? ତାହାର ଗୋଟିଏ ଗୀତ ମନେ ପଡ଼ିଲା–

 

କନକକୁ ଚାହିଁ ବୋଲିଲା–

 

ପିମ୍ପୁଡ଼ି ବାପୁଡ଼ାବିଭା ହେଇଗଲା

ଗଗନେ ଉଡ଼ଇ ଧୂଳି

ବିଲ କଙ୍କଡ଼ା ମୃଦଙ୍ଗ ବଜାଏ

ବେଙ୍ଗ ଦିଏ ହୁଳହୁଳି ।

 

ଏଇ ଚାରିପଦ କନକ ମୁହଁରେ ହସ ଖେଳାଇ ଦେଲା–ଅପା ଭାରି ରାଗି ଯାଇଛନ୍ତି ଅଭିନ୍ନ ଭାଇଙ୍କ ଉପରେ । ସେ ଅପାଙ୍କୁ ଏତେ ଦେଖିପାରନ୍ତି । କନକ ତାହାର ପ୍ରିୟ ଅଭିନ୍ନ ଭାଇ ତରଫ ହେଇ କହିଲା–ସତ କହୁଛି ଅପା । ମିଛ ଉଲୁଗୁଣା ମୁଁ ଏତେ ସହି ପାରିବି ନାହିଁ । ତମେ ତାଙ୍କୁ କହିବ ପିମ୍ପୁଡ଼ି......

 

–ମଲା ମଲା । ଭଉଣୀଟିଏ ବସିଛି ପରା । ମୁଁ ଭୁଲି ଯାଇଥିଲି । ହଉ । ବଦଳାଇ ଦଉଛି ନେ । କାହିଁକି ବୃଥାରେ କାନ୍ଦୁଣି, ଆରେ ମୋର ମିତଣି ? ...ଶୁଣ୍‌, କାନ ଦେଇ ।

 

ବେଙ୍ଗୁଲି ମାଡ଼ିଛି ଝୁମୁକି କଠାଉ

ବିଲୁଆ ହେଇଛି ରାଜା

କଲିକତରା ଯେ କରତା ସାଜିଛି

ହାତିକି କରେ ପରଜା ।

 

–ଏଇଥିପାଇଁ ଆସିଥିଲ ନା, ଅପା ? ତମେ ପରା ପାଠ ପଢ଼ି ପାରୁନଥିଲ ଗାଁରେ ।

 

–ଓ, ଏଇ କଥା । ମୁଁ ଗାଁରେ କ’ଣ କରିଥାନ୍ତି ?

 

ସବୁ ତରକାରୀ ହାଟକୁ ଯିବେ

କାଞ୍ଜିକି ଗାଁରେ ଛାଡ଼ି ଆସିବେ ?

 

ସୁତପା କ’ଣ କାଞ୍ଜିପାଣି ହେଇ ଗାଁଯାକ ବୁଲି ବୁଲି ମାଡ଼ ମୁଲାଇଥାନ୍ତା ?

 

–ଆଉ, ଏଠି ?

 

ସେ ନଥିବାରୁ ସ୍ଵର୍ଗ ମୋର ନ ଦିଶଇ ଶୋଭା

ଚନ୍ଦ୍ର ବିହୁନେ ରାତି ପରକାଶେ ଯେହ୍ନେ ପ୍ରଭା ।

 

ସେଇପରି ମୋର ସ୍ଵର୍ଗ ଅଲଗା ହୋଇ ଦିଶେ

ଶୁଣି ଗନ୍ଧର୍ବେ ଚଳିଲେ ଉବର୍ଶୀ ପାଶେ ।

 

–ମୁଁ ଆଉ ଶୁଣିବି ନାହିଁ । କାଳକ ଯାକ କିଏ ଘାଣ୍ଟି ହେଉଥିବ ଏଇ ଅସଲଟ କଥାରେ-?

 

–ଆରେ, ଏଡ଼େ କଥା ଉଘାଇ କହିଲୁଣି ଯେବେ

ସୁତପା ଅପା ପଦ ମୋର ଭାସିଗଲା ତେବେ ।

 

–ସତ କହୁଛି ଅପା । ଏଡ଼େ ସୁନ୍ଦର କଥା ଯାହା ତୁଣ୍ଡରେ ସେ କେଡ଼େ ବଡ଼ ନୁହେଁ ?

 

–ଆଲୋ, ସାନ ବଡ଼ ଜ୍ଞାନ ଭେକର ଭିଆଣ...

ଯାହାର କର୍ମରେ ଯେଉଁ ଯୋଗ ଥାଇ

ଉଦ୍‌ଯୋଗ କଲେ ସେ ପାଇବ କାହିଁ ?

 

ଯେତିକିର ମଣିଷ ସେତିକିରେ ରହିବାକୁ ହେବ ।

 

ମୋ’ ପରା ପ୍ରଭୁ ସେବା କରି

ଆନ ଛାରକୁ କିଆଁ ଡରି ?

 

କନକ ଚାହିଁ ରହିଲା ତାଟକା ହେଇ । ସେ ନିଜେ ଜଣେ ସୁତପା ପରି ସ୍ତ୍ରୀ । କଥା ପଦେ କହି ଜାଣିଲା ନାହିଁ ।

 

–କ’ଣ ଭାବୁଛୁ କି କନକ ?

 

–ତମପରି ଅପା, ଦି’ପଦ ପଦେ କହିଜାଣନ୍ତି ?

 

–ଏଇଥିପାଇଁ ମନ ମାରିବୁ ? ତତେ ପରା ଶରଧା କରି ଆଣିଛି ଗୋଟିଏ ମଣିଷ ଛାଞ୍ଚରେ ପକାଇବାକୁ । ବର୍ଷେ ଛ’ମାସରେ ନିଜେ ତୁ ନିଜକୁ ଚିହ୍ନିପାରିବୁ କି ନାହିଁ କିଏ କହିବ ? ...ତେବେ ଚଟୁ ପରି ହେବୁ ନାହିଁ । ଇଏ ହେଲା ପହିଲି କଥା ।

 

–ଚଟୁ କ’ଣ ?

 

–ଯେତେ ଘାଣ୍ଟିବ ଘାଣ୍ଟୁ

ତୁଣ ସୁଆଦ କି ଜାଣିବ ଚଟୁ ?

 

–ବୁଝିପାରିଲ ଏଥର ? ନିଜେ ଚାଖିବୁ ତ ବୁଝିବୁ । ଏସବୁ କଲେ ତୋର ନାଁ ଚାରିଆଡ଼େ ଡାକିହାକି ଚାଲିବ । ସେତିକିବେଳେ ସାବଧାନ ରହିବୁ । ନଇଲେ ଲୋକେ ତତେ ଖାଇଦେଇ ଚାଲିଯିବେ ।

 

ଛଞ୍ଚାଣ ଆଗେ କେ ପକ୍ଷୀ ଅଛି ପ୍ରାଣ ପାଇ ?

 

ବଢ଼ି ପାଣିକୁ ବାନ୍ଧି କିଏ ପାରିବ ଥୋଇ ?

 

–ଆଉ ତା’ସାଙ୍ଗରେ ମନେ ରଖିଥିବୁ......

ତଥାପି ଦେଲି ମନ୍ତ୍ର, ନୋହିବ ତାହା ସିଦ୍ଧି

ବଳେ ଯାଚି ଦେଲେ, କିଲୋ, କାଟେ କି ମହୌଷଧି ?

 

–ସେମିତି ହେଲେ ତତେ କହିବେ

ଅନେକ କାଳର ଅଟଇ ସେ ବୁଢ଼ୀ ଗୋଟା

ତାହାଠାରେ ବୃଥା ଗଲା ମୋର ଏଡ଼େକ ଚେରେଷ୍ଟା ।

 

ବେଶିଗୁଡ଼ାଏ ହାଲୁକା ହେଲେ ମନେକରିବେ ଓଲଟା

ବହି ଯାଉଅଛି ପାଣି ଭେଦି ଭେଦି କିଆରି

ମର୍ଯ୍ୟାଦା ଲଂଘଇ ଯେହ୍ନେ ଆଧୁନିକା ନାରୀ ।

 

–ଆଧୁନିକା ନାରୀ କ’ଣ ?

 

–ଯିଏ ଶସ୍ତାରେ ମିଳିଲା କି ନାକବାକ ନ ଧରାଇଲା ସିଏ ହେଲା ଶସ୍ତା ଓ ଆଧୁନିକା । ସେ ପାଇବ ସାଠିଫିକେଟ୍‌ । ତେଣୁ ମନା ଅଛି ପରା–

 

ପୀରତି ପଥ, ସଖି, ବଡ଼ ଖସଡ଼ା

ପାଦେ ପାଦେ ହୁଏ ତହିଁ କଚଡ଼ା

ଆଗେ ଯାହା ଥିଲା ଏବେ ଆଉରି ଖାବଡ଼ା ।

 

–ହେଲେ ବି

ମିଛ ନ କହିବ ଆବର

ନିଆଶା ନ କରିବ ନର ।

 

କନକ ଘୁଞ୍ଚି ଆସିଲା ପାଖକୁ । କଥା ଶୁଣି ତାହାର ରୁମ ଶୀତେଇ ଉଠୁଥିଲା । ସୁତପା ଆଉଁସି ଦେଇ କହିଲା–ଇଏ ବି ଗୋଟାଏ ପାଠ । ଏଇ ପାଠରେ ବି ବହୁତ ପଢ଼ିବା ପାଇଁ ରହିଛି । ନିଜକୁ ଗଢ଼ି ତୋଳିବା ରଙ୍ଗିଆ ରାଇ ଧାନ ପରି–

 

ଧାନ କରିଥିବ ରଙ୍ଗିଆ ରାଇ

ଭାତକୁ ସୁନ୍ଦର ଲିଆକୁ ବାଇ

ଘରକୁ ଭାରିଯା ପଦାକୁ ଛାଇ ।

 

–ଓ, ଚାଷ କଥା ବି ଜାଣିଛ ?

 

–ଆଗେ ଆମ ସମସ୍ତଙ୍କର ଚାଷ ବେଉଷା ଥିଲା ନା, ଗୁରୁଜନମାନେ ସବୁ କହିଯାଇଛନ୍ତି । ଖାଇସାରିଲେ ଶୋଇବାକୁ ମନ ଡାକେ । ଅସକତ ଲାଗେ । ନିୟମ ଖଞ୍ଜିଦେଲେ ଚିତ୍‌–ଡାହାଣ–ବାଆଁ ମୁଁ ତା’କୁ କହେ ଚି–ଡ଼ା–ବା ।

 

–ଚି–ଡ଼ା–ବା ହେଲା ଖାଇସାରି ଚିତ୍‌ ହୋଇ ଆଠଟି ନିଶ୍ଵାସ । ସେଠୁ ଡାହାଣ କଡ଼ ମାଡ଼ି ଶୋଇ ଷୋଳଟି ନିଶ୍ଵାସ । ତା’ପରେ ବାଁ କଡ଼ ମାଡ଼ି ଶୋଇ ବତିଶିଟି ନିଶ୍ଵାସ ଗଣିଗଣି ନେବ-। ଯେତେ ଅଳସ କି ନିଦ ଥାଉ, ଛାଡ଼ିଯିବ । ଆଠ–ଷୋହଳ–ବତିଶି ନିଶ୍ଵାସର ମନ୍ତ୍ରରେ ନିଦ ଶେଷ । ତେଣିକି ରହ ଉଜାଗର ।

 

–ସତେ ମ ଅପା । ଧାନ ପାଇଁ ପରା ସେମିତି ଆଠ–ଷୋହଳ–ବତିଶି–ଚଉଷଠି ପ୍ରକାରର ବର୍ଷାପାଣି ଡାକୁଛି ।

 

ଆଠ ଦୁମୁକାଣି ଷୋଳ ଅସରା

ବତିଶି ଫିରିଫିରି ଚଉଷଠି କୁଣ୍ଡାଝରା ।

ତେବେ ଚାଷୀର ପେଟ ହୁଏ ପୁରା ।

 

–ବାଃ, ଆଠଥର ଦୁମୁକାଣି ବର୍ଷା । ଷୋଳଥର କଚଡ଼ା ବର୍ଷା...ଠିକ୍‌ ତ ।

 

–ଆଗେ ଲୋକ ଦେହର ହିତ କଥା ଠିକ୍‌ଣା କରି ବୁଝିଥିଲେ । ନିଶ୍ଵାସ ପ୍ରଶ୍ଵାସ ହେଉଛି ଜୀବନର ମୂଳ । ପବନ ଗଲେ ଜୀଅ ଗଲା । ପ୍ରାଣାୟମ ପାଇଁ ନିୟମ ଖଞ୍ଜିଦେଲେ ସେଇ ଷୋହଳ–ବତିଶି ଚଉଷଠି ।

 

–କ’ଣ ନିୟମ ।

 

–ବେଶିଦିନ ବଞ୍ଚିବା ପାଇଁ ଆଉ ଭଲରେ ବଞ୍ଚିବା ପାଇଁ ନିଶ୍ଵାସ ଭିତରକୁ ନେଲାବେଳେ ଆଙ୍ଗୁଠିରେ ଷୋହଳ ଗଣିବ । ଏହାକୁ କହନ୍ତି ପୂରକ । ଭିତରେ ନିଶ୍ଵାସକୁ ରଖିବ, ଚଉଷଠି ଗଣିବାଯାଏ । ଏହାକୁ କହନ୍ତି କୁମ୍ଭକ । ପାଣି ଭିତରେ ବୁଡ଼ି ନିଶ୍ଵାସ ରଖିବା ପରି । ସେଠୁ ଡୁଡ଼ୁ, କିତିକିତି ଖେଳର ରାହାପରି ହେଲା ରେଚକ–ନିଶ୍ଵାସକୁ ଛାଡ଼ିବ ! ଏଣେ ଗଣିବ ବତିଶି । ଏହାକୁ କହିଥାଇଁ ରେଚକ । ହେଲା ଷୋହଳ ପୂରକ, ଚଉଷଠି କୁମ୍ଭକ ଆଉ ରେଚକ ହେଲା ବତିଶି ।

 

କନକ ପରୀକ୍ଷା କଲା । ବଡ଼ କଷ୍ଟ ସେମିତି ନିଶ୍ଵାସ ମାରିବା ।...ନାଇଁମ, ଅପା, ଏସବୁ କରି ପରମାୟୁ ବଢ଼ାଇଲେ କ’ଣ ଲାଭ ? –ଏଡ଼ିକି କଷ୍ଟ ।

 

–ସେମାନେ ପରା କହିଛନ୍ତି ଏହିଟା ଭାଗ ମାପ–ଯୋଗୀ ସାଧୁ ସନ୍ନ୍ୟାସୀଙ୍କ ପାଇଁ । ଆମେ ସେତେ କରି ନପାରିଲେ ସେଇ ଭାଗରେ କଲେ ହେଲା । ଚାରି–ଷୋହଳ–ଆଠ–ମାତ୍ରାରେ ପୂରକ, କୁମ୍ଭକ ଆଉ ରେଚକ କଲେ ଚଳିବ ।

 

–କ’ଣ ଲାଭ ଏଥିରେ ?

 

–ଜୀବନର ସୁଖ ପାଇଁ । ସେହି କଥା ନୃସିଂହ ପୁରାଣରେ ରହିଛି ପରା...

ଷୋଳକଳା ସୁରତିବତିଶି ଆଲିଙ୍ଗନ

ଚୌଷଠି ପାରିବନ୍ଧଛୟାନବେ ବିନ୍ଧଣ ।

 

–ପ୍ରାଣାୟମ ଓ ସଂଯମ ନଥିଲେ କ’ଣ କେହି ବତିଶିଥର ଆଲିଙ୍ଗନ କରିପାରିବ ? ସେଥିକି ବଳବୟସ ଥିବା ଲୋଡ଼ା–

 

କନକ ଚାହିଁ ରହିଲା ସୁତପା ଆଡ଼େ ।

 

–ସୁଖର ମୂଳ ହେଲା ସଂଯମ । ସଂଯମୀ ବ୍ରହ୍ମଚାରୀ ତୁମକୁ ସୁଖରେ ବାନ୍ଧି ରଖିଦେଇପାରିବେ । ଟକଳା, ଚଟୁଳା ଆଉ ବ୍ୟତିବ୍ୟସ୍ତ ଲୋକେ ଦଣ୍ଡକିରି ମାଛପରି । ଡିଅଁନ୍ତି ବହୁତ । ଖାଇବାକୁ ଅସୁଆଦ ।

 

–ସେଇ ଲୋକ ବେଶି ଦିଶୁଛନ୍ତି ଚାରିଆଡ଼େ ।

 

–ହଁ, ପରା । ସେଇମାନେ ପ୍ରେମିକ ବୋଲାନ୍ତି । ପ୍ରେମିକର ଗଭୀରତା ନଥାଏ । ଭଲ ପାଇବାକୁ ହରବର ହୁଅନ୍ତି । କିନ୍ତୁ ଭଲ ପାଇବାକୁ ଯେତେ ବଳ ହୃଦୟରେ ଥିବା କଥା–ସେତକ ସେମାନେ କାହୁଁ ପାଇବେ ? ଚଟ୍‌ ରାଗୀ ମଣିଷ ପରି ସେମାନେ ବରଡ଼ାପତ୍ର ନିଆଁ । ସଂସାରର ଆନନ୍ଦ ପାଆନ୍ତି ନାହିଁ । ସଂସାରକୁ ସୁଖ ଦେଇପାରନ୍ତି ନାହିଁ । ମଝି ନଈରେ ବୁଡ଼ି ମରନ୍ତି । କେହି ତାଙ୍କୁ ସାଇତେ ନାହିଁ ।

 

–ଚିହ୍ନିବ କେମିତି ତାଙ୍କୁ ?

 

–ଚିହ୍ନିବ ତାଙ୍କର କଥାରୁ ଆଉ କାମରୁ । ଯିଏ ଆମକୁ ଦେଖି ଭଲ ଦିଶିବ ବୋଲି ଗୁଡ଼ାଏ ହସ କଥା ଗପିଲା, ଭେରସା କଥା ଶୁଣାଇଲା–ତା’କୁ ଜାଣିବ କଥାର ମଣିଷ । କାମର ମଣିଷ ସେ ନୁହେଁ । ଛାଡ଼ିଦବ ତାଙ୍କୁ ।

 

–ଏଇ ଯେଉଁ ଦଳକ ଆସୁଛନ୍ତି ।

 

–ଓ, ସେମାନେ ? ଏବେ ତ ଆମେ ବାଛିବୁଛି ଯୋଡ଼ିଏ ଲୋକଙ୍କୁ ଲାଳନପାଳନ କରୁଥାଇଁ । ଦି’ଜଣ ଯାକ ଘରୁଆ–ପିଲା ଝିଲାଙ୍କର ବାପ । ତେବେ ବି ମନେ କରୁଛନ୍ତି କେଉଁଠି କ’ଣ ମାଗଣା ମିଳିଲେ ନେଇଯିବେ । ବିଚରା ଦି’ଜଣ...

 

–କେଡ଼େ ସ୍ତ୍ରୀ’ ଦ୍ରୋହୀ ସେମାନେ ?

 

–ସେଇଥିରୁ ତାଙ୍କୁ କଳନା କରିବୁ । ଯିଏ ନିଜର ସ୍ତ୍ରୀ’କୁ ଭଲ ପାଇପାରୁ ନାହିଁ ଆଉ ତାକୁ ଛାଡ଼ିପାରୁ ନାହିଁ । ସିଏ ପୁଣି କେଉଁ ମୁହଁରେ ଆସି ଭଲପାଇବା ଯଚେଇ କରିବ ? ଏମାନେ ସରକାରୀ ଚାକିରିଆ ବୋଲି ମନେ କରୁଛନ୍ତି......

 

ଜୀବନରେ କି ଲାଭ ଯଦି ନାହିଁ ଚାକିରି ?

 

ଚାକିରିରେ କି ଲାଭ, ଯଦି ନାହିଁ ଉପୁରି ?

 

ବାହା ହେଇ କି ଲାଭ ଯଦି ନାହିଁ ଉପୁରି ?

 

–ଆଣ୍ଟ ବହୁତ । କୁପାଞ୍ଚ ପାଞ୍ଚୁଛନ୍ତି ମୋଫତ୍‌ରେ କିଛି ପାଇଯିବେ ।

 

–ଭାବୁଥିଲି ତାଙ୍କୁ କହିବାକୁ...ବାବୁମାନେ, ମାଇପେ ଦିଶନ୍ତି ଶସ୍ତା । ଛୁଇଁଲେ ତା’ଙ୍କୁ ଛ’ଘା । ଦାମ୍‌ ପଡ଼ିବ ବହୁତ । କେତେ ଦାମ୍‌ ପଡ଼େ ନିଜର ତିରିଲା ଉପରେ ପଡ଼ୁଥିବା ଖରଚକୁ ହିସାବ କଲେ ଜାଣିଯିବ । ସିଏ ପୁଣି ଯେତେ ବୁଢ଼ୀ ହେଉଥିବ, ଖରଚ ସେତିକି ବଢ଼ି ଚାଲିଥିବ...ପାଣି ଗଣ୍ଡ ଭିତରକୁ ପଶିଲା ପରି । ପୁଣି ଆସି ଲଡ଼ବଡ଼ ହେଉଛନ୍ତି ଯେ...

 

–ହଁ, କହିଦବା ।

 

–ନାହିଁ, କହିବା ନାହିଁ, ଟିକିଏ ଖେଳିବା । ଭଲ ଲାଗୁନାହିଁ ତତେ ? ଆମେ ରାଣୀପରି ବସିବା ଆଉ ଏମାନେ ଆସି କରପତ୍ର ଯୋଡ଼ି କିଙ୍କର ହେବେ । ଅଧିକ ବଢ଼ିଲେ କହିଦବା ।

 

ଥୟ ତୁ କରି ଚାହାଁ ପାଲଟି

ଥାପନା ଦିଅଁକୁ ନବଳା ଦୃଷ୍ଟି ।

 

–ଯଦି ନ ମାନିବେ ।

 

–ତେବେ ତାଙ୍କୁ ଭଲକରି ଶୁଣାଇ ଦେବା ।

 

ପ୍ରୀତିଛୁରି ଭାରି ଶାଣଦିଆରେ

ଯାହା ସଙ୍ଗେ ଯେତେ ପୀରତି ହୁଅଇ

ସେ ସେତିକି ହୁଅଇ କୁଆବୁଆରେ...

 

–କୁଆବୁଆ କରିଦେଲେ ଫକାସି ଉଡ଼ିଯିବ । ଏବେ ତାଙ୍କର ମନ ଜପାମାଳି କ’ଣ ଜାଣିଛୁ ?

 

–ନା–

 

–ତାଙ୍କର ଏବେ ଜପା ମନ୍ତ୍ର ହେଲା

ସବୁ ଯୁବତୀ ପରେ ତମେ ଯେ ଠାକୁରାଣୀ

ତୁମକୁ ନ ପୂଜି ବୃଥା ପୂଜୁଛୁ ଘରଣୀ ।

 

ହୁରୁଡ଼ାଇ ଦେଲେ କହିବେ......

କଲ ଯେତେ ରୂପରେ ପ୍ରୀତି

କରୁଛ ତେତିକି ବେଶି ଅନୀତି ।

 

ଏଇ ପରଘର ଦାଣ୍ଡିଆକୁ ଖାଲି ଭାଣ୍ଡ କହିବ । ଆଉ ଏମାନଙ୍କର ଘରଣୀମାନେ ୟା’ଙ୍କ ମୁହଁକୁ ଗୋବରପାଣି ପକାଉ ନାହାନ୍ତି କାହିଁକି ? ...ଆସିଲେ ସହରକୁ ମେହନତି ହେବାପାଇଁ ନା ନଟନାଗର ସାଜିବା ପାଇଁ......

 

–ଅପା, ମୋର ଦୋଷ ନଧଇଲେ କହିବି ।

 

–କହୁନୁ । ଭାବିଥିବୁ ତ ଅପା ଗୋଟାଏ ଖରାପ ଲୋକ ?...ସେଇଆ ନା...

 

କନକ ଚୂପ୍‌ ରହିଲା ।

 

–ମୁଁ ଜାଣେ ପରା । ସମସ୍ତେ ଆମଠାରେ ଆଦର୍ଶ ଚରିତ୍ର ଖୋଜନ୍ତି । ତୋରି ଭାଇ ଖୋଜୁଛନ୍ତି...ତାଙ୍କ କଥା ଗାଁରେ ତମେ ଜାଣିଥିବ । ଆଉ ଏଇ ମେସ୍‌ ବାବୁମାନେ ଖୋଜୁଛନ୍ତି...ତାଙ୍କ କଥା ଏଠି ଆମେ ତ ଜାଣିଲେ ।

–ଭାଇ ଭାରି ଭଲ ।

ରଖିଦେ ଲୋ ଝୁଅ, ସେଇ ମନରଖା କଥାଗୁଡ଼ାକ ମୁଁ ଖବର ନେଇଛି ପରା । ଯେଉଁ ଟୋକାଙ୍କ ନାଁରେ ଅପବାଦ ଉଠେ ନାହିଁ ଅବା ଯେଉଁ ଟୋକା ଗଜାଙ୍କର କଥା ପୋଖରୀ ତୁଠରେ ପଡ଼େ ନାହିଁ ତାଙ୍କରି ଘରେ ହାଲୋଳ ପଡ଼ିଯାଏ...ଆରେ ଏଇଟା କ’ଣ ଅଣପୁରୁଷା ହେଲା କି ? ନିନ୍ଦା ଅପବାଦ ହେଲା ପୁରୁଷର ପରୀକ୍ଷା । ....ଖାଲି ପୁରୁଷଙ୍କର କାହିଁକି ? ...ସମସ୍ତଙ୍କର ।

–କେମିତି ?

–ହେଞ୍ଜଡ଼ିକୁ କେହି ବୋହୂ କରେ ନାହିଁ । ଭୁଲ୍‌ରେ ନେଇଥିଲେ ବିଦାୟ କରିଦିଏ । ଏଇ ସଂସାରଟା ରସରେ ଭରା–ଏଠି ଦରକାର ରସିକ ଆଉ ରସିକା । ଅରସିକ ବା ବଦରସିକଙ୍କୁ ନେଇ ସଂସାର ଚାଲିବ କେମିତି ? ଖୁଣ ଥିଲେ ଗୁଣ ଥିବ...

–କେଜାଣି ?

–କେଜାଣି କ’ଣ ? ବିଭା ହେଲାବେଳେ କ’ଣ ସମସ୍ତେ ଭାବନ୍ତି କି ? ନା, ଭାବିଲେ କହିବାକୁ ହିମତ୍‌ ପାଆନ୍ତି ? ବିଚରା ବରଟା କ’ଣ ଭାବିବ ? ...ଚୁପ୍ ରହିଯାଅ । କାମ ଶେଷ । ଚମ ଉଖାରିବ ନା ରକ୍ତ ବାହାରିବ ?

 

–କ’ଣ କହିପାରନ୍ତି ନାହିଁ ?

 

–ସ୍ତ୍ରୀ’ କାହିଁକି ନ କହିବ ? ଅବା କହି ନ ପାରିବ ?

 

ସର୍ବସ୍ଵ ମୋର ବାଟୁଁ ଖଣ୍ଟ ପିଟିନେଲେ

ତୁମ୍ଭଠାରେ ଆସିଅଛି ରହିବାକୁ ଭଲେ ।

 

–ଇସ୍......

 

–ସେମିତି କ’ଣ ? କହିବୁ ତ ।

 

ଥିଲା ଏକ ସ୍ତ୍ରୀ ନାମ ତା ସୁତପା

ସବୁ ଅଲକ୍ଷ ସେଠି ହୋଇଥିଲା ଖୋପା ।

 

–ସମସ୍ତେ ସୁବିଧା ପାଇଲେ ଅପରକୁ ଖୁଣି ଦେଇ ବିଲୁଆ ପରି ମଉଜ ମାରି ନିଅନ୍ତି । ସେଥିରେ ଲାଭ କ’ଣ କନକ ?

 

ଚନ୍ଦ୍ରମଣ୍ଡଳକୁ ଚାହିଁଣ ବିଲୁଆ

ବୋବାଇଲେ ଆଣ୍ଟେ ହୋଇ ହୁକେ ହୁଆ...

 

–ମୋର କେତେ ଜନ୍ମର ଭାଗ୍ୟ ଅପା । ତମକୁ ପାଇଲି...କନକର କଥା କେଇପଦ ଥରିଉଠିଲା ।

 

–ସେମିତି ନୁହେଁ । ଟାକୁଟାକୁ ହବୁ ନାହିଁ ଏମିତି କଥା କେଇପଦ କହି ବଂଧା ପଡ଼ିଯିବାକୁ । ମନେ ରଖିଥିବୁ

 

କେହି ପାଇ ନାହିଁ ମନର ତଳି

ଭଣ୍ଡ ହାତରେ ସବୁ ପ୍ରକାର ଥଳି ।

 

–ଯା, ମ । ସବୁ କଥାକୁ ଅପସନ୍ଦ । ମୁଁ ତମ ସାଙ୍ଗରେ କଥା କହିବି ନାହିଁ ।

 

–ବାଃ, ଗୁମାନ କରି ଶିଖିଲୁଣି । ହୁଦାସ୍ ଗୁମାନ କଲେ ଲୋକ ଛାଡ଼ି ପଳାଇବେ–ଗରମ ବାଜି ହାତରେ ଚେଙ୍କା ଲାଗିଲା ପରି । ଉଷୁମ କରି କରି ଗରମ କରିବ । ହାତ ଆଉ ମନ କେତେ ସହେ ଜାଣିପାରିବ । ...ମଣିଷର କଥାଟି ?

 

–ହେଲେ କ’ଣ ହେଲା ?

 

–ଦି’ଗୋଡ଼ିଆ କଳାମୁଣ୍ଡିଆକୁ ଛୋଟ ମନେକରିବୁ ନାହିଁ । ଯେତେ ପରସ୍ତ ଖୋଲି ଖୋଲି ଦେଖିବୁ ସେତିକି ଆଖି ତଟକା ହେବ । ଏମିତି ଦେଖିଛନ୍ତି ଅସଂଖ୍ୟ ଲୋକ ଆଖି ପିଞ୍ଛ ନପଡ଼ିଲା ଯାଏ......ଥଳକୂଳ ମିଳିନାହିଁ ।...ଭାଗ୍ୟକୁ ସମସ୍ତେ ବିଷଧର ନୁହନ୍ତି । ଢମଣା ଜାତିର ବହୁତ ଅଛନ୍ତି ।

 

ଅଣ୍ଟା ହୁଏ କଟମଟ ତୁଣ୍ଡ ବାଜେ ଖନି

ଭଲ ଭଲ ନାମ ଜପି ହେଲା କିଏ ଜ୍ଞାନୀ ?

 

–ଆଉ କ’ଣ ହେବ ?

 

–ଯେ ପକ୍ଷୀ ଉଡ଼ିବ ଯେତେ ଦୂର

ସେ ଜାଣିବ ତାହାର ବେଭାର...

 

କଥା ଶୁଣି, ବହିରୁ ପଢ଼ି, ଆଉ ବୋଲି ଆଉଡ଼ାଇ କାହାରି କେବେ ବୁଦ୍ଧି କି ଅକଲ୍ ପାକଳ ହେଇପାରିନାହିଁ ।

 

କନକକୁ ନିଜ ପାଖକୁ ଆଉଜାଇ ନେଇ ଥରିଲା ଗଳାରେ କହିଲା–ଆଲୋ ମିତଣି । ବାବୁ ପରା ଆଜି ବେଜାଏ ଚିଡ଼ିକରି ଯାଇଛନ୍ତି । ଘରକୁ ଆସିବେ କି ନାହିଁ କେଜାଣି ?...ତାଙ୍କ କଥା ଟିକିଏ ବୁଝିବା ।

 

–ସତେ ତ । ସେ ଭାରି ବିଗିଡ଼ିଛନ୍ତି । ଆମେ ତାଙ୍କୁ ହସାଇ ରସାଇ ନ ରଖିଲେ ଆଉ କିଏ ତାଙ୍କର ଅଛି ?

 

–ଠିକ୍ କଥା କହିଛୁ କନକ । ଅନାଥ ଅସହାୟ ଓ ଦୁର୍ବଳ ଲୋକ ଯେମିତି ମାୟା ଲଗାନ୍ତି ସେମିତି ଆଉ କିଏ ପାରିବ ? ମନଟା ଟଣକୁଛି ମୋର ସେତିକିବେଳୁ । କ’ଣ କହୁ କହୁ କ’ଣ ଗୁଡ଼ାଏ କହିଦେଲି ।

 

–କହିଲାବେଳେ ତମର ଅପା, ଆଗପଛ ଭାବନା ନଥାଏ ।

 

–ଖରାପ ଅଭ୍ୟାସ । ପିଲାବେଳୁ ରହିଗଲା । ତେବେ ମୋ’ ମନରେ କିଛି ନଥାଏ । କିଏ ବୁଝୁଛି ମୋର ମନ କଥା ? –କାହା ମନକଥା କିଏ କେମିତି ବୁଝିବ ?

 

–ସତରେ ଅପା, ଲୋକେ ଯଦି ଆମକୁ ବାହାରୁ ନ ଦେଖି ଭିତରଟା ଦେଖୁଥାନ୍ତେ ନା, ଏତେ ଦୁଖକଷ୍ଟ ନ ଥାନ୍ତା ।

 

–ଭଲ କହିଲୁ ତ । ମନଭିତର ସମସ୍ତେ ଦେଖି ପାରୁଥିଲେ ଆଉ ଏଇ ପୃଥ୍ଵୀ ରହନ୍ତାଟି-? ମନ ଭିତରେ ଚାଲିଛି କେତେ ଚିନ୍ତାର ଜୁଆରିଆ ନଈ । ସେଥିରେ ନିଜ ଲୋକ କେମିତି ପାଣି ପିଇ ହାବୁକା ମାରି କଣ୍ଠାଗ୍ରତ ହେଉଛନ୍ତି ଦେଖିଲେ କିଏ ଆମର ମୁହଁ ଚାହିଁବ ?

 

–ମନଟା ବଡ଼ ପାପୀ ।

 

–ଯାହା ସବୁରି ମନରେ, ସିଏ ତ ହେଲା ଅସଲ ଧର୍ମ । ଆମେ ତାକୁ କହୁଛୁ ପାପ । କୁହାଟ ମାରି କହୁଛୁ–ମନକୁ ଢାଙ୍କ ଘୋଡ଼ାଅ ଆଉ ଲୁଚାଅ । ପଦାରେ ଖାଲି ଭଲ ରୂପକୁ ଦେଖାଅ-। ମନ କିଣା କଥା କହ...ଯାବତ ମିଛକୁ କହ–ପାଣିରେ ସର ପକାଅ ।

 

–ହୁଁ ।

 

–ଏଇ ମିଛକୁ ଯିଏ ସତ–ଛାଉଣୀ କରିପାରେ ସେଇ ହେଲା ଜଗତଜିତା...

 

ବଳଦ ବାପୁଡ଼ା ଘର ଛାଉଁଅଛି

ଦୂବ କରି ରୁଅ ବତା,

ଦଣ୍ଡିକିରି ମାଛ ଗଣ୍ଡି ଭିଡ଼ୁଅଛି

ବଗ ଧରିଅଛି ଛତା...

 

କନକ ହସିଲା । ସେଇ ହସରେ ହସ ମିଶାଇ କହିଲା–ସଂସାରଟା ଏମିତି ଅସମ୍ଭବ କଥାର ବିଡ଼ମ୍ବନାରେ ଭରା । ଏଣେ ସମସ୍ତେ ରାହା ଧରୁଛନ୍ତି ବିରହର ରାଗରାଗିଣୀ ।

 

କଙ୍ଗାଳ ବେଶକୁ ଏବେ ବହିବି

ଠୋଙ୍ଗା ତୁମ୍ବା ନେଇ ବଣେ ପଶିବି

କଙ୍ଗାଳି ବରତ ଥାଳି ସେ ମୋର ତ

ନାମ ଗଳାର ତ ଦୁଃଖ ଝୋଲି ।

 

–ୟା’କୁ ବୋଲିଲା ମରଦ–ହତାଶ ପ୍ରେମିକ । ଏଣେ ବ୍ୟର୍ଥ ପ୍ରେମିକା ଔରତ ଗାଇଲା...ସେ ହଟିଯିବ କାହିଁକି ?

 

ଅର୍କ୍ଷିତ ନିରିମାଖି ବୁଲିବି ସଂସାରେ

ଭିକାରୁଣୀ ବେଶେ ଦୁଆରେ ଦୁଆରେ

ଭଙ୍ଗା କେନ୍ଦରାରେ ଗାଇବି ତା ନାମ

ପ୍ରାଣାରାମ ପ୍ରିୟା, ଚିତ୍ତ ପ୍ରାଣାରାମ

ସେତିକି ମୋ’ ଧର୍ମ ଧାରଣା

ଆଉ ଯେତେ ଜପ ତପ କାଷ୍ଠା ନିଷ୍ଠା

ସବୁ ମତେ ରହେ ଅଜଣା ।

 

–କିଏ କାହାକୁ ନଅଣ୍ଟ ? ହାଟ ସଉଦାରେ ଭାଉ ନପଟିଲେ ଚାଲିଲା କବିତା, ଗଳ୍ପ ଓ ଉପନ୍ୟାସ । ବିରହୀ ଆଉ ବିରହିଣୀଙ୍କର ପଟୁଆର–ଜଣେ ଆଉ ଜଣକ ପାଇଁ । ଏଇ ଧରାଧରି ଓ ଧରାପରା ହେଲା ସଂସାର ।

 

–ଧରାପରା ଯେତେବେଳେ ଚାଲିଛି । ମିଛ, ଖୋସାମଦ ଚାଟୁବାଣୀ ସେଥିରେ ବସା ନବାନ୍ଧିବ କାହିଁକି ?...ହସମାଡ଼ୁଛି ଗୋଟାଏ କଥା ଭାବିବାକୁ ।

 

ତୋ ପାଦ ବାଜିବାରୁ ହେଲି କଲ୍ୟା

ମୋ ନାମ ହେ ରାମ ଅଟେ ଅହଲ୍ୟା

 

–ବାଃ, କନକକୁ ମୁଁ କନକ ଦେବୀ ଲେଡି ଡାକ୍ତର କରୁଥିଲି । ସେ ବାଛୁଛି ଅହଲ୍ୟା ନାମ । ନୂଆ ଯୁଗରେ ପୁରୁଣା ନାମ, ପୁରୁଣା ଚଳନି, ପୁରୁଣା ଲୁଗା, ପୁରୁଣା କଥା କ’ଣ କାମରେ ଲାଗିବ ? ଦୁନିଆ ଭରା ହୁରି ପଡ଼ୁଛି ନୂଆ ନୂଆ...

 

–ହଁ ମ, ନୂଆ ନୂଆ ଦିନାକେତେ

ଭଲା ପଚାରୁଛ ମତେ ।

 

–ହେଲେ ବି ଖରାପ କ’ଣ ? ନୂଆ ଚମ, ନୂଆ ବୟସ ନୂଆ କଥା ସବୁ ଯେତେ ଅଳପ ସମୟ ପାଇଁ ମିଳିଲେ ବି ସୁଆଦ । ଠିକ୍ କଷି କାକୁଡ଼ି, କଷି ମକା, କଷି ଆମ୍ବ ପରି ସୁଆଦ । ଦେଖୁନାହୁଁ ଆଗ କଥା ଓ ଆଜିର କଥା–କଜଳ ନେଇ ।

 

–ଆଗେ ଥିଲା । ଲାଞ୍ଜ ବିହୀନ କଜ୍ଜଳ

ନୟନେ ଦିଶେ ଉଜ୍ଜଳ ।

 

ସେମାନେ ଖୋଜୁଥିଲେ ଗୋଲ ଆଖି । ମୁଦି ବସାଣ ହୀରା ନୀଳା ପରି ଝଟକୁ ଥିବ । ଏବେ ଚାଲିଲା ଲମ୍ବା ଓ ବଡ଼ ଆଖି ଯାହାକୁ କଲିକତାରେ କହିବେ ପୋଟଳ–ଫାଳିଆ ଆଖି । ସିଏ ହେବାରୁ ଲାଞ୍ଜିଟଣା ଚାଲିଲା । ଆଖି ବଡ଼ ବଡ଼ ଦିଶିଲା । ଆମେ ଏବେ ଲାଞ୍ଜବିହୀନା ହେଲେ ଲାଙ୍ଗୁଳବିହୀନା ଶୃଗାଳୁଣୀ ହେଇଯିବା ।

 

–ପୁରୁଣାକୁ ସତେ ଛାଡ଼ିଦବା ଅପା । ସେଗୁଡ଼ାକ ଏକେ ମଇଳା ମସିଆ । ସେଥିରେ ପୁଣି ଚିଟାଳିଆ । ପୁରୁଣାକୁ ସଂପାଦିଲେ ମଣିଷର ଇଜ୍ଜତ ମହତ ଯିବ ।

 

–ଠିକ୍ ପରା ସେ କଥା । ତେବେ କହିହେଲେ ସମସ୍ତେ ବିଗିଡ଼ି ଯିବେ । ବେଶି ବିଗିଡ଼ି ଯିବେ ପୁରୁଣା ବର, ପୁରୁଣା ପ୍ରେମିକ, ଆଉ ହରେକ କିସମର ପୁରୁଣା ଲୋକ । ଆରେ ଏଇ ଟୋକିଟା ନୂଆ ଖୋଜୁଛି ? ଦୋଚାରୁଣୀଟାଏ ହବ ପରା । ଗାଳି ଦେଇ କହିବେ ।

 

ଅଖିଆ ଛଞ୍ଚାଣ ଉଡ଼ଇ ଉଞ୍ଚ

ଟାଉକୀ ଦୋଚାରୁଣୀ କରଇ ପାଞ୍ଚ ।

 

–ମନରେ ରଖିଥିବୁ । ସୁବିଧା ହେଲେ କାମରେ ଲଗାଇବୁ ହାତରେ ଯାହା ଧରିବୁ ତା’କୁ ହାତଛଡ଼ା କରିବୁ ନାହିଁ । ଖାଲି ହାତ ଭାରି ଅଡ଼ୁଆ । ହାତରେ ଥିବ ଚୁଡ଼ି, ବଳା, ରିଷ୍ଟୱାଚ ଆଦି ହରେକ ଜିନିଷ–କିନ୍ତୁ ମୁଠାରେ ଧରିଥିବୁ ଗୋଟାଏ ।

 

କନକ ହସିଲା ।

 

–ଆଲୋ, ଓଲମି ଓ ମୂର୍ଖଯାକ ହସନ୍ତି ବେଶି । ସବୁ କଥାରେ ହସି ହସି ଗଡ଼ିଯିବେ । ସବୁ କଥା ଅପସନ୍ଦ । ସବୁ କଥାରେ ହସିବୁ ନାହିଁ । ହସର ବହୁତ କିମତ୍ ଏଇ ପୃଥିବୀରେ...ମାଗଣାରେ କାହାକୁ ହସ ଦେଖାଇବୁ ନାହିଁ । ଆମ ମାଇପିଙ୍କର ନାକ ତାଳୁ ଥୋଡ଼ି ପର୍ଯ୍ୟନ୍ତ ହେଲା ସୌନ୍ଦର୍ଯ୍ୟର ଭଣ୍ଡାର । ସେଥିପାଇଁ ଆମର ନାକ ଘୋଡ଼େଇବା କଥା ଥିଲା । ...ଆଗେ ଥିଲା ନାକ ଘୋଡ଼େଇ ଜିନ୍ଦାବାଦ୍ ।

 

–ଏବକୁ ? ...କନକ ଉତ୍ସାହରେ ପଚାରିଲା ।

 

–ଏବେ ଅଧାନଙ୍ଗୁଳୀ ଜିନ୍ଦାବାଦ୍ । ଆମର ଖାଉନ୍ଦମାନେ କହିଲେ ବିଗିଡ଼ିଯିବେ । ଆମର ଦୁଆରେ ଫୁଲଗଛରେ ଫୁଲ ଫୁଟିଛି । ବାରିଆଡ଼େ ଫଳ ଫଳିଛି । ଯାଉଥିବ, ଦେଖୁଥିବ, ପାଟିନାଳିଚା କରୁଥିବ । ସାବଧାନ ରହିବ । ପାଖକୁ ଆସିଲେ ତମେ ହବ ପକେଟମାର, ଚୋର, ଡକେଇତ ଆଉ ଗୁଣ୍ଡା । ଆମେ କାହିଁକି କଦଳୀ କାନ୍ଦିକୁ ଅଖା ବାନ୍ଧି ଲୁଚାଇ ରଖିଲା ପରି ହେବା ? ...ଆଲୁଅ ପବନରେ ସମସ୍ତଙ୍କର ସମାନ ଅଧିକାର । ...ସମସ୍ତେ ହୁଅ ସଂଯମୀ । ଆଖିର ଚାହାଣୀରେ ସଂଯମ ଆଣ...ଭଲ ହୁଅ ।

 

–ସତେ ଅପା, ଭଲରେ ରହିଲେ ଭଲ ବାଟରେ ଚାଲିଲେ ଗୋଡ଼ରେ କଣ୍ଟା ବାଜିବ ନାହିଁ । ଦାଣ୍ଡ ପିଣ୍ଡାରେ ଅବା ଦୁଆର ଦେଇ ଘର ଭିତରେ ଚୋରଣୀ–ବାହୁନା ଦରକାର ପଡ଼ିବ ନାହିଁ ।

 

–ତେବେ ମନ୍ଦ ବାଟରେ ଚାଲିବ କିଏ ? ଅରମା ବଣକୁ ଯିବ କିଏ ? ସମସ୍ତେ ଯଦି ଆଡ଼େଇ ହୋଇ ରହିଯିବେ ତେବେ ଅରମା କ’ଣ କମିବ କି ? ବଢ଼ି ବଢ଼ି ଚାଲିବ । ଆଉ ଭଲବାଟ ହେଲା କେମିତି ? ଏମିତି ଆମରି ପରି ଥୋକେ ଲୋକ ସାହାସ କରି ଅରମା ସଫା କରିବାରୁ ସିନା ଭଲ ବାଟ ଆଉ ଚଲାବାଟ ମିଳିଲା ।

 

–କାଦୁଅକୁ ଯିବ କାହିଁକି ? ଗୋଡ଼ ଧୋଇବ କାହିଁକି ?

 

–କାଦୁଅକୁ ଡରିବା ଲୋକ ଶଙ୍ଖି ଗୋରୀ ପରି । ସେ ସଂସାରର କେଉଁ କାମରେ ଲାଗେ ନାହିଁ । କାଦୁଅ ନ ଲାଗିଲେ ଗୋଡ଼କୁ ବଳ ଆସିବ କୁଆଡ଼ୁ ? ପାପ ଅନୀତିରେ ବୁଡ଼ି ପାଣି ନତେଣ୍ଡିଲେ ସଂସାରପଣିଆକୁ ସେ ଅଭାଜନ । ଦେଖିନାହୁଁ ଘରକୁ ଡାକ୍ତର ବଇଦ ଆସିଲେ ଅବା ଡାକବାଲା ମନିଅଡର ଟେଲିଗ୍ରାମ ଆଣି ଆସିଲେ ଏଇ ଶଙ୍ଖୀ ମାତାଜୀମାନେ ଲୁଚନ୍ତି କେମିତି ? ସେମିତି ହବୁକି ?

 

–ନା ।

 

ସେମିତି ହବୁ ନାହିଁ ମିତଣି । ସବୁଥିରେ ବିପଦ ଅଛି । ବାହାରର ଲୋକଙ୍କ ସାଙ୍ଗରେ ମିଶିଲେ ବିପଦ ରହିବ । ବସନ୍ତ ଟିକା ନେଇ ଦିହକୁ ବସନ୍ତ ଆଣିଲା ପରି । ଟାଇଫଏଡ ଇଞ୍ଜେକସେନ୍ ନେଇ ଦିହକୁ ଜର ଆଣିଲାପରି । ବିପଦ ଆପଦ ନିଶ୍ଚେ ରହିବ । ତାକୁ ଡରିବୁ ନାହିଁ-

 

–କେତେଦୂର ବିପଦ ଆପଦ । –ଅପା ।

 

–ବାହାରେ କାମୁଡ଼ା କୁକୁର ଆଉ ଭୁକିଲା କୁକୁର ବହୁତ ଅଛନ୍ତି । କିଏ ଗାଲ–କାମୁଡ଼ା ତ ଆଉ କିଏ ପିଠି–ଥାପୁଡ଼ା । ନୂଆ ତରକା ଛେଳି ପାଇଲେ ତା’କୁ କୁକୁରଛୁଆ ଖେଦିଲା ପରି ବେଳେବେଳେ କାମୁଡ଼ା ମିଳିବା ସମ୍ଭବ । ସେତକ ଡରିଗଲେ ଚଳିବ ନାହିଁ । ଦିହ ଛୁଇଁଦେଲେ ମାରା ହେଇଗଲା ବେଲି ଯିଏ ମନେ କରନ୍ତି ତାହା ପାଇଁ ଆଉ କହିବା କଥା ନାହିଁ । ସେ ତା’ର ପେଡ଼ିଭିତରେ ଲୁଚିଥାଉ । ଟୋକେଇ ଢଙ୍କା ହଳିଦିଆ ଘାସ ପରି ପଡ଼ିଥିବ...

 

–ଓଃ ।

 

–ବ୍ୟସ୍ତ କ’ଣ ଅଛି ? ଦେଖିନାହୁଁ, ଭୁଲିଲୁଣି ପରା ଯେତେବେଳେ ନୂଆ ଯୌବନ ଲାଗି ଛାତି ଫୁଲିଲା ସେତେବେଳେ କ’ଣ ତୋର ଦିହକୁ କଷ୍ଟ ହୋଇ ନାହିଁ ? ବଥ ପରି କ’ଣ ଦିହ ଦରଜ ହୋଇ ନଥିଲା ।–ସେମିତି ବିପଦ ଆସିବ ଆଉ ଚାଲିଯିବ । ପିଲା ଚାଲିଶିଖିଲାବେଳେ କ’ଣ ଦେହ ହାତ ମୁହଁକୁ ଖଣ୍ଡିଆ କରି ଚିହ୍ନ ରଖେ ନାହିଁ ?

 

–ଦିହରେ ଚିହ୍ନ ରହିଯିବ । ମାର୍କାମରା...

 

–ଜାଣିଥିବୁ ଯେତେ ଲୋକ ସଂସାରରେ ଗୋଲାମ ହେଇ କୁଟୁମ୍ବ ପୋଷୁଛନ୍ତି ସମସ୍ତେ ସେମିତି ମାର୍କାମରା ମରଦ ମାଇକିନିଆଙ୍କର ହୁକୁମ ତାମିଲ କରୁଛନ୍ତି । ଯିଏ ଯୁଦ୍ଧକୁ ଯିବ ତା’ର ହାତ, ଗୋଡ଼ ଛିଣ୍ଡିବ । ଆଖି କାନ ଫୁଟିବ । ଏହିସବୁ ମାଡ଼ ଓ କ୍ଷତ ଚିହ୍ନ ନଥିଲେ ସେ କେମିତି ସୈନ୍ୟ ହବ ନା ଯୋଦ୍ଧା ହବ ?

 

–ଆମେ ?

 

–ଆମେ ବି ସେମିତି ? ଲୋକେ ଡରେଇ ରଖନ୍ତି ଗୋଟାଏ ଛୋଟ କଥାକୁ ବଡ଼ କରି ରଖିବାକୁ ଶିଖାଇ ଦେଇ । ଛୁଇଁଲେ ଛୁଆଁ ହେଇଯିବ କହିବା ଯାହା ପଦାରେ ଲୋକଙ୍କ ସାଙ୍ଗରେ ମିଶିଲେ ଚରିତ୍ର ଚାଲିଯିବା ସେଇଆ–ଏକା କଥା । ଆମ ଅଭିନ୍ନବାବୁ କେମିତି ତିଆରୁଛନ୍ତି ଆମକୁ-?

 

–ହଁ, ପରା ।

 

–ସେ ମିଶିବେ ମାଇପଙ୍କ ସାଙ୍ଗରେ–ଟୋକି, ଭୁଆସୁଣି, ଛଟକି, ନଟକି ସମସ୍ତଙ୍କ ସାଙ୍ଗରେ । ତାଙ୍କର ଚରିତ୍ର ପୁରା ଠିକ୍‌ ରହିଯିବ । ଆଉ ଆମେ ତାଙ୍କର ସାଙ୍ଗ ବଂଧୁ ପାଳିଆଙ୍କ ସାଙ୍ଗରେ ଦି’ପଦ ହସ ଖୁସି ହେଲେ ଚରିତ୍ର କୁଆଡ଼େ ପାଣି ହେଇ ପାଟିକରିବ ମା, ମେଦିନି, ଫାଟି ଯା । ମୁଁ ପଶିଯାଏଁ ମୋର ଚରିତ୍ର ମାରା ହେଇଗଲା ।

 

କନକ ହସିଲା ।

 

–ଥାଉଲୋ ହସ । ଏବେ ଆମର ଅନେକ କାମ ଅଛି । ବାବୁ ପରା ରାଗି ଚାଲି ଯାଇଛନ୍ତି । ଫେରିବେ କି ନାହିଁ କେଜାଣି ?

 

ସେ କହେ ଲୋ ମିତମୋର ପ୍ରାଣନାଥ

ସଞ୍ଜରେ ନଇଲେ ଘରେ

ଉପାୟ ମିତଣୀକହେ ଡାକପାଣି

କର, ଗୁଣୀ ଆଣି ଖରେ ।

 

କନକକୁ ମୋଟେ ପସନ୍ଦ ହେଲା ନାହିଁ । ଅପା କ’ଣ ଖାତିରିପାଶ କରୁଛି ଯେ ଏଇ ଅଭିନ୍ନ ଭାଇଙ୍କି ? ସେ ଯେତେ ଅପାକୁ ଟେକି ଧରୁଛନ୍ତି, ଅପା ସେତିକି ତାଙ୍କୁ ନୁଆଁଇ ଦେଉଛି । ଏଇସବୁ ଥଟାଟାପରା ସେ ଜାଣିଲେ...ଆହା, ବିଚାରି, କୂଅକୁ ଡେଇଁ ପଡ଼ିବ କି କ’ଣ ?

 

–ହସୁଛୁ ଭାରି ।…ବରମାନଙ୍କୁ ଗୁଣିଆ ଆଣି ବାନ୍ଧି ନ ରଖିଲେ ଆଉ କ’ଣ ଉପାୟ କହ-। ସେମାନଙ୍କର ମନକୁ ବାନ୍ଧିବା ପାଇଁ ରୂପ ଦରକାର ଯେ ସେତକ ଆମର କାହିଁ ? ସରଞ୍ଜାମ ଏତେ କମ୍ ।

 

–କ’ଣ ଊଣା ଅଛି କି ତମର ?

 

–ଆଲୋ । ଆଗେ ଥିଲା ଝିଅଙ୍କର ଦେହ । ଦେଖିଲେ ଫାଟି ପଡ଼ୁଥିଲା । ପିଚାର ଚଉଡ଼ା ଥିଲା ହାତେ । ଛାତି ଥିଲା ଚଉଡ଼ା ହାତେ । ଖୋସଣି ରହୁଥିଲା ସରୁ ହେଇ–ଠିକ୍ ବିରୁଡ଼ି, ମହୁମାଛି ବା ଉଇର ଅଣ୍ଟା ପରି । ଏବକୁ ସାଇଜ ଅଧା ହେଇଗଲାଣି । ଖାଲି ଅଣ୍ଟାରେ ହାଡ଼ମାଳ ରହୁଥିବାରୁ ସେହି ବିଚାରି ମାପଟିକୁ ଠିକ୍ ରଖିଛି । ପୁରୁଷ ମୋହିବେ କ’ଣ ଦେଖି ? ଡାକ୍ ଗୁଣିଆକୁ–

 

–ହେ ।

 

–ହେ କ’ଣ ? ଦେଖ୍ ପୁରୁଣା କବିଙ୍କର ଲେଖା–

 

କରିକୁମ୍ଭ ସ୍ତନାକୃଷ୍ଣଦମ୍ଭ ଘେନା

କୁଟିଳ ଚଞ୍ଚଳ କଟାକ୍ଷା...

 

ମନ ନ ମାନିଲେ ରଥ ପାର୍ବଣ ଗୀତକୁ ମନରେ ଆଣ–

 

ଗଣେଶଙ୍କ ପରି ହିଆ......

ଘୋଡ଼ା ଟାପୁପରି......

ପୁଣି–ଶରୀର ଝମଝମ ହୃଦ ଯେ ଦମଦମ

କାମ କରୁଛି ଘନ ଘନରେ...

–ଏବେ ଏସବୁ ମିଛ କଥା–ତୁଚ୍ଛା କଥା ।

 

–ନ ହେବ କାହିଁକି ? ଆଗେ ଲୋକେ ଚିଜବସ୍ତ ରଖୁଥିଲେ ସିନ୍ଦୁକରେ ଲୁଚାଇ । ଏବେ ରହୁଛି କାଚ ଆଲମାରି ଭିତରେ । ଦାଣ୍ଡ ବୈଠକଖାନା ଘରେ ଥୁଆ ହେଉଛି ।...ଲୁଚାଛପା ଜିନିଷ ବଦଳରେ ଡକା ହକା କାମ ବେଶି ।...ଠିକ୍ ମଦ ଆଉ ଦୁଧର ତଫାତ ପରି ସନ୍ଥ କବିର ଯାହା ଗାଇଥିଲେ ।

 

ଗୋରସ ଗଳି ଗଳି ଫିରେ

ସୁରା ବଇଠି ବିକାୟ ।

 

–କ’ଣ ହେଲା ?

 

–ହେଲା ପରା । ସରଳ, ସୁନ୍ଦର, ସଣ୍ଠଣ, ହେଇ ଗାଈ ଦୁଧ ହେଇଥିଲୁ । ତତେ ନେଇ ଗାଁକୁ ଗାଁ ଯଚେଇ କଲେ । ମଦ ପରି ହେଇଯା–ଏଇଠି ଘରେ ବସି ବିକ୍ରି ହୋଇ ପାରିବୁ । ନ ହେଲେ ବି ବରଟାଏ କିଣି ନେଇ ପାରିବୁ । ମୋର ମିତଣୀ କନକ ହେବ ଡାକ୍ତରାଣୀ କାନନ ଦେବୀ ।

 

କନକର ଛାତି ଦୁଲୁକିଲା । ଏତିକି ଶୁଣି ଉତଲା ହେଲୁଣି । ମନଟାକୁ ବାଂଧି ରଖିବୁ । ଚରିତ୍ର ଆପଣା ଛାଏଁ ପବିତ୍ର ରହିବ । ତୁଣ୍ଡର କଥା ଓ ଉପରଠାଉରିଆ ବ୍ୟବହାର କାହାରିକୁ ଖମାରେ ପକାଇ ନାହିଁ । ଏଇ ନିଆଁ ଲଗା ମନର କାମନା ଯାହା ବିପଦରେ ପକାଏ ।

 

–ଆହା, ମୋର ନିରିମାଖି କାମନା ଲୋ,

ଯେତେ ମୁହିଁ ତତେ ଚକଟିଲି ପାଦେ

ଆଶାର ମରଣ କାହିଁ ହେଲା ଅବା କହ ?

 

–ଠିକ୍‌ କହିଲ ମ ଅପା । ସବୁ ଉଲୁଗୁଣା ଅପବାଦ ଏଇ ପୋଡ଼ା ମନର ମିଛ କାମନା ପାଇଁ । ସେଇ କାମନାକୁ ମିଛ ବୋଲି ଜାଣି ସୁଦ୍ଧା ମନେ ରହେ ନାହିଁ ବୋଲି ସତରେ କାନ୍ଦିବାକୁ ପଡ଼େ ।

 

–ସେମିତି ସବୁଠାରେ । ଠାକୁରଙ୍କୁ ଖୋଜ, ମନର ଦେବତାକୁ ଖୋଜ, ଭାଗ୍ୟ ଦେବତାକୁ ଖୋଜ ଅବା ଚାକିରି ଉନ୍ନତି ପାଇଁ ବଡ଼ ହାକିମଙ୍କୁ ଖୋଜ ନ ହେଲେ ପତିଦେବତାଙ୍କୁ ଖୋଜ, ସବୁଠାରେ ଗୋଟିଏ ଭଜନ........

 

ଏକୀ ବିରହିଣୀ ବୈଠୀ ଜାଗୁଁ...

ନ ହେଲେ ବସି ଗାଉଥିବୁ–

ଥାପିବାକୁ ତୁମ୍ଭମୁରତି ମୋହର

ହୃଦୟରେ ନାହିଁ ସ୍ଥାନ

ସୋରିଷ ଗର୍ଭରେ ରହି କି ପାରଇ

ହିମାଳୟ ସାନୁମାନ ?

 

–ଆହା, ଏଇ ସଂସାରରେ କେତେ ଦୁଃଖ ?

 

–କଳିକାଳ ପରା । ସେଇ କଳିକାଳ ପୁଣି ଭୋଗ ହେଇଗଲାଣି କେତେ ନାହିଁ କେତେ......

 

ସାଧନା ଆଉ ଧର୍ମପାଳନା ହୋଇଯିବ ଅତି କ୍ଷୀଣ

ଧର୍ମଛଡ଼ା ହୋଇ ଲୋକେ ହେବେ ନାରୀବଶ–ପରାୟଣ

ତେଣୁ ଭାର୍ଯ୍ୟା ହେବ ସ୍ଵାମୀର ବିରୋଧି ସତ ହୋଇଯିବ ଦୂର

ଅହର୍ନିଶି କଷ୍ଟ ଭୋଗୁଥିବ ରହି ଜନ୍ମରୁ ମରଣ ଯେତିକି ଦୂର ।

 

–ହଁ ମ, ଅପା । ଏଇ କଳିକାଳ ପାଇଁ ବୃଥାରେ ହନ୍ତସନ୍ତ । ଆଗ ଯୁଗରେ ଲୋକେ କେଡ଼େ ଆନନ୍ଦରେ ନ ଥିଲେ ଟି ?

 

–ଉପରେ ବରଡ଼ା ହସୁଛି

ତଳ ବରଡ଼ା ଖସୁଛି

ମଝି ବରଡ଼ା ଥାଇ କହୁଛି

ମୋ’ ଦିନ କାଳ ଆସୁଛି ।

 

ଏମିତି ଖସି ଖସି ଆସିଲା ସତ୍ୟ ଯୁଗରୁ ତ୍ରେତା–ତ୍ରେତା ଯୁଗରୁ ଦ୍ଵାପର । ଦ୍ଵାପର ଯୁଗରୁ କଳିଯୁଗ । ଧର୍ମ ଆଜି ବି କ’ଣ ସେମିତି ଊଣା ହୋଇ ଆସୁନି ? ହେଲେ ବି ଯେଉଁ ପୂର୍ଣ୍ଣକୁ ସେହି ପୂର୍ଣ୍ଣ ।

 

ପୂର୍ଣ୍ଣ ଯେ ପୂର୍ଣ୍ଣ ତାହା ଜାଣ

ପୂର୍ଣ୍ଣରୁ ପୂର୍ଣ୍ଣ ଯେ ଉତ୍ପନ୍ନ ।

 

ପୂର୍ଣ୍ଣରୁ ପୂର୍ଣ୍ଣ ନିଅ କାଢ଼ି

ପୂର୍ଣ୍ଣହିଁ ରହେ ଶେଷେ ପଡ଼ି ।

 

ହେଲେଟି ପୂର୍ଣ୍ଣ ଦରଶନ

ନ ରହେ ଅଶାନ୍ତିର କାରଣ ।

–ଓଃ, ବୁଝି ହେଉ ନାହିଁ ।

–ମନେ ରଖିଥା । ମନେ ପଡ଼ିବ ଯେ ବେଳ ଓ ଅବେଳରେ । ମନ ଅଶାନ୍ତି ହେଲେ ଏଇ ଶାନ୍ତିମନ୍ତ୍ରକୁ ମନେ ମନେ ଜପିବୁ । ଅଶାନ୍ତି ଚାଲିଯିବ । ଯାହା ମନ ଖୋଜୁଥାଏ ସେଇ ଜିନିଷ ନ ମିଳିବା ହେଉଛି ଅଶାନ୍ତି । ସେଇ ଅଶାନ୍ତି ଦେବଦେବୀଙ୍କର ଥିଲା । ଯୁଗଧର୍ମରେ ବି ଥିଲା । ଶୁଣିଥା–

ସତ୍ୟ ଯୁଗର, ଲୋକେ

ଧର୍ମରେ ରହି ସତ ପାଳନ୍ତି

ସତ୍ ମାର୍ଗରେ ଥାଇ ତୀର୍ଥ କରନ୍ତି ।

ତ୍ରେତା ଯୁଗରେ, ଲୋକେ

ତପତୀର୍ଥ ଦାନ କରି ଧର୍ମ୍ମ ପାଳନ୍ତି

ରାଜାମାନେ ଯଜ୍ଞରେ ମନ ବଳାନ୍ତି ।

ଦ୍ଵାପର ଯୁଗରେ ଲୋକେ

ପ୍ରଳାପୀ ଚପଳ ହୋଇ ଧର୍ମ ଅଧର୍ମ ନ ମାନନ୍ତି

ଯେଡ଼େ ଜ୍ଞାନୀ ହେଲେ ବି କପଟୀ ହୁଅନ୍ତି ।

 

–ବାଃ, ରାମରାଜାଙ୍କର ତ୍ରେତା ଯୁଗରେ ଆଉ କୃଷ୍ଣଙ୍କର ଦ୍ଵାପର ଯୁଗରେ ବି ଏମିତି ଅଶାନ୍ତି ଆସୁଥିଲା ? ସେଇ ପୂର୍ଣ୍ଣଟା କ’ଣ କହିଲ ।

 

–ନାରୀ ଯେ ନାରୀତ୍ଵ ତାହା ଜାଣ

ନାରୀରୁ ନାରୀତ୍ଵ ଯେ ଉତ୍ପନ୍ନ ।

 

ନାରୀରୁ ନାରୀତ୍ଵ ନେଲେ କାଢ଼ି

ନାରୀହିଁ ରହେ ଶେଷେ ପଡ଼ି ।

 

ହେଲେ ସତ୍‌ନାରୀ ଦରଶନ

ନ ରହେ ଅଶାନ୍ତି କାରଣ ।

 

କନକ ହସିଲା । ଏଡ଼େ ମଜ୍ଜାରେ ଅପା ଧର୍ମ କଥାକୁ ଘରୁଆ କଥାରେ କହି ପାରିଲ । ସୁତପା ହସି କନକର ପିଠି ଥାପୁଡ଼ାଇ କହିଲା–ଠାକୁରଙ୍କ ସ୍ଥାନରେ ମଣିଷକୁ ଥାପିଦେଲେ ସବୁ ତତ୍ତ୍ଵ ପାଇ ହେବ । ନିଜର ବାପ ମା, ସ୍ଵାମୀ ପିଲା, ଭାଇ ଭଗାରି ଏପରିକି ପରପୁରୁଷକୁ ମନରେ ଧାରଣା କରି ଭାବି ପାରିଲେ ଈଶ୍ଵରଙ୍କୁ ଦେଖି ହେବ । ...ହସିବୁ ନାହିଁ । ଇଏ ହେଲା ଅନୁଭବର କଥା.....ପୂର୍ଣ୍ଣ ସ୍ଥାନରେ ନାରୀତ୍ଵ ପଢ଼ିଲେ ଯାହା । ସତୀତ୍ଵ ପଢ଼ିଲେ ବି ସେଇଆ ।

 

–ଆଜି ମୋର ଛାତି କୁଣ୍ଢେମୋଟ ହୋଇଯାଉଛି ।

 

–ରଖ୍‌ ମ । ସେ କଥାଗୁଡ଼ାକ । ଏଗୁଡ଼ାକ ପୁରୁଣା କଥା । ଏବେ ଛାତି ଚଉଡ଼ା ମୋଟେ ଚାଖଣ୍ଡେ ଅବା ଆଉ ଚାରି ଆଙ୍ଗୁଳି । ଫୁଲିବାକୁ ଧଡ଼ କାହିଁ ଯେ କଥା ଶୁଣିଲେ ତୋର ଛାତି କୁଣ୍ଢେ ମୋଟ ହେଇ ଯାଉଛି ? ଏବେ ପରା ଆନିକଟ୍ ବସି ନଈ ପାଣିକି କଣ୍ଟ୍ରୋଲ କରି ପଠାଇଲା ପରି ଆମର ଦେହ ଛାତି ସବୁ ନଅଙ୍କିଆ ହେଲେଣି । ନିଶ୍ଵାସ ମାରିବାକୁ ଛାତି ଭିତରେ ଜାଗା କମିଯାଉଛି ବୋଲି କୁକୁର ପରି ଧକେଇବା ଶିଖିଲେଣି ।

 

–ହେଃ ।

 

–ଘେନାଇ ଆମ୍ଭେ ଯେତେ କହିଲୁ

 

କେବେ ଘେନିଲୁ ନାହିଁ ବାଳା ପହିଲୁ,

ଘନ ପୀନସ୍ତନା ଆଲୋ ଚାରୁବେଣୀ

ଘେନାଘେନି କେତେ ଜାଣୁ ପୁଣି ?

 

–ୟା’ର ବି ଏ ଯୁଗରେ ଆଉ କ’ଣ ଦାମ୍ ? ଘନ ପିନସ୍ତନା ହେବା ପାଇଁ ଥୋକେ ନାନାପ୍ରକାରର ଗଦିଛାଉଣୀ ସ୍ତନ–ଉତ୍ତରୀ ଖୋଜି ବୁଲିଲେଣି ।

 

କନକ ଚାହିଁଲା ନିଜ ଆଡ଼େ ।

 

–ସେଠି ନୁହେଁ । ଲୁଗା ଦୋକାନରେ ଭିଡ଼ ଠେଲୁଛନ୍ତି–କାହାର ସ୍ଵାମୀ ଅବା ସଖା । ଦୋକାନୀ ସାଇଜ୍ ମାପ ପଚାରିଲେ ଗାଲରେ ନାଲି ଚହଟୁଛି–ଗେଣ୍ଡୁ ଓ ମନ୍ଦାର ଫୁଲର ମାପ । କିଏ କହୁଛି ଲେମ୍ବୁ ଅବା ଟେନିସ ବଲ୍ ମାପ । ଦୋକାନୀ ସଂକୋଚରେ ପଚାରୁଛି ଗଙ୍ଗାକୂଳିଆ ନା ଟଭା ? ...ଆଉ କେଉଁଠି ଦୋକାନୀ କହୁଛି–ଦୁଧ ମପା–ଛଟାଙ୍କି ନା ଅଧପା ? କେଉଁ ମାପ ବାଛି ନିଅ ।

 

–ଯା, ଏମିତି କ’ଣ କଥା କହନ୍ତି ଦୋକାନରେ ?

 

–ମରଦ ଦୋକାନୀ–ମରଦ ଗରାଖ । ଚଢ଼ା–ଉତ୍ତାର ଭିତରୁ ଯାହା ରସ ଝରିଲା । ...ଏଣେ ଘରେ କଳି । ଭାର୍ଯ୍ୟା ତା’ର ଖାଉନ୍ଦକୁ ନପାରିଲା ବେଇକୁବ୍ ବେଲି ଗାଳି ଦେଉଛି...ଚାଲିଛି ତ ।

 

–କ’ଣ ମିଳୁଛି ସେଥିରୁ ?

 

–କଳିଯୁଗରେ ପରା ନାରୀ ନାରୀତ୍ଵ ହରାଇବେ । ମାରୁଆଡୀମାନଙ୍କର ମାଳିକାରେ ଲେଖା ଅଛି ଯେ ଯୁଗ ଶେଷ ବେଳକୁ ବାସନା ମହକ ରହିଯିବ ଯାଇ ମୁଣ୍ଡ ବାଳରେ–ନାରୀୟୋଁ କା ଶୃଙ୍ଗାର କେଶୋମେ...କ’ଣ କରାଯିବ କହ ? ସାରା ଭାରତରେ ଏଇ ଅବସ୍ଥା । ସେଥିପାଇଁ ମୁଁ କହେ–ଆମର ପୁରୁଣା କଥା ସବୁ ଅକାମି । ଥାଉ, ଚାଲ ଆମର ମୁଣ୍ଡ ବାନ୍ଧିବା । ଆଜି ଅଛି ଯୁଦ୍ଧ ।

 

–କି ଯୁଦ୍ଧ ?

 

–ସକାଳୁଆ ମେଘ ହେଇଗଲା । ଛେଳି ଲଢ଼େଇ ହବ ।

 

କଳିଯୁଗ ଆଜି ସରିବ

ଭୂମିକମ୍ପ ହେବ ଧରଣୀ ଫାଟିବ

ଉଠିବେ ମା ସହସ୍ରଭୁଜ ।

 

–କଳିକାଳ କ’ଣ ସରିବ ?

 

–କେଜାଣି କହୁଛନ୍ତି ତ ସରିବ ବେଲି । ସୂଚନା ଦେଉଛନ୍ତି ।

 

–କ’ଣ ?

 

ବଡ଼ ଦେଉଳରୁ ମୋର ଖସିବ ପଥର

ବସିବ ଗୃଧ୍ରପକ୍ଷୀ ଅରୁଣ ଖମ୍ବର ।

 

ସମୁଦ୍ର କୂଳ ଲଙ୍ଘିବ ବତାସ ବହିବ

କଳପ ବଟ ମୋର ଭାଙ୍ଗି ପଡ଼ିବ ।

 

ନୀଳାଚଳ ଛାଡ଼ି ମୁହଁ ଚାଲିଗଲା ବେଳେ

ରତ୍ନ ଚାନ୍ଦୁଆରେ ଅଗ୍ନି ଲାଗିବ ତେତେବେଳେ ।

 

–ଭଗବାନଙ୍କର ଇଚ୍ଛା ।

 

–ଠାକୁର କ’ଣ କରିବେ ? ମଣିଷ ତ ଆରମ୍ଭ କରିବ ।

 

ଚଷିବେ ଗୋଚର ଦଣ୍ଡା, କେହି ନ ମାନିବେ,

ଝାଡ଼ବାଡ଼ ଭାଙ୍ଗି ପ୍ରଜା କୃଷି ଆରମ୍ଭିବେ ।

 

ଏଣେ–ଛନ୍ଦ କପଟରେ ଲୋକେ କୁଟୁମ୍ବ ପାଳିବେ,

ଠାବେ ଠାବେ ଦେବାଦେବୀ ଅପୂଜା ରହିବେ ।

 

ପୁଣି–ଟାଣ ନ ରହିବ କାର, ହେବେ ଅଣାୟତ୍ତ,

ଦେଖୁଁ ଦେଖୁଁ ଟଳିପଡ଼ୁଥିବେ, ହେବୁ ଆଚମ୍ବିତ ।

 

ଜଳ ନ ବରଷି ମେଘ ଉଠାଇ ଆସିବ,

ଢାଳେହେଁ କାହାର ଜ୍ଞାନ ବୁଦ୍ଧି ନ ରହିବ ।

 

ଫନ୍ଦା କରିଥିବା କୃଷି ବୋହିନେବେ ଆନ,

ମହାନଦୀ ଜଳ ନିଶ୍ଚେ ଆସିବ ଉଠିଣ ।

 

କନକକୁ ଭୟ ଲାଗିଲା । ସତରେ ଯଦି ସେମିତି ହବ ତେବେ ଏଇ ଟିକି ଜୀବନର ଚିହ୍ନବର୍ଣ୍ଣ ରହିବ ନାହିଁ । ସେ ଚେଲାପରି ଗୁରୁଙ୍କୁ ପଚାରିଲା–କ’ଣ କରିବା ?

 

–କିଏ ଜାଣେ ଲୋ କନକ । ଯୁଗର ଲକ୍ଷଣକୁ ଆମେ କ’ଣ ଲେଉଟାଇ ପାରିବା ? ଆମ ମାଇପିଙ୍କ ବିରୁଦ୍ଧରେ ବେଶି କଥା ଅଛି–

 

ନମାନିବେ କୂଳବଧୁ ଶାଶୁ ଶଶୁରଙ୍କୁ

ନମାନିବେ ପୁଅଝିଅ ବାପମାଙ୍କ ବୋଲକୁ,

ନାରୀମାନେ ଗୁପ୍ତେ ଅନ୍ୟ ପୁରୁଷ ରମିବେ

ଘୋର ପାପେ ସର୍ବେ ନାଶ ଯିବେ ।

 

–ଦେ, ଏ ସବୁ ଭିଆଣ କାଢ଼ି ନିଜର କରିବା କାମକୁ ବନ୍ଦ କଲୁଣି ନା ?

 

–ଭାରି ଭଲ ଲାଗୁଥିଲା । ମୁଁ ଯାଇ ଏଇଛୁଣିକା ସବୁ ଜିନିଷ ନେଇ ଆସୁଛି । ମୁଣ୍ଡକୁ ଖୋଲୁଥାଅ ।

 

–ଆଣ୍‌ ଆଣ । ଏମିତି ଖୋସାମତିଆ କଥା କହି ସମସ୍ତେ ସମସ୍ତଙ୍କର ମନକୁ ବିଗାଡ଼ନ୍ତି-। ନିଜର କର୍ତ୍ତବ୍ୟ ହଜିଯାଏ । ମଣିଷ ନିକର୍ତ୍ତବ୍ୟ ହେଇପଡ଼େ–ବେଳ ଯାଉଛି ପରା...

 

–ଏମିତି କ’ଣ ମ ? ଖରାକୁ ଚାହିଁଲ କେତେବେଳ ହେଇଛି କି ?

 

–ବୁଝିବୁ କେମିତି ? ଆଜି ପରା ତୋରି ଭାଇଙ୍କର ମନ ନେବାକୁ ହେବ । ସେ ରାଗ କରି ରୋଷ ହେଇ ଯାଇଛନ୍ତି । ତାଙ୍କର ପରା ଆମ ବିଷୟରେ ଖରାପ ଧାରଣା ହେଇଗଲା ।

 

–ହେଲେ, କ’ଣ ହେଇଗଲା ? ଆମେ କ’ଣ ଖରାପ ହେଇଗଲୁ ?

 

–ଅନ୍ୟର ଧାରଣା ଘେନି ପରା ଏବେ ମଣିଷ ଭଲ କି ଖରାପ ହେଉଛି । କେବେ ସିନା ଥିଲା ଯେ ମଣିଷ ନିଜେ ନିଜେ ଭଲ ଓ ଖରାପ ହେଉଥିଲା । ଏବେ ସେ ଦିନ କାହିଁ ? ତମେ ଯେଡ଼େ ଭଲ ହେଇଥାଅ, ପାଞ୍ଚ ତୁଣ୍ଡରେ ଛେଳି ହେଇ କୁକୁର ପାଲଟିବ । ସେଇଥିପାଇଁ ମୁଣ୍ଡ ସଜଡ଼ା ।

 

–ସେଥିରେ କ’ଣ ହେବ ?

 

–ନିଜେ ତୋରା ତାରିଫ୍‌ ଦିଶି ପାରିଲେ ହେଇଯିବୁ ଚନ୍ଦ୍ରମୁହୀଁ । ଚାନ୍ଦମୁହୀଁ କ’ଣ, ହେଇଯିବୁ ଆସମାନ୍‌ ଚାନ୍ଦ । ଗଣ୍ଡାଏ ଛ’ଟା କଳଙ୍କ ବାହାରିଲେ ସିଏ ପରା ହେବ ଚାନ୍ଦର କଳଙ୍କ । ସୁନ୍ଦରୀର କ’ଣ କଳଙ୍କ ଥାଏ ?

 

କନକ ହସରେ ଲାଲ ପଡ଼ିଗଲା ।

 

–ଯା, ନାଲି ମାରିଯା । ଏତିକିରେ ନାଲ୍‌ । ବୟସ ହେଲେ ଦେଖିଯିବୁ ବୁଡ଼ନ୍ତା ଉଠନ୍ତା ସୂର୍ଯ୍ୟଦେବତାଙ୍କ ପରି ନାଲି ମାରିଲେ ବି ଲୋକେ ଚାହିଁବେ ନାହିଁ । ହେଲେ ବି ମନେ ରଖିଥିବୁ ଯେ ମାଇପି ଦେହ ଥିବା ଯାଏ ସୁନ୍ଦର ରହିବାକୁ ପ୍ରାଣପଣେ ଲାଗିବୁ । ଆମକୁ ସୁନ୍ଦର କରେ ଆମର ଏଇ ମୁଣ୍ଡର ବାଳକେରାକ–

 

–ଆମେ କି ଜାଣୁ, ୟା’ର ଭେଦ ?

 

–ବିଧାତା ଭାରି ନବଜିଆ କିନା ଆମକୁ ବେଙ୍କାଏ ବାଳ ଧରାଇ ଦେଇଛି । ୟା’କୁ ନେଇ ସଂସାରରେ ସମସ୍ତଙ୍କୁ ଗଞ୍ଜୁଥା ଆଉ ନିଜେ ଭୋଗୁଥା । ଯିଏ ଆସିଲା ଚୁଟି ଭିଡ଼ିଲା–କିଏ ଗେଲ ସୁଆଗ କରିବାକୁ । ଆଉ କିଏ ପିଠିରେ ଦି’ପୁଞ୍ଜା ଥୋଇବାକୁ । ବଡ଼ ମଜ୍ଜାଦାର ହତିଆର–ଆ, ବାନ୍ଧିଦେ ।

 

ବାନ୍ଧି ଦେ ମୋ ମୁଣ୍ଡେ ମୟୂର ଚୂଳ

ମନେ ପଡ଼ିଲାଣି ଯମୁନାକୂଳ

 

–ଲମ୍ବା ଲମ୍ବା ହାତ ଚଲା । କ’ଣ ଗୀତ ଶୁଣିବୁ ନା କ’ଣ ?

 

–ତମେ ବୋଲୁଥାଅ । ମୁଁ ଜଟା ଛଡ଼ାଉଛି ।

ଲୋଟଣୀ କରି ବେକତଳକୁ ବାନ୍ଧିବୁ ଜୁଡ଼ା

କରିଥିବୁ ତହିଁରେ ଫୁଲ କିଆପତ୍ର ବେଢ଼ା

ଉପମାକୁ ଦେବୁ ଆଉ କାହା ପରସଂଶାରେ ?

 

ତୁଲ୍ୟ କରି ନାହିଁ ବିଧି ତା’କୁ ସଂସାରେ ।

 

–ସତେ ନା ।

 

–ଲୋଟଣି ଜୁଡ଼ା ସବୁଥିରେ ସରସ । ମାଇପଙ୍କର ମୁଣ୍ଡବାଳର ଜୁଡ଼ାକୁ ଦେଖିଲେ ସେ କ’ଣ ଭାବୁଛି କି କରୁଛି ଜାଣିହେବ । ମୁଣ୍ଡର ଜୁଡ଼ାକୁ ସାମାନ୍ୟ ମନେକରିବୁ ନାହିଁ ।

 

ବେକଷଣ୍ଢା ନିକଟକୁ କମନୀୟ ଜୁଡ଼ା

କେତକୀ ପାଖୁଡ଼ା ବେଢ଼ା ନାରୀ ଘରବୁଡ଼ା ।

–ହଁ, ନା ?

–ତୁ ତ ମୋରିପରି ମାଇପିଟାଏ । ତୁ କ’ଣ ଜାଣିବୁ ଫୁଲଟିଏ ହେଇ ଫୁଲର ଆଦର ? ଫୁଲର ପ୍ରମାଣ ହେଲେ ଅଳି–ଭ୍ରମର । ପ୍ରେମିକ ନାଗର; ଆଉ ଥୋଡ଼ା ଥୋଡ଼ା ସ୍ଵାମୀ ଦେବତା ସେତକ ଜାଣନ୍ତି ଅବା ଜାଣିବେ ।

–ଥୋଡ଼ା ଥୋଡ଼ା କ’ଣ ?

–ଆଲୋ, ଗିରସ୍ତ ଦେଖୁଛି ଭାରିଜାକୁ ସଦାବେଳେ । ବେଦି ଭିତରୁ ମହାଳିଆ ଉଠାଇ ଆଣିଛି । ମାସୁଲ ଦେଲା ନାହିଁ । ଓଲଟି ଗାଈ ସାଙ୍ଗରେ ବାଛୁରୀ ନେଲା ପରି କନିଆଁ ସାଙ୍ଗରେ ଯୌତୁକ ନେଇ ପାର...ସେ ଭାବୁଛି ଭାରିଯା ହେଲା ତାହାର ଅନାବାଦୀ ପତିତ ଜମି । ସେ କାହିଁକି ଭାରିଯାର ସୁନ୍ଦରପଣ ଅବା ଜୁଡ଼ାର ଖାତିର କରିବ ?

–ଆଉ କିଏ କରିବ ?

–କରିବେ ବାହାରର ଲୋକ । ସେମାନେ ହେଲେ ଦେବତା–ବାସନା ଭୋଗରେ ତାଙ୍କର ଅଧିକାର । ତାଙ୍କରି ହସ ଟିକକ ପାଇଁ ସିନା । ନହେଲେ ଭୂତମୁଣ୍ଡି ହେଲେ କ’ଣ ବର ପଳାଇବ କି ?

 

–ମୁଁ ଆଉ ମୁଣ୍ଡ ବାନ୍ଧି ଦେବି ନାହିଁ ।

 

–ପତର ସଅରୁଣୀ ହେଇ ତୋଟା ମୁଲ କରୁଛୁ କାହିଁକି ? ତୁ ମୁଣ୍ଡଟାକୁ ଚିରୁଣୀରେ ରାମ୍ପି ଦେଇ ସେଥିରେ ତେଲ ଘସ । ଏବେ ତତେ ସେତିକି କାମ ଦିଆ ହେଉଛି । ସେଇ ମୁଣ୍ଡ ବନ୍ଧାର ଦାମ୍ କିଏ ବୁଝିବ ଆଉ କେତେବେଳେ ବୁଝିବ ସେ କଥା ତୁ ଭାବୁଛୁ କାହିଁକି ?

 

କନକ ରୁଷିଲା । ମୁହଁ ତାର ଥମଥମ ହେଇଗଲାଣି ।

 

–ଏଇ କଥାକୁ ଛଳ ? ତତେ ଏଇ ଦିହକ ଭିତରେ ଲୋକେ ବାରବନିତାଠାରୁ ଆରମ୍ଭ କରି ସୀତା ଯାଏ ଲକ୍ଷେ ଗୁଣରେ ସଜାଇ ଡାକିବେ । ସମସ୍ତଙ୍କ କଥା ସହିବୁ ବରଡ଼ାଳ ପରି...ଆଗପରି କ’ଣ ଲାଜକୁଳୀ ଲଟା ସାଜୁଛୁ । ତୁ ପରା ଅପରାଜିତା...

 

–ଆମେ ଆମର ସେଇ ଲାଜକୁଳୀ ଲଟା । ସିଏ ଭଲ...

 

–ହେଲା ମ । ବଡ଼ ଦେଉଳରୁ କେଜାଣି କେତେ ସୁଆଦିଆ ପିଠାର ନାଁ ଉଠିଗଲାଣି । ଆଉ ଆମର ବଛରାଇ ଗାଁ ଭିତରୁ କନି ଚିଲଉଛି କଅଁଳ ଲାଜୁରୀ ହେବ । ଏବେ ଆଗ ଲାଜ ଅଛି ନା ?

 

–କୁଆଡ଼େ ଗଲା ?

 

–ଲାଜ ସଂକୋଚ ପରା ଲୁଚିଲାଣି କାଞ୍ଜି ହାଣ୍ଡିରେ ରସ ପରଶୁଣି ପରି ।...ସରମେ ଭରମି ଯିବୁ ନାହିଁ...ଏଇ ବୋଲି ଆଉ କାହାରି ପସନ୍ଦ ହେଉ ନାହିଁ । ଇଏ କହୁଛି ତା’କୁ–ମୁଁ ଯେମିତି ତୁ ସେମିତି । ବର ହେଲାଣି ମଇତ୍ର । ସେ ପରା ଏବେ ଦେବତା ଗୁରୁ କାମ ଛାଡ଼ି ହେଲେଣି ଗୁରୁ ଭାଇ ଓ ସାଙ୍ଗ । ଲାଜକୁଳୀ ଲଟା ହେବୁ କେଉଁଠି ? ଏବେ ପରା ଲାଜକୁଳୀ ଲଟା ଡାକିଲାଣି ଗଛକୁ–ଆ, ଆ, ତତେ ମୁଁ ମନ ଭରକେ ଖାଇତେ ଦେବି ।

 

ଗଲାଣିତ ଗଲା କଥାରେ ସଙ୍ଗାତ

ଗଲାଣି ତ ଯିବା କଥା

ଗୁପତେ ସିନା ମୁଁ ତତେ କହିଦେଲି

ବଳି ପଡ଼ିବାକୁ ବ୍ୟଥା

 

ଗଙ୍ଗାରୁ ବିଷଦ ଗଭୀର ତୋ ହୃଦ

ଗଣ୍ଠିଧନ ତୋର ସ୍ନେହ

ଗୋଡ଼ ଖସି ଖେଦ ଦେବାର ଦରଦ

ଉପାୟ ଏବେ ତୁ କହ ?

 

–ମାଇପେ ଏଡ଼େ ଅଲାଜୁକୀ ହେଲେ କେମିତି ?

 

–କ’ଣ ଆଉ କରନ୍ତେ ? ସମସ୍ତେ ଯାଇ କ’ଣ ନିଆଁ ପାଣିରେ ଝାସ ଦିଅନ୍ତେ ? ତାଙ୍କୁ ଖୋଜି ଲୋଡ଼ି ନେବାକୁ ପଣେ କାହାଣେ ପୁରୁଷ ଆସିଲେ ସିନା ସ୍ଵୟମ୍ବର ହୁଅନ୍ତା ? ଏବେ ତ ପଚିଶି ବର୍ଷ ବେଳୁ କାହାର ଧ୍ଵଜା ଖସିଲାଣି ତ କାହାର ଆଖିକି ଜୁଳୁଜୁଳା ମାରିଲାଣି । ଏଣେ ବଜାରରେ ହମ୍‌ଦରଦ ଦୱାଖାନା’ର ହାକିମ୍ ଔଷଧ ଅବା କବିରାଜଙ୍କର ବସନ୍ତକୁସୁମାକର ପାଇଁ ଖୋଜା ଲୋଡ଼ା ଚାଲିଛି । ଲାଜକୁଳୀକୁ ପଚାରେ କିଏ ? ଏଣେ ସେ କାଞ୍ଜିଆ ହେଲାଣି ।

–ଆଚ୍ଛା ।

–ମରଦ ବଢ଼ିଲେ ସିନା ବିରହିଣୀ, ଭୀରୁ ନାୟିକା ବଢ଼ିବେ । କହିଲି ପରା ମରଦଙ୍କର ଦାନ୍ତ ପଡ଼ି ଯାଇ ନକଲି ଦାନ୍ତ ଲାଗିଗଲାଣି । ଆଖିର ତେଜ ଦବିଗଲା ଯେ ପରଚକ୍ଷୁ ଲଗାଇଲେଣି-। କହୁଛନ୍ତି ଅଭ୍ରକ ଖଣି ଆଦି ପଟା ନେବେ । ଫୁରୁସତ୍ ତାଙ୍କୁ କାହିଁ ? ସେଥିପାଇଁ ଚିତ୍ରାଙ୍ଗଦାମାନେ ବାହାରିଲେଣି ବାଟ ଆଗୁଳାଇ–ଆମେ ବି ଖଣି ପଟା ନେବୁ । ତେବେ ଗୋଟାଏ ସର୍ତ୍ତ ରହିଲା ଆମ ଭିତରେ ।

–କ’ଣ ସିଏ ?

–ସେଇ ମ । ମହାଭାରତରେ ବି ଥିଲା । ସେମାନେ ୟା’କୁ ଟିକିଏ ଯୁଗର ଉପଯୋଗୀ କରି ଦେଇଛନ୍ତି । ପୁରୁଷ ବି ସୁଖୀ ଆଉ ସ୍ତ୍ରୀ ବି ଖୁସି ।

ଶୋଭା ଦେଖି ଆଖି ରହିଯାଏ ଲାଖି

ପକ୍ଷୀ ଯେମନ୍ତ ଅଠାରେ ।

–ଆଗେ ସବଳ ଲୋକ ଦୁର୍ବଳ ମନ ନେଇ ଯେମିତି ଏଇ ଅଠାକାଣ୍ଡିଆରେ ଧରା ହେଉଥିଲେ ଏବେ ସେମିତି ଦୁର୍ବଳ ଲୋକ ସବଳ ମନ ନେଇ ଧରା ହେଉଛନ୍ତି । ଏଣେ ସ୍ତ୍ରୀ’ ଚୁଲି ମୁଣ୍ଡରେ ରାନ୍ଧିଲା ବେଳେ ଭାବୁଛି ।

 

ଭୋକର ବେଳରେ ଯେ ଅନ୍ନ ନ ଦିଅଇ ପାଞ୍ଚି

ଅଭୋକ ବେଳରେ ସେ ଅନେକ କରି ଯାଚି ।

 

ଭାତ ହାଣ୍ଡି ଏଣେ ଟକମକ ହେଇ କଥା କହୁଛି...

ଅଫୁଟି ଫୁଟିଲା

ଫୁଟି ବାସକଲା

ଚିପାଚିପି ବେଳ ହେଲାରେ

ଅରୁଆ ଭାତକୁ ଗାଳରେ

ଚଟୁକୁ ପୁରାଇ ମୁଣ୍ଡକୁ ନୁଆଁଇ

ତତଲା ପେଜକୁ ଜଗରେ ।

 

–ଯାଅ ମ । ବାୟାଣୀ ଅପାଟାଏ । ମହାଭାରତରୁ ଅରୁଆ ଭାତକୁ ଚାଲି ଆସୁଛ କେମିତି କେଜାଣି ?

 

–ଓଃ, ମହାଭାରତ ଅଶୁଦ୍ଧ ହେଇଗଲା ନା ?

 

ଗଙ୍ଗା ବୋଲି ମତେ ବୋଲୁଥିବୁ ଅନୁବ୍ରତେ

ଗାଙ୍ଗୀ ବୋଇଲେ କଦାପି ନ ପାଇବୁ ମତେ ।

 

ସେଇଟା ଏବେ ହେଇଗଲା–

 

ସତୀ ବୋଲି ମତେ ଜାଣୁଥିବୁ ଅନୁବ୍ରତେ

ଅସତୀ ଭାବିଲେ ଥରେ, କଦାପି ନ ପାଇବୁ ମତେ ।

 

–ଏଣେ ଯେବେ କେହି ପଚାରୁଛି ତେବେ କନିଆ କହୁଛି ପ୍ରକାରେ ଓ ବରକୁ କେହି ସାଙ୍ଗ ପଚାରିଲେ ସେ କହୁଛି ଆଉ ପ୍ରକାରେ–କନିଆ କହୁଛି...

 

ମୋହରି ବଳଦ ଭାରି ଉଝଟ

ନିଇତି ଭାଙ୍ଗଇ ତାଟି କବାଟ ।

 

–ବର କହୁଛି । କ’ଣ କହିବି ସେ ଲାଜ କଥା । ପ୍ରେମ ସୁଧାନିଧି ବହିରୁ ଦି’ଧାଡ଼ିରେ ଜାଣିଯିବ...

 

ଏକ ସ୍ତନ ଚକାରେ ହସ୍ତ ନ୍ୟସ୍ତ

କଲେ ଆରକ ହୁଏ ଚମକିତ ।

 

ଏମାନେ ଏମିତି ପରସ୍ପରକୁ ସନନ୍ଦ ବାଣ୍ଟିଲାବେଳେ ଶୁଣାଯାଉଛି

 

ହଂସ ସଭାରେ ବକ ବସିଲେ ତେହ୍ନେ ଦିଶେ

ଯୁବା ସ୍ତିରୀଙ୍କି ଅଣପୁରୁଷା ତେହ୍ନେ ରସେ ?

 

ଆଉ ଅବା କେଉଁଠି କିଏ କହିଲାଣି–

ଖାଇବା ରଙ୍କୁଣୀ ଅଣ୍ଡାଳେ ହାଣ୍ଡି

ଟୋକା ରଙ୍କୁଣୀର ଅବେଳେ ପାଦାଣ୍ଡି ।

 

–ଆମେ ଏସବୁ କେବେ ଶୁଣୁ ନ ଥିଲୁ ।

 

–କାହିଁକି ଶୁଣିବ ? ଏଇସବୁ କ’ଣ ବିଲର ମୂଷା, ଚାଳର ଘରଚଟିଆ, କିଆ ଭେଡ଼ା ବିଲୁଆଙ୍କର ଥାଏ ନା ଚାହାଳୀର ଅବଧାନ ଅବା କୋଠିଆ ମୁଲିଆଙ୍କର ଥାଏ ? ଏସବୁ ହେଲା ବଡ଼ ଲୋକଙ୍କର ଧନୀ ଲୋକଙ୍କର, ଆଉ ପାଠୁଆ ଲୋକଙ୍କର ଅଡ଼ୁଆ–

 

ଅଳପ ଲୋକର ମତ

ବଡ଼ ଲୋକରେ ବିପରିତ ।

 

–ଆମରି ଜାଣିବାରେ...ଗାଁର ବଡ଼ କଥା

...ଦିନେ ମୋ ନେତ୍ର ପଥରେ

ପଡ଼ିଗଲେ ବାଙ୍କ ଚୁଳିଆ ଥରେ

ଆଜି ଯାଏ ମୋର ହୃଦୟ ଥରେ ।

 

–ଏଠି ଠିକ୍ ଓଲଟା । ହସି ସୁତପା କହିଲା–

 

ହରିଙ୍କି ସଦା ମୁଁ ଥାଏ ଅକଡ଼ି

ସେ ମୋରି ଘରେ ଗଲେଣି ବନ୍ଧାପଡ଼ି ।

 

+ + +

 

କାଳକ ଯାକ ହେବ ସଂସାରେ ଡକା

ଛଟକୀ ଟୋକିର ଚୋରି ଜୀବିକା ।

 

–କ’ଣ ହେଉଛି କାଳ ? ଚାଲ ପଳାଇବା...

 

–ହଁ ଲୋ–ଠିକ୍ କହିଲୁ ଯେ । ଯିବା କୁଆଡ଼େ ବଣବୁଦା ଲୁଚିବାକୁ ଗଛଟିଏ ନାହିଁ ପଚିଶି କୋଶରେ ।

 

ପଳେଇ ପଶିଲି ମାଉସୀ ଘର

ମାଉସୀ ମାଇଲା ଦି’ପାହାର ।

 

–ତେବେ ?

 

–ଦୁଆ ଧରିଥିବା । ପାଳି ଧରୁଥିବା । ଜୀଅ ଛୁଟିଗଲା ପରି ଚିଲଉଥିବା । ଓଡ଼ିଆରେ ସୁବିଧା ନ ହେଲେ ହିନ୍ଦୀ ଅବା ବଙ୍ଗଳାରେ ପାଟି କରିବା...

 

ଚଲୋ ମୁସାଫିର୍‌ ବାନ୍ଧୋ ଗଣ୍ଠରି

ବହୁତ ଦୂର ଯାନା ହୋଗା,

ପୁରାନା ତାମ୍ବୁରା ବଜାତା ଜାଉଙ୍ଗା

ଦରଦ ଭରା ଜଳନଭରା ଗାନା ସୁନାଉଙ୍ଗା...

ବାନ୍ଧ୍ ଗଣ୍ଠିଳି, ଚାଲ୍

ବହୁତ ଦୂରକୁ ଯିବାର ହାଲ୍

ପୁରୁଣା ଧୁଡ଼ୁକି ବଜାଇ ଚାଲ୍

ଚାଲ୍‌ରେ ଚାଲ୍ ।

ଗୀତ ବୋଲୁ ବୋଲୁ ମିତଣି ଚାଲ୍...

 

–ଇଏ ସୁବିଧା ନ ହେଲେ...

ଯେବେ ତୋର ଆତୁର ଡକା ଶୁଣି କେହି ନ ଆସେ

ତେବେ ଏକା ଚାଲରେ ଚାଲ

ଯେବେ ସଭିଏଁ ରହିବେ ମୁହଁକୁ ମୋଡ଼ି

ସଭିଏଁ ରହିବେ ତୋତେ ଡରି

ତେବେ ଠାକୁରେ ଚାହିଁ ନିଜକୁ ଆପେ ହୋଇ

ଚାଲ୍‌ରେ–ଏକା ଚାଲରେ ।

 

–ଏଣେ ଚାଲିଥିବ ନିନ୍ଦା; ଅପବାଦର ଶାହାନାଇ । ଟୋକି ପଳାଇଛି ଚାଣ୍ଡେ–ଏଇ ଗାଁ ଦାଣ୍ଡେ ଦାଣ୍ଡେ ।

 

–କାହିଁକି ? କନକ ପଚାରିଲା ।

 

–ଅତି ଲେମ୍ବୁ ଚିପୁଡ଼ିଲେ ପିତା ।

–ଦୁହିତା ଦୁଇକୂଳକୁ ହିତା ଆଉ ପିତା । ସେଥିପାଇଁ ମନେ ରଖିଥିବୁ କଥାଟିଏ–ନିଜ ବୁଦ୍ଧିରେ ପଛକେ ଘାସ କାଟିବୁ କିନ୍ତୁ ପର ବୁଦ୍ଧିରେ ଘୋଡ଼ା ଚଢ଼ିବୁ ନାହିଁ । ଯେଉଁ କଦମ୍ ଉଠାଇବୁ ଆଉ ସେହି କଦମ୍‌କୁ ଫେରାଇବୁ ନାହିଁ । କହି ପକାଇବା କଥାକୁ ପାଳିବୁ–ଫେରାଇବୁ ନାହିଁ । ଫାଶରୁ ଖସି ଯାଇଥିବା ଶିକାରକୁ ଫେରାଇ ଆଣି ପାଳିବୁ ନାହିଁ । ନିଜର ଆଖିରୁ ଝଡ଼ି ପଡ଼ିଥିବା ଲୁହ ଓ ପାଟି ଭିତରୁ ବାହାରି ଆସିଥିବା କୋହକୁ ଆଉ ଥରେ ଫେରାଇ ନେଇ ସାଇତିବୁ ନାହିଁ...ମନେ ରଖିଥିବୁ ।

ସଂସାର ଭିତରେ ଘର କରିଥିଲେ

ପଥର ପଡ଼ିଲେ ସହିଥାଇଁ ।

କନକର ହାତ ବନ୍ଦ ହୋଇଗଲାଣି କେତେବେଳୁ । ତାହାର ମନର କେତେ ଅନ୍ଧାର ଯେ କଟିଗଲାଣି ସେ ଜାଣେ ନାହିଁ । ସେ ଗୁଣୁଗୁଣୁ ହେଇ ନିଜକୁ କହୁଥିଲା–

ସଂସାର ଭିତରେ ଘର

ଅଧେକ ଆପଣା ଅଧେକ ପର ।

–ସେତିକି ଖାଲି ନୁହେଁ ମିତଣି–

ଘର ଲୋକ ଯେମିତି ହୋଇଯାଏ ପର

ପର ମଣିଷରେ ସେମିତି ହୋଇଥାଏ ଘର ।

କେହି ନୁହେଁ ପର କେହି ନୁହେଁ ଆପଣାର

କରମ ଅବଳ ବେଳକୁ ଆପଣା ପର ବିଚାର ।

 

–ଭାରି ଡର ମାଡ଼ୁଛି ଅପା ।

–ଡର ହେଲେ କଳିଯୁଗର ମନ୍ତ୍ରକୁ ଜପିବୁ । ସବୁ ଠିକ୍‌ ହେବ ।

 

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ

ହରେରାମ ହରେରାମ ରାମରାମ ହରେହରେ ।

 

ସୁତପା ଟିକିଏ ରହି କହିଲା–ଏଇ ତାରକ ବ୍ରହ୍ମନାମ ଅନେକ ଲୋକଙ୍କୁ କାମ ଦେଇଛି ।

 

ସଂସାର ସାଗର ଏହୁ ମୋହଜଡ଼ ଫାଶି ।

 

ଏଥକୁ ନାମ ନଉକା ହୋଇଅଛି ଆସି ।

 

ମାଇପି ଦେହରେ ଅନ୍ୟାନ୍ୟ ଅବୟବ ଯାହା ଯେମିତି କହନ୍ତୁ ନା କାହିଁକି ତାଙ୍କର ମୁଣ୍ଡବାଳ କଥା କହେ–ଆଗତ ଓ ଭବିଷ୍ୟତ । ଏତକ ଯିଏ ଯେତେ ଭଲ କରି ବୁଝେ ତାହାର ସେତିକି ଅଧିକ ସଂସାର ।

 

ଜାଣି ଜାଣି ନିଜକୁ ଅଯତ୍ନ କଲେ କାହାରିକୁ ‘ମହୀୟସୀ’ ମହାତ୍ମା ସାଠିଫିକେଟ୍ ମିଳେ ନାହିଁ । ତେବେ ଏଇଥିରୁ ଜାଣି ହୁଏ ନାରୀ କ’ଣ ଚାହୁଁଛି । ସେଥିପାଇଁ ଛୋଟରୁ ବଡ଼ ଘର ଯାଏଁ ସବୁଆଡ଼େ ଏଇ ଝିଅର ବାଳକେରାକ ଉପରେ ସମସ୍ତେ ରଖିଥାନ୍ତି ଆଖି ।

 

ଏଇ ମୁଣ୍ଡର ବାଳ କହିଦିଏ–ବାପ ମାଙ୍କର କଥା । ତାଙ୍କର ଦେହରେ ବଳ ଥିଲା କି ନାହିଁ । ଆଉ ବି କହିଦିଏ ଝିଅର କଥା–ସେ ସବଳ କି ଦୁର୍ବଳ ହୋଇ ଜୀବନ ଆରମ୍ଭ କରିଥିଲା ।

 

ଖୋଲା ବେଣୀ ଠକେଇ ପାରେ ନାହିଁ । ସେ କହିଦିଏ ବାଳର ରଙ୍ଗ, ବଳର ଲମ୍ବ ଆଉ ତାହାର ଗଣତି ଅଗଣତି ଅନେକ ସମାଚାର । କିନ୍ତୁ ଖୋଲା କଥା ବଡ଼ ଝକମାରି । ବିଜୁଳି ପରି ଅନ୍ଧାର ରାତିକୁ ଆଲୁଅ କରି ଦେଇ ଛପିଯାଏ ସେଇ ଅନ୍ଧାରରେ ।

 

ଖୋଲା ବାଳ, ଖୋଲାବେଣୀ କହି ଦିଏ ତମର ଅଣ୍ଟାର ବଳ, ମନର ଆଣ୍ଟ ଓ ପ୍ରୀତିର ଗଭୀରତା । ସମସ୍ତଙ୍କର ସେହି ବାଳକେରାକୁ ଆଶା । ବିଗିଡ଼ିଗଲେ କରିଦିଅ ତା’କୁ ଲାଣ୍ଡି ।

 

ଯେବେ ମୁଣ୍ଡର ବାଳ କେରାକ ଅସଲ କଥା ହେଇ ନ ଥାନ୍ତା ତେବେ କ’ଣ ମାଇପିଙ୍କୁ ଠିକଣା ବାଟରେ ରଖିବାକୁ ଏଇ ମରଦଗଢ଼ା ସମାଜ ସେମାନଙ୍କ ପାଇଁ ଲାଣ୍ଡିମୁଣ୍ଡର ବ୍ୟବସ୍ତା କରିଥାନ୍ତା କି ? ବାଳତକ କାଟିଦେ–ତୋର ମାଇପି ପଣିଆ ଶେଷ ହେଲା । କେହି ତୋ’ଆଡ଼କୁ ଆଡ଼ ଆଖିରେ ଚାହିଁବେ ନାହିଁ ।

 

କନକ ଅଜାଣତରେ ନିଜର ମୁଣ୍ଡକୁ ଆଉଁସି ଦେଲା । ସୁତପା କହିଲା–ଅନ୍ଧୁଣୀ, କାଲୁଣୀ, ଛୋଟି, କେମ୍ପି ହେଇଥିଲେ ବି ମାଇପିଙ୍କର କଦର ଦିଅଣା ଚାରଣା କମିପାରେ । ସେ ଯେବେ ଲାଣ୍ଡିମୁଣ୍ଡି ହେଲା ତେବେ କଥା ଶେଷ । ...ଝାମ୍ପୁରି ମୁଣ୍ଡି, ଭୂତମୁଣ୍ଡି କି ନୁଖୁରା ମୁଣ୍ଡି ହେଲେ କିଏ ସିନା ମୁହଁ ମୋଡ଼ି ଦେବେ–ସେତିକି ?

 

–ଠିକ୍ କହୁଛ ଅପା ।

 

–ଆଲୋ, ମୁଁ କ’ଣ କହିବି ? ଆଗରୁ ପରା ଲାଇନ ପଡ଼ିଛି । ମଣିଷଙ୍କର ଦରକାର ମୁଣ୍ଡବାଳ–ଫିରେଇ କଟା । ପଶୁପକ୍ଷୀଙ୍କର ବାଳକୁ ଦେଖିବାକୁ ତାଙ୍କର ବାରମାନେ ସେତେ ଉଚ୍ଚାଟ ହୁଅନ୍ତି ନାହିଁ ।...ମୁଣ୍ଡ ବଂଧା ନେଇ ସବୁରି ମଜ୍ଜା ମଜ୍ଜା ଗୀତ ।

 

ଟଭାଫାଳ ପରି ଖୋସା

ଖୋସିଛୁ ଜୋସା ।

 

+ + +

 

ଲୋଟଣୀ ଜୁଡ଼ା,

 

କଟାକ୍ଷରେ କରେ ଘରବୁଡ଼ା ।

 

ତେବେ ଯେମିତି ଇଚ୍ଛା ସେମିତି କର, ଦେହରେ ରଖିଥିବୁ ବଳ । ମୁଣ୍ଡରେ ରଖିବୁ କଳାବାଳ । ଶିଆଳୀଖିଆ ହେଲେ ଅବା କଳାଧଳା ମିଶି ଅଳନ୍ଧୁ ପରି ଦିଶିଲେ ସେଇଠି ଜାଣିବୁ କଥା ତୋର ଶେଷ ।

 

–ବାଳ କ’ଣ ରହିବ ଆମ ହାତରେ ?

 

–ନୁହେଁ ପରା । ସେଥିପାଇଁ ଯେତେବେଳେ ମଳୟ ବୋହୁଥିବ ସେତିକିବେଳେ ନିଜର ଯାହା ଗୀତ ବାଇଦ ଶେଷ କରିଦବ । ତେଣିକି ଇଚ୍ଛା ହେଲେ ଆତ୍ମହତ୍ୟା କରି ମାଶାଣିରେ ଲୁଚି ଅବା ଅଜ୍ଞାତବାସ କରି ମଠ ମନ୍ଦିରରେ ରହ–ଆଉ କାହାର କିଛି ଯାଏ ଆସେ ନାହିଁ । ମାଛ ସଢ଼ିବା ଆଗରୁ ଶୁଖୁଆ କରି ନଥିବ ତ ନେଇ ତା’କୁ ଲେମ୍ବୁ ଗଛ ମୂଳେ ଖତ କରିବ । ମାଇପି ଜୀବନରେ ସେଇ ଦୁଃଖ ।

 

–ସତେ ଲୋ ଅପା । ମାଇପି ଜୀବନ ପରି ନାରଖାର ଆଉ କ’ଣ ଅଛି ?

 

–ଓଲି ମାଇପ ସଂସାରର ଅଘଟନ । ବୁଦ୍ଧି ନ ଥିଲେ ମାଇପି ଜୀବନ ଅକାରଣ । ଏଣେ ବୁଦ୍ଧି ଥିଲେ ନାନା ନଟଖଟ । ଯାହାକୁ ନିଜର କରିବ ସିଏ ନିଜର ବର ହେଉ ଅବା ପର ପୁରୁଷ ହେଉ, ମରଦ ହେଉ ଅବା ଅଣପୁରୁଷ ହେଉ, ତାହାର ଗୋଟିଏ ରାହା–ଟୋକି ଭାରି ଜଣେ । ଇସ୍‌ପାତ ଟାଏ । ଏଡ଼େ ଚତୁରୀ ଯେ କ’ଣ କହିବ ? ଆଖି ଆଗରେ ବାଟମାରଣା କରିଦବ ।

 

–ସତେ ତ ?

 

–କ’ଣ କରାଯିବ ? ଏଣେ ଅଳ୍ପ ବୟସ ହେଉଥିଲେ ଲୋକ କହିବେ କଷିଟାଏ । ଏଣେ ଯିଏ ସୁବିଧା କରି ଓର ଓଣ୍ଡିଲା, ସିଏ ବଳାତ୍କାର କରି ବଚନ ଶୁଣାଇଲ ।

 

କଅଁଳିଆ ହେଲେ ବି ଏଇ ଆମ୍ବ ବଉଳଟି

 

ଗଣ୍ଠି ଛିଣ୍ଡାଇଲେ କେମିତି ବସୁଛି ।

 

ଅଧିକ ହେଲା ବେଳକୁ ଆମ୍ବକଷିକୁ ଛେଚି ଚଟୁଆଣି କର । ମିଠା ଆସିବା ଆଗରୁ ନେଇ ଆମ୍ବୁଲ କି ଆଚାର କର । ବନିଲେ ଆଉ ପାଚିଲେ ସଂସାର ଯାକର ଭାଗ–ଉଡ଼ାକାଉ, ଘରମାଲିକ, ଭାଟଭିକାରି ଆଉ ଏହି କବି ଲେଖକ । ସମସ୍ତଙ୍କର ଦରକାର ସିଏ ?

 

–ଆମ ଛଡ଼ା ଆଉ କିଏ ଦରକାର ?

 

–ଯେବେ ସେଇ ସବୁ ଉତୁରିଗଲା, ତେବେ ଆମ୍ବସଢ଼ା ହେବଯାଏ ଲୋଡ଼ା ହେଉଥିବ କାହାରି ନା କାହାରି ? ...ଶେଷକୁ କହିବେ ପଚାଟାଏ, ସେନ୍ତରାଟାଏ...ରହିଛି ଯଦି ପିଲାଙ୍କୁ ଜଗୁ । ଘରେ ବଡ଼ି ଆଚାର କରୁ । ଆଉ ଚାକରାଣୀ ବନିକରି ଥାଉ ।

 

–ଓଃ, କି ଦୁଃଖ ? ଏଇ ମାଇପି ଜୀବନରେ କ’ଣ କେତେ କଣ୍ଟା ରଖା ହେଇନାହିଁ ? ନିଜର ଧର୍ମ୍ମ ନିଜେ ପାଳୁଥିଲେ ଧର୍ମ୍ମ ସାହା ହବ ।

 

–ହେ, ଧର୍ମ୍ମ ରକ୍ଷାକର ବେଲି ଯୁଗଯୁଗ ହେଲାଣି କଥା ଚାଲିଛି । କୁମ୍ଭୀରକୁ ମାରି ହାତୀକୁ ଠାକୁର ଉଦ୍ଧାରିଥିଲେ । ପଙ୍ଗୁ ଗିରି ଲଂଘିଥିଲେ । ଧର୍ମ୍ମ ପଥରକୁ ଭସାଇ ସୋଲକୁ ବୁଡ଼ାଇଥିଲା...

 

–ଆଉ ତେବେ ?

 

ମୋର ସନ୍ଦେହ ଆସୁଛି–ଏଇ ହରିଣ, ଛେଳି, ମାଛ, ଗାଈ ଆଦି ଅସଂଖ୍ୟ ପ୍ରାଣୀଙ୍କୁ ଦେଖି । ହରିଣର ଶିଙ୍ଗ ସମସ୍ତଙ୍କର ଦରକାର । ହରିଣ ଚମ ବାବାଜୀଙ୍କର ଦରକାର । ହରିଣ ମାଂସ ବାବୁମାନଙ୍କର ଦରକାର । ଛେଳି ମାଂସଠାରୁ ଆରମ୍ଭ କରି ତା’ର କଲିଜା, ଗୁର୍ଦ୍ଦା ଚର୍ବି ପଞ୍ଜରା ସମସ୍ତଙ୍କର ଦରକାର ଭୋଜି କରିବାକୁ । ମାଛକୁ ଦେଖିଲେ ମାଛରଙ୍କା ପକ୍ଷୀଠାରୁ ଆରମ୍ଭ କରି ମାଛ–ଡାଆଁଣା, ମାଛ–ରଙ୍କୁଣା ସମସ୍ତେ ବାଇ । ...ଧର୍ମ୍ମ କାହିଁ ।

 

–ସତେ ? ଧର୍ମ୍ମ କାହିଁ ?

 

–ଧର୍ମ୍ମ ନାହିଁ । ଧର୍ମ୍ମ ଥିଲେ ଗାଈ ଦୁଧକୁ ବିକି ଆମେ ବାଛୁରୀକୁ ହତାଶ କରନ୍ତୁ ନାହିଁ । ଗୋରୁ ଚମଡ଼ାରେ ଜୋତା ପିନ୍ଧନ୍ତୁ ନାହିଁ । ଗାଈ ପୁଅକୁ ନେଇ ଖାସୁ କରନ୍ତୁ ନାହିଁ...ସରକାର ଥୋଡ଼ାଏ ମଣିଷଙ୍କୁ ଖାସୁ କରିବାକୁ ବସିଲେ ଏତେ ଆନ୍ଦୋଳନ କାହିଁକି ?...ଏଇ ମଣିଷ ଅଣ୍ଡିରା ବାଛୁରିକୁ ଖାସୁ କରେ । ଭଲ ଟାଣୁଆ ବାଛୁରୀକୁ ଆଗ ଧରି ଖାସୁ କରିପକାଏ । ଏଣେ ନରମା, ନିକମା ପୁରୁଷକୁ ଧରି ଖାସୁ କରିବାକୁ ବସିଲେ ନିଖିଳ ବିଶ୍ଵ ଆନ୍ଦୋଳନ ହେଇଯାଉଛି କାହିଁକି ?

 

–ଧର୍ମ୍ମ ପକ୍ଷପାତିତା କରୁଛି, ଅପା ।

 

–ଧର୍ମ୍ମ କ’ଣ ଧାର୍ମ୍ମିକ କ’ଣ–ଯିଏ ଯେଉଁଠି ବଡ଼ ସିଏ ବଡ଼କୁ ଖୋଜନ୍ତି । ବଳୁଆ, ଧନୀ, ଦୁର୍ଦ୍ଦାନ୍ତ ଲୋକ ତାଙ୍କର ଦରକାର । କେତେ ଦରକାର ବୁଝିବାକୁ ଚାହିଁଲେ ଯାଆ ଆଶ୍ରମ, ମଠବାଡ଼ି, ଧର୍ମ୍ମ ମନ୍ଦିରକୁ । ଆଉ ଜଣେ ସ୍ତ୍ରୀ ଯଦି ଗୋଟିଏ ପରାକ୍ରମୀ ଧନୀ ଲୋକର କଥାକୁ ଟିକିଏ ଭଳିଲା ତେବେ ବାଜିବ ଡିବିଡ଼ିବି ନାଗରା ।

 

–ସେଇଟା ଏଇ ମରଦ ଜାତିର ଦୋଷ ।

 

–ଖାଲି ଦୋଷ ? ପ୍ରଳମ୍ବ ଅଶୁଦ୍ଧ । ସେମାନେ ଯେତିକି ନିକମା ହେବେ ସେତିକି ହେଇଯିବେ ସନ୍ଦେହୀ । ବାଡ଼ ବୁଝିବା ଶକ୍ତି ଯେତେ ଊଣା ହେବ, ତାଙ୍କର ବାଡ଼ ନେଇ କଳି ସେତିକି ବଢ଼ୁଥିବ । ଏଇଠି ଆମେ କରଣୀ–ଘରଣୀ ହେଇ କ’ଣ ନ ଦେଖୁଛୁ ? ସେଥିପାଇଁ କହୁଛି ଯେ ଏଇ ବାଡ଼ବତା ଭାଙ୍ଗି ଫୋପାଡ଼ି ଦେ । ସୃଷ୍ଟି ରହୁ କି ଧ୍ଵଂସ ପାଉ, ତୁ ନିଜେ ରହିଯିବୁ ମଣିଷ ହେଇ ।

 

–ଆପେ ବଞ୍ଚିଲେ ବାପର ନାଁ ।

 

ଆପେ ବୁଡ଼ିଲେ ବୁଡ଼ିଲା ନାଁ ।

 

କନକର ମୁହଁ ଉଜ୍ଜଳ ଦିଶିଲା । ସେ ସ୍ଵାଧୀନ ହେବ । ମନରେ ସ୍ଵାଧୀନ ହେଲେ ତାହାର ବ୍ୟବହାରରେ ସ୍ଵାଧୀନ ହେବ । ବ୍ୟବହାରରେ ସ୍ଵାଧୀନ ହୋଇପାରିଲେ ତାହାର ମନର ବଣିଜରେ ବି ସ୍ଵାଧୀନ ହେବ । ...ହସି କହିଲା, ହଁ; ଅପା, ଏଇ ପରାଧୀନ କାମ ମଣିଷ ପାଇଁ ନୁହେଁ ।

 

–ମନରେ ରଖିଥିବୁ ଲୋ କନକ । ଯେଉଁଦିନ ଦେଖିବୁ ହାତୀ ହୋଇ ବନ୍ଧା ହେଇଛୁ । ଘୋଡ଼ାଟିଏ ହେଇ ଗାଡ଼ି ଟାଣୁଛୁ । ଗଧଟିଏ ହୋଇ ବୋଝ ବୋହୁଛୁ । ବଳଦଟିଏ ହେଇ ହଳ କରୁଛୁ ଅବା ମାଇପିଟିଏ ହୋଇ ରୋଷେଇଆଣୀ ହେଉଛୁ, ସେଦିନ ଜାଣିବୁ ଯେ ତୁ ଗୋଟେ ପଶୁ-। ମଣିଷ ହେଇ ନାହୁଁ । ଏତକ ଭୁଲିବୁ ନାହିଁ ।

 

–ସେଇ ଯୋଗ ଅପା, ଡାକୁଛି ସମସ୍ତଙ୍କୁ ।

 

–ଯେବେ ସେଇ ଯୋଗ ପଡ଼େ, ଯେବେ ତୁ ଏକୁଟିଆ ଅଭିଆଡ଼ୀ ହେଇ ରହି ନପାରିବୁ ତେବେ, ମୋର ସୁନା ଭଉଣୀଟି, ମନେରଖିଥିବୁ ଗୋଟିଏ କଥା । ତୋର ବୁଦ୍ଧି ଖେଳାଇ । ଚତୁର ପଣିଆ ଦେଖାଇ ତୋର ଆଖପାଖ ସମସ୍ତଙ୍କୁ ବାନ୍ଧି ଗୁହାଳ ଖୁଣ୍ଟିଆଣି କରିଦବୁ ?

 

କନକ ଚାହିଁ ରହିଲା ।

 

–ଅତି ସହଜ । ଦେଖାଉଥିବୁ ଯେ ତୁ ଗୋଟିଏ ଓଲମି । କଥା କହିବୁ ଧୀର । ଭାବିବୁ ଟାଉଟାଉ । ଯାହା ଭାବିବୁ ତା’କୁ କହିବୁ ଅଭିନେତ୍ରୀ ପରି । ଆଖି, ଛାତି, ମୁଣ୍ଡବାଳ, ଦେହର ବଳ ଆଉ ଉପର ପିନ୍ଧା ଶାଢ଼ୀ ଗହଣାକୁ ଜୀବନରୁ ଅଧିକ କରି ଭାବିବୁ ।...ସମସ୍ତଙ୍କର ମରମ କଥା, ସୁଖର ଜୀବନନାଟିକା ଖୋଜି ବାହାର କରି ତୋରି ଏଇ ପାପୁଲି ମୁଠାରେ ରଖିଥିବୁ...ମଣିଷ ତତେ କହିବେ ମାଲ୍ୟାଣୀ, ଡାହାଣୀ, ଗୁଣୀ...ସବୁ । କିନ୍ତୁ ସେଥିରେ ତୋର କ’ଣ ଯାଏ ଆସେ ? ଶିକାରୀକୁ ଖାଇବୁ କଞ୍ଚା...

 

–କେତେ ପାଠ ଅଛି ଏଥିରେ ?

 

–ବହୁତ । ସାଜ କରିବୁ କେମିତି ନା ?

 

କରଚରଣ ପାଲି ଛକ ଚିତ୍ରକ ସ୍ତନ

ସାରେ ଶୋଭା ପାଉ

ବିଦ୍ୟୁବଜିତ ଦାନକାନ୍ତି ଯହିଁରେ

କି ଖେଳ ଖେଳିବା ଆଉ ?

 

–ବୁଝି ପାରିଲି ନାହିଁ ।

 

–ଯାହା ଯେତେ ବୁଝି ହୁଏ ନାହିଁ, ସିଏ ସେତିକି ଦରକାର । ବୁଝିଲେ ଜାଣିବୁ ଯେ କୁଆପଥର ହେଉଛି ଟୋପାଏ ପାଣି । କୁହୁଡ଼ି ହେଉଛି ସେହିପରି ଛୋଟିଆ ବୁନ୍ଦାଏ ପାଣି...ସ୍ତ୍ରୀଙ୍କର କାମର ତାଲିକା ଲେଖିଚନ୍ତି ପରା

 

ରତିରେ ବେଶ୍ୟା, କୋପରେ ଦାସୀ ସମାନ

ବିପଦ ଆପଦରେ ବଂଧୁ ସଖା ସମାନ...

 

ପୁଣି ଖୋଜିଛନ୍ତି ମଜ୍ଜା...

ଘର କରିବ ଗଙ୍ଗାକୂଳରେ ପାପା–ହାରିଣୀ ପାଣି,

ତରୁଣୀ କୁଚ ମଧ୍ୟରେ ଅବା ହାରପିନ୍ଧା ମନୋହରିଣୀ ।

 

–କେଡ଼େ ନବଜିଆ ? ତାଲିକା ଦେଇଛନ୍ତି, କ’ଣ ଖାଇବେ କେମିତି ରହିବେ, କେମିତି ଭୁଞ୍ଜିବେ ?

 

–ସେଇଆ ପରା...

 

ଏଣେ କହିବେ ଆମକୁ...

ବଇଷ୍ଣବ ଜନ ତା’ରେ କହିଥାଇ

ପରସ୍ତ୍ରୀ ଜନେ ମାଆ ବିଚାରଇ...

ତେଣେ ଖୋଜୁଥିବେ ବେଶ୍ୟାଳୟର ମଉଜ...

–ପୁରୁଷ ଜାତି ଭାରି ଖରାପ–ଭାରି ଠକ ।

 

–ସିଏ ଆମକୁ ଯାହା କହିବେ ତାଙ୍କୁ ସେଇଆ ଲେଉଟାଇ ଦବ ସେଇ କଥା ପଦକରେ-

 

ଠକ ରୀତି ନ ଆଚରି ମୋ ବେଦନାକୁ ବିଚାରି

ଅକପଟ ତ୍ରାଣ ବିଧି ଏବେ ଉଚିତ ରେ...

 

X X X

 

ଦିନ ଦିନକର ପୀରତି ରୀତି

ଚିନ୍ତା ଜରକୁ ଏ ବରଷା ଦୂତୀ

–ଅପା, ଏତେ ମଜ୍ଜା ମଜ୍ଜା କଥା ଜାଣିଲ କୁଆଡ଼ୁ ?

–ସବୁ ଅଛି ସଂସାରରେ । ତମରି ଗାଁର ଢଗ ଶୁଣ୍‌

ନ’ ବରଷେ ନବରସେ ବଳିଲା ମନ

ବାପ ଘରେ ରହି ନାକବାଳ ଧରାଇବି ଜାଣ ।

 

ଭେଷରା ହସଖୁସିରେ ଦିନଟା ଗଡ଼ି ଯାଉଥିଲା–ଚଟାଣ ଉପରେ ଖଡ଼ି ଗୋଟାଳି ଗଡ଼ିଲା ପରି । ଜୀବନଟା ବଡ଼ ମଉଜିଆ–ଏମିତି ଖାଇବାକୁ ପିନ୍ଧିବାକୁ ମିଳୁଥାନ୍ତା । କଥା ହେବା ପାଇଁ ମନରେ ମନ ମିଶିଲା ପରି ଦି’ଜଣ ଜଣେ ଥାନ୍ତେ । ଚଳିବା ସମାଜରେ ଖାତିରି ଥାନ୍ତା । ତେବେ ସିନା ଜୀବନଟା ହୁଅନ୍ତା ସୁଆଦିଆ । ...

 

–ଚଞ୍ଚଳ ହାତ ଚଲାଉନୁ ? ଗପସପ କ’ଣ ସବୁବେଳେ ମିଠା ଲାଗିବ ? ଜୀବନକୁ ଜୁଆରିଆ ନଈ ପରି ନ କଲେ କ’ଣ ଏଠି ପାଣି ଉପରେ ଫେଣ ଉଠିବ ନା ? ସେଥିରେ ସୂର୍ଯ୍ୟଚନ୍ଦ୍ର ଇନ୍ଦ୍ରଧନୁର ରଙ୍ଗ ଖେଳାଇ ପାରିବେ ?

 

–ଭାରି ଭଲ ଲାଗୁଛି ଅପା ।

 

–ଆଲୋ, ଭଉଣୀ, ଭଲକୁ କେତେବେଳେ ହେଲେ ଖାଣ୍ଟି ଭଲ କି ପୁରା ଭଲ ବୋଲି ପରତେ ଯିବୁ ନାହିଁ । ଆମର ପର କଥା ଅଛି–ଆଗେ ବହେ ହସିଲେ ପଛକୁ କାନ୍ଦିବାକୁ ପଡ଼ିବ । କାନ୍ଦ ଭିତରେ ହସ ଆଉ ହସ ଭିତରେ କାନ୍ଦଣା ବସା ବାନ୍ଧିଛି...ଆଜି କ’ଣ ଯୋଗ ଅଛି କେଜାଣି ?

 

–ସତେ କ’ଣ ତମେ ଅଭିନ୍ନ ଭାଇଙ୍କୁ ଡର କି ଅପା ?

 

–ଡରିବି ନାହିଁ ? ଆଉ ମୋର କିଏ ଅଛି କହ ? ବିଭା ନ ହେଲା ଯାଏ ସିନା ଅୟା ରାମ ଆଉ ଗୟା ରାମ । ବାହା ହେଇଗଲା ପରେ ସେହି ଜଣେ ରାମ–ରାମଚନ୍ଦ୍ର । ସେହି ହେଉଛି ମାଳି ଆଉ ଜପାମାଳି । ସେଥିରେ ଓଲମ ବିଲମ ହେଲେ ଦୁନିଆ ହସିବ । ଖାଲି କ’ଣ ଭଗାରି ହସିବେ କି ? ଜାଣିବା ଲୋକ ବି ହସିବେ ?

 

–ତେବେ ଏତେ ଆଣ୍ଟରେ କଥାଗୁଡ଼ାକ କହୁଛ କାହିଁକି ?

 

–ସେତିକି ପରା ଭାରିଯାର ବଡ଼ାଇ । ସେ ଯେବେ ଆଣ୍ଟ କରି ତାହାରି ପୁରୁଷ ପାଖରେ ଆଉ ପୁରୁଷ ବିଷୟରେ ଦି’ ଦଶପଦ କହି ନ ପାରିବ ତେବେ କହିବ କାହାକୁ ନେଇ ? କିଏ କ’ଣ ସହିବ ?

 

–ସିଏ ତ ଭଲ କଥା ଅପା । ତମେ ଏମିତି ଆମ ଭାଇଙ୍କ ବିଷୟରେ ଉଚ୍ଚ ଧାରଣା ରଖିଥିଲ ନା ? କାହିଁ ଖୋଲି କହୁନାହଁ ତ ।

 

–ସେଥିରେ ପରା ଅଡ଼ୁଆ । ନିଜ ଲୋକଙ୍କୁ ତୁଣ୍ଡ କଥାରେ ବହୁତ ବେଶି ଟେକି ଧଇଲେ ତାଙ୍କର ଆରଦୋଳି ସମ୍ଭାଳିହେବ ନାହିଁ । ସହଜେ ତ ଆମେ ଦାସୀ–ନୌକରସାହୀ । ସେଥିରେ ମାଲିକ ଭଲ ବୋଲି ମାଲିକକୁ କହିଲେ କଥା ରହିବ ନା ?

 

–କାହିଁକି ? ସେ କ’ଣ ତୁମକୁ ପକାଇଦେବେ ?

 

–ନିଶ୍ଚେଁ ପକାଇ ଦେବେ । ମଣିଷ ମାତ୍ରେ ଶାସନ ଖୋଜନ୍ତି । ତାଙ୍କୁ ଯେତେ ଧିକ୍‌କାରି କହିବ ଯେ ସେ କିଛି ନୁହନ୍ତି ସେତିକି ତାଙ୍କର ଗୁଣ ପ୍ରକାଶିବ । ସେମାନେ ନିଜକୁ ନିଜେ ବଡ଼ ବୋଲି ପ୍ରମାଣ କରିବେ ।

 

–କ’ଣ ସ୍ତ୍ରୀ ପାଖରେ ?

 

–ହଁ ପରା । ସ୍ତ୍ରୀ ହେଉଛି ଦିନକିଆ ନୁହେଁ ସବୁଦିନିଆ ତରାଜୁ । ଯେଡ଼େ ବଡ଼ କି ସାନ ପୁରୁଷ ହେଇଥାଉ ସେ ଖୋଜେ ନିଜର ସ୍ତ୍ରୀ, ନିଜର ଲୋକଙ୍କ ପାଖରେ ବଡ଼ ହେବା ପାଇଁ । ଏଇ ନିୟମରେ ଚାଲିଛି ସଂସାର ।

 

–ଆଉ ଏତେ କଥା କହୁଥିଲ ?

 

–କହୁଥିଲି ତତେ ପରଖିବା ପାଇଁ । ହିସାବୀ ହେଇ ଚଳିବା ଯେମିତି ଗୋଟାଏ ବାଟ ସେମିତି ଜୁଆ ଖେଳାଳୀ ପରି ହିସାବ ନ ରଖିବା ବି ଗୋଟାଏ ବାଟ । ସବୁଥିରେ ଅକ୍‌କଲ ଖଟାଇଲେ ଫଳ ମିଳେ । ହିସାବୀର ଚମକ ହେଲା ବେହିସାବୀ ହେବା । ଆଉ ବେହିସାବୀ ଥରେଅଧେ ଧରାକାଟ ନ କଲେ କ’ଣ ସଂସାର ଚଳିବ ? ଆମେ ଘରଣୀ–ତେଣୁ ହେଇଗଲୁ ହିସାବୀ ।

 

–ଆଉ ଆମେ ?

 

–ତମର ଏବେ ଖେଳିବା ବେଳ । ଖେଳିଲାବେଳେ ମନ ଦେହ ଲଗାଇ ଖେଳିଲେ ସିନା ଖେଳି ଜାଣିବୁ । ସଂସାର ପରା ଏଇ ଖେଳରୁ ଆମକୁ କଷଟ୍‌ କରେ । ତୁ ହେବୁ ବେହିସାବୀ–ମନ ଲଗାଇବୁ । ପୁଣି ମନକୁ କାଢ଼ିନେବୁ । ଦେଖିବୁ, ପରଖିବୁ, ଜାଣିବୁ ଆଉ ବୁଝିବୁ....ସେଇଠୁ ଯେଉଁଠି ଥକି ପଡ଼ିବୁ ଅବା ମନ ଲାଖିଯିବ ସେଠି ବାନ୍ଧିହେଇ ରହିବୁ...ତେଣିକି ହେବୁ ହିସାବୀ...

 

କନକ ହସିଲା ଏଇ ଛଳନା କଥା ଶୁଣି...

 

ସୁତପା କହିଲା–ହସ ଲାଗୁଥିବ ଯେ । ବୁଝିବୁ କୁଆଡ଼ୁ ଯେ ସ୍ଵାଧୀନ ଲୋକ ବନ୍ଧା ହେବାକୁ ଯେମିତି ବ୍ୟସ୍ତ, ବନ୍ଧା ହେଇଥିବା ଲୋକ ଫିଟିଯିବାକୁ ସେମିତି ବ୍ୟସ୍ତ । ଦେଖିଲୁ ନାହିଁ ଆମର ମାଷ୍ଟ୍ର ଆଉ ମେସ୍ ବାବୁମାନଙ୍କୁ ।

–କ’ଣ ହେଲା କି ?

–ଯିଏ ପୁରା ବାନ୍ଧିହେଇ ଖୋସାରେ ରହି ଗଲେଣି ତାଙ୍କର ମନ ଭିତର କେମିତି ଆତୁରିଆ ହେଇ ଟବଟବ ହେଉଛି । ...ସତେ ଯେପରି ସେମାନେ ଗୋଟାଏ ନୂଆ ସଂସାର ଗଢ଼ି ପକାଇବେ...

–କ’ଣ ପାରିବେ ନାହିଁ ?

–ନା, ନା । ଶଗଡ଼ିଆ ବଳଦ କ’ଣ ତାର ମାଲିକ ଆଉ ଶଗଡ଼କୁ ପାଶୋରି ପକାଇବ ? ସେମାନେ ଯେମିତି ସପନ ଦେଖନ୍ତି ନାହିଁ ଠିକ୍ ସେମିତି ଆମେ ପୁରୁଷ ଓ ସ୍ତ୍ରୀମାନେ ସଂସାରୀ ହୋଇଗଲେ ପିଲାକବିଲା ନେଇ ସ୍ଥାୟୀ ହେଇଗଲେ ଆଉ କ’ଣ ସପନ ଦେଖି ପାରିବୁ ? ଆମେ ମରି ଯାଇଛୁ ?

–ଆଉ ଏତେ ଲୋକ...ଏତେ କଥା ଶୁଣାଯାଉଛି ।

–ସେତିକି ପରା କଥା । ଶୁଣାଯାଏ ଗୁଡ଼ାଏ । କିନ୍ତୁ ସେଥିରେ କ’ଣ ମନ ନା ଗୋଡ଼ କିଛି ଖସେ ? ଭୋଦବା କେଉଁଠି ବର୍ଷେ ଛ’ମାସ ବା ଦଶ ପାଞ୍ଚ ଥର ଭୁଲ୍ ହୁଏ । ସେତିକି...ସେତିକି ।

 

–ତେବେ ବି ଭୁଲ୍ ତ ।

 

–ସେଥିପାଇଁ ସ୍ଵାମୀମାନେ ବେଦୀରେ କହିଥାନ୍ତି–ସ୍ତ୍ରୀର ଦଶଦୋଷ କ୍ଷମା ଦେବେ । ଏଇ ଗୋଡ଼ ଖସିବା ଭୁଲ୍‌କୁ କ୍ଷମା ଦେବେ । ହଜାର ବର୍ଷ ତଳେ ଯେମିତି ସ୍ତ୍ରୀ’ର ଭୁଲ ହେଉଥିଲା ଆଉ ତାଙ୍କୁ ତାଙ୍କର ବର କ୍ଷମା ଦେଉଥିଲେ, ଆଜି ବି ସେଇଆ । ଠିକ୍ ସେମିତି ସେଇଆ ।

 

–ଆଉ ଯେଉଁ ଗୋଳମାଳ ।

 

–ସେତକ ହେଲା ମନର ଜର । ଦେହର ବେମାରି । ବେମାରି କି ଜର ହେଲା ବୋଲି କ’ଣ କେହି ତାହାର ଦେହ ଓ ମନକୁ କାଟି ଫୋପାଡ଼ି ଦେଲା...ଟିକିଏ ମନରେ କି ଦେହରେ ହୁଡ଼ିଗଲା ବୋଲି କ’ଣ ସଂସାର ସମସ୍ତଙ୍କର ଉଜୁଡ଼ିଗଲା ?

 

–ଆତ୍ମହତ୍ୟା–ହତ୍ୟା...

 

–ହଁ, ସେମିତି ହୁଏ କେବେ କେମିତି ? ନ ହେଲେ ଆଉ କଥା କାହିଁକି କାଳକାଳକୁ ରହନ୍ତା ? ତେବେ ଅଧିକାଂଶ ଜାଗାରେ ଜଣେ ଆଉ ଜଣକୁ କ୍ଷମା ଦିଏ । ଆଉ ସେହି ଧରାପରା ରହିଲେ ଏଇଟା ହୁଏ ସଂସାର । ଏଠି ବି ଦିନେ କଣ କନ୍ଦଳ ନ ଉଠିବ ?

 

–କିଏ ଅପା ? କିଏ ସେ ସଇତାନ୍ ?

 

–ସମସ୍ତେ । ଜଣ ଜଣ କରି ସମସ୍ତେ । ଚାଲୁ ଚାଲୁ ଗୋଡ଼ ଝୁଣ୍ଟିଲା ପରି ଅବା ଖସିଗଲା ପରି କେତେବେଳେ ହେଲେ ଜଣେ ସୁବିଧା ପାଇଲେ ଆସି କହିବ–ମୋର ହୃଦକୁ ଏଠି ବିକିଦେଲି...ସୁତପା ହସିଲା ।

 

–ହସୁଛ ଯେ । ମୁଁ ହେଲେ ଛାଞ୍ଚୁଣିବାଡ଼ିଆ କରନ୍ତି ।

 

–ଏଠି ସହର ବଜାରରେ ରହିଲେ ଶୁଣିବୁ ଯେ ଅମୁକ ସମୁକକୁ ଚଟିରେ ଶେକିଲା ନଇଲେ ଛୁରୀ ଦେଖାଇଲା । ...ସେଇଠି କଥା ଶେଷ ହେଲା...ଅସଲ ହେଲା ଯେ ମନ ନ ନେଇ ଯେ ଆସି ମନକୁ ଯଚେଇ କରେ ସେଇ ହେଉଛି ମୂର୍ଖ–ଅପଦାର୍ଥ ।

 

–ମାନେ ?

 

–ଯିଏ ଆମର ମନକୁ ବୁଝି ତାହାର ତତଲା ଥଣ୍ଡାକୁ ଖିଆଲ ରଖି ବେଳକାଳ ଜାଣି ଉପଯୁକ୍ତ ଶ୍ଳୋକରେ ସ୍ତବ ବୋଲିଲା ସେଇ ହେଲା ଆମର । ଆଉ ଯିଏ ଖାଲି ନିଜର ଗରମ ଥଣ୍ଡାକୁ ମନେରଖି କାମ ଫତେ କରିଦବାକୁ ଆସି ମୁହଁ ହଲାଇ ସ୍ଵର କାଢ଼ିଲା–ସେଇଟା ହେଉଛି ଗୁଣ୍ଡା, ବଦମାସ୍ ଓ ଅସାମାଜିକ । ବୁଦ୍ଧି ହେଲେ ଜାଣିବୁ ଯେ କେହି ଖରାପ ନୁହନ୍ତି...

 

–ଏଁ, ଯିଏ ଆସି ଆମକୁ ଖରାପ କଥା କହିବ ଅବା ଖରାପ ବାଟକୁ ନେବ–ସେ କ’ଣ ଖରାପ ନୁହେଁ ?

 

–ଭାଗ ମାପ ଭୁଲ୍‌ ହେଲେ ଖରାପ । ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ପୁରୁଷ ପାଇଁ ଯୋଗ୍ୟ । ଆଉ ପ୍ରତ୍ୟେକ ପୁରୁଷ ପ୍ରତ୍ୟେକ ସ୍ତ୍ରୀ ପାଇଁ ଯୋଗ୍ୟ । ଖାଲି ଗୁଡ଼ାଏ ଏଣୁ ତେଣୁ ବୋଲାବୋଲି ଚାଲେ ଯୌତୁକ ପାଇଁ ।...

 

କନକ ଚାହିଁ ରହିଲା–ସେ ସମସ୍ତଙ୍କ ପାଇଁ ଯୋଗ୍ୟ ।...ତାହାର ମନ କହୁଥିଲା–ହଁ, ସତ ତ ।

 

ହସି ସୁତପା କହିଲା–ନିଜେ ଯେମିତି ରାଜା ଉଆସରେ ରାଣୀ ବନି ପାରିବୁ ଠିକ୍ ସେମିତି ଆଉ ଜଣେ ଗଧ ବି ଆସି ତତେ ମତେ ଧରି ନେଇ ଗଧୁଣୀ କରି ରଖି ପାରିବ...ବାହାଘର ଏହି ଯୋଡ଼ିମାନଙ୍କୁ ଗଢ଼ି ଦେଇ ପଠାଇ ଦିଏ ।

 

ବାବୁଙ୍କର ଫେରିବାବେଳ ହେଲା ।

 

ସୁତପା କନକକୁ ଡାକି ଆଦର କରି କହିଲା–ସାଙ୍ଗ, ଆଜି ଯଦି ବାବୁ ରାଗରେ ତମ ତମ ହେଇ ଫେରିବା ଦେଖିବୁ ତେବେ ତୋର ବୁଦ୍ଧି ଅକ୍‌କଲ ଖଟାଇ ଟିକିଏ ମତେ ସାହା ହବୁ-? ...କେମିତି ?

 

–କ’ଣ ଗୁଡ଼ାଏ ଭାବୁଛ ମ ଅପା ?–ଭାଇ ତମ ଉପରେ କ’ଣ ରାଗି ପାରିବେ ଯେ ତୁମକୁ ଏତେ ଭୟ ?

 

–ବୁଝି ପାରୁନାହୁଁ । ତାଙ୍କ ଛଡ଼ା ମୋ’ ଉପରେ ଏତେ ଅଧିକାର ଆଉ କାହାର ଅଛି କହିଲୁ ? ସେଇ ଅଧିକାର ତାଙ୍କୁ ଯଦି ମୁଁ ନ ଦେବି ତାଙ୍କୁ ଆଉ ଏଇ ଜନ୍ମରେ ଭଲା କିଏ ଦେଇ ପାରିବ ? ମଣିଷର ଅଧିକାର ଯେତେ ଅଧିକ ହୁଏ ତାହାର ତେଜ ସେତିକି ହବାର କଥା ।

–କି ଅଧିକାର ଏମିତି ସେ ପାଇଯିବେ ଯେ ।

–ଏଇ ତ ଗୋଟିଏ ହେଲା ଅଧିକାରର ମାପକାଠି । କିଏ କାହା ଉପରେ ଅବା କେତେ ଜଣଙ୍କ ଉପରେ କେତେଦୂର ରାଗ କରି ପାରୁଛି । ଆଉ ସେଇ ଲୋକ ସେଇ ରାଗକୁ କେତେ ବରଦାସ୍ତ କରି ପାରୁଛି ।

–ତମେ ଯଦି ଲେଉଟାଣି ବିଗିଡ଼ିବ ତାଙ୍କ ଉପରେ ।

–ସାଙ୍ଗେ ସାଙ୍ଗେ ଚଢ଼ାଉତ୍ତାର କଲେ ତ ଖଳବ ହେଇଗଲା । ଶୁଣିବା ଲୋକ ଓ ଜାଣିବା ଲୋକ ହସିବେ । ଉତ୍ତର ଦେବାର ବେଳ ଅଛି । ନରମବେଳେ ଗରମ ଆଉ ଗରମବେଳେ ନରମ...

–ଭଲ ତ । ଏମିତି ତାହାହେଲେ ଛନ୍ଦ କପଟରେ ତୁମେ ଆମର ଭାଇଙ୍କୁ ଆୟତ୍ତ କରି ରଖିବ ନା ? ମୁଁ ଏଥିରେ ତମର ପଟରେ ରହିବି ନାହିଁ ।

–ଅନୁଭବ ପରା କହିଦିଏ ଯେ ଛନ୍ଦ କପଟ ହେଉଛି ସଂସାରର ରକ୍ଷା କବଚ । ଛନ୍ଦ କପଟକୁ ଖରାପ କାହିଁକି ଭାବୁଛୁ ? ଛନ୍ଦ କପଟ ମିଛ ଶାଠ ନ ଥିଲେ ଏଇ ସଂସାରଟା ଧୂଳିଘର ପରି ଭୁଷୁଡ଼ି ପଡ଼ନ୍ତା...

 

–ତେବେ, ଅପା, ସବୁ ଘରେ କ’ଣ ଏମିତି ମିଛ ମାୟାର ଜାଲ ବୁଣା ହେଇଛି ।

 

–ହଁ, ପରା । ସବୁରି ଘରେ–ବଡ଼ରୁ ସାନ ଯାଏ ସବୁଠାରୁ ଏଇ ହକ କଥାକୁ ଲୁଚା ଛପା କରିବାରେ ନାନା ଉପାୟ ଖଞ୍ଜା ହେଇଛି । ସେଥିରୁ ଗୋଟିଏ ହେଲା–ହସ । ଏଣେ ମନ ପୋଡ଼ି ଯାଉଥିବ ତେଣେ ପାଟିରେ ରଖିବ ପାଟିଏ ହସ...

 

–ହସ ଜାଣିଲେ ତ ସବୁ କଥାକୁ ମାଫି ।...କ’ଣ କହିବି କହ ଆମର ଭାଇଙ୍କି ।

 

–କହିବୁ ଯେ ସେ ଗଲାବେଳୁ ଅପା କାନ୍ଦି କାନ୍ଦି ତା’ର ଆଖି ଫୁଲି ଗଲାଣି । ଭାଇ ଏମିତି ଲୋକ ଯେ କାହାକୁ କେତେବେଳେ କ’ଣ କହିବାକୁ ହୁଏ ଶିଖି ନାହାନ୍ତି । ଗାଳିଗୁଡ଼ାଏ ଦେଇ ଅଫିସକୁ ବାହାରି ଗଲେ...ଏଣେ ଦିନଯାକ ଅପାକୁ ଶାନ୍ତି କରିବାକୁ କନକର ଫକାସି ଉଡ଼ି ଗଲାଣି ।

 

କନକ ହସିଲା ।

 

ଏଡ଼େ ସୁବିଧାରେ ପରକଳିରେ ଭଲଲୋକି କରିବାର ବାଟ ମିଳିଲେ କେଉଁ ସ୍ତ୍ରୀକୁ ଭଲ ନ ଲାଗିବ ? –ବିଶେଷରେ ସ୍ଵାମୀ ସ୍ତ୍ରୀ କଳିରେ ଭଦ୍ରଲୋକି ନିଶାପର ସୁବିଧା ଭାରି ଘେନେ ମନକୁ-। ଗୋଟିଏ ବଢ଼ିଆ ଛବି ଆଙ୍କିଲା ପରି ଅବା ବଢ଼ିଆ ଗପଟାଏ କାହିଲା ପରି ମଜ୍ଜା ଲାଗେ-

 

ଧପ ଧପ ଚାଲି ଶୁଭିଲା ।

 

ହଠାତ୍ ଥିଏଟରର ସିନ୍ ପଡ଼ିଲା ପରି ସୁତପା ଲୁଚିଗଲା ତା’ର ଶୋଇବା ଘରେ ଆଉ କନକ ବାହାରି ଆସିଲା ମେଲା ଦୁଆରକୁ ।

 

ଘର ଭିତରେ ପାଦ ପଡ଼ୁ ନ ପଡ଼ୁଣୁ କନକ ଭାରି ଆକଟ କଲାପରି କହିଲା–ମତେ ଭାଇ ଏଠୁ ବିଦା କରିଦେଲ । ମୁଁ ଆଉ ଦିନଯାକ ଅପା ଆଖିରୁ ଲୁହ ପୋଛି ପାରିବି ନାହିଁ ।

 

–କ’ଣ ହେଲା ?

 

–କ’ଣ ଆଉ ହୁଅନ୍ତା ? ତମ ମନରେ ଟିକିଏ ଆଘାତ ଲାଗିଲେ ଅପାର ଆଖି ପାଣି ଫାଟିଯାଏ । ଆଉ ତମେ ଗଲାବେଳେ ଏମିତି ଗୁଡ଼ାଏ କଥା କହିଦେଇଗଲ । ଟିକିଏ ଭାବିଲ ନାହିଁ-

 

ଅଭିନ୍ନର କିଛି ମନେ ପଡ଼ିଲା ନାହିଁ । ସେ ଗୁଡ଼ାଏ କହିଛି କି ଗୁଡ଼ାଏ ଶୁଣିଛି–ଏହି ବିଷୟରେ ବି ଅଭିନ୍ନ ମନରେ ସନ୍ଦେହ ଆସିଲା । ନିଜକୁ ନିଜେ ସେ ପଚାରି ହେଲା–କିଏ କାହାକୁ ଖରାପ କରି ଗୁଡ଼ାଏ କହିଲା ?

 

–ଠିଆ ହେଇ କ’ଣ ଭାବୁଛ ମ । ତମେ ଯାଇ ଅପାକୁ ଆଗ ବୁଝାଇଲ । ...ଧିରେ କହିଲା । ଭଲମନ୍ଦ କିଛି ହେଲେ, ଜାଣିଥାଅ ମୁଁ ଏଠି ଦଉଡ଼ି ଦେବି ?

 

–ଏଁ, କ’ଣ ହେଲା ? ଏମିତି କିଛି କଥା ନ ଥିଲା ତ ।

 

–କେମିତି ଆଉ ହେଇଥାନ୍ତା ? ସେ ତମ ପାଇଁ ନହମାକେ ଜୀବନ ହାରିଦବା ଲୋକ । ଆଉ ତମେ ତା’କୁ ଗାଳି ଦବ ନା ?

 

କନକର ମନରେ ସାହସ ଆସିଗଲାଣି । ରାସ୍ତାର ଚଗଲା ରାଜା କି ମନ୍ତ୍ରୀ ହେଇଗଲେ ଯେମିତି ହଠାତ୍‌ ଗଛପାଚିଲା ଜ୍ଞାନୀ ଆଉ ପୁରୁଖା ବୁଢ଼ା ହେଇ ଇଲମ୍ ବାଣ୍ଟେ ସେମିତି କନକ ସୁବିଧାରେ ଅଭିନ୍ନକୁ ପାଇ ଆକଟ କରିବାରେ ଲାଗିଗଲା ।–

 

ଦି’ଜଣ ସ୍ତ୍ରୀଲୋକ ବିରକ୍ତ । ତେଣୁ ବାଟ ଥିଲେ ବି ଆଉ ଦେଖା ଯାଇ ପାରିବ ନାହିଁ । ଅଭିନ୍ନ ବଡ଼ ବ୍ୟସ୍ତ ହୋଇ ପଡ଼ିଲା ।

 

–ଠିଆ ହେଇଯାଇଛ ନା ? ତମର ମନରେ କ’ଣ ଟିକିଏ ବି ସେଇ ଅଫିସରେ ମନେ ପଡ଼ିଲା ନାହିଁ ? ଅପା କଥା ? ତା’କୁ କ’ଣ ତମେ ଭଲ ପାଅ କି ?

 

ଅଭିନ୍ନ ଚାହିଁରହିଲା କନକ ମୁହଁକୁ । କନକର ଆଖି ଦୁଇଟି ଆପଣା ଛାଏଁ ତଳକୁ ହୋଇଗଲା । ସେମିତି ମୁହଁପୋତି ସେ କହିଲା–ଭଲ ପାଉଥିଲେ ଯାଇ ତା’କୁ ବୋଧ ଶୋଧ କରନ୍ତଣି...

 

ଅଭିନ୍ନ ଆସି ଠିଆ ହେଲା ସୁତପାର ବିଛଣା ପାଖରେ–କିହୋ, ଶୋଇଛ କ’ଣ ? –କହି ହାତକୁ ଟାଣିଲା ।

 

–ମୋର ମୁଁ ଏଠି ପଡ଼ି ପଡ଼ି ମରିବି । କେହି ଆସିବା ଦରକାର ନାହିଁ ।

 

–ମୋର କ’ଣ ଦୋଷ କହିଲ ?

 

ଘୁମୁରି ଘୁମୁରି ସୁତପା କହିଲା–ମୋର ସବୁ ଦୋଷ । ତୁମକୁ ଗୁଡ଼ାଏ କ’ଣ କହିଦେଲି...

 

–କ’ଣ କହିଲ ? କିଛି ତ କହି ନାହଁ ।

 

କନକ ଆବୁରା ପଡ଼ି କହିଲା–ତେବେ ତମେ ରାଗରେ ତମତମ ହେଇ ଚାଲିଗଲ କାହିଁକି ? ଛୁଟି ନେଇଗଲ ନାହିଁ ?

 

–କ’ଣ ଏମିତି କଳିକଜିଆ ଅନର୍ଥ ହେଲା ଯେ ମୁଁ ଛୁଟି ନେଇଥାନ୍ତି ?

 

ସୁତପା କହିଲା–ଥାଉଲୋ କନକ । ଆମେ କିଏ ଯେ ଆମ ପାଇଁ ଅଫିସ୍ ବନ୍ଦ ହେବ-? ତାଙ୍କର ସାଙ୍ଗସାଥି ଖୋଜି ପକାଇବେ...

 

କନକ ହସି ପକାଇଲା । ...ହଉ, ଉଠ ମ ଅପା । ଭାଇ କ’ଣ ବୁଝନ୍ତି ଯେ ତାଙ୍କର କିବା କଥାକୁ ତମର ଏତେ ଛଳ ?

 

ଅଭିନ୍ନ ବି ସୁତପାର ଡେଣାକୁ ଧଇଲେ । ସୁତପା ଖସାଇ ନେଲା ହାତକୁ...ସେ ଭାରି ବିରକ୍ତ । ତାହାର ଖୁମାଣ ସେ ଭାଙ୍ଗିବ ନାହିଁ ।

 

କନକ ପରାମର୍ଶ ଦେଲା–ଭାଇ ଯାଅ । ହାତ ମୁହଁ ଧୁଅ । ଅପା ବୁଝିଯାଉ ।...ଏବେ ତା’କୁ ବିରକ୍ତ କରିବା ଠିକ୍ ନୁହେଁ ।

 

ବାହାରେ ଅଭିନ୍ନକୁ କନକ ବୁଝାଇ ଦେଲା ଯେ ଅପାର ଭାରି ଛଳ । ସେ କାହାରି ଟାଣ କଥା ସହିପାରେ ନାହିଁ । ନିଜେ ସିନା ବେଳେ ବେଳେ କହିଦିଏ । କିନ୍ତୁ ପରେ ଭାରି ହନ୍ତସନ୍ତ ହୁଏ ।

 

କନକ ଯାଇ ସୁତପାକୁ ଉଠାଇଲା ଶୁଖିଲା ମୁହଁ କରି ସୁତପା ଆସିଲା ବାହାରକୁ–ସେ ଅଭିନ୍ନବାବୁଙ୍କ ଉପରେ ରୁଷିଛି ।

 

ଅନ୍ୟ ଉପାୟ ନ ପାଇ ଅଭିନ୍ନ ବହୁତ ଚାଟୁକଥା କହି ଦୋଷ ମାଗିଲେ । ନିଜେ କେମିତି ବିଚାରି ପଚାରି ଧୀରସ୍ଥିର ନ ହୋଇ ଗୁଡ଼ାଏ କଥା କହି ଚାଡ଼ିଆଡ଼େ ଅଡ଼ୁଆରେ ପଡ଼ିଯାଉଛନ୍ତି–ସେଇ କଥା କହିଲେ ।

 

କନକ କହିଲା–ଏମିତି କହିବ କାହିଁକି ଆଉ ପଛରେ ଖୋସାମତିଆ ସଫେଇ ବା ଦବ କାହିଁକି ?

 

–ଏଁ, ଘର କରି କ’ଣ କଳି ଲାଗେ ନାହିଁ ?

 

–କ’ଣ କହିଲ ? କଳି ଲାଗିବ ? ଯିଏ ତୁମକୁ ଜୀବନରୁ ବଳି ଭଲ ପାଏ ତା’ରି ସାଙ୍ଗରେ କଳି କରିବାକୁ ତୁମର ଜିଭ ଲେଉଟୁଛି କେମିତି ?

 

ଅଭିନ୍ନବାବୁ ଚାହିଁଲେ ସଞ୍ଜ ଆକାଶକୁ । ଚଢ଼େଇ ଫେରିଲେଣି ତାଙ୍କର ନୀଡ଼କୁ । ଆନନ୍ଦରେ ଚାଲିଛନ୍ତି । ବାଟରେ କଳିକଜିଆ କାହିଁ ?

 

କନକ ଗୁଣୁ ଗୁଣୁ ହେଇ କହୁଥିଲା–କଳିକଜିଆ ହୁଏ, ଭାଇ, ପୁରୁଷ ପୁରୁଷଙ୍କ ଭିତରେ ଅବା ମାଇପେ ମାଇପିଙ୍କ ଭିତରେ...

 

କାନ ପାରିଲା ପରି ଅଭିନ୍ନର ଆଖି ଦୁଇଟି ଚିକ୍ ଚିକ୍ କରି ଉଠିଲା–ସତ କହିଛୁ କନକ-। ତୋର ଏତେ ବୁଦ୍ଧି ?

 

କନକ ମୁହଁ ଆଡ଼େଇ ନେଲା । ଅଭିନୟର ବଡ଼ ପୋଷାକ ହେଉଛି ଅଧା କୁହା ଅଧା ଗିଳା କରି କଥାକୁ ଆଉ କାମକୁ ଛପେଇ ଲୁଚେଇ ଥୋଇଦବା ।

 

ସୁତପା ଆଡ଼େଇ ହେଇଗଲାଣି । ବେଶି ଅଭିନୟ କଲେ ଅଭିନୟ ଖୋଲି ହେଇଯିବ ହାତସଫେଇ ମେଜିକ୍‌ ପରି । ...ଯେଉଁଠି ଜିତାପଟ ହେବ ସେଠୁ ଚଞ୍ଚଳ ଓହରିଯିବ...ନଇଲେ ଲେଉଟ ମାଡ଼ ବସିଯିବା ଅସମ୍ଭବ କ’ଣ ?

 

ଡାକିଲା କନକକୁ–ଆ, କନକ, ଆ । ସେ ସେମିତିକା ମଣିଷ । ତାଙ୍କୁ କ’ଣ କହୁଥିବୁ ଲାଗିପଡ଼ି । ଖଟି ଖଟି ଆସିଲେ । ଆଉ ତୁ ଛାଟଧରି ଲାଗିଗଲୁଣି...ଆ...

 

ଅଭିନ୍ନବାବୁ ରହିଗଲେ ଏକୁଟିଆ–

 

କନକର କାନ୍ଧକୁ ହଲାଇ ଦେଇ ସୁତପା କହିଲା–ଯାହା କହିବୁ, ଯାହା କରିବୁ–ଅଳ୍ପ କହିବୁ, ଅଳପ କରିବୁ...ବେଶି ଚିପୁଡ଼ିଲେ ଲେମ୍ବୁ ପିତା....

 

–କ’ଣ କରିବା କହ ।

 

–କିଛି ହେଇ ନଥିଲା ପରି ସାଧାରଣିଆ ହସଖୁସି ବେଭାର ।

 

ବାହାରେ ପାଟି ଶୁଭିଲା ବନ୍ଧୁମାନଙ୍କର–କିଏ ଅଛ ? ଅଭିନ୍ନବାବୁ ଅଛ ନା ଗଲଣି ?

 

ଗଳା ସଫାକରି ଅଭିନ୍ନ କହିଲେ–ଅଛି ।

 

–କିହୋ ଶବ୍ଦ ନାହିଁ । ମୁହଁ ଏମିତି ଭାରି ? କ’ଣ ବିଗିଡ଼ା ଧରିଛ କି ?

 

–କିଛି ନାହିଁ । ଏମିତି ଟିକିଏ କଥାରୁ...

 

–ଓଃ, କଳି ହେଇଗଲା ନା ? ...ଭଲ ନୁହେଁ । ଦେଖୁନାହଁ ଚାରିଆଡ଼େ କେଉଁଠି ଟିକିଏ ପିଟାପିଟି ବା ଯୁଦ୍ଧ ହେଇଗଲେ କେତେ ଇସ୍ତାହାର ଛପା ଯାଉଛି...କ’ଣ ନା ଶାନ୍ତି ରକ୍ଷାକର । କଳିକୁ ଆପୋଷରେ ତୁଟାଇ ଦିଅ ।

 

–ତୁଟି ଯାଇଛି ।

 

–ବାଃ; ଖୁବ୍‌ ଭଲ । ନିଶ୍ଚେ ତମେମାନେ ଦୁର୍ବଳିଆ । ବଳୁଆ ହେଲେ ସିନା କଳି ଜମେ-। କିଏ ଜିତିଲା ?

 

ସୁତପା ବାହାରି ଆସିଲା ପଦାକୁ–ଆପଣମାନେ ପାଠ ପଢ଼ାଇବାକୁ ଆସିଲାପରି ବୁଝାପଡ଼ୁଛି କଥାରୁ ।

 

ନରହରିବାବୁ ଆଗୁଆ ହେଇ କହିଲେ–ଏଇ ଦେବାଶିଷବାବୁ ସବୁଥିରେ ଆଗ ବୋଲା-। ...ଛାତ୍ରଙ୍କୁ କ’ଣ ପଢ଼ାଇବ ସେ ତ ଶିକ୍ଷା ସଚିବଙ୍କୁ ପଢ଼ାଇବାକୁ ତିଆର ।

 

–ଖୁବ୍ ଭଲ । ସମସ୍ତେ ଚାହାଳୀ ମାଷ୍ଟ୍ର ହେବାକୁ ଭାରି ତତ୍ପର । ତେବେ ଶିକ୍ଷାମନ୍ତ୍ରୀଙ୍କୁ ପାଠ ବତାଇବାକୁ ଯାହାହେଲେ ଦେବାଶିଷବାବୁ ଆଣ୍ଟ କରୁଛନ୍ତି ତ ।

 

–ଆଣ୍ଟୁଆ କି ଆଣ୍ଡୁଆ ସେ ଜାଣନ୍ତି । ତେବେ ମୁଁ ଜାଣେ...

 

–କ’ଣ ?

 

କୁଞ୍ଜବନେ ଜଗନ୍ନାଥ ନହେବ ଗୋସାଇଁ

ରଥ ବୋଲି ଭଣ୍ଡି ଦେବେ ଶଗଡ଼େ ବସାଇ

ଭୋଗ ବୋଲି ଖଞ୍ଜିଦେବେ କଡ଼କିଆ ମୁଆଁ

ଧୂପ ବୋଲି ଗେଞ୍ଜିଦେବେ ନିଆଁ ଖୁଣ୍ଟା ଧୂଆଁ...

 

–ଓଃ, ଆମ ହେଡ୍‌ମାଷ୍ଟରବାବୁ ଆଜିଦିନଟା ପୁରା ବିଗାଡ଼ିବା ପାଇଁ ତିଆର । ହେଲେ ସେ ଜଣେ ପରମ ବଇଷିମ ।

 

–ସତେ ନା ?

 

–ମାଳ ତିଳକ ଭେକ ଧରି

ବୈଷ୍ଣବ ପଣକୁ ଆବୋରି

କେଜାଣେ ଗୋବିନ୍ଦଙ୍କ ଗତି

ଝୁଲି ଠେଲିଣ ଚାଲିଛନ୍ତି ।

 

[ଜୀବନର ମଦିରାର ପ୍ରଥମଭାଗ “ସକାଳ କୁହୁଡ଼ି” ଶେଷ]

 

[ଏହି ଭାଗଟି ଗୋଟିଏ ସ୍ଵୟଂସଂପୂର୍ଣ୍ଣ ଉପନ୍ୟାସ]

 

ରାଜକିଶୋର ପଟ୍ଟନାୟକ

୨୫ । ୧୦ । ୭୦

Image